Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଯୋଗ ପୁରସ୍କାର ପ୍ରଦାନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ


ମଞ୍ଚରେ ଉପସ୍ଥିତ ମନ୍ତ୍ରିମଣ୍ଡଳର ମୋର ସହଯୋଗୀ ଶ୍ରୀମାନ ଶ୍ରୀପଦ ୟେଶୋ ନାକ ମହୋଦୟ, ପୁରସ୍କାର ପାଉଥିବା ସମସ୍ତ ସାଥୀ, ଆୟୁଷ କ୍ଷେତ୍ର ସହିତ ଜଡ଼ିତ ବୃତ୍ତିଗତ ଅଧିକାରୀଗଣ, ଭାଇ ଓ ଭଉଣୀମାନେ !

ଦେଶରେ ଫିଟ୍ ଇଣ୍ଡିଆ ଆନ୍ଦୋଳନର ଶୁଭାରମ୍ଭର ପର ଦିନ ହିଁ ଆୟୁଷ ଏବଂ ଯୋଗ ସହିତ ଜଡ଼ିତ କାର୍ଯ୍ୟକ୍ରମକୁ ଆସିବା ହେଉଛି ଏକ ଅଦ୍ଭୁତ ସଂଯୋଗ । ଆୟୁଷ ଏବଂ ଯୋଗ ହେଉଛନ୍ତି ଫିଟ୍ ଇଣ୍ଡିଆ ଅଭିଯାନର ବହୁତ ମହତ୍ୱପୂର୍ଣ୍ଣ ଅଂଶୀଦାର ।

ସାଥୀଗଣ,

ଆଜି ଏଠାରେ ତିନୋଟି କାର୍ଯ୍ୟକ୍ରମ ହୋଇଛି । ଦୁଇଟି ଆମ ପରମ୍ପରା, ସଂସ୍କୃତିର ପୁରସ୍କାର ସମ୍ମାନ ସହିତ ଯୋଡ଼ି ହୋଇଛି ଏବଂ ଗୋଟିଏ ସ୍ୱାସ୍ଥ୍ୟ ସୁରକ୍ଷା ଭିତ୍ତିଭୂମି ସହିତ ଜଡ଼ିତ । ଆଜି ହରିୟାଣାରେ 10ଟି ଆୟୁଷ ସ୍ୱାସ୍ଥ୍ୟ ଏବଂ ଆରୋଗ୍ୟ କେନ୍ଦ୍ରର ଶୁଭାରମ୍ଭ କରାଯାଇଛି । ଏଥିପାଇଁ ମୁଁ ହରିୟାଣାବାସୀଙ୍କୁ ବହୁତ-ବହୁତ ଶୁଭକାମନା ଜଣାଉଛି ।

ମୋତେ ଯୋଗର ସାଧକମାନଙ୍କୁ, ଯୋଗସେବା କରୁଥିବା ଲୋକଙ୍କୁ, ସମଗ୍ର ଦୁନିଆରେ ଯୋଗର ପ୍ରଚାର-ପ୍ରସାର କରୁଥିବା ସାଥୀମାନଙ୍କୁ ତଥା ସଂସ୍ଥାଗୁଡ଼ିକୁ ପୁରସ୍କାର ପ୍ରଦାନ କରିବାର ସୁଯୋଗ ମଧ୍ୟ ମିଳିଛି । ଏମାନଙ୍କ ମଧ୍ୟରେ ଇଟାଲୀ ଏବଂ ଜାପାନର ସାଥୀ ମଧ୍ୟ ଅଛନ୍ତି ଯେଉଁମାନେ ଦଶକ ଦଶକ ଧରି ଯୋଗର ପ୍ରଚାର-ପ୍ରସାରରେ ଲାଗି ପଡ଼ିଛନ୍ତି । ଏଣ୍ଟୋନିଏଟା ରୋଜ୍ଜି ମହୋଦୟା ବିଗତ 4 ଦଶକ ଧରି ସଂପୂର୍ଣ୍ଣ ୟୁରୋପରେ ସର୍ବ ଯୋଗ ଇଣ୍ଟରନେସନାଲ ସଂସ୍ଥା ମାଧ୍ୟମରେ ଯୋଗର ପ୍ରଚାର-ପ୍ରସାରରେ ଲାଗି ପଡ଼ିଛନ୍ତି । ସେହିଭଳି ଭାବେ ଜାପାନ ଯୋଗ ନିକେତନର ସମଗ୍ର ଜାପାନରେ ହଜାର ହଜାର ଯୋଗକେନ୍ଦ୍ର ରହିଛି । ଏହି ସଂସ୍ଥା ମଧ୍ୟ ବିଗତ 4 ଦଶକ ଧରି ଜାପାନକୁ ଯୋଗ ମାଧ୍ୟମରେ ନିରୋଗ ରଖିବାର ମହାନ କାର୍ଯ୍ୟ ମଧ୍ୟ କରୁଛି ପୁରସ୍କାର ପାଉଥିବା ସମସ୍ତ ସାଥୀମାନଙ୍କୁ ମୁଁ ଶୁଭକାମନା ଜଣାଉଛି ଏବଂ ତାଙ୍କର ସଫଳତା ପାଇଁ କାମନା କରୁଛି ।

