Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଲୁଧିଆନାରେ MSME ଜାତୀୟ ପୁରସ୍କାର ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ

ଲୁଧିଆନାରେ MSME ଜାତୀୟ ପୁରସ୍କାର ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ


ଦେଶର କୋଣ ଅନୁକୋଣରୁ ଆସିଥିବା ସୂକ୍ଷ୍ମ ଓ ଲଘୁ ଉଦ୍ୟୋଗ ସହିତ ଜଡିତ ମୋର ଭାଇ ଓ ଭଉଣୀମାନେ ।

ସାଧାରଣ ଭାବେ କୁହାଯାଉଥିଲା ଯେ, ଦିଲ୍ଲୀ ଦୂରରେ ଥିବା ସ୍ଥାନ, ଦିଲ୍ଲୀ ବହୁତ ଦୂରରେ ଏବଂ ଏଭଳି ମଧ୍ୟ ହେଉଥିଲା । ଏତେ ବଡ଼ ବିଶାଳ ଦେଶ, କିନ୍ତୁ ସବୁ ଛୋଟ ବଡ କାମ ଦିଲ୍ଲୀରେ ହେଉଥିଲା । ଆମେ ସେହି ପରମ୍ପରାକୁ ବଦଳାଇ ଦେଲୁ, ଏବଂ ଆମର ଉଦ୍ୟମ ଏହା ଯେ ଦିଲ୍ଲୀକୁ ବାଦ ଦେଇ, ଦିଲ୍ଳୀର ବାହାରେ ମଧ୍ୟ ବହୁତ ବଡ଼ ହିନ୍ଦୁସ୍ତାନ ଅଛି । ଏହା ଆମକୁ ସ୍ଵୀକାର କରିବାକୁ ପଡିବ । ଏଥିପାଇଁ ଏବେ ଦିଲ୍ଳୀ ଦୂର ସ୍ଥାନ ନୁହେଁ, ଦିଲ୍ଲୀ ନିକଟ ସ୍ଥାନ, ଦିଲ୍ଳୀ ପାଖରେ ଅଛି । ଏହା ଅନୁଭବ ହେଉଛି । ବିଗତ ଦିନରେ ଭାରତ ସରକାର ଯେତେ ସବୁ ନୂଆ ନୂଆ ଯୋଜନା କରିଛନ୍ତି ସବୁ ଯୋଜନାଗୁଡିକ ହିନ୍ଦୁସ୍ତାନର ଅଲଗା ଅଲଗା କେନ୍ଦ୍ରରୁ କରାଯାଇଛି । କେବେ କଲିକତାରୁ ତ, କେବେ ରାଞ୍ଚିରୁ, ପୁଣି କେବେ ରାୟପୁରରୁ, ତ କେବେ ଭୁବନେଶ୍ଵର, କେବେ ଚେନ୍ନାଇ, ପୁଣି କେବେ ସୋନିପତ-ହରିୟାଣାରୁ । ପ୍ରତ୍ୟେକ ରାଜ୍ୟର ଏକ ନିଜସ୍ଵ ମହତ୍ଵ ରହିଛି, ନିଜର ଏକ ଶକ୍ତି ଅଛି ଏବଂ ଆଜି ମୋ ପାଇଁ ଖୁସିର କଥା ଯେ, ଲୁଧିଆନାରେ ଏକ ଲଘୁ ଉଦ୍ୟୋଗ କ୍ଷେତ୍ର, ଏକ ଛୋଟ ଭାରତ ମୋ ସାମ୍ନାରେ ଅଛି । ହିନ୍ଦୁସ୍ତାନର ପ୍ରତ୍ୟେକ କୋଣରୁ ଏହି କ୍ଷେତ୍ରରେ କାମ କରୁଥିବା ଲୋକ ଏଠାରେ ଉପସ୍ଥିତ ହୋଇଛନ୍ତି ଏବଂ ମୋର ସୌଭାଗ୍ୟ ଯେ, ଏହି କ୍ଷେତ୍ରକୁ ଯୋଗଦାନ ପାଇଁ ଉଦ୍ୟୋଗୀମାନଙ୍କୁ ସମ୍ମାନିତ କରିବା ନିମନ୍ତେ ମୋତେ ସୁଯୋଗ ମିଳିଛି । ତେବେ ଆଜି ଯେଉଁମାନେ ସମ୍ମାନିତ ହେବେ ସେମାନଙ୍କ ସଂଖ୍ୟା ପାଖାପାଖି 250 ହେବ, କିଛି ବର୍ଷ ହେବ ପୂର୍ବ ସରକାର ମୋ ପାଇଁ ଅନେକ କାର୍ଯ୍ୟ ବାକି ରଖିଛନ୍ତି । ମୋ ପାଇଁ ବହୁତ ଖୁସିର କଥା ହୋଇଥାନ୍ତା, ଯଦି ସେହି 125 ବା ଦୁଇ ଶହ, 250 ବିଜେତାଙ୍କୁ ମୁଁ ସ୍ଵୟଂ ଭେଟିଥାନ୍ତି, ସେମାନଙ୍କୁ ସମ୍ମାନିତ କରିଥାନ୍ତି, ସେମାନଙ୍କୁ ସାକ୍ଷତ କଲା ମାତ୍ରେ ତାଙ୍କ ଠାରୁ ମୋତେ କିଛି ଶକ୍ତିର ଲାଭ ମିଳିଥାନ୍ତା, ଯାହା ଦେଶ ପାଇଁ କାମରେ ଲାଗିଥାନ୍ତା । କିନ୍ତୁ ସମୟର ସୀମା ଅଛି । ଯଦି 250 ଲୋକଙ୍କୁ ଦିଆଯିବା ଆରମ୍ଭ ହୋଇଥାନ୍ତା ତେବେ ଅଧା ଲୋକ ରହିଥାନ୍ତେ । ଆୟୋଜକମାନେ କହିଛନ୍ତି ଯେ, ଯଦି ସମ୍ଭବ ହୁଏ ତେବେ ପ୍ରତ୍ୟେକ ରାଜ୍ୟରୁ ଜଣଙ୍କୁ ପ୍ରତିନିଧି ଭାବେ ମୋ ଦ୍ଵାରା ସମ୍ମାନିତ କରାଯିବ, ପରେ ମନ୍ତ୍ରୀପରିଷଦ ଦ୍ଵାରା ସମସ୍ତଙ୍କୁ ସମ୍ମାନିତ କରାଯିବ । କିନ୍ତୁ ମୋ ତରଫରୁ ଆପଣ ସମସ୍ତଙ୍କୁ ନିଜର ସଫଳ ଯାତ୍ରା ପାଇଁ, ଆପଣ ଲକ୍ଷ୍ୟ ସ୍ଥଳରେ ପହଞ୍ଚି ଭବିଷ୍ୟତ ସ୍ଵପ୍ନକୁ ସାକାର କରିବା ପାଇଁ ଅନେକ ଅନେକ ଶୁଭ କାମନା । ଖାଲି ଶୁଭ କାମନା ନୁହେଁ, ଭାରତର ଆର୍ଥିକ ଜୀବନରେ ପରିବର୍ତ୍ତନ ଆଣିଥିବାରୁ, ବିକେନ୍ଦ୍ରୀକରଣ ଅର୍ଥ ବ୍ୟବସ୍ଥାକୁ ମଜବୁତ କରିବା, ସୁକ୍ଷ୍ମ ଏବଂ ଲଘୁ ଉଦ୍ୟୋଗକୁ ଶକ୍ତି ପ୍ରଦାନ କରିବା, ବିଶ୍ଵ ବଜାରକୁ ଲକ୍ଷ୍ୟରେ ରଖି ଆଗେଇବା, ଏହି ଅଭିନବ ଚିନ୍ତାଧାରା ପାଇଁ ଭାରତ ସରକାର ସଂପୂର୍ଣ୍ଣ ଭାବେ ଆପଣମାନଙ୍କ ସହିତ ରହିଛନ୍ତି, କାନ୍ଧକୁ କାନ୍ଧ ମିଶାଇ ଆପଣଙ୍କ ସାଥିରେ ଚାଲିବା ପାଇଁ ପ୍ରସ୍ତୁତ ଅଛନ୍ତି ।

