ପିଏମଇଣ୍ଡିଆ
ଫେବୃଆରୀ 12, 2019ରେ ରାଜ୍ୟସଭାରେ ଆଗତ କରାଯାଇଥିବା ତଥା ସେଠାରେ ଦୀର୍ଘ ଦିନ ଧରି ପଡି ରହିଥିବା ଅନ୍ତଃରାଷ୍ଟ୍ରୀୟ ବିତ୍ତୀୟ ସେବା କେନ୍ଦ୍ର ପ୍ରାଧିକରଣ ବିଧେୟକ ବିଲ 2019କୁ ରାଜ୍ୟସଭାରୁ ଫେରେଇ ଆଣିବା ଏବଂ ଲୋକସଭାର ବର୍ତ୍ତମାନ ଚାଲିଥିବା ଅଧିବେଶନରେ ଆଗତ କରାଇବା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ଆଜି ଅନୁମୋଦନ କରିଛି ।
ଲାଭ:
ସମ୍ପ୍ରତି ଆଇଏଫଏସସିର ବ୍ୟାଙ୍କିଙ୍ଗ, ପୁଞ୍ଜି ବଜାର ଏବଂ ବୀମା କ୍ଷେତ୍ର ଆରବିଆଇ, ସେବି ଓ ଆଇଆରଡିଏଆଇ ଭଳି ଅନେକ ନିୟାମକ ମାନଙ୍କ ଦ୍ୱାରା ନିୟନ୍ତ୍ରିତ । ଆଇଏଫଏସସିରେ କାରବାରର ଗତିଶୀଳତା କାରଣରୁ ନିୟାମକ ମାନଙ୍କ ମଧ୍ୟରେ ଅତ୍ୟଧିକ ସମନ୍ୱୟର ଆବଶ୍ୟକତା ରହିଛି । ଆଇଏଫଏସସିରେ ବିତ୍ତୀୟ ଗତିବିଧିକୁ ନିୟନ୍ତ୍ରଣ କରୁଥିବା ମହଜୁଦ ନିୟାମକ ମାନଙ୍କରେ ସ୍ପଷ୍ଟୀକରଣ ତଥା ସଂଶୋଧନର ମଧ୍ୟ ଆବଶ୍ୟକତା ରହିଛି ।
ଆଇଏଫଏସସିରେ ବିତ୍ତୀୟ ସେବା ଓ ଉତ୍ପାଦର ବିକାଶ ପାଇଁ କେନ୍ଦ୍ରୀୟ ଏବଂ ସମର୍ପିତ ନିୟାମକ ହସ୍ତକ୍ଷେପର ଆବଶ୍ୟକତା ରହିବ । ଏଥିପାଇଁ ଭାରତରେ ଆଇଏଫଏସସି ପାଇଁ ଏକ ଏକୀକୃତ ବିତ୍ତୀୟ ନିୟାମକ ସ୍ଥାପିତ କରିବାର ଆବଶ୍ୟକତା ଅନୁଭବ କରାଯାଉଛି, ଯାହାଫଳରେ କି ବିତ୍ତୀୟ ବଜାରର ଭାଗୀଦାର ମାନଙ୍କ ପାଇଁ ବିଶ୍ୱସ୍ତରୀୟ ବାତାବରଣ ଉପଲବ୍ଧ ହୋଇପାରିବ ।
ଏତଦବ୍ୟତୀତ କାରବାରର ସୁଗମତା ଦୃଷ୍ଟିରୁ ମଧ୍ୟ ଏହା ଅନିବାର୍ଯ୍ୟ ହେବ । ଏକୀକୃତ ପ୍ରାଧିକରଣ ଫଳରେ ବୈଶ୍ୱିକ ଶ୍ରେଷ୍ଠ ପରମ୍ପରା ଅନୁଯାୟୀ ଭାରତରେ ଆଇଏଫଏସସିର ବିକାଶ ଉପରେ ଜୋର ଦିଆ ଯାଇ ପାରିବ, ଯାହାକି ଅନେକ ପରିମାଣରେ ଜରୁରୀ ।
***