Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

“ମାଇ-ଗଭ”ର ଦୁଇବର୍ଷ ଅବସରରେ ଆୟୋଜିତ ଟାଉନ ହଲ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ମତବିନିମୟର ଉଦ୍ଧୃତାଂଶ

“ମାଇ-ଗଭ”ର ଦୁଇବର୍ଷ ଅବସରରେ ଆୟୋଜିତ ଟାଉନ ହଲ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ମତବିନିମୟର ଉଦ୍ଧୃତାଂଶ

“ମାଇ-ଗଭ”ର ଦୁଇବର୍ଷ ଅବସରରେ ଆୟୋଜିତ ଟାଉନ ହଲ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ମତବିନିମୟର ଉଦ୍ଧୃତାଂଶ


ତିନୋଟି ଭିନ୍ନ ଭିନ୍ନ ପ୍ରଶ୍ନ ଅଲଗା ଅଲଗା ରୂପରେ ଆସିଛି । ସର୍ବପ୍ରଥମେ ମୁଁ ମାଇ-ଗଭ ସହିତ ସକ୍ରିୟ ରୂପେ ସଂଯୁକ୍ତ ହୋଇଥିବାରୁ ଦେଶବାସୀଙ୍କୁ ଏବଂ ଆପଣ ସମସ୍ତଙ୍କୁ ଅନ୍ତରରୁ ଅନେକ ଅନେକ ଅଭିନନ୍ଦନ ଜଣାଉଛି, ଧନ୍ୟବାଦ ଜଣାଉଛି । ଆମ ଦେଶର ଗଣତନ୍ତ୍ରର ଗୋଟିଏ ସହଜ ଅର୍ଥ ହୋଇଯାଇଛି ଯେ, ଥରେ ଭୋଟ ଦେଇଦିଅ ଆଉ ତାପରେ ପାଞ୍ଚ ବର୍ଷ ପାଇଁ ତାଙ୍କୁ ଠିକା ଦେଇଦିଅ ଯେ ଏହା ତୁମକୁ ଦିଆଗଲା, ସବୁ ସମସ୍ୟାର ସମାଧାନ ତୁମର ଦାୟୀତ୍ୱ । ଆଉ ପାଞ୍ଚ ବର୍ଷରେ କିଛି ଉଣା ରହିଗଲେ ଆଉ ଥରେ ମତଦାନ କରି ଆଉ ଗୋଟିଏ ଠିକାଦାର ବାଛିନେଇ ତାଙ୍କୁ କହିବୁ ଯେ, ଦେଖ ସେ କଲେନାହିଁ ତମେ କରିଦିଅ । କେବଳ ଭୋଟ ଦେଇ ସରକାର ବାଛିବା – ଗଣତନ୍ତ୍ର ଏତିକିରେ ସୀମିତ ହୋଇିଯାଉଛି । ତେଣୁ ଗଣତନ୍ତ୍ରର ଭାବନା ଅଙ୍କୁରିତ ହୋଇ ପାରୁନାହିଁ । ତେଣୁ ଦଳୀୟ ଭାବନା ଏବଂ ଜନ ସହଭାଗିତା ଥିବା ଗଣତନ୍ତ୍ର ଭାରତ ଭଳି ବିଶାଳ ଦେଶ ପାଇଁ ଏକ ଆବଶ୍ୟକତା । ଟେକ୍ନୋଲୋଜି ଦ୍ୱାରା ଏହା ସହଜ ଏବଂ ସମ୍ଭବ ହୋଇପାରିଛି । ଆଜି ଯେଉଁ ସ୍ୱଚ୍ଛ ଭାରତ ଅଭିଯାନ ଚାଲିଛି, ତାହା ଜନ ସହଭାଗିତାର ଉତ୍ତମ ଉଦାହରଣ । ଲୋକେ ଆପେ ଆପେ ସଂଗଠିତ ହେଉଛନ୍ତି, ସଂଗଠନ ହୁଅନ୍ତୁ, ନେତା ହୁଅନ୍ତୁ, ସମସ୍ତେ କିଛି ନା କିଛି କରିବାର ଚେଷ୍ଟା କରୁଛନ୍ତି । ଆପଣ ପଚାରିଥିଲେ ଉତ୍ତମ ଶାସନ (ଗୁଡ ଗଭର୍ଣ୍ଣାନ୍ସ) ବା ଉତ୍ତମ ଶାସନ ସମ୍ପର୍କରେ । ଆମ ଦେଶରେ ଏହି ଧାରଣା ରହିଛି ଯେ, ଉତ୍ତମ ଶାସନ (ଗୁଡ ଗଭର୍ଣ୍ଣାନ୍ସ) ର ଅର୍ଥ ହେଲା ଖରାପ ରାଜନୀତି । ଏହା ଠିକ୍ । ପ୍ରାୟତଃ ରାଜନୀତିରେ ଥରେ ନିର୍ବାଚନରେ ବିଜୟ ହାସଲ କଲେ ସରକାରଙ୍କ ଦୃଷ୍ଟି କେବଳ ଏଥିରେ କେନ୍ଦ୍ରିତ ହୋଇ ରହେ ଯେ ପରବର୍ତ୍ତୀ ନିର୍ବାଚନରେ କେମିତି ବିଜୟ ହାସଲ କରି ହେବ । ତେଣୁ ତାଙ୍କର ଯୋଜନାମାନଙ୍କରେ ନିଜ ପ୍ରତି ସମର୍ଥନ ଯୁଟାଇବା, ଅଧିକ ଭୋଟ ପାଇବାର ଉପାୟ ଖୋଜିବା ଦିଗରେ ପ୍ରାଥମିକତା ରହିଥାଏ ଯାହା ଫଳରେ କିଛି ବାଟ ଯିବା ପରେ ପ୍ରକୃତ ଉଦ୍ଦେଶ୍ୟ ବାଧା ପ୍ରାପ୍ତ ହୁଏ ।

