ପିଏମଇଣ୍ଡିଆ
ମହାମହିମ, ରାଷ୍ଟ୍ରପତି ଫିଲିପେ ନ୍ୟୁସୀ
ମହିଳା ଓ ଭଦ୍ରମଣ୍ଡଳୀ,
ମହାମହିମ, ଆପଣଙ୍କ ସ୍ନେହଭରା ମନ୍ତବ୍ୟ ଅତ୍ୟନ୍ତ ହୃଦୟସ୍ପର୍ଶୀ । ମୋଜାମ୍ବିକ-ଭାରତ ସମ୍ପର୍କକୁ ସମୃଦ୍ଧ କରିବା ନେଇ ଆପଣଙ୍କ ଚିନ୍ତାଧାରା ସକାଶେ ଅଶେଷ ଧନ୍ୟବାଦ । ଆପଣଙ୍କ ଭବ୍ୟ ସ୍ୱାଗତ ଏବଂ ଉଦାରତାପୂର୍ଣ୍ଣ ଆତିଥ୍ୟ ପାଇଁ ମୁଁ ଆପଣଙ୍କୁ, ଆପଣଙ୍କ ସରକାରଙ୍କୁ ଏବଂ ମୋଜାମ୍ବିକର ନାଗରିକମାନଙ୍କୁ ଅଶେଷ ଧନ୍ୟବାଦ ଜଣାଉଛି ।
ମହାମହିମ, ଆମ ଦୁଇ ଦେଶ ମଧ୍ୟରେ ସଂପର୍କ ନୂତନ ନୁହେଁ । ହଜାର ହଜାର ସଂଖ୍ୟାରେ ଭାରତୀୟ ବଂଶୋଦ୍ଭବ ମୋଜାମ୍ବିକକୁ ସେମାନଙ୍କ ବାସସ୍ଥାନ ବୋଲି ଧରିନେଇଛନ୍ତି । ମତେ କୁହାଯାଇଛି ଯେ ଭାରତର କିଛି ସ୍ଥାନରେ ରହୁଥିବା ସିଦ୍ଦି ସଂପ୍ରଦାୟର ପୂର୍ବଜମାନେ ମୋଜାମ୍ବିକରୁ ଆସିଥିଲେ । ଏହି ସଂପ୍ରଦାୟ ହେଉଛନ୍ତି ଦୁଇ ଦେଶ ମଧ୍ୟରେ ରହିଥିବା ଯୁଗ ଯୁଗର ପୁରାତନ ସଂପର୍କର ଜୀବନ୍ତ ପ୍ରତୀକ, ଯାହାକି ଦୁଇ ଦେଶର ଜନତା, ସେମାନଙ୍କ ଚିନ୍ତାଧାରା, ପରମ୍ପରା, ସଂସ୍କୃତି ଏବଂ ବାଣିଜ୍ୟିକ ସଂପର୍କକୁ ପରସ୍ପର ସହ ବାନ୍ଧି ରଖିଛି ।
ମହାମହିମ, ଆମେ ଦୁଇ ଦେଶ ଉପନିବେଶ ଶାସନର କଷ୍ଟ ଭୋଗିଛେ । ମୋଜାମ୍ବିକ କ୍ଷେତ୍ରରେ ଏହି ସଂଘର୍ଷ ଅନେକ ସମୟ ଧରି ଚାଲିଥିଲା । ମୋଜାମ୍ବିକକୁ ଉପନିବେଶ ଶାସନରୁ ମୁକ୍ତି ଦେବା ଲାଗି ବିଶ୍ଵର ପ୍ରମୁଖ ଅଧିବକ୍ତାମାନଙ୍କ ମଧ୍ୟରେ ସ୍ୱତନ୍ତ୍ର ଭାରତ ଅନ୍ୟତମ ଥିଲା । ମୋଜାମ୍ବିକ 1975 ମସିହାରେ ସ୍ୱତନ୍ତ୍ର ଦେଶର ମାନ୍ୟତା ଲାଭ କଲା ଏବଂ ଆମେ ଏଥିପାଇଁ ଗର୍ବିତ ।
ଆଜି ଦେଖାଯାଇଛି ଯେ, ଚଳିତ ଦଶନ୍ଧିରେ ମୋଜାମ୍ବିକର ଅର୍ଥ ବ୍ୟବସ୍ଥା ବିଶ୍ୱର ଦ୍ରୁତ ପ୍ରଗତିଶୀଳ ଅର୍ଥ ବ୍ୟବସ୍ଥାମାନଙ୍କ ମଧ୍ୟରେ ଅନ୍ୟତମ ଏବଂ ଏହାକୁ ଆମେ ପ୍ରଶଂସା କରୁଛୁ । ମହାମହିମ, ଦୁଇଟି ବିକାଶଶୀଳ ଦେଶ ଭାବେ ଆମକୁ ଏହିଭଳି ଆହ୍ୱାନର ସାମନା କରିବାକୁ ପଡୁଛି । ଆମର ବିକାଶ ଏବଂ ଅର୍ଥନୈତିକ କ୍ଷେତ୍ରରେ ଭାଗିଦାରୀତା – ଆମ ସଂପର୍କର ଅନିବାର୍ଯ୍ୟ ଅଙ୍ଗ ହୋଇଛି ।
