Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ମେଜର ଧ୍ୟାନଚାନ୍ଦ ଜାତୀୟ ଷ୍ଟାଡ଼ିୟମରେ ‘ରନ୍ ଫର ରିଓ’ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

ମେଜର ଧ୍ୟାନଚାନ୍ଦ ଜାତୀୟ ଷ୍ଟାଡ଼ିୟମରେ ‘ରନ୍ ଫର ରିଓ’ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

ମେଜର ଧ୍ୟାନଚାନ୍ଦ ଜାତୀୟ ଷ୍ଟାଡ଼ିୟମରେ ‘ରନ୍ ଫର ରିଓ’ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ


ମୁଁ ସର୍ବପ୍ରଥମେ ଏଠାରେ ଯେଉଁ ହଜାର ହଜାର ଲୋକଙ୍କ ଜନସମୁଦ୍ର ହୋଇଛି, ଯୁବବର୍ଗ ଅଛନ୍ତି, ସେମାନଙ୍କୁ ଅନୁରୋଧ କରୁଛି ଆପଣମାନେ ସମସ୍ତେ ମୋ’ ସହ ରିଓ ପହଂଚି ଆମର 119 ଖେଳାଳିଙ୍କ ମନୋବଳ ବଢ଼ାଇବାକୁ ମୋ ସହ ଭାରତ ମାତା କି ଜୟ, ଭାରତ ମାତା କି ଜୟ, ଭାରତ ମାତା କି ଜୟ କହିବେ ।

ଏହି 119 ଖେଳାଳି, ଭାରତ ମା’ର ଜୟ-ଜୟକାର କରିବା ପାଇଁ କଠୋର ତପସ୍ୟା କରି, କଠିନ ପରିଶ୍ରମ କରି ସେଠାରେ ପହଂଚିଛନ୍ତି । ସବୁ ପରୀକ୍ଷାକୁ ଅତିକ୍ରମ କରିଛନ୍ତି । ଜିତିବାର ସଂକଳ୍ପ ନେଇ ଯାଇଛନ୍ତି । ଆଉ ଏହି ବିଜୟ କେବଳ ସେମାନଙ୍କ ନିଜ ନାମକୁ ସାମିଲ କରିବା ନୁହେଁ, ଉକ୍ତ ବିଜୟ ହିନ୍ଦୁସ୍ତାନର 125 କୋଟି ଦେଶବାସୀଙ୍କ ମାନ-ସମ୍ମାନ-ଗୌରବ ପାଇଁ ।

ଅଧିକାଂଶ ଖେଳର ମୂଲ୍ୟାଙ୍କନ ଜିଣିବା ଓ ହାରିବା ମଧ୍ୟରେ ସୀମିତ ହୋଇଯାଇଥାଏ । ଖେଳର ମୂଲ୍ୟାଙ୍କନ ଜୟ ଓ ବିଜୟ ମଧ୍ୟରେ ସୀମିତ କରାଯାଇନପାରେ । ଖେଳରେ, ଖେଳାଳି ସଂଘର୍ଷ କରିବା ପାଇଁ ପ୍ରସ୍ତୁତ ହୋଇଥାଏ, ନିଜର ପୁରା ଶକ୍ତି ଓ କୌଶଳରେ, ସାମର୍ଥ୍ୟରେ ଦେଶର ମାନସମ୍ମାନ ପାଇଁ ସଂଘର୍ଷ କରିଥାଏ । ଏହା ହିଁ ସବୁଠାରୁ ବଡ଼ ପରୀକ୍ଷା ହୋଇଥାଏ ।