ଆପଣ ଯାହା ଚିନ୍ତା କଲେ, ବୁଝିଲେ, ନିଷ୍ପତ୍ତି କଲେ, ପୁଞ୍ଜିନିବେଶ କଲେ ତାହା ଯଦି ଏହାର ପ୍ରକୃତ ହିତାଧିକାରି ପାଖକୁ ପହଞ୍ଚୁ ନାହିଁ, ଆପଣ ଯେଉଁ ଯୋଜନା ପ୍ରସ୍ତୁତ କଲେ ସେହି ଯୋଜନାର ଯଦି ଲାଭ ମିଳୁ ନାହିଁ ତେବେ କିଛି ଦିନ ପାଇଁ ହୁଏତ ଆପଣ ପ୍ରଶଂସାର ପାତ୍ର ହୋଇପାରନ୍ତି । ସରକାର ଭଲ ନିଷ୍ପତ୍ତ ଗ୍ରହଣ କରିଛନ୍ତି ବୋଲି ଚର୍ଚ୍ଚା ହୁଏ, ସମ୍ବାଦପତ୍ରମାନେ ଏହା ଉପରେ ସମ୍ପାଦକୀୟ ଲେଖା ପ୍ରକାଶ କରନ୍ତି । ଏହା ମୁଖ୍ୟ ଖବର ହୋଇଯାଏ । କିନ୍ତୁ ଆମେ ଉତ୍ତମ ଶାସନ (ଗୁଡ ଗଭର୍ଣ୍ଣାନ୍ସ) ବା ଉତ୍ତମ ଶାସନ ଉପରେ ଗୁରୁତ୍ୱ ନ ଦେଲେ ସାଧାରଣ ମଣିଷର ଜୀବନରେ କିଛି ପରିବର୍ତ୍ତନ ହେବ ନାହିଁ । ଧରି ନିଅନ୍ତୁ ସରକାରୀ ଅର୍ଥ ଖର୍ଚ୍ଚ ହୋଇ ଗୋଟିଏ ଖୁବ ଭଲ ଡାକ୍ତରଖାନା ପ୍ରତିଷ୍ଠା ହେଲା, ଗୋଟିଏ ବଢିଆ କୋଠାଘର ହୋଇଗଲା, ସର୍ବୋତ୍ତମ ଯନ୍ତ୍ରପାତି ଲାଗିଗଲା, ଟେକ୍ନୋଲୋଜି ଅଣାଗଲା କିନ୍ତୁ ଏସବୁ ଯଦି ସେଠାକୁ ଆସୁଥିବା ରୋଗୀର କାମରେ ଲାଗି ପାରୁ ନାହିଁ, ରୋଗୀଟିଏ ଯଦି ଏହାର ଲାଭ ପାଇ ପାରୁ ନାହିଁ, ତାକୁ ଯଦି ଏ ଦୁଆରରୁ ସେ ଦୁଆର ହେବାକୁ ପଡୁଛି, ସଙ୍କଟାପନ୍ନ ପରିସ୍ଥିତିରେ ରୋଗୀଟିଏ ଆସୁଛି, ହେଲେ ଦେଖିବାକୁ କେହି ନାହିଁ, ତେବେ ଏତେ ବିକାଶ ହେବା ପରେ ମଧ୍ୟ, ଏତେ ଭଲ ଡାକ୍ତରଖାନା ନିର୍ମାଣ କରି ସୁଦ୍ଧା, ଏତେ ଟଙ୍କା ବିନିଯୋଗ କରି ସୁଦ୍ଧା, ଏତେ ଭଲ ଡାକ୍ତରଖାନା ନିର୍ମାଣ କରିବା ପରେ ମଧ୍ୟ ଉତ୍ତମ ଶାସନ (ଉତ୍ତମ ଶାସନ (ଗୁଡ ଗଭର୍ଣ୍ଣାନ୍ସ))ର ଅଭାବ ଯୋଗୁ ଏହି କୋଟି କୋଟି ଟଙ୍କାର ବ୍ୟୟ ବ୍ୟର୍ଥ ହୁଏ । ତେଣୁ ବିକାଶ ଏବଂ ଉତ୍ତମ ଶାସନ (ଗୁଡ ଗଭର୍ଣ୍ଣାନ୍ସ) ମଧ୍ୟରେ ସନ୍ତୁଳିତ ସମ୍ପର୍କ ରହିବା ଉଚିତ, ତେବେ ଯାଇ ସାଧାରଣ ଲୋକଟିଏ ଲାଭ ପାଇବ। ଉତ୍ତମ ଶାସନ (ଗୁଡ ଗଭର୍ଣ୍ଣାନ୍ସ) ଆମ ଦେଶରେ ନ ଥବା ଦୁର୍ଭାଗ୍ୟର କଥା । କିଛି ଜନମତ ସୃଷ୍ଟିକାରୀ (ଓପିନିୟନ୍ ମେକର୍) କୌଣସି ପଞ୍ଚାୟତରେ କିଛି ଘଟଣା ଘଟିଲେ, ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ କରିବସନ୍ତି, ନଗର ପଞ୍ଚାୟତରେ କିଛି ଘଟିଲେ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ କରନ୍ତି, ଜିଲ୍ଲା ପରିଷଦରେ ଘଟଣା ଘଟିଲେ ପ୍ରଧାନମନ୍ତ୍ରୀଙ୍କୁ ପଚାରନ୍ତି, ପୌରପାଳିକାରେ ହେଲେ ମଧ୍ୟ ପ୍ରଧାନମନ୍ତ୍ରୀ ଦାୟୀ, ରାଜ୍ୟରେ ହେଲେ ବି ପ୍ରଧାନମନ୍ତ୍ରୀ ଉତ୍ତରଦାୟୀ । ରାଜନୀତି ଦୃଷ୍ଟିରୁ ତ ଏହା ଠିକ୍, TRP ଦୃଷ୍ଟିରୁ ମଧ୍ୟ ଏହା ଠିକ ହୋଇପାରେ । ପ୍ରଧାନମନ୍ତ୍ରୀକୁ ଅସୁବିଧା ହେଲେ ହେଉ ସେଥିରେ କିଛି ଭୁଲ ନାହିଁ କିନ୍ତୁ ଗଣତନ୍ତ୍ରକୁ କିଛି ଅସୁବିଧା ହେବା ଉଚିତ ନୁହେଁ ଆଉ ମୋ ଭଳିଆ ଲୋକଙ୍କୁ ବେଶୀ ହେବା ଉଚିତ । କିନ୍ତୁ ଏହାର କୁପରିଣାମ ହେଲା ଯେ, ପଞ୍ଚାୟତ ନିଜର ଦାୟୀତ୍ୱକୁ ହୃଦୟଙ୍ଗମ ହିଁ କରି ପାରୁନାହିଁ, ପୌରପାଳିକା ଭାବୁଛି ଯେ ଏହାର କୌଣସି ଦାୟୀତ୍ୱ ନାହିଁ, ମହାନଗର ନିଗମ ଭାବୁଛି ଯେ ତାଙ୍କର କୌଣସି ଦାୟୀତ୍ୱ ନାହିଁ , ରାଜ୍ୟ ଭାବୁଛନ୍ତି ତାଙ୍କର ନୁହେଁ, ଏହି ସବୁ କାରଣରୁ ଗଭର୍ଣ୍ଣରକୁ ଖୁବ କ୍ଷତି ହୁଏ। ଉତ୍ତମ ଶାସନ (ଗୁଡ ଗଭର୍ଣ୍ଣାନ୍ସ) ପାଇଁ ପ୍ରଥମ ଆବଶ୍ୟକତା ହେଲା ଯାହାର ଯାହା ଦାୟୀତ୍ୱ, ତାକୁ ସେ ବିଷୟରେ ପ୍ରଶ୍ନ କରାଯିବା ଉଚିତ – ଉପର ସ୍ତରରେ ନୁହେ କିମ୍ବା ତଳ ସ୍ତରରେ ନୁହେଁ, ଏପରି ହେଲେ ପରିସ୍ଥିତି ସୁଧୁରିବ। ତେଣୁ ଉତ୍ତମ ଶାସନ (ଗୁଡ ଗଭର୍ଣ୍ଣାନ୍ସ), ଜନ ସଚେତନତା ଏବଂ ଜନମତ ସୃଷ୍ଟିକାରୀ ନିହାତି ଆବଶ୍ୟକ । ଯାହାର ଦାୟୀତ୍ୱ ତାକୁ ଉତ୍ତରଦାୟୀ କରାଯିବା ଉଚିତ । ଉତ୍ତମ ଶାସନ (ଗୁଡ ଗଭର୍ଣ୍ଣାନ୍ସ) ସମ୍ପର୍କରେ ମୋର ମତ ହେଲା – ବେଳେ ବେଳେ ସମସ୍ୟାଗୁଡିକ ମୂଳରେ ସରକାର ନିଜେ ଥାଏ, ମୁଁ ଜାଣିଛି ଯେ ମୋର ଏହି କଥା କହିବା ଯୋଗୁ କଣ କଣ ହୋଇଛି । ସରକାର ଯେତିକି ଆଗକୁ ବଢେ, ଜନସାଧାରଣ ମଧ୍ୟ ସେତେ ସକ୍ଷମ ହୋଇଥାନ୍ତି । ରାଷ୍ଟ୍ର ଯାହା ଚାହେଁ ଜନତା ତାହା ଦେଇପାରେ । ସରକାର ସବୁ ଜାଗାରେ ବାଧା ଉପୁଜାଇବାର ଆବଶ୍ୟକତା ନାହିଁ । କିନ୍ତୁ ଇଂରେଜମାନଙ୍କ ଯୁଗରୁ ଏହି ଅଭ୍ୟାସ ପଡିଯାଇଛି । ଏହାକୁ ବଦଳାଇବା କଷ୍ଟକର ହେଲେ ମଧ୍ୟ ଉତ୍ତମ ଶାସନ (ଗୁଡ ଗଭର୍ଣ୍ଣାନ୍ସ) ପାଇଁ ଏହି ପରିବର୍ତ୍ତନ ଆବଶ୍ୟକ । ସରକାରମାନଙ୍କୁ ନିଜକୁ ପରିବର୍ତ୍ତିତ କରିବାକୁ ପଡିବ । ବାଧା ବିଘ୍ନ ସୃଷ୍ଟି କରି ଜନସାଧାରଣ ବାରମ୍ବାର ସରକାରୀ କାର୍ଯ୍ୟାଳୟକୁ ଦଉଡନ୍ତୁ, ଆମକୁ ହିସାବ ମାଗନ୍ତୁ ଏଭଳି ପରିସ୍ଥିତି କାହିଁକି ଯେ ସୃଷ୍ଟି ହେବ ? ଗୋଟିଏ ସହଜ କଥା – ଜେରକ୍ସ ଯୁଗ, ଟେକ୍ନୋଲୋଜି ଅଛି – ତଥାପି ଜଣକୁ ସାର୍ଟିଫିକେଟ ଆଟେଷ୍ଟ କରିବା ପାଇଁ ବାଧ୍ୟ କରାଯାଉଥିଲା – କର୍ପୋରେଟରର ଦସ୍ତଖତ ଆଣ, ଏମ.ଏଲ.ଏ ର ଦସ୍ତଖତ ଆଣ, ଏମ.ପି ର ଦସ୍ତଖତ ଆଣ, ତହସିଲଦାର ର ଦସ୍ତଖତ ଆଣ ଆଉ ସିଏ ବିଚରା ଦସ୍ତଖତ ପାଇଁ ଘୁରି ବୁଲୁଥିଲା । ଆମେ ନିଷ୍ପତ୍ତି କଲୁ ଯେ ଜନସାଧାରଣଙ୍କ ଉପରେ ବିଶ୍ୱାସ କରାଯାଉ । ଜେରକ୍ସ ମେସିନ ଅଛି, ସେ ଜେରକ୍ସ କରି ପଠାଇ ଦେଉଛି । ଯେବେ ଚାକିରି ମିଳିବ ସେତେବେଳେ ଅରିଜିନାଲ (ପ୍ରକୃତ) ସାର୍ଟିଫିକେଟ ଦେଖିନେବ, ମିଳାଇ ନେବ । ଉତ୍ତମ ଶାସନ (ଗୁଡ ଗଭର୍ଣ୍ଣାନ୍ସ)ରେ ପ୍ରକ୍ରିୟା କମ୍ ହେଉ, ନାଗରିକକୁ ଯେକୌଣସି ତଥ୍ୟ ସହଜରେ ମିଳୁ । ଏହି ପ୍ରଣାଳୀ ବିକଶିତ ହେବା ଉଚିତ ବୋଲି ଆମର ମତ । ଅବଶ୍ୟ ଭାରତ ସରକାର ନାଗରିକମାନଙ୍କ ଠାରୁ ଏତେ ଶୀଘ୍ର ଜବାବ ପାଆନ୍ତି ନାହିଁ, ଯେତେ ଶୀଘ୍ର ରାଜ୍ୟ ସରକାର ପାଆନ୍ତି କିମ୍ବା ମହାନଗର ନିଗମକୁ ଆସେ, ତଥାପି ଏବେ ଆମେ ଇଜ୍ ଅଫ ଡୁଇଙ୍ଗ ବିଜନେସ୍ ବା ସହଜ ବ୍ୟବସାୟ ପଦ୍ଧତି ଚଳାଇ ରାଜ୍ୟମାନଙ୍କ ମଧ୍ୟରେ ପ୍ରତିଯୋଗୀତା ସୃଷ୍ଟି କରି ଲାଇସେନ୍ସ ଆଦିର ଚକ୍କରକୁ ଟିକିଏ କମାଇବାକୁ ଅନୁରୋଧ କରିଛୁ । ସେମାନଙ୍କୁ ସମ୍ବେଦନଶୀଳ କରି ବୁଝାଇଲୁ । ଏବଂ ମୁଁ ଖୁସି ଯେ, ଦେଶର ଅନେକ ରାଜ୍ୟ ଯେଉଁମାନଙ୍କୁ ଆମେ ବିକଶିତ ବୋଲି ଗ୍ରହଣ କରୁ ନ ଥିଲୁ ସେମାନେ ପଦକ୍ଷେପ ଗ୍ରହଣ କଲେ, ଭଲ ରାଜ୍ୟମାନେ ମଧ୍ୟ ପଦକ୍ଷେପ ଗ୍ରହଣ କରି ଅନେକ ପ୍ରଣାଳୀକୁ ସଂକ୍ଷିପ୍ତ, ସହଜ ଏବଂ ଟେକ୍ନୋଲୋଜି ଆଧାରିତ କରିଦେଲେ ଯାହାଫଳରେ ଉତ୍ତମ ଶାସନ (ଗୁଡ ଗଭର୍ଣ୍ଣାନ୍ସ)ର ଅନୁଭୁତି ହେବାକୁ ଲାଗିଲା । ସାଧାରଣ ଲୋକର ଆବଶ୍ୟକତା, ଯେମିତିକି ଆମେ ଇନାମ୍ ନାମକ ଯୋଜନା ତିଆରି କରିଛୁ ଇ-ମଣ୍ଡି । ଚାଷୀ କେତେ ଟଙ୍କାରେ ତାର ମାଲ୍ ବିକ୍ରି କରିବ ତାହା ଅନ୍ୟ ଲୋକ ଠିକ୍ କରୁଥିଲେ କିନ୍ତୁ ଆଜି ସେ କେତେ ଟଙ୍କାରେ ତା ମାଲ୍ ବିକ୍ରି କରିବ, କେଉଁଠି ବିକ୍ରି କରିବ, ତାହା ଚାଷୀ ନିଜେ ଠିକ୍ କରୁଛି । ଏହା ଦ୍ୱାରା ଚାଷୀର ଲାଭ ହେବ ଯାହା ଉତ୍ତମ ଶାସନ (ଗୁଡ ଗଭର୍ଣ୍ଣାନ୍ସ)ର ଆବଶ୍ୟକତା । ଦ୍ୱିତୀୟ କଥା ଯାହା ଗଣତନ୍ତ୍ରର ସବୁଠାରୁ ବଡ ଶକ୍ତି ବୋଲି ମୁଁ ମନେକରେ ତାହା ହେଲା, ଅଭିଯୋଗ ସମାଧାନ ବ୍ୟବସ୍ଥା (ଗ୍ରିଭାନ୍ସ ରଡ୍ରେସାଲ ସିଷ୍ଟମ) । ସରକାର କଣ ଲୋକଙ୍କ କଥା ଶୁଣୁଛନ୍ତି ? ଯଦି ଶୁଣୁଛନ୍ତି ତେବେ କଣ ତା ଉପରେ ଦାୟୀତ୍ୱର ସହ କୌଣସି ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି ? ଏହା ଆମ ଉତ୍ତମ ଶାସନ (ଗୁଡ ଗଭର୍ଣ୍ଣାନ୍ସ)ର ଆବଶ୍ୟକତା, ଏବଂ ଏ ଦିଗରେ ଅନେକ କିଛି କରିବାକୁ ଅଛି । ଜଣେ ଅତି ସାମାନ୍ୟ ନାଗରିକର କଥା ମଧ୍ୟ ଶୁଣାଯିବାର ଉତ୍ତମ ବ୍ୟବସ୍ଥା ରହିଥିବା ଆବଶ୍ୟକ । ଉଚିତ ସମୟରେ ତାକୁ ତାର ଉତ୍ତର ମିଳିବା ଆବଶ୍ୟକ । ସେ ଯଦି ଅସୁବିଧାରେ ପଡିଛି, ତେବେ ତାର ହାତ ଧରି ସେଥିରୁ ତାକୁ ଉଦ୍ଧାର କରିବା ପାଇଁ ସରକାରୀ ବ୍ୟବସ୍ଥା ରହିଥିବା ଆବଶ୍ୟକ, ତାର କଣ୍ଠରୋଧ କରିବା ଆବଶ୍ୟକ ନୁହେଁ । ଉତ୍ତମ ଶାସନ (ଗୁଡ ଗଭର୍ଣ୍ଣାନ୍ସ) ଦୃଷ୍ଟିରୁ ଏ ଦିଗରେ ଆମେ ଚେଷ୍ଟା କରୁଛୁ । ମୁଁ ପ୍ରତି ମାସ ଗୋଟିଏ ବିକାଶର କାର୍ଯ୍ୟକ୍ରମ କରୁଛି । ସବୁ ରାଜ୍ୟର ସଚିବ, ମୁଖ୍ୟ ସଚିବମାନେ ଏହି ବୈଠକରେ ଅଂଶ ଗ୍ରହଣ କରନ୍ତି । ଜନସାଧାରଣଙ୍କ ଯେଉଁ କଥା ମୋ ପାଖକୁ ଆସେ, ତାହା ମୁଁ ସିଧା ସଳଖ ତାଙ୍କୁ ପଚାରିଥାଏ । ଗୋଟିଏ ପ୍ରସଙ୍ଗ ଉତ୍ଥାପିତ କରେ କିନ୍ତୁ ସମଗ୍ର ପ୍ରଣାଳୀକୁ ସମ୍ବୋଧିତ କରିଥାଏ । ଯଦି କେହି ପେନସନକୁ ନେଇ ଅଭିଯୋଗ କରିଛନ୍ତି, ତାହେଲେ ପେନସନ୍ ସମ୍ପର୍କିତ ସମସ୍ତ ପ୍ରସଙ୍ଗ ଉପରେ ଚାପ ପକାଇ ମୁଁ ତାହା କାହିଁକି ହୋଇପାରିନାହିଁ ବୋଲି ପ୍ରଶ୍ନ କରିଥାଏ, ନିର୍ଦ୍ଧାରିତ ସମୟ ମଧ୍ୟରେ କେମିତି ଶେଷ କରିବେ ? ଏମିତି ଉତ୍ତମ ଶାସନ (ଗୁଡ ଗଭର୍ଣ୍ଣାନ୍ସ) ପାଇଁ ଆମେ ପଦକ୍ଷେପ ଗ୍ରହଣ କରୁଛୁ ଏବଂ ମୋର ବିଶ୍ୱାସ ଯେ ଆମର ଅନେକ ସମସ୍ୟାର ସମାଧାନ ଉତ୍ତମ ଶାସନ (ଗୁଡ ଗଭର୍ଣ୍ଣାନ୍ସ) ଯୋଗୁ ହୋଇପାରିଛି । ଅନ୍ୟ ଏକ ପ୍ରଶ୍ନ ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ପଚାରିଥିଲେ । ତାଙ୍କର ପ୍ରଶ୍ନ ଥିଲା – ଭାରତ ଆଜି ବିଶ୍ୱରେ ସବୁଠାରୁ ଦୃତ ଗତିରେ ବୃଦ୍ଧି ପାଉଥିବା ଅର୍ଥବ୍ୟବସ୍ଥା । ଏ କଥା ସତ ଯେ, ବଡ ଦେଶମାନଙ୍କ ମଧ୍ୟରେ ଭାରତ ଆଜି ସବୁଠାରୁ ଦୃତ ଗତିରେ ଉନ୍ନତି କରୁଥିବା ଅର୍ଥବ୍ୟବସ୍ଥା । ଆମେ ଯେ କେବଳ ଉନ୍ନତି କରୁଛୁ ତାହା ନୁହେଁ, ଦୁଇଟି ଭୟଙ୍କର ମରୁଡି ପରିସ୍ଥିତି ମଧ୍ୟ ଦେଇ ଆମ ଦେଶ ଗତି କରିଛି । ଆମ ଦେଶରେ କୃଷି ଅର୍ଥବ୍ୟବସ୍ଥାର ବଡ ଭୂମିକା ରହିଛି । ସେଥିରେ ଯଦି ଲଗାତାର ଭାବେ ଦୁଇ ବର୍ଷ ମରୁଡି ପଡେ ତେବେ କେତେ ବଡ ସଙ୍କଟ ସୃଷ୍ଟି ହୋଇପାରେ ତାହା ଆମେ ବୁଝିପାରୁଛୁ । ସମଗ୍ର ବିଶ୍ୱରେ ମାନ୍ଦା ଅବସ୍ଥା ଜାରି ରହିଛି । ମାନ୍ଦା ପରିସ୍ଥିତି ଚାଲିଛି । ସାରା ବିଶ୍ୱର କ୍ରୟ ଶକ୍ତି ଖୁବ ହ୍ରାସ ପାଇଛି । ଯଦି ବିଶ୍ୱ ଅର୍ଥବ୍ୟବସ୍ଥାର ପରିସ୍ଥିତି ଏଭଳି ହୋଇଥାଏ, ଭାରତରେ କୃଷି କ୍ଷେତ୍ର ଉପରେ ଏତେ ବଡ ଚାପ ସୃଷ୍ଟି ହୋଇଥାଏ, ଏଭଳି ସଙ୍କଟଜନକ ପରିସ୍ଥିତିରେ 7.5% ଅଭିବୃଦ୍ଧି ହାର ହାସଲ କରି ପାରିବା ବଡ କଥା । ଶହେ ପଚିଶ କୋଟି ଦେଶବାସୀଙ୍କୁ ଅଭିନନ୍ଦନ ଜଣାଉଛି, ସେମାନଙ୍କୁ ପ୍ରଣାମ କରୁଛି । ଦେଶ ଆଜି ଯେଉଁ ଦୃତ ଗତିରେ ଆର୍ଥିକ ବିକାଶ କରୁଛି, ଏହା ସେମାନଙ୍କ ପରିଶ୍ରମର ଫଳ ।