କିଛି ସମୟ ପୂର୍ବରୁ ଆୟୁଷ ପଦ୍ଧତିକୁ ସମୃଦ୍ଧ କରୁଥିବା 12ଜଣ ମହାନ ବ୍ୟକ୍ତିଙ୍କ ସମ୍ମାନାର୍ଥେ ଡାକଟିକେଟ ମଧ୍ୟ ଜାରି କରାଯାଇଛି । ଏମାନେ ହେଉଛନ୍ତି ସେହି ସାଥୀଗଣ, ଯେଉଁମାନେ ନିଜର ସଂପୂର୍ଣ୍ଣ ଜୀବନ ଲୋକମାନଙ୍କର ଉପଚାର ପାଇଁ ଲଗାଇଦେଇଛନ୍ତି

କେହି ଯୋଗକୁ ମାଧ୍ୟମ ଭାବେ ବାଛି ନେଇଛନ୍ତି ତ ଆଉ କେହି ଆୟୁର୍ବେଦକୁ ।

କେହି ୟୁନାନୀ ଦ୍ୱାରା ଜନସେବା କରୁଛନ୍ତି ତ ଆଉ କେହି ହୋମିଓପ୍ୟାଥି ଦ୍ୱାରା ଲୋକଙ୍କ ଜୀବନକୁ ରୋଗମୁକ୍ତ କରୁଛନ୍ତି

ମୁଁ ଡାକ ବିଭାଗକୁ ମଧ୍ୟ ଶୁଭକାମନା ଜଣାଇବି, କାରଣ ଭାରତରେ ଗୋଟିଏ ହିଁ ସେଟରେ 12 ଡାକଟିକେଟ ବହୁତ କମ୍ ଜାରି ହୋଇଛିମୋର ବିଶ୍ୱାସ ରହିଛି କି ଏହି ଡାକଟିକେଟ ଆୟୁଷ ପ୍ରତି ଦେଶବାସୀଙ୍କ ମଧ୍ୟରେ ନୂତନ ଚିନ୍ତାଧାରା ବିକଶିତ କରିବାରେ ସାହାଯ୍ୟ କରିବ ।

ଭାଇ ଓ ଭଉଣୀମାନେ,

ଆଜି ଯେଉଁ ଡାକଟିକେଟ ଜାରି କରାଯାଇଛି, ସେଥିରୁ ଗୋଟିଏ ଦିନଶା ମେହତାଙ୍କ ନାମରେ ଜାରି କରାଯାଇଛି, ଦିନଶା ମେହତା ଗାନ୍ଧିଜୀଙ୍କ ଶାରୀରିକ ଚିକିତ୍ସକ ମଧ୍ୟ ଥିଲେ ଏବଂ ପ୍ରାକୃତିକ ଚିକିତ୍ସା ପ୍ରତି ସମର୍ପିତ କାର୍ଯ୍ୟକର୍ତ୍ତା ମଧ୍ୟ ।

ଗାନ୍ଧିଜୀ କହୁଥିଲେ କି –“ପ୍ରାକୃତିକ ଚିକିତ୍ସା ଜୀବନ ଜୀଇଁବାର ହେଉଛି ଏକ ଉପାୟ, କୌଣସି ଚିକିତ୍ସାର ଉପାୟ ନୁହେଁ ।ସେ ସମଗ୍ର ଜୀବନ ଏହିକଥା ଉପରେ ଗୁରୁତ୍ୱ ଦେଲେ ଏବଂ ପ୍ରାକୃତିକ ଚିକିତ୍ସା ପଦ୍ଧତିକୁ ଜୀବନର ଆଧାର କରିଥିଲେ

