ପିଏମଇଣ୍ଡିଆ
ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ‘ମନ୍ କି ବାତ୍’ରେ ପୁଣିଥରେ ଆପଣ ସମସ୍ତଙ୍କ ସହ ଯୋଡ଼ିହୋଇ ମୋତେ ବହୁତ ଖୁସି ଲାଗୁଛି । ୨୦୨୬ ବର୍ଷର ପ୍ରଥମାର୍ଦ୍ଧ ବିତିବାକୁ ବସିଲାଣି । ଏହି ୬ ମାସରେ ଆମେ ‘ମନ୍ କି ବାତ୍’ରେ ଦେଶବାସୀଙ୍କ ଅନେକ ଉପଲବ୍ଧି ସମ୍ପର୍କରେ ଆଲୋଚନା କରିଛୁ । ଜୁନରେ ମଧ୍ୟ ଦେଶ ଏଭଳି କିଛି ଉପଲବଧି ହାସଲ କରିଛି, ଯାହା ପ୍ରତ୍ୟେକ ଦେଶବାସୀଙ୍କୁ ଗର୍ବିତ କରୁଛି । ଏହି ସଫଳତାଗୁଡ଼ିକ ଦେଶର ସୁରକ୍ଷା ଏବଂ ଆତ୍ମନିର୍ଭରଶୀଳତା ସହ ଜଡ଼ିତ । ନିକଟରେ ମୋତେ କୋଲକାତାରେ ନୌବାହିନୀ ସହ ଜଡ଼ିତ ଗୋଟିଏ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାର ସୁଯୋଗ ମିଳିଲା । ସେଠାରେ ଆଇଏନ୍ଏସ୍ ଦୁନାଗିରି, ଆଇଏନ୍ଏସ୍ ସଂଶୋଧକ ଏବଂ ଆଇଏନ୍ଏସ୍ ଅଗ୍ରୟକୁ ଭାରତୀୟ ନୌବାହିନୀରେ ସାମିଲ କରାଗଲା । ଏହି ଜାହାଜଗୁଡ଼ିକର ଡିଜାଇନ୍ ଏବଂ ଉତ୍ପାଦନ, ସବୁକିଛି ସ୍ୱଦେଶୀ ।
ବନ୍ଧୁଗଣ, ଜୁନ୍ ମାସରେ ହିଁ ବିମାନ ଚଳାଚଳ କ୍ଷେତ୍ରରେ ମଧ୍ୟ ଦେଶ ଗୋଟିଏ ବଡ଼ ସଫଳତା ପ୍ରାପ୍ତ କରିଛି । ଉ-୨୯୫, ଏହି ବିମାନ ‘ମେଡ୍ ଇନ୍ ଇଣ୍ଡିଆ’ ଏବଂ ଏହି ଉ-୨୯୫ ବିମାନ ନିଜର ପ୍ରଥମ ଉଡ଼ାଣ ସମ୍ପୂର୍ଣ୍ଣ କରିଛି ଏବଂ ଏହିଭଳି ୪୦ଟି ବିମାନ ଭାରତରେ ହିଁ ତିଆରି କରାଯାଉଛି । ଏଥିରେ ଏମଏସଏମଇ ଏବଂ ଏରୋସ୍ପେସ୍ କ୍ଷେତ୍ରକୁ ନୂତନ ଶକ୍ତି ମିଳୁଛି । ରୋଜଗାରର ସୁଯୋଗ ବୃଦ୍ଧି ପାଉଛି ଏବଂ ଆତ୍ମନିର୍ଭର ଭାରତର ସଂକଳ୍ପ ମଧ୍ୟ ସୁଦୃଢ଼ ହେଉଛି । ଏହି ମାସରେ ଡିଆରଡିଓ ସ୍ୱଦେଶୀ ଭାରତର ‘ଲଙ୍ଗ୍ ରେଞ୍ଜ୍ ଲ୍ୟାଣ୍ଡ୍ ଆଟାକ୍ କ୍ରୁଜ୍ କ୍ଷେପଣାସ୍ତ୍ର’ର ମଧ୍ୟ ସଫଳ ପରୀକ୍ଷଣ କରିଛି । ଏହାକୁ ଡିଆରଡିଓର ପରୀକ୍ଷାଗାର ଏବଂ ଭାରତୀୟ ଶିଳ୍ପ ସହଭାଗୀ ମିଳିତ ଭାବେ ତିଆରି କରିଛନ୍ତି, ଅର୍ଥାତ୍ ଆଜି ସମୁଦ୍ରଠାରୁ ଆରମ୍ଭକରି ଆକାଶ ପର୍ଯ୍ୟନ୍ତ ଆମ ଭାରତ ଅଧିକ ସୁରକ୍ଷିତ ଏବଂ ଆତ୍ମନିର୍ଭର ହେବାକୁ ଯାଉଛି ।
ବନ୍ଧୁଗଣ, ଜୁନରେ ଆଉ ଗୋଟିଏ ଆୟୋଜନ ହୋଇଥିଲା । ଯେଉଁଥିରେ ସମଗ୍ର ବିଶ୍ୱ ଭାରତର ପ୍ରଚେଷ୍ଟା ସହ ଯୋଡ଼ିହେଲେ ଏବଂ ଏହି କାର୍ଯ୍ୟକ୍ରମ ଥିଲା ‘ଆନ୍ତର୍ଜାତିକ ଯୋଗ ଦିବସ’ । ଏଥର ବିଶ୍ୱର ୨୫୦୦ରୁ ଅଧିକ ସ୍ଥାନରେ ଯୋଗର ବିବିଧ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଆମ ଦେଶରେ କୋଟି କୋଟି ଲୋକେ ବିଭିନ୍ନ ସ୍ଥାନରେ ଯୋଗ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କଲେ । ଏହି ମାସରେ ଅହମ୍ମଦାବାଦରେ ଆୟୋଜିତ ‘ବିଶ୍ୱ ଯୋଗାସନ ଚମ୍ପିଆନସିପ୍’ ମଧ୍ୟ ବଡ଼ ଆଲୋଚନାର ବିଷୟ ରହିଲା । ଏଥିରେ ଭାରତ ମୋଟ ୧୧୪ ପଦକ ଜିତିଛି, ଯେଉଁଥିରେ ରହିଛି ୧୦୨ଟି ସ୍ୱର୍ଣ୍ଣପଦକ । ଭାରତ ଏହି ଚମ୍ପିଆନସିପର ପଦକ ତାଲିକାରେ ପ୍ରଥମ ସ୍ଥାନ ଅଧିକାର କଲା । ମୁଁ ସମସ୍ତ ବିଜୟୀ ଖେଳାଳିମାନଙ୍କୁ ବହୁତ ବହୁତ ଅଭିନନ୍ଦନ ଜଣାଉଛି ।
ବନ୍ଧୁଗଣ, ଯେକୌଣସି ରାଷ୍ଟ୍ରର ଆତ୍ମା ହେଉଛନ୍ତି ସେଠାକାର ଜନସାଧାରଣ । ଯେତେବେଳେ ସେହି ଦେଶର ଲୋକେ କୌଣସି ସଂକଳ୍ପ ଗ୍ରହଣ କରନ୍ତି ସେତେବେଳେ କୌଣସି ଶକ୍ତି ସେମାନଙ୍କୁ ଲକ୍ଷ୍ୟଚ୍ୟୁତ କରିପାରେ ନାହିଁ । ରାଷ୍ଟ୍ର ନିର୍ମାଣରେ ଜନଭାଗିଦାରୀର ଏହି ଶକ୍ତି ଭାରତର ବହୁତ ବଡ଼ ପୁଞ୍ଜି ଏବଂ ଏହି ଜନଭାଗିଦାରୀକୁ ଆମେ ବାରମ୍ବାର ଅନୁଭବ କରୁଛୁ ।
ବନ୍ଧୁଗଣ, ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧର ସ୍ଥିତିକୁ ଦେଖି ମୁଁ ଦେଶବାସୀଙ୍କୁ କିଛି ଅନୁରୋଧ କରିଥିଲି । ମୁଁ କହିଥିଲି ଯେ ଯଥାସମ୍ଭବ କିଛି ସମୟ ପାଇଁ ସୁନା କ୍ରୟ କରିବାରୁ ବିରତ ରୁହନ୍ତୁ । ଲୋକଙ୍କୁ କହିଥିଲି ଯେ ବିଦେଶରେ ଛୁଟି କଟାଇବାରୁ ନିବୃତ୍ତ ରୁହନ୍ତୁ, ମୁଁ ଲୋକମାନଙ୍କୁ କାର୍ ପୁଲିଂକୁ ମଧ୍ୟ ପ୍ରୋତ୍ସାହିତ କରିବାକୁ ଅନୁରୋଧ କରିଥିଲି । ମୁଁ ଚାଷୀମାନଙ୍କୁ ରାସାୟନିକ ମୁକ୍ତ ଚାଷ କରିବା ପାଇଁ, ଜମିକୁ ସୁରକ୍ଷିତ ରଖିବା ପାଇଁ ଏବଂ ପ୍ରାକୃତିକ ସାରର ଅଧିକରୁ ଅଧିକ ବ୍ୟବହାର ପାଇଁ ଅନୁରୋଧ କରିଥିଲି । ବନ୍ଧୁଗଣ, ମୁଁ ଦେଶର ପ୍ରତ୍ୟେକ ନାଗରିକ ପ୍ରତି କୃତଜ୍ଞ କାରଣ ସେମାନେ କେବଳ ମୋ ଅନୁରୋଧ ପ୍ରତି ସମର୍ଥନ ପ୍ରକାଶ କଲେ ତାହାନୁହେଁ ବରଂ ଯଥାସମ୍ଭବ ସେଥିରେ ନିଜର ସହଯୋଗ କରୁଛନ୍ତି । ଅନେକ ପରିବାର ମୋତେ ବାର୍ତ୍ତମାନ ପଠାଇ ନିଜର ଅନୁଭୂତି ବାଣ୍ଟୁଛନ୍ତି । ଅନେକ ପରିବାର ସ୍ଥିର କରିଛନ୍ତି ଯେ ଘରେ ବିବାହ କାର୍ଯ୍ୟ ଆଦିରେ ଏଥର ସୁନା କିଣିବେ ନାହିଁ । ଆବଶ୍ୟକ ପଡ଼ିଲେ ପୁରୁଣା ସ୍ୱର୍ଣ୍ଣ ଅଳଙ୍କାରରୁ ହିଁ ନୂଆ ଅଳଙ୍କାର ତିଆରି କରିଦେବେ । ଅନେକ ଲୋକେ ସାମାଜିକ ଗଣମାଧ୍ୟମରେ ମଧ୍ୟ ଲେଖିଛନ୍ତି ଯେ କିଭଳି ସେମାନେ ଏଥର ବିଦେଶ ଯାତ୍ରାକୁ ଏଡ଼ାଇଦେଇଛନ୍ତି ।
ବନ୍ଧୁଗଣ, କାର ପୁଲିଂକୁ ନେଇ ମଧ୍ୟ ଲୋକେ ଅନେକ ଅନୁଭୂତି ବାଣ୍ଟିଛନ୍ତି । ଯେଉଁମାନେ ପ୍ରତିଦିନ ଗୋଟିଏ ରାସ୍ତାରେ ହିଁ ନିଜ ନିଜ ଗାଡ଼ିରେ ଯାଉଥିଲେ ଏବେ ସେମାନେ ଏକାଠି ମିଶି ଯାଉଛନ୍ତି । ଲୋକେ ଯଥାସମ୍ଭବ ବସ୍ ଏବଂ ମେଟ୍ରୋ ବ୍ୟବହାର କରୁଛନ୍ତି । ଏହାଦ୍ୱାରା ପେଟ୍ରୋଲ ଏବଂ ଡିଜେଲ ସଞ୍ଚୟ ହୋଇପାରୁଛି । ସେହିଭଳି ଦେଶର ବିଭିନ୍ନ ଭାଗରେ ପ୍ରାକୃତିକ ସାରର ଚାହିଦା ବୃଦ୍ଧିର ମଧ୍ୟ ଖବର ମିଳୁଛି । ବନ୍ଧୁଗଣ, ଆମେ ଭାରତୀୟମାନେ ଏହି ବୈଶ୍ୱିକ ସଙ୍କଟର ଏକତ୍ରିତ ଭାବେ ମୁକାବିଲା କରୁଥିବାରୁ ମୁଁ ଖୁସି ଅନୁଭବ କରୁଛି । ଜନଭାଗିଦାରୀର ଏହି ଶକ୍ତି ଆମକୁ ସୁଦୃଢ଼ କରିବ, ଆମକୁ ସଫଳ କରିବ ବୋଲି ମୋର ବିଶ୍ୱାସ ।
ମୋର ପ୍ରିୟ ଦେଶବାସୀଗଣ, ଆମ ଦେଶରେ ଜନ୍ମଦିନ, ବିବାହ ଆଦି, ପାରିବାରିକ କାର୍ଯ୍ୟକ୍ରମ ହେବା ସଙ୍ଗେସଙ୍ଗେ ସାମାଜିକ ଉତ୍ସବ ମଧ୍ୟ ହୋଇଥାଏ । ପ୍ରତ୍ୟେକ ପରିବାର ଚାହେଁ ଯେ ସେମାନେ ନିଜ ଖୁସି ଅନ୍ୟମାନଙ୍କ ସହ ମଧ୍ୟ ବାଣ୍ଟନ୍ତୁ । ଲୋକେ ଅତିଥିମାନଙ୍କୁ ଉପହାର ମଧ୍ୟ ଦେଇଥାନ୍ତି । ବନ୍ଧୁଗଣ, ମହାରାଷ୍ଟ୍ରର ନାନ୍ଦେଡ଼ରେ ଗୋଟିଏ ପରିବାର ନିଜ ଖୁସି ବାଣ୍ଟିବା ପାଇଁ ଏଭଳି ଗୋଟିଏ କାମ କରିଛନ୍ତି ଯାହା ଚର୍ଚ୍ଚାର ବିଷୟ ପାଲଟିଯାଇଛି । ନାନ୍ଦେଡ଼ର ବାହାଦୁରପୁରା ଗାଁରେ ପେଠକର ପରିବାର ବାସ କରନ୍ତି । ଏହି ପରିବାର ଚିନ୍ତା କଲେ ଯେ ଯଦି ଖୁସି ବାଣ୍ଟିବା, ତେବେ ଏଭଳି କୌଣସି ବସ୍ତୁ କାହିଁକି ନ ଦେବା, ଯାହା ଅସୁବିଧା ସମୟରେ କୌଣସି ପରିବାରର କାମରେ ଲାଗିବ । ନିଜ ଘରେ ବିବାହ ଅବସରରେ ଏହି ପରିବାର ଗାଁର ପ୍ରାୟ ସାଢ଼େ ତିନିହଜାର ଲୋକଙ୍କ ପାଇଁ ଦୁର୍ଘଟଣା ବୀମା ବ୍ୟବସ୍ଥା କଲେ । ପ୍ରତ୍ୟେକ ବ୍ୟକ୍ତିକୁ ଏକଲକ୍ଷ ଟଙ୍କାର ବୀମା କଭର ଦିଆଗଲା । ଏହି ନୂତନ ଧାରା ପଛରେ ରହିଥିବା ଭାବନା ବହୁତ ହୃଦୟସ୍ପର୍ଶୀ । ଏହି ପରିବାର ଆଗରୁ ଦେଖିଥିଲେ ଯେ କୌଣସି ଦୁର୍ଘଟଣା ପରେ ଦୁର୍ଘଟଣାଗ୍ରସ୍ତ ପରିବାରକୁ ଅନେକ ଆର୍ଥିକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ । ଏଭଳି ସମୟରେ ଏକ ଛୋଟ ସହାୟତା ମଧ୍ୟ ବହୁତ ବଡ଼ ସମ୍ବଳ ପାଲଟିଯାଏ ।
ବନ୍ଧୁଗଣ, ସରକାର ଦେଶର କୋଟି କୋଟି ପରିବାରଙ୍କୁ ସୁରକ୍ଷାକବଚ ଉପଲବ୍ଧ କରିଛନ୍ତି । ‘ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା’ ଅନ୍ତର୍ଗତ କେବଳ ବାର୍ଷିକ ୨୦ ଟଙ୍କା ପ୍ରିମିୟମ୍ ଅର୍ଥାତ୍ ମାତ୍ର ବର୍ଷକୁ ୨୦ ଟଙ୍କା ପ୍ରିମିୟମ୍ରେ ଦୁଇଲକ୍ଷ ଟଙ୍କା ପର୍ଯ୍ୟନ୍ତ ‘ଦୁର୍ଘଟଣା ବୀମା’ ମିଳିଥାଏ । ଏଯାବତ୍ ଏହି ଯୋଜନାରେ ୫୮ କୋଟିରୁ ଅଧିକ ଲୋକ ଯୋଡ଼ି ହୋଇସାରିଲେଣି । ଏଥିରୁ ପ୍ରାୟ ୨୮ କୋଟି ହେଉଛନ୍ତି ଆମର ମାଆ, ଭଉଣୀ, କନ୍ୟା ଏବଂ ମହିଳାମାନେ । ମିଳିଥିବା ହିସାବ ଅନୁଯାୟୀ ଏହି ଯୋଜନା ଅଧିନରେ ଏଯାବତ୍ ପୀଡିତ ପରିବାରଙ୍କୁ ୩,୭୦୦ କୋଟି ଟଙ୍କା ଠାରୁ ମଧ୍ୟ ଅଧିକ ସହାୟତା ପ୍ରାପ୍ତ ହୋଇସାରିଛି ।