ତେଣୁ ବର୍ତ୍ତମାନ ପ୍ରଶ୍ନ ହେଲା ଏହି ଆର୍ଥିକ ବିକାଶ ଯୋଗୁ କି ପରିବର୍ତ୍ତନ ହେଉଛି । ଆମେ ଜାଣିଛୁ, ଆମ ପରିବାରରେ ଯଦି ଜଣେ ଲୋକ ଉପାର୍ଜନ କରୁଛି ଏବଂ 20 ହଜାର ଟଙ୍କା ଆସୁଛି ତେବେ ଆମେ ପରିବାର କେମିତି ଚଳାଉଛୁ । ସେହି 20 ହଜାର ଟଙ୍କାରେ ଆମର ପ୍ରାଥମିକତା ସ୍ଥିର କରୁ ଯେ କେଉଁ ଖର୍ଚ୍ଚ ଆଗ ହେବ, କଣ ଆସିବ – କଣ ନ ଆସିବ, କଣ ଖାଇବୁ – କଣ ନ ଖାଇବୁ, ପରିବା ଆସିବ କି ନାହିଁ, କ୍ଷୀର ଆସିବ କି ନାହିଁ, ପିଲାଙ୍କ ପାଇଁ ନୂଆ ପୋଷାକ ଆଣିବା କି ନ ଆଣିବା ତାହା ଚିନ୍ତା କରୁ । କିନ୍ତୁ ପରିବାରର ଯଦି ଆଉ ଜଣେ ବ୍ୟକ୍ତି ରୋଜଗାର ପାଇଯାଏ, ଆଉ ସେ ଯଦି 10 ହଜାର ଟଙ୍କା ରୋଜଗାର କରିବା ଆରମ୍ଭ କରିଦିଏ ତାହେଲେ, ତୁରନ୍ତ ଆମର ଅର୍ଥବ୍ୟବସ୍ଥାର ପରିଚାଳନା ବଦଳିଯାଏ । ପରିବାର କଥା ଯେମିତି, ଦେଶ କଥା ବି ସେମିତ ।

ଯଦି ଦେଶର ଅର୍ଥକୋଷକୁ ଅଧିକ ଟଙ୍କା ଆସିଲେ ଅଧିକ ପ୍ରଗତିମୂଳକ କାର୍ଯ୍ୟ ହୁଏ, ଅଧିକ ପ୍ରଗତି ହେଲେ ଅଧିକ ଲୋକ ରୋଜଗାର ପାଆନ୍ତି, ଅଧିକ ଟଙ୍କା ଥିଲେ ଭଲ ରାସ୍ତା ତିଆରି ହୋଇପାରିବ, ଦୂର-ଦୂରାନ୍ତକୁ ହୋଇପାରିବ, ସଡକ ନିର୍ମାଣ କରୁଥିବା ଲୋକ କାମ ପାଇବେ, ଯିଏ ଆଗରୁ ଜୋତା କିଣୁ ନ ଥିଲା, ସେ ଏବେ ଜୋତା କିଣିପାରିବ, ଆଗରୁ ସେ ଓଳିଏ ଖାଉଥିଲା, ଏବେ ସେ ଦି-ଓଳି ଖାଇପାରିବ, ତା ପକେଟକୁ ପଇସା ଆସିଲେ ସେ ଖର୍ଚ୍ଚ କରିବ, ଖର୍ଚ୍ଚ କଲେ ସେ ଟଙ୍କା ପୁଣି ବଜାରକୁ ଫେରିବ ଯାହା ଅର୍ଥବ୍ୟବସ୍ଥାକୁ ଚଳାଇବ । ଏହା ଗୋଟିଏ ସାଧାରଣ କଥା, କିନ୍ତୁ ଏଥିପାଇଁ କୌଶଳ ଦରକାର, ତା ନ ହେଲେ ହୁଏନାହିଁ ।

କିଛି ନିୟମ, କିଛି ବ୍ୟବସ୍ଥା ଏ ସବୁ ଉପରେ ଗୁରୁତ୍ୱ ଦେବାକୁ ପଡେ । କିନ୍ତୁ ପ୍ରାକୃତିକ ସମ୍ବଳର ସର୍ବାଧିକ ଉପଯୋଗ (optimal utilisation of natural resources), ଆମ ପାଖରେ ଥିବା ପ୍ରାକୃତିକ ସମ୍ପଦର ଆମେ ଯେତେ ଅଧିକ ସଦୁପଯୋଗ କରିବା, ଆମ ଅର୍ଥବ୍ୟବସ୍ଥା ସେତେ ପ୍ରଗତି କରିବ । ଆମେ ମାନବ ସମ୍ବଳର ମଧ୍ୟ ସଦୁପଯୋଗ କରିପାରିବା । ଆମ ଯୁବଗୋଷ୍ଠୀର ସଂଖ୍ୟା 80 କୋଟି । ଏମାନଙ୍କ ବୟସ 35 ରୁ କମ । ଯୋଗ୍ୟତା ଭିତ୍ତିରେ ଆମେ ସେମାନଙ୍କୁ ଯୋଡିଚାଲିଲେ ଆମ ଅର୍ଥବ୍ୟବସ୍ଥାର ବିକାଶ ଘଟିବ ।

ଭାରତ ଭଳି ଦେଶ । ହଜାର ହଜାର ବର୍ଷ ପୁରୁଣା ଆମ ପରମ୍ପରା । ଆମେ ଯଦି ପର୍ଯ୍ୟଟନକୁ ସଫଳତାର ସହ ପ୍ରୋତ୍ସାହିତ କରିବା ଏବଂ ଯଦି ସମଗ୍ର ବିଶ୍ୱରୁ ପର୍ଯ୍ୟଟକମାନେ ଆସନ୍ତି, ତାହେଲେ ଆମର ସେହି ପରମ୍ପରା ଅର୍ଥବ୍ୟବସ୍ଥାରେ ବଦଳି ଯିବ। ତାହା ଆମ ଅର୍ଥବ୍ୟବସ୍ଥାକୁ ସମୃଦ୍ଧ କରିବ, ହୁଏତ ସେଥିପାଇଁ କେହି ଜଣେ ତାଜମହଲ ତିଆରିରେ ଟଙ୍କା ବିନିଯୋଗ କରିଥିଲେ ।

ଯଦି ସେତେବେଳେ ଖବରକାଗଜ ବାହାରୁ ଥିବ, ତାହେଲେ ସମ୍ପାଦକୀୟ ଲେଖା ପ୍ରକାଶ ପାଇଥିବ ଯେ, ଏଭଳି ଜଣେ ରାଜା ଅଛନ୍ତି, ଲୋକେ ଭୋକରେ ମରୁଛନ୍ତି ତେଣେ ତାଜମହଲ ତିଆରି ଚାଲିଛି । ସେ ସମୟରେ ଟିଭି ଚ୍ୟାନେଲ ଥିଲେ ହୁଏତ ପ୍ରଚାରିତ ହୋଇଥାଆନ୍ତା ଯେ ଶ୍ରମିକମାନଙ୍କ ଅବସ୍ଥା କିଭଳି ଅଛି, କେମିତି ଚାଲିଛି ଏସବୁ । କିନ୍ତୁ ସେହି ତାଜମହଲ ଆଜି ଲକ୍ଷ ଲକ୍ଷ ଲୋକଙ୍କ ରୋଜଗାରର ପନ୍ଥା ସାଜିଛି । ତେଣୁ କେଉଁ କଥାକୁ କିଭଳି ବ୍ୟବହାର କରୁଛୁ ତାହାରି ଉପରେ ନିର୍ଭର କରିବ ଯେ ଆମେ କିଭଳି ଆମ ଅର୍ଥବ୍ୟବସ୍ଥାକୁ ଚଳାଇ ପାରିବା । ଏହା ଦେଶ ପାଇଁ ଆବଶ୍ୟକ ।

