Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ମେଗ୍ନେଟିକ ମହାରାଷ୍ଟ୍ର : ସମ୍ମେଳନ 2018 ଉଦ୍ଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ମେଗ୍ନେଟିକ ମହାରାଷ୍ଟ୍ର : ସମ୍ମେଳନ 2018 ଉଦ୍ଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ମେଗ୍ନେଟିକ ମହାରାଷ୍ଟ୍ର : ସମ୍ମେଳନ 2018 ଉଦ୍ଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ


ମହାରାଷ୍ଟ୍ରର ରାଜ୍ୟପାଳ ଶ୍ରୀମାନ୍ ସି.ବିଦ୍ୟାସାଗର ରାଓ ମହୋଦୟ, ମୁଖ୍ୟମନ୍ତ୍ରୀ ଶ୍ରୀ ଦେବେନ୍ଦ୍ର ଫଡନବିସ, ଦେଶ-ବିଦେଶରୁ ଆସିଥିବା ଉଦ୍ୟୋଗୀଗଣ ଓ ଅନ୍ୟ ମହାନୁଭବ । ମେଗ୍ନେଟିକ ମହାରାଷ୍ଟ୍ରରେ ଆପଣମାନଙ୍କୁ ସମସ୍ତଙ୍କୁ ସ୍ୱାଗତ ।

ସମର୍ଦ୍ଧ ଅଣି ସମ୍ପନ୍ନ ମହାରାଷ୍ଟ୍ରାଚା ନିର୍ମିତି କରତା ହୋଣାରା ମେଗ୍ନେଟିକ ମହାରାଷ୍ଟ୍ରାଲା ମାଝା ଖୁପ୍- ଖୁପ୍ ଶୁଭେଚ୍ଛା ।

ବନ୍ଧୁ ଭଗିନିନୋ ସର୍ବାନା ମାଝା ନମସ୍କାର ।

ବିଜ୍ଞାନର ସୂକ୍ଷ୍ମତା ସମ୍ପର୍କରେ ମୋର ବିଶେଷ ଜ୍ଞାନ ନାହିଁ କିନ୍ତୁ ମୋତେ କୁହାଯାଇଛି କି ମେଗ୍ନେଟିକ କ୍ଷେତ୍ରରେ ‘ଡିରେକ୍ସନ୍’ ଓ ‘ମେଗ୍ନିଚ୍ୟୁଡ’ ଉଭୟର ସମ୍ମିଶ୍ରଣ ହୋଇଥାଏ ।

ଏଠାକୁ ଆସିବା ପୂର୍ବରୁ ମୁଁ ନବୀ ମୁମ୍ବାଇ ବିମାନ ବନ୍ଦର ଓ ଜେଏନପିଟିର କାର୍ଯ୍ୟକ୍ରମରେ ଥିଲି । ଆଜିର ଏହି ଦୁଇ କାର୍ଯ୍ୟକ୍ରମରେ ମହାରାଷ୍ଟ୍ରର ମେଗ୍ନେଟିକ କ୍ଷେତ୍ରର ଉଭୟ ‘ଡିରେକ୍ସନ୍ ଓ ମେଗ୍ନିଚ୍ୟୁଡ’ ର ଝଲକ ରହିଛି । ଅବଶ୍ୟ ଏହା ବି ସତ୍ୟ ଯେ ଆପଣ ଯେତିକି ଅଧିକ କେନ୍ଦ୍ର ଅର୍ଥାତ (ସେଂଟରରେ) ପାଖରେ ରହିବେ, ମେଗ୍ନେଟିକ ଲାଇନର ଶକ୍ତି ବି ସେତିକି ଅନୁଭୂତ ହୋଇଥାଏ ।

ଆଜି ଏଠାରେ ଏହି ଆୟୋଜନରେ ଆପଣମାନଙ୍କ ଉତ୍ସାହ, ଆପଣମାନଙ୍କ ଜୋସ୍, ଏ ପୁରା ପରିବର୍ତ୍ତିତ ପରିବେଶ ଏହାର ପ୍ରମାଣ ଯେ ମେଗ୍ନେିଟିକ ମହାରାଷ୍ଟ୍ରର ମେଗ୍ନେଟିକ ଳାଇନ କେତେ ଶକ୍ତିଶାଳୀ ।

ବନ୍ଧୁଗଣ, ଏହି ଆୟୋଜନ ସଂଘୀୟ ସମବାୟ ପ୍ରତିଯୋଗିତାର ଉତ୍ତମ ଉଦାହରଣ ।

ଏବେ ଦେଶର ସମସ୍ତ ରାଜ୍ୟ ଭିତରେ ପାରସ୍ପରିକ ପ୍ରତିଯୋଗିତା ହେଉଛି ।

ଭିତ୍ତିଭୂମି, କୃଷି, ବସ୍ତ୍ରଶିଳ୍ପ, ସ୍ୱାସ୍ଥ୍ୟସେବା, ଶିକ୍ଷା, ସୌର ଶକ୍ତି, ଏଭଳି ଅନେକ ଭିନ୍ନ ଭିନ୍ନ କ୍ଷେତ୍ରରେ ନିବେଶକୁ ଆକର୍ଷିତ କରିବା ପାଇଁ ଏପ୍ରକାର କାର୍ଯ୍ୟକ୍ରମର ଆୟୋଜନ ଦେଶର ଭିନ୍ନ ଭିନ୍ନ ରାଜ୍ୟରେ ହେଉଛି ।

ରାଜ୍ୟଗୁଡ଼ିକ ମଧ୍ୟ ନିଜ ନିଜର ଆବଶ୍ୟକତା ଅନୁସାରେ କେଉଁ କ୍ଷେତ୍ରରେ କେଉଁଠି ନିବେଶ ହେବା ଉଚିତ୍, ତା’ଉପରେ ଧ୍ୟାନକେନ୍ଦ୍ରିତ କରୁଛନ୍ତି ।

 

