Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ମାଳଦ୍ୱୀପ ରାଷ୍ଟ୍ରପତି ମି. ଇବ୍ରାହିମ ମହମ୍ମଦ ସୋଲିଙ୍କୁ ଟେଲିଫୋନ ଯୋଗେ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମାଳଦ୍ୱୀପ ସାଧାରଣତନ୍ତ୍ରର ରାଷ୍ଟ୍ରପତି ମହାମହିମ ମି. ଇବ୍ରାହିମ ମହମ୍ମଦ ସୋଲିଙ୍କୁ ଟେଲିଫୋନ କରିଥିଲେ ଏବଂ ଏଇ ନିକଟରେ ସମାପ୍ତ ହୋଇଥିବା ସଂସଦୀୟ ନିର୍ବାଚନରେ ମାଳଦ୍ୱୀପ ଗଣତନ୍ତ୍ର ଦଳ (ଏମଡିପି)ର ବିଜୟ ପାଇଁ ଅଭିନନ୍ଦନ ଜଣାଇଥିଲେ ।

ପ୍ରଧାନମନ୍ତ୍ରୀ ପ୍ରକାଶ କରିଥିଲେ ଯେ ଏମଡିପିର ଏହି ମହତ୍ୱପୂର୍ଣ୍ଣ ବିଜୟ ଏହାର ନେତୃବୃନ୍ଦମାନଙ୍କର ନୀତି ଏବଂ ପ୍ରୟାସ ବିଶେଷ ଭାବେ ଗ୍ରହଣୀୟ ହୋଇଥିବାର ସୂଚାଉଛି, ଯେଉଁମାନେ କି ମାଳଦ୍ୱୀପର ଜନସାଧାରଣଙ୍କ ନିମନ୍ତେ ଗଭୀର ସଂକଳ୍ପବଦ୍ଧତାର ସହ କାର୍ଯ୍ୟ କରିଛନ୍ତି । ନିର୍ବାଚନର ସଫଳ ସମାପନକୁ ସେ ସ୍ୱାଗତ କରିଥିଲେ, ଯାହାକି ଗଣତନ୍ତ୍ରକୁ ମଜଭୁତ କରିବା ସହ ମାଳଦ୍ୱୀପର ଗଣତାନ୍ତ୍ରିକ ଅନୁଷ୍ଠାନମାନଙ୍କୁ ସୁଦୃଢ଼ କରିବ ।

ଭାରତର ‘ପଡୋଶୀ ପ୍ରଥମେ’ ନୀତି ଅନ୍ତର୍ଗତ ମାଳଦ୍ୱୀପର ସାମାଜିକ-ଆର୍ଥିକ ଉନ୍ନୟନ ପାଇଁ ଏହି ଦେଶର ଆବଶ୍ୟକତା ଅନୁଯାୟୀ ସହାୟତା କରିବା ଏବଂ ଦୁଇ ଦେଶ ମଧ୍ୟରେ ଭାଗିଦାରିତାକୁ ସୁଦୃଢ଼ କରିବା ନେଇ ମାଳଦ୍ୱୀପ ସହିତ ନିକଟତର ହୋଇ କାର୍ଯ୍ୟ କରିବା ପାଇଁ ପ୍ରଧାନମନ୍ତ୍ରୀ ଭାରତର ଗଭୀର ସଂକଳ୍ପବଦ୍ଧତାକୁ ଦୋହରାଇଥିଲେ ।

ପ୍ରଧାନମନ୍ତ୍ରୀ ମଧ୍ୟ ପୂର୍ବତନ ରାଷ୍ଟ୍ରପତି ମହମ୍ମଦ ନାସୀଦଙ୍କ ସହ କଥା ହୋଇଥିଲେ ଏବଂ ସଫଳ ନିର୍ବାଚନ ପାଇଁ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ । ମାଳଦ୍ୱୀପରେ ଗଣତନ୍ତ୍ରର ଚେର ସୁଦୃଢ଼ କରିବା ନେଇ ସମସ୍ତ ଗଣତନ୍ତ୍ର ପ୍ରିୟ ଶକ୍ତିମାନଙ୍କ ଅଂଶଗ୍ରହଣକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ ଏବଂ ଏହି ଉଦ୍ଦେଶ୍ୟ ପୁରଣ କରିବା ପାଇଁ ଭାରତ ପୂର୍ଣ୍ଣ ସହାୟତା ପ୍ରଦାନ କରିବା ନେଇ ଆଶ୍ୱାସନା ପ୍ରଦାନ କରିଥିଲେ ।

******