Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ସଂସଦର କେନ୍ଦ୍ରୀୟ କକ୍ଷରେ ଜିଏସଟି ବ୍ୟବସ୍ଥାର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ

s20170701110508


ଆଦରଣୀୟ ରାଷ୍ଟ୍ରପତି ମହୋଦୟ, ଆଦରଣୀୟ ଉପରାଷ୍ଟ୍ରପତି ମହୋଦୟ, ଲୋକସଭାର ବାଚସ୍ପତି, ପୂର୍ବତନ ପ୍ରଧାନମନ୍ତ୍ରୀ ଆଦରଣୀୟ ଦେବଗୌଡ଼ା ଜୀ, ମନ୍ତ୍ରୀ ପରିଷଦର ମୋର ସାଥୀ, ସଂସଦର ସମସ୍ତ ସଦସ୍ୟଗଣ ଏବଂ ବିଭିନ୍ନ କ୍ଷେତ୍ରରୁ ଆସିଥିବା ବରିଷ୍ଠ ମହାନୁଭବ ।

ରାଷ୍ଟ୍ର ନିର୍ମାଣରେ କେତେକ ଏପରି କ୍ଷଣ ଆସିଥାଏ ଯେଉଁ କ୍ଷଣରେ ଆମେ କୌଣସି ନୂଆ ମୋଡ଼ ନେଇଥାଉ, ନୂଆ ଲକ୍ଷ୍ୟ ଦିଗରେ ପହଂଚିବାର ପ୍ରୟାସ କରିଥାଉ । ଆଜି ମଧ୍ୟରାତ୍ରି ସମୟରେ ଆମେମାନେ ମିଶି ଦେଶକୁ ଆଗେଇ ନେବାର ମାର୍ଗ ସୁନିଶ୍ଚିତ କରିବାକୁ ଯାଉଛୁ ।

କିଛି ସମୟ ପରେ, ଦେଶ ଏକ ନୂଆ ବ୍ୟବସ୍ଥା ଦିଗରେ ଆଗେଇଯିବ । 125 କୋଟି ଦେଶବାସୀ ଏହି ଐତିହାସିକ ଘଟଣାର ସାକ୍ଷୀ ରହିଛନ୍ତି । ଜିଏସଟିର ଏହି ପ୍ରକ୍ରିୟା, ଏହା କେବଳ ଅର୍ଥବ୍ୟବସ୍ଥାର ପରିଧି ମଧ୍ୟରେ ସୀମିତ ନାହିଁ, ଏହା ମୁଁ ଗ୍ରହଣ କରିବି ନାହିଁ । ଅନେକ ବର୍ଷ ଧରି ଭିନ୍ନ ମହାନୁଭବଙ୍କ ମାର୍ଗଦର୍ଶନରେ, ନେତୃତ୍ୱରେ, ଭିନ୍ନ ଭିନ୍ନ ଦଳ ଦ୍ୱାରା ଯେଉଁ ପ୍ରକ୍ରିୟା ଚାଲିଛି, ତାହା ଏକ ପ୍ରକାର ଭାରତର ଲୋକତନ୍ତ୍ରର, ଭାରତର ସଂଘୀୟ ଢାଂଚାର, କୋ-ଅପରେଟିଭ୍ ଫେଡେରାଲଜିମ୍ (ସହଯୋଗୀ ସଙ୍ଘୀୟ ବ୍ୟବସ୍ଥା)ର ଏକ ବହୁ ବଡ଼ ଉଦାହରଣ ରୂପରେ ଆଜି ଆମକୁ ଏହି ଅବସର ଜୁଟିଛି । ଏହି ପବିତ୍ର ଅବସରରେ ନିଜର ବହୁମୂଲ୍ୟ ସମୟ ବାହାର କରି ଆସିଥିବାରୁ, ମୁଁ ହୃଦୟରୁ ଆପଣମାନଙ୍କୁ ସ୍ୱାଗତ କରୁଛି, ଆପଣମାନଙ୍କୁ କୃତଜ୍ଞତା ଜଣାଉଛି ।

ଏହି ଯେଉଁ ମାର୍ଗ ଆମେ ସମସ୍ତେ ନିର୍ଦ୍ଧାରଣ କରିଛୁ, ଯେଉଁ ରାସ୍ତା ଆମେ ବାଛିଛୁ, ଯେଉଁ ବ୍ୟବସ୍ଥା ଆମେ ବିକଶିତ କରିଛୁ; ଏହା କୌଣସି ଗୋଟିଏ ଦଳର ସିଦ୍ଧି ନୁହେଁ, ଏହା କୌଣସି ଗୋଟିଏ ସରକାରଙ୍କ ସିଦ୍ଧି ନୁହେଁ, ଏହା ଆମ ସମସ୍ତ ମିଳିତ ଭାଗିଦାରୀରେ ଗଠିତ ଐତିହ୍ୟ, ଆମ ସମସ୍ତଙ୍କ ମିଳିତ ପ୍ରୟାସର ପରିଣାମ । ଏବଂ ରାତ୍ରି 12ଟା ସମୟରେ ଏହି କେନ୍ଦ୍ରୀୟ କକ୍ଷରେ ଆମେ ଏକତ୍ରିତ ହୋଇଛୁ । ଏହି ସେହି ସ୍ଥାନ ଯେଉଁଠି ରାଷ୍ଟ୍ରର ଅନେକ ମହାପୁରୁଷମାନଙ୍କ ପଦଚିହ୍ନ ଦ୍ୱାରା ଏହି ସ୍ଥାନ ନିଜକୁ ପବିତ୍ର କରିଛି; ଏପରି ପବିତ୍ର ସ୍ଥାନରେ ଆମେ ବସିଛୁ । ଏବଂ ସେଥିପାଇଁ ଆଜି କେନ୍ଦ୍ରୀୟ କକ୍ଷ, ଏହି ଘଟଣା ସହିତ ଆମେ ମନେ ପକାଉଛୁ, 9 ଡିସେମ୍ବର, 1946, ସମ୍ବିଧାନର ସଭାର ପ୍ରଥମ ବୈଠକର ଏହି ସଭାଗୃହ ସାକ୍ଷୀ ରହିଛି । ଆମେ ସେହି ସ୍ଥାନରେ ବସିଛୁ, ଯେତେବେଳେ ସମ୍ବିଧାନ ସଭାର ପ୍ରଥମ ବୈଠକ ହୋଇଥିଲା । ପଣ୍ଡିତ ଜବାହରଲାଲ୍ ନେହରୁ, ମୌଲାନା ଅବଦୁଲ୍ କଲାମ ଆଜାଦ୍, ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ୍, ବାବା ସାହେବ ଆମ୍ବେଦକର, ଆଚାର୍ଯ୍ୟ କୃପାଳାନୀ, ଡକ୍ଟର ରାଜେନ୍ଦ୍ର ବାବୁ, ସରୋଜିନୀ ନାଇଡ଼ୁ, ଏମାନେ ସମସ୍ତେ ମହାପୁରୁଷ ପ୍ରଥମ ଧାଡ଼ିରେ ବସିଥିଲେ ।

