Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ରାଜସ୍ଥାନର ଜୟପୁରଠାରେ ହିତାଧିକାରୀଙ୍କ ସହିତ ଜନସଭାକୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ


ରାଜସ୍ଥାନ ଏହାର ପରମ୍ପରା ଅନୁରୂପ, ନିଜର ସଂସ୍କୃତି ଅନୁରୂପ କେଉଁ ପ୍ରକାରରେ ସ୍ୱାଗତ କରିଥାଏ, କିପରି ସତ୍କାର ଏବଂ ନିଜର କରିଥାଏ, ଏହାର ସୁନ୍ଦର ଝଲକ ମୁଁ ଅନୁଭବ କରୁଛି । ରାଜସ୍ଥାନର ମାଟିର ସତ୍ୟତା କଣ ରହିଛ, ଜନତାର କଣ ମତ ରହିଛି, ତାହା ଏହି ବିଶାଳ ମଇଦାନରେ ସମସ୍ତଙ୍କୁ ଦେଖାଯାଉଛି । ରାଜସ୍ଥାନ ନିରନ୍ତର ଭାବେ ଏହିପରି ଆମ ସମସ୍ତଙ୍କ ଉପରେ ସ୍ନେହର ବର୍ଷା କରିଆସୁଛି । ଆପଣଙ୍କର ଏହି ଆଶୀର୍ବାଦ ପାଇଁ ମୁଁ ହୃଦୟରୁ କୃତଜ୍ଞତା ବ୍ୟକ୍ତ କରୁଛି ଏବଂ ଏହି ବୀର ମାଟିକୁ ପ୍ରଣାମ କରୁଛି ।

ବନ୍ଧୁଗଣ, ରାଜସ୍ଥାନରେ ଶକ୍ତି ଓ ଭକ୍ତିର ସଂଗମ ରହିଛି । ମହାରାଣା ପ୍ରତାପଙ୍କ ସାହସ, ମହାରାଜା ସୁରଜମଲଙ୍କ ଶୌର୍ୟ୍ୟ, ଭାମାଶାହଙ୍କ ସମର୍ପଣ, ପନ୍ନା ଧ୍ୟାୟଙ୍କ ତ୍ୟାଗ, ମୀରାବାଇଙ୍କ ଭକ୍ତି, ହାଡୀ ରାଣୀଙ୍କ ବଳିଦାନ, ଅମୃତା ଦେବୀଙ୍କ ଆତ୍ମୋତ୍ସର୍ଗର ଗାଥା ଏଠାକାର ଜନଜୀବନର ଅଂଶବିଶେଷ । ଗଗନ ଛୁଉଁଥିବା ଦୁର୍ଗ, ସୁନେଲି ଧୋରେ, ରଙ୍ଗବେରଙ୍ଗର ପଗଡି, ମିଠା କଥା, ସୁମଧୁର ସଂଗୀତ ଏବଂ ମର୍ୟ୍ୟଦାପୂର୍ଣ୍ଣ ରୀତି ଏହାହିଁ ତ ହେଉଛି ରାଜସ୍ଥାନର ପରିଚୟ । ପ୍ରକୃତିର ଆହ୍ୱାନପୂର୍ଣ୍ଣ ପରିସ୍ଥିତି ସହିତ ମୁକାବିଲା କରି ଅନ୍ନ ଉତ୍ପାଦନ ହେଉ, କିମ୍ବା ଦେଶ ରକ୍ଷାର ଆହ୍ୱାନ ହେଉ, ରାଜସ୍ଥାନ ବର୍ଷ ବର୍ଷ ଧରି ଏହି ଦେଶର ପ୍ରେରଣାଦାତା ସାଜିଛି ।

ଭାଇ ଓ ଭଉଣୀମାନେ ବିଗତ 4 ବର୍ଷ ଧରି ରାଜସ୍ଥାନ ଦୁଇଗୁଣା ଶକ୍ତି ସହ ବିକାଶ ପଥରେ ଆଗକୁ ବଢ଼ୁଛି । କେନ୍ଦ୍ର ଓ ରାଜସ୍ଥାନ ସରକାର ମିଳିତ ଭାବେ ଆପଣମାନଙ୍କ ସମସ୍ତଙ୍କ ଜୀବନସ୍ତରକୁ ଆଗକୁ ଉଠାଇବାରେ ପ୍ରୟାସ କରୁଛନ୍ତି । 21 ଶହ କୋଟିରୁ ଅଧିକ 13ଟି ଯୋଜନାର ଶିଳାନ୍ୟାସ କରିବାର ଅବସର ମିଳିଛି । ଉଦୟପୁର, ଆଜମେର, କୋଟା, ଢ଼ୋଲପୁର, ନାଗୌର, ଅଲୱର, ଯୋଧପୁର, ଝାଲବାର, ଚିତୋରଗଡ, କିଶନଗଡ, ସୁଜାନଗଡ, ବିକାନେର, ଭୀଲବାଡା, ମାଉଣ୍ଟ ଆବୁ, ବୁନ୍ଦୀ ଓ ବୀବର ସହିତ ଜଡିତ ଏହି ପ୍ରକଳ୍ପ ଉପରେ କାମ ଆରମ୍ଭ ହୋଇଛି ।

ଏ ସମସ୍ତ ପ୍ରକଳ୍ପ ରାଜସ୍ଥାନର ସହର ଏବଂ ବଜାରରେ ଉନ୍ନତ ଏବଂ ସ୍ମାର୍ଟ ସୁବିଧାର ନିର୍ମାଣ କରିବା ସହିତ ଜଡିତ । ଟ୍ରାଫିକ ଜାମରୁ ମୁକ୍ତିର ସମାଧାନ ହେଉ କିମ୍ବା ଉନ୍ନତ ସିୱେରଜ ବ୍ୟବସ୍ଥା, ଏ ସମସ୍ତ ପ୍ରକଳ୍ପ ଏହି ସମସ୍ତ ସହରରେ ଜୀବନକୁ ସୁଗମ କରିବ ।