ମୋର ବିଶ୍ୱାସ ଅଛି ଯେ 125 କୋଟି ଦେଶବାସୀଙ୍କ ଶୁଭକାମନା ସହ ଆମର ଏହି 119 ଖେଳାଳି ଭାରତର ସମ୍ମାନ ବୃଦ୍ଧିରେ ନିଜର ସବୁକିଛି ସମର୍ପଣ କରିଦେବେ । ଆଉ ବିଦେଶକୁ ଯେତେବେଳେ ଆମର ଦଳ ଯାଏ, ସେତେବେଳେ କେବଳ ଖେଳ ପଡ଼ିଆରେ ହିନ୍ଦୁସ୍ତାନକୁ ଦେଖିବାକୁ ମିଳେନି, ପୁରା ଅଲମ୍ପିକ ସମୟରେ ସେମାନଙ୍କର କହିବା, ଚାଲିବା, ବସିବା-ଉଠିବା ଦେଖିବାକୁ ମିଳେ । ମୋର ବିଶ୍ୱାସ ଅଛି ଯେ ଆମର ଖେଳାଳି, ଆମର ଭାରତର ଏହି ଦଳ ସାରା ବିଶ୍ୱର ଦଳକୁ ଜିତିବାରେ ଅବଶ୍ୟ ସଫଳ ହେବ । ସେମାନେ ନିଜର ଆଚରଣରେ, ବ୍ୟବହାରରେ, ଭାରତର ମହାନ୍ ଉତ୍ତରାଧିକାରର ପରିଚୟ କରାଇବେ ।

ଆଜି ଆମେ ରିଓ ପାଇଁ ବହୁତ ଆଶା କରି ବସିଛୁ କି ଆମର ଖେଳାଳିମାନେ ସେଠାରେ କ’ଣ କ’ଣ କରିବେ । ଭାରତ ଏକ ଶତାବ୍ଦୀରୁ ଉର୍ଦ୍ଧ ସମୟ ଧରି ଅଲମ୍ପିକ କ୍ରୀଡ଼ା ସହ ଜଡ଼ିତ ହୋଇଛି । ଶହେ ବର୍ଷରୁ ଅଧିକ ସମୟ ଧରି ଆମେ ଜଡ଼ିତ ହୋଇଛୁ । ଆମର ଖେଳାଳିଙ୍କୁ ଖୁବ୍ କମ୍ ପରିମାଣରେ ସୁଯୋଗ ମିଳିଛି । କିନ୍ତୁ ପ୍ରାୟତଃ ଶହେ ବର୍ଷରୁ ଅଧିକ ସମୟ ପରେ ପ୍ରଥମ ଥର 119 ଜଣ ଖେଳାଳିଙ୍କ ଏକ ବୃହତ୍ତ ଦଳକୁ ଆମେ ରିଓ ପହଂଚାଇବାରେ ସଫଳ ହୋଇଛୁ ।

2020 ରେ ଟୋକିଓରେ ଅଲମ୍ପିକ ହେବ । ମୁଁ ମୋ’ ଦେଶର ଯୁବବର୍ଗଙ୍କୁ ଆହ୍ୱାନ କରୁଛି ହିନ୍ଦୁସ୍ତାନର 600 ରୁ ଉର୍ଦ୍ଧ ଜିଲ୍ଲାକୁ ଆହ୍ୱାନ କରୁଛି କି ପ୍ରତ୍ୟେକ ଜିଲ୍ଲା ସଂକଳ୍ପ ନିଅନ୍ତୁ ଆଗାମୀ ଥର ଟୋକିଓର ଅଲମ୍ପିକରେ ନା କେବଳ ମୋ ରାଜ୍ୟର, ବରଂ ମୋ’ ଜିଲ୍ଲାର କୌଣସି ପ୍ରତିନିଧି ଟୋକିଓ ଖେଳିବାକୁ ପହଂଚିବ । ଏଥର 119 ଯାଇଛନ୍ତି, ଆସନ୍ତାଥର 200 ରୁ ଉର୍ଦ୍ଧ ଖେଳାଳିଙ୍କୁ ପହଂଚାଇବାର ସଂକଳ୍ପ କ’ଣ ଆମେ କରିପାରିବା ନାହିଁ ?

ଯେଉଁ ଖେଳରେ ଏବେ ଆମର ବିଲକୁଲ ସମ୍ପର୍କ ନାହିଁ, କ’ଣ ଏଭଳି ଖେଳକୁ ବି ଭାରତ ମାଟିରେ ଭାରତର ଯୁବବର୍ଗଙ୍କୁ ଆମେ ପ୍ରସ୍ତୁତ କରିବାର କାର୍ଯ୍ୟ ଏବେଠାରୁ ଆରମ୍ଭ କରିପାରିବାନି ?

