ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଶିଶୁଙ୍କୁ ଯୌନ ଅପରାଧରୁ ସୁରକ୍ଷା ପ୍ରଦାନ କରିବା ଲାଗି ଐତିହାସିକ ନିଷ୍ପତ୍ତି ନେଇଛନ୍ତି । ଯୌନ ଅପରାଧରୁ ଶିଶୁଙ୍କ ସୁରକ୍ଷା ଆଇନ (ପୋକ୍ସୋ)ରେ ସଂଶୋଧନ କରାଯିବା ପ୍ରସ୍ତାବକୁ କ୍ୟାବିନେଟର ମଞ୍ଜୁରି ମିଳିଛି । ଏଥିରେ ଶିଶୁଙ୍କ ସହ ଜଡ଼ିତ ଯୌନ ଅପରାଧ ଲାଗି ମୃତ୍ୟୁଦଣ୍ଡ ସହିତ କଠୋର ଦଣ୍ଡ ବ୍ୟବସ୍ଥା କରାଯାଇଛି ।
ପ୍ରଭାବ :
ଆଇନରେ ସଂଶୋଧନ ଜରିଆରେ କଠୋର ଦଣ୍ଡବିଧାନ ବ୍ୟବସ୍ଥା କରାଯାଇଥିବାରୁ ଶିଶୁଙ୍କ ପ୍ରତି ହେଉଥିବା ଯୌନ ଅପରାଧ ସଂଖ୍ୟା କମିବାର ସମ୍ଭାବନା ରହିଛି ।
ଏହାଦ୍ୱାରା ବିପଦରେ ପଡ଼ିଥିବା ଶିଶୁଙ୍କ ସ୍ୱାର୍ଥ ସୁରକ୍ଷା ହୋଇପାରିବ ଏବଂ ସେମାନଙ୍କ ସୁରକ୍ଷା ଓ ସମ୍ମାନ ସୁନିଶ୍ଚିତ ହେବ ।
ସଂଶୋଧନର ଉଦ୍ଦେଶ୍ୟ ହେଉଛି ଶିଶୁଙ୍କ ପ୍ରତି ହେଉଥିବା ଅପରାଧ ମାମଲାରେ ଦଣ୍ଡବିଧାନ ବ୍ୟବସ୍ଥାକୁ ଅଧିକ ସ୍ପଷ୍ଟ କରିବା ।
ସୂଚନାଯୋଗ୍ୟ ଯେ ଶିଶୁଙ୍କ ପ୍ରତି ହେଉଥିବା ଯୌନ ଅପରାଧ, ଯୌନ ଶୋଷଣ ଏବଂ ଅଶ୍ଳୀଳ ସାମଗ୍ରୀର ପ୍ରସାର ନିରାକରଣ ଉଦ୍ଦେଶ୍ୟରେ ପୋକ୍ସୋ ଆଇନ-2012 ଅଣାଯାଇଥିଲା ।
*******