ବନ୍ଧୁଗଣ, 4 ବର୍ଷ ପୂର୍ବର ସ୍ଥିତିକୁ ଆପଣ ଭୁଲିନଥିବେ ଏବଂ ମୁଁ ରାଜସ୍ଥାନର ଜନସାଧାରଣଙ୍କଠାରୁ ଆଶା କରିବି ଯେ ଚାରି ବର୍ଷ ପୂର୍ବେ ସ୍ଥିତି କିପରି ଥିଲା ଏବଂ କେଉଁ ପରିସ୍ଥିତିରେ ବସୁନ୍ଧରା ମହାଶୟାଙ୍କୁ ଦାୟିତ୍ୱ ସମ୍ଭାଳିବାକୁ ପଡିଥିଲା, ଗତ ସରକାର ରାଜସ୍ଥାନକୁ କିପରି ଅବସ୍ଥାରେ ଛାଡି ଚାଲିଯାଇଥିଲେ, ସେସବୁ କଥାକୁ କେବେହେଲେ ଯେପରି ଭୁଲନ୍ତୁ ନାହିଁ । ତେବେ ଯାଇ ଜଣାପଡିବ ଯେ ଆଜି କାମ କିପରି ହେଉଛି । କେଉଁପରି ରାଜସ୍ଥାନରେ କେବଳ ନେତାମାନଙ୍କ ନାମରେ ଆଧାରଶିଳା ଲଗାଇବାର ପ୍ରତିଯୋଗିତା ଲାଗିଥିଲା । ବାଡମେରରେ ଏବେ ଯେଉଁ ବିଶୋଧନାଗାରର ନିର୍ମାଣ ହେଉଛି, ତା ସହିତ କଣ କଣ ହୋଇଥିଲା, ସେ ସମ୍ବନ୍ଧରେ ରାଜସ୍ଥାନର ପ୍ରତ୍ୟେକ ଛୋଟପିଲା ଜାଣିଛି । ଆଜି ଏହି ବିଶୋଧନାଗାରରେ ଦୃତ ଗତିରେ କାମ ଚାଲୁଛି । ଏହା ହେଉଛି ଏହି ସରକାରଙ୍କ କାମ କରିବାର ପଦ୍ଧତି ଯେଉଁଥିରେ କି କୌଣସି କଥା ଅଟକେ ନାହିଁ କି ବାଟବଣା ହୁଏ ନାହିଁ । କେନ୍ଦ୍ର ସରକାର ହୁଅନ୍ତୁ ବା ରାଜ୍ୟର ଭାରତୀୟ ଜନତା ପାର୍ଟି ସରକାର ହୁଅନ୍ତୁ  ଆମର ଏକମାତ୍ର ଏଜେଣ୍ଡା ରହିଛି, ଏବଂ ତାହା ହେଉଛି ବିକାଶ, ବିକାଶ ଓ ବିକାଶ । ଦେଶର ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନକୁ ଅଧିକରୁ ଅଧିକ ସରଳ, ସୁସ୍ଥ, ସୁରକ୍ଷିତ ଏବଂ ସୁଗମ କରିବାର କାମ ଗୋଟିଏ ପରେ ଗୋଟିଏ ଯୋଜନା ମାଧ୍ୟମରେ ଆମେ କରିଚାଲିଛୁ ସରକାରଙ୍କ ଯୋଜନାମାନଙ୍କର କେତେ ପରିମାଣରେ ଲାଭ ଆପଣମାନଙ୍କ ପାଖରେ ପହଂଚିଛି ତାହା ଜାଣିବା ଏବଂ ବୁଝିବା ଓ ଏଥିରେ ସୁଧାର ଆଣିବାର ପ୍ରୟାସ ମଧ୍ୟ ଲଗାତାର ଜାରି ରହିଛି, ଏହା ଆମର ପ୍ରୟାସ । କିଛି ସମୟ ପୂର୍ବରୁ ଆପଣମାନଙ୍କ ମଧ୍ୟରୁ କିଛି ହିତାଧିକାରୀ ନିଜ ଜୀବନରେ ହୋଇଥିବା ପରିବର୍ତ୍ତନ ସମ୍ବନ୍ଧରେ କହିଛନ୍ତିଏଠାରେ କେବଳ କେନ୍ଦ୍ରୀୟ ଯୋଜନା ନୁହେଁ, ବରଂ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସହିତ ଜଡିତ ହିତାଧିକାରୀମାନେ ମଧ୍ୟ ସେମାନଙ୍କ କଥା କହୁଥିଲେ । ରାଜଶ୍ରୀ ଯୋଜନା ମାଧ୍ୟମରେ ଯେଉଁ ମେଧାବୀ କନ୍ୟାମାନଙ୍କୁ ସ୍କୁଟି ମିଳିଛି, ପାଲନହାର ଯୋଜନା ମାଧ୍ୟମରେ ଯେଉଁ ପିଲାମାନଙ୍କୁ ଲାଭ ମିଳିଛି, ଯେଉଁ ବୟସ୍କ ବ୍ୟକ୍ତିମାନଙ୍କୁ ତୀର୍ଥ ଯୋଜନାର ଲାଭ ମିଳିଛି, ଏମାନଙ୍କ ସମସ୍ତଙ୍କ ଆଖିରେ ଯେଉଁ ଚମକ ଦେଖାଗଲା, ଯେଉଁ ବିଶ୍ୱାସ ଦେଖାଗଲା, ତାହାକୁ କୌଣସି ବ୍ୟକ୍ତି ଭୁଲିପାରିବ ନାହିଁ ଏବଂ ମୁଁ ବସୁନ୍ଧରା ମହାଶୟାଙ୍କୁ ଏହି କଳ୍ପନା ପାଇଁ ସାଧୁବାଦ ଜଣାଉଛି ।

ଏହା ଠିକ ଯେ ଏକ ବର୍ଗ ଅଛନ୍ତି ଯେଉଁମାନେ କି ଭାରତୀୟ ଜନତା ପାର୍ଟିର ନାମ ଶୁଣିବା ମାତ୍ରେ ସେମାନଙ୍କ ନିଦ ଖରାପ ହୋଇଯାଇଥାଏ । ମୋଦୀ କିମ୍ବା ବସୁନ୍ଧରା ମହାଶୟାଙ୍କ ନାମ ଶୁଣିବା ମାତ୍ରେ ସେମାନଙ୍କୁ ଜ୍ୱର ହୋଇଯାଏ । ସେମାନଙ୍କୁ ଏପରି କାର୍ଯ୍ୟକ୍ରମ ପ୍ରତି ଘୃଣା ଭାବ ଆସିଥାଏ । ମାତ୍ର ଏହାର ସବୁଠାରୁ ବଡ ଲାଭ ଏଇଆ ଯେ ଯେତେବେଳେ ହିତାଧିକାରୀମାନଙ୍କ ମୁଁହରୁ ରାଜସ୍ଥାନର ସାଧାରଣ ନାଗରିକ ଜାଣିଥାଏ, ସେତେବେଳେ ସେମାନଙ୍କୁ ଜଣାପଡିଥାଏ ଯେ ଏପରି ଏକ ଯୋଜନା ରହିଛି ଏବଂ ମୁଁ ମଧ୍ୟ ଯାଇ ଏହାର ଲାଭ ଉଠାଇ ପାରିବି । ଏକପ୍ରକାର ଯୋଜନାଗୁଡ଼ିକ ଏହି କାରଣରୁ କେବଳ କାଗଜ ପତ୍ରରେ ଅଟକି ଯାଆନ୍ତି ନାହିଁ, ସେଗୁଡ଼ିକ ପ୍ରତିଟି ଜନସାଧାରଣଙ୍କ ପାଖରେ ପହଂଚିଥାଏ । ଏହି କାରଣରୁ ସରକାରୀ ପ୍ରକ୍ରିୟା ଉପରେ ଏକ ଚାପ ସୃଷ୍ଟି ହୋଇଥାଏ, ଜନତା ଜନାର୍ଦ୍ଦନଙ୍କ ଚାପ ସୃଷ୍ଟି ହୋଇଥାଏ, ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି ହୋଇଥାଏ ଏବଂ ଏହି କାରଣରୁ ଯଦି କୌଣସି କ୍ଷେତ୍ରରେ ପଦାଧିକାରୀ କାମରେ ଢ଼ିଲା କରୁଥାନ୍ତି, ତାଙ୍କୁ ମଧ୍ୟ ତେବେ ଦୌଡିବାକୁ ପଡିଥାଏ ଏବଂ ଏଥିପାଇଁ ଏହି କାର୍ଯ୍ୟକ୍ରମ ଦ୍ୱାରା ସରକାରଙ୍କ ପ୍ରଚାର ଯେତେ ରହିଛି ତାହାଠାରୁ ଅଧିକ ହିତାଧିକାରୀମାନଙ୍କ ମଧ୍ୟରେ ସଚେତନତାର ଏକ ବହୁତ ବଡ କାର୍ଯ୍ୟ ହୋଇଛି ଏବଂ ମୁଁ ଚାହିଁବି ଯେ ହିତାଧିକାରୀମାନେ ବାରମ୍ବାର ସବୁ ଯାଗାରେ ପ୍ରକାଶ କରନ୍ତୁ ଯାହାଫଳରେ କି ଯେଉଁମାନେ ବାକି ରହିଯାଇଛନ୍ତି ସେମାନେ ଲାଭ ଉଠାଇବା ପାଇଁ ଆଗକୁ ଆସିପାରିବେ ।