ଆମ ବ୍ୟାପାର ଏବଂ ନିବେଶ ସଂପର୍କ ବିଶେଷ ଭାବେ ସାମ୍ପ୍ରତିକ ବର୍ଷଗୁଡିକରେ ସମୃଦ୍ଧ ହୋଇଛି । ଏହା ଉପରେ ଆଗକୁ ମଧ୍ୟ କାର୍ଯ୍ୟ କରିବା ପାଇଁ ଆମର ଆଗ୍ରହ ରହିଛି । ନିଜର ପ୍ରାଥମିକତା ଅନୁସାରେ ମୋଜାମ୍ବିକକୁ ଭାରତ ତାର ଶ୍ରେଷ୍ଠ ଅନୁଭୂତି, ଟେକ୍ନୋଲୋଜି, ସାମର୍ଥ୍ୟ ଏବଂ ରିହାତି ହାରରେ ଋଣ ସହାୟତା ଯୋଗାଇଦେବା ଲାଗି ଭାରତ ସର୍ବଦା ପ୍ରସ୍ତୁତ ଓ ପ୍ରତିବଦ୍ଧ ।
ଗତ ବର୍ଷ ମୋଜାମ୍ବିକର ସ୍ୱତନ୍ତ୍ରତା ଏବଂ ଆମର କୁଟନୀତିକ ସଂପର୍କ ସ୍ଥାପନର 40 ତମ ବାର୍ଷିକୀ ପାଳନ କରାଯାଇଥିଲା । ଏହା ମଧ୍ୟ ଦେଖିବାକୁ ମିଳିଥିଲା ଯେ ଆମ ଦୁଇ ଦେଶ ମଧ୍ୟରେ ଜାରି ରହିଥିବା ଯୋଗସୂତ୍ର ପୂର୍ବରୁ କେବେ ଦେଖାଯାଇ ନ ଥିଲା । ଏହାପରେ ଅଗଷ୍ଟ 2015 ରେ ଭାରତକୁ ଆପଣ ସରକାରୀ ଗସ୍ତରେ ଆସିବା – ଦୁଇ ଦେଶ ମଧ୍ୟରେ ସମ୍ପର୍କର ଏକ ପ୍ରମୁଖ ବିନ୍ଦୁ ଥିଲା । ପରେ ଆପଣଙ୍କ ପ୍ରଧାନମନ୍ତ୍ରୀ ଭାରତ-ଆଫ୍ରିକା ମଞ୍ଚ ଶିଖର ସମ୍ମିଳନୀର ତୃତୀୟ ସଂସ୍କରଣରେ ତାଙ୍କ ଉପସ୍ଥିତି ସହିତ ଆମକୁ ସମ୍ମାନିତ କରିଥିଲେ । ମହାମହିମ, 34 ବର୍ଷ ପରେ ମୋଜାମ୍ବିକ ଗସ୍ତରେ ମୁଁ ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ଭାବେ ଆସିଛି । ଏହି ବ୍ୟବଧାନ କେବେ ବି ଆଉ ଅଧିକ ସମୟ ପର୍ଯ୍ୟନ୍ତ ରହିବା ଉଚିତ ନୁହେଁ । ଏବଂ, ମୋର ବିଶ୍ୱାସ ଯେ ଭବିଷ୍ୟତରେ ଆଉ ଏପରି ହେବ ନାହିଁ ।
ଏହି ମନ୍ତବ୍ୟ ସହିତ, ମହାମହିମମାନେ, ଭଦ୍ରମଣ୍ଡଳୀ, ଦୟାକରି ମୋ ସହିତ ଟୋଷ୍ଟ କରନ୍ତୁ :
-ମହାମହିମ ରାଷ୍ଟ୍ରପତି ଫିଲିପେ ଜାସିଣ୍ଟୋ ନ୍ୟୁସୀଙ୍କ ସ୍ୱାସ୍ଥ୍ୟ, ଖୁସି ଏବଂ ମଙ୍ଗଳ ପାଇଁ;
-ମୋଜାମ୍ବିକ ଜନସାଧାରଣଙ୍କ ଶାନ୍ତି, ପ୍ରଗତି ଓ ସମୃଦ୍ଧି ପାଇଁ; ଏବଂ
-ଭାରତ – ମୋଜାମ୍ବିକ ମଧ୍ୟରେ ଦୃଢ ମୈତ୍ରୀ ଓ ସହଯୋଗ ରକ୍ଷା ପାଇଁ ।