ସେହି ସଂସଦରେ ଯେଉଁଠି ଦିନେ 14 ଅଗଷ୍ଟ, 1947ର ରାତି 12ଟା ବେଳେ ଦେଶର ସ୍ୱାଧୀନତାର ସେହି ପବିତ୍ର ମହାନ ଘଟଣା; ଏହି ସ୍ଥାନ ତାହାର ସାକ୍ଷୀ ହୋଇ ରହିଛି ।

26 ନଭେମ୍ବର, 1949ରେ ଦେଶ ସମ୍ବିଧାନକୁ ସ୍ୱୀକାର କରିଥିଲେ । ଏହି ସ୍ଥାନ ସେହି ମହାନ ଘଟଣାର ମଧ୍ୟ ସାକ୍ଷୀ ରୂପରେ ବିଦ୍ୟମାନ । ଏବଂ ଆଜି ବହୁ ବର୍ଷ ପରେ ଏକ ନୂଆ ଅର୍ଥ ବ୍ୟବସ୍ଥା ପାଇଁ, ସଂଘୀୟ ଢାଂଚା ପାଇ ନୂଆ ଶକ୍ତି ସହିତ ଜିଏସଟି ରୂପରେ ଏହି ପବିତ୍ର ସ୍ଥାନରେ ଊଦ୍ଧ୍ୱର୍କୁ ଯାଇ ମୁଁ ବୁଝିଛି ଯେ କୌଣସି ଅନ୍ୟ ସ୍ଥାନ, ଏହି କାମ ପାଇଁ ହୋଇପାରିବ ନାହିଁ ।

ସମ୍ବିଧାନର ମନ୍ଥନ 2 ବର୍ଷ, 11 ମାସ ଏବଂ 17 ଦିନ ପର୍ଯ୍ୟନ୍ତ ଚାଲିଥିଲା । ହିନ୍ଦୁସ୍ତାନର କୋଣଅନୁକୋଣରେ ବିଦ୍ୱାନଜନ ସେହି ତର୍କରେ ଭାଗ ନେଉଥିଲେ, ବାଦ-ବିବାଦ ହେଉଥିଲା, ରାଜି-ଅରାଜି ହେଉଥିଲେ, ସମସ୍ତେ ମିଶି ତର୍କ କରୁଥିଲେ, ରାସ୍ତା ଖୋଜୁଥିଲେ । କେତେବେଳେ ଏପାଖ, କେତେବେଳେ ସେପାଖ ହୋଇପାରୁନଥିଲେ, ମଝି ରାସ୍ତା ଖୋଜି ଚାଲିବାର ପ୍ରୟାସ କରୁଥିଲେ; ଠିକ୍ ସେହିପରି ଏହି ଜିଏସଟି ଏକ ଲମ୍ବା ବିଚାର-ପ୍ରକ୍ରିୟାର ପରିଣାମ । ସମସ୍ତ ରାଜ୍ୟ ସାଧାରଣ ଭାବେ, କେନ୍ଦ୍ର ସରକାରଙ୍କ ସହ ସମାନ ଭାବେ ଏବଂ ବର୍ଷ ବର୍ଷ ଧରି ଚର୍ଚ୍ଚା କରିଛନ୍ତି । ସଂସଦରେ ଏଥିପୂର୍ବରୁ ମଧ୍ୟ ସାଂସଦମାନେ, ତା’ପୂର୍ବରୁ ସାଂସଦମାନେ ଲଗାତାର ଏହା ଉପରେ ତର୍କ କରିଥିଲେ । ଏକପ୍ରକାର Best Brains of the Country, ସେମାନେ ଲଗାତାର ଏହି କାମ କରିଥିଲେ, ଏବଂ ତାହାର ପରିଣାମ ସ୍ୱରୂପ ଆଜି ଏହି ଜିଏସଟି ଆମେ ସାକାର ରୂପରେ ଦେଖିପାରୁଛେ ।

ଯେତେବେଳେ ସମ୍ବିଧାନ ପ୍ରଣୟନ ହେଲ, ସମ୍ବିଧାନ ସାରା ଦେଶର ନାଗରିକମାନଙ୍କୁ ସମାନ ସୁଯୋଗ, ସମାନ ଅଧିକାର, ସେଥିପାଇଁ ସୁନିଶ୍ଚିତ ବ୍ୟବସ୍ଥା ଛିଡ଼ା କରିଦେଇଥିଲା । ଏବଂ ଆଜି ଜିଏସଟି ଏକପ୍ରକାରରେ ସମସ୍ତ ରାଜ୍ୟଗୁଡ଼ିକର ମୋତିକୁ ଗୋଟିଏ ସୂତାରେ ବାନ୍ଧିବାର ଏବଂ ଆର୍ଥିକ ବ୍ୟବସ୍ଥା ଭିତରେ ଏକ ସୂଚାରୁ ବ୍ୟବସ୍ଥା ଆଣିବାର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରୟାସ । ଜିଏସଟି ଏକ ସହଯୋଗୀ ସଙ୍ଘିୟ ବ୍ୟବସ୍ଥାର ଉଦାହରଣ, ଯାହା ଆମକୁ ସଦସର୍ବଦା ଆହୁରି ଅଧିକ ସାଥୀ ହୋଇ ଚାଲିବାର ଶକ୍ତି ଦେବ । ଜିଏସଟି, ଏହା ‘ଟିମ୍ ଇଣ୍ଡିଆ’ର କ’ଣ ପରିଣାମ ହୋଇପାରିବ, ଏହି ‘ଟିମ୍ ଇଣ୍ଡିଆ’ର କର୍ତ୍ତବ୍ୟ ଶକ୍ତିର, ସାମର୍ଥ୍ୟର ପରିଚାୟକ ।

ଏହି ଜିଏସଟି ପରିଷଦ କେନ୍ଦ୍ର ଏବଂ ରାଜ୍ୟ ମିଶି ସେହି ଅର୍ଥ ବ୍ୟବସ୍ଥାର ବିକଶିତ କରିଛନ୍ତି, ଯେଉଁଠି ଗରିବମାନଙ୍କ ପାଇଁ ଯାହା ପୂର୍ବରୁ ଉପଲବ୍ଧ ସେବା ଥିଲା, ସେହି ସମସ୍ତ ସେବାକୁ କାଏମ ରଖିଛନ୍ତି । ଦଳର ଯେକୌଣସି ବି ହୋଇଥାଉ, ସରକାର ଯେଉଁ ସ୍ଥାନର ବି ହୋଇଥାଉ, ଗରିବଙ୍କ ପ୍ରତି ସମ୍ବେଦନଶୀଳତା ଏହି ଜିଏସଟି ସହିତ ଯୋଡ଼ି ହୋଇଥିବା ଲୋକମାନେ ସମାନ ରୂପରେ ତାହାର ଚିନ୍ତା କରିଥିଲେ । ମୁଁ ଜିଏସଟି ପରିଷଦ ଅଭିନନ୍ଦନ ଜଣାଉଛି, ବର୍ତ୍ତମାନ ସୁଦ୍ଧା ଏହି କାମର ନେତୃତ୍ୱ ଯେଉଁ ଯେଉଁ ଲୋକମାନେ ନେଇଛନ୍ତି, ଅରୁଣ ଜୀ ବିସ୍ତୃତ ଭାବେ କହିଛନ୍ତି, ମୁଁ ତାହାର ପୁନରାବୃତି କରିବାକୁ ଚାହୁଁନାହିଁ । ମୁଁ ସେ ସମସ୍ତଙ୍କୁ ମଧ୍ୟ ଅଭିନନ୍ଦନ ଜଣାଉଛି, ଏହି ପ୍ରକ୍ରିୟାକୁ ଯେଉଁ ଯେଉଁ ଲୋକମାନେ ଆଗେଇ ନେଇଛନ୍ତି, ସେ ସମସ୍ତଙ୍କୁ ଅଭିନନ୍ଦନ ଜଣାଉଛି ।
ଆଜି ଜିଏସଟି କାଉନ୍ସିଲ୍ର ଅଷ୍ଟାଦଶ ବୈଠକ ହୋଇଥିଲା ଏବଂ କିଛି ସମୟ ପରେ ଜିଏସଟି ଲାଗୁ ହେବ । ଏହା ଏକ ସଂଯୋଗ ଯେ ଗୀତାରେ ମଧ୍ୟ 18ଟି ଅଧ୍ୟାୟ ଥିଲା ଏବଂ ଜିଏସଟି ପରିଷଦର ମଧ୍ୟ 18ଟି ବୈଠକ ହୋଇଛି ଏବଂ ଆମେ ସେହି ସଫଳତା ସହିତ ଆଗକୁ ବଢ଼ିଚାଲିଛୁ । ଏକ ଲମ୍ବା ପ୍ରକ୍ରିୟା ଥିଲା, ପରିଶ୍ରମ ଥିଲା, ଆଶଙ୍କା ଥିଲା, ରାଜ୍ୟଗୁଡ଼ିକର ମନରେ ଗଭୀର ପ୍ରଶ୍ନ ଥିଲା । କିନ୍ତୁ ଅସୀମ ପୁରୁଷାର୍ଥ, ପରିଶ୍ରମ, ମସ୍ତିଷ୍କର ଯେତେ ଶକ୍ତି ଉପଯୋଗ କରାଯାଇପାରିବ କରାଯାଇ ଏହାକୁ ପାରିତ କରାଯାଇଛି । ଚାଣକ୍ୟ କହିଥିଲେ –


ୟଦ ଦୁରଂ ୟଦ ଦୁରାଦ୍ୱୟମ, ୟଦ ଚ ଦୁରୈ, ବ୍ୟବସ୍ଥିତମ୍,

ତତ୍ ସର୍ବମ୍ ତପସା ସାଧ୍ୟମ ତପୋହିଦୁର୍ତିକ୍ରମମ୍ ।


ଚାଣକ୍ୟଙ୍କ ଏହି ବାକ୍ୟ ଆମର ସମ୍ପୂର୍ଣ୍ଣ ଜିଏସଟି ପ୍ରକ୍ରିୟାକୁ ବଡ଼ ଉତ୍ତମ ଢଙ୍ଗରେ କହିଥିଲେ । କୌଣସି ବସ୍ତୁ କେତେ ଦୂରରେ ଥାଉ ନା କାହିଁକି, ତାହାର ମିଳିବା ଯେତେ କଠିନ ହୋଇଥାଉ ନା କାହିଁକି, ତାହା ଯେତେ ଅପହଂଚ ହେଉପଛେ, କଠିନ ତପସ୍ୟା ଏବଂ ପରିଶ୍ରମ ଦ୍ୱାରା ତା’କୁ ମଧ୍ୟ ପ୍ରାପ୍ତ କରାଯାଇପାରିବ ଏବଂ ଆଜି ତାହା ହୋଇପାରିଛି ।

ଆମେ କଳ୍ପନା କରିପାରିବ, ଦେଶ ସ୍ୱାଧୀନ ହେଲା, 500ରୁ ଅଧିକ ରାଜ୍ୟ ଥିଲା । ଯଦି ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ୍ ଏହି ରାଜ୍ୟଗୁଡ଼ିକୁ ମିଶାଇ ଦେଶକୁ ଏକତ୍ର କରିନଥାନ୍ତେ, ଦେଶର ଏକୀକରଣ କରିନଥାନ୍ତେ ତା’ହେଲେ ଭାରତର ରାଜନୈତିକ ମାନଚିତ୍ର କିପରି ହୋଇଥାନ୍ତା? କିପରି ଖେଳାଇ ହୋଇ ରହିଥାନ୍ତା? ସ୍ୱାଧୀନତା ମିଳିଥାନ୍ତା, କିନ୍ତୁ ଦେଶର ସେହି ମାନଚିତ୍ର କିପରି ହୋଇଥାନ୍ତା? ଯେପରି ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ୍ ରାଜ୍ୟଗୁଡ଼ିକର ମିଶ୍ରଣ କରି ଏକ ରାଷ୍ଟ୍ରୀୟ ଏକୀକରଣର ବହୁତ ବଡ଼ କାମ କରିଥିଲେ, ଆଜି ଜିଏସଟି ଦ୍ୱାରା ଆର୍ଥିକ ଏକୀକରଣର ମହତ୍ୱପୂର୍ଣ୍ଣ କାମ ହୋଇଥିଲା । 29 ରାଜ୍ୟ, 7 କେନ୍ଦ୍ର ଶାସିତ ପ୍ରଦେଶ, କେନ୍ଦ୍ରର 7 ଟିକସ, ରାଜ୍ୟଗୁଡ଼ିକର 8ଟି ଟିକସ ଏବଂ ପ୍ରତ୍ୟେକ କଥାରେ ଭିନ୍ନ ଭିନ୍ନ ଟିକସର ହିସାବ କରନ୍ତୁ, ତା’ହେଲେ 500 ପ୍ରକାରର ଟିକସ କେଉଁଠି ନା କେଉଁଠି ନିଜ ଉପସ୍ଥିତି/ଭୂମିକା ଜାହିର କରୁଥିଲେ । ଆଜି ସେ ସବୁଥିରୁ ମୁକ୍ତି ପାଇ, ଏବେ ଗଙ୍ଗାନଗର ଠାରୁ ଆରମ୍ଭ କରି ଇଟାନଗର ପର୍ଯ୍ୟନ୍ତ, ଲେହ ଠାରୁ ଆରମ୍ଭ କରି ଲାକ୍ଷାଦ୍ୱୀପ ପର୍ଯ୍ୟନ୍ତ ୱାନ୍ ନେସନ-ୱାନ୍ ଟେକ୍ସ, ଏହି ସ୍ୱପ୍ନ ଆମର ସାକାର ହୋଇରହିବ ।