ମତେ ବିଶ୍ଵାସ ହେଉଛି ଯେ, ଯେଉଁଭଳି ଭାବରେ ଆଜି ବିଶ୍ଵରେ ଦ୍ରୁତ ଗତିରେ ଆଗକୁ ବଢି ଚାଲିଥିବା ଅର୍ଥ ବ୍ୟବସ୍ଥା ରହିଛି, ଆଜି ବୃହତ ଅର୍ଥବ୍ୟବସ୍ଥା ଯାହାକୁ କୁହାଯାଉଛି ତା ମଧ୍ୟରୁ ହିନ୍ଦୁସ୍ତାନ ହେଉଛି ସବୁଠାରୁ ଦ୍ରୁତଗତିରେ ଆଗକୁ ବଢୁଥିବା ଅର୍ଥ ବ୍ୟବସ୍ଥା, ଦୁଇବର୍ଷ ମରୁଡି ହେବା ସତ୍ତ୍ୱେ ଆମ କୃଷକ ଚିନ୍ତାରେ ଥିଲେ । କୃଷି ଉପାଦନ ମଧ୍ୟ ଜବରଦସ୍ତ ହ୍ରାସ ପାଇଥିଲା, ତାହା ସତ୍ତ୍ୱେ ମଧ୍ୟ ବିନିର୍ମାଣ କ୍ଷେତ୍ର, ବିଶେଷକରି ସୁକ୍ଷ୍ମ ଓ ଲଘୁ ଉଦ୍ୟୋଗ ବହୁତ କମାଲ କରି ଦେଖାଇଲା ଏବଂ ଭାରତର ବିକାଶ ଦରକୁ ନା ନିମ୍ନଗାମୀ କରାଇଲା, ଖାଲି ଏତିକି ନୁହେଁ ତାକୁ ଆଗକୁ ବଢାଇବାରେ ମଧ୍ୟ ଯୋଗଦାନ ଦେଲା ଏବଂ ତା’ର ପରିଣାମ ଏହା ହେଲା ଯେ, ବିଶ୍ଵ ବ୍ୟାଙ୍କ ହେଉ ଅବା (ଆଇଏମ୍ଏଫ)ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି, ଅବା କ୍ରେଡିଟ୍ ରେଟିଂ ସଂସ୍ଥା ଏକ ସ୍ଵରରେ ସାରା ଦୁନିଆ କହିଚାଲିଛି କି ହିନ୍ଦୁସ୍ତାନର ଅର୍ଥିକ ଗିତବିଧି, ଯେତେବେଳେ ସାରା ବିଶ୍ଵ 2008 ଅବସ୍ଥାକୁ ଆସି ଯାଇଛି, ମାନ୍ଦାବସ୍ଥା ରହିଛି, ଏକମାତ୍ର ହିନ୍ଦୁସ୍ତାନ ହେଉଛି ଯାହା ଦୁନିଆର ଅର୍ଥବ୍ୟବସ୍ଥାକୁ ଶକ୍ତି ଦେଉଛି ଓ ତା’ପଛରେ ବିନିର୍ମାଣ କ୍ଷେତ୍ର ଓ ସେବା କ୍ଷେତ୍ରର ମଧ୍ୟ ବହୁତ ବଡ ଯୋଗଦାନ ରହିଛି ।

ଆଜି ମତେ ଏଠି ଆଉ ତିନି ପ୍ରକାର ଅବସର ମିଳିଛି । ସର୍ବ ପ୍ରଥମେ ପଞ୍ଜାବର ବିଭିନ୍ନ ଗାଁର ମାଆ-ଭଉଣୀମାନେ, ପ୍ରତୀକ ସ୍ଵରୁପ 500 ମାଆ-ଭଉଣୀମାନଙ୍କୁ ଚରଖା ଦେବାର ଅବସର ମିଳିଛି, ଏବଂ ଏବେ କିଛି ଦିନ ହେବ ଖଦୀ ଉପରେ ଆମେ ଗୁରୁତ୍ଵ ଦେଇଛୁ, ସୂତାକାମର ମୂଲ୍ୟ ବଢାଉଛୁ, ଏହି ସବୁର ପରିଣାମ ଏହା ଯେ, ଯେଉଁ ପରିବାରେ ଗୋଟିଏ ଚରଖା ଅଛି, ପ୍ରାୟ ସେହି ମାଆ-ଭଉଣୀମାନେ, ମୁଁ ସେହି ସବୁ ମାଆ-ଭଉଣୀମାନଙ୍କ ସହ କଥା ହେଉଥିଲି, ହାରାହାରି ଦିନକୁ 150 ଟଙ୍କାରୁ ଅଧିକ ରୋଜଗାର କରିପାରୁଛନ୍ତି । ଏହିଭଳି ଘରୋଇ ଉଦ୍ୟୋଗ ମାଧ୍ୟମରେ, ଖଦୀ ମାଧ୍ୟମରେ, ଏକ ସ୍ଵାବଲମ୍ବୀ ଜୀବନ ଜୀଇଁବା ପାଇଁ, ସ୍ଵରୋଜଗାରକୁ ବଢାଇବା ପାଇଁ, ଏବଂ ମହାତ୍ମା ଗାନ୍ଧୀଙ୍କର ଯେଉଁ ସ୍ଵପ୍ନ ଥିଲା, ଅର୍ଥ ବ୍ୟବସ୍ଥାର ଏହି ମୂଳଦୁଆକୁ ମଜବୁତ୍ କରିବା ପାଇଁ, ସେଥିରେ ମଧ୍ୟ ଯୋଗଦାନ ଦେବା ଦିଗରେ ଆଜି ଏକ ମହତ୍ଵପୂର୍ଣ୍ଣ କାର୍ଯ୍ୟ ଖଦୀ ଦ୍ଵାରା ହୋଇ ପାରିଛି । ମୁଁ ପରେ ସେମାନଙ୍କ ଷ୍ଟଲକୁ ଯାଇଥିଲି । ଆପଣମାନଙ୍କୁ ମଧ୍ୟ ମୋର ଅନୁରୋଧ ଟିକେ ଦେଖନ୍ତୁ । ପ୍ରଥମେ ଆମେ ଯାହା ଭାବୁଥିଲୁ ଆଜି ସେ ସମୟ ବଦଳି ଯାଇଛି, ଆଜି ଖଦୀର ମାନ ଦେଖନ୍ତୁ, ଖଦୀର ପ୍ୟାକେଜିଂ ଦେଖନ୍ତୁ, ଖଦୀ କର୍ପୋରେଟ ଜଗତ ସହ ପ୍ରତିଦ୍ଵନ୍ଦିତା କରୁ, ସେହି ରୂପରେ ନିଜକୁ ନିଜେ ପ୍ରସ୍ତୁତ କରିବା ପାଇଁ ସଫଳ ପ୍ରୟାସ କରିଛି । ଆଉ ଏକ ସଠିକ୍ କଥା ହେଉଛି ଯେ, ଯେତେବେଳେ ସ୍ଵାଧୀନତା ଆନ୍ଦୋଳନ ଚାଲୁଥିଲା ସେତେବେଳେ ଖଦୀର ଏକ ବିଶେଷ ମହତ୍ଵ ଥିଲା । ସେହି ସମୟର ମନ୍ତ୍ର ଥିଲା ‘ଦେଶପାଇଁ ଖଦୀ’ ‘Khadi for Nation’, ଏବେ ଦେଶ ସ୍ଵାଧୀନ ହୋଇଛି । ଆମକୁ ଆର୍ଥିକ କ୍ରାନ୍ତି ଆଡକୁ ଯିବାକୁ ପଡିବ ଏବଂ ଏଥିପାଇଁ ଆଜିର ମନ୍ତ୍ର ହେଉଛି ‘ଫେସନ୍ ପାଇଁ ଖଦୀ’ ‘Khadi for Fashion’ । ସ୍ଵାଧୀନତା ପୁର୍ବରୁ ‘ଦେଶ ପାଇଁ ଖଦୀ’ ‘Khadi for Nation’। ଏବେ ସ୍ଵାଧୀନତା ପରେ ‘Khadi for Nation’। ଯଦି ଏହାକୁ ଆଗକୁ ବଢିବାକୁ ଦେବା ସେ ମଧ୍ୟ ଗାଁ, ଗରିବ, ସାଧାରଣ ଲୋକଙ୍କ ଆର୍ଥିକ ଜୀବନରେ, ପରିବର୍ତ୍ତନ ଆଣିବାରେ ଏକ ଶକ୍ତି ରଖିଛି ଏବଂ ମୁଁ ଲୋକଙ୍କୁ ସବୁବେଳେ କହୁଛି କି, ଜରୁରୀ ନୁହେଁ ଯେ ଆପଣ ଖଦୀଧାରୀ ହୁଅନ୍ତୁ ବା ଖଦୀ ପୋଷାକ ପିନ୍ଧନ୍ତୁ । ତଳରୁ ଉପର ପର୍ଯ୍ୟନ୍ତ ସବୁ ଜିନିଷ ଖଦୀର ହେଉ,ଏହା ମୋର ଅନୁରୋଧ ନୁହେଁ । କିନ୍ତୁ ଆପଣଙ୍କ ଘରେ 50 ପ୍ରକାରର କପଡା ଥିବା ବେଳେ ସେଥିରୁ କିଛି ଖଦୀ କପଡାର ଜିନିଷ ହେବା ଦରକାର । ଯଦି ହିନ୍ଦୁସ୍ତାନର ପ୍ରତ୍ୟେକ ପରିବାରରେ କିଛି ନା କିଛି ଖଦୀ କପଡା ରହିବ, ଏବଂ ଦୀପାବଳୀ ସମୟରେ ଆମେ କିଛି ନା କିଛି ଖଦୀ କପଡା କିଣିବା ତାହେଲେ ସବୁ ଗରିବଙ୍କ ଘରେ ଦୀପାବଳୀର ଦୀପ ଜଳିବ । ଏହା ଠାରୁ ବଳି ଜୀବନରେ ଆଉ କ’ଣ ବା ଆତ୍ମ ସନ୍ତୋଷ ହୋଇପାରେ?

