Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ରାଜସ୍ୱ ଅଧିକାରୀଙ୍କ ଦୁଇଦିନିଆ ଜ୍ଞାନସଂଗମ ସମ୍ମିଳନୀ ଆରମ୍ଭ, କରଦାତାଙ୍କ ବିଶ୍ୱାସଭାଜନ ହେବାକୁ ଅଧିକାରୀମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ

ରାଜସ୍ୱ ଅଧିକାରୀଙ୍କ ଦୁଇଦିନିଆ ଜ୍ଞାନସଂଗମ ସମ୍ମିଳନୀ ଆରମ୍ଭ,

କରଦାତାଙ୍କ ବିଶ୍ୱାସଭାଜନ ହେବାକୁ ଅଧିକାରୀମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ

ରାଜସ୍ୱ ଅଧିକାରୀଙ୍କ ଦୁଇଦିନିଆ ଜ୍ଞାନସଂଗମ ସମ୍ମିଳନୀ ଆରମ୍ଭ,

କରଦାତାଙ୍କ ବିଶ୍ୱାସଭାଜନ ହେବାକୁ ଅଧିକାରୀମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ


ଗୁରୁବାର ଦିନଠାରୁ ନୂଆଦିଲ୍ଲୀଠାରେ ଆରମ୍ଭ ହୋଇଛି ଦୁଇଦିନିଆ ରାଜସ୍ୱ ଜ୍ଞାନସଂଗମ ସମ୍ମିଳନୀ । ଏହି କାର୍ଯ୍ୟକ୍ରମରେ ଦେଶର ବରିଷ୍ଠ କର ପ୍ରଶାସକମାନେ ଯୋଗ ଦେଇଛନ୍ତି । ସମ୍ମିଳନୀକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଲେ ଯେ, ଦେଶରେ କର ବ୍ୟବସ୍ଥାକୁ ସୁଗମ ଓ ସହଜ କରିବା ସକାଶେ କର ପ୍ରଶାସକମାନେ ନିର୍ଭୟରେ ସେମାନଙ୍କର ମତାମତ ସରକାରଙ୍କୁ ଜଣାଇବା ଉଚିତ । ପ୍ରଚଳିତ ଆଇନ ବ୍ୟବସ୍ଥା ମଧ୍ୟରେ କର ପଇଠ ନିମନ୍ତେ କରଦାତାଙ୍କ ମନରେ କିପରି ସକାରାତ୍ମକ ଭାବନା ସୃଷ୍ଟି କରାଯାଇପାରିବ ସେଥିପ୍ରତି ରାଜସ୍ୱ ଅଧିକାରୀମାନେ ଯତ୍ନଶୀଳ ହେବା ଉଚିତ । ଏଥି ସହିତ କର ଫାଙ୍କୁଥିବା ବ୍ୟକ୍ତିବିଶେଷଙ୍କୁ କିପରି ଆଇନର ବ୍ୟବସ୍ଥା ମଧ୍ୟରେ ବାଟକୁ ଅଣାଯାଇପାରିବ ସେଥିପାଇଁ ନୂଆ ନୂଆ ଉପାୟମାନ ମଧ୍ୟ ଚିନ୍ତା କରାଯିବା ଦରକାର ବୋଲି ପ୍ରଧାନମନ୍ତ୍ରୀ ମତ ପୋଷଣ କରିଛନ୍ତି ।

ଦେଶର ବରିଷ୍ଠ କର ଅଧିକାରୀମାନଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଲେ ଯେ, ଅଧିକାରୀମାନେ ନିର୍ଭୟ ମନରେ ସରକାରଙ୍କୁ ସେମାନଙ୍କ ମତାମତ ଦେବା ସହ ଭାବ ବିନିମୟ କରିବା ଦରକାର । ଭାରତ ଏବେ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ମୋଡ଼ରେ ଦଣ୍ଡାୟମାନ । ଲୋକମାନଙ୍କର ସରକାରଙ୍କ ଠାରୁ ଢ଼େର୍ ପ୍ରତ୍ୟାଶା ରହିଛି । ସରକାର ମଧ୍ୟ ଲୋକମାନଙ୍କର ଆଶା ଓ ଆକାଂକ୍ଷାକୁ ପୂରଣ କରିବା ସକାଶେ ବଦ୍ଧପରିକର । ତେଣୁ କର ପ୍ରଶାସକମାନେ ଦେଶର ବିକାଶ ପ୍ରକ୍ରିୟାରେ ସକ୍ରିୟତାର ସହ ଯୋଗଦାନ କରିବା ଉଚିତ ।