ନିକଟରେ ମୋତେ ଆସାମରେ ‘ଏଡଭାଂଟେଜ୍ ଆସାମ’ ନିବେଶକ ସମ୍ମିଳନୀରେ ଭାଗ ନେବାର ସୁଯୋଗ ମିଳିଥିଲା । କିଛି ବର୍ଷ ପୂର୍ବରୁ କେହି ଭାବି ନଥିଲେ ଯେ ଉତ୍ତର-ପୂର୍ବାଂଚଳ ରାଜ୍ୟରେ ନିବେଶକୁ ନେଇ ଏତେ ଭଲ ବ୍ରାଣ୍ଡିଂ ହୋଇପାରିବ ।

ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ଅନେକ ରାଜ୍ୟରେ ଏଭଳି ପ୍ରକାରର ଆୟୋଜନ ହେଉଛି । ଗୁଜରାଟରୁ ଯେଉଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା, ତା’ର ପ୍ରଭାବ ଆଜି ସମଗ୍ର ଦେଶରେ ଦେଖିବାକୁ ମିଳିଛି ।

ବନ୍ଧୁଗଣ, ମୁଁ ମହାରାଷ୍ଟ୍ର ସରକାରଙ୍କୁ ଏହି ଆୟୋଜନ ପାଇଁ ବହୁତ ବହୁତ ଧନ୍ୟବାଦ ଜଣାଉଛି । ଗତ 3ବର୍ଷ ମଧ୍ୟରେ ମହାରାଷ୍ଟ୍ର ସରକାର ରାଜ୍ୟରେ ପୁଞ୍ଜିନିବେଶର ପରିବେଶକୁ ସୁଦୃଢ଼ କରିବା ପାଇଁ ଅଦ୍ଭୂତପୂର୍ବ ପଦକ୍ଷେପ ନେଇଛନ୍ତି । ରାଜ୍ୟ ସରକାରଙ୍କ ନିରନ୍ତର ପ୍ରୟାସ ଯୋଗୁ ବିଶ୍ୱ ବ୍ୟାଙ୍କର ଇଜି ଅଫ୍ ଡୁଇଙ୍ଗ ବିଜିନେସ ମାନ୍ୟତାରେ ରେକର୍ଡ ପରିବର୍ତ୍ତନ ଆସିବାରେ ବହୁତ ବଡ଼ ସହାୟତା ମିଳିଛି । ଫଡନବିସ ସରକାରଙ୍କ ସଂସ୍କାରମୂଳକ କାର୍ଯ୍ୟ ମହାରାଷ୍ଟ୍ରକୁ ପରିବର୍ତ୍ତିତ କରିବାରେ ବହୁତ ବଡ଼ ଭୂମିକା ଗ୍ରହଣ କରିଛି ।

ଇଜି ଅଫ ଡୁଇଙ୍ଗ ବିଜିନେସ ତାଲିକାରେ 10 ମଧ୍ୟରୁ 9 ମାନଦଣ୍ଡ ଯଥା ଇଜି ଅଫ୍ ଗେଟିଙ୍ଗ୍ ଇଲେକ୍ଟ୍ରିସିଟି, ଇଜି ଅଫ୍ ପେଇଙ୍ଗ୍ ଟେକ୍ସ, ଏସବୁ ଦିଗରେ ସୁଧାର ହେବା ଆପଣାଛାଏଁ ବହୁତ ବଡ଼ ଧ୍ୟାନଆକର୍ଷଣକାରୀ ପ୍ରସଙ୍ଗ ।

ଏତେ ବ୍ୟାପକସ୍ତରରେ ପରିବର୍ତ୍ତନ ସେତେବେଳେ ଆସେ, ଯେତେବେଳେ ନୀତି ସୁଧାର ମାଧ୍ୟମରେ ପ୍ରଶାସନରେ ଏକ ନୂଆ କାର୍ଯ୍ୟ ସଂସ୍କୃତି ବିକଶିତ କରାଯାଇଥାଏ । ଯେତେବେଳେ ପରିଯୋଜନା ସମ୍ମୁଖରେ ଆସୁଥିବା ସମସ୍ୟାର ସମାଧାନ ପାଇଁ ପ୍ରକ୍ରିୟାଗୁଡ଼ିକ ପ୍ରତିବନ୍ଧକଶୂନ୍ୟ କରାଯାଏ; ଯେତେବେଳେ ଆନ୍ତଃ ବିଭାଗ ସହଯୋଗ ବୃଦ୍ଧି କରାଯାଏ;

ଯେତେବେଳେ ନିର୍ଦ୍ଧାରିତ ସମୟରେ ନିଷ୍ପତ୍ତି ନିଆଯାଏ ।

ଯେଉଁ ମେଗ୍ନେଟିକ କ୍ଷେତ୍ର କଥା ପୂର୍ବରୁ କହୁଥିଲି, ତାହା ଏମିତି ହିଁ ସୃଷ୍ଟି ହୋଇଥାଏ । ଏହାର ପ୍ରଭାବ ନିବେଶ ମାଧ୍ୟମରେ ଦୃଶ୍ୟମାନ ହୋଇଥାଏ । ରାଜ୍ୟର ବିକାଶରେ ଦୃଶ୍ୟମାନ ହୋଇଥାଏ । ଆଉ ଏହି କାରଣ ଯୋଗୁ ଗତବର୍ଷ ମହାରାଷ୍ଟ୍ର ଭିତ୍ତିଭୂମି ପ୍ରକଳ୍ପରେ ମୋଟ ବ୍ୟୟ ଦେଶର ପ୍ରତ୍ୟେକ ରାଜ୍ୟଠୁ ଆଗରେ ଥିଲା ।  ଫ୍ରଷ୍ଟ୍ ଏଣ୍ଡ ସୁଲେୱୋନ୍ସ ମାନ୍ୟତାରେ ମହାରାଷ୍ଟ୍ରକୁ ସାମଗ୍ରିକ ବିକାଶରେ ଦେଶର ଏକ ନମ୍ବର ରାଜ୍ୟ ବୋଲି ଦର୍ଶାଯାଇଛି । 2016-17 ମସିହାରେ ଦେଶରେ ଯେତେ ପରିମାଣର ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜିନିବେଶ ଆସିଛି, ଏହାର ପ୍ରାୟ 51 ପ୍ରତିଶତ ମହାରାଷ୍ଟ୍ରରେ ନିବେଶ ହୋଇଥିଲା । ଏଭଳି ଭାବେ ଯେତେବେଳେ 2016 ଫେବୃୟାରୀ ମାସରେ ‘ମେକ୍ ଇନ୍ ଇଣ୍ଡିଆ ସପ୍ତାହ’ ପାଳନ କରାଯାଇଥିଲା, ସେତେବେଳେ ଶିଳ୍ପ ଉଦ୍ୟୋଗରେ ପ୍ରାୟ 4ଲକ୍ଷ କୋଟି ଟଙ୍କାର ବୁଝାମଣା ହୋଇଥିଲା । ଏଥିରେ 2 ଲକ୍ଷ କୋଟି ଟଙ୍କାର ନିବେଶ ପ୍ରକଳ୍ପ ଉପରେ କାମ ମଧ୍ୟ ଆରମ୍ଭ ହୋଇସାରିଛି ।