ବନ୍ଧୁଗଣ, ବିଗତ ଚାରି ବର୍ଷ ମଧ୍ୟରେ ଯାହା ବି କାର୍ଯ୍ୟକ୍ରମ ହୋଇଛି, ତାହାର କେନ୍ଦ୍ରରେ ଆମର ଗରିବ, ଶୋଷିତ, ପୀଡିତ, ବଂଚିତ, ଦଳିତ, ଆଦିବାସୀ, ଆମର କୃଷକ, ଆମ ମା-ଭଉଣୀମାନେ ରହିଛନ୍ତି । ସରକାର 2020 ପର୍ୟ୍ୟନ୍ତ ଯେତବେଳେ କି ସ୍ୱାଧୀନତାର 75ତମ ବର୍ଷ ହେବ, କୃଷକମାନଙ୍କ ଆୟ ଦୁଇଗୁଣ କରିବାର ଲକ୍ଷ୍ୟ ସହିତ କାମ କରୁଛନ୍ତି ଏବଂ ଏହି ଧରିତ୍ରୀର ସନ୍ତାନ ମୋର ସାଥୀ ଗଜେନ୍ଦ୍ର ସିଂ ଶେଖାୱତ, କୃଷି ବିଭାଗକୁ ଆଗକୁ ବଢ଼ାଇବା ନେଇ କାର୍ଯ୍ୟ କରୁଛନ୍ତି । ମୋର ମନେ ଅଛି ତିନି ବର୍ଷ ପୂର୍ବେ ଯେତେବେଳେ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ଯୋଜନା ଆରମ୍ଭ କରିବାର ଅବସର ସୃଷ୍ଟି ହେଲା ସେତବେଳେ ଏହାର ଶୁଭାରମ୍ଭ ରାଜସ୍ଥାନର ସୁରଜଗଡରେ ହୋଇଥିଲା । ସେତେବେଳେ ସରକାର ଲକ୍ଷ୍ୟ ରଖିଥିଲେ ଯେ ଏହି ସମୟ ମଧ୍ୟରେ 14 କୋଟି ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ବାଣ୍ଟିବାର ଯୋଜନା ରହିଥିଲା ଏବଂ ମୁଁ ଆନନ୍ଦିତ ଯେ ଏହି ପ୍ରତିଶୃତି ଆମେ ପୂରଣ କରିଛୁ ଏବଂ ଏପର୍ୟ୍ୟନ୍ତ ଦେଶରେ 14 କୋଟି 50 ଲକ୍ଷରୁ ଅଧିକ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ କୃଷକମାନଙ୍କୁ ପ୍ରଦାନ କରାଯାଇ ସାରିଛି । ରାଜସ୍ଥାନରେ ମଧ୍ୟ ପାଖାପାଖି 90 ଲକ୍ଷ କୃଷକମାନଙ୍କୁ ଏହି କାର୍ଡ ମିଳିଛି । ଏହି କାର୍ଡ କାରଣରୁ ବୈଜ୍ଞାନିକ ପ୍ରକ୍ରିୟାରେ ଚାଷ କାର୍ଯ୍ୟ ଅଧିକ ସହଜ ହୋଇଛି ଏବଂ ଏହାର ସିଧାସଳଖ ପ୍ରଭାବ ଉତ୍ପାଦନ ଉପରେ ପଡିଛି । ଆପଣ ଦେଖିଥିବେ, ଅନେକ ବର୍ଷ ପରେ ଦେଶରେ ପ୍ରଭୂତ ପରିମାଣରେ ଶସ୍ୟ ଅମଳ ହୋଇଛି । ବନ୍ଧୁଗଣ, ଏହା ମଧ୍ୟ ସୁଖଦ ସଂଯୋଗ କି ଯେତବେଳେ ସରକାର ଫସଲର ସର୍ବନିମ୍ନ ସମର୍ଥନ ମୂଲ୍ୟକୁ ଦେଢ଼ଗୁଣ କରିବା ନେଇ ନିଜର ପ୍ରତିଶୃତି ପୂରଣ କରିଛନ୍ତି, ସେତବେଳେ ମଧ୍ୟ ମୋତେ ସର୍ବପ୍ରଥମେ ସାର୍ବଜନୀକ କାର୍ଯ୍ୟକ୍ରମ ରାଜସ୍ଥାନରେ କରିବାର ଅବସର ମିଳିଛି