ଆଜି ମତେ ସେହି ସବୁ ପରିବାରର ମାଆ-ଭଉଣୀଙ୍କର ଆଶୀର୍ବାଦ ପାଇବାର ସୁଯୋଗ ମିଳିଛି । ଆଜି ଆଉ ଏକ ମହତ୍ଵପୂର୍ଣ୍ଣ କାର୍ଯ୍ୟ ଏହି ପଞ୍ଜାବ ମାଟିରୁ ହେଉଛି । ଆଉ ଯେବେ ମୁଁ ପଞ୍ଜାବର ମାଟିରୁ କହୁଛି ତାହାର ନିଜର ଏକ ଗୁରୁତ୍ଵ ମଧ୍ୟ ଅଛି । ଏହି ସମୟରେ ଯେବେ ଆମେ ଗୁରୁ ଗୋବିନ୍ଦ ସିଂହଜୀଙ୍କ 350 ତମ ଜୟନ୍ତୀ ପାଳନ କରୁଛେ, ଏବଂ ଯେତେବେଳେ ମୁଁ ପଞ୍ଜାବର ମାଟିକୁ ଆସିଛି ଗୁରୁ ଗୋବିନ୍ଦ ସିଂହଙ୍କୁ ପୁଣ୍ୟ ସ୍ମରଣ କରି ସେ ଯେଉଁ କଥା କହିଥିଲେ ତାକୁ ଉଲ୍ଳେଖ କରିବାକୁ ଚାହୁଁଛି । ଗୁରୁ ଗୋବିନ୍ଦ ସିଂହଜୀ କହିଥିଲେ ‘ମାନସ କୀ ଜାତ ସବଇ, ଏକ ପହଚାନ ହୈ’ ମନୁଷ୍ୟଙ୍କର ଗୋଟିଏ ଜାତି ଅଛି, ସେଥିରେ ନାଁ ଉଚ୍ଚ ଅଛି ନାଁ ନିଚ୍ଚ ଅଛି, ନାଁ ସ୍ପୃଶ୍ୟ ଅଛି ନାଁ ଅସ୍ପୃଶ୍ୟ ଅଛି । ଗୁରୁ ଗୋବିନ୍ଦ ସିଂହଜୀ ସେହି କାଳଚକ୍ରରେ ଜାତି-ଅଜାତି, ଛୁଆଁ-ଅଛୁଆଁ ଆଦି ବିରୁଦ୍ଧରେ ସ୍ଵର ଉତ୍ତୋଳନ କରିଥିଲେ । କିନ୍ତୁ ଆମେ ଜାଣିଛୁ ଯେ, ଆମ ସମାଜରେ ଆଜି ମଧ୍ୟ କୁ-ପ୍ରଥା, ଆମ ଦଳିତ ଭାଇମାନଙ୍କ ସହିତ ବେଳେ ବେଳେ ଏମିତି ଘଟଣା ଘଟୁଥିବା ଶୁଣିବାକୁ ମିଳୁଛି, ଲାଜରେ ମୁଣ୍ଡ ନଇଁ ଯାଉଛି । ସ୍ଵାଧୀନତାର 70 ବର୍ଷ ପରେ ମଧ୍ୟ ଏବେ ଆମେ ଆଉ ଅପେକ୍ଷା କରିବା ନାହିଁ । ଆମ ଗତିପଥକୁ ଆମକୁ ଆହୁରି ଦ୍ରୁତ କରିବାକୁ ପଡିବ, ଆମ କାର୍ଯ୍ୟର ବ୍ୟାପ୍ତିକୁ ବଦଳେଇବାକୁ ପଡିବ, ବିସ୍ତୃତ କରିବାକୁ ପଡିବ । ଆଦିବାସୀ ହୁଅନ୍ତୁ, ଦଳିତ ହୁଅନ୍ତୁ, ଯେତିକି ଉଚ୍ଚ ଅଭିଳାଷ ହିନ୍ଦୁସ୍ତାନର ଅନ୍ୟ ଯୁବକଙ୍କ ମଧ୍ୟରେ ଅଛି, ତା’ଠାରୁ ଅଧିକ ଉଚ୍ଚ ଅଭିଳାଷ ଆଜି ମୋର ଦଳିତ ଭାଇ-ଭଉଣୀ ଓ ମୋର ଆଦିବାସୀ ଭାଇ-ଭଉଣୀଙ୍କ ମଧ୍ୟରେ ରହିଛି । ଯଦି ସେମାନଙ୍କୁ ସୁଯୋଗ ମିଳେ ତେବେ ଭାରତର ଭାଗ୍ୟ ବଦଳାଇବାରେ ସେମାନେ ମଧ୍ୟ ଆମଠାରୁ ପଛରେ ରହିବାବାଲା ନୁହନ୍ତି । ସେମାନେ ମଧ୍ୟ ଆହୁରି ଅଧିକ ଯୋଗଦାନ କରି ପାରିବେ ।