ବେଶୀ ନୁହେଁ ବନ୍ଧୁଗଣ, 30 ବର୍ଷ । ଯଦି ଆମେ 8 ପ୍ରତିଶତରୁ ଅଧିକ ଅଭିବୃଦ୍ଧି ହାର ହାସଲ କରିପାରିବା ତାହେଲେ ବିଶ୍ୱରେ ଆଜି ଆପଣମାନେ ଦେଖୁଥିବା ସବୁ ଶ୍ରେଷ୍ଠ ବସ୍ତୁ ଆପଣଙ୍କ ପାଦ ତଳେ ରହିବ, ଭାରତରେ ରହିବ । ଏହା ଆମ ସମସ୍ତଙ୍କ ଲକ୍ଷ ହେବା ଉଚିତ । ଚାଷୀମାନେ ଅଛନ୍ତି । ଯଦି ଆମ ପାଖରେ ଦୁଇ ଏକର ଜମି ଅଛି, ତାହା ଅଢେଇ ଏକର ହୋଇପାରିବ ନାହିଁ, କିନ୍ତୁ ସେହି ଦୁଇ ଏକର ଜମିରୁ ଅଧିକ ଉତ୍ପାଦନ କେମିତି ହୋଇପାରିବ ସେକଥା ଉପରେ ଯଦି ମୁଁ ଗୁରୁତ୍ୱ ଦେଉଛି ତାର ଅର୍ଥ ହେଲା ମୁଁ ଅଭିବୃଦ୍ଧି ପାଇଁ ପ୍ରୟାସରତ । ଆମେ କେତେ ଅଧିକ କରିପାରିବା ।

ଦ୍ୱିତୀୟରେ, ଭାରତର ଉତ୍ପାଦନକାରୀମାନେ ବିଶ୍ଵ ବଜାରକୁ ଟାର୍ଗେଟ କରିବା କଥା । ଯେତେବେଳେ ଭାରତରେ ନିର୍ମିତ ମେଟ୍ରୋ ଟ୍ରେନ ଅଷ୍ଟ୍ରେଲିଆ ରପ୍ତାନୀ ହୋଇପାରୁଛି, ଭାରତରେ ଥିବା ଜାପାନୀ କମ୍ପାନୀ ମାରୁତି ଦ୍ୱାରା ନିର୍ମିତ କାରକୁ ଯଦି ଜାପାନ ଆମଦାନୀ କରୁଛି, ସେତେବେଳେ ଭାରତର ଅର୍ଥବ୍ୟବସ୍ଥା ବୃଦ୍ଧି ପାଉଛି ।

ଆଜି ଆମେ କୋଟି କୋଟି ଟଙ୍କାର ପେଟ୍ରୋଲିୟମ ସାମଗ୍ରୀ ଆମଦାନୀ କରୁଛୁ । ଆମେ ସୌର ଶକ୍ତି ଉପରେ ଗୁରୁତ୍ୱ ଦେବା ଉଚିତ । ଆମର ନିଜର ଶକ୍ତି ବଳରେ ଯଦି ଆମେ ଆମଦାନୀ କମାଇ ପାରିବା ତାହେଲେ ଆମେ ଅଭିବୃଦ୍ଧିର ଏକ ନୂତନ ଫର୍ଦ୍ଦ ଯୋଡିପାରିବା । କୋଟି କୋଟି ଟଙ୍କାର ପ୍ରତିରକ୍ଷା ସାମଗ୍ରୀ ଆମକୁ ଆମଦାନୀ କରିବାକୁ ପଡୁଛି । ଭାରତର ଯୁବକମାନଙ୍କ ପାଖରେ ପ୍ରତିଭା ରହିଛି ।

ଆମେ ଯଦି ପ୍ରତିରକ୍ଷା ସାମଗ୍ରୀ ନିର୍ମାଣ ପାଇଁ ଟେକ୍ନୋଲୋଜି ଟ୍ରାନ୍ସଫର କରି ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶକୁ ଆକୃଷ୍ଟ କରିପାରିବା, ଆମ ଦେଶରେ ହିଁ ନିର୍ମାଣ କରିବା ତାହେଲେ ଆମ ଯୁବକମାନେ ରୋଜଗାର ପାଇବା ସହିତ ଆମକୁ ଆମଦାନୀ ମଧ୍ୟ କରିବାକୁ ପଡିବ ନାହିଁ । ଭାରତ ଆପେ ଆପେ ସୁରକ୍ଷିତ ହୋଇଯିବ । ତେଣୁ ଆମ ଆର୍ଥିକ ବିକାଶ ଦୃତ ଏବଂ ସ୍ଥିର ଗତିରେ ହେବା ଆବଶ୍ୟକ । ଏହା ହେଲେ ବିଶ୍ୱର ଶ୍ରେଷ୍ଠତମ ବସ୍ତୁଗୁଡିକ ଆପଣମାନଙ୍କ ଆଖି ଆଗରେ, ଭାରତରେ ଥିବ ବୋଲି ମୋର ବିଶ୍ୱାସ ।

ତୃତୀୟ ପ୍ରଶ୍ନଟି ଜଣେ ଭଦ୍ର ମହିଳା ପଚାରିଥିଲେ, ସ୍ୱାସ୍ଥ୍ୟ କ୍ଷେତ୍ର ସମ୍ପର୍କରେ । ତାଙ୍କ ଚିନ୍ତା ଖୁବ ସ୍ୱାଭାବିକ । ପିଲାଦିନୁ ଆମେ ଶୁଣି ଆସିଛୁ – ସ୍ୱାସ୍ଥ୍ୟ ହିଁ ଜୀବନ (ହେଲ୍ଥ ଇଜ ୱେଲ୍ଥ) । କିନ୍ତୁ ଖାଇବା ଟେବୁଲ ଉପରେ ଆମେ ପରସ୍ପରଙ୍କୁ ଜୋରଜବରଦସ୍ତ ଖୁଆଇ ଥାଉ, ଆଉ ପୁଣି ଡାଏଟିଙ୍ଗ ବିଷୟରେ ଆଲୋଚନା କରୁ । ସ୍ୱାସ୍ଥ୍ୟ କ୍ଷେତ୍ରରେ ଆପଣମାନେ ଲକ୍ଷ୍ୟ କରିଥିବେ, ପ୍ରତ୍ୟେକ ବ୍ୟକ୍ତି ଅନ୍ୟକୁ ପରାମର୍ଶ ଦେଇଥାଏ, କିନ୍ତୁ ନିଜେ ଏହାକୁ ପାଳନ କରିବାରେ ତତ୍ପର ହୋଇ ନ ଥାଏ । ସେ ଅନ୍ୟକୁ କହିବ, ବୟସ 40 ଉପରେ ହେଲାଣି ନା, ପ୍ରତିବର୍ଷ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କରାଅ । ତାଙ୍କୁ ପଚାରନ୍ତୁ – ଆପଣଙ୍କ ବୟସ କେତେ ? 47 ହେଲାଣି । ଆପଣ କେତେଥର କରେଇଲେ ? ନା ମୁଁ ଏଯାଏ କରେଇନି ।

କାରଣ କଣ, ଦିନେ ଆମ ଗାଁ ମାନଙ୍କରେ ଗୋଟିଏ କବିରାଜ ରହୁଥିଲେ, ଆଉ ପୁରା ଗାଁ ସୁସ୍ଥ ରହୁଥିଲା । ଆଜି ଆଖି ଡାକ୍ତର ଅଲଗା, କାନ ଡାକ୍ତର ଅଲଗା, ଗୋଡ ଡାକ୍ତର ଅଲଗା, ହାତ ଡାକ୍ତର ଅଲଗା, ମୁଣ୍ଡ ପାଇଁ ଅଲଗା । ଅଥଚ ବେମାରି ବଢି ଚାଲିଛି । ଏହାର ଅର୍ଥ ହେଲା ଆମେ ପ୍ରତିଷେଧକ ସ୍ୱାସ୍ଥ୍ୟ ବ୍ୟବସ୍ଥା ପ୍ରତି ଉଦାସୀନ । ଏହା ଉପରେ ଆମକୁ ଗୁରୁତ୍ୱ ଦେବାକୁ ହେବ । ଡାକ୍ତରମାନଙ୍କ ଆବଶ୍ୟକତା ନ ପଡୁ ସେଥିପ୍ରତି ଆମେ ଗୁରୁତ୍ୱ ଦେବା ।
ଆମେ ବିଶୁଦ୍ଧ ପାନୀୟ ଜଳ ଯଦି ଉପଲବ୍ଧ କରାଇ ପାରିବା, ଯାହା ସାମାନ୍ୟ ମଣିଷର ଅଧିକାର । ମୁଁ ଜାଣିଛି ଏହି କାମ ବଡ କଠିନ । ହେଲେ କାହାରିକୁ ତ ଚିନ୍ତା କରିବାକୁ ପଡିବ । ଅନେକ ରୋଗ ସେତିକିରେ ହିଁ ଦୂର ହେବା ଆରମ୍ଭ ହୋଇଯିବ ।

ମୁଁ ଯେଉଁ ସ୍ୱଚ୍ଛତା ଅଭିଯାନ ପାଇଁ ଲାଗିଛି, ତାହା ଏକ ପ୍ରକାର ରୋଗ ବିରୁଦ୍ଧରେ ସଂଗ୍ରାମ ଏବଂ ଗରିବକୁ ସାହାଯ୍ୟ କରିବାର ସବୁଠାରୁ ବଡ ପ୍ରୟାସ । ବିଶ୍ୱ ବ୍ୟାଙ୍କ କହିବା ଅନୁଯାୟୀ ଯଦି ଗୋଟିଏ ଗରିବ ପରିବାରରେ କେହି ରୋଗାକ୍ରାନ୍ତ ହେଉଛି ତାହେଲେ ତାର ହାରାହାରୀ 7000 ଟଙ୍କା ଖର୍ଚ୍ଚ ହୋଇଯାଉଛି । ସେ ପରିବାର ଯଦି ସୁସ୍ଥ ରହିପାରନ୍ତା । ଜଣେ ଅଟୋଚାଳକ ଯଦି ରୋଗରେ ପଡେ ତେବେ ଔଷଧରେ ତ ଯାହା ଖର୍ଚ୍ଚ ହେବାକଥା ହେବ, ତିନି ଦିନ ତାର ଅଟୋ ବନ୍ଦ ହୋଇଯାଏ । ତିନି ଦିନ ଧରି ତାର ପରିବାର ଭୋକରେ ରହେ । ତେଣୁ ସ୍ୱାସ୍ଥ୍ୟ କଥା ଆଲୋଚନା କରିବା ସମୟରେ ଜଣେ ସାଧାରଣ ମଣିଷ ପାଇଁ ଆମେ କଣ କରିବାପାରିବା ତାହା ଉପରେ ଆମେ ଗୁରୁତ୍ୱ ଦେଲେ ଏହି କ୍ଷେତ୍ରରେ ପ୍ରକୃତ ପରିବର୍ତ୍ତନ ଆସିପାରିବ । ପ୍ରିଭେଣ୍ଟିଭ ହେଲ୍ଥ କେୟାର ବା ପ୍ରତିଷେଧାତ୍ମକ ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେବାକୁ ହେବ । ତାହା ସ୍ୱଚ୍ଛତା ମାଧ୍ୟମରେ ହେଉ, ଯୋଗ ହେଉ, ବ୍ୟାୟାମ ହେଉ, ଖାଦ୍ୟ ଅଭ୍ୟାସ ହେଉ କିମ୍ବା ଅନ୍ୟ କୌଣସି affordable health care ମାଧ୍ୟମରେ ହେଉ ।

ଆଜି ଆପଣମାନେ ଦେଖନ୍ତୁ, ଭାରତରେ କିଡନୀ ଜନିତ ସମସ୍ୟା ଏତେ ଦୃତ ଗତିରେ ବୃଦ୍ଧି ପାଉଛି ଯେ ଆମେ ଶହ ଶହ ସଂଖ୍ୟାରେ ଡାଏଲିସିସ ସେଣ୍ଟର ଖୋଲିଲେ ମଧ୍ୟ ରୋଗୀଙ୍କର ଲମ୍ବା ଧାଡି ସରିବ କି ନାହି ତାହା କହିବା କଷ୍ଟକର । ଗତ ଥର ବଜେଟରେ ଆମେ ଘୋଷଣା କରିଛୁ ଯେ, ପବ୍ଲିକ – ପ୍ରାଇଭେଟ ପାର୍ଟନରସିପ ଭିତ୍ତିରେ ଆମେ ସରକାରୀ ଡାକ୍ତରଖାନାମାନଙ୍କରେ ରୁମ ଦେଇ ଦେବୁ । ଆପଣ ଆସନ୍ତୁ, ଟଙ୍କା ବିନିଯୋଗ କରି ଡାଏଲିସିସ ସେଣ୍ଟର ଚଳାନ୍ତୁ ।
ଏହି ରୋଗ ଯେ କେବଳ ଧନୀ ଲୋକଙ୍କୁ ହୁଏ ତାହା ନୁହେଁ, ସାଧାରଣ ଲୋକକୁ ମଧ୍ୟ ହୋଇପାରେ । ତା ପାଇଁ ଆମେ କଣ କରି ପାରିବା ? ଆମ ଦେଶରେ କୋଟି କୋଟି ଟଙ୍କାର ବିଜ୍ଞାପନ କାରବାର ହୋଇଥାଏ । ଟୀକାଦାନ ପାଇଁ ସରକାର ଖର୍ଚ୍ଚ କରୁଛି । ବଜେଟରେ ଏଥିପାଇଁ କୌଣସି ଅଭାବ ନାହିଁ । ଅଫିସରମାନେ କାମ କରୁଛନ୍ତି, ବାପା-ମାମାନଙ୍କୁ ସଚେତନ କରାଯିବାର ଚେଷ୍ଟା କରାଯାଉଛି । ଟେଲିଭିଜନରେ, ଖବରକାଗଜରେ ବିଜ୍ଞାପନମାନ ପ୍ରକାଶିତ କରାଯାଉଛି ।