ଏଥର ଯେଉଁ ବାଜରା ଏବଂ ଡାଲି ଆପଣ ଉତ୍ପାଦନ କରିବେ, ସେଥିପାଇଁ ଆପଣଙ୍କୁ ଖର୍ଚ୍ଚର ଦେଢ଼ଗୁଣ ଅର୍ଥ ମିଳିବ । ବନ୍ଧୁଗଣ ମୁଁ ବିଶେଷକରି ରାଜସ୍ଥାନର କୃଷକମାନଙ୍କୁ ବିସ୍ତୃତ ଭାବେ ଏ ସମ୍ବନ୍ଧରେ ପ୍ରକାଶ କରିବାକୁ ଚାହେଁ । ଏକ କ୍ୱିଂଟାଲ ବାଜରା ଉତ୍ପାଦନରେ ଆନୁମାନିକ ଖର୍ଚ୍ଚ ପାଖାପାଖି 990 ଟଙ୍କା ହୋଇଥାଏ । ଏବେ ସରକାର ଏମଏସପି ବୃଦ୍ଧିକରି 1950 ଟଙ୍କା କରିଦେଇଛନ୍ତି । ପ୍ରଥମେ 990 ଟଙ୍କା ଖର୍ଚ୍ଚ ଏବଂ ଏବେ 1950 ଟଙ୍କା ମିଳିବ, ଅର୍ଥାତ ପାଖାପାଖି ଖର୍ଚ୍ଚର ଦୁଇଗୁଣା । ଏହିପରି ଯଅର ଆମଦାନୀ ଖର୍ଚ୍ଚ ପାଖାପାଖି 1620 ଟଙ୍କା ରହିଛି ଯେଉଁଥିପାଇଁ ଏବେ ଏମଏସପି 2430 ଟଙ୍କାର ପ୍ରଦାନ କରାଯିବ । ମକା ପାଇଁ ଆମଦାନୀ ଖର୍ଚ୍ଚ କ୍ୱିଂଟାଲ ପିଛା ପାଖାପାଖି 1130 ଟଙ୍କା ହୋଇଥାଏ, ଏଥିପାଇଁ ମଧ୍ୟ ଏମଏସପି ଏବେ 1700 ଟଙ୍କା କରିଦିଆଯାଇଛି । ମୁଗର  ଆନୁମାନିକ ଆମଦାନୀ ଖର୍ଚ୍ଚ ହେଉଛି 4650 ଟଙ୍କା, ଯାହାର ଏମଏସପିକୁ ବୃଦ୍ଧି କରାଯାଇ ପାଖାପାଖି 7000 ଟଙ୍କା କରିଦିଆଯାଇଛି । ଏତଦବ୍ୟତୀତ ମସୁର ଡାଲି ହେଉ, ହରଡ ହେଉ, ସୋୟାବିନ ହେଉ, ଧାନ ହେଉ ସମସ୍ତ ଚାଷରେ ସରକାର ଖର୍ଚ୍ଚର ଦେଢ଼ଗୁଣା ମୂଲ୍ୟ ସୁନିଶ୍ଚିତ କରିଛନ୍ତି । କେବଳ ଏତିକି ନୁହେଁ କେନ୍ଦ୍ର ସରକାର ରାଜ୍ୟ ସରକାରମାନଙ୍କ ସହିତ ନିୟମିତ ଭାବେ ସମ୍ପର୍କରେ ରହିଛନ୍ତି କି କିପରି ଭାବେ ଫସଲର କ୍ରୟ ପାଇଁ ପ୍ରଭାବୀ ବ୍ୟବସ୍ଥା କରାଯାଇ ପାରିବ । ଏଠାରେ ବସୁନ୍ଧରା ମହାଶୟାଙ୍କ ସରକାର ଏହା ନିଶ୍ଚିତ କରୁଛନ୍ତି ଯେ କୃଷକମାନଙ୍କ ଝାଳର ଏକ ଏକ ବିନ୍ଦୁକୁ ଯେପରି ସମ୍ମାନ ପ୍ରଦାନ କରାଯିବ । ମୋତେ କୁହାଯାଇଛି ଯେ ଏଥର ସରକାର ପାଖାପାଖି ସାଢ଼େ ଏଗାର ହଜାର ଉତ୍ପାଦନ କ୍ରୟ କରିଛନ୍ତି ।

ବନ୍ଧୁଗଣ, ସରକାର ମଞ୍ଜିଠାରୁ ଆରମ୍ଭ କରି ବଜାର ପର୍ୟ୍ୟନ୍ତ ସମ୍ପୂର୍ଣ୍ଣ ବ୍ୟବସ୍ଥା ଉପରେ କାମ କରୁଛନ୍ତି । କୃଷକମାନଙ୍କ ପାଇଁ ମଧ୍ୟ ଯୋଜନା ମାନ ଏହି 4 ବର୍ଷ ମଧ୍ୟରେ ପ୍ରସ୍ତୁତ କରାଯାଇଛି । ବସୁନ୍ଧରା ମହାଶୟାଙ୍କ ସରକାର ଏହାକୁ ମଧ୍ୟ ପୁରା କ୍ଷମତା ସହିତ ଲାଗୁ କରିବା ପାଇଁ ବସିଛନ୍ତି । ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଅନ୍ତର୍ଗତ ଏପର୍ୟ୍ୟନ୍ତ କୃଷକ ଭାଇମାନଙ୍କୁ ଅଢ଼େଇ ହଜାର କୋଟିରୁ ଅଧିକଙ୍କୁ ଦାବିମୁତାବକ ବୀମାଦେୟ ପ୍ରଦାନ କରାଯାଇଛି । ବନ୍ଧୁଗଣ ଦାରିଦ୍ର୍ୟ ସହିତ ଲଢ଼ିବା ପାଇଁ ଆଗରୁ ଯେଉଁ ପ୍ରକ୍ରିୟା ଥିଲା ସେଥିରୁ ହଟି ଭାରତୀୟ ଜନତା ପାର୍ଟି ସରକାର ଗରିବମାନଙ୍କ ସଶକ୍ତୀକରଣ ଏବଂ ବିକାଶରେ ଏମାନଙ୍କର ଭାଗିଦାରୀ ରାସ୍ତା ଆପଣେଇଛି । ଏହାର ସ୍ପଷ୍ଟ ପରିମାଣ ମିଳିବା ଆରମ୍ଭ କରିଛି । ବିଶ୍ୱର ଏକ ନାମୀ ସଂସ୍ଥା ଦ୍ୱାରା ଏଇ ନିକଟରେ ଏକ ରିପୋର୍ଟ ଆସିଛି ଯେ ଭାରତରେ ବିଗତ ଦୁଇ ବର୍ଷ ମଧ୍ୟରେ ପାଖାପାଖି ପାଞ୍ଚ କୋଟି ଜନସାଧାରଣ ଦାରିଦ୍ର୍ୟର କୁଚକ୍ରର ବାହାରକୁ ବାହାରି ପାରିଛନ୍ତି । ପାଞ୍ଚ କୋଟି ବ୍ୟକ୍ତି ଦାରିଦ୍ର୍ୟରୁ ମୁକ୍ତ ହୋଇଛନ୍ତି । ବନ୍ଧୁଗଣ ଦାରିଦ୍ର୍ୟର ମୁକ୍ତିର ମାର୍ଗରେ ଯେଉଁ ଦେଶ ଅଗ୍ରସର ହୋଇଛି ତାହାର କାରଣ  ହେଉଛି ସ୍ପଷ୍ଟ ନିୟତି ଏବଂ ସଠିକ ବିକାଶ । ଆପଣମାନେ ସମସ୍ତେ ଦେଶର ଦେଢ଼ଶହ କୋଟି ଜନସାଧାରଣଙ୍କ ସମର୍ଥନ ଏହି ସରକାରଙ୍କୁ ମିଳୁଛି । ଆପଣମାନଙ୍କ ସହଯୋଗର ପରିମାଣ ସ୍ୱରୂପ ସ୍ୱଚ୍ଛ ଭାରତ ମିଶନ ମାଧ୍ୟମରେ ରାଜସ୍ଥାନରେ ପାଖାପାଖି 80 ଲକ୍ଷ ପାଇଖାନାର ନିର୍ମାଣ କରାଯାଇଛି ।