ସାଥୀଗଣ,

ଗାନ୍ଧିଜୀ ଯାହା ଶିଖିଥିଲେ, ତାହା ପଛରେ ଭାରତର ନିରାକରଣ ଏବଂ ରୋଗନିବାରଣ ଚିକିତ୍ସା ସହ ଜଡ଼ିତ ଏକ ସମୃଦ୍ଧ ପରମ୍ପରା ରହିଛି । ଆମ ପାଖରେ ହଜାର ହଜାର ବର୍ଷ ପୁରାତନ ସାହିତ୍ୟ ରହିଛି, ବେଦଗୁଡ଼ିକରେ ଜଟିଳ ରୋଗ ସହିତ ଜଡ଼ିତ ଚିକିତ୍ସାର ଚର୍ଚ୍ଚା ମଧ୍ୟ ରହିଛି । କିନ୍ତୁ ଦୁର୍ଭାଗ୍ୟର ବିଷୟ ଯେ ଆମେ ଆମର ଏହି ପୁରାତନ ଗବେଷଣାକୁ, ଜ୍ଞାନକୁ ଏହି ସମ୍ପତ୍ତିକୁ ଆଧୁନିକତା ସହିତ ଯୋଡ଼ିବାରେ ସେତେ ପରିମାଣରେ ସଫଳ ହୋଇପାରି ନାହୁଁ

ଏହି ସ୍ଥିତିକୁ ବିଗତ 5 ବର୍ଷ ଧରି ପରିବର୍ତ୍ତନ କରିବାର ପ୍ରୟାସ ଆମେ କରିଛୁ । ଏହା ମାଧ୍ୟମରେ ଆୟୁଷକୁ ଭାରତର ସ୍ୱାସ୍ଥ୍ୟସୁରକ୍ଷା ପଦ୍ଧତିର ଗୁରୁତ୍ୱପୂର୍ଣ୍ଣ ଅଂଶ ଭାବେ ରଖିବା ଉପରେ ଗୁରୁତ୍ୱ ଦିଆଯାଉଛି ।

ମୋତେ ଅବଗତ କରାଯାଇଛି ଯେ ଆୟୁଷ ପରିବାରରେ ସୋବା ରିଗ୍ପା ବ୍ୟବସ୍ଥାକୁ ମଧ୍ୟ ସାମିଲ କରାଯାଇଛି । ଆୟୁର୍ବେଦ, ଯୋଗ ଏବଂ ପ୍ରାକୃତିକ ଚିକିତ୍ସା, ୟୁନାନୀ, ସିଦ୍ଧ ଏବଂ ହୋମିଓପ୍ୟାଥି ପରେ ସୋବା ରିଗ୍ପା, ଆୟୁଷ ପରିବାରର ଷଷ୍ଠ ସଦସ୍ୟ ହୋଇଛି । ଏଥିପାଇଁ ଆପଣମାନଙ୍କୁ ବହୁତ-ବହୁତ ଅଭିନନ୍ଦନ

ଭାଇ ଓ ଭଉଣୀମାନେ,

ଆଜି ଯଦି ଭାରତ ଚିକିତ୍ସା ବ୍ୟବସ୍ଥାକୁ ପରିବର୍ତ୍ତନ କରିବାକୁ ହେବ ତ, ଆମକୁ ସାମଗ୍ରିକ ଚିନ୍ତାଧାରା ସହିତ କାର୍ଯ୍ୟ କରିବାକୁ ପଡ଼ିବ । ପାରମ୍ପରିକ ଏବଂ ଆଧୁନିକ ଉଭୟ ଚିକିତ୍ସା ଶକ୍ତିକୁ ସୁଦୃଢ଼ କରିବାକୁ ହେବ । ଆୟୁଷ ଏବଂ ଆଧୁନିକ ସ୍ୱାସ୍ଥ୍ୟ ସୁରକ୍ଷାର ଏକା ସହିତ, ସମାନଭାବେ ବିକାଶ ହେବ, ସେତେବେଳେ ଯାଇ ଉନ୍ନତମାନର ସ୍ୱାସ୍ଥ୍ୟ ସମାଧାନ ଆମେ ପ୍ରସ୍ତୁତ କରି ପାରିବା ।