ବନ୍ଧୁଗଣ ସେହିଭଳି ‘ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ବୀମା ଯୋଜନା’ ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ । ଏହି ଯୋଜନା କୌଣସି ବ୍ୟକ୍ତିର ଦୁଃଖଦ ମୃତ୍ୟୁ ହେବା ଘଟଣାରେ ତା’ର ପରିବାରକୁ ଦୁଇଲକ୍ଷ ଟଙ୍କାର ବୀମା କଭର ପ୍ରଦାନ କରୁଛି । ଏହାର ବାର୍ଷିକ ପ୍ରିମିୟମ୍ ମାତ୍ର ୪୩୬ ଟଙ୍କା । ଅର୍ଥାତ୍ ଦିନକୁ ଅତିବେଶୀରେ ଦେଢ଼ ଟଙ୍କା । ଏହି ଯୋଜନା ସହ ଏଯାବତ୍ ୨୭ କୋଟିରୁ ଅଧିକ ଲୋକ ଜଡ଼ିତ ହୋଇଛନ୍ତି । ଏହା ଅନ୍ତର୍ଗତ ଦେଶର ପ୍ରାୟ ୧୧ ଲକ୍ଷ ପରିବାରଙ୍କୁ ପ୍ରାୟ ୨୨ ହଜାର କୋଟି ଟଙ୍କାର ସହାୟତା ମିଳିସାରିଛି । ଏ ରାଶିଗୁଡ଼ିକ ବହୁତ ବଡ଼ । ଏହି ପରିସଂଖ୍ୟାନ ପଛରେ ରହିଛି ଲକ୍ଷ ଲକ୍ଷ ପରିବାରର ନିଜ ନିଜ କାହାଣୀ । କେଉଁଠି କୌଣସି ମାଆକୁ ନିଜ ପିଲାର ଶିକ୍ଷା ଜାରି ରଖିବା ପାଇଁ ସହାୟତା ମିଳିଗଲା, ତ କେଉଁଠି କୌଣସି ପତ୍ନୀକୁ ଘରର ଦାୟିତ୍ୱ ସମ୍ଭାଳିବାରେ ସାହାଯ୍ୟ ମିଳିଗଲା । ବନ୍ଧୁଗଣ, ଅନେକ ଥର ବହୁତ ବଡ଼ ସୁରକ୍ଷାର ଆରମ୍ଭ ବହୁତ ଛୋଟ ରାଶି ଏବଂ ଗୋଟିଏ ଛୋଟ ପଦକ୍ଷେପରୁ ହୋଇପାରେ, ଛୋଟ ନିଷ୍ପତ୍ତିଟିଏ ମଧ୍ୟ ବହୁତ ବଡ଼ ପରିବର୍ତ୍ତନ ଆଣିଦେଇପାରେ । ଆପଣ ସମସ୍ତଙ୍କୁ ମୋର ଅନୁରୋଧ ଯେ ନିଜ ପରିବାରକୁ ଏହି ଯୋଜନାଗୁଡ଼ିକ ସମ୍ପର୍କରେ ନିଶ୍ଚିତ ଭାବେ ସୂଚନା ଦିଅନ୍ତୁ ।
ମୋର ପ୍ରିୟ ଦେଶବାସୀଗଣ ‘ମନ୍ କି ବାତ୍’ରେ ବର୍ତ୍ତମାନ ଏପରି ବିଷୟରେ କଥାହେବା ଯାହା ହଜାର ବର୍ଷ ତଳର ପୁରୁଣା । ହଜାର ହଜାର ବର୍ଷ ଧରି ଏହା ମାନବ ସମାଜରେ ବସାବାନ୍ଧି ରହିଆସୁଛି । ଏ ବିଷୟ ହେଉଛି – ଅନ୍ଧବିଶ୍ୱାସ । ଅନେକଥର ଦେଖାଯାଏ ଅନ୍ଧବିଶ୍ୱାସ କେବଳ ମାତ୍ର ଭ୍ରାନ୍ତ ଧାରଣା ନୁହେଁ । ତାହା ଡର ସୃଷ୍ଟି କରେ, ଆଉ ଯେବେ ଡର ମନ ଉପରେ ପ୍ରଭୁତ୍ୱ ବିସ୍ତାର କରେ ସେତେବେଳେ ମଣିଷ ସତ୍ୟକୁ ଦେଖିବା ବନ୍ଦ କରିଦିଏ । ଅନ୍ଧବିଶ୍ୱାସରେ ବୁଡ଼ିରହୁଥିବା ଲୋକମାନେ ବିନା ତର୍କରେ, ସତ୍ୟ ନ ଜାଣି ଏପରି ନିଷ୍ପତ୍ତି ନିଅନ୍ତି, ଯାହା ବହୁତ କ୍ଷତିକାରକ ହୋଇଥାଏ । ଏପରିସ୍ଥଳେ ସମାଜରେ ଏପରି ଲୋକ ବି ଅଛନ୍ତି ଯେଉଁମାନେ ବିଜ୍ଞାନ, ଅନୁଭବ ଓ ତର୍କ ଆଧାରରେ ଏହିସବୁ ଧାରଣାକୁ ଆହ୍ୱାନ ରୂପେ ସ୍ୱୀକାର କରନ୍ତି । ଅନ୍ଧବିଶ୍ୱାସରୁ ବିଶ୍ୱାସ ପର୍ଯ୍ୟନ୍ତ ଏହି ଯାତ୍ରା ସହଜସାଧ୍ୟ ନୁହେଁ । ଆଜି ମୁଁ ଏପରି ଏକ ସଫଳ ଯାତ୍ରା ସମ୍ପର୍କରେ ଆପଣମାନଙ୍କୁ ନିଶ୍ଚିତ ରୂପେ କହିବାକୁ ଚାହେଁ ।
ବନ୍ଧୁଗଣ, ଆସାମରେ ଏକ ପକ୍ଷୀ ଦେଖାଯାଏ । ସେହି ପକ୍ଷୀର ନାଁ ହେଲା ହରଗିଲା ଅର୍ଥାତ୍ ହାଡ଼ଗିଳା ପକ୍ଷୀ । ଏହା ଏକ ଦୁର୍ଲ୍ଲଭ ପକ୍ଷୀ । ପରିବେଶକୁ ସଫାସୁତୁରା ରଖିବାରେ ଏହା ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । କିନ୍ତୁ ଦୀର୍ଘବର୍ଷ ଧରି ଆସାମର କିଛି ଅଞ୍ଚଳରେ ଏହି ପକ୍ଷୀକୁ ଅଶୁଭ ବୋଲି ବିବେଚିତ କରାଯାଉଥିଲା । ଲୋକମାନେ ଏହାକୁ ନିଜ ଆଖପାଖରେ ଦେଖିବାକୁ ପସନ୍ଦ କରୁନଥିଲେ । ଯେଉଁ ଗଛମାନଙ୍କରେ ହାଡ଼ଗିଳା ପକ୍ଷୀ ବସା ବାନ୍ଧେ ଅନେକଥର ସେହି ଗଛଗୁଡ଼ିକୁ କାଟିଦିଆଯାଏ । ଭାବନ୍ତୁ, ଏପରି ଏକ ପକ୍ଷୀ ଯାହା ପରିବେଶକୁ ପରିଷ୍କାର ରଖିବାରେ ସାହାଯ୍ୟ କରେ ସେହି ‘ହାଡ଼ଗିଳା ପକ୍ଷୀ’ ଲୋକମାନଙ୍କ ଭୟର ଶୀକାର ହୋଇଥିଲା । ଏପରି ସ୍ଥିତିରେ ଜୀବବିଜ୍ଞାନୀ ପୂର୍ଣ୍ଣିମା ଦେବୀ ବର୍ମନ ଏସବୁ ଦେଖିଲେ । ସେ ଲୋକମାନଙ୍କ ମନରେ ବସାବାନ୍ଧିଥିବା ଏହି ଭ୍ରାନ୍ତ ଧାରଣାକୁ ବଦଳାଇବା ପାଇଁ ସଂକଳ୍ପ ନେଲେ । ସେ ମହିଳାମାନଙ୍କ ସହ କଥାବାର୍ତ୍ତା କଲେ । ବିଜ୍ଞାନ ଆଧାରରେ ଲୋକମାନଙ୍କୁ ବୁଝାଇଲେ । ଧୀରେ ଧୀରେ ମହିଳାମାନେ ଏହି ଅଭିଯାନରେ ସାମିଲ ହେଲେ । ତା’ପରେ ଏକ ବଡ଼ ପରିବର୍ତ୍ତନର ଆରମ୍ଭ ହେଲା । ଯେଉଁ ପକ୍ଷୀକୁ ଦିନେ ଅଶୁଭ ଭାବି ଘଉଡ଼ାଇ ଦିଆଯାଉଥିଲା, ସେହି ପକ୍ଷୀ ଗାଁମାନଙ୍କର ପରିଚୟ ସାଜିଲା । ହଜାର ହଜାର ଗ୍ରାମୀଣ ମହିଳା ‘ହାଡ଼ଗିଳା ପକ୍ଷୀ’କୁ ବଞ୍ଚାଇବା ପାଇଁ ଆଗକୁ ବାହାରିଲେ । ଆଜି ସେମାନେ ‘ହରଗିଲା ଆର୍ମି’ ନାମରେ ପରିଚିତ । ଏହି ମହିଳାମାନେ ସମାଜ ସହ ସଂଘର୍ଷ କଲେ । ସମାଜକୁ ବୁଝାଇବା ପାଇଁ ଦିନ-ରାତି କାମ କଲେ ଆଉ ପରିଶେଷରେ ଅନ୍ଧବିଶ୍ୱାସକୁ ଦୂରେଇଦେଲେ । ସେମାନେ ସାବ୍ୟସ୍ତ କରିଦେଲେ ଯେ ଯେତେବେଳେ ସଠିକ ତଥ୍ୟ ଜଣାପଡ଼ିଯାଏ ସେତେବେଳେ ବର୍ଷ ବର୍ଷର ପୁରୁଣା ମାନସିକତା ମଧ୍ୟ ବଦଳିଯାଏ ।