ଏହି ସମୟ ମଧ୍ୟରେ ଦେଶର ପାଖାପାଖି 32 କୋଟି ଗରିବ ବ୍ୟକ୍ତିଙ୍କ ବ୍ୟାଙ୍କରେ ଯେଉଁ ଖାତା ଖୋଲିଛି ସେଥିମଧ୍ୟରୁ ଅଢ଼େଇ କୋଟିରୁ ଅଧିକ ଜନଧନ ଖାତା ରାଜସ୍ଥାନରେ ଖୋଲିଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନ୍ତର୍ଗତ ପଦକ୍ଷେପର ଯୋଜନାକୁ ପୂରଣ କରି ରାଜସ୍ଥାନର 6 ଲକ୍ଷରୁ ଅଧିକ ଗରିବ ବ୍ୟକ୍ତିଙ୍କୁ ଘର ପ୍ରଦାନ କରାଯିବାର କାମ ମଧ୍ୟ କରାଯାଇଛି । ମାସିକ କେବଳ 1 ଟଙ୍କା ଏବଂ ପ୍ରତିଦିନ 90 ପଇସା ପ୍ରିମିୟମ ଉପରେ ରାଜସ୍ଥାନର 70 ଲକ୍ଷ ଜନସାଧାରଣଙ୍କୁ ସୁରକ୍ଷା ବୀମା ଯୋଜନାର କବଚ ମିଳିଛି ।

ବନ୍ଧୁଗଣ, ମୁଦ୍ରା ଯୋଜନା ଅନ୍ତର୍ଗତ ରାଜସ୍ଥାନର 44 ଲକ୍ଷରୁ ଉର୍ଦ୍ଧ୍ଵ ଉଦ୍ୟୋଗୀମାନଙ୍କୁ ସ୍ୱରୋଜଗାର ପାଇଁ ବିନା ଗ୍ୟାରେଂଟୀରେ କରଜ ପ୍ରଦାନ କରାଯାଇଛି । ଏତଦବ୍ୟତୀତ କେବଳ ବର୍ଷକ ମଧ୍ୟରେ ରାଜସ୍ଥାନର ପାଖାପାଖି 3 ଲକ୍ଷ ଜନସାଧାରଣଙ୍କୁ ସୌଭାଗ୍ୟ ଯୋଜନା ମାଧ୍ୟମରେ ମୁକ୍ତ ବିଜୁଳି ସଂଯୋଗ ପ୍ରଦାନ କରାଯାଇ ସାରିଛି । ରାଜସ୍ଥାନରେ ସାଢ଼େ 33 ଲକ୍ଷରୁ ଅଧିକ ମା-ଭଉଣୀମାନଙ୍କୁ ଉଜ୍ଜ୍ୱଳା ଯୋଜନା ମାଧ୍ୟମରେ ମାଗଣା ଗ୍ୟାସ ସଂଯୋଗ ପ୍ରଦାନ କରାଯାଇଛି । ଉଜ୍ଜ୍ୱଳା ଯୋଜନା ମହିଳାମାନଙ୍କ ଜୀବନକୁ ବଦଳାଇବାର କାର୍ଯ୍ୟ କରିଛି । ଭାଇ ଓ ଭଉଣୀମାନେ, ଏଇ ନିକଟରେ ମୁଁ ଏହି ଯୋଜନାର ହିତାଧିକାରୀ ମା-ଭଉଣୀମାନଙ୍କ ସହିତ ଆଲୋଚନା କରିବା ସମୟରେ ମୋତେ ଆଉ ଏକ ବିଷୟ ଜଣାପଡିଥିଲା । ଜଣେ ଭଉଣୀ କହିଥିଲେ ଯେ ଉଜ୍ଜ୍ୱଳା ଯୋଜନା କାରଣରୁ ଧୂଆଁରୁ ତ ମୁକ୍ତି ମିଳିଲା, ଏହା ସହିତ ପାଣି ମଧ୍ୟ ସଂଚୟ ହୋଇପାରିଛି । ପାଣିର ସଂଚୟ ଏଥିପାଇଁ ହୋଇପାରିଛି କାରଣ ଏବେ ଗ୍ୟାସରେ ଖାଦ୍ୟ ପ୍ରସ୍ତୁତ କରିବା କାରଣରୁ ବାସନରେ କଳା ଲାଗୁନାହିଁ । ଏପରି କ୍ଷେତ୍ରରେ ରାଜସ୍ଥାନର ମାମାନଙ୍କୁ ଏହା ଦୁଇଟି ଲାଭ ପ୍ରଦାନ କରୁଥିବା ଯୋଜନା ।

