ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଲେହରେ ଆୟୁଷ ମନ୍ତ୍ରଣାଳୟ ଅଧୀନ ସ୍ୱୟଂଶାସିତ ସଂସ୍ଥାନ ଭାବେ ଜାତୀୟ ସୋୱ-ରିଗପା ସଂସ୍ଥାନ ପ୍ରତିଷ୍ଠାକୁ ଅନୁମୋଦନ କରିଛନ୍ତି । ନିର୍ମାଣ ଠାରୁ ପ୍ରକଳ୍ପ କାର୍ଯ୍ୟାନ୍ୱୟନ ପର୍ଯ୍ୟନ୍ତ ଅନୁଧ୍ୟାନ ଲାଗି ସ୍ତର-14ରେ ନିର୍ଦ୍ଦେଶକ (1,44,200-200-2,18,200ଟଙ୍କା) (ପୂର୍ବ-ସଂଶୋଧିତ 37,000-67,000+10,000ଟଙ୍କାର ଗ୍ରେଡ ପେ) ପଦବୀ ସୃଷ୍ଟିକୁ ମଧ୍ୟ କ୍ୟାବିନେଟ ମଞ୍ଜୁର କରିଛନ୍ତି ।
କେନ୍ଦ୍ର ଶାସିତ ପ୍ରଦେଶ ଭାବେ ଲଦାଖର ଗଠନ ଏବଂ ଲଦାଖର ସ୍ଥାନୀୟ ସଂସ୍କୃତିକୁ ପ୍ରୋତ୍ସାହନ ଦେବାକୁ ଦୃଷ୍ଟିରେ ରଖି ସୋୱା-ରିଗପା ଚିକିତ୍ସା ପଦ୍ଧତିର ପ୍ରୋତ୍ସାହନ ସଂକ୍ରାନ୍ତରେ କେନ୍ଦ୍ର ଶାସିତ ପ୍ରଦେଶ ଲଦାଖର ରାଜଧାନୀ ଲେହରେ 47.25 କୋଟି ଟଙ୍କା ବ୍ୟୟରେ ଜାତୀୟ ସୋୱା-ରିଗପା ସଂସ୍ଥାନ ପ୍ରତିଷ୍ଠା କରିବାକୁ ଭାରତ ସରକାର ନିଷ୍ପତ୍ତି ନେଇଛନ୍ତି ।
ସୋୱ-ରିଗପା ଭାରତର ହିମାଳୟ ଶିଖରରେ ଥିବା ଏକ ପାରମ୍ପରିକ ଚିକିତ୍ସା ପଦ୍ଧତି । ଏହି ପଦ୍ଧତି ସିକ୍କିମ, ଅରୁଣାଚଳ ପ୍ରଦେଶ, ଦାର୍ଜିଲିଂ (ପଶ୍ଚିମବଙ୍ଗ), ହିମାଚଳ ପ୍ରଦେଶ, କେନ୍ଦ୍ର ଶାସିତ ପ୍ରଦେଶ ଲଦାଖ ଏବଂ ଏବେ ସାରା ଭାରତରେ ଲୋକପ୍ରିୟ ହୋଇପାରିଛି ।
ଜାତୀୟ ସୋୱା-ରିଗପା ସଂସ୍ଥାନ ପ୍ରତିଷ୍ଠା ଫଳରେ ଭାରତୀୟ ଉପ ମହାଦେଶରେ ସୋୱା-ରିଗପାକୁ ପୁନଃଜୀବିତ କରିବାରେ ସହାୟତା ମିଳିପାରିବ । ଏହି ସଂସ୍ଥାନ କେବଳ ଭାରତରେ ନୁହେଁ ଅନ୍ୟ ଦେଶରେ ମଧ୍ୟ ସୋୱା-ରିଗପାର ଛାତ୍ରଛାତ୍ରୀଙ୍କୁ ସୁଯୋଗ ପ୍ରଦାନ କରିବ ।
ଏହି ସଂସ୍ଥାନ ଆୟୁଷ ମନ୍ତ୍ରଣାଳୟ ଅଧୀନ ଏକ ସ୍ୱୟଂଶାସିତ ସଂସ୍ଥାନ ହେବ, ଯାହା ସୋୱା-ରିଗପା ସହ ଜଡ଼ିତ ବିଭିନ୍ନ ବିଷୟରେ ଶିକ୍ଷା ଏବଂ ଗବେଷଣା କ୍ଷେତ୍ରରେ କାର୍ଯ୍ୟ କରିବ । ଏହି ସଂସ୍ଥାନ ପ୍ରମୁଖ ଜାତୀୟ ଓ ଅନ୍ତର୍ଜାତୀୟ ସଂସ୍ଥାନ ଠାରୁ ସହଯୋଗ ପାଇବାର କ୍ଷମତା ପାଇବ ଏବଂ ଚିକିତ୍ସାର ବିଭିନ୍ନ ପଦ୍ଧତିର ଏକୀକରଣ ଦିଗରେ କାର୍ଯ୍ୟ କରିବ ।