ବନ୍ଧୁଗଣ, ମୁଁ ପ୍ରାୟତଃ କହେ, ଯିଏ ଖେଳେ, ସେ ପ୍ରସ୍ଫୁଟିତ ହୁଏ । ଆଜି ଦେଶରେ ଏପରି ଯୁବକମାନଙ୍କ ସଂଖ୍ୟା ଦ୍ରୁତଗତିରେ ବଢ଼ିଚାଲିଛି ଯେଉଁମାନେ ଖେଳୁଛନ୍ତି, ଉନ୍ନତି ମଧ୍ୟ କରୁଛନ୍ତି । ପୂର୍ବ ତୁଳନାରେ ବର୍ତ୍ତମାନ ବୁହସଂଖ୍ୟକ ଯୁବକ ଖେଳକୁ କ୍ୟାରିଅର ରୂପେ ଗ୍ରହଣ କରୁଛନ୍ତି । ନାଗାଲାଣ୍ଡର ଏପରି ଦୁଇଟି ପ୍ରଚେଷ୍ଟା ସମ୍ପର୍କରେ ମୋତେ ସୂଚନା ମିଳିଛି, ଯାହା ଖୁବ୍ ରୋମାଞ୍ଚକର । ପ୍ରଥମ ପ୍ରଚେଷ୍ଟାଟି ହେଉଛି – ‘ନାଗାଲାଣ୍ଡ ବେବି ଲିଗ୍’ । ନାଁ ଶୁଣି ଆପଣଙ୍କୁ ନିଶ୍ଚୟ ଲାଗୁଥିବ ଏହା ଖୁବ୍ ଛୋଟ ଛୋଟ ପିଲାମାନଙ୍କର କୌଣସି ସାଧାରଣ ଲିଗ୍ ହୋଇଥିବ, ମାତ୍ର ଏହା ସେପରି ନୁହେଁ । ଏହା ୫ରୁ ୧୦-୧୨ ବର୍ଷ ବୟସର ଛୋଟ ଛୋଟ ଫୁଲଠାରୁ କୋମଳ ପିଲାମାନଙ୍କର ଏକ ଅସାଧାରଣ ଲିଗ୍ । ଆଉ ଏହି ପିଲାମାନଙ୍କୁ ନେଇ ଫୁଟବଲ୍ ଖେଳାଳିମାନଙ୍କର ଏପରି ଏକ ଲିଗ୍ ହୋଇଛି ଯେଉଁମାନେ ସେମାନଙ୍କ ପ୍ରଗତି ଓ ପ୍ରତିଭାକୁ ବିକଶିତ କରୁଛନ୍ତି ଓ ସେମାନଙ୍କ ପରିଚୟ ସୃଷ୍ଟି କରୁଛନ୍ତି । ନାଗାଲାଣ୍ଡରେ ଅଧିକରୁ ଅଧିକ ପିଲାମାନଙ୍କୁ ଫୁଟବଲ ସହ ଯୋଡ଼ିବା ପାଇଁ ଏହା ଆରମ୍ଭ କରାଯାଇଥିଲା । ପାଞ୍ଚରୁ ବାରବର୍ଷ ବୟସ ପର୍ଯ୍ୟନ୍ତ ପୁଅଝିଅମାନେ ଏଥିରେ ଭାଗ ନେଇପାରିବେ । ବର୍ତ୍ତମାନ ସୁଦ୍ଧା ଏହି ଲିଗ୍ ତିନିବର୍ଷ ପୂରଣ କରିସାରିଲାଣି । ପିଲାମାନଙ୍କ ମନ ଉପରେ ଏହି ଲିଗର ଖୁବ୍ ଭଲ ପ୍ରଭାବ ପଡ଼ିଛି ।
ବନ୍ଧୁଗଣ, ନାଗାଲାଣ୍ଡରେ ଆଉ ଏକ ଭଲ ପ୍ରଚେଷ୍ଟା ହେଉଛି । ଏହାର ନାଁ ହେଲା – ‘ନାଗାଲାଣ୍ଡ ମହିଳା ଫୁଟସାଲ ଲିଗ୍’ । ହୋଇପାରେ, ଆପଣମାନଙ୍କ ପାଇଁ ଏହି ‘ଫୁଟସାଲ୍’ ଏକ ନୂଆ ନାଁ ହୋଇଥିବ । ମୁଁ ଆପଣଙ୍କୁ କହୁଛି, ଶୁଣନ୍ତୁ ଫୁଟସାଲକୁ ଇଣ୍ଡୋର୍ ଫୁଟବଲ୍ ବି କୁହାଯାଏ । ଏଥିରେ ଗୋଟିଏ ଟିମରେ ମାତ୍ର ପାଞ୍ଚଜଣ ଖେଳାଳି ଥାଆନ୍ତି । ଖେଳପଡ଼ିଆ ବି ଫୁଟବଲ୍ ଖେଳପଡ଼ିଆଠାରୁ ବହୁତ ଛୋଟ ହୋଇଥାଏ । ଏଥିପାଇଁ ଖେଳାଳିମାନଙ୍କୁ ତୁରନ୍ତ ନିଷ୍ପତ୍ତି ନେବାକୁ ପଡ଼େ । ସେମାନଙ୍କୁ ତାଙ୍କ କୌଶଳ ଓ ଦକ୍ଷତାର ସର୍ବଶ୍ରେଷ୍ଠ ଉପଯୋଗ କରିବାକୁ ପଡ଼ିଥାଏ । ନାଗାଲାଣ୍ଡର ମହିଳା ଫୁଟସାଲ ଲିଗ୍ ଆମ ଝିଅମାନଙ୍କୁ ସେମାନଙ୍କ ପ୍ରତିଭା ପ୍ରଦର୍ଶନ କରିବା ପାଇଁ ଖୁବ୍ ସୁନ୍ଦର ସୁଯୋଗ ପ୍ରଦାନ କରୁଛି । ଏପରି ପ୍ରଚେଷ୍ଟା ପାଇଁ ମୁଁ ନାଗାଲାଣ୍ଡ ଲୋକମାନଙ୍କୁ ପ୍ରଶଂସା କରୁଛି । ଏପରି ପ୍ରଚେଷ୍ଟା ଦେଶର ଅନ୍ୟ ଅଞ୍ଚଳମାନଙ୍କୁ ମଧ୍ୟ ପ୍ରେରଣା ଦେଇଥାଏ ।
ବନ୍ଧୁଗଣ, ଏହା ହେଉଛି ଟେକ୍ନୋଲୋଜିର ଯୁଗ । ପ୍ରତିଦିନ ନୂଆ ନୂଆ ଗବେଷଣା ହେଉଛି । ନୂଆ ନୂଆ ଏଆଇ ଇନୋଭେସନ୍ ସାମ୍ନାକୁ ଆସୁଛି । ଏପରି ସମୟରେ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ପ୍ରଶ୍ନ ହେଲା – ଲୋକମାନଙ୍କ ସୃଜନଶୀଳତାକୁ କିପରି ସୁରକ୍ଷିତ ରଖାଯାଇପାରିବ? ନୂଆ ପ୍ରଯୁକ୍ତିବିଦ୍ୟା ସହ ଆଗକୁ ଅଗ୍ରସର ହେବା ସଙ୍ଗେ ସଙ୍ଗେ ଆମେମାନେ କିପରି ମୂଳ ସହ ଯୋଡ଼ିହୋଇ ରହିପାରିବା? ନାଳନ୍ଦା ବିଶ୍ୱବିଦ୍ୟାଳୟ ଏହି ପ୍ରଶ୍ନର ସମାଧାନ ଖୋଜି ବାହାର କରିଛି । ହଜାର ବର୍ଷର ପୁରୁଣା ଆମ ନାଳନ୍ଦା ବିଶ୍ୱବିଦ୍ୟାଳୟ ଏବେ ନୂଆ ଅବତାରରେ ଭାରତର ଭାଗ୍ୟ ନିର୍ମାଣ କରୁଛି । ଦୁଇବର୍ଷ ତଳେ ମୋତେ ନାଳନ୍ଦା ବିଶ୍ୱବିଦ୍ୟାଳୟର ନୂତନ ପରିସରକୁ ଲୋକାର୍ପଣ କରିବାର ସୁଯୋଗ ମିଳିଥିଲା । ନାଳନ୍ଦା ବିଶ୍ୱବିଦ୍ୟାଳୟ ପୁଣିଥରେ ଶାସ୍ତ୍ରାର୍ଥ କରିବାର ଆମ ପ୍ରାଚୀନ ପରମ୍ପରାକୁ ଜୀବନ୍ତ କରିଛି । ଶାସ୍ତ୍ରାର୍ଥ କେବଳ ମାତ୍ର ନିଜ କଥା ଉପସ୍ଥାପନ କରିବାର ମାଧ୍ୟମ ନୁହେଁ । ଏହା ହେଉଛି ତର୍କ ବିତର୍କ ଓ ମନ୍ଥନର ଏକ ଅନୁଶାସିତ ପ୍ରକ୍ରିୟା । ଏଥିରେ ତର୍କ ଓ ତଥ୍ୟ ସହ ନିଜର କଥା ରଖିବା ଆବଶ୍ୟକ । ଆଉ ଏଥିରେ ଆପଣଙ୍କର ଦକ୍ଷତା ଥିବା ଦରକାର । ଅନ୍ୟର ବିଚାରକୁ ଧୈର୍ଯ୍ୟର ସହ ଶୁଣିବା ଓ ବୁଝିବାର ଶିକ୍ଷା ମଧ୍ୟ ଏହି ଶାସ୍ତ୍ରାର୍ଥ ପ୍ରକ୍ରିୟାରୁ ହିଁ ମିଳିଥାଏ । ମୁଁ ଖୁବ୍ ଆନନ୍ଦିତ ଯେ ନାଳନ୍ଦା ବିଶ୍ୱବିଦ୍ୟାଳୟ ଏହାକୁ ନିଜ ସମାବର୍ତ୍ତନ ସମାରୋହର ଅଂଶ ରୂପେ ଗ୍ରହଣ କଲା । ଏଥିରେ ଅଂଶଗ୍ରହଣ କରିଥିବା ପାଖାପାଖି ଅଧା ବିଦ୍ୟାର୍ଥୀ ଅନ୍ୟ ଦେଶରୁ ଆସିଥିଲେ । ଏକ ପ୍ରାଚୀନ ପରମ୍ପରାକୁ ଆଜିର ସମୟ ସହ ଯୋଡ଼ିବା ନିମନ୍ତେ ଏହା ହେଉଛି ଖୁବ୍ ପ୍ରଶଂସନୀୟ ପ୍ରଚେଷ୍ଟା । ଏଥିପାଇଁ ମୁଁ ନାଳନ୍ଦା ବିଶ୍ୱବିଦ୍ୟାଳୟକୁ ଅନେକ ଅନେକ ଶୁଭେଚ୍ଛା ଜଣାଉଛି । ମୁଁ ଦେଶର ଅନ୍ୟ ବିଶ୍ୱବିଦ୍ୟାଳୟମାନଙ୍କୁ ଆହ୍ୱାନ କରୁଛି ଯେ ସେମାନେ ଏପରି ନୂତନ ପଦକ୍ଷେପ ସମ୍ପର୍କରେ ବିଚାର କରନ୍ତୁ ।
ବନ୍ଧୁଗଣ, ମୂଳ ସହ ଯୋଡ଼ିହୋଇ ଯୁବକମାନଙ୍କୁ ନୂଆ ପ୍ରଯୁକ୍ତିବିଦ୍ୟା ପାଇଁ ପ୍ରସ୍ତୁତ କରିବା ନିମନ୍ତେ ଏକ ସୁନ୍ଦର ପ୍ରୟାସ ଜାରି ରହିଛି । ଦିଲ୍ଲୀରେ ଅବସ୍ଥିତ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ, କୃତ୍ରିମ ବୁଦ୍ଧିମତ୍ତା ଓ ଡାଟା ସାଇନ୍ସରେ ବି.ଟେକ୍ ପ୍ରୋଗ୍ରାମ୍ ଆରମ୍ଭ କରିବାକୁ ଯାଉଛି । ଏହା ଆଧୁନିକ ପ୍ରଯୁକ୍ତିବିଦ୍ୟାକୁ ଭାରତୀୟ ପାରମ୍ପରିକ ଜ୍ଞାନ ସହ ଯୋଡ଼ିବା ଦିଗରେ ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ । ଏହାଦ୍ୱାରା ଭାରତୀୟ ଭାଷାମାନଙ୍କ ପାଇଁ ଏକ ନୂଆ ଏଆଇ ଟୁଲ୍ସ ପ୍ରସ୍ତୁତ କରିବା କ୍ଷେତ୍ରରେ ସହାୟତା ମିଳିବ । ଆମର ପ୍ରାଚୀନ ଗ୍ରନ୍ଥ ଓ ପାଣ୍ଡୁଲିପିମାନଙ୍କୁ ଡିଜିଟାଲ ରୂପେ ସଂରକ୍ଷିତ କରିବାର କାମ ମଧ୍ୟ ତ୍ୱରିତ ହେବ । ମୁଁ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟକୁ ଏହି ପ୍ରଚେଷ୍ଟା ପାଇଁ ଅନେକ ଅନେକ ଶୁଭକାମନା ଜଣାଉଛି ।
ବନ୍ଧୁଗଣ, ଆଜି ଭାରତୀୟ ସଂସ୍କୃତି ବିଶ୍ୱର ଭିନ୍ନ ଭିନ୍ନ ଭାଗରେ ପହଞ୍ଚିବାରେ ଲାଗିଛି । ଆମ ଗୀତ, ସଙ୍ଗୀତ ଓ ଆଧ୍ୟାତ୍ମିକତାକୁ ସମଗ୍ର ବିଶ୍ୱର ଲୋକମାନେ ଜାଣୁଛନ୍ତି ଆଉ ଆପଣାଉଛନ୍ତି । ଭାରତଠାରୁ ହଜାର ହଜାର କିଲୋମିଟର ଦୂରରେ କାରବିୟାନ ସାଗରରେ ଡୋମିନିକାନ୍ ଗଣରାଜ୍ୟ ନାମରେ ଏକ ଦେଶ ଅଛି । ସେଠାରେ ଭାରତୀୟଙ୍କ ସଂଖ୍ୟା ପାଖାପାଖି ୧୦୦, ବୋଧହୁଏ ତା’ଠାରୁ ବି କମ୍ ହେବ । ଏହାପରେ ବି ଭାରତୀୟ ସଂସ୍କୃତି ଓ ଆଧ୍ୟାତ୍ମିକତା ସହ ଜଡ଼ିତ ଏକ ସୁନ୍ଦର ପ୍ରଚେଷ୍ଟା ସେଠାରେ ହେଉଛି । ସେଠାରେ ସ୍ପାନିସ୍ କହୁଥିବା କିଛି ଲୋକ ଏକ ଟିମ୍ ତିଆରି କରିଛନ୍ତି । ଏହି ଟିମର ନାଁ ହେଉଛି ‘ବ୍ରହ୍ମକମଳ ଡୋମିନିକାନା’ । ଟିମର ସଦସ୍ୟ ସମ୍ମିଳିତ ଭାବେ ବୈଦିକ ସାହିତ୍ୟର ଅଧ୍ୟୟନ କରନ୍ତି । ସେମାନେ ବୈଦିକ ମନ୍ତ୍ରର ଉଚ୍ଚାରଣ ମଧ୍ୟ ଶିଖୁଛନ୍ତି । ଏଥିପାଇଁ ସେମାନଙ୍କୁ କୌଣସି ଔପଚାରିକ ପ୍ରଶିକ୍ଷଣ ଦିଆଯାଇନାହିଁ । କିନ୍ତୁ ସେମାନେ ଅଡିଓ ରେକର୍ଡିଂ ଶୁଣିଶୁଣି ବୈଦିକ ମନ୍ତ୍ରର ସଠିକ୍ ଉଚ୍ଚାରଣ ଶିଖିଛନ୍ତି । ଆଜି ସେମାନେ ଅନେକ ମନ୍ତ୍ରକୁ ଖୁବ୍ ସୁନ୍ଦର ଭାବେ ଜପିପାରୁଛନ୍ତି । ଏଥିମଧ୍ୟରେ ପୁରୁଷ ସୂକ୍ତମ୍, ଶ୍ରୀ ସୂକ୍ତମ୍, ଶ୍ରୀରୁଦ୍ରମ୍, ଦୁର୍ଗା ସୂକ୍ତମ୍ ଓ ଦେବୀ ମହାତ୍ମୟମ୍ ଆଦି ରହିଛି । ଭାରତଠାରୁ ଏତେ ଦୂରରେ ରହି ଆମ ପରମ୍ପରାକୁ ଶିଖିବା ନିମନ୍ତେ ସେମାନଙ୍କର ଏହି ପ୍ରୟାସ ଖୁବ୍ ପ୍ରେରଣାଦାୟୀ । ମୁଁ ‘ବ୍ରହ୍ମକମଳ ଡୋମିନିକାନା’ର ସମସ୍ତ ସଦସ୍ୟମାନଙ୍କୁ ସେମାନଙ୍କର ପ୍ରଚେଷ୍ଟା ପାଇଁ ଶୁଭକାମନା ଜଣାଉଛି । ମୁଁ ହୃଦୟରୁ ଏପରି ଲୋକମାନଙ୍କୁ ପ୍ରଶଂସା କରୁଛି ଯେଉଁମାନେ ଭାରତୀୟ ସଂସ୍କୃତିକୁ ସାରା ବିଶ୍ୱରେ ଲୋକପ୍ରିୟ କରିବା ନିମନ୍ତେ ନିରନ୍ତର ପ୍ରଚେଷ୍ଟା କରିଆସୁଛନ୍ତି ।