ସାଥୀଗଣ,

ୟୁଷ୍ମାନ ଭାରତ ଯୋଜନା ହେଉଛି ଏହି ଚିନ୍ତାଧାରାର ପରିଣାମ । ଏଥିରେ ପ୍ରତିଷେଧ ସ୍ୱାସ୍ଥ୍ୟ ସୁରକ୍ଷାକୁ ଧ୍ୟାନରେ ରଖି ସ୍ୱାସ୍ଥ୍ୟ ଏବଂ ଆରୋଗ୍ୟ କେନ୍ଦ୍ର ଖୋଲାଯାଉଛି ଆଉ ଅନ୍ୟପକ୍ଷରେ ଗୁରୁତର ରୋଗର ମାଗଣା ଚିକିତ୍ସା ପାଇଁ ପିଏମ୍ ଜନ ଆରୋଗ୍ୟ ଯୋଜନା କାର୍ଯ୍ୟକାରୀ କରାଯାଉଛି ।

ସ୍ୱାସ୍ଥ୍ୟ ଏବଂ ଆରୋଗ୍ୟ କେନ୍ଦ୍ର, ପ୍ରତିରୋଧ ଏବଂ ସୁଲଭ ସ୍ୱାସ୍ଥ୍ୟ ସୁରକ୍ଷାର ଏହା ହେଉଛି ଏକମାତ୍ର ଏବଂ ଅଦ୍ଭୁତପୂର୍ବ ମଡେଲ । ଏହି କେନ୍ଦ୍ରଗୁଡ଼ିକରେ ରୋଗ ନିରାକରଣର ମଧ୍ୟ ଉପାୟ ରହିଛି ଏବଂ ଚିକିତ୍ସାର ମଧ୍ୟ ବ୍ୟବସ୍ଥା ରହିଛି ।

ସାଥୀଗଣ,

ଆମେ ଯେତେବେଳେ ଦେଶରେ ଦେଢ଼ ଲକ୍ଷ ସ୍ୱାସ୍ଥ୍ୟ ଏବଂ ଆରୋଗ୍ୟ କେନ୍ଦ୍ର ଖୋଲୁଛୁ, ତ ଆୟୁଷକୁ ଭୁଲି ଯାଇ ନାହୁଁ । ସମଗ୍ର ଦେଶରେ ମଧ୍ୟ ସାଢ଼େ 12 ହଜାର ଆୟୁଷ କେନ୍ଦ୍ର ଖୋଲିବାର ଲକ୍ଷ୍ୟ ରହିଛି, ଯେଉଁଥିରୁ ଆଜି 10ଟି ଆୟୁଷ ସ୍ୱାସ୍ଥ୍ୟ ଏବଂ ଆରୋଗ୍ୟ କେନ୍ଦ୍ରର ଉଦ୍ଘାଟନ ହୋଇଛି । ଆମର ଚେଷ୍ଟା ରହିଛି ଯେ ଏଭଳି 4 ହଜାର ଆୟୁଷ କେନ୍ଦ୍ର ଚଳିତ ବର୍ଷ ପ୍ରସ୍ତୁତ ହୋଇଯାଉ ।

ସୁଲଭ ମୂଲ୍ୟରେ ଚିକିତ୍ସା କଥା କହିଲେ ୟୁଷ୍ମାନ ଭାରତ ଗରିବରୁ ଅତି ଗରିବ ବ୍ୟକ୍ତିଙ୍କୁ ଉନ୍ନତ ମାନର ସ୍ୱାସ୍ଥ୍ୟ ସୁରକ୍ଷା ଯୋଗାଇ ଦେବା ପାଇଁ ବିଶ୍ୱାସ ଦେଉଛି । ଆୟୁଷ୍ମାନ ଭାରତ ଯୋଜନା ମାଧ୍ୟମରେ ଯେତେ ମଧ୍ୟ ଗରିବମାନଙ୍କୁ ଏ ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସେବା ମିଳି ସାରିଲାଣି, ସେମାନେ ଯଦି ଏହାର ପରିସର ମଧ୍ୟରେ ରହୁ ନଥାନ୍ତେ ତ ସେମାନଙ୍କୁ 12 ହଜାର କୋଟି ଟଙ୍କାରୁ ମଧ୍ୟ ଅଧିକ ଖର୍ଚ୍ଚ କରିବାକୁ ପଡ଼ି ଥାଆନ୍ତା । ଏ ପ୍ରକାରରେ ଦେଶର ଲକ୍ଷ-ଲକ୍ଷ ଗରିବ ପରିବାରଙ୍କ 12 ହଜାର କୋଟି ଟଙ୍କା ସଞ୍ଚୟ ହୋଇଛି ।

