ପିଏମଇଣ୍ଡିଆ
ଯୁବ ପ୍ରସଙ୍ଗରେ ପାରସ୍ପରିକ ସହଯୋଗ ପାଇଁ ଭାରତ ଓ ଆର୍ମେନିଆ ମଧ୍ୟରେ ହୋଇଥିବା ବୁଝାମଣାପତ୍ରକୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟକୁ ଅବଗତ କରାଯାଇଛି ।
2017 ଏପ୍ରିଲରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା । ଏହା ପାଞ୍ଚ ବର୍ଷ ପାଇଁ ବଳବତ୍ତର ରହିବ । ଏହାପରେ ଏହି ବୁଝାମଣାପତ୍ର ସ୍ୱୟଂ ପରବର୍ତ୍ତୀ ପାଞ୍ଚ ବର୍ଷ ପାଇଁ ସମ୍ପ୍ରସାରିତ ହେବ । ଯଦି କୌଣସି ଏକ ପକ୍ଷ ଏହାର ଅବଧି ବଢ଼ାଇବାକୁ ଚାହୁଁନାହାନ୍ତି ବୋଲି ଅନ୍ୟ ପକ୍ଷକୁ ଅବଗତ କରାଇବେ ତେବେ ଏହା ବାତିଲ ହୋଇଯିବ । କିନ୍ତୁ ଏ ସମ୍ପର୍କରେ ଅବଧି ଶେଷ ହେବାର ଅତି କମରେ 6 ମାସ ପୂର୍ବରୁ ଜଣାଇବାକୁ ପଡ଼ିବ ।
ଏହି ବୁଝାମଣାପତ୍ରର ଉଦ୍ଦେଶ୍ୟ ହେଲା ବିଭିନ୍ନ କାର୍ଯ୍ୟକ୍ରମ, ଉତ୍ସବ, ଜ୍ଞାନ ତଥା ଭାବର ଆଦାନପ୍ରଦାନ ମଧ୍ୟରେ ଦୁଇ ଦେଶ ମଧ୍ୟରେ ଯୁବ ପ୍ରସଙ୍ଗରେ ସହଯୋଗ ବୃଦ୍ଧି କରିବା ।
ଉଭୟ ଦେଶର ଯୁବ ନୀତି ପ୍ରଣୟନ କରୁଥିବା ସଂସ୍ଥା କିମ୍ବା ଯୁବ ସଙ୍ଗଠନଗୁଡ଼ିକର ପ୍ରତିନିଧି ଜ୍ଞାନ ଆହରଣ ପାଇଁ ଦୁଇ ଦେଶ ଗସ୍ତ କରିବେ । ଦୁଇ ଦେଶରେ ଅନୁଷ୍ଠିତ ହେଉଥିବା ଆନ୍ତର୍ଜାତିକ ଯୁବ ମହୋତ୍ସବ, ଆଲୋଚନାଚକ୍ରରେ ଉଭୟ ଦେଶର ପ୍ରତିନିଧିମାନଙ୍କୁ ନିମନ୍ତ୍ରଣ କରାଯିବ । ବିଭିନ୍ନ ମୁଦ୍ରିତ ପୁସ୍ତକ, ଚଳଚ୍ଚିତ୍ର ଏବଂ ଅଭିଜ୍ଞତାର ଆଦାନ ପ୍ରଦାନ ହେବ । ଦୁଇ ଦେଶରେ ଅନୁଷ୍ଠିତ ହେଉଥିବା ଯୁବ ଶିବିର, ଯୁବ ଉତ୍ସବ କିମ୍ବା ଅନ୍ୟ କୌଣସି ଯୁବ ଭିତିକ କାର୍ଯ୍ୟକ୍ରମ ତଥା ଗବେଷଣାତ୍ମକ କାର୍ଯ୍ୟରେ ମଧ୍ୟ ଯୁବକମାନେ ଭାଗ ନେବାର ସୁଯୋଗ ପାଇବେ ।
********