ଭାରତର ଯୁବବର୍ଗ ମଧ୍ୟରେ ସାମର୍ଥ୍ୟ ଅଛି, ପ୍ରତିଭା ଅଛି, ସଂକଳ୍ପ ଅଛି ଓ ବହୁତ ବଡ଼ ସ୍ୱପ୍ନ ବି ଅଛି । ଏଥର ଆମକୁ ଅଧିକ ସମୟ ମିଳିଲାନି । ଆମର ସରକାର ଗଠନକୁ 2 ବର୍ଷ ହୋଇଛି କିନ୍ତୁ କ୍ଷମତାକୁ ଆସିବାମାତ୍ରେ ଆମେ ପୁରା ବିଭାଗକୁ ଖେଳ ପ୍ରତି ସଚେତନ କରିବା, ସମ୍ବେଦନଶୀଳ କରାଇବା, ସକ୍ରିୟ କରିବାର ଏକ ଅଭିନବ ପ୍ରୟାସ କରିଛୁ । ପୂର୍ବ ତୁଳନାରେ ବେଶ୍ ପରିବର୍ତ୍ତନ ଆଣିବାରେ ସଫଳ ହୋଇଛୁ । ଭାରତର ମାନ-ସମ୍ମାନ-ଗୌରବର ଚିନ୍ତା କରୁଥିବା ମୋ ଦେଶର ଯୁବବର୍ଗ – କିଛି ପରିବର୍ତ୍ତନ ଏଭଳି କରାଯାଇଛି ଯେଉଁଥିରେ ଆପଣମାନଙ୍କୁ ଦୃଷ୍ଟିକୁ ଆସିବ କି ଏବେ ଟୋକିଓ ପାଇଁ ଭାରତ କିଭଳି ପ୍ରସ୍ତୁତି କରୁଛି ।

ପୂର୍ବରୁ ଆମର ଖେଳାଳି ବିଶ୍ୱର କୌଣସି ଦେଶକୁ ଅଲମ୍ପିକ ଖେଳିବାକୁ ଯାଉଥିବାବେଳେ ନିୟମ ଥିଲା କି ଦୁଇଦିନ ପୂର୍ବରୁ ପହଂଚିବେ । ବିମାନରେ ବିଳମ୍ବ ହେଉଥିଲା, ଜଳବାୟୁ ବଦଳି ଯାଉଥିଲା, ଦୁଇଦିନରେ ସେ ବିଚରା ସେଠାରେ ନିଜକୁ ସେଟ୍ ବି କରିପାରୁନଥିଲା, ଆଉ ତାକୁ ସଙ୍ଗେ ସଙ୍ଗେ ଖେଳ ପଡ଼ିଆକୁ ଓହ୍ଲାଇବାକୁ ପଡ଼ୁଥିଲା । ଏଥର ଆମେ 15 ଦିନ ପୂର୍ବରୁ ଖେଳାଳିଙ୍କୁ ରିଓ ପଠାଇ ଦେଇଛୁ । ଏହା କରିବାର କାରଣ ହେଉଛି ସେଠାର ପରିବେଶ ସହ ସମ୍ପୂର୍ଣ୍ଣ ଭାବେ ଖେଳାଳିମାନେ ପରିଚିତ ହେବେ । ପଡ଼ିଆ ସହ ପରିଚିତ ହେବେ, ଆଉ ପାଣିପାଗ ସହ ପରିଚିତ ହେବେ, ଜଳବାୟୁ ସହ ପରିଚିତ ହୋଇଯିବେ । ନିଜକୁ ସେମାନେ ସେଟ୍ କରିପାରିବେ ।