ଆପଣମାନେ କଳ୍ପନା କରିପାରୁଥିବେ ଯେ ଯେତେବେଳେ ଆୟୁଷ୍ମାନ ଭାରତ ଭଳି ଯୋଜନା ନଥିଲା, ସେତେବେଳେ ଗରିବଙ୍କୁ ଚିକିତ୍ସା ପାଇଁ କେତେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଥିଲା । ଚିକିତ୍ସାର ଖର୍ଚ୍ଚ ସେମାନଙ୍କୁ ଆହୁରି ଗରିବ କରି ଦେଉଥିଲା ।

ଭାଇ ଓ ଭଉଣୀମାନେ,

ନିରାକରଣ ଏବଂ ସୁଲଭ ଚିକିତ୍ସା ସହିତ ଦେଶରେ ଅତ୍ୟାବଶ୍ୟକ ଭିତ୍ତିଭୂମି ବିକାଶ ଦ୍ରୁତ ଗତିରେ ଚାଲୁ ରହିଛି ଦୁଇ ଦିନ ତଳେ ହିଁ ସରକାର ସାରା ଦେଶରେ 75ଟି ନୂତନ ମେଡିକାଲ କଲେଜ ନିର୍ମାଣ କରିବାର ନିଷ୍ପତ୍ତି ନେଇଛନ୍ତି । ଦେଶର ପ୍ରତ୍ୟେକ ଜିଲ୍ଲାରେ ଗୋଟିଏ ଲେଖାଏଁ ମେଡିକାଲ କଲେଜ ନିର୍ମାଣ କରିବାର ଲକ୍ଷ୍ୟ ଆଡକୁ ଏହା ହେଉଛି ଆହୁରି ଏକ ବଡ଼ ପଦକ୍ଷେପ ।

ଏହାଦ୍ୱାରା ଗୁରୁତର ରୋଗଗୁଡ଼ିକର ଚିକିତ୍ସା ପାଇଁ ସୁବିଧା ମିଳିବାରେ ତ ବୃଦ୍ଧି ଘଟିବ, ଏହା ସହିତ ଏମବିବିଏସରେ ପ୍ରାୟ 16 ହଜାର ଆସନ ବୃଦ୍ଧି ହେବ । ନିକଟରେ ଗଠନ କରାଯାଇଥିବା ଜାତୀୟ ମେଡିକାଲ କମିସନ ଆଇନ ମଧ୍ୟ ଦେଶରେ ଡାକ୍ତରୀ ଶିକ୍ଷା ଏବଂ ଏହା ସହିତ ଜଡ଼ିତ ଭିତ୍ତିଭୂମିକୁ ସୁଦୃଢ଼ କରିବାରେ ପ୍ରଭାବଶାଳୀ ଭୂମିକା ତୁଲାଇବାକୁ ଯାଉଛି ।

ସାଥୀଗଣ,

କେବଳ ଆଧୁନିକ ଔଷଧ ହିଁ ନୁହେଁ, ଆୟୁଷର ଶିକ୍ଷାରେ ମଧ୍ୟ ଅଧିକ ଏବଂ ଉନ୍ନତମାନର ବୃତ୍ତିଧାରୀ ଆସନ୍ତୁ, ଏଥିପାଇଁ ଆବଶ୍ୟକ ସଂସ୍କାର କରାଯାଉଛି । ବିଶେଷ ଭାବେ ଯେଉଁ ପ୍ରକାରର ବୈଷୟିକ ଜ୍ଞାନକୌଶଳର ଉପଯୋଗ କରାଯାଉଛି, ତାହା ଆୟୁଷକୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବାରେ ଖୁବ ସାହାଯ୍ୟ କରିବ । ଆୟୁଷ ଗ୍ରୀଡ଼ର ଚିନ୍ତାଧାରା ମଧ୍ୟ ପ୍ରଶଂସନୀୟ । ଏହାଦ୍ୱାରା ଆୟୁଷ କ୍ଷେତ୍ର ସହିତ ଜଡ଼ିତ ଅନେକ ସ୍ଥାଣୁତାକୁ ଦୂର କରିବାରେ ସାହାଯ୍ୟ ମିଳି ପାରିବ

ଭାଇ ଓ ଭଉଣୀମାନେ,

ଆୟୁଷ ପାଇଁ, ମେଡିକାଲ କଲେଜ ପାଇଁ ଏ ଯେଉଁ ଆଧୁନିକ ଭିତ୍ତିଭୂମି ପ୍ରସ୍ତୁତ ହେଉଛି, ତାହାର ଲାଭ ମଧ୍ୟ ହେଉଛି ବ୍ୟାପକ । ସ୍ୱାସ୍ଥ୍ୟସେବା ସହିତ ଏହା ଭାରତରେ ରୋଜଗାର ସୃଷ୍ଟି କରିବାର ବହୁତ ବଡ଼ ମାଧ୍ୟମ ସାବ୍ୟସ୍ତ ହେଉଛି ।

