Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ମାନିଲାରେ ଆସିଆନ ବ୍ୟବସାୟ ଓ ନିବେଶ ସମ୍ମିଳନୀକୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ (ନଭେମ୍ବର 13, 2017)

ମାନିଲାରେ ଆସିଆନ ବ୍ୟବସାୟ ଓ ନିବେଶ ସମ୍ମିଳନୀକୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ (ନଭେମ୍ବର 13, 2017)

ମାନିଲାରେ ଆସିଆନ ବ୍ୟବସାୟ ଓ ନିବେଶ ସମ୍ମିଳନୀକୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ (ନଭେମ୍ବର 13, 2017)


ଶ୍ରୀମାନ ଜୋଏ କନସେପ୍ସିୟନ୍

ଅଧ୍ୟକ୍ଷ, ଆସିଆନ ବ୍ୟବସାୟ ପରାମର୍ଶଦାତା ପରିଷଦ

ମହାମହିମଗଣ

ଦେବୀ ଓ ସଜ୍ଜନମଣ୍ଡଳୀ

ମୁଁ ଆରମ୍ଭରୁ ହିଁ ବିଳମ୍ବ ପାଇଁ କ୍ଷମା ମାଗୁଛି । ବ୍ୟବସାୟରେ ବି ରାଜନୀତି ଭଳି ସମୟ ଓ ସମୟର ପାଳନ ଉଭୟ ବହୁତ ମହତ୍ୱପୂର୍ଣ୍ଣ ହୋଇଥାଏ । କିନ୍ତୁ ବେଳେବେଳେ ନିଜର ସମ୍ପୂର୍ଣ୍ଣ ଚେଷ୍ଟା ସତ୍ତ୍ୱେ ଆମେ କିଛି କରିପାରୁନଥାଉ । ମୋତେ ଫିଲିପାଇନ୍ସକୁ ନିଜର ପ୍ରଥମ ଗସ୍ତରେ ମାନିଲା ପହଂଚି ଅତ୍ୟନ୍ତ ଖୁସି ଲାଗୁଛି ।

ଭାରତ ଓ ଫିଲିପାଇନ୍ସ ମଧ୍ୟରେ ଅନେକ କିଛି ସମାନତା ରହିଚି :

– ଆମେ ଉଭୟ ବହୁଳବାଦୀ ସମାଜ ଓ ଆକର୍ଷଣୀୟ ଗଣତନ୍ତ୍ର ।

– ବିଶ୍ୱରେ ଆମର ଅର୍ଥବ୍ୟବସ୍ଥା ଦ୍ରୁତ ଗତିରେ ବଢ଼ୁଥିବା ଅର୍ଥବ୍ୟବସ୍ଥା

-ଆମ ପାଖରେ ନୂଆ ଉଦ୍ଭାବନ ଓ ଉଦ୍ୟମୀ ଯୁବଗୋଷ୍ଠୀ ଓ ମହତ୍ୱାକାଂକ୍ଷୀ ଜନସଂଖ୍ୟା ଅଛି

– ଭାରତ ଭଳି ଫିଲିପାଇନ୍ସ ମଧ୍ୟ ସେବା କ୍ଷେତ୍ରର ପାୱାର ହାଉସ୍ ।

ଆଉ ଭାରତ ଭଳି ଫିଲିପାଇନ୍ସରେ ସରକାର ବି ପରିବର୍ତ୍ତନ ଚାହୁଁଛି । ସାମଗ୍ରିକ ବିକାଶ, ଭିତ୍ତିଭୂମି ବିକାଶ ଓ ଦୁର୍ନୀତି ବିରୋଧରେ ଲଢ଼ିବାକୁ ଚାହୁଁଛି । ଆମର ଅନେକ ଶୀର୍ଷ ଆଇଟି କମ୍ପାନୀ ଏଠି ପୁଞ୍ଜିନିବେଶ କରିଛନ୍ତି । ଏହି କମ୍ପାନୀଗୁଡ଼ିକ ହଜାର ହଜାର ନିଯୁକ୍ତି ସୃଷ୍ଟି ଓ ସମଗ୍ର ବିଶ୍ୱରେ ଫିଲିପାଇନ୍ସର ସେବା କ୍ଷେତ୍ରକୁ ପ୍ରୋତ୍ସାହିତ କରୁଛନ୍ତି ।