ଆମ ଦେଶରେ, ଆମ ମିଲିନ୍ଦଜୀ ଦଳିତ ସମାଜର, ସେମାନେ ହେଉଛନ୍ତି ସ୍ଵୟଂ ଉଦ୍ୟୋଗୀ । ସେମାନେ ସାରା ଦେଶରେ ଏକ ସଂଗଠନ ତିଆରି କରିଛନ୍ତି । ଦଳିତ ସମାଜର ଉଦ୍ୟୋଗୀମାନଙ୍କର ଦଳିତ ଶିଳ୍ପ ବଣିକ ସଂଘ Dalit Chamber of Commerce ସେହିମାନେ ଆରମ୍ଭ କରିଥିଲେ । ମତେ ଥରେ ତାଙ୍କ ସମାରୋହକୁ ଯିବାର ସୁଯୋଗ ମିଳିଥିଲା । ହିନ୍ଦୁସ୍ତାନର ସର୍ବଶ୍ରେଷ୍ଠ ଉଦ୍ୟୋଗପତି ଯିଏ 500 କୋଟି ଟଙ୍କାରୁ ଅଧିକ କାରବାର କରୁଛନ୍ତି, 1000 ରୁ ଅଧିକ ବଡ ସଂଖ୍ୟାରେ, ତାଙ୍କ କାର୍ଯ୍ୟକ୍ରମକୁ ଯିବାକୁ ମୋତେ ସୁଯୋଗ ମିଳିଛି । ସେଠାରେ ମୁଁ କିଛି ମାଆ-ଭଉଣୀଙ୍କୁ ଭେଟିଥିଲି, ଯିଏ ଦଳିତ ପରିବାରର ଥିଲେ, ଉଦ୍ୟୋଗୀ ଥିଲେ । ସେମାନେ କହିଲେ ଯେ, ତାଙ୍କ ମହିଳାମାନଙ୍କର ସଂଗଠନରେ ମଧ୍ୟ 300 ରୁ ଅଧିକ ଦଳିତ ଉଦ୍ୟୋଗୀ ମହିଳାମାନେ ଏକ ସଂଗଠନ ପ୍ରତିଷ୍ଠା କରିଛନ୍ତି ଏବଂ ସେମାନେ 100 କୋଟି ଟଙ୍କାରୁ ଅଧିକ କାରବାର କରୁଛନ୍ତି । ଯେତେବେଳେ ମୁଁ ସେମାନଙ୍କୁ ଭେଟିଲି, ସେତେବେଳ ଠାରୁ ମୋ ମନରେ ଆସିଥିଲା କି ସେମାନଙ୍କୁ ଅଧିକ ବଳ ଦେବା ଦରକାର ଏବଂ ଯେଉଁ ଅନୁସୂଚିତ ଜାତି ଓ ଜନଜାତି, ତାଙ୍କ ମଧ୍ୟରୁ ଯେଉଁ ଉଦ୍ୟୋଗୀ ଅଛନ୍ତି ତାଙ୍କୁ ଅଧିକ ସହାୟତା ଦେବା ଦରକାର । ସେଥିପାଇଁ ଆଜି ଏଠି, ଯାହା ପୂର୍ବ ବଜେଟରେ ଘୋଷଣା କରାଯାଇଥିଲା ସେହି ଅନୁସୂଚିତ ଜାତି ଓ ଜନଜାତିର ଉଦ୍ୟୋଗୀ ମାନଙ୍କ ପାଇଁ ହବ୍ ନିର୍ମାଣର, ଆଜି ଲୁଧିଆନା ମାଟିରୁ ପୁରା ଦେଶ ପାଇଁ ମୁଁ ଏହି ଯୋଜନାର ଶୁଭାରମ୍ଭ କରୁଛି । ଏଥିରୁ ମୋର ଯେଉଁ ଦଳିତ ଭାଇ-ଭଉଣୀ ଅଛନ୍ତି, ମୋର ଯେଉଁ ଆଦିବାସୀ ଭାଇ-ଭଉଣୀ ଅଛନ୍ତି, ଯେଉଁମାନେ ଚାକିର ପାଇଁ ଧାଡିରେ ଠିଆ ହୋଇ ରହିବାକୁ ଚାହୁଁ ନାହାନ୍ତି । ସେମାନେ ଏମିତି ଜୀବନ ତିଆରି କରିବାକୁ ଚାହୁଁଛନ୍ତି, ନିଜେ ମଧ୍ୟ କାହାକୁ ଚାକିର ଦେବା ପାଇଁ ଶକ୍ତି ବା ସୁଯୋଗ ସୃଷ୍ଟି କରୁଛନ୍ତି । ଏହା ଯାହାର ଚିନ୍ତାଧାରା, ସ୍ଵପ୍ନ ତାଙ୍କ ପାଇଁ ମୁଁ କିଛି କାମ କରିବାକୁ ଚାହୁଁଛି ।

ବ୍ୟାଙ୍କକୁ କହିଛି ‘ଷ୍ଟାର୍ଟ-ଅପ୍ ଇଣ୍ଡିଆ, ଷ୍ଟାଣ୍ଡ-ଅପ୍ ଇଣ୍ଡିଆ’, ଏହି କାର୍ଯ୍ୟକ୍ରମ ଜରିଆରେ, ହିନ୍ଦୁସ୍ତାନରେ ଜାତୀୟକରଣ ବ୍ୟାଙ୍କର 25 ଲକ୍ଷ ବ୍ୟାଙ୍କ ଶାଖା ଅଛି । ମୁଁ ଅନ୍ୟ କେଉଁ ବ୍ୟାଙ୍କ କଥା କହୁ ନାହିଁ, ସମବାୟ କଥା ଅଲଗା । ପ୍ରତି ବ୍ୟାଙ୍କର ଶାଖା ଜଣେ ମହିଳାଙ୍କୁ, ଜଣେ ଅନୁସୂଚିତ ଜାତି, ଜଣେ ଅନୁସୂଚିତ ଜନଜାତି ମହିଳାଙ୍କୁ ଏକ କୋଟି ଟଙ୍କା ପର୍ଯ୍ୟନ୍ତ ବ୍ୟାଙ୍କରୁ ଧନ ରାଶି ଦିଅନ୍ତୁ ଏବଂ ତାଙ୍କୁ ଉଦ୍ୟୋଗୀ ହେବା ପାଇଁ ସହାୟତା କରନ୍ତୁ । ଦେଖୁ ଦେଖୁ 25 ଲକ୍ଷ ଶାଖା 375 ଲକ୍ଷ ଏମିତି ନୂଆ ଉଦ୍ୟୋଗୀ ଜନ୍ମ ଦେଇ ପାରିବେ । କେତେବଡ କ୍ରାନ୍ତିକାରୀ ପଦକ୍ଷେପ ନିଆଯାଇ ପାରିବ । ଆମ ଦଳିତ ଭାଇ-ଭଉଣୀ ଯେଉଁ ଉତ୍ପାଦନ କରିବେ, ଭାରତ ସରକାର ଯେଉଁ ଜିନିଷ କିଣୁଛନ୍ତି, ଆମେ ମଧ୍ୟ ରାଜ୍ୟ ସରକାରଙ୍କୁ କହିଛୁ, ଆମର ଯେଉଁ ଦଳିତ ଓ ଆଦିବାସୀ ଉଦ୍ୟୋଗୀ ଅଛନ୍ତି, ସେମାନେ ଯାହା ଉତ୍ପାଦନ କରିବେ, ସେଠାରେ ସେମାନଙ୍କ ଠାରୁ ଚାରି ପ୍ରତିଶତ ନିଆଯିବ, ଫଳରେ ତାଙ୍କୁ ଏକ ସ୍ଵାଭାବିକ ବଜାର ମିଳିବ ଏବଂ ତାଙ୍କର ମନୋବଳ ଦୃଢ ହେବ, ସମାଜରେ ସେହି ବର୍ଗର ଆର୍ଥିକ ଗତିବିଧିକୁ କେନ୍ଦ୍ରକୁ ଆଣିବାକୁ ପଡିବ ଫଳରେ ଦେଶକୁ ଏକ ନୂଆ ଆର୍ଥିକ ଶୀର୍ଷ ସ୍ତରକୁ ନେବା ପାଇଁ ନୂଆ ନୂଆ ଶକ୍ତିର ସ୍ରୋତ ଆମକୁ ମିଳିବାରେ ଲାଗିବ, ସେହି ଦିଗରେ କାମ କରିବାର ଏକ ପ୍ରୟାସ ଏହା ସହିତ ଚାଲିଛି ।