ଏବଂ ଯେତେବେଳେ ଏତେ ସବୁ ଟ୍ୟାକ୍ସ, 500, ଭିନ୍ନ ଭିନ୍ନ ହିସାବ ଲଗାନ୍ତୁ 500 ଟିକସ । ଆଲବର୍ଟ ଆଇନଷ୍ଟାଇନ୍ ପ୍ରଖର ବୈଜ୍ଞାନିକ ସେ ଥରେ ବଡ଼ ମଜାଦାର କଥା କହିଥିଲେ । ସେ କହିଥିଲେ ଯେ ସାରା ବିଶ୍ୱରେ ଯଦି କୌଣସି କଥା ବୁଝିବା ସବୁଠୁ କଠିନ ତା’ହେଲେ ତାହା ଇନକମ୍ ଟେକ୍ସ, ଏହା ଆଲ୍ବର୍ଟ ଆଇନଷ୍ଟାଇନ୍ କହିଥିଲେ । ମୁଁ ଭାବୁଛି ଯଦି ସେ ଏଠାରେ ଥାଆନ୍ତେ ତା’ହେଲେ ଜଣାନାହିଁ ଏ ସମସ୍ତ ଟିକସ ଦେଖି କ’ଣ କହିଥାନ୍ତେ, କ’ଣ ଭାବିଥାନ୍ତେ? ଏବଂ ସେଥିପାଇଁ, ଏବଂ ଆମେ ଦେଖିଛୁ ଯେ ଉତ୍ପାଦ ଏବଂ ଉତ୍ପାଦନ ଭିତରେ ଅଧିକ କୌଣସି ଅସମାନତା ଆସିନଥାଏ, କିନ୍ତୁ ଯେତେବେଳେ ଉତ୍ପାଦ ବାହାରକୁ ଆସିଥାଏ ତା’ହେଲେ ରାଜ୍ୟଗୁଡ଼ିକର ଭିନ୍ନ ଟିକସ କାରଣରୁ ଅସମାନତା ଦେଖିବାକୁ ମିଳିଥାଏ । ଗୋଟିଏ ଜିନିଷର ଦିଲ୍ଲୀରେ ଗୋଟିଏ ଦାମ୍, 25-30 କିମି ଦୂର ଗୁରୁଗ୍ରାମରେ ଦ୍ୱିତୀୟ ଚାର୍ଜ ଲାଗିବ ଏବଂ ସେଠି ନୋଏଡା ଗଲେ ତୃତୀୟ ଦାମ୍ ଲାଗିବ । କାରଣ ହରିଆଣାର ଅଲଗା ଟିକସ, ଦିଲ୍ଲୀର ଅଲଗା । ଏହି ସମସ୍ତ ବିବିଧତା କାରଣରୁ ସାଧାରଣ ନାଗରିକ ମନରେ ପ୍ରଶ୍ନ ଉଠୁଥିଲା ଯେ ମୁଁ ଗୁରୁଗ୍ରାମ ଗଲେ ଏହି ଜିନିଷ ମୋତେ ଏତିକି ମିଳିଯାଏ, ଦିଲ୍ଲୀରେ ଏବଂ ନୋଏଡାରେ ଭିନ୍ନ ଭିନ୍ନ ଦରରେ କାହିଁକି ମିଳିଥାଏ? ଏକପ୍ରକାର କୌଣସି ବ୍ୟକ୍ତି ପାଇଁ ଦ୍ଵନ୍ଦ୍ଵମୂଳକ ସ୍ଥିତି ରହୁଥିଲା । ଏବେ ପୁଞ୍ଜି ନିବେଶରେ ମଧ୍ୟ ବିଦେଶର ଲୋକମାନଙ୍କ ଏହି ପ୍ରଶ୍ନ ରହୁଥିଲା ଯେ ଭାଇ କେଉଁ, ଏକ ବ୍ୟବସ୍ଥା ଆମ ବୁଝିଥାଉ ଏବଂ କାମ କେଉଁଠି ଚିନ୍ତା କରିଥାଉ, ଅନ୍ୟ ରାଜ୍ୟରେ ଭିନ୍ନ ବ୍ୟବସ୍ଥା ସାମ୍ନାକୁ ଆସିଥାଏ ଏବଂ ଏକ ଦ୍ଵନ୍ଦ୍ଵ ପରିବେଶ ଲାଗି ରହିଥାଏ, ଆଜି ସେଥିରୁ ମୁକ୍ତି ମିଳିଛି ଏବଂ ଆମେ ଆଗକୁ ବଢ଼ିଚାଲିଛୁ ।

ଅରୁଣ ଜୀ ଅତ୍ୟନ୍ତ ବିସ୍ତୃତ ଭାବେ ବର୍ଣ୍ଣନା କଲେ ଯେ ଜିଏସଟି କାରଣରୁ ଅକ୍ଟ୍ରାଇ ବ୍ୟବସ୍ଥା, ପ୍ରବେଶ କର ହେଉ, ବିକ୍ରିକର ହେଉ, ଭାଟ୍ ହେଉ, ଜଣାନାହିଁ କେତେ କଥା ସାରା ବର୍ଣ୍ଣନା ସେ ବିସ୍ତାର ପୂର୍ବକ କରିଥିଲେ । ସବୁ ଶେଷ ହୋଇଯିବ । ଆମେ ଜାଣିଛୁ ଯେ ଆମେ ଟୋଲ ଗେଟରେ ଘଣ୍ଟା ଘଣ୍ଟା ଧରି ଗାଡ଼ି ଛିଡ଼ା କରିଥାଉ । ଦେଶର ଶହ ଶହ କୋଟି କ୍ଷତି ହୋଇଥାଏ । ତେଲ ପୋଡ଼ିବା କାରଣରୁ ପରିବେଶର ମଧ୍ୟ ସେତିକି କ୍ଷତି ହୋଇଥାଏ ଏ ସମସ୍ତ ବ୍ୟବସ୍ଥା, ସିମିଲାର ହୋଇଥିବା କାରଣରୁ, ଏକ ପ୍ରକାର ସେହି ସମସ୍ତ ଅବ୍ୟବସ୍ଥା ମଧ୍ୟରୁ ଗୋଟିଏ ମୁକ୍ତ ମାର୍ଗ ଆମକୁ ପ୍ରାପ୍ତ ହୋଇଥାଉ ।