ମୋ ଦେଶର ପ୍ରିୟ ଭାଇଭଉଣୀ,

ଖେଳାଳି ପରିଶ୍ରମ କରିବା ପାଇଁ ପ୍ରସ୍ତୁତ ଥାଏ, କିନ୍ତୁ କିଛି ଆରାମର ବି ଆବଶ୍ୟକ ହୋଇଥାଏ । ତା’ର ବି ମନ କରେ କି 20-25 ଦିନ ଏଠାରେ ରହୁଛି, ମାସେ ରହୁଛି, କେଉଁଠି ତ ମୋ’ ଦେଶର ଖାଇବା ମିଳିଯିବ । ଆମର ଖେଳାଳିଙ୍କୁ, ଅଲମ୍ପିକ ଯିବା ସମୟରେ ବି ସେହି ଦେଶର ଖାଦ୍ୟ ଖାଇବାକୁ ପଡ଼ିଥାଏ । ଏଥର ଆମେ ସ୍ୱତନ୍ତ୍ର ବଜେଟ୍ ପାଇଁ ଅନୁମତି ଦେଇଛୁ । ଭାରତୀୟ ଖେଳାଳିଙ୍କ ଦଳକୁ ଯେଉଁ ଭାରତୀୟ ଖାଦ୍ୟ ପସନ୍ଦ, ଯାହା ସେମାନଙ୍କ ଖେଳ ଅନୁସାରେ ଆବଶ୍ୟକ, ସେସବୁ ଖେଳାଳିଙ୍କୁ ଉପଲବ୍ଧ କରିବାର ବ୍ୟବସ୍ଥା ଭାରତ ସରକାର କରିବେ । ଯାହାଫଳରେ ସେମାନଙ୍କୁ ଏଭଳି ଛୋଟ ଛୋଟ କଥାରେ ବି ସମସ୍ୟା ହେବନି ।

ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେତେବେଳେ ଅଲମ୍ପିକ କ୍ରୀଡ଼ା ଶେଷ ହେଉଥିଲା, ସେତେବେଳେ ମିଡିଆରେ କ୍ରୀଡ଼ା ସ୍ତମ୍ଭରେ ଲେଖକମାନେ ବହୁତ ଆଲୋଚନା କରୁଥିଲେ । ପ୍ରାୟ 15, ମାସେ, ଚୁଟି ଟାଣିବାର ଏଭଳି ବଡ଼ ଅଭିଯାନ ଚାଲେ । କିନ୍ତୁ ମାସକ ପରେ ସମସ୍ତ ବିଷୟକୁ ଭୁଲାଇ ଦିଆଯାଇଥାଏ । ଆଉ ପୁଣି ଯେତେବେଳେ 4 ବର୍ଷ ପରେ ଅଲମ୍ପିକ ଆସେ, ସେତେବେଳେ ମନେ ପକାନ୍ତି କି ଗତଥର କ’ଣ କ’ଣ ହୋଇଥିଲା । ଆମେ ଏଥର ଗତ ଅଲମ୍ପିକ ସମୟରେ କ’ଣ କ’ଣ ସମାଲୋଚନା ହୋଇଥିଲା, ତାକୁ 2 ବର୍ଷ ପୂର୍ବରୁ ଅଧ୍ୟୟନ ଆରମ୍ଭ କରିଥିଲୁ । ସରକାର ଗଠନ ହେବା ପରେ ଉକ୍ତ ଅଭାବକୁ ଦୂର କରିବାକୁ ଗୋଟିଏ ଲେଖାଏଁ ପଦକ୍ଷେପ ନେବା ଆରମ୍ଭ କରିଥିଲୁ । ଆମେ ସମାଲୋଚନାକୁ ସୁଯୋଗରେ ପରିବର୍ତ୍ତନ କରିବା ପାଇଁ ଏହାର ଉପଯୋଗ କରିଛୁ । ଆପଣମାନେ ଜାଣିଥିବେ, ପୂର୍ବରୁ ଅଲମ୍ପିକର ଖବର ପରେ ଆସୁଥିଲା ଖେଳାଳି ସହ ଯେଉଁ ସରକାରୀ ବାବୁ, ଅଫିସର ଯାଉଥିଲେ ସେମାନଙ୍କୁ ଦୈନିକ ଭତ୍ତା ବାବଦରେ 100 ଡଲାର ଲେଖାଏଁ ମିଳୁଥିଲା । କିନ୍ତୁ ଖେଳାଳି ଯେଉଁମାନେ ଦେଶ ପାଇଁ ଜୀବନ ସମର୍ପିତ କରିଥାନ୍ତି, ସେମାନଙ୍କୁ ମାତ୍ର 50 ଡଲାର ମିଳୁଥିଲା । ଏଭଳି ଭେଦଭାବ କାହିଁକି ? ବାବୁଙ୍କୁ 100 ଡଲାର ଆଉ ଖେଳାଳିଙ୍କୁ 50 ଡଲାର ? ଆମେ କ୍ଷମତାକୁ ଆସିବା ପରେ ଏହି ଭେଦଭାବ ଦୂର କଲୁ । ଏଥର ଆମେ ନିଷ୍ପତି ନେଲୁ କି ଦଳରେ ଯେଉଁମାନେ ଯିବେ, ସମସ୍ତଙ୍କୁ ସମାନ ଭାବେ 100 ଡଲାର ଦିଆଯିବ । ଯାହାଫଳରେ ଖେଳାଳିଙ୍କୁ କୌଣସି ସମସ୍ୟା ହେବ ନାହିଁ ।