ବନ୍ଧୁଗଣ,

ଆଜି ସକାଳେ ଆସିଆନ୍ ଶିଖର ସମ୍ମିଳନୀର ଉଦ୍ଘାଟନ ସମାରୋହରେ ଆମେ ରାମାୟଣ ଉପରେ ଆଧାରିତ ଅତି ସୁନ୍ଦର ନୃତ୍ୟ ନାଟକ ‘ରାମ ହରି’ ଦେଖିଥିଲୁ । କିଭଳି ଐତିହାସିକ ଦୃଷ୍ଟିକୋଣରୁ ଭାରତ ଓ ଆସିଆନ୍ ର ଲୋକ ପରସ୍ପର ସହ ଜଡ଼ିତ ତାହା ସେଥିରେ ପ୍ରଦର୍ଶନ କରାଯାଇଥିଲା । ଏହି ବନ୍ଧନ କେବଳ ଐତିହାସିକ ବନ୍ଧନ ନୁହେଁ । ଏହା ଏକ ଜୀବନ୍ତ ମିଳିତ ଐତିହ୍ୟ । ମୋ’ ସରକାରଙ୍କ ଏକ୍ଟ ଇଷ୍ଟ ନୀତି ଏହି କ୍ଷେତ୍ରକୁ ସହଯୋଗର କେନ୍ଦ୍ରବିନ୍ଦୁ କରିଛି । ଆସିଆନ୍ ଅଂଚଳର ପ୍ରତ୍ୟେକ ଦେଶ ସହ ଆମର ଭଲ ରାଜନୀତିକ ଓ ଲୋକଙ୍କ ସହ ଲୋକଙ୍କ ସମ୍ପର୍କ ରହିଛି । ସେହି ସ୍ତରକୁ ଆମେ ଆମର ଆର୍ଥିକ ଓ ବ୍ୟବସାୟିକ ସମ୍ପର୍କ ଆଣିବାକୁ ଚାହୁଁଛୁ ।

ବନ୍ଧୁଗଣ

ଅଦ୍ଭୂତପୂର୍ବ ଭାବେ ଭାରତକୁ ପରିବର୍ତ୍ତନ କରିବାର କାମ କରାଯାଉଛି । ଆମେ ସହଜ, ପ୍ରଭାବୀ ଓ ପାରଦର୍ଶୀ ଶାସନ ସହିତ ସୁଶାସନ ସୁନିଶ୍ଚିତ କରିବା ପାଇଁ ଦିନ-ରାତି କାମ କରୁଛୁ ।

