Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ମୁମ୍ବାଇର ଗୋରାଇଠାରେ ମହାରାଷ୍ଟ୍ର ସରକାରଙ୍କ 40 ଏକର ଜମି ପ୍ରତିବଦଳ ଓ ହସ୍ତାନ୍ତର ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ବସିଥିବା କେନ୍ଦ୍ର କ୍ୟାବିନେଟ ବୈଠକରେ ମୁମ୍ବାଇର ଗୋରାଇଠାରେ ରାଜ୍ୟ ସରକାରଙ୍କ 40 ଏକର ଜମି ପ୍ରତିବଦଳରେ ଦହିସାର ଆରଆର ସେଂଟର ଠାରେ ଥିବା ଭାରତୀୟ ବିମାନବନ୍ଦର ପ୍ରାଧିକରଣ (ଏଏଆଇ)ର 40 ଏକର ଜମି ମେଟ୍ରୋ ରେଳ ଶେଡ ଲାଗି ମୁମ୍ବାଇ ମେଟ୍ରୋପଲିଟାନ ରିଜିଅନ ଡେଭଲପମେଂଟ ଅଥରିଟି (ଏମ୍ଏମ୍ଆରଡିଏ)କୁ ହସ୍ତାନ୍ତର କରାଯିବା ପ୍ରସ୍ତାବକୁ ମଞ୍ଜୁରି ମିଳିଛି । ଏହି ଜମି କାରବାର ଦ୍ଵାରା ଏମଏମ୍ଆରଡିଏ ଏହାର ମେଟ୍ରୋ ରେଳ ପ୍ରକଳ୍ପକୁ ସଂପୂର୍ଣ୍ଣ କରିପାରିବ।

ଏହି ପ୍ରସ୍ତାବକୁ ବିଚାର କରିବା ସମୟରେ କ୍ୟାବିନେଟ ନିମ୍ନୋକ୍ତ ଉପାୟଗୁଡ଼ିକୁ ଅନୁମତି ପ୍ରଦାନ କରିଥିଲେ।

2016-17 ବର୍ଷର ଆନୁମାନିକ ଦର ଅନୁଯାୟୀ 40 ଏକର ଜମି ହସ୍ତାନ୍ତର ସମୟରେ ଦେଖାଦେଇଥିବା ଦର ପ୍ରଭେଦ ବାବଦକୁ ଏମ୍ଏମ୍ଆରଡିଏ 472.70 କୋଟି ଟଙ୍କା ପରିଶୋଧ କରିବ କିମ୍ବା ହସ୍ତାନ୍ତର କରିବା ସମୟରେ ଆନୁମାନିକ ଦର ଅନୁଯାୟୀ ଅର୍ଥ, ଯାହା ଅଧିକ ହୋଇଥିବ ପଇଠ କରିବେ ।

ଗୋରାଇ ଠାରେ ଥିବା 40 ଏକର ଜମିକୁ ସମତୁଲ, ଗ୍ରେଡିଂ ଏବଂ ପାଚେରି ସହିତ ସୀମା ନିର୍ଦ୍ଧାରଣ କରିସାରିବା ପରେ ଏମ୍ଏମ୍ଆରଡିଏ ହସ୍ତାନ୍ତର କରିବ । ଜମି କାଗଜପତ୍ର ସହିତ ଏଏଆଇ ନାଁରେ ବିଧିବଦ୍ଧ ଭାବେ ରେକର୍ଡ ଅଫ୍ ରାଇଟ୍ସରେ କିସମ ପରିବର୍ତ୍ତନ ହୋଇଥିବା ଗୋରାଇର ରାଜସ୍ଵ ମାନଚିତ୍ର ଏମଏମଆରଡିଏ ହସ୍ତାନ୍ତର କରିବ ।

ସାମୟିକ ଆଧାରରେ ଦହିସାର ଠାରେ 2 ହଜାର ବର୍ଗମିଟର ଜମି ଏଏଆଇ ଅଗ୍ରୀମ ଆକାରରେ ହସ୍ତାନ୍ତର କରିବ ।

ମେଟ୍ରୋ ରେଳ ଶେଡ୍ ନିର୍ମାଣ ପରେ ଏହାଦ୍ଵାରା ପ୍ରତ୍ୟକ୍ଷ ଏବଂ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । କୁଶଳୀ, ଅର୍ଦ୍ଧକୁଶଳୀ, ବୈଷୟିକ ବିଶେଷଜ୍ଞଙ୍କ ପାଇଁ ମଧ୍ୟ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ ।

**********