ଆମ ପାଖରେ ପ୍ରତିଭା ଅଛି କିନ୍ତୁ ଆନ୍ତର୍ଜାତିକ କ୍ରୀଡ଼ା ପାଇଁ ଯେଉଁଭଳି ସାଧନ ରହିଛି, ନିୟମ ଥାଏ, ପଦ୍ଧତି ଥାଏ, ତାହା ସହ ଆମର ଖେଳାଳି ପରିଚିତ ନଥାନ୍ତି । ଏଥିପାଇଁ ଏକ ଆନ୍ତର୍ଜାତିକ ସ୍ତରର ଏକ୍ସପୋଜର ବା ଅନୁଭବର ଆବଶ୍ୟକତା ରହିଛି । ଆଉ ଏଇଥିପାଇଁ ଏଥର ଯେଉଁ ଖେଳାଳି ଚୟନ କରାଯାଇଛନ୍ତି, ହଁ ଭାଇ ଏହି ଲୋକମାନେ, ଯେଉଁମାନେ ଅଲମ୍ପିକ ଯାଉଛନ୍ତି ସେମାନଙ୍କୁ ବିଶ୍ୱର କେଉଁ ସ୍ଥାନରେ ପ୍ରଶିକ୍ଷଣ ନେବା ପାଇଁ ଯିବାକୁ ଚାହୁଁଛ ତାହା ଜଣାଇବାକୁ କୁହାଯାଇଛି ? ଆପଣଙ୍କୁ କାହା ପାଖରେ ପ୍ରଶିକ୍ଷଣ ନେବାର ଅଛି ? କେଉଁ ସହର, କେଉଁ ଦେଶ, କେଉଁ ପଡ଼ିଆ, ଆପଣଙ୍କ ପ୍ରଶିକ୍ଷକ କିଏ, ଆପଣମାନେ ନିର୍ଦ୍ଧାରଣ କରନ୍ତୁ । ପ୍ରଥମଥର ଦେଶର ଖେଳାଳିମାନେ ନିଜ ପସନ୍ଦର ଆନ୍ତର୍ଜାତିକ ପ୍ରଶିକ୍ଷକ ଚୟନ କରିଛନ୍ତି । ନିଜ ପସନ୍ଦର ଦେଶ ନିର୍ଦ୍ଧାରଣ କରିଛନ୍ତି, ନିଜ ପସନ୍ଦର ପଡ଼ିଆ ସ୍ଥିର କରିଛନ୍ତି ଆଉ ଭାରତ ସରକାର ପ୍ରତ୍ୟେକ ଖେଳାଳିଙ୍କ ପିଛାରେ 30 ଲକ୍ଷ ଟଙ୍କାରୁ ଦେଢ଼ କୋଟି ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିବେ ।