ଉଦାହରଣ ସ୍ୱରୂପ ଆମେ ଦୂରସଂଚାର ସ୍ପେକ୍ଟ୍ରମ ସମେତ କୋଇଲା ଖଣି ଓ ଅନ୍ୟ ଖଣି ସାମଗ୍ରୀ ଏବଂ ଏପରିକି ଘରୋଇ ରେଡିଓ ଚ୍ୟାନେଲ ସମେତ ପ୍ରାକୃତିକ ସମ୍ବଳ ନିମନ୍ତେ ଖୋଲା ନିଲାମୀ ବ୍ୟବସ୍ଥା ଆରମ୍ଭ କରିଛୁ । ଏଥିରେ ରାଜସ୍ୱରେ 75 ବିଲିୟନ ଆମେରିକୀୟ ଡଲାର ମିଳିଛି । ଟେକ୍ନୋଲଜିର ଉପଯୋଗ କରି ଆମେ ଉତ୍ତରଦାୟିତ୍ୱ ବଢ଼ାଇବା ସହ ଇଚ୍ଛାଧୀନ ଓ ଭ୍ରଷ୍ଟାଚାରକୁ ହ୍ରାସ କରୁଛୁ । ଏଥିପାଇଁ ଆମେ ଆର୍ଥିକ ଦେଣନେଣ ଓ ଟିକସ ବ୍ୟବସ୍ଥାରେ ଅଭିନବ ପରିଚୟପତ୍ର ବ୍ୟବସ୍ଥାର ଉପଯୋଗ କରୁଛୁ ଆଉ ଏହାର ପରିଣାମ ଦେଖିବାକୁ ମିଳିଛି । ଉଚ୍ଚ ମୂଲ୍ୟର ନୋଟ୍ ଅସିଦ୍ଧ କରିବା ସହ ଏହି ପଦକ୍ଷେପ ଦ୍ୱାରା ଆମେ ନିଜର ଅର୍ଥବ୍ୟବସ୍ଥାରେ ବୃହତ୍ ଭାଗକୁ ଆନୁଷ୍ଠାନିକ ରୂପ ଦେଉଛୁ । ଆୟକର ରିଟର୍ଣ୍ଣ ଦାଖଲ କରୁଥିବା ଟିକସଦାତାଙ୍କ ସଂଖ୍ୟା ଦ୍ୱିଗୁଣରୁ ଅଧିକ ହୋଇଛି । ସ୍ୱଳ୍ପ-ନଗଦ ଅର୍ଥବ୍ୟବସ୍ଥା ଆଡ଼କୁ ବଢ଼ିବା ସହ ବର୍ଷକ ମଧ୍ୟରେ ଡିଜିଟାଲ ଦେଣନେଣରେ 34 ପ୍ରତିଶତ ବୃଦ୍ଧି ହୋଇଛି । ଆମେ ଟେକ୍ନୋଲଜିର ଉପଯୋଗ ଲୋକଙ୍କ ନିକଟରେ ପହଂଚାଇବା ପାଇଁ କାମ କରୁଛୁ । ଅନ୍-ଲାଇନ ନାଗରିକ ଭାଗିଦାରୀ ମଂଚ ‘ମାଇଗଭ୍’ରେ 2 ନିୟୁତ ଅତି ସକ୍ରିୟ ନାଗରିକଙ୍କଠାରୁ ସରକାରଙ୍କ ନୀତି ଓ କାର୍ଯ୍ୟକ୍ରମ ସମ୍ପର୍କରେ ବିଚାର ଓ ପରାମର୍ଶ ତଥା ଅଭିମତ (Input) ମିଳିଛି ।

ଆମେ ପ୍ରଗତି ନାମକ ନୂଆ ଫ୍ରେମୱାର୍କ ଆରମ୍ଭ କରିଛୁ । ଯାହା ଅତି ସକ୍ରିୟ ପ୍ରଶାସନ ଓ ସମୟବଦ୍ଧ କାର୍ଯ୍ୟକାରିତା ପାଇଁ ଉଦ୍ଦିଷ୍ଟ । ଏହି ବ୍ୟବସ୍ଥାରେ ମୁଁ ସମଗ୍ର ଦେଶର ଅଧିକାରୀଙ୍କ ସହ ଭିଡିଓ କନଫେରେନ୍ସିଂ ମାଧ୍ୟମରେ ବିଭିନ୍ନ ପରିଯୋଜନାର କାର୍ଯ୍ୟକାରିତା ଓ ସାଧାରଣ ଲୋକଙ୍କ ଅଭିଯୋଗର ସମାଧାନ ନେଇ ସମୀକ୍ଷା କରିପାରୁଛି । ସର୍ବନିମ୍ନ ସରକାର ଓ ସର୍ବାଧିକ ପ୍ରଶାସନ ଉପରେ ଗୁରୁତ୍ୱ ଦେଇ 3ବର୍ଷ ମଧ୍ୟରେ 1200 ପୁରୁଣା ଆଇନକୁ ଉଚ୍ଛେଦ କରାଯାଇଛି ।

