ପିଏମଇଣ୍ଡିଆ
ବିଦ୍ୟୁତ ବଣ୍ଟନକାରୀ ସଂସ୍ଥା (ଡିସକମ) ଗୁଡିକ ଉପରେ ଥିବା ଋଣର 50 ପ୍ରତିଶତ ରାଜ୍ୟମାନେ ନେବା ପାଇଁ ଯେଉଁ ସମୟସୀମା ଦିଆଯାଇଥିଲା, ତାହାକୁ ଆଉ ଏକ ବର୍ଷ ବଢ଼ାଇ ଦିଆଯାଇଛି । ଏ ସଂକ୍ରାନ୍ତରେ ଏକ ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର ମନ୍ତ୍ରୀମଣ୍ଡଳ ବୈଠକରେ ଅନୁମୋଦନ କରାଯାଇଛି ।
ଉଦୟ ଯୋଜନା ଅନୁଯାୟୀ ଗତ 2015 ସେପ୍ଟେମ୍ବର 30 ସୁଦ୍ଧା ଡିସକମ ଗୁଡିକ ଉପରେ ଥିବା ଋଣର 50 ପ୍ରତିଶତ ସଂପୃକ୍ତ ରାଜ୍ୟମାନେ ବହନ କରିବେ । ଏହାଦ୍ୱାରା ଡିସକମଗୁଡିକର ଆର୍ଥିକ କାରବାର ବଢ଼ିବ ଏବଂ ସେମାନେ ଅଧିକ କାର୍ଯ୍ୟକ୍ଷମ ହେବେ । ଏଥିପାଇଁ ଶେଷ ସମୟସୀମା 2016 ମାର୍ଚ୍ଚ 31 ତାରିଖ ଥିବା ବେଳେ ତାହାକୁ ଆଉ ଏକ ବର୍ଷ ବଢ଼ାଇ ଦିଆଯାଇଛି । ଯାହାଫଳରେ ଅଦ୍ୟାବଧି ସାମିଲ ହୋଇନଥିବା ରାଜ୍ୟମାନେ ଏହି ଉଦୟ ଯୋଜନାରେ ସାମିଲ ହୋଇପାରିବେ ।
ବର୍ତ୍ତମାନ ସୁଦ୍ଧା ଦେଶର 19ଟି ରାଜ୍ୟ ଉଦୟ ଯୋଜନାରେ ସାମିଲ ହୋଇସାରିଲେଣି । ସେମାନଙ୍କ ମଧ୍ୟରୁ 10 ଟି ରାଜ୍ୟ ଯଥା ରାଜସ୍ଥାନ, ଉତ୍ତର ପ୍ରଦେଶ, ଛତିଶଗଡ, ଝାଡଖଣ୍ଡ, ପଞ୍ଜାବ, ବିହାର, ହରିୟାଣା, ଗୁଜୁରାଟ, ଉତ୍ତରାଖଣ୍ଡ ଏବଂ ଜାମ୍ମୁ-କାଶ୍ମୀର କେନ୍ଦ୍ର ସରକାରଙ୍କ ସହିତ ବୁଝାମଣା ପତ୍ରରେ ସ୍ୱାକ୍ଷର କରିସାରିଲେଣି । 2015-16 ବର୍ଷରେ ଅଂଶ ଗ୍ରହଣକାରୀ ରାଜ୍ୟମାନଙ୍କ ପକ୍ଷରୁ 99 ହଜାର 541 କୋଟି ଟଙ୍କାର ବଣ୍ଡ ଖୋଲା ବଜାରକୁ ଛଡାଯାଇଛି । ରାଜ୍ୟମାନଙ୍କ ଉପରେ ଥିବା 50 ପ୍ରତିଶତ ଋଣକୁ ପରିଶୋଧ କରିବା ତଥା ଜାମ୍ମୁ-କାଶ୍ମୀରର କେନ୍ଦ୍ର ସରକାରୀ ଉଦ୍ୟୋଗ ଉପରେ ଥିବା ଋଣକୁ ପରିଶୋଧ କରିବା ନିମନ୍ତେ ଏହା ଉଦ୍ଦିଷ୍ଟ । ଏହାଛଡା 11 ହଜାର 524 କୋଟି ଟଙ୍କାର ଡିସକମ ବଣ୍ଡ ମଧ୍ୟ ଛଡାଯାଇଛି । 2016-17 ବର୍ଷରେ ଉତ୍ତର ପ୍ରଦେଶ ସରକାରଙ୍କ ପକ୍ଷରୁ 14 ହଜାର 801 କୋଟି ଟଙ୍କାର ବଣ୍ଡ ଛଡାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ଡିସକମଗୁଡିକର ପୁନରୁଦ୍ଧାର ତଥା ଆର୍ଥିକ କାରବାର ନିମନ୍ତେ ଉଦୟ ଯୋଜନା ଅଧିନରେ ସହାୟତା ମିଳୁଛି । ବିଶେଷକରି ଦୀର୍ଘ ଦିନରୁ ରହି ଆସୁଥିବା ସମସ୍ୟାର ସ୍ଥାୟୀ ସମାଧାନ ନିମନ୍ତେ ଏହି ବ୍ୟବସ୍ଥା କରାଯାଇଛି ।