ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଆଜି ମହାକାଶ ଗତିବିଧିର ସମସ୍ତ କ୍ଷେତ୍ରରେ ଘରୋଇ କ୍ଷେତ୍ରର ଭାଗିଦାରୀକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଦୂରଦର୍ଶୀ ସଂସ୍କାରମୂଳକ ପଦକ୍ଷେପକୁ ମଞ୍ଜୁରି ଦେଇଛନ୍ତି। ଏହି କ୍ଷେତ୍ରରେ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିବା ସହିତ ପ୍ରଯୁକ୍ତି କ୍ଷେତ୍ରରେ ସମୃଦ୍ଧ ତଥା ଆତ୍ମନିର୍ଭର ଭାରତ ନିର୍ମାଣ ଲାଗି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘକାଳୀନ ଦୃଷ୍ଟିକୋଣ ଅନୁରୂପ ଏହି ନିଷ୍ପତ୍ତି ନିଆଯାଇଛି।
ମହାକାଶ କ୍ଷେତ୍ରରେ ଉନ୍ନତ କ୍ଷମତାସମ୍ପନ୍ନ ହାତଗଣତି ରାଷ୍ଟ୍ର ମଧ୍ୟରେ ଭାରତ ସାମିଲ। ଏହି ସଂସ୍କାର ଫଳରେ ମହାକାଶ କ୍ଷେତ୍ରକୁ ନୂତନ ଶକ୍ତି ଏବଂ ଗତିଶୀଳତା ପ୍ରାପ୍ତ ହେବ, ଯାହାଦ୍ବାରା ଦେଶକୁ ମହାକାଶ ଗତିବିଧିର ପରିବର୍ତ୍ତୀ ପର୍ଯ୍ୟାୟରେ ଦ୍ରୁତଗତିରେ ଆଗେଇ ଯିବାର ସହାୟତା ମିଳିବ।
କେବଳ ଏହି କ୍ଷେତ୍ରରେ ବିକାଶ ହେବ ନାହିଁ ବରଂ ଭାରତୀୟ ଉଦ୍ୟୋଗ ବିଶ୍ବର ମହାକାଶ ଅର୍ଥବ୍ୟବସ୍ଥାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିପାରିବେ। ପ୍ରଯୁକ୍ତି କ୍ଷେତ୍ରରେ ବ୍ୟାପକ ନିଯୁକ୍ତି ସୁଯୋଗର ସମ୍ଭାବନା ସୃଷ୍ଟି ହେବା ସହିତ ଭାରତ ଏକ ବୈଶ୍ବିକ ପ୍ରଯୁକ୍ତି ଶକ୍ତିକେନ୍ଦ୍ରରେ ପରିଣତ ହେବ।
ପ୍ରମୁଖ ଲାଭ:
ପ୍ରଯୁକ୍ତି ବିକାଶ ତଥା ଶିଳ୍ପ ଆଧାର ସମ୍ପ୍ରସାରଣ କ୍ଷେତ୍ରରେ ମହାକାଶ କ୍ଷେତ୍ର ଏକ ପ୍ରମୁଖ ଭୂମିକା ନିର୍ବାହ କରିପାରିବ। ପ୍ରସ୍ତାବିତ ସଂସ୍କାର ବଳରେ ମହାକାଶ ସମ୍ପତ୍ତି, ଡାଟା ଏବଂ ଉନ୍ନତ ସୁବିଧା ଉପଲବ୍ଧତାର ମାଧ୍ୟମ ମିଳିବ। ମହାକାଶ ପରିସମ୍ପତ୍ତି ଓ ଗତିବିଧିରେ ସାମାଜିକ-ଆର୍ଥିକ ଉପଯୋଗକୁ ମଧ୍ୟ ପ୍ରୋତ୍ସାହନ ମିଳିପାରିବ।
ନବଗଠିତ ଭାରତୀୟ ରାଷ୍ଟ୍ରୀୟ ମହାକାଶ ସମ୍ବର୍ଦ୍ଧନ ତଥା ପ୍ରାମାଣୀକରଣ କେନ୍ଦ୍ର (ଇନ-ସ୍ପେସ) ଭାରତୀୟ ମହାକାଶ ଭିତ୍ତିଭୂମିର ଉପଯୋଗ କରିବା ନିମନ୍ତେ ଘରୋଇ କ୍ଷେତ୍ରର କମ୍ପାନୀଗୁଡ଼ିକ ଲାଗି ସମାନ ସୁଯୋଗ ଉପଲବ୍ଧ କରାଇବ। ଏହା ପ୍ରୋତ୍ସାହନମୂଳକ ନୀତି ତଥା ଅନୁକୂଳ ନିୟାମକ ବାତାବରଣ ଜରିଆରେ ମହାକାଶ ଗତିବିଧିରେ ଘରୋଇ କ୍ଷେତ୍ରକୁ ପ୍ରାରମ୍ଭିକ ସହାୟତା ଯୋଗାଇ ଦେବ, ସେମାନଙ୍କୁ ପ୍ରୋତ୍ସାହନ ତଥା ଦିଶା-ନିର୍ଦ୍ଦେଶ ପ୍ରଦାନ କରିବ।
ରାଷ୍ଟ୍ରାୟତ୍ତ କ୍ଷେତ୍ରର ଉପକ୍ରମ ‘ନ୍ୟୁ ସ୍ପେସ ଇଣ୍ଡିଆ ଲିମିଟେଡ’ ମହାକାଶ ଗତିବିଧିକୁ ଏକ ‘ଯୋଗାଣ ଆଧାରିତ’ ମଡେଲ ପରିବର୍ତ୍ତେ ‘ଚାହିଦା ଆଧାରିତ’ ମଡେଲ ଆଡ଼କୁ ରୂପାନ୍ତରିତ କରିବା ଲାଗି ପ୍ରୟାସ କରିବ ଯାହାଫଳରେ ଆମର ମହାକାଶ ସମ୍ପତ୍ତିର ସର୍ବୋତ୍ତମ ଉପଯୋଗ ସୁନିଶ୍ଚିତ ହୋଇପାରିବ।
ଏହି ସଂସ୍କାର ଇସ୍ରୋକୁ ଗବେଷଣା ଏବଂ ବିକାଶ ଗତିବିଧି, ନୂଆ ପ୍ରଯୁକ୍ତି, ଅନୁସନ୍ଧାନ ମିଶନ ତଥା ମାନବ ମହାକାଶ ଉଡ଼ାଣ କାର୍ଯ୍ୟକ୍ରମ ଉପରେ ଅଧିକ ଫୋକସ କରିବା ଲାଗି ସମର୍ଥ କରିବ। କେତେକ ଗ୍ରହ ସମ୍ବନ୍ଧୀୟ ସନ୍ଧାନ ମିଶନକୁ ମଧ୍ୟ ‘ଅବସର ଘୋଷଣା’ ବ୍ୟବସ୍ଥା ଜରିଆରେ ଘରୋଇ କ୍ଷେତ୍ର ପାଇଁ ଖୋଲାଯାଇପାରିବ।
**********
The reform trajectory continues.
— Narendra Modi (@narendramodi) June 24, 2020
The Union Cabinet’s approval to reforms in the space sector is yet another step towards making our nation self-reliant and technologically advanced. The reforms will boost private sector participation as well. https://t.co/oqYZFt3Pr4