କେବେ କେବେ ବିଶେଷ କରି ଶୀଘ୍ର ପଚନଶୀଳ ସାମଗ୍ରୀ (Perishable Commodity) ଠିକ ସମୟରେ ପହଂଚିବାର ବହୁତ ଆବଶ୍ୟକ ଥିଲା, କିନ୍ତୁ ତାହା ଯେତେବେଳେ ପହଂଚୁନଥିଲା ସେହି କାରଣରୁ ତା’କୁ ପହଂଚାଇବା ଲାଗି ମଧ୍ୟ କ୍ଷତି ହେଉଥିଲା ଏବଂ ଯିଏ ପ୍ରୋସେସିଂ କରୁଥିଲା ତାହାର ମଧ୍ୟ କ୍ଷତି ହେଉଥିଲା । ସେହି ସମସ୍ତ ଯାହା ବ୍ୟବହାରିକ ଜୀବନର ଅବ୍ୟବସ୍ଥା ଥିଲା, ସେହି ଅବ୍ୟବସ୍ଥାରୁ ଆଜି ଆମେ ମୁକ୍ତି ପାଇଛୁ ଏବଂ ଆମେ ଆଗକୁ ବଢ଼ିଚାଲିଛୁ ।

ଜିଏସଟି ରୂପରେ ଦେଶ ଏକ ଆଧୁନିକ ଓ ସମୟୋପଯୋଗୀ ଟିକସ ପ୍ରଣାଳୀ ପାଇଁ ଆଜି ପଦକ୍ଷେପ ନେଉଛି, ଆଗକୁ ବଢ଼ୁଛି । ଏପରି ଏକ ବ୍ୟବସ୍ଥା ଯାହା ଅଧିକ ସରଳ, ଅଧିକ ପାରଦର୍ଶୀ; ଏକ ଏପରି ବ୍ୟବସ୍ଥା ଯାହା କଳା ଧନ ଏବଂ ଭ୍ରଷ୍ଟାଚାରକୁ ରୋକିବା ଲାଗି ଏକ ସୁଯୋଗ ପ୍ରଦାନ କରିବ; ଏକ ଏପରି ବ୍ୟବସ୍ଥା ଯାହା ସଚ୍ଚୋଟତାକୁ ସୁଯୋଗ ଦେବ, ଯାହା ସଚ୍ଚୋଟତର ସହ ବ୍ୟବହାର କରିବା ଲାଗି ଏକ ଉତ୍ସାହର ବ୍ୟବସ୍ଥା ଏଥିରୁ ମିଳିବ; ଏକ ଏପରି ବ୍ୟବସ୍ଥା ଯାହା ନୂଆ ପ୍ରସାଶନିକ ସଂସ୍କୃତିକୁ ମଧ୍ୟ ନେଇ ଆସିବ ଏବଂ ଯାହା ଦ୍ୱାରା ଜିଏସଟି ଆମେ ନେଇ ଆସିଛୁ ।

ସାଥୀ ଗଣ,

ଟିକସ ସନ୍ତ୍ରାସ ଏବଂ ଇନ୍ସପେକ୍ଟର ରାଜ, ଏହା ନୂଆ କଥା ନୁହେଁ । ସବୁବେଳେ ଆମେ ଏହା ଶୁଣି ଆସିଛୁ । ସମସ୍ୟାର ସମ୍ମୁଖୀନ ହେଉଥିବା ଲୋକଙ୍କ ଠାରୁ ସେହି ଚିନ୍ତାକୁ ଅନୁଭବ କରିଛୁ ଏବଂ ଜିଏସଟିର ଏହି ବ୍ୟବସ୍ଥା କାରଣରୁ ଟେକ୍ନୋଲଜି ଆଧାରିତ ହୋଇଥିବା କାରଣରୁ ଏବେ ଅଫିସରରାଜ୍, ଏସବୁ ପାଇଁ ତୃଟି-ଅସଙ୍ଗତି ସମ୍ପୂର୍ଣ୍ଣ ଶେଷ ହୋଇଯିବ । ଏହି କାରଣରୁ ସାଧାରଣ ବ୍ୟବସାୟୀ, ସାଧାରଣ ଉଦ୍ୟୋଗୀଙ୍କୁ ଅଫିସରଙ୍କ ଦ୍ୱାରା ଯେଉଁ ସମସ୍ୟା ହେଉଥିଲା, ସେଥିରୁ ମୁକ୍ତିର ମାର୍ଗ ଏହି ଜିଏସଟି ଦ୍ୱାରା, କୌଣସି ସଚ୍ଚୋଟ ବ୍ୟବସାୟୀ ଅକାରଣେ ସମସ୍ୟା ହେବ ସେ ଦିନ ଏହା ସହିତ ଶେଷ ହୋଇଯିବାର ପୂର୍ଣ୍ଣ ସମ୍ଭାବନା ଏହି ଜିଏସଟି ଅଧୀନରେ ରହିଛି । ଏହି ପୂରା ବ୍ୟବସ୍ଥାରେ ଛୋଟ ବ୍ୟବସାୟୀଙ୍କୁ 20 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟବସାୟ କରୁଥିବା ଲୋକଙ୍କୁ ପୂର୍ଣ୍ଣ ମୁକ୍ତି ଦିଆଯାଇଛି । ଏବଂ ଯେଉଁ 75 ଲକ୍ଷ ପର୍ଯ୍ୟନ୍ତ, ତାକୁ ମଧ୍ୟ କମ୍ ରୁ କମ୍ ଏହା ସହିତ ଯୋଡ଼ିବାକୁ ପଡ଼ିବ ସେହି ବ୍ୟବସ୍ଥା କରାଯାଇଛି । ଏହା ଠିକ୍ ଯେ ଢାଞ୍ଚା ଭିତରକୁ ଆଣିବା ଲାଗି କିଛି ବ୍ୟବସ୍ଥା ରହିଛି କିନ୍ତୁ ତାହା ମିନିମମ୍ ବ୍ୟବସ୍ଥା, ନାମମାତ୍ର ବ୍ୟବସ୍ଥା କରାଯାଛି ଏବଂ ସେହି କାରଣରୁ ସାଧାରଣ ଲୋକ ଯେଉଁମାନେ, ସେଥିପାଇଁ ଏହି ନୂଆ ବ୍ୟବସ୍ଥାର କୌଣସି ବୋଝ ହେବ ନାହିଁ ।

ସାଥୀଗଣ,

ଜିଏସଟି ବ୍ୟବସ୍ଥା, ଏହା ବଡ଼ ବଡ଼ ଆର୍ଥିକ ଭାଷାରେ ଯାହା କୁହାଯାଇଥାଏ, ସେପର୍ଯ୍ୟନ୍ତ ସୀମିତ ରହିନାହିଁ । ବଡ଼ ବଡ଼ ଶବ୍ଦ ଏହା ସହିତ ଯୋଡ଼ା ଯାଇଥାଏ, କିନ୍ତୁ ଯଦି ସରଳ ଭାଷାରେ କୁହାଯାଏ ଯେ ଦେଶର ଗରିବର ହିତ ପାଇଁ ବ୍ୟବସ୍ଥା ସବୁଠୁ ଅଧିକ ସାର୍ଥକ ହେବ । ସ୍ୱାଧୀନତାର 70 ବର୍ଷ ପରେ ବି ଆମେ ଗରିବଙ୍କ ପର୍ଯ୍ୟନ୍ତ ଯାହା ପହଂଚାଇ ପାରିନାହୁଁ, ଏପରି ନୁହେଁ ଯେ ଚେଷ୍ଟା କରାଯାଇନାହିଁ । ସମସ୍ତ ସରକାର ପ୍ରୟାସ କରିଛନ୍ତି, କିନ୍ତୁ ସମ୍ବଳର ସୀମା ରହିଆସିଛି ଏବଂ ଆମେ ଆମ ଦେଶର ଗରିବଙ୍କୁ ସେହି ଆବଶ୍ୟକତା ପୂରଣ କରିବାରେ କେଉଁଠି ନା କେଉଁଠି ବିଫଳ ହୋଇଛୁ ।

ଯଦି ଆମେ ସମ୍ବଳକୁ ସୁବ୍ୟବସ୍ଥିତ ଢଙ୍ଗରେ ଏବଂ ବୋଝ କୌଣସି ଜଣଙ୍କ ଉପରକୁ ନଯାଏ, ସେଭଳି ବ୍ୟବସ୍ଥା କରିବା, ସେତିକି ହିଁ ଦେଶକୁ ଉନ୍ନତି ପଥରେ ନେଇ ଯିବାର ସୁବିଧା ବଢ଼ିଥାଏ । ଏବଂ ସେଥିପାଇଁ ସେହି ଦିଗରେ ଯିବାର କାମ, ଏବେ ତ କଚ୍ଚା ବିଲ୍, ପକ୍କା ବିଲ୍ ଏ ସମସ୍ତ ଖେଳ ଶେଷ ହୋଇଯିବ, ବଡ଼ ସରଳ ହୋଇଯିବ । ଏବଂ ମୋର ବିଶ୍ୱାସ ଯେ ଛୋଟମୋଟ ବ୍ୟବସାୟୀ ମଧ୍ୟ, ଏହି ଯେଉଁ ଗରିବମାନଙ୍କୁ ବେନିଫିଟ୍ ମିଳିବାକୁ ଯାଉଛି, ତାହା ନିଶ୍ଚିତ ତା’କୁ ଟ୍ରାନ୍ସଫର କରିବୁ, ତାହା ଦ୍ୱାରା ଗରିବଙ୍କ କଲ୍ୟାଣ, ଆମମାନଙ୍କୁ ଆଗକୁ ନେବା ସହିତ ବହୁତ କାମରେ ଆସିବ ।

କେବେ କେବେ ଆଶଙ୍କା ହୋଇଥାଏ ଯେ ଏହା ହୋଇପାରିବ ନାହିଁ, କାମ କରିବ ନାହିଁ, ଫଳବତୀ ହେବ ନାହିଁ ଏବଂ ଆମ ଦେଶରେ ଆମେ ଜାଣିଛୁ ଯେତେବେଳେ ଦଶମ ଏବଂ ଦ୍ୱାଦଶ ପରୀକ୍ଷା ଫଳରେ ଅନ୍-ଲାଇନରେ ଛାଡ଼ିବାର ଆରମ୍ଭ କରାଗଲା ଏବଂ ଏକ ସହିତ ଯେତେବେଳେ ଆସିଲା ସବୁ ହ୍ୟାଙ୍ଗ ଅପ୍ ହୋଇଗଲା ଏବଂ ଦ୍ୱିତୀୟ ଦିନ ଏହା ହିଁ ଖବର ହୋଇଗଲା । ଆଜି ମଧ୍ୟ ଏପରି ଯଥେଷ୍ଟ ଚର୍ଚ୍ଚା ହେଉଛି ।

ଏହା ଠିକ୍ ଯେ ସମସ୍ତଙ୍କୁ ଟେକ୍ନୋଲଜି ଆସିବ ନାହିଁ । କିନ୍ତୁ ପରିବାରରେ ଦଶମ, ଦ୍ୱାଦଶର ଯଦି ବିଦ୍ୟର୍ଥୀ ଅଛନ୍ତି, ତା’ହେଲେ ତା’କୁ ସବୁ କଥା ଆସିଥାଏ । କୌଣସି ଜଟିଳ କାମ ନୁହେଁ, ଏହା ସରଳ ଅଟେ, ଘରେ ଦଶମ, ଦ୍ୱାଦଶର ବିଦ୍ୟାର୍ଥୀ ମଧ୍ୟ ରହିଥାଏ ସେ ଛୋଟ ବ୍ୟବସାୟୀକୁ ମଧ୍ୟ ସାହାଯ୍ୟ କରିପାରିବ ।