ଆଜି ଏଠି ଆଉ ଏକ ପ୍ରକଳ୍ପ ଜେଡ୍ (ZED)ର ମଧ୍ୟ ଆରମ୍ଭ ହେଉଛି । ZED ‘ଶୂନ୍ୟ ପ୍ରଭାବ, ଶୂନ୍ୟ ଦୋଷ ତୃଟି’ । ଆପଣ ସବୁ ଏହି କଥାକୁ ଭଲଭାବେ ଜାଣିଛନ୍ତି ଯେ, ଏବେ ଜଣେ ସାମାନ୍ୟ ବ୍ୟକ୍ତି ବା କ୍ରେତା କ୍ଵାଲିଟି ସହିତ ସାଲିସ କରିବାକୁ ପ୍ରସ୍ତୁତ ନୁହେଁ । ପ୍ରଥମେ ଆମେ ଭାରତୀୟ ବଜାରକୁ ଦେଖୁଥିଲୁ ଓ ଭାବୁଥିଲୁ କି ଏହିସବୁ ଜିନିଷ ସେହି ସହରୀ ଶିକ୍ଷିତ ଅଞ୍ଚଳରେ ଳେଖା ପଢା ଜାଣିଥିବା ଲୋକଙ୍କ ପାଖରେ ବିକ୍ରି ହୋଇଯିବ,ଏହା ଠିକ୍ ଭାବେ ସମ୍ପୂର୍ଣ୍ଣ ହୋଇପାରି ନାହିଁ । ଏମିତି କରିବା ଏହାକୁ ଦ୍ଵିତୀୟ, ତୃତୀୟ ଶ୍ରେଣୀ ସହରରେ ବିକିବା, ଏବଂ ଏଗୁଡିକ ଯାହା ଅତି ମାମୁଲି ଦିଶୁଛି ତାହା ଗାଁକୁ ଯିବ ତ, ବିକ୍ରି ହୋଇଯିବ । ସାଧାରଣତଃ ଆମ ମାନଙ୍କର ଚିନ୍ତାଧାରା ଭାରତର ବଜାରକୁ ଧ୍ୟାନରେ ରଖିକରି ଏବଂ ଶେଷରେ ଏହା ଏତେ ବଡ଼ ଦେଶ ଯେ, କିଛି ଉତ୍ପାଦ ପଡି ରହିବ ନାହିଁ, ଯେକୌଣସି ପ୍ରକାରର ପୋଷାକ ତିଆରି କର, ଉଚ୍ଚମାନର ହେବ ତ ବଡ ସହରରେ ବିକ୍ରି ହୋଇଯିବ, ଟିକେ ସାଧାରଣ ମାନର ତ ଚାଲ ଗାଁ ବଜାରରେ ରଖିଦେବା ବିକ୍ରି ହେଇଯିବ । ଏବେ ଆଉ ସେ ସମୟ ନାହିଁ । ଚିନ୍ତାଧାରା ବଦଳୁଛି । କିନ୍ତୁ ସବୁଠାରୁ ବଡ କଥା ହେଉଛି କ’ଣ ହିନ୍ଦୁସ୍ତାନର ଲଘୁ ଉଦ୍ୟୋଗୀ, ସୁକ୍ଷ୍ମ ଉଦ୍ୟୋଗୀ କେବଳ ଭାରତୀୟ ବଜାରକୁ ଧ୍ୟାନରେ ରଖି ନିଜର କାରବାର ଚଳାଇବେ । ଯଦି ଦେଶର ଉତ୍ତମ ସେବା କରିବାକୁ ଅଛି ତ କ୍ଵାଲିଟି ନିୟନ୍ତ୍ରଣରେ ବିଶ୍ଵସ୍ତରୀୟ ଗୁଣବତ୍ତାକୁ ଆପଣେଇବାକୁ ପଡିବ ଏବଂ ଦୁନିଆ ବଜାରରେ ନିଜର ସ୍ଥିତି ମଜବୁତ୍ କରିବା ପାଇଁ ଭାରତର ପରିଚୟ ସୃଷ୍ଟି କରିବା ନିମନ୍ତେ ପ୍ରୟାସ କରିବା ।

ଦ୍ଵିତୀୟ ବିଶ୍ଵ ଯୁଦ୍ଧ ପରେ ଜାପାନ ଧ୍ଵସଂ ହୋଇଯାଇଥିଲା । କେହି କଳ୍ପନା କରି ନଥିଲେ ଯେ ଜାପାନ ପୁଣି ମଜବୁତ୍ ହୋଇ ଠିଆ ହେବ । କିନ୍ତୁ ତାଙ୍କର ଛୋଟ ଛୋଟ ଲଘୁ ଉଦ୍ୟୋଗ କ୍ଵାଲିଟି ସହିତ ସାଲିସ ନ କରି ବିନିର୍ମାଣ କ୍ଷେତ୍ରରେ ପଦକ୍ଷେପ ନେଲେ । ଆମ ସମସ୍ତଙ୍କୁ ଜଣା ଅଛି, ଯେ 15-20 ବର୍ଷ ପୂର୍ବେ ଆମେ ଯେତେବେଳେ ବଜାରକୁ କିଛି ଜିନିଷ କିଣିବାକୁ ଯାଉଥିଲୁ, ଏବଂ ସେଥିରେ ଲେଖା ହେଇଥିଲା ମେଡ୍ ଇନ ଜାପାନ ବା ଜାପାନରେ ତିଆରି, ତ ଆମେ କେବେ ପଚାରୁ ନ ଥିଲୁ କେଉଁ କମ୍ପାନୀରେ ତିଆରି ହୋଇଛି, ମୂଲ୍ୟ ପଚାରୁଥିଲୁ, ନେଇ ଚାଲି ଯାଉଥିଲୁ, କାରଣ ଭରସା ଥିଲା କି ଏକ କ୍ଵାଲିଟି(ଭଲମାନର) ଜିନିଷରେ କିଛି ଅସୁବିଧା ହେବ ନାହିଁ । କ’ଣ ହିନ୍ଦୁସ୍ତାନକୁ ଏମିତି ପରିଚୟ ଦୁନିଆର କୌଣସି ବଜାରରେ ମିଳି ପାରିବ ନାହିଁ, ଯେମିତି କି ସେମାନେ ପଢିବେ ମେକ୍ ଇନ୍ ଇଣ୍ଡିଆ ବା ଭାରତରେ ତିଆରି, ଏବଂ ଆଖି ବନ୍ଦ କରି ଭାବିବେ କି ଇଏ ଯୋଗ୍ୟ ତଥା ଉପଯୁକ୍ତ ଜିନଷ ହୋଇଥିବ, ଭଲ ହୋଇଥିବ, ଉତ୍ସର୍ଗୀକୃତ ଭାବରେ ତିଆରି ହୋଇଥିବ ଏବଂ ନେବା ପାଇଁ ପ୍ରସ୍ତୁତ ହେବେ । ଏହି ସ୍ଵପ୍ନକୁ ନେଇ ଆମକୁ ଚାଲିବାକୁ ପଡିବ ଏବଂ ଏହି ସ୍ଵପ୍ନକୁ ସାକାର କରିବା ପାଇଁ ‘ଶୂନ୍ୟ ଦୋଷ ତୃଟି’, ହେଉଛି ତାହାର ପ୍ରଥମ ସର୍ତ୍ତ ଏବଂ ଛୋଟରୁ ଛୋଟ ତୃଟି କେତେ ବଡ କ୍ଷତି କରି ପାରିବ । ଯଦି ଜଣେ ନାବିକକୁ ନୌକା ନେଇ ସାଗରକୁ, ସମୁଦ୍ରକୁ ଯିବାକୁ ପଡିବ ସେ ନିଜ ନୌକାକୁ ବାରମ୍ବାର ଦେଖୁଥିବ। ଛୋଟ କଣା ଟିଏ କେଉଁଠି ନାହିଁ ତ, ସେ ଭଲଭାବେ ଦେଖିବ । କେହି ଯେମିତି ନ କୁହେ ଏତେ ବଡ ନୌକା, କୋଣରେ କେଉଁଠି ଛୋଟିଆ ଛିଦ୍ରଟିଏ ଚିନ୍ତା କର ନାହିଁ, ବାହାରି ଚାଲ । କିନ୍ତୁ ସେ ଯିବ ନାହିଁ, କାରଣ ତାକୁ ଜଣା ଅଛି ଯେ ଗୋଟିଏ ଛୋଟ ଛିଦ୍ର ତାକୁ କେବେ ଫେରି ଆସିବାରେ ସହାଯ୍ୟ କରିବ ନାହିଁ । ଜୀବନ ସେଇଠି ଶେଷ ହୋଇଯିବ । ବିନିର୍ମାଣ କରୁଥିବା ଲୋକଙ୍କ ମୁଣ୍ଡରେ ଏହି ଉଦାହରଣ ରହିବା ଦରକାର କି ଯଦି ‘ଶୂନ୍ୟ ଦୋଷ ତୃଟି’, ରହିବ ତେବେ ଯାଇ ଦୁନିଆ ଭିତରେ ନିଜ ଶକ୍ତି ପହଞ୍ଚି ପାରିବ ସେଥିପାଇଁ ମାନ ନିର୍ଦ୍ଧାରଣ, ଗୁଣବତ୍ତା ନିୟନ୍ତ୍ରଣ ଏବଂ ସେହିଠାରୁ ଭଲ ବ୍ରାଣ୍ଡ ଜନ୍ମ ନେବ ।