ଏହା ସତ୍ତ୍ୱେ ଲକ୍ଷ ଲକ୍ଷ ସଂଖ୍ୟାରେ ଏଭଳି ଶିଶୁମାନଙ୍କୁ ଠାବ କରାଯାଇଛି ଯେଉଁମାନେ ଟୀକା ନେଇନାହାନ୍ତି । ଆମେ ଜାଣିଛୁ ଯେ ଟୀକାଦାନ ଶିଶୁମାନଙ୍କ ସ୍ୱାସ୍ଥ୍ୟ ଏବଂ ଭବିଷ୍ୟତ ପାଇଁ ଗୋଟିଏ ସୁରକ୍ଷିତ ବ୍ୟବସ୍ଥା । କିନ୍ତୁ ଉଦାସୀନତା । କିଛି ବଡ ଘର ଲୋକ ଏଥିପାଇଁ ଲାଇନରେ ଠିଆ ହେବାକୁ କୁଣ୍ଠାବୋଧ କରିବାରୁ ତାଙ୍କର ରହିଯାଉଛି, ତ ଗରିବ ଲୋକର ଦୈନନ୍ଦିନ ରୋଜଗାର ଚିନ୍ତା ଥିବାରୁ ସେ ଭାବୁଛି ଆଜି ନୁହେଁ ଆରଥରକୁ ଦେଖିବା ।
ଏଭଳି କେତେ ଶିଶୁ ରହିଯାଇଛନ୍ତି ତାହା ଜାଣିବା ପାଇଁ ଆମେ ଯୋଜନାବଦ୍ଧ ଭାବରେ ଦେଶବ୍ୟାପୀ ଅଭିଯାନ ଚଳାଇଲୁ । ଲକ୍ଷ ଲକ୍ଷ ସଂଖ୍ୟାରେ ଏଭଳି ଶିଶୁଙ୍କୁ ପାଇଲୁ ଯାହାର ପିତା-ମାତା ସମସ୍ତ ସରକାରୀ ସୁବିଧା ଉପଲବ୍ଧ ଥାଇ ମଧ୍ୟ ଏହାର ଲାଭ ଉଠାଇ ନାହାନ୍ତି । ଏବେ ଘର ଘର ବୁଲି ଟୀକାଦାନ କାର୍ଯ୍ୟ ଚାଲିଛି । ସ୍ୱାସ୍ଥ୍ୟ ବିଭାଗ ଖୁବ ଦୃତ ଗତିରେ ଏହି କାର୍ଯ୍ୟ କରୁଛି ।

ସ୍ୱାସ୍ଥ୍ୟ କ୍ଷେତ୍ରରେ ଆମେ ଗୋଟିଏ ବୀମା ଦିଗରେ ଅଗ୍ରସର ହେଉଛୁ । ଖୁବ ଶୀଘ୍ର ଏହା ଚୁଡାନ୍ତ ରୂପ ନେବ । ବଜେଟରେ ଆମେ ଏହାର ଉଲ୍ଲେଖ କରିଥିଲୁ ଯାହା ଫଳରେ ଆମ ଦେଶର ଗରିବରୁ ଗରିବ ଲୋକ ସ୍ୱାସ୍ଥ୍ୟ ବୀମାର ଲାଭ ପାଇପାରିବ । ଏହି ଦିଗରେ ଆମେ ଗୁରୁତ୍ୱର ସହ କାର୍ଯ୍ୟ କରୁଛୁ । ମୁଁ ଭାବୁଛି ଏହା ନିଶ୍ଚିତ ରୂପେ ଲାଭପ୍ରଦ ହେବ ।

ଆସନ୍ତା କାଲି ଅଗଷ୍ଟ 7 ତାରିଖ । ହସ୍ତତନ୍ତ ଦିବସ । ଆମେ ଜାଣିଛୁ ଯେ ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ବିଦେଶୀ ବସ୍ତ୍ରକୁ ପୋଡି ସ୍ୱଦେଶୀର ମନ୍ତ୍ର ଦିଆଯାଇଥିଲା । ତେଣୁ ଗତ ବର୍ଷ ଅଗଷ୍ଟ 7 ତାରିଖରୁ ଆମେ ଏହି କ୍ଷେତ୍ରରେ କାର୍ଯ୍ୟ ଆରମ୍ଭ କରି ଦେଇଛୁ । ଆମ ଦେଶରେ ଗରିବ ଲୋକଙ୍କୁ ରୋଜଗାର ଯୋଗାଇବାରେ କୃଷି କ୍ଷେତ୍ର ପରେ ଯଦି କୌଣସି କ୍ଷେତ୍ର ସକ୍ଷମ ତେବେ ତାହା ହେଉଛି – ବୟନଶିଳ୍ପ, ହସ୍ତତନ୍ତ, ଖଦି, ଲୁଗାବୁଣା କାର୍ଯ୍ୟ । ଏହା ଖୁବ ଶକ୍ତିଶାଳୀ । ଶହେ ପଚିଶ କୋଟି ଦେଶବାସୀ ଯଦି ଏ କଥା ଧରି ନିଅନ୍ତି ଯେ ଯାହା ସେ ବସ୍ତ୍ର ଉପରେ ଖର୍ଚ୍ଚ କରୁଛନ୍ତି ତାହାର ମାତ୍ର ପାଞ୍ଚ ପ୍ରତିଶତ ଅର୍ଥ ସେମାନେ ଏହି ଉତ୍ପାଦ ଉପରେ ଖର୍ଚ୍ଚ କରିବେ ତାହେଲେ ଏହି କ୍ଷେତ୍ରରେ କାର୍ଯ୍ୟ କରୁଥିବା ଗରିବ ଲୋକଙ୍କ ଅର୍ଥବ୍ୟବସ୍ଥାରେ ଆକାଶ-ପାତାଳର ପରିବର୍ତ୍ତନ ହୋଇଯିବ ଏହା ମୁଁ ବିଶ୍ୱାସର ସହ କହୁଛି । ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି – ଅକ୍ଟୋବର 2 ତାରିଖରେ ଆପଣମାନେ ନିଶ୍ଚୟ କିଛି ନା କିଛି ଖଦି ବସ୍ତ୍ର କ୍ରୟ କରନ୍ତୁ । ଏଥିରେ ଏକ ମାସ ପର୍ଯ୍ୟନ୍ତ ରିହାତି ଦିଆଯାଏ । ଆପଣ ଖଦିଧାରୀ ନ ହେଲେ ମଧ୍ୟ ଖଦି ତିଆରି କିଛି ଜିନିଷ ତ ଘରେ ରଖିପାରିବେ ପକେଟରେ ରଖିପାରିବେ । ଏହା ଦ୍ୱାରା ଜଣେ ଗରିବ ଉପକୃତ ହେବ । ହସ୍ତତନ୍ତ ଧିରେ ଧିରେ ଫେସନ ହେବାକୁ ବସିଲାଣି । ଯୁଗ ଥିଲା ଯେତେବେଳେ ଖଦି ସ୍ୱାଧିନତା ସଂଗ୍ରାମର ଗୋଟିଏ ଚିହ୍ନ ଥିଲା, ମନ୍ତ୍ର ଥିଲା – ଖଦି ଫର୍ ନେଶନ୍, ଆଜି ଆମେ ଯଦି ଚାହିଁବା ତେବେ ଏହା ହେବ ଖଦି ଫର୍ ଫେସନ୍ । ହସ୍ତତନ୍ତ କ୍ଷେତ୍ରରେ ବିକାଶର ଅନେକ ସମ୍ଭାବନା ରହିଛି । ଏଥିରେ ଟେକ୍ନୋଟୋଜିର ଉନ୍ନତିକରଣ ଚାଲିଛି, ଫେସନ ଡିଜାଇନରମାନେ ଏହି କ୍ଷେତ୍ରକୁ ଆସିଲେଣି । ଯେଉଁମାନେ ବିଶ୍ୱସ୍ତରରେ ସାମଗ୍ରିକ ସ୍ୱାସ୍ଥ୍ୟ ସେବା ଆଡକୁ ଯାଉଛନ୍ତି, ଖଦି ପ୍ରତି ସେମାନଙ୍କ ଆକର୍ଷଣ ବଢିବାରେ ଲାଗିଛି । ଏଠାରେ ବସିଥିବା ଯୁବକମାନେ ଇ-ପ୍ଲାଟଫର୍ମ ମାଧ୍ୟମରେ ବିଶ୍ଵସ୍ତରୀୟ ବେପାର କରି ଆମର ଏହି ଗରିବ ଲୋକଙ୍କ ଉତ୍ପାଦିତ ବସ୍ତୁଗୁଡିକୁ ସାରା ବିଶ୍ୱରେ ବିକ୍ରି କରିବାର ଗୋଟିଏ ବିରାଟ ଅଭିଯାନ ଆରମ୍ଭ କରିପାରନ୍ତି । ଆପଣମାନେ ଆଜି ମୋ ହାତରେ ଗୋଟିଏ ବ୍ୟବସାୟୀକ କାର୍ଯ୍ୟକଳାପର ଶୁଭାରମ୍ଭ କରାଇଛନ୍ତି । ମୋତେ ଖୁସି ଲାଗିଲା ଯେତେବେଳେ ଆପଣ କହିଲେ ଯେ ଏଥିରୁ ମିଳିବା ଲାଭ ଗଙ୍ଗା ସଫେଇ ଅଭିଯାନରେ ଖର୍ଚ୍ଚ କରାଯିବ ଆଉ ସେତେବେଳେ ମୋର ଭୟ ଟିକିଏ କମିଗଲା, ନ ହେଲେ କହିଥାନ୍ତେ ଯେ ମୋଦୀ ଏବେ ବେପାର କରିବା ଆରମ୍ଭ କରିଦେଲା । କିନ୍ତୁ ଏହା ଗୋଟିଏ ଭଲ ପ୍ରୟାସ । ଆମେ ପରିଶ୍ରମ କରୁଥିବା ଆମ ଗରିବ ବୁଣାକାରମାନଙ୍କ ପାଇଁ ଟିକିଏ ସୁବିଧା କରିଦେଲେ ଦେଖୁ ଦେଖୁ ଗ୍ରାମ୍ୟ ଅର୍ଥବ୍ୟବସ୍ଥାରେ ପରିବର୍ତ୍ତନ ଆସିଯିବ ।