ଏବେ ମହାରାଷ୍ଟ୍ରରେ ଚାଲିଥିବା ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକ ସମଗ୍ର ବିଶ୍ୱର ଧ୍ୟାନକେନ୍ଦ୍ରିତ କରୁଛି । ଦିଲ୍ଲୀ-ମୁମ୍ବାଇ ଶିଳ୍ପ କରିଡର ପ୍ରକଳ୍ପକୁ ସମଗ୍ର ବିଶ୍ୱର 100ଟି ସର୍ବାଧିକ ଅଭିନବ ପ୍ରକଳ୍ପ ମଧ୍ୟରେ ଗୋଟିଏ ଭାବେ ବିବେଚନା କରାଯାଉଛି ।  ନବୀ ମୁମ୍ବାଇ ବିମାନ ବନ୍ଦରର ନିର୍ମାଣ, ମୁମ୍ବାଇ ଟ୍ରାନ୍ସ ହାର୍ବର ଲିଙ୍କ୍ ନିର୍ମାଣ,  ଆଗାମୀ ଦିନରେ ଏହି ଅଂଚଳର କୋଟି କୋଟି ଲୋକଙ୍କ ଜୀବନରେ ଏଥିଯୋଗୁ ବହୁତ ବଡ଼ ପରିବର୍ତ୍ତନ ସମ୍ଭବପର ହେବ । ଏହା ବ୍ୟତୀତ ମୁମ୍ବାଇ, ନବୀ ମୁମ୍ବାଇ, ପୁଣେ, ନାଗପୁରରେ ନିର୍ମାଣ ହେଉଥିବା ପ୍ରାୟ 350କିମି ମେଟ୍ରୋ ନେଟୱାର୍କ ମଧ୍ୟ ଏଠାରେ ଉଭୟ ବିକାଶ ଓ ନିବେଶର ନୂଆ ସମ୍ଭାବନା ସୃଷ୍ଟି କରିଛି ।

ବନ୍ଧୁଗଣ, ଏକ ବିଶେଷ ପ୍ରୋଜେକ୍ଟ ଯାହାର ମୁଁ ଆଲୋଚନା କରିବାକୁ ଚାହୁଁଛି, ତାହା ହେଉଛି ମହାରାଷ୍ଟ୍ର ସମୃଦ୍ଧି କରିଡର୍ । ଏହି ପ୍ରୋଜେକ୍ଟ ମହାରାଷ୍ଟ୍ରର ଗ୍ରାମାଂଚଳକୁ, ଏଠାର କୃଷି କ୍ଷେତ୍ରକୁ, କୃଷିଭିତ୍ତିକ ଉଦ୍ୟୋଗକୁ ବିକାଶର ନୂଆ ଶିଖରକୁ ନେବାର କ୍ଷମତା ରଖିଛି । ମହାରାଷ୍ଟ୍ରରେ 700କିମି ଲମ୍ବ ‘ସୁପର୍ କମ୍ୟୁନିକେସନ୍ ଏକ୍ସପ୍ରେସ ସଡକ’ର ନିର୍ମାଣ, ଏକ୍ସପ୍ରେସ ସଡକ କଡ଼ରେ ସ୍ମାର୍ଟ ସିଟି ଭଳି 24ଟି ନୂଆ ମୌଳିକ ସୁବିଧା(ନୋଡ୍ସ)ର ବିକାଶ, ରାଜ୍ୟରୁ ଅତିକମରେ 20 ରୁ 25ଲକ୍ଷ ଲୋକଙ୍କ ପାଇଁ ନୂଆ ରୋଜଗାରର ସୁଯୋଗ ଏହା ଭିତରେ ରହିଛି ।

ମୋତେ ଖୁସି ଲାଗୁଛି କି ଏବେ ମହାରାଷ୍ଟ୍ର ସରକାର ରାଜ୍ୟକୁ ଦେଶର ପ୍ରଥମ ‘ଟ୍ରିଲିୟନ୍ ଡଲାର ଅର୍ଥବ୍ୟବସ୍ଥା’ ବିଶିଷ୍ଟ ରାଜ୍ୟ ଭାବେ ଗଢ଼ି ତୋଳିବାର ଲକ୍ଷ୍ୟ ନିର୍ଦ୍ଧାରଣ କରିଛନ୍ତି । ଶିବାଜୀ ମହାରାଜଙ୍କ ମାଟିରେ କୌଣସି ବି ଲକ୍ଷ୍ୟ ପ୍ରାପ୍ତ କରିବା କଠିନ ହୋଇନଥାଏ । ଆଉ ମୋର ଆଶା ଅଛି ଯେ ତାଙ୍କର ଆଶୀର୍ବାଦରେ ମହାରାଷ୍ଟ୍ର ସରକାର ଏହି ଲକ୍ଷ୍ୟକୁ ହାସଲ କରିବ ଓ ଏହି ରାଜ୍ୟକୁ ଦେଶର ପ୍ରଥମ ‘ଟ୍ରିଲିୟନ ଡଲାର ଅର୍ଥବ୍ୟବସ୍ଥା’ ବିଶିଷ୍ଟ ରାଜ୍ୟ କରାଇବେ ।

