ପିଏମଇଣ୍ଡିଆ
ମାଳଦ୍ୱୀପ ପ୍ରଜାତନ୍ତ୍ରର ରାଷ୍ଟ୍ରପତି ଇବ୍ରାହିମ ମହମ୍ମଦ ସୋଲି ଏବଂ ଶ୍ରୀଲଙ୍କା ଗଣତାନ୍ତ୍ରିକ ପ୍ରଜାତନ୍ତ୍ରର ରାଷ୍ଟ୍ରପତି ଶ୍ରୀ ମୈତ୍ରୀପାଳ ଶିରିସେନାଙ୍କ ଆମନ୍ତ୍ରଣ କ୍ରମେ ସେ ଏହି ଦୁଇ ଗସ୍ତରେ ଯାତ୍ରା କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ଦ୍ୱିତୀୟ ବାର ନିର୍ବାଚିତ ହୋଇ ସରକାର ଗଢ଼ିବା ପରେ ଏହା ତାଙ୍କର ପ୍ରଥମ ଦରିଆପାରି ବିଦେଶ ଗସ୍ତ ବୋଲି ସେ ସୂଚୀତ କରିଛନ୍ତି ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଗତ ବର୍ଷ ଡ଼ିସେମ୍ବର ମାସରେ ରାଷ୍ଟ୍ରପତି ସୋଲିଙ୍କୁ ସ୍ୱାଗତ କରିବାର ସୁଯୋଗ ତାଙ୍କୁ ମିଳିଥିଲା । ସେହିଭଳି 2018 ମସିହା ନଭେମ୍ବର ମାସରେ ରାଷ୍ଟ୍ରପତି ସୋଲିଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗ ଦେବାର ସୌଭାଗ୍ୟ ତାଙ୍କୁ ପ୍ରାପ୍ତ ହୋଇଥିଲା । ଦୁଇ ଦେଶ (ଭାରତ ଓ ମାଳଦ୍ୱୀପ) ମଧ୍ୟରେ ଦୀର୍ଘ ଦିନରୁ ରହି ଆସିଥିବା ନୌବାଣିଜ୍ୟିକ ତଥା ବିବିଧ କ୍ଷେତ୍ରରେ ଥିବା ସୁସମ୍ପର୍କକୁ ଅଧିକ ନିବିଡ଼ କରିବାର ଗୁରୁତ୍ୱ ଦୃଷ୍ଟିରୁ ସେ ମାଳଦ୍ୱୀପ ଗସ୍ତରେ ଯାତ୍ରା କରୁଛନ୍ତି ବୋଲି ଶ୍ରୀ ମୋଦୀ କହିଛନ୍ତି ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ମାଳଦ୍ୱୀପ ଭାରତର ଏକ ଗୁରୂତ୍ୱପୂର୍ଣ୍ଣ ସହଯୋଗୀ ରାଷ୍ଟ୍ର, ଯାହା ଭାରତ ସହ ଇତିହାସ ଓ ସାଂସ୍କୃତିକ ଦୃଷ୍ଟିକୋଣରୁ ଘନିଷ୍ଠ ହୋଇ ରହିଆସିଛି । ମାଳଦ୍ୱୀପ ସହ ଆମର ଦ୍ଵିପାକ୍ଷିକ ସମ୍ପର୍କ ନିକଟ ଅତୀତରେ ନିବିଡ଼ତର ହୋଇଛି । ତାଙ୍କର ଏହି ଗସ୍ତ ଦ୍ୱାରା ବିବିଧ କ୍ଷେତ୍ରରେ ରହି ଆସିଥିବା ଏହି ସମ୍ପର୍କ ନିବିଡ଼ତର ହେବ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଆଶା ପୋଷଣ କରିଛନ୍ତି ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ତାଙ୍କର ଶ୍ରୀଲଙ୍କା ଗସ୍ତ ସେ ଦେଶର ସରକାର ତଥା ଶ୍ରୀଲଙ୍କାର ଜନସାଧାରଣଙ୍କୁ ନିକଟରେ ସେଠାରେ ସଂଗଟିତ ଭୟଙ୍କର ଆତଙ୍କବାଦୀ ଆକ୍ରମଣ ପରେ ସେମାନଙ୍କ ପ୍ରତି ସମବେଦନା ଓ ପ୍ରତିବଦ୍ଧତା ପ୍ରକଟ କରିବା ସକାଶେ ଉଦ୍ଦିଷ୍ଟ । ଗତ ଅପ୍ରେଲ 21, 2019 ଇଷ୍ଟର ରବିବାର ଦିନ ଶ୍ରୀଲଙ୍କାରେ ଏଭଳି ଅମାନବୀୟ ଆତଙ୍କବାଦୀ ଆକ୍ରମଣ ଘଟିଥିଲା । ଆତଙ୍କବାଦୀଙ୍କ ବିରୋଧରେ ସଂଗ୍ରାମରେ ଭାରତ ଶ୍ରୀଲଙ୍କା ସହ କାନ୍ଧକୁ କାନ୍ଧ ମିଳାଇ ଠିଆ ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଶ୍ରୀଲଙ୍କା ସହ ଭାରତର ସମ୍ପର୍କ ଗତ କିଛି ବର୍ଷ ମଧ୍ୟରେ ଯଥେଷ୍ଟ ପ୍ରଗତି ହାସଲ କରିଛି । ନିକଟରେ ତାଙ୍କର ଶପଥ ଗ୍ରହଣ ସମାରୋହରେ ଯୋଗଦେବାକୁ ଭାରତ ଗସ୍ତରେ ଆସିଥିବା ବେଳେ ରାଷ୍ଟ୍ରପତି ଶ୍ରୀ ଶିରିସେନାଙ୍କୁ ସାକ୍ଷାତ କରିବାର ଅବସର ତାଙ୍କୁ ପ୍ରାପ୍ତ ହୋଇଥିଲା ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଛନ୍ତି ଯେ ଏହି ଶ୍ରୀଲଙ୍କା ଗସ୍ତ ବେଳେ ସେ ଦେଶର ନେତୃବର୍ଗଙ୍କ ସହ ସାକ୍ଷାତ ପାଇଁ ଉତ୍କଣ୍ଠିତ ଅଛନ୍ତି ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ତାଙ୍କର ଏହି ମାଳଦ୍ୱୀପ ଓ ଶ୍ରୀଲଙ୍କା ଗସ୍ତ ଦୁଇ ସାମୁଦ୍ରିକ ପ୍ରତିବେଶୀ ରାଷ୍ଟ୍ରଙ୍କ ସହ ଭାରତର ଦ୍ଵିପାକ୍ଷିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବାରେ ସହାୟକ ହେବ । ଆମର ‘ପ୍ରଥମେ ପ୍ରତିବେଶୀ’ ନୀତି ଏବଂ ଏହି କ୍ଷେତ୍ରର ସମସ୍ତଙ୍କ ନିରାପତ୍ତା ଓ ବିକାଶ ଲାଗି ଭାରତର ପ୍ରତିବଦ୍ଧତାକୁ ମଧ୍ୟ ତାଙ୍କର ଗସ୍ତ ପ୍ରତିପାଦିତ କରେ ବୋଲି ସେ ସୂଚାଇଛନ୍ତି ।
*****
I would be visiting the Maldives and Sri Lanka on 8th and 9th June. These visits indicate the importance we attach to the policy of ‘Neighbourhood First’ and will further cement ties with key maritime neighbours. https://t.co/vMW2cT55EZ
— Narendra Modi (@narendramodi) June 7, 2019