ଦିନ ଥିଲା ଅଲମ୍ପିକକୁ ଦୃଷ୍ଟିରେ ରଖି ଅଧିକରୁ ଅଧିକ 15 କୋଟି ରୁ 20 କୋଟି ଟଙ୍କାର ବଜେଟ୍ ହେଉଥିଲା । ଏଥର ଆମେ ଏହି ବଜେଟକୁ ପ୍ରାୟ 125 କୋଟି କରି ଦେଇଛୁ । ଆଉ ମୋର ପ୍ରିୟ ଯୁବବନ୍ଧୁ ଆପଣମାନେ ପ୍ରସ୍ତୁତି କରନ୍ତୁ, ସ୍କୁଲର ଛୋଟ ଛୋଟ ପିଲା ପ୍ରସ୍ତୁତ କରନ୍ତୁ । 2020 ଟୋକିଓ ପାଇଁ ପ୍ରସ୍ତୁତି କରନ୍ତୁ । ଖେଳାଳିଙ୍କ ମାଧ୍ୟମରେ ବିଶ୍ୱରେ ନିଜର ମାନ-ସମ୍ମାନ-ଗୌରବ ହାସଲ ପାଇଁ ସରକାର ନିଜର ସମ୍ପୂର୍ଣ୍ଣ ଶକ୍ତି ଆଗାମୀ 4 ବର୍ଷରେ ଲଗାଇ ଦେବେ । ଏହା ମୁଁ ଆପଣଙ୍କୁ ଭରସା ଦେଉଛି । ଭାରତ ଯେଉଁ ଖେଳାଳିଙ୍କ ନାମରେ ଗର୍ବ ଅନୁଭବ କରୁଛି, ସେମାନଙ୍କ ଆଗରେ ଖେଳ ଜଗତର ମହାନ୍ ପରମ୍ପରାକୁ ସ୍ମରଣ କରି ରିଓରେ ଯେଉଁ ଖେଳ ହେଉଛି, ଆୟୋଜକ ରାଷ୍ଟ୍ରକୁ, ଭାଗ ନେଉଥିବା ରାଷ୍ଟ୍ରକୁ, କ୍ରୀଡ଼ାନୈପୁଣ୍ୟ ପ୍ରଦର୍ଶନ କରିବାକୁ ଥିବା ଖେଳାଳିଙ୍କୁ ମୁଁ ଆଜି 125 କୋଟି ହିନ୍ଦୁସ୍ତାନୀଙ୍କ ପକ୍ଷରୁ ଅନେକ ଅନେକ ଶୁଭକାମନା ଜଣାଉଛି ।

ମୋର ବିଶ୍ୱାସ ଅଛି କି ଏହି ପୁରା ସମାରୋହ, ଯାହା ବିଶ୍ୱରେ ବନ୍ଧୁତ୍ୱର ସନ୍ଦେଶ ବି ଦେଉଛି, ତାହା ନିର୍ବିଘ୍ନରେ ସମ୍ପନ୍ନ ହେବ ଓ ଆୟୋଜକ ରାଷ୍ଟ୍ରର ବି ମାନ-ସମ୍ମାନ-ଗୌରବ ବଢ଼ିବ । ଏଭଳି ଶୁଭକାମନା ଜଣାଉଛି । ମୁଁ 125 କୋଟି ଦେଶବାସୀଙ୍କ ପକ୍ଷରୁ ହିନ୍ଦୁସ୍ତାନର ଉକ୍ତ 119 ଖେଳାଳିଙ୍କୁ ବି ଶୁଭକାମନା ଜଣାଉଛି ।

ରିଓ ପହଂଚିଥିବା ମୋର ଖେଳାଳି ଭାଇଭଉଣୀମାନେ, ବିଶ୍ୱରୁ ଅନେକ ଖେଳାଳି ସେଠାକୁ ଆସିଥିବେ, କିନ୍ତୁ ଆପଣମାନେ ଯାହାଙ୍କ ପଛରେ 125 କୋଟି ଲୋକ ଜୀବନ ଦେଇ ଛିଡ଼ା ହୋଇଛନ୍ତି । ଯେତେବେଳେ ଅଗଷ୍ଟ 15 ରେ ଆମେ ସ୍ୱାଧୀନତାର 70 ତମ ଜୟନ୍ତୀର ତ୍ରିରଙ୍ଗା ଉଡ଼ାଇବା, ମୋର ବିଶ୍ୱାସ ଅଛି ଯେ ସେ ସମୟରେ ରିଓରେ ବି ପ୍ରତ୍ୟେକ ଦିନ କେଉଁଠି ନା କେଉଁଠି ତ୍ରିରଙ୍ଗା ଉଡ଼ିବାର ସୌଭାଗ୍ୟ ପ୍ରାପ୍ତ ହେବ ।

ଭାଇ ଓ ଭଉଣୀମାନେ ଏହା ଜୀବନର ଆବଶ୍ୟକତା । ଆନ୍ତର୍ଜାତିକ ଜୀବନରେ ରାଷ୍ଟ୍ରର ଆବଶ୍ୟକତା ପାଲଟି ଯାଇଛି । ଆସନ୍ତୁ ଖେଳିବା ଆଉ ଖେଳାଇବା । ଆମେ ବି ବଢ଼ିବା ଆଉ ଆମ ଦେଶ ବି ବଢ଼ିବ ।

ବହୁତ ବହୁତ ଶୁଭକାମନା ।

**********