ବନ୍ଧୁଗଣ, ମୋ’ ମତରେ ଦେଶର ବିକାଶ ସେତେବେଳେ ହିଁ ସମ୍ଭବ ହେବ, ଯେତେବେଳେ ରାଜ୍ୟଗୁଡ଼ିକର ବି ବିକାଶ ହେବ । ମହାରାଷ୍ଟ୍ରର ବିକାଶ ଭାରତର ବୃଦ୍ଧି ପାଉଥିବା ସାମର୍ଥ୍ୟର ପ୍ରତୀକ । ଆମେ ଏଭଳି ବଡ଼ଧରରଣ ଲକ୍ଷ୍ୟକୁ ନିର୍ଦ୍ଧାରଣ କରିପାରୁଛୁ । ଏହି ଦେଶରେ ପରିବର୍ତ୍ତିତ ଚିନ୍ତାଧାରା, ପରିବର୍ତ୍ତିତ ପରିସ୍ଥିତିର ଜ୍ୱଳନ୍ତ ଉଦାହରଣ ।

ମୋର ମନେ ଅଛି, କିଛି ବର୍ଷ ପୂର୍ବରୁ ଯେତେବେଳେ ଭାରତ ପ୍ରଥମଥର ‘ଟ୍ରିଲିଅନ ଡଲାର ଅର୍ଥବ୍ୟବସ୍ଥା’ କ୍ଲବରେ ସାମିଲ ହୋଇଥିଲା, ସେତେବେଳେ କେତେ ବଡ଼ ବଡ଼ ହେଡଲାଇନ୍ ହୋଇଥିଲା । କିନ୍ତୁ ଏହା ପରେ କିଛିବର୍ଷ ଦୁର୍ନୀତିରେ ବୁଡ଼ି ରହିଥିଲା । ଦେଶରେ ସେତେବେଳେ ଏକ ଭିନ୍ନ ପ୍ରକାରର ପରିବେଶ ତିଆରି ହୋଇଯାଇଥିଲା । ସେତେବେଳେ ଟ୍ରିଲିଅନ ଡଲାର କ୍ଲବ୍ ନୁହେଁ, ‘Fragile Five’ ପ୍ରସଙ୍ଗରେ ଚର୍ଚ୍ଚା ହେଉଥିଲା ।

ଗତ ସାଢ଼େ 3ବର୍ଷ ମଧ୍ୟରେ ସରକାରର ନିରନ୍ତର ପ୍ରୟାସ ଫଳରେ ଏବେ 5 ଟ୍ରିଲିୟନ ଡଲାର କ୍ଲବର ଚର୍ଚ୍ଚା ହେବାରେ ଲାଗିଛି । ବିଶ୍ୱର ବଡ଼ ବଡ଼ ଏଜେନ୍ସି କହୁଛନ୍ତି ଯେ ଆସନ୍ତା କିଛି ବର୍ଷ ମଧ୍ୟରେ ଭାରତ 5 ଟ୍ରିଲିଅନ ଡଲାର କ୍ଲବରେ ସାମିଲ ହୋଇଯିବ ।

ବନ୍ଧୁଗଣ, ଏହି ବିଶ୍ୱାସ ସେମିତି ଆସିଯାଇନି । ଏହା ପଛରେ ‘ଲୋକଙ୍କ ପାଇଁ ଅନୁକୂଳ, ବିକାଶ ପାଇଁ ଅନୁକୂଳ’ ଏବଂ ନିବେଶ ପାଇଁ ଅନୁକୂଳ ପରିବେଶ ଗଠନର ଏକ ଲକ୍ଷ୍ୟ ରହିଛି, ଏହା ପଛରେ ପ୍ରୟାସ ରହିଛି । ଛୋଟ ଛୋଟ ପ୍ରସଙ୍ଗକୁ ଧରି ରଖି, ଛୋଟ ଛୋଟ ଚାଲେଞ୍ଜକୁ ବୁଝି, ଏହି ସମସ୍ୟାର ସମାଧାନ କରାଯାଉଛି । ପ୍ରଶାସନକୁ ଆମେ ଉକ୍ତ ସ୍ତରକୁ ନେଇଯାଇଛୁ, ଯେଉଁଥିରେ ସରକାରଙ୍କ ହସ୍ତକ୍ଷେପ ଯଥାସମ୍ଭବ କମ ହେଉଛି ।

ବନ୍ଧୁଗଣ, ଦେଶ ପ୍ରଗତି ସେତେବେଳେ କରିଥାଏ ଯେତେବେଳେ ସାମଗ୍ରିକ ଦୃଷ୍ଟିଭଙ୍ଗୀ ରହିଥାଏ । ଯେତେବେଳେ ଦୃଷ୍ଟିଭଙ୍ଗୀ ସମ୍ମିଳିତ ହୋଇଥାଏ ଓ ବ୍ୟାପକ ହୋଇଥାଏ । ଆଜି ଆମେ ଉକ୍ତ ଦିଗରେ ଆଗକୁ ବଢ଼ୁଛି ଯେଉଁଠି ରାଜ୍ୟ ନୀତିକୁ ଆଗେଇ ନେଉଛି, ପ୍ରଶାସନ ପ୍ରଦର୍ଶନଭିତ୍ତିକ ହେଉଛି, ସରକାର ଉତ୍ତରଦାୟୀ ହୋଇଛି, ଗଣତନ୍ତ୍ର ସହଭାଗିତାରେ ହେଉଛି । ଆମେ ନବ୍ୟ ଭାରତର ନିର୍ମାଣ ପାଇଁ ଦେଶରେ ଗୋଟିଏ ପାରଦର୍ଶୀ ପାରିପାର୍ଶ୍ଵିକ ପରିବେଶ ତିଆରି କରୁଛୁ, ଯାହା ସରକାର ବ୍ୟବସ୍ଥା ଉପରେ ଯଥାସମ୍ଭବ କମ୍ ନିର୍ଭରଶୀଳ ହେବ । ଏଥିପାଇଁ ନିୟମକୁ ସହଜ କରାଯାଉଛି, ପ୍ରକ୍ରିୟାକୁ ସହଜ କରାଯାଉଛି, ଯେଉଁଠି ଆଇନରେ ପରିବର୍ତ୍ତନର ଆବଶ୍ୟକତା ଅଛି ସେଠାରେ ଆଇନରେ ପରିବର୍ତ୍ତନ ହେଉଛି । ଯେଉଁଠି ଆଇନର ସମାପ୍ତିର ଆବଶ୍ୟକତା ଅଛି, ସେଠାରେ ଆଇନକୁ ସମାପ୍ତ କରାଯାଉଛି ।

