ପିଏମଇଣ୍ଡିଆ
ଭାରତର ମହାକାଶ ଗବେଷଣା ସଂସ୍ଥା ‘ଇସ୍ରୋ’ ଏବଂ ଜାପାନ ମହାକାଶ ସନ୍ଧାନ ଏଜେନ୍ସୀ ‘ଜାକ୍ସା’ ମଧ୍ୟରେ ଟୋକିଓଠାରେ ନଭେମ୍ବର 11, 2016ରେ ଏକ ବୁଝାମଣା ସ୍ୱାକ୍ଷରିତ ହୋଇଛି । ମହାକାଶ ଗବେଷଣା କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ପାରସ୍ପରିକ ସହଯୋଗ ବୃଦ୍ଧି ଲାଗି ଏହି ବୁଝାମଣା କରାଯାଇଥିବା ବିଷୟ କେନ୍ଦ୍ର କ୍ୟାବିନେଟକୁ ଅବଗତ କରାଯାଇଛି । ଆଜି (18.01.2017) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟର ବୈଠକ ବସି ଏହି ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା ।
ଆନ୍ତର୍ଜାତିକ ସଂକଳ୍ପ ଓ ପ୍ରତିବଦ୍ଧତା ଆଧାରରେ ଦୁଇ ଦେଶ ମହାକାଶର ଶାନ୍ତିପୂର୍ଣ୍ଣ ଉପଯୋଗ ଲାଗି ପାରସ୍ପରିକ ସହଯୋଗମୂଳକ କାର୍ଯ୍ୟକ୍ରମ ଗ୍ରହଣ କରିବେ । ମହାକାଶ ଗବେଷଣା, ମହାକାଶ ବିଜ୍ଞାନ ତଥା ଏ ସଂକ୍ରାନ୍ତ ଜ୍ଞାନ କୌଶଳର ସଦୁପଯୋଗ ଲାଗି ଏମ୍ଓୟୁ ଆଧାରରେ ଭାରତ ଓ ଜାପାନ କାର୍ଯ୍ୟ କରିବେ । ବିଶେଷ କରି ପୃଥିବୀ ପର୍ଯ୍ୟବେକ୍ଷଣ କେନ୍ଦ୍ର, ଉପଗ୍ରହ ଯୋଗାଯୋଗ, ନେଭିଗେସନ, ଅନୁସନ୍ଧାନ, ମହାକାଶ ସଂଲଗ୍ନ ଶିଳ୍ପର ବିକାଶ କ୍ଷେତ୍ରରେ ଦୁଇ ଦେଶ ସହଯୋଗ କରିବେ । ମାନବ ସଭ୍ୟତାର ଉନ୍ନତି ଲାଗି ମହାକାଶ ବିଜ୍ଞାନ ଓ ତତସଂକ୍ରାନ୍ତ ଜ୍ଞାନକୌଶଳର ଶାନ୍ତିପୂର୍ଣ୍ଣ ଉପଯୋଗ ଲାଗି ଭାରତ ଓ ଜାପାନ ଏମଓୟୁ ଆଧାରରେ ମିଳିତ ପଦକ୍ଷେପମାନ ଗ୍ରହଣ କରିବେ ।