ଲୋକମାନଙ୍କ ମନରେ କିଭଳି ପ୍ରଚଳିତ କର ବ୍ୟବସ୍ଥା ଉପରେ ଗଭୀର ଆସ୍ଥା ସୃଷ୍ଟି ହୋଇପାରିବ ସେ ଦିଗରେ ରାଜସ୍ୱ ଅଧିକାରୀମାନେ ଚେଷ୍ଟିତ ହେବା ଆବଶ୍ୟକ । ସରକାରଙ୍କ ଦ୍ୱାରା ଅନୁସୃତ ଗିଭ୍ ଇଟ୍ ଅପ୍ ଯୋଜନା ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଲେ ଯେ, ଦେଶର ଲକ୍ଷ ଲକ୍ଷ ଜନତା ସ୍ୱେଚ୍ଛାକୃତ ଭାବେ ସେମାନଙ୍କର ଗ୍ୟାସ ସବସିଡ଼ି ଛାଡ଼ିଦେଲେ । ସେହିଭଳି ଯଦି କର ଅଧିକାରୀମାନେ ଲୋକମାନଙ୍କୁ ଉଚିତ ଭାବେ ପ୍ରବର୍ତ୍ତାଇପାରିବେ ତେବେ ସରକାରଙ୍କ କର ସଂଗ୍ରହ ଓ ଏହାର ଭିତ୍ତି ବେଶ୍ ସୁଦୃଢ଼ ହୋଇପାରିବ । ତେଣୁ ସେମାନେ କିପରି କରଦାତାମାନଙ୍କ ବିଶ୍ୱାସଭାଜନ ହୋଇପାରିବେ ଓ କର ବ୍ୟବସ୍ଥା ସଂପର୍କରେ ସେମାନଙ୍କ ମନରେ ଆସ୍ଥା ସୃଷ୍ଟି ହୋଇପାରିବ ସେ ଦିଗରେ ଅଧିକାରୀମାନେ ଚେଷ୍ଟିତ ହେବା ଦରକାର ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ଦେଶର କର ପ୍ରଶାସକମାନଙ୍କ ପାଇଁ ଏକ ପାଂଚସୂତ୍ରୀ ମନ୍ତ୍ର ଅବଲମ୍ବନର ସୂଚନା ଦେଇଥିଲେ । ସେଗୁଡ଼ିକ ହେଲା: ରାପିଡ଼ (RAPID) । ଅର୍ଥାତ୍, ‘ଆର’ ହେଉଛି ରାଜସ୍ୱ, ‘ଏ’ ହେଉଛି ଉତ୍ତରଦାୟିତ୍ୱ, ‘ପି’ ର ଅର୍ଥ ହେଲା ପ୍ରୋବିଟି, ‘ଆଇ’ ହେଉଛି ସୂଚନା ଏବଂ ‘ଡି’ ହେଉଛି ଡ଼ିଜିଟାଇଜେସନ୍ । ତେଣୁ ଜ୍ଞାନସଂଗମକୁ ଅଧିକାରୀମାନେ କର୍ମସଂଗମରେ ପରିଣତ କରିବା ସକାଶେ ଶ୍ରୀ ମୋଦୀ ଆହ୍ୱାନ ଜଣାଇଥିଲେ । ତାହାହେଲେ ଏହି ସମ୍ମିଳନୀରୁ ସୃଷ୍ଟ ଚିନ୍ତାଧାରାକୁ କାର୍ଯ୍ୟକ୍ଷେତ୍ରରେ ପ୍ରବର୍ତ୍ତନ କରାଯାଇପାରିବ ବୋଲି ସେ କହିଥିଲେ ।

ଏହି ସମ୍ମିଳନୀରେ ଅର୍ଥମନ୍ତ୍ରୀ ଶ୍ରୀ ଅରୁଣ ଜେଟଲୀ, ଅର୍ଥ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଜୟନ୍ତ ସିହ୍ନା, ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଶ୍ରୀ ନ୍ରିପେନ୍ଦ୍ର ମିଶ୍ର, ରାଜସ୍ୱ ସଚିବ ଶ୍ରୀ ହସମୁଖ ଆଢିଆ, ସିବିଡ଼ିଟି ଏବଂ ସିବିଇସିର ଅଧ୍ୟକ୍ଷ ଉଦ୍ବୋଧନ ଦେଇଥିବା ବେଳେ ଉଭୟ ରାଜସ୍ୱ ବୋର୍ଡ଼ର ବହୁ ବରିଷ୍ଠ ପଦାଧିକାରୀମାନେ ଯୋଗ ଦେଇଛନ୍ତି