ଏଠାରେ ଉପସ୍ଥିତି ଆପଣମାନଙ୍କ ମଧ୍ୟରୁ କିଛି ନିଶ୍ଚିତ ଭାବେ ଜାଣିଥିବେ ଯେ ଗତ 3ବର୍ଷ ମଧ୍ୟରେ ଭାରତ ସରକାର 1400ରୁ ଉର୍ଦ୍ଧ୍ଵ ଆଇନକୁ ସମାପ୍ତ କରିଦେଇଛି । ଯେଉଁ ନୂଆ ଆଇନ ପ୍ରସ୍ତୁତ କରାଯାଉଛି, ତାହା ଯେଭଳି ଜଟିଳ ନହେବ ଓ ସରଳ ହେବ ସେଥିପ୍ରତି ଧ୍ୟାନ ରଖାଯାଉଛି । ସରକାରୀ ପ୍ରକ୍ରିୟା ସହ ହ୍ୟୁମାନ ଇଂଟରଫେସ୍ ଯେତେ କମ୍ ହୋଇପାରିବ, ତାହା ଆମେ କରୁଛୁ । ତେଣିକି ତାହା ଶ୍ରମ ଆଇନ ହେଉ, ଟିକସ ଜଟିଳତା ହେଉ , ଆମେ ଜ୍ଞାନକୌଶଳର ଉପଯୋଗ କରି ସମସ୍ତ ପ୍ରକିୟାକୁ ସରଳ କରୁଛୁ ।

ବନ୍ଧୁଗଣ, ଆମେ ବିଶ୍ୱାସ କରୁ, ସମ୍ଭାବନା + ନୀତି + ଯୋଜନା + ପ୍ରଦର୍ଶନ ହିଁ ବିକାଶକୁ ଆଗେଇ ନିଏ ।

ଏହି ଚିନ୍ତାଧାରା ଯୋଗୁ ଏବେ ଜାତୀୟ ରାଜପଥ ନିର୍ମାଣର ଗତି, ନୂଆ ରେଳ ମାର୍ଗ ନିର୍ମାଣର ଗତି, ରେଳ ଲାଇନ ବିଦ୍ୟୁତିକରଣର ଗତି, ସରକାରଙ୍କ ଦ୍ୱାରା ଘର ନିର୍ମାଣର ଗତି, ବନ୍ଦରରେ ମାଲ୍ ପରିବହନର ଗତି, ସୌର ଶକ୍ତିର ସାମର୍ଥ୍ୟ ବିକାଶର ଗତି, ପୂର୍ବ ତୁଳନାରେ 2ଗୁଣ, ତିନିଗୁଣ ହୋଇସାରିଛି । ଏଭଳି 50ଟି କଥା କହିପାରିବି ।

ବନ୍ଧୁଗଣ, ଆମେ ଆଉ ଏକ ଉତ୍କୃଷ୍ଟ ସମ୍ବଳ ବନିଯୋଗକୁ ସୁନିଶ୍ଚିତ କରିଛୁ । ଅନ୍ୟପକ୍ଷରେ ସମ୍ବଳ ଆଧାରିତ ବିକାଶ ନୀତିରେ ଆଗକୁ ବଢ଼ୁଛି । ଆଉ ବିକାଶ ନୀତି ଆଧାରିତ ବଜେଟ୍ ଉପରେ ଗୁରୁତ୍ୱ ଦେଉଛୁ । ଗତ 3-4ବର୍ଷ ମଧ୍ୟରେ ଆମର ସରକାର, ବଜେଟରେ ଯେଉଁ ସୁଧାର କରିଛନ୍ତି, ବଜେଟ୍ ସହ ଜଡ଼ିତ ଚିନ୍ତାଧାରାକୁ ପରିବର୍ତ୍ତନ କରିଛନ୍ତି, ତାହା ସମଗ୍ର ଦେଶରେ ନା’କେବଳ ଏକ ନୂଆ କାର୍ଯ୍ୟ ସଂସ୍କୃତିକୁ ବିକଶିତ କରିଛି ବରଂ ସାମାଜିକ-ଅର୍ଥନୀତିକ ଜୀବନରେ ମଧ୍ୟ ସୁଧାର କରିଛି ।

ରେଳ ବଜେଟ୍, ଏବେ ବଜେଟର ଅଂଶବିଶେଷ ପାଲଟିଛି । ବଜେଟରେ ପୂର୍ବରୁ ଯୋଜନା, ଅଣଯୋଜନାର ଯେଉଁ କୃତ୍ରିମ ପାଚେରୀ ଥିଲା, ତାହା ଆମେ ସମାପ୍ତ କରିଦେଇଛୁ । ବଜେଟ ସମୟ ବି ପରିବର୍ତ୍ତନ କରାଯାଇ ଏବେ ଗୋଟିଏ ମାସ ପୂର୍ବରୁ କରାଯାଉଛି । ଏହି ସମସ୍ତ ନିଷ୍ପତ୍ତି ଯୋଗୁ ଏବେ ବଜେଟରେ ଆବଂଟିତ ରାଶି ବିଭାଗ ପାଖରେ ସମୟ ପୂର୍ବରୁ ପହଂଚି ପାରୁଛି । ଯୋଜନାଗୁଡ଼ିକ ଉପରେ କାମ କରୁଥିବା ବିଭାଗଗୁଡ଼ିକୁ ଏବେ ଅଧିକ ସମୟ ମିଳୁଛି । ମୌସୁମୀ ଯୋଗୁ କାମର ଯେଉଁ ଗତି ଧିମା ହୋଇଯାଉଥିଲା, ତା’ର ପ୍ରଭାବ ମଧ୍ୟ ଅନେକାଂଶରେ ସମାପ୍ତ ହୋଇଯାଇଛି ।