ପ୍ରଥମ ପ୍ରଶ୍ନ ଥିଲା ବିଦେଶ ନୀତି ସମ୍ପର୍କରେ । ଏଥିରେ ଶକ୍ତିଶାଳୀ, ପ୍ରଗତିଶୀଳ ଏବଂ କ୍ରିୟାଶୀଳ ଏଭଳି ଶବ୍ଦମାନଙ୍କର ଆବଶ୍ୟକତା ନାହିଁ, ପ୍ରକୃତରେ ବିଦେଶ ନୀତି ହେଉଛି ଦେଶ ହିତର ନୀତି । ଏହାର କେନ୍ଦ୍ରବିନ୍ଦୁ ହେଲା ଇଣ୍ଡିଆ ଫାଷ୍ଟ । ଦେଶର ହିତ ସାଧନ ହେଉ, ସୁରକ୍ଷା ହେଉ, ଆର୍ଥିକ ପ୍ରଗତି ହେଉ ଏବଂ ବିଶ୍ୱରେ ଯେଉଁଠାରେ ବି ଜାଗା ଅଛି, ସେଠାରେ ଆମେ ପହଞ୍ଚି ପାରୁ । ତୃତୀୟ କଥା ହେଲା, ସମୟ ବଦଳି ଯାଇଛି । ସାରା ଦୁନିଆ ପରସ୍ପର ଉପରେ ନିର୍ଭରଶୀଳ ହୋଇଛି । ବିଶ୍ୱର କୌଣସି ଦେଶ ଏକ ପକ୍ଷଭୁକ୍ତ ହୋଇ ରହିନାହିଁ । ସେ ଯୁଗ ମଧ୍ୟ ସରିଗଲାଣି । ପ୍ରତ୍ୟେକେ କାହା ନା କାହା ସହ ଜଡିତ । ପାଞ୍ଚଟି କଥାରେ ଏକ ସଙ୍ଗେ ଚାଲୁଥିବ, ଦୁଇଟି କଥାରେ ଆଗରେ ରହିଥିବ, ତା ସତ୍ତ୍ୱେ ପୁଣି ଏକାଠି ରହିଥିବ ଏମିତି ପରିସ୍ଥିତି ରହିଛି । ଏହାକୁ ସୂକ୍ଷ୍ମଭାବେ ବୁଝି ଏହାର ସଦୁପଯୋଗ କରିବା, ଦେଶ ହିତ କଥା ଚିନ୍ତା କରିବା ମୋ ମତରେ ଗୋଟିଏ ବଡ କାମ । ଅନ୍ୟ ଗୋଟିଏ କଥାର ଆମେ ସଦୁପଯୋଗ କରିପାରିବା ତାହା ହେଲା ଆମର diaspora ବା ପ୍ରବାସୀ ଭାରତୀୟ । ବିଶ୍ୱର ବିଭିନ୍ନ ସ୍ଥାନରେ ରହୁଥିବା ଭାରତୀୟମାନଙ୍କର ଏକ ନିଜସ୍ୱ ଶକ୍ତି ଅଛି । ବିଶ୍ୱରେ ରହୁଥିବା ଭାରତୀୟମାନଙ୍କର ଏକ ନିଜସ୍ୱ ଖ୍ୟାତି ଅଛି, ନିଜର ସମ୍ମାନ ରହିଛି । ସେଠାକାର ସରକାରମାନଙ୍କର ତାଙ୍କ ପ୍ରତି ଆଦର ଭାବ ରହିଛି । ଏହା ବିଶ୍ୱ ସହ ଭାରତର ସମ୍ପର୍କ ସ୍ଥାପନରେ ବହୁତ ବଡ ଭୂମିକା ଗ୍ରହଣ କରିପାରେ । ଆଜିକାଲି ପ୍ରବାସୀ ଭାରତୀୟମାନେ ବେଶ୍ କ୍ରିୟାଶୀଳ ହେଲେଣି, ନିଜର ସାମର୍ଥ୍ୟକୁ ପ୍ରତିପାଦିତ କରିବାକୁ ବସିଲେଣି । ମୋ ମତରେ ଏହା ଭାରତ ପାଇଁ ଖୁବ ଆବଶ୍ୟକ । ବିଶ୍ୱରେ ଭାରତ ଏକ ନୂତନ ଶକ୍ତି ସହ, ଏକ ନୂତନ ଖ୍ୟାତି ସହିତ ନିଜ ପରିଚୟ ସୃଷ୍ଟି କରିବାରେ ଲାଗିଛି । ଗଣତାନ୍ତ୍ରିକ ମୂଲ୍ୟବୋଧ ସହ ଜଡିତ ଦେଶମାନଙ୍କରେ ଭାରତ ଆଜି ଅନେକ ପଦକ୍ଷେପ ନେଉଛି, ଯେଉଁଥିରେ ବିଶ୍ୱ ଆମକୁ ସହଯୋଗ କରୁଛି । ତୃତୀୟ ପ୍ରଶ୍ନ ସେ ମୋତେ ବ୍ୟକ୍ତିଗତ ଭାବରେ ପଚାରିଛନ୍ତି । ଯେଉଁମାନେ ବିଦେଶରେ ରହୁଛନ୍ତି, ସେମାନଙ୍କ ପାଇଁ ଏହା ସ୍ୱାଭାବିକ ପ୍ରଶ୍ନ, କାରଣ ସେମାନେ ଜ୍ୟାକଲେସ୍ ଦ୍ୱାରା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେଥିପାଇଁ ସେ ବିଶେଷ ଭାବେ ପ୍ରଶ୍ନ କରିଛନ୍ତି ଯେ, ଆପଣ ଏତେ ବିଦେଶ ଯାତ୍ରା କରୁଛନ୍ତି, ଆପଣ ହାଲିଆ ଅନୁଭବ କରୁନାହାନ୍ତି କି ? ଅନେକ ବ୍ୟକ୍ତି ମୋତେ ଏହି ପ୍ରଶ୍ନ କରିଥାନ୍ତି । ଅନେକ ଦିନରୁ ପଚାରୁଛନ୍ତି । ମୁଁ ସବୁବେଳେ ଶହେ ପଚିଶ କୋଟି ଦେଶବାସୀଙ୍କ କଥା ଚିନ୍ତା କରୁଛି । ସେମାନଙ୍କ ସ୍ୱପ୍ନ, ସେମାନଙ୍କ ସ୍ଥିତି, ମୁଁ ମନଯୋଗ ସହ ସେମାନଙ୍କ ସହିତ ନିଜକୁ ଜଡିତ କରି ରଖୁଛି, ତେଣୁ ମୋତେ ଲାଗେ ଯେ ମୋର ସାରା ସମୟ, ସମସ୍ତ ଶକ୍ତି ସେମାନଙ୍କ ପାଇଁ ଲଗାଇ ଦେବି । ନିଜକୁ ସମର୍ପି ଦେବି। ଲୋକ ଭାବୁଛନ୍ତି ଯେ ମୋ ପାଖରେ ଅଜସ୍ର ଶକ୍ତି ରହିଛି ତେଣୁ ମୁଁ ଏତେ କାମ କରିପାରୁଛି, ତାହା ଭାବିବା ଭୁଲ । ଆପଣ ଥରେ ଜାଣି ନିଅନ୍ତୁ ଯେ ଆପଣଙ୍କ ପାଖରେ ଏତେ କାମ ରହିଛି, ଏହା ହିଁ ମୋର ମିଶନ୍, ତେବେ ଶକ୍ତି ଆପେ ଆପେ ଆସିଯିବ । ଈଶ୍ୱର ପ୍ରତ୍ୟେକ ବ୍ୟକ୍ତିକୁ ଶକ୍ତି ପ୍ରଦାନ କରିଛନ୍ତି । କେହି ସେହି ଶକ୍ତିକୁ ନଷ୍ଟ କରୁଛି ତ କେହି ତାକୁ ତେଜସ୍ୱୀ କରିଦେଉଛି। ମୋ ପାଖରେ ଆପଣଙ୍କଠାରୁ ଭିନ୍ନ କିଛି ନାହିଁ । ଈଶ୍ୱର ଯାହା ଆପଣଙ୍କୁ ଦେଇଛନ୍ତି ତାହା ହିଁ ମୋତେ ଦେଇଛନ୍ତି । କିନ୍ତୁ ମୁଁ ଏହାକୁ ଏକ ମିଶନରେ ଖର୍ଚ୍ଚ କରିବାକୁ ଚେଷ୍ଟା କରୁଛି, ତେଣୁ ଏହା କାମରେ ଲାଗୁଛି ଆଉ ବଢି ବଢି ଯାଉଛି । ଆପଣ ମଧ୍ୟ ଏହି ମନ୍ତ୍ରକୁ ନେଇ ଆଗେଇ ପାରନ୍ତି । ଦ୍ୱିତୀୟ ବିଷୟ ଥିଲା ପର୍ଯ୍ୟଟନ । ଏହି ସରକାର ଗ୍ରହଣ କରିଥିବା ପଦକ୍ଷେପ ଯୋଗୁ ପର୍ଯ୍ୟଟନ କ୍ଷେତ୍ରରେ ଯଥେଷ୍ଟ ବୃଦ୍ଧି ଘଟିଛି । ଗତ ଛଅ ମାସ ମଧ୍ୟରେ 40 ଲକ୍ଷରୁ ଉର୍ଦ୍ଧ୍ଵ ବିଦେଶୀ ପର୍ଯ୍ୟଟକ ଭାରତକୁ ଆସିଲେ । ଇ-ଭିସା ଯୋଗୁ ଭାରତରେ ଅଧିକ ସୁବିଧା ହୋଇଛି। ସ୍ୱଚ୍ଛତା ମିଶନ୍ ଯୋଗୁ ମଧ୍ୟ ପର୍ଯ୍ୟଟନ କ୍ଷେତ୍ର ସ୍ୱାଭାବିକ ଭାବେ ଲାଭାନ୍ୱିତ ହେଉଛି । ଆଗ ଲୋକ ଆସୁଥିଲେ, ସବୁ ଦେଖୁଥିଲେ କିନ୍ତୁ ଯିବା ପରେ – କହୁଥିଲେ, ବନ୍ଧୁ ସବୁ କଥା ଭଲ ହେଲେ, କିଛି କିଛି ଉଣା ରହିଯାଉଛି । ତୃତୀୟ କଥା ହେଲା, ଭାରତର ଐତିହାସିକ ସ୍ଥଳ ପ୍ରତି ବିଶ୍ୱବାସୀଙ୍କୁ ଆକର୍ଷିତ କରାଯିବା ଉଚିତ । ଯଦି ଆପଣ ଭାବିବେ ଯେ, ଆମ ସମୁଦ୍ର କୂଳ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବ, ତାହା ନୁହେଁ କାରଣ ଏହାଠାରୁ ସୁନ୍ଦର ବେଳାଭୂମି ମଧ୍ୟ ଅନେକ ସ୍ଥାନରେ ରହିଛି । କିନ୍ତୁ ସେ ଯେତେବେଳେ ଶୁଣିବେ ଯେ, ପାଞ୍ଚ ହଜାର ବର୍ଷ ପୁରାତନ ଏହି ଜିନିଷ ଆମ ପାଖରେ ଅଛି, ଦୁଇ ହଜାର ବର୍ଷ ପୁରୁଣା, ଏକ ହଜାର ବର୍ଷ ପୁରାତନ ଏହି କଥା ରହିଛି, ସେତେବେଳେ ସେ ଭାବୁଛି ଯେ, ଏହା କିଭଳି ମାନବ ସଂସ୍କୃତି ଅନ୍ତତଃ ଟିକିଏ ଦେଖିଆସିବା । ଭାରତରେ ଏତେ ବିଭିନ୍ନତା ଭରି ରହିଛି ଯେ, ଯଦି ଏହାକୁ ଠିକ୍ ଭାବେ ମାର୍କେଟିଙ୍ଗ – ପ୍ରଚାର ପ୍ରସାର – କରିପାରିଲେ ଦୁନିଆକୁ ପାଗଳ କରି ଦେଇପାରିବା । ବିଶ୍ୱ ଗୋଟିଏ କୋଣରେ ଯେଉଁ ପିଜା ହାଟ ରହିଛି, ହଜାରେ କିଲୋମିଟର ଦୂରରେ ମଧ୍ୟ ସେହି ପିଜା ହାଟ ସେହି ସ୍ୱାଦ, କିଛି ଭିନ୍ନତା ନାହିଁ । ଆମର ଏଠାରେ ତ ତାମିଲନାଡୁର ଗୋଟିଏ କୋଣରୁ ଅନ୍ୟ କୋଣକୁ ଗଲେ ଇଡିଲିର ଦଶ ପ୍ରକାର ସ୍ୱାଦ ପରିବର୍ତ୍ତନ ହୋଇଯାଏ । କିନ୍ତୁ ଏସବୁକୁ ଆମେ ଆମ ଶକ୍ତି ରୂପରେ ଦେଖିନାହୁଁ । ଏହା ଆମର ଶକ୍ତି । ମୁଁ ଥରେ ଫେସନ ଡିଜାଇନରମାନଙ୍କ ସହିତ ଆଲୋଚନା କରୁଥିଲି । ମୁଁ ପଚାରିଲି, ଭାରତରେ ଯେଉଁ ପ୍ରକାର ବସ୍ତ୍ର ପରିଧାନ କରାଯାଏ, ଆପଣମାନେ ତାକୁ କେବେ ଅନୁଧ୍ୟାନ କରିଛନ୍ତି କି ? କାହିଁକି ଲୋକ ଏଠାରେ ବସ୍ତ୍ର ଏଭଳି ପରିଧାନ କରୁଛନ୍ତି ? ଭାରତରେ ମର୍ଯ୍ୟାଦାକୁ ଖୁବ ଗୁରୁତ୍ୱ ଦିଆଯାଇଛି । ଏମିତି କିଛି ସମାଜ ମଧ୍ୟ ରହିଛି ଯେଉଁଠାରେ ମହିଳାମାନଙ୍କ ଘାଗରା ପାଦରୁ ଛଅ ଇଞ୍ଚ ଉପରକୁ ରହିଥାଏ ଏହାର କାରଣ କଣ ? ନଚେତ୍ ସମୃଦ୍ଧ ମହିଳା ନିଜ ପାଦର ନଖ ସୁଦ୍ଧା ଆବୃତ କରି ରଖନ୍ତି । କଣ ଏହାର କାରଣ ? ଆପଣ କେବେ ଏହାର ଅନୁଧ୍ୟାନ କରିଛନ୍ତି କି ? ସେମାନେ କହିଲେ – ନା କରିନୁ । ମୁଁ କହିଲି, ଏହାହିଁ ତ ଭାରତର ବିଶେଷତ୍ୱ । ଜଣେ ଯଦି ପଗଡି ପିନ୍ଧୁଛି – କାହିଁକି ପିନ୍ଧୁଛି ? କେମିତି ପିନ୍ଧୁଥିଲା ? ଏମିତି କାହିଁକି ବଦଳାଇ ଦେଲା ? ସେ ଯଦି ଶରୀର ଉପରେ ଏଭଳି ବସ୍ତ୍ର ଘୋଡାଇ ରଖୁଥିଲା ତାର କାରଣ କଣ ? ଉତ୍ତରରେ ଧୋତି ତ ଦକ୍ଷିଣରେ ଲୁଙ୍ଗି ପିନ୍ଧୁଛନ୍ତି, କାହିଁକି ? ବିଶ୍ୱବାସୀଙ୍କୁ ଆମର ବିବିଧତା ଯୋଗୁ ଆମେ ଆକର୍ଷିତ କରିପାରିବା । ଆମେ ତାଙ୍କୁ ଯେତେ ଜଡିତ କରିବା, ଆମର ପର୍ଯ୍ୟଟନ ସେତିକି ମାତ୍ରାରେ ବୃଦ୍ଧି ପାଇବ । ଆଜି ବିଶ୍ୱବାସୀଙ୍କ ପାଖରେ ଆମଠାରୁ ଅନେକ ଭଲ ଜିନିଷ ରହିଛି । ଯାହା ବିଶ୍ୱବାସୀଙ୍କ ପାଖରେ ନାହିଁ ଏବଂ ଆମ ପାଖରେ ରହିଛି, ତାହା ଉପରେ ଧ୍ୟାନ ଦେବାର ଆବଶ୍ୟକତା ରହିଛି । ପର୍ଯ୍ୟଟନ ମଣିଷର ପ୍ରକୃତି ସହିତ ମଧ୍ୟ ଜଡିତ । ଭାରତର ଲୋକ ଅତିଥି ସକ୍ରାରକୁ ମଧ୍ୟ ଭଲ ପାଆନ୍ତି । ଏହାକୁ ଆମେ ଯେତେ ଉତ୍ସାହିତ କରିବା ଏହା ସେତେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବ । ମୁଁ ବିଦେଶରେ ରହୁଥିବା ଭାରତୀୟମାନଙ୍କୁ ଅନୁରୋଧ କରିବି ଯେ, ଆପଣ ଭାରତରେ ଡଲାର ବିନିଯୋଗ କରନ୍ତୁ ବା ନ କରନ୍ତୁ, ଆପଣ ଭାରତରେ କୌଣସି ସାମାଜିକ କାର୍ଯ୍ୟ କରନ୍ତୁ ବା ନ କରନ୍ତୁ, କିନ୍ତୁ ଗୋଟିଏ କାମ ସମସ୍ତେ କରିପାରିବେ। ବିଶ୍ୱରେ ରହୁଥିବା ଭାରତୀୟ ଗୋଟିଏ କାମ କରିପାରିବ । ସେ କାମ କରିବାକୁ ଯାଉଛି, ସେଠାକାର ଲୋକମାନଙ୍କ ସହିତ ତାର ସମ୍ପର୍କ ସ୍ଥାପିତ ହେଉଛି। ସେ ସ୍ଥିର କରନ୍ତୁ ଯେ, ପ୍ରତିବର୍ଷ ପାଞ୍ଚଟି ବିଦେଶୀ ପରିବାରକୁ ଭାରତ ଭ୍ରମଣରେ ଯିବା ପାଇଁ ଉତ୍ସାହିତ କରିବି । ଏହା କୌଣସି କଷ୍ଟକର କାର୍ଯ୍ୟ ନୁହେଁ । ପର୍ଯ୍ୟଟନ ବିଭାଗ ଠାରୁ ମଧ୍ୟ ଏମାନେ ଶହେ ଗୁଣ କାର୍ଯ୍ୟ କରିପାରିବେ । ଏହିଭଳି ଭାବରେ ଆମେ ପର୍ଯ୍ୟଟନକୁ ବୃଦ୍ଧି କରିପାରିବା ।