ବନ୍ଧୁଗଣ, ମୋର ବିଶ୍ୱାସ ଯେ ରାଜସ୍ଥାନ ଜନସାଧାରଣଙ୍କ ସମୟର ଏକ ବଡ ଭାଗ ପାଣିର ଆବଶ୍ୟକତା ପୂରଣ କରିବାରେ ଚାଲିଯାଇଥାଏ । ବସୁନ୍ଧରା ମହାଶୟାଙ୍କ ସରକାର ଏ ଦିଗରେ ମଧ୍ୟ ପ୍ରଶଂସନୀୟ କାର୍ଯ୍ୟ କରିଛନ୍ତି । ମୋତେ କୁହାଯାଇଛି ଯେ ମୁଖ୍ୟମନ୍ତ୍ରୀ ଜଳ ସ୍ୱାବଲମ୍ବନ ଅଭିଯାନ ଭଳି ଯୋଜନା ମାଧ୍ୟମରେ ଗ୍ରାମ ଓ ସହରକୁ ମିଶେଇ 4 ହଜାର କୋଟିରୁ ଅଧିକ ପ୍ରକଳ୍ପକୁ ପୁରଣ କରାଯାଇଛି । ସାଢ଼େ 12 ହଜାରରୁ ଅଧିକ ଗ୍ରାମକୁ ପିଇବା ପାଣିର ସୁବିଧା ପହଂଚାଯାଇଛି । ଭାଇ ଓ ଭଉଣୀମାନେ ଆପଣମାନଙ୍କ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋତେ କହିଛନ୍ତି ଯେ ରାଜସ୍ଥାନ ସରକାର ଓ ଭାରତୀୟ ଜନତା ପାର୍ଟିର ବିଧାୟକମାନଙ୍କ ଦ୍ୱାରା ଏକ ଦାବି କେନ୍ଦ୍ର ସରକାରଙ୍କ ସାମନାରେ ରଖାଯାଇଛି । ପାର୍ବତୀ, କାଳି ସିଂଧ, ଚମ୍ବଲ ଲିଙ୍କ ପରିଯୋଜନାଗୁଡ଼ିକୁ ରାଷ୍ଟ୍ରୀୟ ପ୍ରକଳ୍ପ ଭାବେ ଘୋଷଣା କରାଯାଉ । ମୋତେ ସୂଚନା ପ୍ରଦାନ କରାଯାଇଛି ଯେ ଏହାର ବିସ୍ତୃତ ପ୍ରକଳ୍ପ ବିବରଣୀ ଜଳ ସମ୍ବଳ ମନ୍ତ୍ରଣାଳୟକୁ ପଠାଯାଇଛି ଏବଂ ପରିଯୋଜନାର ବୈଷୟିକ ଯାଞ୍ଚ କାମ ଚାଲୁରହିଛି । ଏହି ପରିଯୋଜନା ଫଳରେ ରାଜସ୍ଥାନକୁ ଦୁଇଲକ୍ଷ ହେକ୍ଟରରୁ ଅଧିକ ଜମିରେ ଜଳସେଚନର ସୁବିଧା ମିଳିବ । କେବଳ ଏତିକି ନୁହେଁ ଏହି ପରିଯୋଜନା ଫଳରେ ଜୟପୁର, ଅଲବର, ଭରତପୁର, ସବାଇ ମାଧବପୁର, ଝାଲବାଡା, କୋଟା, ବୁନ୍ଦୀ ଏହିପରି 13ଟି ଜିଲ୍ଲାରେ ରହିଥିବା ରାଜସ୍ଥାନର ଶତକଡା 40 ପ୍ରତିଶତ ଜନସଂଖ୍ୟାକୁ ପିଇବା ପାଣି ଉପଲବ୍ଧ ହେବ । ଭାଇ ଓ ଭଉଣୀମାନେ ଆପଣମାନଙ୍କୁ ମୁଁ ଆଶ୍ୱାସନା ଦେବାକୁ ଚାହିଁବି ଯେ କେନ୍ଦ୍ର ସରକାର ଏହି ଦାବି ପ୍ରତି ସକାରାତ୍ମକ ଦୃଷ୍ଟିକୋଣ ରଖିବେ । ରାଜସ୍ଥାନର ବିକାଶ ହେଉ, ଏଠାକାର କୃଷକମାନଙ୍କୁ  ସୁବିଧାରେ ପାଣି ମିଳୁ, ଜନସାଧାରଣଙ୍କୁ ପିଇବା ପାଣି ମିଳୁ, ଏଥିପାଇଁ ସମ୍ପୂର୍ଣ୍ଣ ସମ୍ବେଦନଶୀଳତାର ସହିତ ନିଷ୍ପତ୍ତି ଗ୍ରହଣ କରାଯିବ ।

ବନ୍ଧୁଗଣ, ଗରୀବମାନଙ୍କୁ ସଶକ୍ତ କରିବା ପାଇଁ ସରକାର ସ୍ୱାସ୍ଥ୍ୟ, ପୋଷଣ, ଶିକ୍ଷା ଆଦି କ୍ଷେତ୍ରରେ ଅଧିକ ଭାବେ ଧ୍ୟାନ କେନ୍ଦ୍ରୀଭୁତ କରୁଛି । ଗତଥର ଯେତବେଳେ ମୁଁ ଝୁନଝୁନ ଆସିଥିଲି ସେତବେଳେ ରାଷ୍ଟ୍ରୀୟ ପୋଷଣ ମିଶନ ଭଳି ମହତ୍ଵାକାଂକ୍ଷୀ ଯୋଜନା ସମ୍ବନ୍ଧରେ ଘୋଷଣା କରିଥିଲି । ସମ୍ପ୍ରତି ଏହି କାର୍ଯ୍ୟକ୍ରମ ପ୍ରଭାବୀ ଢ଼ଙ୍ଗରେ ସମଗ୍ର ଦେଶରେ ଚାଲୁରହିଛି । ଏତଦବ୍ୟତୀତ ମହିଳା ଓ ଶିଶୁମାନଙ୍କ ଟୀକାକରଣ ଏବଂ ବିଶେଷଜ୍ଞଙ୍କ ତତ୍ୱାବଧାନ କ୍ରମେ ପ୍ରସବ କ୍ଷେତ୍ରରେ ଯେଉଁ ପ୍ରୋତ୍ସାହନ ପ୍ରଦାନ କରାଯାଇଛି ତାହାଫଳରେ ମାତୃତ୍ୱ ମୃତ୍ୟୁ ଦରରେ ବଡ ଧରଣର ହ୍ରାସ ଘଟିଛି । ମୁଁ ରାଜସ୍ଥାନର ମା-ଭଉଣୀମାନଙ୍କୁ ଏବଂ ରାଜସ୍ଥାନର ସରକାରଙ୍କୁ ବିଶେଷ ଭାବେ ସାଧୁବାଦ ଜଣାଉଛି କି ଏହି ଦିଗରେ ଆପଣ ଯେଉଁ ପ୍ରୟାସ କରୁଛନ୍ତି ତାହାର ପରିଣାମ ଆଜି ଏହି ମାଟିରେ ଦେଖିବାକୁ ମିଳୁଛି । ନିଶ୍ଚିତ ଭାବେ ବେଟି ବଚାଓ, ବେଟି ପଢ଼ାଓ ଅଭିଯାନକୁ ରାଜସ୍ଥାନ ଅନେକ ଉଚ୍ଚସ୍ତରକୁ ନେଇଯାଉଛି । ରୋଗକୁ ନେଇ ଗରୀବ ବ୍ୟକ୍ତିମାନଙ୍କ ଚିନ୍ତାକୁ ହୃଦୟଙ୍ଗମ କରି ଆୟୁଷ୍ମାନ ଭାରତର ଏକ ବଡ ସଂକଳ୍ପ ମଧ୍ୟ ନିଆଯାଇଛି । ଏହାର ଅନ୍ତର୍ଗତ ଗମ୍ଭୀର ରୋଗର ସ୍ଥିତିରେ ପାଖାପାଖି 50 କୋଟି ଜନସଂଖ୍ୟାକୁ ବାର୍ଷିକ ପାଞ୍ଚ ଲକ୍ଷ ଟଙ୍କାର ମାଗଣା ଚିକିତ୍ସା ସୁନିଶ୍ଚିତ କରାଯିବ । ଏହି ଯୋଜନା ଉପରେ ଦୃତଗତିରେ କାମ ଚାଲୁରହିଛି ଏବଂ ଖୁବ ଶୀଘ୍ର ଏହା ଆରମ୍ଭ କରାଯିବ ।

