Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ମାଲେସିଆ ପ୍ରଧାନମନ୍ତ୍ରୀଙ୍କ ସହ ମିଳିତ ସାମ୍ବାଦିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ବିବୃତି

ମାଲେସିଆ ପ୍ରଧାନମନ୍ତ୍ରୀଙ୍କ ସହ ମିଳିତ ସାମ୍ବାଦିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ବିବୃତି


ମହାମହିମ ପ୍ରଧାନମନ୍ତ୍ରୀ ଦାତୋ ଶ୍ରୀ ମହମ୍ମଦ ନଜିବ୍ ବିନ୍ ତୁନ୍ ଅବଦୁଲ ରଜାକ୍

ଗଣମାଧ୍ୟମର ସଦସ୍ୟ

ମହାମହିମ ମାଲେସିଆ ପ୍ରଧାନମନ୍ତ୍ରୀଙ୍କୁ ଭାରତରେ ସ୍ୱାଗତ ଜଣାଇ ମୁଁ ଅତ୍ୟନ୍ତ ଖୁସି ଅନୁଭବ କରୁଛି । ମୁଁ ଗତ 2015 ନଭେମ୍ବରରେ ମାଲେସିଆ ଗସ୍ତ କରିବା ସମୟରେ ଯେପରି ସ୍ୱାଗତ ସମ୍ବର୍ଦ୍ଧନା ପାଇଥିଲି ଆପଣଙ୍କ ଗସ୍ତ ମୋତେ ଏବଂ ଭାରତବାସୀଙ୍କୁ ସେପରି ସୁଯୋଗ ଦେଇଛି । ଆମ ସମ୍ପର୍କର ଏକ ଐତିହାସିକ କ୍ଷଣରେ ଆପଣ ଭାରତ ଗସ୍ତ କରିଛନ୍ତି । ଆମେ ଆମର କୂଟନୈତିକ ସମ୍ପର୍କର 60 ବର୍ଷ ପୂର୍ତ୍ତି ଉତ୍ସବ ପାଳନ କରୁଛୁ । ଏବଂ ମହାମହିମ, ଆମର ସମ୍ପର୍କକୁ ସ୍ଥିର, ଦୃଢ଼ ଏବଂ ଗଭୀର ଭାବେ ଆଗେଇ ନେବାରେ ଆପଣଙ୍କ ବ୍ୟକ୍ତିଗତ ଆଗ୍ରହ ଏବଂ ନେତୃତ୍ୱ ସହାୟକ ହୋଇପାରିଛି । ଭାରତ ସହ ବିସ୍ତୃତ ଯୋଜନାବଦ୍ଧ ଭାଗିଦାରୀତା ଆଗେଇ ନେବାରେ ଆପଣଙ୍କ ଅବଦାନ ଉପାଦେୟ ।

ବନ୍ଧୁଗଣ,

ମାଲେସିଆ ସହିତ ଆମର ସମ୍ପର୍କ ସଭ୍ୟତାପୂର୍ଣ୍ଣ ଏବଂ ଐତିହାସିକ । ଆମର ସମ୍ପର୍କ ଉନ୍ନତ ଏବଂ ବିବିଧ । ଆମର ସମାଜ ବିଭିନ୍ନ ସ୍ତରରେ ବାନ୍ଧି ହୋଇ ରହିଛି । ଆମର ସାଂସ୍କୃତିକ ଏବଂ ଧାର୍ମିକ ସମ୍ପର୍କ ଲୋକମାନଙ୍କ ମଧ୍ୟରେ ସମ୍ପର୍କକୁ ଆହୁରି ଦୃଢ଼ କରିଥାଏ । ମାଲେସିଆରେ ଥିବା ବୃହତ ଭାରତୀୟ ଗୋଷ୍ଠୀର ଯୋଗଦାନର ଏକ ସ୍ୱତନ୍ତ୍ର ମୂଲ୍ୟ ରହିଛି । ସେମାନେ କେବଳ ଆମର ସହଭାଗୀ ଐତିହ୍ୟକୁ ଆଗକୁ ନେଇନାହାନ୍ତି, ବରଂ ଅର୍ଥବ୍ୟବସ୍ଥାକୁ ସୁଦୃଢ଼ କରିବାରେ, ଦୁଇ ଦେଶର ଲୋକମାନଙ୍କ ମଧ୍ୟରେ ସମ୍ପର୍କକୁ ଆହୁରି ନିବିଡ଼ କରିଛନ୍ତି । ମୁଁ ଗତଥର ମାଲେସିଆ ଯାଇଥିବା ବେଳେ ପ୍ରଧାନମନ୍ତ୍ରୀ ନଜୀବ୍ ଓ ମୁଁ ମିଶି କୁଆଲାଲମ୍ପୁର ତୋରଣ ଗେଟ୍ ଉଦ୍ଘାଟନ କରିଥିଲୁ । ଏହା ସାଞ୍ଚି ସ୍ତୁପ ତୋରଣ ଗେଟ୍ ଶୈଳୀରେ ଡିଜାଇନ୍ ହୋଇଥିଲା ଏବଂ ଏହା ଆମ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କର ପ୍ରତୀକ ଥିଲା ।