ଦେବାଳିଆ ଓ ଆଇପିଆଇ ତଥା ମଧ୍ୟସ୍ଥତା ପାଇଁ ନୂଆ ଆଇନ ଓ ପ୍ରତିଷ୍ଠାନ ସ୍ଥାପନ କରାଯାଇଛି । 36ଟି ଉଦ୍ୟୋଗକୁ ପରିବେଶ ମଞ୍ଜୁରିର ଆବଶ୍ୟକତା ପରିସରରୁ ବାଦ୍ ଦିଆଯାଇଛି । ଏବେ କମ୍ପାନୀ ସ୍ଥାପନ ଗୋଟିଏ ଦିନର ବ୍ୟାପାର ହୋଇଛି । ଆମେ ଔଦ୍ୟୋଗିକ ଲାଇସେନ୍ସ ପ୍ରଣାଳୀକୁ ସରଳ କରିଛୁ ତଥା ପରିବେଶ ଓ ଜଙ୍ଗଲ ମଞ୍ଜୁରି ପାଇଁ ଅନ୍-ଲାଇନ ଆବେଦନ ପ୍ରକ୍ରିୟା ଆରମ୍ଭ କରିଛୁ । ଏହି ସମସ୍ତ ପଦକ୍ଷେପ ଦ୍ୱାରା ନୂଆ ବ୍ୟବସାୟ ଆରମ୍ଭ କରିବା ସହଜ ହୋଇଯାଇଛି । ପରିଣାମ ମଧ୍ୟ ସ୍ପଷ୍ଟ ମିଳୁଛି ।

ଭାରତ ଚଳିତବର୍ଷ ବିଶ୍ୱ ବ୍ୟାଙ୍କର ଇଜି ଅଫ୍ ଡୁଇଙ୍ଗ୍ ସୂଚକାଙ୍କରେ 32 ସ୍ଥାନ ଉପରକୁ ଉଠିଛି । କୌଣସି ରାଷ୍ଟ୍ରର ଏହା ସବୁଠାରୁ ଲମ୍ବା ଡିଆଁ ଓ ଏହା ଭାରତର ଦୀର୍ଘକାଳୀନ ସୁଧାର ମାର୍ଗକୁ ମାନ୍ୟତା ମଧ୍ୟ ଦେଉଛି ।

ଆଉ ଏ ଦିଗରେ ବିଶ୍ୱର ଧ୍ୟାନକେନ୍ଦ୍ରିତ କରିଛୁ :

– ବିଶ୍ୱ ଆର୍ଥିକ ଫୋରମ୍ ର ଆନ୍ତର୍ଜାତିକ ପ୍ରତିଯୋଗିତା ସୂଚକାଙ୍କରେ ଆମେ ଗତ 2ବର୍ଷ ମଧ୍ୟରେ 32ଟି ସ୍ଥାନ ଆଗକୁ ବଢ଼ିଛୁ ।