ବିଶ୍ଵ ବଜାର ଆମର ପ୍ରତୀକ୍ଷା କରି ରହିଛି । କିଛି ଲୋକଙ୍କୁ ଲାଗୁଛି କି ଭାଇ ଆମେ ତ ଜଣେ ଛୋଟ ବ୍ୟକ୍ତି, ଛୋଟ ମେସିନ ଅଛି, ତିନିଜଣ କାରିଗର ଅଛନ୍ତି, ପାଞ୍ଚଜଣ କାରିଗର ଅଛନ୍ତି, ଦଶଜଣ କାରିଗର ଅଛନ୍ତି, ଆମେ କେମିତି ଦୁନିଆ ଦେଖିବୁ । ଏମିତି ଭାବନ୍ତୁ ନାହିଁ । ଆଜି ଦୁନିଆରେ ମହାକାଶ କ୍ଷେତ୍ରରେ, ଉପଗ୍ରହ ଜଗତରେ, ଦୁନିଆ ଭାରତକୁ ସମୃଦ୍ଧଶାଳୀ ବୋଲି ଭାବୁଛନ୍ତି । ଆମେ ମଙ୍ଗଳ ମିଶନ କଲୁ, ଆମେ ମଙ୍ଗଳଯାନରେ ସଫଳ ହେଲୁ ଏବଂ ଦୁନିଆରେ ଭାରତ ହେଉଛି ପ୍ରଥମ ଦେଶ ଯିଏକି ପ୍ରଥମ ପରୀକ୍ଷାରେ ମଙ୍ଗଳଯାନରେ ସଫଳ ହେଲା । ଆମ ଯୁବ ବର୍ଗର ବୁଦ୍ଧି, ଶକ୍ତି ଦେଖନ୍ତୁ । କେତେ ଖର୍ଚ୍ଚରେ ହେଲା । ଲୁଧିଆନାରେ ଯଦି ଆପଣଙ୍କୁ ଅଟୋ ରିକ୍ସାରେ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ଯିବାକୁ ଅଛି ତ ପ୍ରାୟ ଏକ କିଲୋମିଟର ପାଇଁ 8-10 ଟଙ୍କା ଲାଗୁଛି । ଆମେ ମଙ୍ଗଳଯାନ ତିଆରି କଲୁ । ଏକ କିଲୋମିଟର ପାଇଁ ମାତ୍ର 7 ଟଙ୍କା ଖର୍ଚ୍ଚ ହେଲା । ଖାଲି ଏତିକି ନୁହେଁ, ଆମେରିକାରେ ଯେଉଁ ହଲିଉଡର ଫିଲ୍ମ ତିଆରି ହେଉଛି, ହଳିଉଡ୍ ଫିଲ୍ମରେ ଯେଉଁ ଖର୍ଚ୍ଚ ହେଉଛି ତା’ଠାରୁ ମଧ୍ୟ କମ୍ ଖର୍ଚ୍ଚରେ ଭାରତର ବୌଜ୍ଞାନିକମାନେ, ବିଶେଷଜ୍ଞମାନେ, ବୈଷୟିକବିତମାନେ ମଙ୍ଗଳ ମିଶନର ଖର୍ଚ୍ଚ, କମ୍ ଖର୍ଚ୍ଚରେ ସଂପୂର୍ଣ୍ଣ କଲେ ।

ଏତେ ବଡ ସଫଳତା, ଯଦି ଇତିହାସ ଦେଖିବା ତେବେ ଜାଣିପାରିବା କି ଆଜି ଦୁନିଆରେ, ମହାକାଶରେ ଆମ ନାମ ଅଛି । କେବେ ଏହି ମହାକାଶ ଦୁନିଆର କାରବାର କେଉଁଠି ହେଉଥିଲା, ବେଙ୍ଗାଲୁରୁ କିମ୍ବା ହିନ୍ଦୁସ୍ତାନର ଅଲଗା ଅଲଗା ଜାଗାରେ ଲୋକଙ୍କ ମୋଟର ଗ୍ୟାରେଜର ଯେଉଁ ଖାଲି ସ୍ଥାନ ପଡି ରହିଥିଲା, ସେଠାରେ ଦୁଇ ଚାରି ଜଣ ଲୋକ ମିଶି ଏହି କାମକୁ କରୁଥିଲେ ଏବଂ କେବେ ନିଜର ପ୍ରାରମ୍ଭିକ ଦିନର ଏକ ଫଟୋ ଦେଖିବେ ତ, ଦୁଇଜଣ ଲୋକ ସାଇକେଲରେ ଏହି ଉପଗ୍ରହର ଏକ ଅଂଶ ବାନ୍ଧିକରି, ଟାଣି ନେଇ ଯାଉଥିଲେ କି ଏହା ଆକାଶକୁ ଯିବ । କେହି କଳ୍ପନା କରି କରିପାରିଥିଲା କି ସେହିଦିନ ଯିଏ ଦେଖିଥିଲା ସାଇକେଲ ଉପରେ ସାଟେଲାଇଟ ବା ଉପଗ୍ରହର ଅଂଶ ନେଇଯାଉଥିବା ଦେଶ ଆଜି ଦୁନିଆ ଭିତରେ ନିଜକୁ ଶକ୍ତିଶାଳୀ କରିପାରିଛି । ଲଘୁ ଉଦ୍ୟୋଗୀମାନଙ୍କ ପାଇଁ, ଏହା ସେମାନଙ୍କ ମନରେ ସ୍ଵପ୍ନ ରହିବା ଉଚିତ କି, ଯଦିଓ ଆଜି ଆମ ଉତ୍ପାଦ ଦେଖିବାକୁ ଛୋଟ ହୋଇଛି, ସାଧାରଣ ଲାଗୁଛି, କିନ୍ତୁ ବହୁତ ଉଚ୍ଚରେ ପହଞ୍ଚିବା ପାଇଁ ତା’ ଭିତରେ ଏକ ଅନ୍ତର୍ନିହିତ ଶକ୍ତି ରହିଛି, ଏହାକୁ ଅନୁଭବ କରି ଯଦି ଆମେ କାମ କରି ଚାଲିବା ତେବେ ଆମେ ସେହି ଶୀର୍ଷ ସ୍ଥାନକୁ ଅତିକ୍ରମ କରି ପାରିବା ଏବଂ ସେହି ସ୍ଵପ୍ନକୁ ନେଇ ଚାଲିବା ଉଚିତ ।