ମୋର ପ୍ରିୟ ଦେଶବାସୀଗଣ, ବାଦଲ ଓ ତା’ର ମନମୋହକ ଦୃଶ୍ୟ ହିଁ ମେଘାଳୟର ପରିଚୟ । ଯିଏ ମେଘାଳୟ ଯାଆନ୍ତି, ତାଙ୍କୁ ସେଠାକାର ଲୋକମାନଙ୍କର ଆପଣାପଣ ମଧ୍ୟ ଦୀର୍ଘଦିନ ପର୍ଯ୍ୟନ୍ତ ମନେରହେ । କିନ୍ତୁ ମେଘାଳୟର ଆହୁରି ଗୋଟିଏ ବିଶେଷତ୍ୱ ଅଛି ଯାହା ଆଜି ମୁଁ ‘ମନ୍ କି ବାତ୍’ରେ ଆପଣମାନଙ୍କୁ ଜଣାଇବାକୁ ଚାହେଁ । ସେ ହେଲା ମେଘାଳୟର ରୁଟ୍ ବ୍ରିଜ୍ । ରାସ୍ତାକୁ ବୁଝାଉଥିବା ପଥ ନୁହେଁ, ମୂଳ ବା ଚେରକୁ ବୁଝାଉଥିବା ମୂଳ କଥା କହୁଛି । ଏହି ରୁଟ୍ ବ୍ରିଜ୍ ଗୁଡ଼ିକ ଅତ୍ୟନ୍ତ ମନୋମୁଗ୍ଧକର । ଏହି ବ୍ରିଜଗୁଡ଼ିକ କେତୋଟି ଦିନ ବା କେତୋଟି ବର୍ଷରେ ତିଆରି ହୋଇନଥାଏ । ଏଗୁଡ଼ିକ ତିଆରି ହେବାପାଇଁ ଦଶନ୍ଧି ଦଶନ୍ଧି ଲାଗିଥାଏ । ରବର ଗଛର ମୂଳ ବା ଚେରକୁ ଧିରେ ଧିରେ ବାଟ କଢ଼େଇ ଗୋଟିଏ ଦିଗକୁ ମଡ଼େଇ ଦିଆଯାଏ । ଏଇ ଚେରଗୁଡ଼ିକୁ ଜଳଧାରାର ଆରପାରିକୁ ନେଇ ନିଆଯାଏ । ସମୟାନ୍ତରରେ ସେହି ଚେରଗୁଡ଼ିକ ଗୋଟିଏ ଗୋଟିଏ ମଜଭୁତ୍ ବ୍ରିଜର ରୂପ ଧାରଣ କରନ୍ତି । ଏହି ବ୍ରିଜଗୁଡ଼ିକର ଆଉ ଗୋଟିଏ ବିଶେଷତ୍ୱ ହେଲା ଏଗୁଡ଼ିକ ଜୀବିତ ବ୍ରିଜ୍ । ସମୟ ବିତିବା ସଙ୍ଗେ ଏଗୁଡ଼ିକ ଆହୁରି ମଜଭୁତ୍ ହୋଇଥାଆନ୍ତି । ଏଥିରେ ମେଘାଳୟର ଲୋକମାନଙ୍କର ସୃଜନଶୀଳତା ମଧ୍ୟ ଦେଖାଯାଏ । ଏହା ଲୋକମାନଙ୍କର ବର୍ଷ ବର୍ଷର ଧୈର୍ଯ୍ୟ ଏବଂ ପ୍ରକୃତି ପ୍ରତି ଗଭୀର ସମ୍ମାନର ଉଦାହରଣ । ମନୁଷ୍ୟ ପ୍ରକୃତି ସହିତ ମିଶି କେତେ ଅଦ୍ଭୁତ ବସ୍ତୁ ତିଆରି କରିପାରେ ଏହି ବ୍ରିଜଗୁଡ଼ିକ ତା’ର ନିଦର୍ଶନ । ଏଗୁଡ଼ିକ ଆମ ଦେଶର, ଆମ ପୃଥିବୀର ଐତିହ୍ୟ ଅଟନ୍ତି । ଏବେ ଭାରତ ମେଘାଳୟର ଏହି ରୁଟ୍ ବ୍ରିଜଗୁଡ଼ିକୁ ୟୁନେସ୍କୋ ବିଶ୍ୱ ଐତିହ୍ୟ ସ୍ଥଳ ନେଟୱାର୍କରେ ସାମିଲ କରାଇବା ପାଇଁ ଆବେଦନ କରିଛି ।
ବନ୍ଧୁଗଣ ଜଳବାୟୁ ପରିବର୍ତ୍ତନ କାରଣରୁ ଏହି ରୁଟ୍ ବ୍ରିଜଗୁଡ଼ିକ ଏବେ କେତେକ ଆହ୍ୱାନର ସମ୍ମୁଖୀନ ହୋଇଛନ୍ତି । ଏଭଳି ସମୟରେ ମେଘାଳୟର ଲୋକମାନେ ଏହି ପ୍ରାକୃତିକ ଐତିହ୍ୟର ସଂରକ୍ଷଣର ଦାୟିତ୍ୱ ସୁନ୍ଦର ଭାବରେ ତୁଲାଇଛନ୍ତି । ଏହି ରୁଟ୍ ବ୍ରିଜଗୁଡ଼ିକର ସଂଖ୍ୟା କେତେ ପ୍ରଥମେ ତାହା ଜାଣିବା ସହଜ ନ ଥିଲା । ସ୍ଥାନୀୟ ଲୋକମାନେ ନିଜେ ଏଗୁଡ଼ିକର ଗଣତି ଆରମ୍ଭ କଲେ । ଏହାପରେ ସେଠାକାର ଜନସାଧାରଣ ଏହି ବ୍ରିଜଗୁଡ଼ିକର ସଂରକ୍ଷଣର ଦାୟିତ୍ୱ ବହନ କଲେ । ଆଜିକାଲି ସ୍ଥାନୀୟ ଲୋକମାନେ ୧୨୦ରୁ ଅଧିକ ରୁଟ୍ ବ୍ରିଜଗୁଡ଼ିକର ଯତ୍ନ ନେଉଛନ୍ତି । କେତେକ ଗୋଷ୍ଠୀ ପ୍ରତିବର୍ଷ ଏହି ବ୍ରିଜଗୁଡ଼ିକର ସ୍ଥିତି ସମ୍ପର୍କରେ ଯାଞ୍ଚ କରୁଛନ୍ତି । କେତେକ ଲୋକ ଆଖପାଖ ଅଞ୍ଚଳକୁ ମଜଭୁତ୍ କରିବା ପାଇଁ ନର୍ସରୀ ମଧ୍ୟ ତିଆରି କରିଛନ୍ତି । ଏହିଭଳି ଭାବରେ ଏହି ବ୍ରିଜଗୁଡ଼ିକର ସଂରକ୍ଷଣ ପାଇଁ ଗୋଟିଏ ଇକୋ-ସିଷ୍ଟମ ପ୍ରସ୍ତୁତ ହୋଇଯାଇଛି । ଆପଣ ଦେଖିଥିବେ ଏ ବର୍ଷ ହୈଲି ବାର୍ ଜୀଙ୍କୁ ପଦ୍ମ ପୁରସ୍କାର ଦ୍ୱାରା ସମ୍ମାନିତ କରାଯାଇଛି । ନିଜ ଜୀବନର ୫୦ରୁ ଅଧିକ ବର୍ଷ ଏହି ରୁଟ୍ ବ୍ରିଜଗୁଡ଼ିକର ଯତ୍ନନେବାରେ ବିନିଯୋଗ କରିଛନ୍ତି । ତାଙ୍କର ସମର୍ପଣ ଆମ ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ । ବନ୍ଧୁଗଣ, ଆପଣ ଯଦି କେବେ ଏହି ରୁଟ୍ ବ୍ରିଜଗୁଡ଼ିକରେ ଯାତ୍ରା କରିଛନ୍ତି ତ ତାହାର ଚିତ୍ର ସାମାଜିକ ଗଣମାଧ୍ୟମରେ ନିଶ୍ଚୟ ସେୟାର୍ କରନ୍ତୁ । ଆପଣଙ୍କ ଫଟୋ ଅନ୍ୟ ଲୋକମାନଙ୍କୁ ମଧ୍ୟ ମେଘାଳୟର ଏହି ନିଆରା ଐତିହ୍ୟ ବିଷୟରେ ଜାଣିବାକୁ ଉତ୍ସାହିତ କରିବ।
ମୋର ପ୍ରିୟ ଦେଶବାସୀଗଣ, ଆମେ ସମସ୍ତେ ଚାହୁଁ ଯେ ଆମ ଗାଁ ସଫାସୁତୁରା ହେଉ ଏବଂ ଆମ ସହର ସୁନ୍ଦର ଦେଖାଯାଉ । କିନ୍ତୁ ଆମେ ବୋଧହୁଏ କେତେବେଳେ ବି ଟିକେ ଅଟକିରହି ଭାବିନଥିବା, ଆମ ଆଖପାଖର ଏହି ଆବର୍ଜନାଗୁଡ଼ିକୁ କିଏ ସଫା କରୁଛି । ଅଧିକାଂଶ ଲୋକ ତ ଧରିନେଇଥାନ୍ତି ଯେ, ଏହା ଅନ୍ୟ କାହାର ଦାୟିତ୍ୱ, ଏବଂ ସେ ହିଁ ୟାକୁ ସଫା କରିବ । କିନ୍ତୁ ଆମ ଭିତରେ କିଛି ଏଭଳି ଲୋକ ଅଛନ୍ତି ଯେଉଁମାନେ ନିଜ ଚିନ୍ତାଧାରା ଦ୍ୱାରା ଆମକୁ ବହୁତ ପ୍ରଭାବିତ କରନ୍ତି । ମୋତେ ମଧ୍ୟପ୍ରଦେଶର ରାଜଗଡ଼ ଜିଲ୍ଲା ବ୍ୟାବ୍ରା’ର କିଛି ଭଉଣୀମାନଙ୍କ ବିଷୟରେ ଜାଣିବାକୁ ମିଳିଲା । ସେମାନେ ନିଜ ଆଖପାଖରେ ପଡ଼ିଥିବା ପ୍ଲାଷ୍ଟିକ ଆବର୍ଜନାଗୁଡ଼ିକୁ ସଫା କରିବାର ସଂକଳ୍ପ ନେଲେ । ସେମାନେ ଭାବିଲେ ନାହିଁ ଯେ ଆଉ କେହି ଆସି ଏଥିରେ ପରିବର୍ତ୍ତନ ଆଣିବ । ସେମାନେ ନିଜେ ସାରା ସହରରୁ ପ୍ଲାଷ୍ଟିକ ଆବର୍ଜନା ଏବଂ ଖାଲି ବୋତଲ ଏକାଠି କରିବା ଆରମ୍ଭ କଲେ । ଧିରେ ଧିରେ ଏହି ପ୍ରଚେଷ୍ଟା ବଢ଼ିଚାଲିଲା ଏବଂ ସେଥିରୁ ପ୍ଲାଷ୍ଟିକକୁ ପରିବେଶଗତ ଇଟାରେ ପରିଣତ କରାଗଲା । ଆଜିକାଲି ଏହି ପରିବେଶଗତ ଇଟା ଉପଯୋଗ ସାଧାରଣ ସ୍ଥାନଗୁଡ଼ିକର ସୌନ୍ଦର୍ଯ୍ୟକରଣ କାମରେ ଲଗାଯାଉଛି । ରାଜଗଡ଼ରେ ଗତ କିଛିମାସରେ ଶହ ଶହ କିଲୋ ପ୍ଲାଷ୍ଟିକକୁ ପୁନଃଚକ୍ର କରି ସେଗୁଡ଼ିକର ଉତ୍ତମ ଉପଯୋଗ କରାଯାଉଛି । ଅର୍ଥାତ୍ ଯେଉଁ ପ୍ଲାଷ୍ଟିକ ଆଗରୁ ସହରକୁ ପ୍ରଦୂଷଣ କରୁଥିଲା, ଆଜି ତାହା ଏହି ଭଉଣୀମାନଙ୍କ ପ୍ରୟାସ ଦ୍ୱାରା ସହରର ସୌନ୍ଦର୍ଯ୍ୟବର୍ଦ୍ଧନରେ ସହାୟକ ହୋଇପାରିଛି । ମୁଁ ବ୍ୟାବ୍ରା’ର ସମସ୍ତ ଭଉଣୀ ଏବଂ ଏହି ଅଭିଯାନରେ ଯୋଗ ଦେଇଥିବା ସାଥୀମାନଙ୍କୁ ଧନ୍ୟବାଦ ଜଣାଉଛି ।
ମୋର ପ୍ରିୟ ଦେଶବାସୀଗଣ, ଅନେକ ଲୋକ ମୋତେ ପତ୍ର ଲେଖି ଗୋଟିଏ ନିର୍ଦ୍ଦିଷ୍ଟ ବିଷୟରେ କହିବା ପାଇଁ ପରାମର୍ଶ ଦେଇଛନ୍ତି । ଏହି ବିଷୟଟି ‘ଗଣେଶ ଉତ୍ସବ’ ସହିତ ଜଡ଼ିତ । ଏମିତି ତ ଗଣେଶ ଉତ୍ସବ ପାଇଁ ଏବେ ଯଥେଷ୍ଟ ସମୟ ବାକି ଅଛି । କିନ୍ତୁ ଲୋକମାନେ ଅନୁରୋଧ କରିଛନ୍ତି ଯେ ସେ ବିଷୟରେ ଏବେ ହିଁ ଚର୍ଚ୍ଚା କରାଯିବା ଉଚିତ । ପ୍ରକୃତରେ ଗଣେଶଙ୍କ ମୂର୍ତ୍ତି ତିଆରିର କାମ ବହୁ ଆଗରୁ ଆରମ୍ଭ ହୋଇଥାଏ । ମୂର୍ତ୍ତି ତିଆରି କରିବା ଏବଂ ମୂର୍ତ୍ତି ବ୍ୟବସାୟ କରୁଥିବା ଲୋକମାନେ ଏବେଠାରୁ ସକ୍ରିୟ ହୋଇଉଠନ୍ତି । ତେଣୁ ମୋର ଆପଣ ସମସ୍ତଙ୍କୁ ଅନୁରୋଧ, ଆପଣମାନେ ଚେଷ୍ଟା କରନ୍ତୁ ଯେ ଆପଣଙ୍କ ଘର, ସୋସାଇଟି ଅଥବା ଆଖପାଖ ଜାଗାରେ ଗଣପତି ବପ୍ପାଙ୍କର ଯେଉଁ ମୂର୍ତ୍ତି ସ୍ଥାପିତ ହେବ ତାହା ଆମ ଦେଶର ମାଟିରେ ତିଆରି ହୋଇଥିବ, ତାହା ଆମ ନିଜ କୁମ୍ଭାର ଏବଂ ସ୍ଥାନୀୟ କଳାକାରମାନଙ୍କ ହାତରେ ତିଆରି ହୋଇଥିବ । ଯେଉଁ ଲୋକମାନେ ଗଣେଶଙ୍କ ମୂର୍ତ୍ତି ତିଆରି କରୁଛନ୍ତି ସେମାନଙ୍କୁ ମଧ୍ୟ ମୋର ଅନୁରୋଧ ଯେ, ସେମାନେ ମାଟିର ମୂର୍ତ୍ତିକୁ ପ୍ରାଥମିକତା ଦିଅନ୍ତୁ । ଆଉ ଯେଉଁ ଲୋକମାନେ ମୂର୍ତ୍ତି କିଣୁଛନ୍ତି ସେମାନେ ମଧ୍ୟ ନିଶ୍ଚିତ ଦେଖନ୍ତୁ ଯେ, ଗଣପତି ବପ୍ପାଙ୍କ ମୂର୍ତ୍ତି କେଉଁଥିରେ ତିଆରି ହୋଇଛି ଏବଂ କେଉଁ ଦେଶରେ ତିଆରି ହୋଇଛି? ପ୍ଲାଷ୍ଟର ଅଫ୍ ପ୍ୟାରିସରେ ତିଆରି ହୋଇଥିବା ମୂର୍ତ୍ତିଗୁଡ଼ିକୁ ଆଦୌ କିଣନ୍ତୁ ନାହିଁ । ବନ୍ଧୁଗଣ, ମାଟିର ମୂର୍ତ୍ତିଗୁଡ଼ିକ ପୂଜା ସରିବା ପରେ ସହଜ ଭାବରେ ପାଣିରେ ବିଲୀନ ହୋଇଯାଇଥାଏ । ଏହାଦ୍ୱାରା ଆମ ନଦୀ, ପୋଖରୀ ଏବଂ ପରିବେଶର ସୁରକ୍ଷା ହୋଇଥାଏ । ଆମ ଆସ୍ଥା ମଧ୍ୟ ବଂଚିରହିଥାଏ ଏବଂ ପ୍ରକୃତି ପ୍ରତି ଆମର ଦାୟିତ୍ୱ ମଧ୍ୟ ପୂର୍ଣ୍ଣ ହୋଇଥାଏ । ଯେତେବେଳେ ଆମେ ସ୍ଥାନୀୟ କାରିଗରମାନଙ୍କଠାରୁ ମୂର୍ତ୍ତି କିଣୁ, ଆମେ “ଭୋକାଲ ଫର ଲୋକାଲ”ର ସଂକଳ୍ପକୁ ମଧ୍ୟ ଦୃଢ଼ କରିଥାଉ । ମୋର ବିଶ୍ୱାସ ଯେ, ଏଥର ଗଣେଶ ଉତ୍ସବରେ ଏବଂ ଏହିଭଳି ପ୍ରତ୍ୟେକ ଉତ୍ସବରେ ଆମେ ଏ ସମସ୍ତ କଥା ଉପରେ ନିଶ୍ଚୟ ଗମ୍ଭୀରତାର ସହିତ ଚିନ୍ତା କରିବା ଏବଂ ଦେଶ ହିତରେ ପଦକ୍ଷେପ ନେବା ।
ବନ୍ଧୁଗଣ, ଆମ ଦେଶରେ ସବୁଠାରୁ ବଡ଼ ଶକ୍ତି ହେଉଛନ୍ତି ଆମ ଦେଶର ଜନସାଧାରଣ । ଦେଶର ଭିନ୍ନ ଭିନ୍ନ ସ୍ଥାନରେ ହେଉଥିବା ଛୋଟ ବଡ଼ ପ୍ରଚେଷ୍ଟାଗୁଡ଼ିକରୁ ଆମକୁ ବହୁତ କିଛି ଶିଖିବାକୁ ମିଳେ । ଏହିଭଳି ପ୍ରୟାସ ଆମକୁ କହିଦିଏ ଯେ ଯେବେ ମନରେ ସଂକଳ୍ପ ଥାଏ ଏବଂ ସମାଜର ସହଯୋଗ ମିଳେ ତେବେ କୌଣସି ବି ବଡ଼ ପରିବର୍ତ୍ତନ ଅଣାଯାଇପାରେ । ଆପଣଙ୍କ ଆଖପାଖରେ ହେଉଥିବା ଏହିଭଳି ପ୍ରଚେଷ୍ଟାଗୁଡ଼ିକ ବିଷୟରେ ଆପଣମାନେ ମୋ ପାଖକୁ ନିଶ୍ଚୟ ଲେଖନ୍ତୁ । ଆପଣଙ୍କର ବିଚାର ଏବଂ ପରାମର୍ଶ ପଠାଇଚାଲନ୍ତୁ, ହୋଇପାରେ ଆପଣଙ୍କ ଆଖପାଖର ଗୋଟିଏ ଛୋଟିଆ ପ୍ରୟାସ ସାରାଦେଶ ପାଇଁ ପ୍ରେରଣା ହୋଇପାରିବ । ଆସନ୍ତା ମାସରେ ଆମେ ପୁଣି ଭେଟିବା । ଦେଶବାସୀମାନଙ୍କ ପାଇଁ କିଛି ନୂତନ ପ୍ରୟାସର ଚର୍ଚ୍ଚା କରିବା ସେପର୍ଯ୍ୟନ୍ତ ଆପଣ ନିଜର ଏବଂ ନିଜର ପରିବାରର ଧ୍ୟାନ ରଖନ୍ତୁ । ଆଉ ହଁ ଜଳ ସଞ୍ଚୟ ତ କରିବା ହିଁ କରିବା । ବର୍ଷାପାଣିର ଗୋଟିଏ ଗୋଟିଏ ବିନ୍ଦୁକୁ ଆମକୁ ସଞ୍ଚୟ କରିବାକୁ ପଡ଼ିବ । ‘କ୍ୟାଚ୍ ଦି ରେନ୍’ ଅଭିଯାନକୁ ସାମାନ୍ୟ ମନ୍ଥର ହେବାକୁ ଦେବାନାହିଁ । ମୋର ଅନୁରୋଧ ବର୍ଷାର ବିନ୍ଦୁ ବିନ୍ଦୁ ଜଳ, ଆମେ ମିଳିମିଶି ସଞ୍ଚିବା । ବହୁତ ବହୁତ ଧନ୍ୟବାଦ । ନମସ୍କାର ।
