Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ମୋଜାମ୍ବିକରୁ ଦୀର୍ଘ ମିଆଦି ଠିକାରେ ଡାଲି ଆମଦାନୀ ପ୍ରସ୍ତାବକୁ କେବିନେଟର ମଞ୍ଜୁରି


ମୋଜାମ୍ବିକରୁ ଡାଲି ଜାତୀୟ ଶସ୍ୟ ଆମଦାନୀ ପାଇଁ ଏକ ଦୀର୍ଘ ମିଆଦୀ ଠିକା ନିମନ୍ତେ ବୁଝାମଣାପତ୍ର (ଏମ୍ଓୟୁ) ସ୍ୱାକ୍ଷରିତ ହେବ । ଏହି ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର ମନ୍ତ୍ରୀମଣ୍ଡଳ ବୈଠକରେ ଅନୁମୋଦନ ମିଳିଛି । ଏହି ନିଷ୍ପତ୍ତି ଅନୁଯାୟୀ ଘରୋଇ ସଂସ୍ଥା ମାଧ୍ୟମରେ କିମ୍ବା ଉଭୟ ଦେଶର ସ୍ୱୀକୃତି କ୍ରମେ ଦୁଇ ସରକାରଙ୍କ ରାଷ୍ଟ୍ରାୟତ୍ତ ସଂସ୍ଥା ଜରିଆରେ ମୋଜାମ୍ବିକରୁ ଡାଲି ଜାତୀୟ ଶସ୍ୟ ଆମଦାନୀ କରାଯିବ ।

ସେହି ଏମ୍ଓୟୁ ଦ୍ୱାରା ମୋଜାମ୍ବିକରେ ଚଣା, ପାରାଦାନା ଏବଂ ମୁଗ ସମେତ ଅନ୍ୟାନ୍ୟ ଡାଲିଜାତୀୟ ଶସ୍ୟର ଉତ୍ପାଦନ ବୃଦ୍ଧି ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଯାହାଫଳରେ ସେହି ଡାଲି ଜାତୀୟ ଫସଲର ବାଣିଜ୍ୟିକ କାରବାର ହୋଇପାରିବ । ଏହି ଏମ୍ଓୟୁ ରେ ମୋଜାମ୍ବିକରୁ ମୁଗ ଆମଦାନୀ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ ଆଗାମୀ 5 ବର୍ଷରେ ସେହି ପରିମାଣ ଦ୍ୱିଗୁଣିତ ହେବ ବୋଲି ସ୍ଥିର ହୋଇଛି । ବିଶେଷକରି 2016-17 ବର୍ଷରେ ଏହି ଶସ୍ୟର ଆମଦାନୀ ଏକ ଲକ୍ଷ ଟନ ହୋଇଥିବା ବେଳେ 2020-21 ବର୍ଷରେ ତାହା 2 ଲକ୍ଷ ଟନରେ ପହଂଚାଇବାକୁ ନିଷ୍ପତ୍ତି ହୋଇଛି ।

ଏହି ବୁଝାମଣା ଫଳରେ ଭାରତୀୟ ବଜାରରେ ଡାଲିର ଉପଲବ୍ଧତା ବ୍ୟାପକ ହେବ ଏବଂ ଦର ସ୍ଥିର ରହିପାରିବ । ଦେଶରେ 2015-16 ବର୍ଷରେ 17ନିୟୁତ ଟନ୍ ଡାଲିଜାତୀୟ ଶସ୍ୟ ଉତ୍ପାଦନ ହୋଇଥିବା ବେଳେ ଘରୋଇ ଚାହିଦା ପୂରଣ ପାଇଁ ଆଉ 5.79 ନିୟୁତ ଟନ୍ ଡାଲି ଜାତୀୟ ଶସ୍ୟ ଆମଦାନୀ କରାଯାଇଛି । ତେବେ ଘରୋଇ ଉତ୍ପାଦନ ଏବଂ ଆମଦାନୀ ହୋଇଥିବା ଡାଲି ଦେଶର ସାମଗ୍ରୀକ ଆବଶ୍ୟକତା ପୂରଣ କରିବାରେ ସମର୍ଥ ହେଉ ନ ଥିବାରୁ ଡାଲି ଜାତୀୟ ଶସ୍ୟରେ ମୂଲ୍ୟ 2015-16 ଏବଂ ଚଳିତ 2016-17 ରେ ବୃଦ୍ଧି ପାଇଛି ।

ଏହି ପ୍ରସଙ୍ଗରେ ମୋଜାମ୍ବିକ ବୁଝାମଣା ଅନୁରୂପ ଅନ୍ୟ ଦେଶମାନଙ୍କ ସହିତ ମଧ୍ୟ ଏମ୍ଓୟୁ କରାଯିବ ବୋଲି ସୂଚନା ମିଳିଛି ।