ଏନଆଇଏସଆର ପ୍ରତିଷ୍ଠା ଫଳରେ ସଂସ୍କୃତି ମନ୍ତ୍ରଣାଳୟର ପ୍ରଶାସନିକ ନିୟନ୍ତ୍ରଣ ଅଧୀନ ବାରାଣସୀ ସାରନାଥସ୍ଥିତ କେନ୍ଦ୍ରୀୟ ତିବତୀୟ ଅଧ୍ୟୟନ ବିଶ୍ୱବିଦ୍ୟାଳୟ, କେନ୍ଦ୍ରଶାସିତ ପ୍ରଦେଶ ଲଦାଖର ଲେହସ୍ଥିତ କେନ୍ଦ୍ରୀୟ ବୌଦ୍ଧ ଅଧ୍ୟୟନ ସଂସ୍ଥାନ ଭଳି ଅନ୍ୟ ସୋୱା-ରିଗପା ସଂସ୍ଥାନ ସହିତ ଏହାର ସହଭାଗିତା ପ୍ରତିଷ୍ଠା ହେବ ।
ଏହାର ଗଠନ ଫଳରେ ସୋୱା-ରିଗପା ଉତ୍ପାଦ ସହ ଜଡ଼ିତ ଉନ୍ନତ ଶିକ୍ଷା, ବୈଜ୍ଞାନିକ ପ୍ରାମାଣୀକରଣ, ଗୁଣବତ୍ତା ନିୟନ୍ତ୍ରଣ, ମାନକୀକରଣ ଏବଂ ସୁରକ୍ଷା ମୂଲ୍ୟାଙ୍କନ ସୁବିଧା ହେବ । ଏହାବ୍ୟତୀତ ସୋୱା-ରିଗପା ଆଧାରିତ ତୃତୀୟ ସ୍ତରର ସ୍ୱାସ୍ଥ୍ୟ ସୁବିଧାର ମାନକୀକରଣ ତଥା ସ୍ନାତକ, ସ୍ନାତ୍ତୋକୋତର ଏବଂ ଗବେଷଣା ସ୍ତରରେ ବିଭିନ୍ନ ବିଷୟରେ ଗବେଷଣା ଓ ଶିକ୍ଷାକୁ ପ୍ରୋତ୍ସାହନ ମିଳିପାରିବ ।
ଜାତୀୟ ସୋୱା-ରିଗପା ସଂସ୍ଥାନ ମାନକ ପ୍ରକ୍ରିୟା ସାମିଲ ଥିବା ଉତ୍କୃଷ୍ଟ ସୋୱା-ରିଗପା ଚିକିତ୍ସାର ଚିହ୍ନଟ କରିବ । ଏହି ଗତିବିଧି ପାରମ୍ପରିକ ସୋୱା-ରିଗପା ସିଦ୍ଧାନ୍ତ ପରିଧିରେ ହେବ ଏବଂ ସାଧାରଣ ଜନତାଙ୍କୁ ସ୍ୱାସ୍ଥ୍ୟ ସୁବିଧା ପ୍ରଦାନ କରିବା ଲାଗି ଏହାକୁ ପାଶ୍ଚାତ୍ୟ ଚିକିତ୍ସା ପଦ୍ଧତି ସହିତ ଯୋଡ଼ାଯିବ ।
ଉଦ୍ଦେଶ୍ୟ :
ଜାତୀୟ ସୋୱା-ରିଗପା ସଂସ୍ଥାନ ପ୍ରତିଷ୍ଠାର ଉଦ୍ଦେଶ୍ୟ ହେଉଛି ଏହାକୁ ସୋୱା-ରିଗପାର ପ୍ରମୁଖ ସଂସ୍ଥାନ ଭାବେ ବିକଶିତ କରିବା ଏବଂ ସୋୱା-ରିଗପା ପାରମ୍ପରିକ ଜ୍ଞାନକୁ ଆଧୁନିକ ବିଜ୍ଞାନ, ଉପକରଣ ଏବଂ ପ୍ରଯୁକ୍ତି ସହିତ ଯୋଡ଼ିବା । ଫଳରେ ସୋୱା-ରିଗପା ସହ ଜଡ଼ିତ ବିଷୟର ଶିକ୍ଷା ଏବଂ ଗବେଷଣାକୁ ପ୍ରୋତ୍ସାହନରେ ସହାୟତା ମିଳିପାରିବ ।
***