ଭାଇ ଓ ଭଉଣୀମାନେ ଭାରତୀୟ ଜନତା ପାର୍ଟିର ସରକାରଙ୍କ ପ୍ରତ୍ୟେକ ଯୋଜନାର ଲକ୍ଷ୍ୟ ହେଉଛି ଦେଶର ସନ୍ତୁଳିତ ବିକାଶ ଏବଂ ପ୍ରତ୍ୟେକ ବ୍ୟକ୍ତିଙ୍କୁ ସମ୍ମାନ, ସୁରକ୍ଷା ଏବଂ ସ୍ୱାଭିମାନର ଜୀବନ ପ୍ରଦାନ କରିବା । ସମ୍ପ୍ରତି ଦେଶରେ ଏକ ଅଦ୍ଭୁତପୂର୍ବ ଜନ ଆନ୍ଦୋଳନ ଚାଲୁରହିଛି, ଏହାର ନାମ ହେଉଛି ରାଷ୍ଟ୍ରୀୟ ଗ୍ରାମ ସ୍ୱରାଜ ଅଭିଯାନ । ଗାଁମାନଙ୍କରେ ବିକାଶର ଭିନ୍ନ ଭିନ୍ନ ଦିଗକୁ ଧ୍ୟାନରେ ରଖି ନୂତନ ଶକ୍ତିର ସହ କାମ କରାଯାଉଛି । ଗ୍ରାମରେ ସମସ୍ତଙ୍କ ପାଖରେ ବ୍ୟାଙ୍କ ଖାତା ରହୁ, ଗ୍ୟାସ ସଂଯୋଗ ହେଉ, ଘରେ ବିଜୁଳି ସଂଯୋଗ ହେଉ, ସମସ୍ତଙ୍କର ଟୀକାକରଣ ହେଉ, ସମସ୍ତଙ୍କୁ ସୁରକ୍ଷା କବଚ ମିଳୁ, ସମସ୍ତଙ୍କ ଘରେ ଏଲଇଡି ବଲବ ଲାଗୁ, ଏହା ସୁନିଶ୍ଚତ କରାଯାଉଛି । ଏହି ଅଭିଯାନ ମାଧ୍ୟମରେ ଚଳିତ ବର୍ଷ ଅଗଷ୍ଟ 15 ପର୍ୟ୍ୟନ୍ତ ରାଜସ୍ଥାନର ଦେଢ଼ ହଜାର ଗ୍ରାମକୁ ମଧ୍ୟ ଏହି ଯୋଜନାମାନଙ୍କର ସମ୍ପୂର୍ଣ୍ଣ ଲାଭ ପ୍ରଦାନ କରାଯିବ ।

ବନ୍ଧୁଗଣ, ସବ୍କା ସାଥ ସବ୍କା ବିକାଶ ମନ୍ତ୍ରରେ ଚାଲି  ଗାଁ ହେଉ ବା ସହର ହେଉ ଦେଶର ସମସ୍ତ ସ୍ଥାନରେ ଆଲୋକ ପହଂଚାଇବାର ପ୍ରୟାସ ଦୃତ ଗତିରେ ଚାଲିଛି । ଦେଶର ଶହେ ବଡ ସହରରେ ଦୃତ ଗତିରେ ସ୍ମାର୍ଟ ବ୍ୟବସ୍ଥାମାନ ବିକଶିତ କରାଯାଉଛି । ଏହି ଶହେ ସହରମାନଙ୍କ ମଧ୍ୟରେ ଆମର ଜୟପୁର, ଉଦୟପୁର, କୋଟା ଏବଂ ଆଜମେର ମଧ୍ୟ ସାମିଲ ରହିଛି । ଏହି ସହରମାନଙ୍କର ସଡକଗୁଡ଼ିକୁ, ଗଳିଗୁଡ଼ିକୁ, ଟ୍ରାଫିକ, ବିଜୁଳୀ-ପାଣି ଓ ସିବେରେଜରୁ ନେଇ ପ୍ରଶାସନ ସହିତ ଜଡିତ ସମସ୍ତ ପଦକ୍ଷେପଗୁଡ଼ିକୁ ସ୍ମାର୍ଟ କରିବା ପାଇଁ କେନ୍ଦ୍ର ସରକାର 7 ହଜାର କୋଟି ଟଙ୍କାରୁ ଅଧିକ ଅର୍ଥରାଶି ମଂଜୁରି ପ୍ରଦାନ କରିଛନ୍ତି । ରାଜସ୍ଥାନ ସରକାର ଏହି ପରିଯୋଜନାଗୁଡ଼ିକ ଉପରେ ଦୃତ ଗତିରେ କାମ କରୁଛନ୍ତି ।

ବନ୍ଧୁଗଣ, ସମ୍ପ୍ରତି ଯେଉଁ କାମ ହେଉଛି, ତାହା ପ୍ରଥମରୁ ମଧ୍ୟ ହୋଇପାରି ଥାନ୍ତା । ମାତ୍ର ଆଗରୁ ଯେଉଁ ସରକାର ଥିଲେ ସେମାନେ କିପରି ଢ଼ଙ୍ଗରେ କାର୍ଯ୍ୟ କରିଥିଲେ, ସେ ବାବଦରେ ଆପଣମାନେ ଭଲ ଭାବେ ଜାଣନ୍ତି । ଏହାର ପରିମାଣ ସ୍ୱରୂପ କଂଗ୍ରେସକୁ ଆଜିକାଲି ଜନସାଧାରଣ ବେଲ ଗାଡି କହିବାକୁ ଆରମ୍ଭ କରିଛନ୍ତି । ବଳଦ ଗାଡି ନୁହେଁ ବେଲ ଗାଡି । କାରଣ କଂଗ୍ରେସର ଦିଗମ୍ବନ୍ତ କୁହାଯାଉଥିବା ପାଖାପାଖି ଅନେକ ନେତା ଏବଂ ଅନେକ ପୂର୍ବ ମନ୍ତ୍ରୀ ଆଜିକାଲି ବେଲରେ ବା ଜାମିନିରେ ଅଛନ୍ତି । ମାତ୍ର ଆପଣମାନେ ଯେପରି ଭାବେ ଭରସାର ସହିତ କଂଗ୍ରେସର ସଂସ୍କୃତିକୁ ପ୍ରତ୍ୟାଖାନ କରିଛନ୍ତି ଏବଂ ଭାଜପାକୁ ଜନାଦେଶ ପ୍ରଦାନ କରିଛନ୍ତି, ସେହି ଭରସାକୁ ଦିନକୁ ଦିନ ମଜଭୁତ କରିବାର କାମ ଭାରତୀୟ ଜନତା ପାର୍ଟି ସରକାର କରୁଛନ୍ତି । ଆମେ ନିଉ ଇଣ୍ଡିଆ ସଂକଳ୍ପକୁ ନେଇ ଆଗକୁ ବଢ଼ୁଛୁ । 2022ରେ ଦେଶର ସ୍ୱାଧୀନତାର 75 ବର୍ଷ ପୂରଣ ହେବାର ଅଛି ମାତ୍ର ଏହା ପୂର୍ବରୁ ଆଗାମୀ ବର୍ଷ ମାର୍ଚ୍ଚରେ ହିଁ ରାଜସ୍ଥାନ ଗଠନ ହେବାର 70 ବର୍ଷ  ପୁରଣ ହେବାର ରହିଛି । ନିଉ ଇଣ୍ଡିଆର ନିର୍ମାଣ ନୂତନ ରାଜସ୍ଥାନ ବିନା ସମ୍ଭବ ହୋଇପାରିବ ନାହିଁ । ଏପରି ସ୍ଥଳେ ମୋ ଭାଇ-ଭଉଣୀମାନଙ୍କ ପାଇଁ ରାଷ୍ଟ୍ର ନିର୍ମାଣ-ରାଜସ୍ଥାନ ନିର୍ମାଣର ଏହା ହେଉଛି ସୂବର୍ଣ୍ଣ ସୁଯୋଗ ।