– ଆମେ 6ବର୍ଷ ଧ୍ୟରେ WIPO ର ବିଶ୍ୱ ଉଦ୍ଭାବନ ସୂଚକାଙ୍କରେ 32ଟି ସ୍ଥାନ ଆଗକୁ ବଢ଼ିଛୁ

– ଆମେ ବିଶ୍ୱ ବ୍ୟାଙ୍କର ଲଜିଷ୍ଟିକ ପ୍ରଦର୍ଶନ ସୂଚକାଙ୍କ-2016ରେ 19 ସ୍ଥାନ ଉପରକୁ ଉଠିଛୁ ।

ବନ୍ଧୁଗଣ,

ଏବେ ଆମର ଅର୍ଥବ୍ୟବସ୍ଥାର ଅଧିକାଂଶ କ୍ଷେତ୍ର ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ(FDI) ପାଇଁ ଉନ୍ମୁକ୍ତ ହୋଇଛି । ଏଫଡିଆଇ କ୍ଷେତ୍ରର 90 ପ୍ରତିଶତରୁ ଅଧିକ ସ୍ୱତଃ ମଞ୍ଜୁରି ପରିସରରେ ଆସୁଛି । ଭାରତ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ ଆକର୍ଷଣ କରିବା ପାଇଁ ଅଗ୍ରଣୀ ଭାବେ ଉଭା ହୋଇଛି । ଆମେ ଗତ 3ବର୍ଷ ତୁଳନାରେ ଚଳିତବର୍ଷ 67 ପ୍ରତିଶତରୁ ଅଧିକ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ ପ୍ରାପ୍ତ କରିଛୁ । ଏବେ ଆମେ ବିଶ୍ୱସ୍ତରରେ ଏକୀକୃତ ଅର୍ଥବ୍ୟବସ୍ଥା ଅଟୁ । ନିକଟରେ କେତେକ ବଡ଼ ସୁଧାର ପୂର୍ବରୁ ଏହି ଉପଲବ୍ଧ ହାସଲ କରିଛୁ ।

ଚଳିତବର୍ଷ ଜୁଲାଇରେ ଆମେ ସମଗ୍ର ଦେଶରେ ସର୍ବାଧିକ ଜଟିଳ ଟିକସ ପରିବର୍ତ୍ତେ  ଏକକ ସାମଗ୍ରୀ ଓ ସେବାକର(GST) ପ୍ରଣାଳୀ ଲାଗୁ କରିଛୁ । ସମଗ୍ର ଭାରତରେ ଅନେକ ରାଜ୍ୟସ୍ତରୀୟ ଓ କେନ୍ଦ୍ରସ୍ତରୀୟ ଟିକସକୁ ସମାପ୍ତ କରିଦିଆଯାଇଛି । ଆମର ଦେଶର ବିଶାଳତା ଓ ବିବିଧତା ଏବଂ ସଂଘୀୟ ସ୍ୱଭାବ ଦୃଷ୍ଟିରୁ ଏହା ଛୋଟିଆ ଉପଲବ୍ଧ ନୁହେଁ । ଏହା ସହିତ ଆମେ ମଧ୍ୟ ବିଶ୍ୱାସ କରୁଛୁ ଯେ ଏହା ଯଥେଷ୍ଟ ନୁହେଁ ।

ବନ୍ଧୁଗଣ, ଭାରତର ବୃହତ୍ ଜନସଂଖ୍ୟା ପାଖରେ ବ୍ୟାଙ୍କିଙ୍ଗ ସେବା ପହଂଚି ପାରିନଥିଲା । ଏଥିଯୋଗୁ ସେମାନଙ୍କୁ ସଂଚୟର ସୁଯୋଗ ତଥା ସଂସ୍ଥାଗତ ଋଣରୁ ବଂଚିତ ହେବାକୁ ପଡ଼ୁଥିଲା । ଜନଧନ ଯୋଜନାର କିଛି ମାସ ଭିତରେ ହିଁ ଲକ୍ଷ ଲକ୍ଷ ଭାରତୀୟଙ୍କ ଜୀବନରେ ପରିବର୍ତ୍ତନ ଆସିଛି । ଗୋଟିଏ ବର୍ଷ ଭିତରେ 197 ନିୟୁତ ବ୍ୟାଙ୍କ ଜମାଖାତା ଖୋଲିଛି ।