ଭାରତରେ ସାମାଜିକ କାର୍ଯ୍ୟ କରିବା ଆମ ସଂସ୍କୃତିର ଅଂଶ । କୌଣସି ବିପଦ-ଆପଦରେ ଲୋକେ ପହଞ୍ଚି ଯାଆନ୍ତି। କିଛି ନା କିଛି କରନ୍ତି । ଭାରତରେ ସମାଜସେବା ଶିଖିବାକୁ ପଡେ ନାହିଁ, ଏହା ପାଇଁ କୌଣସି ଶ୍ରେଣୀଗୃହ ନାହିଁ । ଏହା ଆମ ପ୍ରକୃତିଗତ ।

ସମସ୍ୟାଟି ହେଲା ଆଜିକାଲି ସମାଜସେବା ସହିତ ମୋ ଜ୍ଞାନ ଜଡିତ ହୋଇଯାଇଛି । ଆପଣ କଳ୍ପନା କରନ୍ତୁ ଯେ, ବାବାସାହେବ ଆମ୍ବେଦକର ଶିକ୍ଷା ପ୍ରାପ୍ତ କରି କେତେ ବଡ ମଣିଷ ହୋଇପାରିଲେ । ଦଳିତ ହୋଇଥିବା ଯୋଗୁ ଭାରତରେ ତାଙ୍କୁ ଅନେକ ଅପମାନ ସହିବାକୁ ପଡୁଥିଲା । ଶିକ୍ଷିତ ହୋଇଥିବା ଯୋଗୁ ବିଦେଶରେ ତାଙ୍କ ପାଇଁ ପଦ ସମ୍ମାନ ଆଦି ସବୁକିଛି ଥିଲା । ଅଥଚ ଭାରତରେ ତାଙ୍କୁ କରାଯାଉଥିବା ଅପମାନ ସତ୍ତ୍ୱେ ସେ ଭାରତ ଆସିଲେ ସମାଜ ସେବା ପାଇଁ । ଏହା ତାଙ୍କର ସେବାଭାବ ହିଁ ଥିଲା, ଏହା ହିଁ ତାଙ୍କର ପ୍ରେରଣା । ମହାତ୍ମା ଗାନ୍ଧୀ ବାରିଷ୍ଟର ଥିଲେ, ହେଲେ ସବୁ ଛାଡି ଚାଲି ଆସିଲେ । ସର୍ଦ୍ଦାର ପଟେଲ ମଧ୍ୟ ବାରିଷ୍ଟର ଥିଲେ, ବହୁତ ଅର୍ଥ ଉପାର୍ଜନ କରିପାରିଥାନ୍ତେ । କିନ୍ତୁ ଛାଡିଦେଲେ । ବୀର ସାୱରକର ମଧ୍ୟ ବାରିଷ୍ଟର ଥିଲେ, କିନ୍ତୁ ଛାଡିଦେଲେ । ଆସିଗଲେ ଆଣ୍ଡାମାନର କାରାଗାରକୁ । ସାରା ଜୀବନ ସମର୍ପି ଦେଲେ ।

ଏଭଳି ଅଗଣିତ ଲୋକ ଅଛନ୍ତି ଯେଉଁମାନେ ଦେଶ ପାଇଁ କିଛି ନା କିଛି ତ୍ୟାଗ କରିଛନ୍ତି । ଆମ ମଧ୍ୟରେ ସଂଗ୍ରାମ ମାଧ୍ୟମରେ ଏଭଳି ଗୋଟିଏ ଅଗ୍ନିସ୍ଫୁଲିଙ୍ଗ ଜାତ ହେବା ଉଚିତ । ଯଦି ଆମେ କିଛି କରି ପାରିବା ନାହିଁ, ଆମ ଘର ପାଖରେ କୌଣସି ସରକାରୀ ବିଦ୍ୟାଳୟ ଅଛି, ସେଠାକୁ ଅଧଘଣ୍ଟା ପାଇଁ ଯାଇ ଅନ୍ତତଃ ପିଲାମାନଙ୍କ କଥା ବୁଝିପାରିବା । ହୁଏତ ଆପଣ ଅନୁଭବ କରିପାରନ୍ତି ଯେ, ସେହି ଶିକ୍ଷକ ତ ପଢାଉ ନାହାନ୍ତି, ମୁଁ ଜାଣିଛି, ମୁଁ ପଢାଇବି । ଆପଣ ନିଜେ ଏକ ଅନୁଷ୍ଠାନ । କୌଣସି ଅନୁଦାନର ଆବଶ୍ୟକତା ନାହିଁ । କୌଣସି ବଡ ଅନୁଷ୍ଠାନର ଆବଶ୍ୟକତା ନାହିଁ । କେବଳ ଆପଣଙ୍କ ଇଚ୍ଛାଶକ୍ତି ଦରକାର ।
କିଛି ଲୋକ ଗୋରକ୍ଷା ନାମରେ ନିଜ ବେପାର ଚଳାଇଛନ୍ତି । ଏମାନଙ୍କୁ ଦେଖିଲେ ମୋ ମନରେ ଖୁବ କ୍ରୋଧ ଜାତ ହୁଏ । ଗୋ-ଭକ୍ତ ଅଲଗା, ଗୋ-ସେବକ ଅଲଗା । ପୁରୁଣା କାଳରେ ଆପଣ ଜାଣିଥିବେ ଯେତେବେଳେ ବାଦଶାହ ଓ ରାଜାମାନଙ୍କ ମଧ୍ୟରେ ଯୁଦ୍ଧ ହେଉଥିଲା, ସେତେବେଳେ ବାଦଶାହ ନିଜ ସୈନ୍ୟବାହିନୀ ଆଗରେ ଗାଈମାନଙ୍କୁ ରଖୁଥିଲେ । ରାଜା ଅସୁବିଧାରେ ପଡୁଥିଲେ । ସେ ଭାବୁଥିଲେ ଯେ ଯଦି ସେ ଅସ୍ତ୍ର ପ୍ରୟୋଗ କରନ୍ତି ତେବେ ଗାଈମାନେ ମରିଯିବେ । ଏହି ଦ୍ୱନ୍ଦ୍ୱରେ ପଡି ସେମାନେ ଯୁଦ୍ଧରେ ହାରିଯାଉଥିଲେ । ସେମାନେ ମଧ୍ୟ ଖୁବ ଚତୁରତାର ସହ ଗାଈ ରଖୁଥିଲେ ।