ବନ୍ଧୁଗଣ, ଏହି ବର୍ଷ ମଧ୍ୟ ହେଉଛି ଦେଶ ପାଇଁ ସର୍ବୋଚ୍ଚ ବଳିଦାନ ଦେଇଥିବା ପରମବୀର ଚକ୍ର ବିଜେତା ଶହୀଦ ପୀରୁ ସିଂ ଶେଖାୱତଙ୍କ ଜନ୍ମ ଶତବାର୍ଷିକୀ । କିଛି ଦିନ ମଧ୍ୟରେ ତାଙ୍କ ବଳିଦାନର 70 ବର୍ଷ ମଧ୍ୟ ପୂରଣ ହେବ । ଏହି ମହାନ ବଳିଦାନୀଙ୍କୁ ମୋର ଶତ-ଶତ ପ୍ରଣାମ । ଆମ ରାଷ୍ଟ୍ର ଏହିପରି ଭାବେ ବଳିଦାନୀମାନଙ୍କର ବୀରତା, ଶୌର୍ୟ୍ୟ ଏବଂ ରାଷ୍ଟ୍ରଭକ୍ତିର ଦମ ଉପରେ ଆଜି ଦୁନିଆ ସାମନାରେ ମୁଣ୍ଡ ଟେକି ଠିଆ ହୋଇଛି । ମାତ୍ର ଦୁର୍ଭାଗ୍ୟର ବିଷୟ ଯେ ଆମର ରାଜନୈତିକ ବିରୋଧି ଏ ବିଷୟକୁ ମଧ୍ୟ ଭୁଲିଗଲେ । ସରକାର ପର୍ୟ୍ୟନ୍ତ ଠିକ କିନ୍ତୁ ସେମାନେ ସେନା ଉପରେ ଓ ତାର କ୍ଷମତା ଉପରେ ପ୍ରଶ୍ନବାଚୀ ଲଗାଇବାର ପାପ କରିଛନ୍ତି । ପୂର୍ବରୁ ଏହା କେବେ ହୋଇନାହିଁ । ରାଜସ୍ଥାନର ଜନସାଧାରଣ ତଥା ଦେଶର ଜନସାଧାରଣ ଏପରି ରାଜନୀତି କରୁଥିବା ବ୍ୟକ୍ତିମାନଙ୍କୁ କେବେ ବି କ୍ଷମା କରିବେ ନାହିଁ । ବନ୍ଧୁଗଣ ଯେଉଁମାନଙ୍କୁ ପରିବାର ଓ ବଂଶବାଦର ରାଜନୀତି କରିବାର ଅଛି ସେମାନେ କରନ୍ତୁ ମାତ୍ର ଦେଶର ସୁରକ୍ଷା ଓ ସ୍ୱାଭିମାନକୁ ଶିଖର ପର୍ୟ୍ୟନ୍ତ ନେଇଯିବା ନେଇ ଆମର ନିର୍ଣ୍ଣୟ ଅତୁଟ ଏବଂ ଆମ ନୀତି ସ୍ପଷ୍ଟ । ଏହି କାରଣରୁ ଯେଉଁ ଏକ ପାହ୍ୟା ଏକ ପେନସନ ମାମଲା ବର୍ଷ ବର୍ଷ ଧରି ଅଟକି ରହିଥିଲା, ଏହି ସରକାର ଅମଳରେ ଏହାର ସମାଧାନ ମଧ୍ୟ କରାଯାଇଛି । ଭାଇ ଓ ଭଉଣୀମାନେ ଦେଶ ଆଜି ଏକ ନୂତନ ଓ ଗୁରୁତ୍ୱପୂର୍ଣ୍ଣ ମୋଡରେ ଠିଆହୋଇଛି, ଏକ ନୂତନ ଦିଗ ଆଡକୁ ଆମେ ଚାଲିବାକୁ ଆରମ୍ଭ କରିଛେ, ଅନେକ କଠିନ ଲକ୍ଷ୍ୟ ହାସଲ କରାଯାଇ ସାରିଛି ଏବଂ ଆହୁରି ଅନେକ ପୂରଣ କରିବା ଲକ୍ଷ୍ୟରେ ଆମେ ଆଗକୁ ବଢ଼ୁଛୁ । ମୋର ସମ୍ପୂର୍ଣ୍ଣ ବିଶ୍ୱାସ ରହିଛି ଯେ ଆପଣମାନଙ୍କ ସମସ୍ତଙ୍କ  ସକ୍ରିୟ ଭାଗିଦାରୀତା ଫଳରେ ନିଜର ସମସ୍ତ ସଂକଳ୍ପକୁ ସିଦ୍ଧ କରିବାରେ ସରକାରଙ୍କୁ ସଫଳତା ମିଳିବ । ଆଜି ଯେଉଁ ଯୋଜନାଗୁଡ଼ିକ ଉପରେ କାମ ଆରମ୍ଭ ହୋଇଛି ସେଥିପାଇଁ ରାଜସ୍ଥାନର ଜନସାଧାରଣଙ୍କୁ ପୁଣିଥରେ ସାଧୁବାଦ ଜଣେଇ ମୁଁ ମୋର ବକ୍ତବ୍ୟ ଶେଷ କରୁଛି ।

ମୋ ସହିତ ଆପଣମାନେ ସମସ୍ତେ କୁହନ୍ତୁ

ଭାରତ ମାତା କି ଜୟ!

ଭାରତ ମାତା କି ଜୟ!

ଅନେକ ଅନେକ ଧନ୍ୟବାଦ ।

 

*********