ଚଳିତବର୍ଷ ଅଗଷ୍ଟ ସୁଦ୍ଧା ଭାରତୀୟ ବ୍ୟାଙ୍କରେ ଏଭଳି 290 ନିୟୁତ ଏକାଉଣ୍ଟ ଖୋଲାଯାଇଛି । ସହଜ ସ୍ୱଳ୍ପ-ନଗଦ ଦେଣନେଣ ପାଇଁ ପ୍ରାୟ 200 ନିୟୁତ ରୂପେ କାର୍ଡ (RuPay Card)ଜାରି କରାଯାଇଛି । ଗରିବ ଲୋକଙ୍କ ପାଖରେ ପହଞ୍ଚିଥିବା ବ୍ୟାଙ୍କ ସେବା ଏବେ ସରକାରଙ୍କ ଭ୍ରଷ୍ଟାଚାର ମୁକାବିଲା କାର୍ଯ୍ୟରେ ଏହା ପ୍ରମୁଖ ଭୂମିକା ଗ୍ରହଣ କରିଛି । ଏବେ ଗରିବଙ୍କ ପାଇଁ ଉଦ୍ଦିଷ୍ଟ ସବସିଡିକୁ ସିଧାସଳଖ ସେମାନଙ୍କ ଏକାଉଣ୍ଟରେ (ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର ଭାବେ) ଜମା କରାଯାଉଛି । ଫଳରେ ସବସିଡି ଚୋରି ସମାପ୍ତ ହୋଇଛି ଓ କୌଣସି ପ୍ରକାର ଭେଦଭାବର ସମ୍ଭାବନା ରହିନାହିଁ । କେବଳ ରନ୍ଧନ ଗ୍ୟାସ ମାମଲାରେ ବ୍ୟାଙ୍କ ଏକାଉଣ୍ଟ ମାଧ୍ୟମରେ 146 ନିୟୁତ ଲୋକ ସିଧାସଳଖ ନଗଦ ସବସିଡି ପାଉଛନ୍ତି । ଏବେ ସରକାର 59ଟି ଭିନ୍ନ ଭିନ୍ନ ଯୋଜନା ପାଇଁ ପ୍ରତ୍ୟକ୍ଷ ସୁବିଧା ହସ୍ତାନ୍ତର (ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର) ଉପାୟ ଉପଯୋଗ କରୁଛନ୍ତି । ହିତାଧିକାରୀଙ୍କ ବ୍ୟାଙ୍କ ଏକାଉଣ୍ଟରେ ସିଧାସଳଖ 10 ନିୟୁତ ଆମେରିକୀୟ ଡଲାର ସବସିଡି ସ୍ଥାନାନ୍ତର କରାଯାଉଛି ।