ସରକାର ଯେଉଁ ଢାଂଚାଗତ ପରିବର୍ତ୍ତନ କରିଛନ୍ତି, ନୀତିରେ ହସ୍ତକ୍ଷେପ କରିଛନ୍ତି, ତା’ର ଲାଭ ଦେଶର ଚାଷୀ, ଗରିବ, ଦଳିତ, ପଛୁଆବର୍ଗ ଓ ସମାଜର ବଂଚିତ ବର୍ଗ ପାଖରେ ଯେଭଳି ପହଂଚିବ, ତାହା ବର୍ଷ ପରେ ବର୍ଷ ଆମେ ପ୍ରତ୍ୟେକ ବଜେଟ୍ ଦ୍ୱାରା ସୁନିଶ୍ଚିତ କରାଉଛି, ପୁର୍ନସ୍ଥାପିତ କରାଯାଇଛି ।

ବନ୍ଧୁଗଣ, ଆମ ବଜେଟ୍ କେବଳ ବ୍ୟୟ ଅଟକଳ ମଧ୍ୟରେ ସୀମିତ ନାହିଁ, ଆମ ବଜେଟ୍ କେବଳ ‘ପରିଣାମ’ ମଧ୍ୟରେ ସୀମିତ ନାହିଁ । ଆମର ବଜେଟ୍ ‘ଫଳାଫଳ’ ଉପରେ କେନ୍ଦ୍ରିତ ଅଛି । ଆମେ 2022 ମସିହା ସୁଦ୍ଧା ‘ସମସ୍ତଙ୍କୁ ବାସଘର’, 2019 ମସିହା ସୁଦ୍ଧା ସମସ୍ତଙ୍କୁ ବିଦ୍ୟୁତ୍, ଏ ସମସ୍ତ କ୍ଷେତ୍ରରେ ଆମେ ପୂର୍ବରୁ ହିଁ କାମ କରୁଛୁ ।

ଚଳିତବର୍ଷ ବଜେଟରେ ସମସ୍ତଙ୍କ ପାଇଁ ସ୍ୱଚ୍ଛ ଇନ୍ଧନ, ସମସ୍ତଙ୍କ ପାଇଁ ସ୍ୱାସ୍ଥ୍ୟ: – ଏହି ଦୁଇଟି ଚିନ୍ତାଧାରାରେ କାମ ଅଧିକ ତ୍ୱରାନ୍ୱିତ କରାଯାଉଛି । ଆମେ ଉଜ୍ୱଳା ଯୋଜନା ଆଧାରରେ ଗରିବ ପରିବାରକୁ ମାଗଣାରେ ଗ୍ୟାସ୍ ସଂଯୋଗ ଦେବାର ଲକ୍ଷ୍ୟ 5କୋଟି ପରିବାରରୁ ବୃଦ୍ଧି କରି 8 କୋଟି ପରିବାର କରିଦିଆଯାଇଛି । ଭାରତରେ ମୋଟ୍ ପରିବାର ସଂଖ୍ୟା ପ୍ରାୟ 25 କୋଟି । ଏଥିରୁ 8କୋଟି ପରିବାର ।

ଏହା କେବଳ କିଛି ଯୋଜନା ନୁହେଁ ବରଂ  ଆମେ କେଉଁ ଦିଗରେ ଆଗକୁ ବଢ଼ୁଛୁ ଏହା ଦେଖାଉଛି । ଦେଶର ଗରିବରୁ ଅତି ଗରିବ ଲୋକଙ୍କ ସାମାଜିକ-ଆର୍ଥିକ କଲ୍ୟାଣ, ତା’ ପାଇଁ ସାମାଜିକ ଓ ଆର୍ଥିକ ସମାବେଶର ଏହି ଚିନ୍ତାଧାରା ଆମର ବଜେଟ୍ର ଏକ ମୌଳିକ ମାନ୍ୟତା ଭାବେ ଆପଣମାନେ ଅନୁଭବ କରୁଥିବେ ।

ଜନଧନ ଯୋଜନା, ସ୍ୱଚ୍ଛ ଭାରତ ମିଶନ, ସ୍କିଲ୍ ଇଣ୍ଡିଆ, ଡିଜିଟାଲ ଇଣ୍ଡିଆ, ମୁଦ୍ରା ଯୋଜନା, ଷ୍ଟାଣ୍ଡ ଅପ୍ ଇଣ୍ଡିଆ, ଷ୍ଟାର୍ଟ ଅପ୍ ଇଣ୍ଡିଆ ଭଳି ଅନେକ ଅଗଣିତ ଯୋଜନା ଦେଶର ଗରିବଙ୍କୁ ନିମ୍ନ-ମଧ୍ୟମ, ମଧ୍ୟମ ବର୍ଗକୁ, ଯୁବବର୍ଗଙ୍କୁ, ମହିଳାଙ୍କୁ ସଶକ୍ତିକରଣ କରାଉଛି ।

ବନ୍ଧୁଗଣ, ଆମେ ସ୍ୱାସ୍ଥ୍ୟସେବା ସହ ଜଡ଼ିତ ବଡ଼ ପଦକ୍ଷେପର ଘୋଷଣା କରିଛୁ । ତାହା ସମଗ୍ର ବିଶ୍ୱର ଧ୍ୟାନକେନ୍ଦ୍ରୀତ କରିଛି । ବଡ଼ ବଡ଼ ଉଦ୍ୟୋଗ ଜଗତର ବ୍ୟକ୍ତିମାନେ ଏଠି ଅଛନ୍ତି, ସେମାନଙ୍କର ମ୍ୟାନେଜମେଂଟ ଏଠି ବସିଛନ୍ତି । ଆପଣମାନଙ୍କୁ ଜଣାଥିବ ଘରୋଇ କମ୍ପାନୀଗୁଡ଼ିକରେ କେଉଁ ଦରମା ସ୍ଲାବ୍ ପର୍ଯ୍ୟନ୍ତ ସମ୍ପୃକ୍ତ ବ୍ୟକ୍ତି ପୁରା ପରିବାର ନିମନ୍ତେ 5ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବୀମା ମିଳୁଛି । ସାଧାରଣତଃ 60-70ହଜାରରୁ ଦେଢ଼ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଉପାର୍ଜନ କରୁଥିବା ବ୍ୟକ୍ତିଙ୍କୁ ଏହି ବର୍ଗରେ ସ୍ଥାନ ମିଳିଥାଏ ।