ବିଶେଷ ଭାବେ ଛୋଟ-ଛୋଟ ଗାଁ-ଗଣ୍ଡା, ଦ୍ୱିତୀୟ ଶ୍ରେଣୀ, ତୃତୀୟ ଶ୍ରେଣୀ ସହରର ଯୁବକ ସାଥୀମାନଙ୍କୁ ଡାକ୍ତରୀ ଓ ସ୍ୱାସ୍ଥ୍ୟକର୍ମୀ ପାଠ୍ୟକ୍ରମରେ ଶିକ୍ଷା ଘର ପାଖରେ ହିଁ ମିଳିପାରିବାର ସମ୍ଭାବନା ସୃଷ୍ଟି ହୋଇଛି ।

ନୂତନ ଡାକ୍ତରଖାନା ନିର୍ମାଣ କରାଯିବାରୁ ମେଡିକାଲ ସହିତ ଜଡ଼ିତ ସଂପୂର୍ଣ୍ଣ ଏକ ପରିସଂସ୍ଥାନ ସେଠାରେ ବିକଶିତ ହେଉଛି । ଏଥିରେ କମ୍ ପଢ଼ି-ଲେଖି ଶିଖିଥିବା ଯୁବକଙ୍କ ଠାରୁ ଆରମ୍ଭ କରି ଡିଗ୍ରୀ, ଡିପ୍ଲୋମାଧାରୀ ଯୁବକ ସାଥୀମାନଙ୍କୁ ମଧ୍ୟ ରୋଜଗାରର ନୂତନ ସୁଯୋଗ ମିଳୁଛି ।

ଭାଇ ଓ ଭଉଣୀମାନେ,

ସାଥୀଗଣ,

ଆଜି ଆମେ ଯେତେବେଳେ 5 ଟ୍ରିଲିୟନ ଡଲାର ଅର୍ଥବ୍ୟବସ୍ଥାର ଲକ୍ଷ୍ୟକୁ ନେଇ ଚାଲୁଛୁ, ସେତେବେଳେ ଆୟୁଷର ବହୁତ ବଡ଼ ଭୂମିକା ରହିବାକୁ ଯାଉଛି । ଆଗାମୀ କିଛି ବର୍ଷ ମଧ୍ୟରେ ଭାରତରେ ପ୍ରତିଷେଧକ ସ୍ୱାସ୍ଥ୍ୟସେବା ବଜାରର ମଧ୍ୟ ବ୍ୟାପକ ସଂପ୍ରସାରଣ ହେବାକୁ ଯାଉଛି ଏହା ହେଉଛି ଏକ ବହୁତ ବଡ଼ ସୁଯୋଗ ।

ଆମକୁ ଆମର ପ୍ରତିଷେଧକ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ସମଗ୍ର ଦୁନିଆ ପାଇଁ ଏକ ଆକର୍ଷକ ବ୍ରାଣ୍ଡ ଭାବେ ବିକଶିତ କରିବାକୁ ହେବ । ଦୁନିଆର 17 ଦେଶ ସହିତ ଆମେ ବୁଝାମଣା କରିଛୁ, ଏବେ ଆମେ ଏଥିରେ ଆହୁରି ଗତି ଆଣିବାର ଆବଶ୍ୟକତା ରହିଛି ।

ସାଥୀଗଣ,

ଆଜି ତ ଯୋଗ ସମଗ୍ର ବିଶ୍ୱରେ ଜୀବନର ଏକ ପ୍ରମୁଖ ଅଂଶ ହୋଇଯାଇଛି । ବିଗତ 5 ବର୍ଷ ମଧ୍ୟରେ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସରେ ସାରା ଦୁନିଆରେ ଯୋଗ ପାଇଁ ଯେଉଁ ଉତ୍ସାହ ଦେଖାଦେଇଛି ତାହା ଅଦ୍ଭୁତପୂର୍ଣ୍ଣ । ଆଜି ଯୋଗ ଆରୋଗ୍ୟ ସହିତ ଦୁନିଆକୁ ଭାରତ ସହିତ ଯୋଡ଼ିବା ପାଇଁ ମଧ୍ୟ ବହୁତ ବଡ଼ ମାଧ୍ୟମ ହୋଇଛି ।