ବନ୍ଧୁଗଣ,

ଆଜି ଆମର ବିସ୍ତୃତ ଦ୍ୱିପାକ୍ଷିକ ଆଲୋଚନା ସମୟରେ ପ୍ରଧାନମନ୍ତ୍ରୀ ନଜୀବ ଏବଂ ମୁଁ ଆମ ଦୁଇ ଦେଶ ମଧ୍ୟରେ ଥିବା ସାଂସ୍କୃତିକ, ଅର୍ଥନୈତିକ ଏବଂ କୂଟନୈତିକ ସମ୍ପର୍କ ଆଗକୁ ବଢ଼ାଇବା ଉପରେ ଗୁରୁତ୍ୱ ଦେଇଛୁ । ନଭେମ୍ବର 2015ରେ ମୁଁ ମାଲେସିଆ ଯାଇଥିବା ସମୟରେ ଆମେ ନେଇଥିବା ନିଷ୍ପତ୍ତିଗୁଡ଼ିକର ସ୍ଥିର ଅଗ୍ରଗତି ନେଇ ଆଲୋଚନା କରାଯାଇଥିଲା ଏବଂ ଦୁଇ ଦେଶର ରଣନୈତିକ ଭାଗିଦାରୀତା ବୃଦ୍ଧି ଲାଗି ପରସ୍ପରର ଦୂରଦୃଷ୍ଟି ସମ୍ପର୍କରେ ଆଲୋଚନା କରିଥିଲୁ । ଏହି ଦୂରଦୃଷ୍ଟି କାର୍ଯ୍ୟଉନ୍ମୁଖ ଆଭିମୁଖ୍ୟ ଉପରେ ଆଧାରିତ । ଏହି ପଦକ୍ଷେପ ଦ୍ୱାରା ଆମର ସହଭାଗୀତାକୁ ଅଧିକ ଦୃଢ଼ କରିବା, ନୂତନ କ୍ଷେତ୍ରରେ ସମ୍ପର୍କ ବୃଦ୍ଧି ଆମର ଲକ୍ଷ୍ୟ ରହିଛି ।