ଯୁଗ ବଦଳି ଯାଇଛି । ଯେପରି ମହତ୍ଵ ଉତ୍ପାଦର ରହିଛି, କେବେ କେବେ ଲାଗୁଛି କି, ତା’ଠାରୁ ଅଧିକ ମହତ୍ଵ ପ୍ୟାକେଜିଂର ହୋଇଛି । କେବେ କେବେ ଆମର ଜିନିଷ ବହୁତ ବଢିଆ ହୋଇଥାଏ କିନ୍ତୁ ପ୍ୟାକେଜିଂରେ କୁଣ୍ଠିତ ହେବାରୁ ଆମେ ମରି ଯାଇଥାଉ । ଯେତେବେଳେ ପଣ୍ଡିତ ନେହେରୁଜୀଙ୍କର ସରକାର ଥିଲା ସେତେବେଳେ ଆୟୁର୍ବେଦକୁ ପୁନର୍ଜିବୀତ କରିବା ପାଇଁ ଏକ କମିଶନ ବସାଯାଇଥିଲା ଓ ସେହି ମିଶନର କାମ ଥିଲା କି ଆୟୁର୍ବେଦ ହେଉଛି ଆମର ପାରମ୍ପରିକ ଔଷଧ, ତାହା ଶେଷ ହେବାକୁ ଯାଉଛି ତାକୁ ପୁଣି କେମିତି ପୁନର୍ଜିବୀତ କରାଯାଇ ପାରିବ । ତାକୁ କିପରି ଲୋକପ୍ରିୟ କରାଯାଇ ପାରିବ ତା’ ପାଇଁ ଏକ ହାତୀ କମିଶନ ବସିଥିଲା, ଜୟସୁଖ ଲାଲ୍ ହାତୀ ନାମକ ଜଣେ ବ୍ୟକ୍ତି ଥିଲେ । ସେ ଏହି ରିପୋର୍ଟ ଦେଇଥିଲେ । ସେହି ରିପୋର୍ଟ ଭଲ ପଢିବା ଭଳି ହୋଇଥିଲା । ସେହି ରିପୋର୍ଟର ପ୍ରଥମ ପୃଷ୍ଠାରେ ସେ ବଡ ମହତ୍ଵପୂର୍ଣ୍ଣ କଥା ଲେଖିଥିଲେ । ସେ ଲେଖିଥିଲେ କି ଆୟୁର୍ବେଦକୁ ଯଦି ଆଗକୁ ଯିବାକୁ ହେବ ସର୍ବପ୍ରଥମେ ତା’ର ପ୍ୟାକେଜିଂ ଉପରେ ଧ୍ୟାନ ଦେବା ଦରକାର । ଏହି କାଗଜ ପୁଡିଆରେ ଏମାନେ ଯେଉଁ ଆୟୁର୍ବେଦ ଦେଉଛନ୍ତି ଦୁନିଆରେ ଏହା ଚାଲିପାରିବ ନାହିଁ । ତାହାର ପ୍ୟାକେଜିଂ ବଦଳେଇବା ଦରକାର, ଫଳରେ ଆୟୁର୍ବେଦ ଔଷଧ ନିଜକୁ ନିଜେ ବିକ୍ରି ହେଇଯିବ । ପ୍ରଥମ ପ୍ରସ୍ତାବ ଥିଲା ତାଙ୍କ ତରଫରୁ, ଇଏ ଷାଠିଏ ଦଶକର କଥା କହୁଛି । ଆଜି ତ ଆମେ ଜାଣୁଛୁ ଯେ ପ୍ୟାକେଜିଂର ମହତ୍ଵ କେତେ ବଢିଛି । ଆମେ ଆମର ଉତ୍ପାଦ ସହିତ ପ୍ୟାକେଜିଂକୁ ମଧ୍ୟ ସେତିକି ମହତ୍ଵ ଦେବା ଦରକାର ଏବଂ ଯେମିତି ଦେଶ । ଆମେ ଯେଉଁ ଦେଶ ଇଂରାଜୀ ଜାଣି ନାହାନ୍ତି, ଯଦି ସେଠି ଆମ ଉତ୍ପାଦ ଆମର ପ୍ୟାକେଜିଂ ଉପରେ ଇଂରାଜୀରେ ଲେଖିକରି ବିକ୍ରି କରିବା ତ’ କେମିତି ବିକ୍ରି ହେବ । ଆପଣଙ୍କୁ ତାଙ୍କ ଭାଷାରେ ପ୍ୟାକେଜିଂ କରିବାକୁ ପଡିବ । ସେଥିପାଇଁ ସବୁ ଜିନିଷରେ ‘ଶୂନ୍ୟ ଦୋଷ ତୃଟି’,ଏଇ କିଛି ଦିନ ହେବ ଜେଡ୍ ZED ଯୋଜନା ଅଧିନରେ ଏକ ବଡ଼ ପ୍ରତିଯୋଗୀତା ପାଇଁ କଳ୍ପନା କରାଯାଇଛି । ବ୍ରୋଞ୍ଜରୁ ନେଇ ପ୍ଲାଟିନମ୍ ପର୍ଯ୍ୟନ୍ତ 5 ଟି ଅଲଗା ଅଲଗା ସ୍ତରରେ ସମ୍ମାନ ପ୍ରଦାନ କରାଯିବ ଏବଂ ବହୁତ ଆକର୍ଷକ ପୁରସ୍କାର ଦିଆଯିବ । କେହି ସିଧାସଳଖ ପ୍ଲାଟିନମ୍ ପାଇ ପାରିବ ନାହିଁ । ପ୍ରଥମେ ତାକୁ ତଳ ସ୍ତରରୁ ପଞ୍ଚମ ସ୍ତର ଦେଇ ଆଗକୁ ବଢିବାକୁ ହେବ ଏବଂ ତାଙ୍କୁ ବିଶେଷ ମାନ୍ୟତା ମିଳିବ । ସେହି ମାନ୍ୟତା ଅନୁସାରେ ଦୁନିଆର ବଜାରରେ ତାଙ୍କର ଏକ ସ୍ଵତନ୍ତ୍ର ସ୍ଥାନ ରହିବ । ଆମର ପ୍ରୟାସ ଏହା ହେଉଛି, ଏବଂ ମୋ ଉଦ୍ୟୋଗୀମାନଙ୍କୁ ମୁଁ ନିମନ୍ତ୍ରଣ କରୁଛି କି ଏହି ‘ଶୂନ୍ୟ ପ୍ରଭାବ, ଶୂନ୍ୟ ଦୋଷ ତୃଟି’ । ଆନ୍ଦୋଳନରେ ଅତି କମରେ 10 ଲକ୍ଷ ଉଦ୍ୟୋଗ ଏହି ପ୍ରତିଯୋଗୀତାରେ ଆଗକୁ ଆସନ୍ତୁ । 50 ମାନଦଣ୍ଡ ପ୍ରସ୍ତୁତ କରାଯାଇଛି । ଏହି 50 ମାନଦଣ୍ଡ ପାଇଁ ନିଜେ ନିଜକୁ ପ୍ରସ୍ତୁତ କରନ୍ତୁ । କିଛି ଉଣା ରହିଯାଇଛି ତ, ଠିକ୍ କରନ୍ତୁ । ଆପଣ ଦେଖନ୍ତୁ ବିଶ୍ଵ ବଜାର ପାଇଁ ଆମ ଉତ୍ପାଦ କ୍ଷେତ୍ର ପ୍ରସ୍ତୁତ କରିଦେବେ ଏବଂ ଭାରତ ସରକାରଙ୍କର ଏହି ପ୍ରୟାସ, ଏହି ସାର୍ଟିଫିକେଶନ ଏକ ମହତ୍ଵପୂର୍ଣ୍ଣ ଶୁଭାରମ୍ଭ ଆଜି ଏଠାରେ କରାଯାଇଛି ।

ଆଜି ଆପଣମାନେ ଦେଖିଥିବେ ଉଦ୍ୟୋଗୀମାନଙ୍କ ସହିତ ଆମେ ବ୍ୟାଙ୍କମାନଙ୍କୁ ମଧ୍ୟ ସମ୍ମାନିତ କରିଛୁ କାରଣ ଆମେ ମଧ୍ୟ ବ୍ୟାଙ୍କମାନଙ୍କୁ ପ୍ରତିଯୋଗିତାରେ ଆଣିବା ପାଇଁ ଚାହୁଁଛୁ, କି ସୁକ୍ଷ୍ମ ଓ ଲଘୁ ଉଦ୍ୟୋଗକୁ କିଏ ଶୀଘ୍ର ପଇସା ଦେଉଛି, କିଏ ଅଧିକ ପଇସା ଦେଉଛି, କିଏ ଅଧିକ ସାହାଯ୍ୟ କରୁଛି, ଏଭଳି ବ୍ୟାଙ୍କକୁ ମଧ୍ୟ ଆମେ ସମ୍ମାନିତ କରିବାକୁ ଚାହୁଁଛୁ । ଯାହାଦ୍ଵାରା ବ୍ୟାଙ୍କମାନଙ୍କ ମଧ୍ୟରେ ଲଘୁ ଉଦ୍ୟୋଗୀମାନଙ୍କୁ ପଇସା ଦେବା ପାଇଁ ପ୍ରତିଦ୍ଵନ୍ଦିତା ସୃଷ୍ଟି ହେବ, ସେମାନଙ୍କ ମଧ୍ୟରେ ପ୍ରତିଯୋଗୀତା ଚାଲୁ ଏବଂ ଅଧିକରୁ ଅଧିକ ଛୋଟ ଉଦ୍ୟୋଗୀଙ୍କୁ ଆର୍ଥିକ ସମସ୍ୟା ନ ଆସୁ, ତାହାର ଏକ ବ୍ୟବସ୍ଥା ପ୍ରସ୍ତୁତ ହେଉ । ଏମିତି ଅନେକ ଦିଗ ଅଛି । ସେହିସବୁ ଦିଗକୁ ମିଶାଇ ଭାରତରେ ଛୋଟ ଛୋଟ ଉଦ୍ୟୋଗର ଏକ ବଡ ନେଟୱାର୍କ ନିର୍ମାଣ ହେଉ । ଆମର ଯେଉଁ ନୂଆ ପିଢୀ ଅଛନ୍ତି ସେମାନେ ସାହସର ସହିତ, ନୂଆକିଛି ପ୍ରବର୍ତ୍ତନ କରିବାକୁ ଚାହୁଁଛନ୍ତି ଆଉ ଏ କଥା ମଧ୍ୟ ସତ ଯେ, ଆମେ ଏବେ ଚିନ୍ତା କରିବା କି ମୋର ଏହି ଉତ୍ପାଦ ଜେଜେ ବାପାଙ୍କ ସମୟରୁ ଚାଲୁଥିଲା ଏବେ ମଧ୍ୟ ଚାଲିବ, ତ ଏହା ଆଉ ହେବ ନାହିଁ । ପ୍ରତି ପିଢୀକୁ ନୂଆକିଛି ପ୍ରବର୍ତ୍ତନ ସହିତ ନୂଆ ଉତ୍ପାଦ ଆଣିବାକୁ ପଡିବ। ଛୋଟ ଉଦ୍ୟୋଗ ହେବ ତ ଅଭିନବ ପ୍ରବର୍ତ୍ତନ କରିବାକୁ ପଡିବ । ଷ୍ଟାର୍ଟ ଅପ୍ ଅଭିନବ ପ୍ରବର୍ତ୍ତନକୁ ଶକ୍ତି ଦେଇଥାଏ । ପ୍ରତିଭାକୁ ସୁଯୋଗ ଦେଇଥାଏ । ଷ୍ଟାର୍ଟ ଅପ୍ ମାଧ୍ୟମରେ ଲଘୁ ଉଦ୍ୟୋଗର ସ୍ତରକୁ ତୁଳନାତ୍ମକ ଭାବେ ଉନ୍ନତ କରାଯିବ, ଏମିତି ଅନେକ ନୂଆ ଜିନିଷର କାମ ହେଉଛି ।