ଏବେ ଆମକୁ ଯୋଗ ବ୍ୟତୀତ ଆୟୁଷର ଅନ୍ୟାନ୍ୟ ସୁବିଧା ସବୁକୁ ସମଗ୍ର ଦୁନିଆରେ ପହଞ୍ଚାଇବା ପାଇଁ ପ୍ରୟାସ କରିବାର ଅଛି ।

ସାଥୀଗଣ,

ନିଜର ପୁରୁଣା ପରମ୍ପରାଗୁଡ଼ିକୁ ଭୁଲିଯିବାକୁ ଦେବା ଆଉ ପୁଣି ଅନ୍ୟ କେହି କହିଦେବେ ତ ତାକୁ ପୁଣି ନୂତନ ଢଙ୍ଗରେ ଶିଖିବା, ଏହି ଅଭ୍ୟାସକୁ ମଧ୍ୟ ଆମମାନଙ୍କୁ ବଦଳାଇବାକୁ ପଡ଼ିବ ।

ମୁଁ ଆପଣମାନଙ୍କୁ ଉଦାହରଣ ଦେଉଛି ।

ଆଜି ଆମେ ଦେଖୁଛୁ କି ଯେଉଁ ଭୋଜନକୁ ଆମେ ଛାଡ଼ିଦେଲୁ, ତାକୁ ଦୁନିଆ ଆପଣେଇବାକୁ ଆରମ୍ଭ କରିଦେଇଛି । ଯଅ, ମାଣ୍ଡିଆ, କନ୍ଦମୂଳ, ବାଜରା, ସୁଆଁ, ଏଭଳି ଅନେକ ଶସ୍ୟ କେବେ ଆମର ଖାଦ୍ୟପେୟର ଅଂଶ ହେଉଥିଲା । କିନ୍ତୁ ଧୀରେ-ଧୀରେ ଏହା ଆମ ଭୋଜନ ଥାଳିରୁ ଅନ୍ତର୍ଦ୍ଧ୍ୟହେବାକୁ ଲାଗିଲା । ଏହି ଖାଦ୍ୟ-ପାନୀୟ ଉପରେ ଦାରିଦ୍ର୍ୟଛାପ ଲଗାଇ ଦିଆଗଲା

ଏବେ ଆମେ ଦେଖୁଛୁ କି ଏହି ପୋଷକ ଆହାରର ଚାହିଦା ସାରା ଦୁନିଆରେ ରହିଛି । ଆଜିକାଲି ଆମେ ଯେତେବେଳେ ଅନ୍ ଲାଇନ୍ ସପିଂ ପୋର୍ଟାଲକୁ ଯାଉଛୁ ତ ଅଧିକାଂଶ ସମୟରେ ଆଶ୍ଚର୍ଯ୍ୟ ହୋଇଯାଉଛୁ । ଯେଉଁ ଶସ୍ୟକୁ କେହି ମାଗଣାରେ ମଧ୍ୟ ନେବାକୁ ଚାହୁଁ ନଥିଲେ, ତାହାର କିଲୋ ଶହ ଶହ ଟଙ୍କା ଦରରେ ବିକ୍ରି ହେଉଛି ।

ସାଥୀଗଣ,

ଏବେ ସମୟ ଆସିଯାଇଅଛି କି ପୋଷକର ଏହି ଗନ୍ତାଘରକୁ ପୁଣି ଥରେ ଭର୍ତ୍ତି କରାଯାଉ । ଦେଶକୁ ବାଜରା(ମିଲେଟ) ବିପ୍ଳବ ଉପରେ କାର୍ଯ୍ୟ କରିବାକୁ ହେବ । କୃଷକ ବାଜରା ଉତ୍ପାଦନ କରନ୍ତୁ ଏବଂ ଖାଦ୍ୟ ପ୍ରକ୍ରିୟାକରଣ ସହିତ ଜଡ଼ିତ ଆମର ଉଦ୍ୟୋଗ ସେଥିରୁ ଏଭଳି ଆକର୍ଷକ ଉତ୍ପାଦକ ସୃଷ୍ଟି କରନ୍ତୁ, ଯାହା ପ୍ରତ୍ୟେକ ପିଢିଙ୍କୁ ପସନ୍ଦ ଆସୁ ଏବଂ ତାଙ୍କର ଖାଦ୍ୟପେୟର ଏକ ଅଂଶ ମଧ୍ୟ ହେଉ ।

