Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ରାଜସ୍ୱ ଜ୍ଞାନ ସଙ୍ଗମରେ ଟିକସ ପ୍ରଶାସକମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ


  • ପ୍ରଥମ ଦୁଇ ମାସରେ ଜିଏସଟି ବ୍ୟବସ୍ଥାକୁ ଆସିଲେ 17 ଲକ୍ଷରୁ ଅଧିକ ନୂଆ ବ୍ୟବସାୟୀ
  • ଆଧୁନିକ ପ୍ରଯୁକ୍ତି କୌଶଳ ଉପଯୋଗକରି ଇ-ଟିକସ ନିର୍ଦ୍ଧାରଣ ବ୍ୟବସ୍ଥା ଆରମ୍ଭ କରିବା ଉପରେ ଗୁରୁତ୍ୱ
  • ବକେୟା ଟିକସ ମାମଲାଗୁଡ଼ିକର ଆଶୁ ସମାଧାନ ଲାଗି କାର୍ଯ୍ୟ ଖସଡା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ
  • ଅଘୋଷିତ ଆୟ, ସମ୍ପତିର ଅନୁସନ୍ଧାନ ପାଇଁ ଡାଟା ବିଶ୍ଳେଷଣ ଟୁଲ ବ୍ୟବହାର କର
  • ଟିକସ ଠକଙ୍କ କୁକର୍ମର ଦଣ୍ଡ ସଚ୍ଚୋଟମାନଙ୍କୁ ଭୋଗିବାକୁ ଦିଆଯିବନାହିଁ

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀଠାରେ ରାଜସ୍ୱ ଜ୍ଞାନ ସଙ୍ଗମକୁ ଉଦଘାଟନ କରିବା ସହିତ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଟିକସ ପ୍ରଶାସକମାନଙ୍କୁ ଉଦବୋଧନ ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ ଅଧିକାରୀମାନଙ୍କୁ ଆହ୍ୱାନ ଜଣାଇ କହିଥିଲେ ଯେ ସେମାନେ ସେମାନଙ୍କ ପ୍ରଦର୍ଶନରେ ‘ଜରୁରୀକାଳୀନ ଭାବନା” ଏବଂ “ମାପକ କ୍ଷମତା” ଆଣିବା ଲାଗି କର୍ମସଂସ୍କୃତିର ବିକାଶ କରିବାକୁ ପଡିବ ।

ଜିଏସଟିର ସୁଫଳ ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦେଶର ଅର୍ଥନୈତିକ ଏକତ୍ରୀକରଣ ଏବଂ ବ୍ୟବସ୍ଥାରେ ପାରଦର୍ଶିତା ଆସିବା ବ୍ୟତୀତ, ମାତ୍ର 2 ମାସ ମଧ୍ୟରେ 17 ଲକ୍ଷରୁ ଅଧିକ ନୂଆ ବ୍ୟବସାୟୀଙ୍କୁ ପରୋକ୍ଷ ଟିକସ ବ୍ୟବସ୍ଥା ମଧ୍ୟକୁ ଅଣାଯାଇପାରି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସମସ୍ତ ବ୍ୟବସାୟୀଙ୍କୁ ଜିଏସଟିର ସର୍ବାଧିକ ସୁଫଳ ପ୍ରଦାନ କରିବା ଲାଗି ଆମକୁ 20 ଲକ୍ଷରୁ କମ ଆୟ କରୁଥିବା ବ୍ୟବସାୟୀଙ୍କ ସମେତ ସମସ୍ତ ବ୍ୟବସାୟୀଙ୍କୁ ଜିଏସଟି ବ୍ୟବସ୍ଥା ମଧ୍ୟକୁ ଆଣିବା ଦିଗରେ ପ୍ରୟାସ ସୁନିଶ୍ଚିତ କରିବାର ଆବଶ୍ୟକତା ରହିଛି । ସେ ଅଧିକାରୀମାନଙ୍କୁ ଏ ଦିଗରେ କାର୍ଯ୍ୟ କରିବା ଲାଗି କହିବା ସହିତ ଏହି ବର୍ଗ ପାଇଁ ଜିଏସଟି ବ୍ୟବସ୍ଥା ଡିଜାଇନ୍ କରିବା ଲାଗି ପରାମର୍ଶ ଦେଇଥିଲେ ।