ଏବେ ଯେଉଁ ସ୍ଵଚ୍ଛତା ଅଭିଯାନ ଚାଲିଛି । ସ୍ଵଚ୍ଛତା ଅଭିଯାନରେ ମଧ୍ୟ ଏକ ବହୁତ ବଡ ଆର୍ଥିକ କାରବାରର ସମ୍ଭାବନା ରହିଛି । ଯଦି ଆମେ ସ୍ଵଚ୍ଛତାକୁ ଆର୍ଥିକ ଦୃଷ୍ଟିରେ ମଧ୍ୟ ଦେଖିବା ତ ଅବ୍ୟବହୃତ ରଦ୍ଧି ଜିନିଷରୁ ମଧ୍ୟ ଅର୍ଥ ଯୋଗାଡ କରିବାର ବହୁତ କିଛି ସମ୍ଭାବନା ରହିଛି । ଆମେ ଏପରି ଯନ୍ତ୍ରାଶ ତିଆରି କରିବା, ଏମିତି ମେସିନ ତିଆରି କରିବା । ଏବେ ଯେମିତି ଆପଣ ଏଠି ଏକ ପ୍ରଦର୍ଶନୀ ଦେଖିଥିବେ । ପାଞ୍ଚ ଲକ୍ଷ ଟଙ୍କାର ଏକ ଛୋଟ ମେସିନ ତିଆରି ହୋଇଛି । ପାଞ୍ଚ ଲକ୍ଷ ଟଙ୍କାରେ ଫଳରୁ ରସ ସହିତ ମୂଳ ତତ୍ତ୍ଵ ବାହାର କରାଯାଇ ସୁବାସିତ ଜିନିଷ ବଜାରକୁ ଆଣି ହେଉଛି । ଏବେ ଗରିବ ବ୍ୟକ୍ତି ମଧ୍ୟ ଏବଂ ମନ୍ଦିରର ଲୋକମାନେ ମଧ୍ୟ । ମନ୍ଦିର ବାହାରେ ଏକ ମେସିନ ଲଗାଇଦେବେ ମନ୍ଦିରରେ ଯେତେ ଫୁଲ ଦିଆଯାଉଛି ସେଥିରୁ ବହୁତ ବଡ କ୍ଵାଲିଟିର ଅତର ପସ୍ତୁତ କରି ବଜାରରେ ବିକ୍ରି କରି ହେବ । କେମିତି ଏହିଭଳି ଛୋଟ ଛୋଟ ମେସିନ ତିଆରି କରି ହେବ, ସହଜ ଭାବରେ କାମରେ ଲାଗୁଥିବା ମେସିନ କେମିତି ତିଆରି ହେବ । ଯଦି ଆମେ ଏ ପ୍ରକାର ଅଭିନବ ପ୍ରବର୍ତ୍ତନକୁ ବଦଳେଇବା ଷ୍ଟାର୍ଟ ଅପକୁ ବଢାଇବା । ଆପଣମାନେ ଦେଖିବେ ଆମେ ଲଘୁ ଉଦ୍ୟୋଗ ସୁକ୍ଷ୍ମ ଉଦ୍ୟୋଗର ଦୁନିଆରେ ବହୁତ ବଡ ଯୋଗଦାନ କରି ପାରିବା ।

ମୁଁ ପୁଣି ଥରେ କଲରାଜ ଜୀ ଏବଂ ତାଙ୍କ ପୁରା ଟିମକୁ, ତାଙ୍କର ସମସ୍ତ ମନ୍ତ୍ରୀମାନଙ୍କୁ, ତାଙ୍କ ବିଭାଗର ସବୁ ଅଧିକାରୀମାନଙ୍କୁ ହୃଦୟର ସହ ବହୁତ ବହୁତ ଅଭିନନ୍ଦନ ଜଣାଉଛି । ଯେଉଁ ଦ୍ରୁତ ଗତିରେ ଗୃହ ଉଦ୍ୟୋଗରୁ ଆରମ୍ଭ କରି ଲଘୁ ଉଦ୍ୟୋଗ ପର୍ଯ୍ୟନ୍ତ ସମସ୍ତେ ଯେଉଁ ପୁରା ଉତ୍ସର୍ଗୀକୃତ ନେଟୱାର୍କ ରହିଛି ତାକୁ ଶକ୍ତି ଦେବା ପାଇଁ ଯେଉଁ ପ୍ରୟାସ ହେଉଛି, ସେଥିପାଇଁ ବିଭାଗର ସମସ୍ତେ ଅଭିନନ୍ଦନର ଅଧିକାରୀ ଅଟନ୍ତି ।

ବାଦଲ ସାହେବଙ୍କ ନିକଟରେ ମଧ୍ୟ ମୁଁ ବହୁତ ବହୁତ ଋଣୀ ଯେ, ପଞ୍ଜାବ ସରକାର ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ବହୁତ ପରିଶ୍ରମ କରିଛନ୍ତି । ଏହାକୁ ଯଶସ୍ଵୀ କରିବା, ଏବଂ ବାଦଲ ସାହେବ ମଧ୍ୟ, ଭଟିଣ୍ଡା ବିଷୟରେ ମନେପକାଇ ଦେଲେ, ହେଲେ ମତେ ପ୍ରଥମେ ଭଟିଣ୍ଡା ଯିବାର ଥିଲା କିନ୍ତୁ ସମୟ ଅଭାବରୁ ଯାଇ ପାରୁ ନାହିଁ । ପାଖାପାଖି ଏକ ହଜାର କୋଟି ଟଙ୍କା ବ୍ୟୟରେ ବହୁତ ବଡ ଏମ୍ସର ହସ୍ପିଟାଲ ଭଟିଣ୍ଡାରେ ନିର୍ମାଣ କରିବା ପାଇଁ ଭାରତ ସରକାରଙ୍କର ଯୋଜନା ରହିଛି । କିନ୍ତୁ ପ୍ରତିଶ୍ରୁତି ଦେଉଛି ବାଦଲ ସାହେବ, ଆପଣ ତ’ ଆମର ସବୁଠାରୁ ବରିଷ୍ଠ। ଆପଣଙ୍କ ଇଛା ଆମ ପାଇଁ ଆଦେଶ ଦେଲା ଭଳି । ମୁଁ ନିଶ୍ଚୟ ଭଟିଣ୍ଡା ଆସିବି ଯେତେ ଶୀଘ୍ର ହେବ ସେତେ ଶୀଘ୍ର ଆସିବି ଏମ୍ସର ନିର୍ମାଣ କାର୍ଯ୍ୟକୁ ଆଗକୁ ନେବା ।

ମୁଁ ପୁଣି ଥରେ ଆପଣ ସମସ୍ତଙ୍କୁ ହୃଦୟର ସହ ବହୁତ ବହୁତ କୃତଜ୍ଞତା ଜ୍ଞାପନ କରୁଛି । ପଞ୍ଜାବ ସରକାରଙ୍କୁ କୃତଜ୍ଞତା ଜଣାଉଛି । ବିଶେଷ କରି ବାଦଲ ସାହେବଙ୍କୁ କୃତଜ୍ଞତା ଜଣାଉଛି ।

ବହୁତ ବହୁତ ଧନ୍ୟବାଦ ।