ବନ୍ଧୁଗଣ

ଏହି ଶିଖର ସମ୍ମିଳନୀର ମୁଖ୍ୟ ବିଷୟ ହେଉଛି ଉଦ୍ୟୋଗୀ । ଆମେ ମେକ୍ ଇନ୍ ଇଣ୍ଡିଆ ନାମକ ଅଭିଯାନ ଆରମ୍ଭ କରିଛୁ । ଏହା ମାଧ୍ୟମରେ ଆମେ ଭାରତକୁ ବିଶ୍ଵ ମୂଲ୍ୟ ଶୃଙ୍ଖଳା (World Value Chain)ରେ ପ୍ରମୁଖ ଭାଗିଦାରୀ ଭାବେ ବଦଳାଇବାକୁ ସଂକଳ୍ପବଦ୍ଧ । ଆମେ ଭାରତକୁ ଆନ୍ତର୍ଜାତିକ ବିନିର୍ମାଣ କେନ୍ଦ୍ର କରିବାକୁ ଚାହୁଁଛୁ । ଏହା ସହିତ ଆମେ ଚାହୁଁଛୁ କି ଆମର ଯୁବବର୍ଗ କେବଳ ରୋଜଗାର ଆଶାୟୀ ନହୋଇ ରୋଜଗାର ସୃଷ୍ଟିକାରୀ ହେବେ । ଏଥିପାଇଁ ଆମେ ଷ୍ଟାର୍ଟଅପ୍ ଇଣ୍ଡିଆଷ୍ଟାଣ୍ଡଅପ୍ ଇଣ୍ଡିଆ ଅଭିଯାନ ଆରମ୍ଭ କରିଛୁ । ଛୋଟ ଉଦ୍ୟୋଗୀଙ୍କ ଉଦ୍ୟମୀ ଶକ୍ତିକୁ ଉନ୍ମୁକ୍ତ କରିବା ପାଇଁ ଏକ ପ୍ରମୁଖ ପ୍ରତିବନ୍ଧକ ହେଉଛି ଅର୍ଥ ପାଇଁ ଗ୍ୟାରେଂଟିର ଅଭାବ । ଭାରତରେ ପ୍ରଥମଥର ପାଇଁ ମୁଦ୍ରା ଯୋଜନା ଅନ୍ତର୍ଗତ ଗ୍ୟାରେଂଟିମୁକ୍ତ ଋଣ 90 ନିୟୁତରୁ ଅଧିକ ଛୋଟ ଉଦ୍ୟୋଗୀଙ୍କୁ ଦିଆଯାଇଛି । ଏହା ଅର୍ଥବ୍ୟବସ୍ଥାରେ ଛୋଟ ଉଦ୍ୟୋଗୀଙ୍କ ଯୋଗଦାନକୁ ମାନ୍ୟତା ଦେଉଛି ଓ ଏଭଳି ବ୍ୟକ୍ତିଙ୍କୁ ସଶକ୍ତ କରୁଛି ଯାହାଙ୍କ ପାଖରେ କାର୍ଯ୍ୟକ୍ଷମ ବ୍ୟବସାୟର ଚିନ୍ତାଧାରା ରହିଛି କିନ୍ତୁ କୌଣସି ପ୍ରକାରର ଗ୍ୟାରେଂଟି ନାହିଁ । ମୁଁ ଫିଲିପାଇନ୍ସ ଓ ଆସିଆନ୍ ଅଂଚଳରେ ଉଦ୍ୟୋଗୀଙ୍କୁ ଦିଆଯାଉଥିବା ଗୁରୁତ୍ୱକୁ ଦେଖୁଛି । ଏହି ଶିଖର ସମ୍ମିଳନୀରେ ଉଦ୍ୟୋଗୀଙ୍କ ପାଇଁ ଆସିଆନ ପୃଷ୍ଠପୋଷକତା(Mentorship) ପ୍ରଂଶସନୀୟ ପଦକ୍ଷେପ । ବାସ୍ତବରେ ନିକଟ ଭବିଷ୍ୟତରେ ବିଶ୍ୱ ବିକାଶର ଇଞ୍ଜିନ ଦକ୍ଷିଣ ଓ ଦକ୍ଷିଣ-ପୂର୍ବ ଏସିଆ ହେବ । ତେଣୁ ଆସିଆନ୍ ସହ ଯୋଗାଯୋଗ ସ୍ଥାପନ ହେଉଛି ଭାରତର ମୁଖ୍ୟ ଉଦ୍ଦେଶ୍ୟ । ଆମେ ଏହି ଅଂଚଳରେ ଭୂମି, ସମୁଦ୍ର ଓ ଆକାଶପଥ ସମ୍ପର୍କ ସ୍ଥାପନ ଚାହୁଁଛୁ । ଦକ୍ଷିଣ-ପୂର୍ବ ଏସିଆର ଅନ୍ୟ ଦେଶଗୁଡ଼ିକ ସହ ଯୋଡ଼ି ହେବାପାଇଁ ମିଆଁମାର ଓ ଥାଇଲ୍ୟାଣ୍ଡ ମାଧ୍ୟମରେ ତ୍ରିପାକ୍ଷିକ ରାଜପଥ ନିର୍ମାଣ କରିବାର କାର୍ଯ୍ୟ ଜାରି ରହିଛି ।

