ପିଏମଇଣ୍ଡିଆ
ରେଳ କ୍ଷେତ୍ରରେ ବୈଜ୍ଞାନିକ ଓ ବୈଷୟିକ ସହଯୋଗକୁ ସୁଦୃଢ଼ କରିବା ତଥା ପ୍ରୋତ୍ସାହନ ଦେବା ଲାଗି ଗବେଷଣା ଡିଜାଇନ ଏବଂ ମାନକ ସଂଗଠନ (ଆରଡିଏସଓ), ଭାରତ ଏବଂ କୋରିଆ ରେଳ ରୋଡ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ (କେଆରଆଇ) ମଧ୍ୟରେ ସହଯୋଗ ଲାଗି ବୁଝାମଣାପତ୍ର ବିଷୟରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟଙ୍କୁ ଅବଗତ କରାଯାଇଛି । ଏହି ଏମଓୟୁ 10 ଜୁଲାଇ, 2018ରେ ସ୍ୱାକ୍ଷରିତ ହୋଇଥିଲା ।
ପ୍ରଭାବ :
ଏହି ଏମଓୟୁ ଭାରତୀୟ ରେଳ ଲାଗି କୋରିଆ ରେଳ ସହିତ ମିଶି ରେଳ କ୍ଷେତ୍ରରେ ନବୀନତମ ଅଗ୍ରଗତି ଏବଂ ଜ୍ଞାନ ଆଦାନପ୍ରଦାନ କରିବା ଏବଂ ଆପୋସ ଆଲୋଚନା ପାଇଁ ଏକ ମଂଚ ଉପଲବ୍ଧ କରାଇବ । ଏହା ଜ୍ଞାନ ଆବଂଟନ କରିବା ଲାଗି ବିଶିଷ୍ଟ ପ୍ରଯୁକ୍ତି କ୍ଷେତ୍ର ଏବଂ ଅନ୍ୟ ଆପୋସ ଆଲୋଚନା ଉପରେ ଧ୍ୟାନ କେନ୍ଦ୍ରିତ କରି ବୈଷୟିକ ବିଶେଷଜ୍ଞ, ରିପୋର୍ଟ ଏବଂ ବୈଷୟିକ ତଥ୍ୟ/ଦସ୍ତାବିଜ ବିନିମୟ, ପ୍ରଶିକ୍ଷଣ ଏବଂ କର୍ମଶାଳାର ଆଦାନପ୍ରଦାନକୁ ସୁଗମ କରିବ ।
ବିବରଣୀ :
ଏହି ଏମଓୟୁ ଅନ୍ତର୍ଗତ ନିମ୍ନଲିଖିତ ପ୍ରମୁଖ କ୍ଷେତ୍ରରେ ଧ୍ୟାନ କେନ୍ଦ୍ରିତ ଦୃଷ୍ଟିକୋଣ ସହିତ ସହଯୋଗର ଏକ ଢାଂଚା ଉପଲବ୍ଧ କରାଇବ :-
1. ଆପୋସ ସ୍ୱାର୍ଥ ଲାଗି ମିଳିତ ଗବେଷଣାର ଯୋଜନା ନିର୍ମାଣ ଏବଂ ସମ୍ପାଦନ;
2. ଭାରତରେ ନବୀନତମ ରେଳ ଗବେଷଣା ଏବଂ ବିକାଶ ସୁବିଧା ପ୍ରତିଷ୍ଠାରେ ସହଯୋଗ;
3. ବୈଷୟିକ ସେମିନାର କିମ୍ବା ଫୋରମ ଯୋଜନାର ନିର୍ମାଣ ଏବଂ ସମ୍ପାଦନ;
4. କେଆରଆରଇ ଦ୍ୱାରା ଆରଡିଏସଓ କର୍ମଚାରୀଙ୍କ ଲାଗି ସ୍ୱଳ୍ପକାଳୀନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ;
5. ବିଶିଷ୍ଟ ପ୍ରକଳ୍ପ ଲାଗି ସୀମିତ ଅବଧି ନିମନ୍ତେ କେଆରଆରଆଇ ଏବଂ ଆରଡିଏସଓ ମଧ୍ୟରେ କର୍ମଚାରୀ ବିନିମୟ କାର୍ଯ୍ୟକ୍ରମ;
6. ଉଭୟ ଦେଶର ରେଳ ଉଦ୍ୟୋଗର ବିକାଶ ଲାଗି ପରାମର୍ଶ ଏବଂ
7. ସହଯୋଗ କାର୍ଯ୍ୟକଳାପର କୌଣସି ଅନ୍ୟ ସ୍ୱରୂପ ଯାହା ଉପରେ ଉଭୟ ପକ୍ଷର ସହମତି ରହିଥିବ ।
**********