ବନ୍ଧୁଗଣ,

ଭାରତ ଓ ମାଲେସିଆ ଏକ ସମୃଦ୍ଧ ଅର୍ଥନୈତିକ ଭାଗିଦାରୀତା ନିର୍ମାଣ କରିଛନ୍ତି । ଏହାକୁ ଆହୁରି ଉଚ୍ଚ ସୋପାନକୁ ନେବା ଲାଗି, ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥବ୍ୟବସ୍ଥା – ଭାରତ ଅସମାନ୍ତରାଳ ସୁଯୋଗ ଯୋଗାଇ ଦେଉଛି । ଏବଂ ଆମ ସମାଜର ସମୃଦ୍ଧି ଦିଗରେ ନୂଆ ରାସ୍ତା ଖୋଲିବା ଲାଗି ଆମ ଦୁଇ ଦେଶର ଅର୍ଥବ୍ୟବସ୍ଥା ମଧ୍ୟରେ ବ୍ୟବସାୟିକ ସମ୍ପର୍କ ବୃଦ୍ଧି କରିବା ଏବଂ ପୁଞ୍ଜି ପ୍ରବାହ ବୃଦ୍ଧି ପାଇଁ ଆମେ ପ୍ରସ୍ତୁତ । ଭିତ୍ତିଭୂମି ଆମ ଦୁଇ ଦେଶ ମଧ୍ୟରେ ଫଳପ୍ରଦ ଭାଗିଦାରୀତାର ବିଷୟ । କିନ୍ତୁ ଆମେ ଆହୁରି ଅଧିକ କିଛି କରିପାରିବା । ଭାରତର ଭିତ୍ତିଭୂମି ଆବଶ୍ୟକତା ଏବଂ ସ୍ମାର୍ଟ ସିଟି ବିକାଶ ଲାଗି ଆମର ମହତ୍ତ୍ୱ।କାଂକ୍ଷୀ ଲକ୍ଷ୍ୟ ମାଲେସିଆ କ୍ଷମତା ସହ ମେଳ ଖାଉଛି । ଭାରତର ବିଭିନ୍ନ ରାଜ୍ୟରେ ଚାଲିଥିବା ଆମ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକରେ ମାଲେସିଆ କମ୍ପାନୀଗୁଡ଼ିକ ନିବେଶ କରିଛନ୍ତି । ଭାରତୀୟ କମ୍ପାନୀମାନେ ମଧ୍ୟ ମାଲେସିଆ ଅର୍ଥବ୍ୟବସ୍ଥାରେ ବିପୁଳ ନିବେଶ କରିଛନ୍ତି । ପ୍ରଧାନମନ୍ତ୍ରୀ ନଜୀବଙ୍କ ସହିତ ଉଚ୍ଚସ୍ତରୀୟ ବ୍ୟବସାୟୀ ପ୍ରତିନିଧି ମଣ୍ଡଳୀ ଆସିଥିବା ଦେଖି ମୁଁ ଖୁସି । ମୋର ଦୃଢ଼ ବିଶ୍ୱାସ ରହିଛି ଯେ ସେମାନେ ନିର୍ମାଣ କରିଥିବା ବ୍ୟବସାୟୀକ ସହଭାଗିତା ଆମର ବାଣିଜ୍ୟିକ ସମ୍ପର୍କକୁ ଆହୁରି ଆଗକୁ ନେବ । ଆମେ କୃଷକଙ୍କ କଲ୍ୟାଣ ସହ ସମ୍ପର୍କ ଥିବା ଖାଦ୍ୟ ସୁରକ୍ଷା କ୍ଷେତ୍ରରେ ମିଳିତ ଉଦ୍ୟମ କରୁଛୁ । ମାଲେସିଆରେ ଏକ ସାର କାରଖାନା ପ୍ରତିଷ୍ଠା ଲାଗି ପ୍ରସ୍ତାବିତ ଚୁକ୍ତିନାମା ହୋଇଛି ଏବଂ ଏହାଦ୍ୱାରା ବଳକା ୟୁରିଆ ମାଲେସିଆରୁ ଭାରତ ଆସିପାରିବ ।

ବନ୍ଧୁଗଣ,

ମାଲେସିଆର ୟୁଟିଏଆର ବିଶ୍ୱବିଦ୍ୟାଳୟ ପ୍ରଥମ ଥର ଲାଗି ଆୟୁର୍ବେଦ ଡିଗ୍ରୀ ପାଠ୍ୟକ୍ରମ ଆରମ୍ଭ କରିଛି । ଏହା ଏକ ଉତ୍ତମ ପଦକ୍ଷେପ । ଏହି ବିଶ୍ୱବିଦ୍ୟାଳୟରେ ଏକ ଆୟୁର୍ବେଦ ଚେୟାର ପ୍ରତିଷ୍ଠା କରାଯିବାର ଯୋଜନା ରହିଛି । ଯଥାଶୀଘ୍ର ଏହା ଚୂଡ଼ାନ୍ତ ହେଲେ ଏହି କ୍ଷେତ୍ରରେ ଆମର ସମ୍ପର୍କକୁ ଆହୁରି ସୁଦୃଢ଼ କରିବ । ଉପରୋକ୍ତ ଡିଗ୍ରୀ ପାଇଁ ଏକ ଆପୋସ ଅନୁମୋଦନ ସ୍ୱରୂପ ଆମେ ଆଜି ଏ ସଂକ୍ରାନ୍ତ ଏକ ଏମ୍ଓୟୁ ସ୍ୱାକ୍ଷର କରିଛୁ, ଯାହା ଉଭୟ ଦେଶର ସମ୍ପର୍କ କ୍ଷେତ୍ରରେ ଏକ ମାଇଲଖୁଣ୍ଟ । ଏହା ଉଭୟ ଦେଶର ସମାଜ ଏବଂ ଛାତ୍ରଛାତ୍ରୀଙ୍କ ପାଇଁ ଉପଯୋଗୀ ହେବ ।

