ପିଏମଇଣ୍ଡିଆ
ଭାରତୀୟ ଷ୍ଟକ ଏକ୍ସଚେଞ୍ଜଗୁଡିକରେ ବିଦେଶୀ ଅଂଶଧନ ସୀମାକୁ 5 ରୁ 15 ପ୍ରତିଶତକୁ ବୃଦ୍ଧି କରିବା ନିମନ୍ତେ ସରକାର ସିଦ୍ଧାନ୍ତ ଗ୍ରହଣ କରିଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବୁଧବାର (27.07.2016) ଅନୁଷ୍ଠିତ କେନ୍ଦ୍ର କେବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଷ୍ଟକ ଏକ୍ସଚେଞ୍ଜ, ଡିପୋଜିଟାରୀ, ବ୍ୟାଙ୍କିଂ କମ୍ପାନୀ, ବୀମା କମ୍ପାନୀ, Commodity Derivative ଏକ୍ସଚେଞ୍ଜ ଲାଗି ଏହା ପ୍ରଯୁଜ୍ୟ । ସେହିଭଳି ଷ୍ଟକ ଏକ୍ସଚେଞ୍ଜର ପରୋକ୍ଷ ବଜାର ବ୍ୟତୀତ ପ୍ରାଥମିକ ଆବଣ୍ଟନ ମାଧ୍ୟମରେ ବିଦେଶୀ ପୋର୍ଟଫୋଲିଓ ନିବେଶକ ଅଂଶଧନ ଗ୍ରହଣ ପାଇଁ ମଧ୍ୟ ଅନୁମତି ପ୍ରଦାନ କରିଛି ।
ଏହାଦ୍ୱାରା ଭାରତୀୟ ଷ୍ଟକ ଏକ୍ସଚେଞ୍ଜଗୁଡିକ ବିଶ୍ୱବଜାରର ପ୍ରତିଯୋଗିତାକୁ ସାମ୍ନା କରିବାରେ ସହାୟକ ହେବ । ପୁନଶ୍ଚ ଅତ୍ୟାଧୁନିକ ପ୍ରଯୁକ୍ତି ଓ ବୈଶ୍ୱିକ ଶ୍ରେଷ୍ଠ ପଦ୍ଧତି ଅବଲମ୍ବନ ପାଇଁ ମଧ୍ୟ ଏହା ପଥ ପରିଷ୍କାର କରିବ । ତଦ୍ୱାରା ଭାରତୀୟ ପୁଞ୍ଜି ବଜାରର ସାମଗ୍ରୀକ ବିକାଶ ଓ ପ୍ରସାର ସହଜସାଧ୍ୟ ହେବ । ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଚଳିତ ବର୍ଷ ବଜେଟ୍ ଅଭିଭାଷଣରେ ଦେଇଥିବା ପ୍ରତିଶ୍ରୁତିର ଏହା ଅଂଶବିଶେଷ । ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶ(FDI) ନୀତିରେ ସରକାର ଆବଶ୍ୟକ ପରିବର୍ତ୍ତନ ସକାଶେ ପ୍ରତିଶ୍ରୁତିବଦ୍ଧ ।