ଏବେ ଏହି ସରକାର ଏଭଳି କି, ଆୟୁଷ୍ମାନ ଭାରତ ଯୋଜନା ଅନ୍ତର୍ଗତ ବର୍ଷକ ପାଇଁ 5ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବୀମା ଦେଶର ଗରିବ ବ୍ୟକ୍ତିଙ୍କୁ ଦେବାର ନିଷ୍ପତ୍ତି ନେଇଛନ୍ତି । ଆଉ ପ୍ରାୟ 10କୋଟି ପରିବାର ଅର୍ଥାତ 50 କୋଟିରୁ ଅଧିକ ଲୋକଙ୍କୁ ଏହାର ଫାଇଦା ମିଳିବାର ଅଛି । ଏହି ଯୋଜନା ଗୁରୁତର ରୋଗ ଯୋଗୁ ଲୋକଙ୍କୁ ଘୋର ଆର୍ଥିକ ସଙ୍କଟର ଦୁଇତରଫା ଜଞ୍ଜାଳରୁ ମୁକ୍ତି ଦେବ । ଆୟୁଷ୍ମାନ ଭାରତ ଯୋଜନା ଅନ୍ତର୍ଗତ ଆମେ ଦେଶର ବଡ଼ ପଂଚାୟତରେ ଦେଢ଼ ଲକ୍ଷ ସ୍ଵାସ୍ଥ୍ୟମଙ୍ଗଳ (ୱେଲନେସ) କେନ୍ଦ୍ର ଖୋଲିବାକୁ ନିଷ୍ପତ୍ତି ନେଇଛୁ । ଆପଣମାନେ ଭାବି ପାରୁଥିବେ ଏହି ନିଷ୍ପତ୍ତି ଦେଶର ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ କିଭଳି ପରିବର୍ତ୍ତନ କରିଦେବ । ଏହି ଯୋଜନା ଦେଶରେ ସୁଲଭ ସ୍ୱାସ୍ଥ୍ୟସେବା ପ୍ରତିଷ୍ଠାନ, ନୂଆ ଡାକ୍ତର, ନୂଆ ପାରାମେଡିକାଲ କର୍ମଚାରୀ, ସ୍ୱାସ୍ଥ୍ୟସେବା ସହ ଜଡ଼ିତ ପ୍ରତ୍ୟେକ କ୍ଷେତ୍ର ପାଇଁ ମହତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ ।

ଦେଶରେ ଶିକ୍ଷା ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ଆମେ ଆଉ ଏକ ନୂଆ ପ୍ରୟାସ ଆରମ୍ଭ କରିଛୁ । ଏହା ଆଧାରରେ ଆମ ସରକାର ଆସନ୍ତା 4ବର୍ଷ ମଧ୍ୟରେ ଦେଶର ଶିକ୍ଷା ବ୍ୟବସ୍ଥାରେ ସୁଧାର କରିବା ପାଇଁ ଏକ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବା ପାଇଁ ଯୋଜନା ପ୍ରସ୍ତୁତ କରି ଆଗକୁ ବଢ଼ୁଛି ।

ଏଭଳି ଭାବେ ଦେଶର ଯୁବବର୍ଗଙ୍କୁ ଆତ୍ମନିଯୁକ୍ତି ଓ ବିଶେଷକରି ଏମ୍ଏସ୍ଏମ୍ଇ କ୍ଷେତ୍ରରେ କାମ କରୁଥିବା ଉଦ୍ୟୋଗୀଙ୍କୁ ପ୍ରୋତ୍ସାହିତ ଦେବା ପାଇଁ ଆମେ ମୁଦ୍ରା ଯୋଜନାର ପରିସରକୁ ବୃଦ୍ଧି କରୁଛୁ । ଯେବେଠୁ ଏହି ଯୋଜନା ଆରମ୍ଭ ହୋଇଛି, ସେବେଠୁ ଏପର୍ଯ୍ୟନ୍ତ ପ୍ରାୟ ସାଢ଼େ 10 କୋଟି ଋଣ ଅନୁମୋଦିତ ହୋଇଛି । ଲୋକଙ୍କୁ ବିନା ଗ୍ୟାରେଂଟିରେ ଏପର୍ଯ୍ୟନ୍ତ 4ଲକ୍ଷ 60ହଜାର ଟଙ୍କାର ଋଣ ଦିଆଯାଇ ସାରିଛି । ଚଳିତବର୍ଷ ବଜେଟରେ ମଧ୍ୟ ଆମେ 3 ଲକ୍ଷ କୋଟି ଟଙ୍କାର ମୁଦ୍ରା ଋଣ ଦେବାକୁ ନିଷ୍ପତ୍ତି ନେଇଛୁ ।

ଏଭଳି ଭିନ୍ନ ଭିନ୍ନ ମିଶନ, ଦେଶର ଗରିବ, ଦେଶର ମଧ୍ୟମ ବର୍ଗରେ ଇଜି ଅଫ୍ ଲିଭିଂକୁ ପ୍ରୋତ୍ସାହନ ଦିଆଯାଉଛି । ଏହି ଇଜି ଅଫ୍ ଲିଭିଂ ଯେତେ ଆଗକୁ ବଢ଼ିବ, ସେତେ ଲୋକ ସଶକ୍ତ ମଧ୍ୟ ହେବେ ।  ଯେତେ ଲୋକ ସଶକ୍ତ ହେବେ, ସେତେ ହିଁ ଆମର ସାମାଜିକ ଓ ଅର୍ଥନୀତିକ ବିକାଶ ତ୍ୱରାନ୍ୱିତ ହେବ ।