************
#MannKiBaat has begun. Do hear! https://t.co/KxXEVbfnmI
— PMO India (@PMOIndia) June 28, 2026
This month, India has witnessed several achievements that make every citizen proud. These achievements have further strengthened India's journey towards self-reliance.#MannKiBaat pic.twitter.com/CkEa0CiFJP
— PMO India (@PMOIndia) June 28, 2026
International Day of Yoga once again united people across the world.
— PMO India (@PMOIndia) June 28, 2026
India's outstanding performance at the World Yogasana Championship made the occasion even more special.#MannKiBaat pic.twitter.com/mXUX9W5Bv4
A thoughtful gesture by a family in Maharashtra...#MannKiBaat pic.twitter.com/1uZiS2eOrC
— PMO India (@PMOIndia) June 28, 2026
Affordable social security schemes are providing families across India with financial protection and support during times of need.#MannKiBaat pic.twitter.com/2KXB40ITwN
— PMO India (@PMOIndia) June 28, 2026
An inspiring community-led movement in Assam has shown how awareness and collective effort can transform mindsets and protect nature.#MannKiBaat pic.twitter.com/6aIkb7Clpu
— PMO India (@PMOIndia) June 28, 2026
Grassroots sporting initiatives are empowering young talent... Here are two commendable efforts from Nagaland.#MannKiBaat pic.twitter.com/2F25YC5sQW
— PMO India (@PMOIndia) June 28, 2026
Nalanda University is making a commendable effort to connect India's ancient tradition of 'Shaastraarth' with the needs of the modern world.#MannKiBaat pic.twitter.com/1Sibd2DDSI
— PMO India (@PMOIndia) June 28, 2026
A noteworthy initiative by the Central Sanskrit University...#MannKiBaat pic.twitter.com/fzcMD7sOiL
— PMO India (@PMOIndia) June 28, 2026
A remarkable initiative in the Dominican Republic reflects the growing global appeal of India's culture and traditions.#MannKiBaat pic.twitter.com/if4tZ3YWkX
— PMO India (@PMOIndia) June 28, 2026
Meghalaya's root bridges are a remarkable example of harmony between people and nature. #MannKiBaat pic.twitter.com/bpvT4lR3rG
— PMO India (@PMOIndia) June 28, 2026
An inspiring initiative by women in Madhya Pradesh is transforming plastic waste into eco-bricks. #MannKiBaat pic.twitter.com/w7RmFnq4Xe
— PMO India (@PMOIndia) June 28, 2026
This Ganesh Utsav, let us choose eco-friendly clay idols crafted by local artisans.#MannKiBaat pic.twitter.com/ct7pYNrER6
— PMO India (@PMOIndia) June 28, 2026