ପିଏମଇଣ୍ଡିଆ
ପ୍ରିୟ ବନ୍ଧୁ,
ମୁଁ ଆପଣମାନଙ୍କୁ ରୁଷ ଓ ଭାରତ ମିଳିତ ଉଦ୍ୟମରେ ଉତ୍ପାଦିତ ହେବାକୁ ଥିବା କାଲାସନିକୋଭ ଆସଲ୍ଟ ରାଇଫଲ ଶୁଭାରମ୍ଭ କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛି ।
ସେନା ଓ ପ୍ରଯୁକ୍ତି ସହଯୋଗ ହିଁ ପରମ୍ପରାଗତ ଭାବରେ ଭାରତ ଓ ରୁଷ ମଧ୍ୟରେ ସ୍ୱତନ୍ତ୍ର ତଥା ବିଶେଷାଧିକାରପ୍ରାପ୍ତ ସାମରିକ ଭାଗୀଦାରୀର ପ୍ରମୁଖ ଅଙ୍ଗ ପାଲଟିଛି । 7 ଦଶନ୍ଧିରୁ ଅଧିକ ଧରି ଆମେ ବିଶ୍ୱସନୀୟ ଓ ଉନ୍ନତ ମାନର ଅସ୍ତ୍ରଶସ୍ତ୍ର ଭାରତୀୟ ବନ୍ଧୁମାନଙ୍କୁ ଯୋଗାଇ ଦେଉଛୁ । ପ୍ରାୟ 170ଟି ସେନା ଓ ଶିଳ୍ପ କାରଖାନା ଭାରତରେ ଆମ ଦେଶ ସହାୟତାରେ ଗଢ଼ି ଉଠିଛି ।
ଏହି ନୂଆ ଉଦ୍ୟମ ଫଳରେ ବିଶ୍ୱପ୍ରସିଦ୍ଧ କାଲାସନିକୋଭ ଆସଲ୍ଟ ରାଇଫଲର ନୂଆ 200 ସିରିଜ ଉତ୍ପାଦନ ହେବ ଓ ଧୀରେ ଧୀରେ ଏହା ସଂପୂର୍ଣ୍ଣ ଭାବରେ ଭାରତରେ ହିଁ ପ୍ରସ୍ତୁତ ହେବ । ଭାରତୀୟ ପ୍ରତିରକ୍ଷା – ଶିଳ୍ପ ସମୂହ ରୁଷୀୟ ପ୍ରଯୁକ୍ତି ସହାୟତାରେ ଜାତୀୟ ସୁରକ୍ଷା ସଂସ୍ଥାଗୁଡ଼ିକର ଆବଶ୍ୟକତା ପୂରଣ କରିବା ପାଇଁ ଛୋଟ ଛୋଟ ଅସ୍ତ୍ରଶସ୍ତ୍ର ପ୍ରସ୍ତୁତ କରିବାର ସୁଯୋଗ ପାଇବେ ।
ମୁଁ ଏଠାରେ ମନେ ପକାଇ ଦେବାକୁ ଚାହେଁ ଗତ ଅକ୍ଟୋବରରେ ଭାରତକୁ ସରକାରୀ ଗସ୍ତରେ ଆସିଥିବା ବେଳେ ମୋ ପ୍ରତିପକ୍ଷ ଓ ବନ୍ଧୁ ଶ୍ରୀ ମୋଦୀ ଏବଂ ମୁଁ ଏହି ଦେଶରେ କାଲାସନିକୋଭ ଉତ୍ପାଦନ ପାଇଁ ଏକମତ ହୋଇଥିଲୁ। ଏହାପରେ ଆନ୍ତଃସରକାରୀ ରାଜିନାମା ପ୍ରସ୍ତୁତ ଓ ଦସ୍ତଖତ ଖୁବ କମ ସମୟ ମଧ୍ୟରେ ହୋଇଥିଲା। ତେଣୁ ମୁଁ ରୁଷୀୟ ଓ ଭାରତୀୟ ବିଶେଷଜ୍ଞଙ୍କୁ ଏତେଶୀଘ୍ର ଏହି କାମ କରି ପାରିଥିବାରୁ କୃତଜ୍ଞତା ଜଣାଉଛି ।
ମୁଁ ନିଶ୍ଚିତ ଯେ ଏହି ନୂଆ ଉଦ୍ୟୋଗ ଭାରତର ପ୍ରତିରକ୍ଷା ବ୍ୟବସ୍ଥାକୁ ମଜଭୂତ କରିବ । ବୈଜ୍ଞାନିକ ଓ ଶିଳ୍ପକୁ ବିକଶିତ କରି ଜାତୀୟ ଅର୍ଥନୀତିକୁ ପ୍ରଭାବିତ କରିବ । ଏହା କୁଶଳୀ ଶ୍ରମଜୀବୀଙ୍କୁ ନୂତନ ନିଯୁକ୍ତି ସୁଯୋଗ ପ୍ରଦାନ କରି ଓ ପେସାଦାର ଶିକ୍ଷା ସାଙ୍ଗକୁ କର୍ମଚାରୀ ତାଲିମକୁ ପ୍ରେରଣା ଯୋଗାଇବ । ଏହି କାରଖାନା ଦୁଇ ଦେଶ ମଧ୍ୟରେ ଥିବା ବନ୍ଧୁତା ଓ ଗଠନମୂଳକ ସହଯୋଗର ଆଉ ଏକ ପ୍ରତୀକ ପାଲଟିବ ।
ମୁଁ ଆପଣମାନଙ୍କ ସଫଳତା କାମନା କରୁଛି ।
*********