ଦେଶର ଗ୍ରାମାଂଚଳ କ୍ଷେତ୍ରରେ ଚଳିତବର୍ଷ ବଜେଟ୍ରେ ଆମେ କୃଷି, ଗ୍ରାମ୍ୟ ଭିତ୍ତିଭୂମିର ବିକାଶ ପାଇଁ 14ଲକ୍ଷ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ କରିବାକୁ ନିଷ୍ପତ୍ତି ହୋଇଛି । ଏହି ରାଶି ଚାଷଭିତ୍ତିକ ଗତିବିଧି ଉପରେ ଖର୍ଚ୍ଚ ହେବ । ଏଥିରେ ଗାଁରେ 3ଲକ୍ଷ କିଲୋମିଟର ରାସ୍ତା ନିର୍ମାଣ ହେବ, 51 ଲକ୍ଷ ନୂଆ ଘର ନିର୍ମାଣ ହେବ, ପ୍ରାୟ 2କୋଟି ନୂଆ ଶୌଚାଳୟ ନିର୍ମାଣ କରାଯିବ, 1.75 କାଟି ଗରିବ ଲୋକଙ୍କୁ ବିଜୁଳି ସଂଯୋଗ ଦିଆଯିବ ।

ଏହି ସମସ୍ତ ପ୍ରୟାସ କୃଷି ଅଭିବୃଦ୍ଧିକୁ ବଢ଼ାଇବ । ଗ୍ରାମାଂଚଳ କ୍ଷେତ୍ରରେ ନିଯୁକ୍ତିର ଲକ୍ଷ ଲକ୍ଷ ସମ୍ଭାବନା ସୃଷ୍ଟି କରିବ । ଚଳିତବର୍ଷ ଆମେ ଦେଶର ଭିତ୍ତିଭୂମି ଉପରେ ଖର୍ଚ୍ଚ ବଜେଟକୁ ମଧ୍ୟ ଏକ ଲକ୍ଷ କୋଟି ଟଙ୍କାରୁ ଅଧିକ ବୃଦ୍ଧି କରିଛୁ । ନୂଆ ପୋଲ, ନୂଆ ସଡ଼କ, ନୂଆ ମେଟ୍ରୋ, ନୂଆ ଏୟାରପୋର୍ଟ, ମୁମ୍ବାଇ ଭଳି ସର୍ବାଧିକ ସହରର ସର୍ବାଧିକ ଆକାଂକ୍ଷା ସହ ଜଡ଼ିତ ହୋଇଛି । ବିଶେଷକରି ଦେଶର ମଧ୍ୟବିତ ବର୍ଗର ଆକାଂକ୍ଷାକୁ ପୂରଣ କରାଯାଉଛି ।

ବନ୍ଧୁଗଣ, ବର୍ତ୍ତମାନର ଏହି ବିଶ୍ୱରେ, ଅବରୋଧ ଓ ଅସନ୍ତୋଷର ଯୁଗରେ ଆମକୁ ବର୍ତ୍ତମାନ ସହ ଭବିଷ୍ୟତର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଭବିଷ୍ୟତର ମାର୍ଗ ପ୍ରସ୍ତୁତ କରିବାକୁ ହେବ । ଆମ ସମସ୍ତଙ୍କୁ ମିଳିମିଶି କରିବାକୁ ପଡ଼ିବ । ଯେତେବେଳେ ଆମେ ସମସ୍ତେ , ଦେଶର ଆବଶ୍ୟକତାକୁ ବୁଝି କାର୍ଯ୍ୟ କରିବୁ, ଦେଶର ଲୋକଙ୍କ ଆକାଂକ୍ଷାକୁ ବୁଝି କାମ କରିବା, ସେତେବେଳେ ହିଁ ନବ୍ୟ ଭାରତ ଗଠନର ନିଜର ସଂକଳ୍ପକୁ ପୁରା କରିପାରିବା । ସେତେବେଳେ ହିଁ ଭାରତର ବିଶାଳ ଜନସଂଖ୍ୟାଗତ ବିଭାଜନ ସହ ଆମେ ନ୍ୟାୟ କରିପାରିବା ।

ମୋର ପୁରା ବିଶ୍ୱାସ ଅଛି କି ମହାରାଷ୍ଟ୍ର ସରକାର, ଏଠାର ପ୍ରଶାସକ, ଏଠାର କୋଟି କୋଟି ନାଗରିକ, ନିଜ ନିଜର ସଂକଳ୍ପକୁ ପୁରା କରିବେ ଓ ନିର୍ଦ୍ଧାରିତ ସମୟ ପୂର୍ବରୁ ପୁରା କରିବେ ।

ଶେଷରେ, ମେଗ୍ନେଟିକ ମହାରାଷ୍ଟ୍ରର ଚମକ୍ରାରିତା ଲୋକଙ୍କୁ, ଏଠାର ପରିଶ୍ରମୀ ଲୋକଙ୍କୁ, ଉଦ୍ୟୋଗୀଙ୍କୁ, ସେମାନଙ୍କର କୃତଜ୍ଞତା ବ୍ୟକ୍ତ କରି ନିଜର କଥା ସମାପ୍ତ କରୁଛି । ପୁଣିଥରେ ଏହି ସମାରୋହକୁ ଆନ୍ତରିକତାର ବହୁତ ବହୁତ ଶୁଭକାମନା ଜଣାଉଛି । ଦେଶ ବିଦେଶରୁ ଆସିଥିବା ସମସ୍ତ ମହାନୁଭବଙ୍କୁ ଆଶ୍ୱସ୍ତ କରାଉଛି କି ରାଜ୍ୟ ସରକାରଙ୍କ ସହ ଜଡ଼ିତ ହୋଇ ରାଷ୍ଟ୍ରର ବିକାଶ ପାଇଁ ଭାରତ ସରକାର ପ୍ରତିଶ୍ରୁତିବଦ୍ଧ । ଯାହାକି ବିଶ୍ୱର ଏକ ଷଷ୍ଠାଂଶ ଜନସଂଖ୍ୟାର ମଙ୍ଗଳ କରିବ । ବିଶ୍ୱର କେତେ ମଙ୍ଗଳ ହେବ, ତା’ର ଆକଳନ ଆପଣମାନେ ଭଲଭାବେ କରିପାରୁଥିବେ ।

ବହୁତ ବହୁତ ଧନ୍ୟବାଦ

 

**********