ଆମେ ଭାରତ ଓ ଆସିଆନ ମଧ୍ୟରେ ସାମୁଦ୍ରିକ ପରିବହନ ଉପରେ ବୁଝାମଣା ଶୀଘ୍ର ସମ୍ପନ୍ନ କରାଇବା ନିମନ୍ତେ କାମ କରୁଛୁ ।  ନିଜର ନିକଟତମ ସାମୁଦ୍ରିକ ପଡ଼ୋଶୀଙ୍କ ସହ ଉପକୂଳ ଜାହାଜ ଚଳାଚଳ ସେବାର ସମ୍ଭାବନା ଅନ୍ୱେଷଣ କରୁଛୁ । ଆକାଶମାଗରେ ସମ୍ପର୍କ କ୍ଷେତ୍ରରେ ଆସିଆନ ରାଷ୍ଟ୍ରଗୁଡ଼ିକ ଭାରତର 4ଟି ମେଟ୍ରୋ ସହର ଓ 18ଟି ଅନ୍ୟ ସ୍ଥାନକୁ ଦୈନିକ ସେବା ପ୍ରଦାନ କରୁଛନ୍ତି । ଆମେ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ପାଇଁ ଇଲେକ୍ଟ୍ରୋନିକ ଭିସା ଭଳି ପଦକ୍ଷେପ ନେଇଛୁ । ସମ୍ପର୍କର ପ୍ରମୁଖତାକୁ ଦୃଷ୍ଟିରେ ରଖି ଭାରତ ସମସ୍ତ ଆସିଆନ ରାଷ୍ଟ୍ରର ମନ୍ତ୍ରୀ, ଅଧିକାରୀ ଓ ବ୍ୟବସାୟୀ ପ୍ରତିନିଧିଙ୍କ ପାଇଁ ଆସନ୍ତା ମାସରେ ନୂଆଦିଲ୍ଲୀରେ ଆସିଆନ-ଭାରତ ସମ୍ପର୍କ ଶିଖର ସମ୍ମିଳନୀର ଆୟୋଜନ କରୁଛି । ଭାରତ ଏହି କ୍ଷେତ୍ରରେ ବ୍ୟବସାୟର ସୁଯୋଗ ଦେଖୁଛି । ଆସିଆନ ବ୍ୟବସାୟୀ ସମୁଦାୟ ଭାରତରେ ବ୍ୟବସାୟର କ୍ଷମତା ରହିଛି ବୋଲି ସ୍ୱୀକାର କରୁଥିବାରୁ ମୁଁ ଆଶ୍ୱସ୍ତ । ଆପଣମାନଙ୍କ ମଧ୍ୟରୁ କେହି ଭାରତରେ ପୂର୍ବରୁ କାମ କରୁଥିବେ ଓ ଅନ୍ୟ ଲୋକମାନେ ଭାରତରେ ସମ୍ଭାବନା ଅନ୍ୱେଷଣ କରୁଥିବେ । ଆସନ୍ତାବର୍ଷ ଜାନୁୟାରୀରେ ଆସିଆନ ନେତାମାନଙ୍କ ଆସିଆନ-ଭାରତ ସ୍ମରଣୀୟ ଶିଖର ସମ୍ମିଳନୀ ସହ ଆମେ ଆସିଆନ ଭାରତ ବ୍ୟବସାୟ ଓ ପୁଞ୍ଜିନିବେଶ ବୈଠକ ଏବଂ ଏକ୍ସପୋ ମଧ୍ୟ ଆୟୋଜନ କରିବାକୁ ଯାଉଛୁ । ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ଏଥିରେ ସାମିଲ ହେବା ପାଇଁ ନିମନ୍ତ୍ରଣ କରୁଛି । ଏହା ଭାରତରେ ଆୟୋଜିତ ହେବାକୁ ଥିବା ସବୁଠାରୁ ବଡ଼ ଆସିଆନ-କେନ୍ଦ୍ରିତ ବ୍ୟବସାୟିକ ଆୟୋଜନ ହେବ । ଭାରତ ଆପଣଙ୍କ ବିକାଶ ଗାଥାରେ ଭାଗିଦାରୀର କାମନା କରୁଛି ଓ ଆସିଆନର ସମସ୍ତ ସଦସ୍ୟ ରାଷ୍ଟ୍ରଙ୍କୁ ନିଜର ବିକାଶ ଗାଥାରେ ସାମିଲ ହେବାର ନିମନ୍ତ୍ରଣ ଜଣାଉଛି ।

ମାବୁହାୟ!

ମରାମିଙ୍ଗ୍ ସଲାମାତ!

ଧନ୍ୟବାଦ ।

 

**********