ଯେଉଁମାନେ ଆଶଙ୍କା କରିଥାନ୍ତି, ମୁଁ କହୁଛି ଦୟାକରି ଏପରି କରନ୍ତୁ ନାହିଁ । ଆରେ ଆପଣଙ୍କ ପୁରୁଣା ଡକ୍ଟର ଅଛନ୍ତି, ଆପଣ ତାଙ୍କ ପାଖରେ ନିଜ ଆଖି ଲଗାତାର ପରୀକ୍ଷା କରାଉଛନ୍ତି । ସେ ସବୁବେଳେ ଆପଣଙ୍କୁ ନମ୍ବର ବାହାର କରି ଦେଉଛି, ଆପଣଙ୍କ ଚଷମା ତିଆରି କରୁଥିବା ଲୋକ ମଧ୍ୟ ଜଣେ ନିର୍ଦ୍ଦିଷ୍ଟ ବ୍ୟକ୍ତି ହୋଇଥିବେ, ଆପଣ ସେଠାରେ ନିଜ ନମ୍ବର କରାଉଥିବେ ଏବଂ ତଥାପି ଯେତେବେଳେ ନୂଆ ନମ୍ବର ବାଲା ଚଷା ଆସୁଥିବ ତା’ହେଲେ ଗୋଟିଏ ଦୁଇ ଦିନ ଆଖି ଉପର-ତଳ ସଜ କରିବାକୁ ପଡ଼ିଥାଏ; ଏହା କେବଳ ଏତିକି । ଏବଂ ଏଥିପାଇଁ ଟିକେ ଆମେ ଯଦି ପ୍ରୟାସ କରିବା ଏହି ବ୍ୟବସ୍ଥା ସହିତ ଆମେ ସହଜରେ ଯୋଡ଼ି ହୋଇପାରିବ । ମୁ ଆପଣମାନଙ୍କୁ ଅନୁରୋଧ କରୁଛି ଯେ ଗୁଜବ ରଟନା ବନ୍ଦ କରନ୍ତୁ ଏବଂ ଏବେ ଦେଶ ଆଗେଇଛି ତେବେ ସଫଳ କିପରି ହୋଇପାରିବ, ଦେଶର ଗରିବ-ଜନଙ୍କ ଭଲ ପାଇଁ କିପରି କାମ ହେବ, ତା’ଉପରେ ଆମେ ଆଗକୁ ବଢ଼ିବା ଏବଂ ସେତେବେଳେ ଯାଇ ସମସ୍ୟା କମ୍ ହୋଇପାରିବ ।

ଜିଏସଟିର ଏହି ନିଷ୍ପତ୍ତି, ବିଶ୍ୱ ଅର୍ଥନୈତିକ ଦୃଶ୍ୟପଟ୍ଟରେ ଏକ ବହୁତ ବଡ଼ ସକାରାତ୍ମକ ପ୍ରଭାବ ପଡ଼ିଛି । ଭାରତରେ ଯେଉଁମାନେ ପୁଞ୍ଜିନିବେଶ କରିବାକୁ ଚାହୁଁଛନ୍ତି, ସେମାନଙ୍କ ପାଇଁ ଏକ ପ୍ରକାର ବ୍ୟବସ୍ଥା ବହୁ ସହଜରେ ସେ ବୁଝିପାରିବେ ଏବଂ ତା’କୁ ଚଳାଇପାରିବେ । ମୁଁ ଭାବୁଛି ଯେ ଭାରତରେ ଏବଂ ଆଜି ଦୁନିଆର ଏକ ପ୍ରିୟ ଆକର୍ଷଣ ସ୍ଥଳୀ ରୂପରେ; ନିବେଶ ପାଇଁ ଭାରତକୁ ପ୍ରତ୍ୟେକ ପ୍ରକାର ସ୍ୱୀକୃତି ମିଳିଛି ଏବଂ ଏଥିପାଇଁ ମୁଁ ଭାବୁଛି ଯେ ଏକ ଭଲ ସୁବିଧା ବିଶ୍ୱ ବ୍ୟବସାୟ ସହ ଯୋଡ଼ି ହୋଇ ରହିଥିବା ଲୋକମାନଙ୍କୁ ମଧ୍ୟ ଭାରତ ସହିତ ବ୍ୟବସାୟ କରିବାକୁ ମିଳିବ ।

ଜିଏସଟି ଏକ ଏପରି କାଟାଲିଷ୍ଟ ଅଟେ ଯାହା ଦେଶର ବ୍ୟବସାୟକୁ, ସେଥିରେ ଯେଉଁ ଅସନ୍ତୁଳନ ରହିଛି, ସେହି ଅସନ୍ତୁଳନକୁ ଶେଷ କରିବ । ଜିଏସଟି ଏକ ଏପରି କାଟାଲିଷ୍ଟ ଅଟେ ଯାହାଦ୍ୱାରା ଏକ୍ସପୋର୍ଟ ପ୍ରମୋସନକୁ ବହୁତ ବଡ଼ ପ୍ରୋତ୍ସାହନ ମିଳିବ । ଏବଂ ଜିଏସଟି ସେହି ବ୍ୟବସ୍ଥା ଯାହା କାରଣରୁ ଆଜି ହିନ୍ଦୁସ୍ତାନରେ ଯେଉଁ ରାଜ୍ୟ ଠିକ୍ ଭାବେ ବିକଶିତ ହୋଇଛି, ତା’କୁ ବିକାଶର ଅବସର ତୁରନ୍ତ ମିଳିଥାଏ । କିନ୍ତୁ ଯେଉଁ ରାଜ୍ୟ ପଛୁଆ ରହିଛନ୍ତି, ସେମାନଙ୍କୁ ସେହି ସୁଯୋଗ ଖୋଜିବା ପାଇଁ ବହୁତ ପ୍ରୟାସ କରିବାକୁ ପଡ଼ିତାଏ । ସେହି ରାଜ୍ୟଗୁଡ଼ିକର କୌଣସି ଦୋଷ ନାହିଁ । ପ୍ରାକୃତିକ ସମ୍ବଳରେ ଭରପୂର ଆମର ବିହାରକୁ ଦେଖନ୍ତୁ, ଆମର ପୂର୍ବ-ଉତ୍ତର ପ୍ରଦେଶ ଦେଖନ୍ତୁ, ଆମର ପଶ୍ଚିମବଙ୍ଗକୁ ଦେଖନ୍ତୁ, ଆମର ନର୍ଥ-ଇଷ୍ଟକୁ ଦେଖନ୍ତୁ, ଆମ ଓଡ଼ିଶାକୁ ଦେଖନ୍ତୁ, ସମ୍ବଳ, ପ୍ରକୃତିକ ସମ୍ବଳ ପୂରି ରହିଛି । କିନ୍ତୁ ଯଦି ସେମାନଙ୍କୁ ଏହି ସବୁ ବ୍ୟବସ୍ଥା, ଏହି ଆଇନ ବ୍ୟବସ୍ଥା ମିଳିଯିବ, ମୁଁ ସ୍ପଷ୍ଟ ଭାବେ ଦେଖିପାରୁଛି ଯେ ହିନ୍ଦୁସ୍ତାନର ପୂର୍ବ ପ୍ରାନ୍ତରେ ବିକାଶର ଯେଉଁ ଅଭାବ ରହିଯାଇଛି, ତାକୁ ପୂରଣ କରିବାର ସବୁଠୁ ବଡ଼ ସୁଯୋଗ ଏଥିରୁ ମିଳିପାରିବ । ହିନ୍ଦୁସ୍ତାନର ସମସ୍ତ ରାଜ୍ୟକୁ ବିକାଶର ସମାନ ସୁଯୋଗ ମିଳିବ, ଏହା ନିଜ ଭିରେ ବିକାଶର ଦିଗରେ ଆଗକୁ ବଢ଼ିବାର ଏକ ସୁଯୋଗ ।