2022ରେ ଦେଶ ସ୍ୱାଧୀନତାର 75 ବର୍ଷ ପୂର୍ତ୍ତି ସୁଦ୍ଧା ଦେଶର ଟିକସ ପ୍ରଶାସନରେ ଉନ୍ନତି ଆଣିବା ଲାଗି ସ୍ପଷ୍ଟ ଲକ୍ଷ୍ୟ ନେଇ କାର୍ଯ୍ୟ କରିବାକୁ ପ୍ରଧାନମନ୍ତ୍ରୀ ଅଧିକାରୀମାନଙ୍କୁ କହିଥିଲେ । ସେ କହିଥିଲେ ଯେ ଦୁର୍ନୀତିଗ୍ରସ୍ତଙ୍କ ସାହସ ଭାଙ୍ଗିବା ଏବଂ ସଚ୍ଚୋଟ ଟିକସଦାତାଙ୍କ ଆତ୍ମବିଶ୍ୱାସ ଏବଂ ଆସ୍ଥା ବୃଦ୍ଧି କରିବା ଭଳି ପରିବେଶ ସୃଷ୍ଟି ଦିଗରେ କେନ୍ଦ୍ର ସରକାର କାର୍ଯ୍ୟ କରୁଛନ୍ତି । ଏହି ପରିପ୍ରେକ୍ଷୀରେ ସେ କେନ୍ଦ୍ର ସରକାରଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ବିମୁଦ୍ରୀକରଣ ଏବଂ କଳାଧନ ତଥା ବେନାମୀ ସମ୍ପତ୍ତି ବିରୋଧରେ ଅଣାଯାଇଥିବା କଠୋର ଆଇନ ବିଷୟରେ ଉଲ୍ଲେଖ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଟିକସ ପ୍ରଶାସନର କାରବାରରେ ମାନବୀୟ ହସ୍ତକ୍ଷେପକୁ ସର୍ବନିମ୍ନ କରାଯିବା ଆବଶ୍ୟକ । ସେ ପ୍ରଯୁକ୍ତି କୌଶଳ ବ୍ୟବହାର କରି “ଇ-ଟିକସ ନିର୍ଦ୍ଧାରଣ” ଏବଂ ଗୁପ୍ତ କାର୍ଯ୍ୟାନୁଷ୍ଠାନର ମହତ୍ୱ ଉପରେ ଜୋର ଦେଇଥିଲେ, ଯାହାଦ୍ୱାରା ନ୍ୟସ୍ତସ୍ୱାର୍ଥଗୋଷ୍ଠୀର ଲୋକମାନେ ଆଇନର ଉଲ୍ଲଂଘନ କରିପାରିବେ ନାହିଁ ।

ବିଚାରଧୀନ ତଥା ଆବେଦନ ପ୍ରକ୍ରିୟାରେ ବହୁ ସଂଖ୍ୟାରେ ଟିକସ ସଂକ୍ରାନ୍ତ ମାମଲା ପଡ଼ିରହିଥିବାରୁ ଶ୍ରୀ ନରେନ୍ଦ୍ର ମୋଦୀ ଉଦବେଗ ପ୍ରକାଶ କରିଥିଲେ । ସେ କହିଥିଲେ ଏହି ମାମଲାରେ ବହୁ ପରିମାଣର ଅର୍ଥ ବନ୍ଦ ହୋଇପଡ଼ିଛି, ଏହି ଅର୍ଥ ଗରିବଙ୍କ କଲ୍ୟାଣରେ ବିନିଯୋଗ ହୋଇପାରିବ । ପଡ଼ିରହିଥିବା ମାମଲାଗୁଡ଼ିକର ସମାଧାନ ଲାଗି ରାଜସ୍ୱ ଜ୍ଞାନ ସଙ୍ଗମରେ ଏକ କାର୍ଯ୍ୟ ଖସଡା ପ୍ରସ୍ତୁତ କରିବାକୁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଅଘୋଷିତ ଆୟ ଏବଂ ସମ୍ପତ୍ତିର ଅନୁସନ୍ଧାନ ତଥା ଠାବ କରିବା ଲାଗି ଡାଟା ବିଶ୍ଳେଷଣ ଟୁଲ ବ୍ୟବହାର କରିବାକୁ ପ୍ରଧାନମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସେ କହିଥିଲେ ଯେ ଟିକସ ରାଜସ୍ୱ ବଢ଼ାଇବା ଲାଗି ଅଧିକାରୀଙ୍କ ଦ୍ୱାରା ବାରମ୍ବାର ଉଦ୍ୟମ କରାଯାଉଛି, ତଥାପି ଆକଳନ ପରିମାଣର ଟିକସ ଆମ ଆର୍ଥିକ ବ୍ୟବସ୍ଥା ମଧ୍ୟକୁ ଆସିପାରୁନାହିଁ । ଆକଳନ କରାଯାଇଥିଲେ ହେଁ ଟିକସ ଆଦାୟ ହୋଇନପାରିବା ସମସ୍ୟାର ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ସମାଧାନ ଲାଗି ଆଗେଇ ଆସିବାକୁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସେ କହିଥିଲେ ଯେ ଟିକସ ଠକମାନେ କରୁଥିବା କୁକର୍ମର ଦଣ୍ଡ ସଚ୍ଚୋଟମାନଙ୍କୁ ଭୋଗିବାକୁ ଦିଆଯିବନାହିଁ । ଏହି ପରିପ୍ରେକ୍ଷୀରେ ଡାଟା ବିଶ୍ଳେଷଣ ଏବଂ ଅନୁସନ୍ଧାନ ୱିଙ୍ଗକୁ ଆହୁରି ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଟିକସ ବିଭାଗର ମାନବ ସମ୍ବଳ ପରିଚାଳନକୁ ସମ୍ପୂର୍ଣ୍ଣ ଭାବେ ପୁନଃ କ୍ରିୟାଶୀଳ କରିବା ଲାଗି ସେ ନିର୍ଦ୍ଦେଶ ଦେଇଥିଲେ ।

ପ୍ରଧାନମନ୍ତ୍ରୀ ଆଶା ବ୍ୟକ୍ତ କରିଥିଲେ ଯେ ଟିକସ ପ୍ରଶାସନକୁ ଆହୁରି ସୁଦୃଢ଼ କରିବା ଲାଗି ଦୁଇଦିନିଆ ଜ୍ଞାନ ସଙ୍ଗମରେ ଉତମ ଉପାୟ ବିଷୟବସ୍ତୁ ଉପରେ ବ୍ୟାପକ ମତ ବିନିମୟ ହୋଇପାରିବ ।

 

**********