ବନ୍ଧୁଗଣ

ଆମେ ଏପରି ଏକ ସମୟ ଏବଂ ଏପରି ଏକ ସ୍ଥାନରେ ରହୁଛୁ, ଯେଉଁଠି ଉଭୟ ପାରମ୍ପରିକ ଏବଂ ଅଣପାରମ୍ପରିକ ସୁରକ୍ଷା ଭୟ ବୃଦ୍ଧି ପାଇବାରେ ଲାଗିଛି । ପ୍ରଧାନମନ୍ତ୍ରୀ ନଜୀବ ଏବଂ ମୁଁ ଆମ ଦେଶ ଏବଂ ଅଞ୍ଚଳର ସ୍ଥିରତା ଏବଂ ଅର୍ଥନୈତିକ ସମୃଦ୍ଧି ଲାଗି ଏହି ସୁରକ୍ଷା ଭୟର ମିଳିତ ମୁକାବିଲା ପାଇଁ ସହମତ ହୋଇଛୁ । ଏହି ଅଞ୍ଚଳର ଅନ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟ ମିଳିତ ଭାବେ ଆମ ସହିତ କାମ କରନ୍ତୁ । ଏହି ପରିପ୍ରେକ୍ଷୀରେ ମିଳିତ ଆତଙ୍କବାଦ ନିରୋଧୀ ପଦକ୍ଷେପ ପାଇଁ ମାଲେସିଆ ସରକାରଙ୍କ ଲଗାତାର ସହଯୋଗକୁ ମୁଁ ଅଭିବାଦନ କରୁଛି ।

ମହାମହିମ, କଠୋରବାଦ ଏବଂ ଆତଙ୍କବାଦର ମୁକାବିଲା କ୍ଷେତ୍ରରେ ଆପଣଙ୍କ ବ୍ୟକ୍ତିଗତ ନେତୃତ୍ୱ ସମଗ୍ର ଅଞ୍ଚଳ ପାଇଁ ଏକ ପ୍ରେରଣା । ଆମର ବ୍ୟାପକ ସାମରିକ ଭାଗିଦାରୀତା ଆମର ସେନାବାହିନୀକୁ ପରସ୍ପରର ଆହୁରି ନିକଟତର କରିପାରିଛି ।

ଆମର ସହଯୋଗ କ୍ଷେତ୍ର ମଧ୍ୟରେ ରହିଛି –

ତାଲିମ ଏବଂ ଦକ୍ଷତା ବିକାଶ

ସରଞ୍ଜାମର ରକ୍ଷଣାବେକ୍ଷଣ ଏବଂ ସାମରିକ ହାର୍ଡୱେର;

ସାମୁଦ୍ରିକ ସୁରକ୍ଷା ଏବଂ

ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା

ପ୍ରଧାନମନ୍ତ୍ରୀ ନଜୀବ ଏବଂ ମୁଁ ଅର୍ଥନୈତିକ ସମୃଦ୍ଧିକୁ ପ୍ରୋତ୍ସାହନ, ପଥପ୍ରଦର୍ଶନର ସ୍ୱାଧୀନତା ଏବଂ ଏସିଆ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ସ୍ଥିରତା, ବିଶେଷ କରି ଏହାର ସାମୁଦ୍ରିକ ଅଞ୍ଚଳ କ୍ଷେତ୍ରରେ ଆମର ଭୂମିକା ଏବଂ ଦାୟିତ୍ୱ ପ୍ରତି ସଚେତନ । ଆମ ସମାଜକୁ ସୁରକ୍ଷିତ କରିବା ଏବଂ ଅଞ୍ଚଳର ସାମଗ୍ରିକ ବିକାଶ ଲାଗି ଆମର ରଣନୈତିକ ସହଭାଗିତାକୁ ଆହୁରି ସୁଦୃଢ଼ କରିବା ସହ ସାଧାରଣ ସମସ୍ୟାର ମୁକାବିଲା କରିବା ଲାଗି ଆମେ ସହମତ ହୋଇଛୁ ।

ମହାମହିମ ରାଷ୍ଟ୍ରପତି ନଜୀବ

ଆପଣଙ୍କୁ ପୁଣିଥରେ ଭାରତରେ ସ୍ୱାଗତ ଜଣାଇବା ଲାଗି ମୋତେ ଅନୁମତି ଦିଅନ୍ତୁ । ଫଳପ୍ରଦ ଦ୍ୱିପାକ୍ଷିକ ଆଲୋଚନା ପାଇଁ ମୁଁ ଆପଣଙ୍କୁ ଧନ୍ୟବାଦ ଜଣାଉଛି । ମୋର ବିଶ୍ୱାସ ଯେ ଆମର ଆଲୋଚନା ଆମର ରଣନୈତିକ ଭାଗିଦାରୀତାକୁ ଏକ ଭିନ୍ନ ସୋପାନକୁ ନେଇଯିବ । ଭାରତରେ ଫଳପ୍ରଦ ଏବଂ ଉପଭୋଗ୍ୟ ରହଣି ପାଇଁ ମୁଁ ଆପଣଙ୍କୁ ଶୁଭକାମନା ଜଣାଉଛି ।

ଧନ୍ୟବାଦ ।

ବହୁତ ଧନ୍ୟବାଦ ।

**********