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହା କି ବାଜରା ପ୍ରତ୍ୟେକ ପ୍ରକାରର ମାଟିରେ ବଢ଼ିଥାଏ ଏବଂ ପାଣି ମଧ୍ୟ କମ୍ ଆବଶ୍ୟକ କରିଥାଏ । ଅର୍ଥାତ ଭାରତ ପାଖରେ ଏକ ବହୁତ ବଡ଼ ଲାଭ ରହିଛି । ଆମେ ସମଗ୍ର ଦୁନିଆ ପାଇଁ ବାଜରା ଉତ୍ପାଦନ କରିପାରିବା ।

ଏହାଦ୍ଵାରା ପ୍ରତିଷେଧକ ସ୍ୱାସ୍ଥ୍ୟସେବା ବ୍ରାଣ୍ଡ ଭାବେ ଭାରତର ନାମ ମଧ୍ୟ ହେବ, ମାନବତାର ସେବା ମଧ୍ୟ ହେବ ଏବଂ କୃଷକଙ୍କର ଆୟ ମଧ୍ୟ ବଢ଼ିବ ।

ଭାଇ ଓ ଭଉଣୀମାନେ,

ଆୟୁଷର ଆଉ ଏକ ଦିଗ ରହିଛି ଯାହା ଉପରେ ଆମକୁ ଗମ୍ଭୀରତାର ସହିତ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି । ଭାରତରେ ମେଡିକାଲ ପର୍ଯ୍ୟଟନ ନିରନ୍ତର ବୃଦ୍ଧି ପାଇବାରେ ଲାଗିଛି । କିନ୍ତୁ ଏବେ ମଧ୍ୟ ଏଥିରେ ବହୁତ ବ୍ୟାପକ ପରିସର ରହିଛି । ମେଡିକାଲ (ଡାକ୍ତରୀ) ଏବଂ ମେଡିଟେସନ୍ (ଧ୍ୟାନ)ପାଇଁ ଯାହା ମଧ୍ୟ ଜରୁରି ଭିତ୍ତିଭୂମି ରହିଛି, ତାହାକୁ ରାଜ୍ୟ ସରକାରଙ୍କ ସାହାଯ୍ୟରେ ପ୍ରସ୍ତୁତ କରାଯାଉଛି ।

ମୋର ଆୟୁଷ ମନ୍ତ୍ରଣାଳୟକୁ ବିଶେଷ ଭାବେ ଅନୁରୋଧ ରହିବ ଯେ ଭିନ୍ନ-ଭିନ୍ନ ମନ୍ତ୍ରଣାଳୟ ଏବଂ ବିଭାଗଙ୍କ ସହିତ ଏ ବିଷୟରେ ଯୋଗାଯୋଗ କରିଚାଲନ୍ତୁ । ମେଡିକାଲ ପର୍ଯ୍ୟଟନକୁ ଆମେ ଦେଶର ପ୍ରତ୍ୟେକ ଅଞ୍ଚଳକୁ ନେଇଯିବା, ବିଶେଷ ଭାବେ ଉତ୍ତର-ପୂର୍ବାଞ୍ଚଳରେ ଏଥିପାଇଁ ଅନେକ ସମ୍ଭାବନା ରହିଛି ।

ସାଥୀଗଣ,

ଏ ସମସ୍ତ ପ୍ରୟାସ ଯେତେବେଳେ ଆମେ ସାମୁହିକ ଭାବେ କରିବା ତ ଆମର ପାରମ୍ପରିକ ଚିକିତ୍ସା ପଦ୍ଧତି ଦ୍ୱାରା ଏକବିଂଶ ଶତାବ୍ଦୀର ଭାରତ, ନୂତନ ଭାରତ ସୁସ୍ଥ ମଧ୍ୟ ହେବ ଏବଂ ସମୃଦ୍ଧି ମଧ୍ୟ ଆସିବ । ଶେଷରେ ଆଉ ଥରେ ପୁଣି ସମସ୍ତ ପୁରସ୍କାର ବିଜେତାଙ୍କୁ ଶୁଭକାମନା ଜଣାଉଛି ।

ଆପଣ ଦେଶ ଏବଂ ଦୁନିଆକୁ ଫିଟ୍ ରଖିବା ଦିଗରେ ଏହିଭଳି ଭାବେ କାମ କରିଚାଲନ୍ତୁ, ଏହି କାମନା ସହିତ ଆପଣମାନଙ୍କୁ ବହୁତ-ବହୁତ କୃତଜ୍ଞତା ଜ୍ଞାପନ କରୁଛି ।

ଧନ୍ୟବାଦ!

**************