ମୁଁ ଦେଖିଛି ଯେ, କିଛି ଲୋକ ସାରା ରାତି ଅସାମାଜିକ କାର୍ଯ୍ୟ କରନ୍ତି କିନ୍ତୁ ଦିନରେ ଗୋ-ରକ୍ଷକ ସାଜି ବୁଲନ୍ତି । ମୁଁ ରାଜ୍ୟ ସରକାରମାନଙ୍କୁ ଅନୁରୋଧ କରୁଛି ଯେ, ଏହିଭଳି ସ୍ୱୟଂସେବୀ, ଯେଉଁମାନେ ନିଜକୁ ଗୋରକ୍ଷକ ବୋଲାଉଛନ୍ତି, ସେମାନଙ୍କୁ ଟିକିଏ ଆୟତ୍ତ କରନ୍ତୁ । ଏମାନଙ୍କ ମଧୟରୁ 70 ରୁ 80 ପ୍ରତିଶତ ଏମିତି ଥିବେ , ଯିଏ ଏଭଳି କାମ କରନ୍ତି ଯାହା ସମାଜ ଗ୍ରହଣ କରେ ନାହିଁ, କିନ୍ତୁ ନିଜର ସେହି ଅପରାଧକୁ ଲୁଚାଇବା ପାଇଁ ସେମାନେ ଗୋରକ୍ଷାର ଆବରଣ ପିନ୍ଧି ବାହାରକୁ ବାହାରନ୍ତି । ପ୍ରକୃତରେ ସେମାନେ ଯଦି ଗୋ-ସେବକ ତାହେଲେ ମୁଁ ସେମାନଙ୍କୁ ଅନୁରୋଧ କରୁଛି ଯେ, ଅଧିକାଂଶ ଗାଈ ପ୍ରକୃତରେ ହତ୍ୟା ଯୋଗୁ ମରନ୍ତି ନାହିଁ, ବରଂ ପ୍ଲାଷ୍ଟିକ ଖାଇବା ଯୋଗୁ ମୃତ୍ୟୁବରଣ କରୁଛନ୍ତି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଗାଈ ଅଳିଆ ଗଦାରୁ ପ୍ଲାଷ୍ଟିକ ଖାଇଦିଏ, ଯାହା ଫଳରେ ମରିଯାଏ । ମୁଁ ଯେତେବେଳେ ଗୁଜୁରାଟରେ ଥିଲି ସେତେବେଳେ ମୁଁ ପଶୁମାନଙ୍କ ପାଇଁ ସ୍ୱାସ୍ଥ୍ୟ ଶିବିରର ଆୟୋଜନ କରୁଥିଲି । ସେଥିରେ ଏଭଳି ଗାଈମାନଙ୍କର ଅସ୍ତ୍ରୋପଚାର କରାଉଥିଲି । ଥରେ ଏଭଳି ଗୋଟିଏ କାର୍ଯ୍ୟକ୍ରମକୁ ଯାଇଥିଲି । ଗୋଟିଏ ଗାଈ ପେଟ ଚିରି ସେଥିରୁ ଦୁଇ ବାଲ୍ଟିରୁ ଅଧିକ ପ୍ଲାଷ୍ଟିକ ବାହାର କରାଗଲା । ଯଦି ଏମାନେ ସମାଜସେବା କରିବାକୁ ଚାହୁଁଛନ୍ତି ତାହେଲେ ଗାଈର ପ୍ଲାଷ୍ଟିକ ଖିଆ ବନ୍ଦ କରାଇଦିଅନ୍ତୁ । ଏବଂ ଲୋକମାନଙ୍କର ପ୍ଲାଷ୍ଟିକ ଫିଙ୍ଗା ବନ୍ଦ କରାଇ ଦିଅନ୍ତୁ, ସେତକ ମଧ୍ୟ ବହୁତ ବଡ ସେବା ହୋଇଯିବ ।

ତେଣୁ ସ୍ୱୟଂସେବୀ ସଂଗଠନ, ସ୍ୱୟଂସେବା ଅନ୍ୟମାନଙ୍କୁ ପ୍ରତାରିତ କରିବା ପାଇଁ ଉଦ୍ଦିଷ୍ଟ ନୁହେଁ, ଅନ୍ୟମାନଙ୍କୁ ପ୍ରଭାବିତ କରିବା ପାଇଁ ଉଦ୍ଦିଷ୍ଟ ନୁହେଁ, ଆବଶ୍ୟକତା ରହିଛି ସମର୍ପଣ ଭାବର, କରୁଣା ଭାବର, ତ୍ୟାଗ ଭାବନାର , ବଳିଦାନର । ତେବେ ଯାଇ ସେବା ହୋଇପାରିବ । ତେଣୁ ଯଦି ଆମେ ପ୍ରତ୍ୟେକେ ସମାଜ ପାଇଁ କିଛି ନା କିଛି କରିବା । ଆମେ କେବେ ହେଲେ ଆମ ଖବରକାଗଜବାଲାକୁ ପଚାରି ନ ଥିବୁ ଯେ, ଭାଇ କେମିତି ଅଛ ? ତୁମର କେତୋଟି ପିଲା ଛୁଆ ? ପଢୁଛନ୍ତି କି ନାହିଁ ? କ୍ଷୀରବାଲା ଆସୁଛି, ଡାକବାଲା ଆସୁଛି, ଚିଠି ଦେଇ ଯାଉଛି । ଏମାନଙ୍କୁ କେବେ ତାଙ୍କ ସୁଖ-ଦୁଃଖ କଥା ପଚାରିଛନ୍ତି । ଆପଣଙ୍କ ଆଖ-ପାଖରେ ଥିବା ଏହି ଲୋକମାନଙ୍କୁ ଥରେ ପଚାରି ଦେଖନ୍ତୁ ତ ? ଆପଣ ଦେଖିବେ, ସେବାକାର୍ଯ୍ୟ ପାଇଁ ପ୍ରଧାନମନ୍ତ୍ରୀଙ୍କ ଭାଷଣର ଆବଶ୍ୟକତା ରହିବ ନାହିଁ । ଆପଣଙ୍କ ପାଖରେ ଠିଆ ହୋଇଥିବା ଲୋକର ଉତ୍ତର ହିଁ ଆପଣଙ୍କୁ କିଛି କରିବାର ପ୍ରେରଣା ଯୋଗାଇବ । ଯଦି ଆପଣ ଏତିକି କଲେ, ତେବେ ମୋର ବିଶ୍ୱାସ ଯେ ଆପଣ ଦେଶର ହିତ ପାଇଁ ଅନେକ କିଛି କରିପାରିବେ । ସମୟ ବହୁତ ହେଲାଣି, ଏଠାରେ ଶେଷ କରିବାକୁ ପଡିବ । ଆପଣମାନଙ୍କ ସହ ସାକ୍ଷାତର ସୁଯୋଗ ମିଳିଲା, ମୋତେ ବହୁତ ଭଲ ଲାଗିଲା । ଯେଉଁମାନଙ୍କୁ ଆଜି ସମ୍ମାନିତ କରିବାର ସୁଯୋଗ ମୋତେ ମିଳିଲା, ଯେଉଁମାନଙ୍କ ଅବଦାନ ରହିଛି, ଯେଉଁମାନଙ୍କର ଉପଲବ୍ଧି ରହିଛି ସେମାନଙ୍କୁ ମୁଁ ଅଭିନନ୍ଦନ ଜଣାଉଛି । କିନ୍ତୁ ଅନ୍ୟମାନେ ମଧ୍ୟ, ଯେଉଁମାନେ ପରିଶ୍ରମ କରୁଛନ୍ତି ଏବଂ ଏଥିରେ ସାମିଲ ହେଉଛନ୍ତି ତାହା ଦ୍ୱାରା ସରକାର ସଚେତନ ହେଉଛନ୍ତି । ଆଜିର ସବୁଠାରୁ ବଡ ଶକ୍ତି ହେଲା ଟେକ୍ନୋଲୋଜି । ଦିନ ଥିଲା କିଛି ଲୋକ ରାତି ଦିନ ଆମକୁ ଉପଦେଶ ଦେଉଥିଲେ ଏଇଟା ଭଲ, ସେଇଟା ଭଲ, ଏମିତି କରିବା ଉଚିତ, ସେମିତି ଅନୁଚିତ, ଦେଶବାସୀଙ୍କୁ କହୁଥିଲେ, ନାଗରିକମାନଙ୍କୁ କହୁଥିଲେ, କ୍ରୀଡାବିତମାନଙ୍କୁ କହୁଥିଲେ, ସମସ୍ତଙ୍କୁ କହୁଥିଲେ ।

ଆଜି ଆପଣଙ୍କ ହାତରେ ଏମିତି ଶକ୍ତି ରହିଛି ଯେ, ଆପଣ ତାଙ୍କୁ କହିପାରିବେ ଯେ, ଆପଣ ମିଛ କହୁଛନ୍ତି – ପ୍ରକୃତରେ ସତ ହେଉଛି ଏହା । ଏହି ଶକ୍ତି ଛୋଟ କଥା ନୁହେଁ । ଦିନ ଥିଲା, ପ୍ରଧାନମନ୍ତ୍ରୀ କିଛି କହିଦେଲେ କୁହାଯାଉଥିଲା ଯେ, ସେ ଦେଶକୁ ବାର୍ତ୍ତା ଦେଲେ । ସେ କହିଦେଲେ, ଲୋକେ ଶୁଣିନେଲେ । ଭଲ ଲାଗିଲେ ଠିକ୍, ନ ଲାଗିଲେ ଠିକ୍ । ଆଜି ପ୍ରଧାନମନ୍ତ୍ରୀ କହିଲେ ତିନି ମିନିଟରେ ଏହାର ଉତ୍ତର ଆସିଯାଉଛି ଯେ, ଆପଣ ଯାହା କହିଲେ ଠିକ୍, କିନ୍ତୁ ଆପଣ ଦଶ ବର୍ଷ ଆଗରୁ ଏମିତି କରୁଥିଲେ କି ? ଏଭଳି ପ୍ରଶ୍ନ ଆସୁଛି । ଏହା ହିଁ ଶକ୍ତି ।

ଆମେ ତ ସାର୍ବଜନୀନ ଜୀବନରେ ସମାଲୋଚନା ସହି ସହି ବଡ ହୋଇଛୁ । ତାହା ତ ଗଣତନ୍ତ୍ରର ବିଶେଷତ୍ୱ । କିନ୍ତୁ ଅନେକ ଲୋକ ଅଛନ୍ତି ଯେଉଁମାନେ ସମାଲୋଚନା ସହି ପାରନ୍ତି ନାହିଁ । ଶୁଣିଲେ ତାଙ୍କୁ ଜର ହୋଇଯାଏ । ମୁଁ ଆଶ୍ଚର୍ଯ୍ୟଚକିତ, କାରଣ ସେମାନେ ଏତେଦିନ ଯାଏ କେବଳ ଉପଦେଶ ଦେବାର ହିଁ ସୁଯୋଗ ପାଇଥିଲେ । ଆମ ସମସ୍ତଙ୍କୁ ସମାଲୋଚନା ସ୍ୱୀକାର କରିବାକୁ ପଡିବ, ଏହାକୁ ବୁଝିବା ଆବଶ୍ୟକ । ମୁଁ ଭାବୁଛି ଯେ ଏହା ଟେକ୍ନୋଲୋଜୀର ପ୍ଲାଟଫର୍ମ । ଏହା ଆମକୁ ଶିକ୍ଷିତ କରୁଛି, ସଂସ୍କାରସମ୍ପନ୍ନ କରୁଛି । ଆମେ ନିଜର ଦୋଷ-ଦୁର୍ବଳତାକୁ ଅନ୍ୟର ମାଧ୍ୟମରେ ଜାଣିପାରୁ । ବେଳେବେଳେ ନିକଟରେ ଥିବା ବନ୍ଧୁ ମଧ୍ୟ ଚିନ୍ତା କରନ୍ତି ଯେ, ଏ କଥା କହିବି କି ନାହିଁ, ହୁଏତ ଖରାପ ଭାବିବେ । ହେଲେ ଆଜି ତ ସେ କହିଦେଉଛି – ମୋଦୀ ଜୀ ଆଉ ସବୁ କଥା ଠିକ୍ କିନ୍ତୁ ଉତ୍ତରଗୁଡିକ ଖୁବ ଲମ୍ବା ଥିଲା । ଏ କଥା ଲେଖିବାରେ ସେ ଆଦୌ ସଙ୍କୋଚବୋଧ କରୁନାହାନ୍ତି । ଏ କଥା ମଧ୍ୟ କହିଦେବ ଯେ, ମୋଦୀ ଜୀ ଆପଣ ଏହା କହିଲେ, କିନ୍ତୁ ତାହା ଠିକ ନୁହେଁ । ଏହାହିଁ ସଶକ୍ତିକରଣ । ମାଇ-ଗଭ ଦ୍ୱାରା ସରକାରଙ୍କୁ ଜନ ସହଭାଗିତାରେ ଚଳାଇବାର ଚିନ୍ତାଧାରା ରହିଛି । ଲକ୍ଷେ ଲୋକ ସାମିଲ ହୋଇଛନ୍ତି, କୋଟିଏଙ୍କୁ ଅପେକ୍ଷା ରହିଛି ଏବଂ ଆପଣମାନଙ୍କ ପ୍ରଚେଷ୍ଟାରେ ଏସବୁ ହେବ ।

ବହୁତ ବହୁତ ଧନ୍ୟବାଦ ।