ଜିଏସଟି, ଏକପ୍ରକାର ଆମ ରେଳବାଇ ଭଳି । ରେଳବାଇ କେନ୍ଦ୍ର ଏବଂ ରାଜ୍ୟ ମିଶି ଚଳାଇଥାନ୍ତି । ତଥାପି ଭାରତୀୟ ରେଳ ରୂପରେ ଆମେ ଏହାକୁ ଦେଖିଥାଉ । ରାଜ୍ୟ ଭିତରେ ସ୍ଥାନୀୟ ଭାବେ ସହାୟତା ମିଳିଥାଏ । ଏକ ସମାନ ରୂପରେ ଆମେ ଏହାକୁ ଦେଖିଥାଉ । ଆମର କେନ୍ଦ୍ର ସରକାରୀ କର୍ମଚାରୀ କେନ୍ଦ୍ର ଏବଂ ରାଜ୍ୟରେ ବିଛୁରିତ ହୋଇରହିଛନ୍ତି, ତଥାପି ଦୁଇ ପକ୍ଷରୁ ମିଶି ଚାଲିଥାଆନ୍ତି । ଏକ ଜିଏସଟି ଏପରି ବ୍ୟବସ୍ଥା ଯେଉଁଥିରେ ପ୍ରଥମ ଥର କେନ୍ଦ୍ର ଓ ରାଜ୍ୟ ମିଶି ନିଶ୍ଚିତ ଦିଗରେ କାମ କରିବେ । ଏହା ‘ଏକ ଭାରତ, ଶ୍ରେଷ୍ଠ ଭାରତ’ର ନିମନ୍ତେ ଏକ ଉତ୍ତମ ବ୍ୟବସ୍ଥା ଆଜି ହୋଇଚାଲିଛି, ଏବଂ ଯାହାର ପ୍ରଭାବ ଆଗାମୀ ଦିନରେ ଆଗାମୀ ପିଢ଼ି ଆମକୁ ଗର୍ବର ସହିତ ସ୍ୱୀକାର କରିବ ।

2022, ଭାରତ ସ୍ୱାଧୀନତାର 75 ବର୍ଷ ପୂରଣ କରୁଛି । “ନିଉ ଇଣ୍ଡିଆ”ର ସ୍ୱପ୍ନ ନେଇ ଆମେ ଚାଲିଛୁ । 125 କୋଟି ଦେଶବାସୀ “ନିଉ ଇଣ୍ଡିଆ” ନିର୍ମାଣ କରିବା ପାଇଁ ସ୍ୱପ୍ନ ନେଇ ଆଗେଇ ଚାଲିଛନ୍ତି । ଏବଂ ସେଥିପାଇଁ ଭାଇ ଓ ଭଉଣୀମାନେ ଜିଏସଟି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ । ଏବଂ ଆମେମାନେ ସମସ୍ତ ଯେଉଁ ପ୍ରକାରର ପ୍ରୟାସ କରିଛୁ । ଲୋକମାନ୍ୟ ତିଳକଜୀ ଯେଉଁ ଗୀତା ରହସ୍ୟ ଲେଖିଥିଲେ, ସେହି ଗୀତା ରହସ୍ୟର ଶେଷରେ ସେ ବେଦର ଏକ ମନ୍ତ୍ର ମଧ୍ୟ ସେଥିରେ ସମାହିତ କରିଥିଲେ । ସେହି ବେଦର ମନ୍ତ୍ର ଆଜି ମଧ୍ୟ ଆମକୁ ପ୍ରେରଣା ଯୋଗାଇବା ଭଳି । ଏବଂ ଲୋକମାନ୍ୟ ତିଳକ ଯାହା କରିଥିଲେ – ତା’ର ଉଲ୍ଲେଖ କରିଥିଲେ- ମୂଳତଃ ଋକବେଦର ଶ୍ଳୋକ ଅଟେ-


ସବାରଣିବାହ! ଆକୃତିଃ ସମାନା ରୁଦୟନିବାହଃ

ସମାନ ବସ୍ତୁ ବୋ ମନୋ ଯଥାବା ସୁସହସିତି


ଆପଣମାନଙ୍କ ସଂକଳ୍ପ, ନିଶ୍ଚୟ ଏବଂ ଭାବ-ଅଭିପ୍ରାୟ ଏକ ସମାନ ରହୁ, ଆପଣ ଲୋକମାନଙ୍କ ହୃଦୟରେ ଏକ ସମାନ ରୁହନ୍ତୁ, ଯାହାଦ୍ୱାରା ଆପଣମାନଙ୍କ ପରସ୍ପରର କାର୍ଯ୍ୟ ସର୍ବତ୍ର ଏକ ସଙ୍ଗରେ ଭଲ ଭାବେ ହୋଇପାରୁ । ଏହି ଭାବ ନେଇ ଲୋକମାନ୍ୟ ତିଳକ ଜୀ ମଧ୍ୟ ଆଜି ଆମକୁ ପରିଣାମ ଦେଇଛନ୍ତି ।

ଜିଏସଟି “ନିଉ ଇଣ୍ଡିଆ”ର ଏକ ଟ୍ୟାକ୍ସ ବ୍ୟବସ୍ଥା । ଜିଏସଟି “ଡିଜିଟାଲ୍ ଭାରତ”ର ଟ୍ୟାକ୍ସ ବ୍ୟବସ୍ଥା ଅଟେ । ଜିଏସଟି କେବଳ “ଇଜ୍ ଅଫ୍ ଡୁଇଂ ବିଜନେସ” ନୁହେଁ, ଜିଏସଟି “ୱେ ଅଫ୍ ଡୁଇଂ ବିଜନେସ୍”ର ଏକ ମାର୍ଗ ଦେଖାଇବ । ଜିଏସଟି କେବଳ ଏକ ଟିକସ ସଂସ୍କାର ନୁହେଁ, କିନ୍ତୁ ତାହା ଆର୍ଥିକ ସଂସ୍କାରର ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଜିଏସଟି ଆର୍ଥିକ ସଂସ୍କାର ଠାରୁ ମଧ୍ୟ ଉର୍ଦ୍ଧ୍ଵରେ ଏକ ସାମାଜିକ ସଂସ୍କାରର ମଧ୍ୟ ନୂଆ ସୋପାନ । ଯାହା ଏକ ସଚ୍ଚୋଟତାର ଉତ୍ସବ ଆଡ଼କୁ ନେଇଯିବା ଲାଗି ପ୍ରସ୍ତୁତ ହେଉଛି । ଆଇନର ଭାଷାରେ ଜିଏସଟି-ବସ୍ତୁ ଓ ସେବା କର ରୂପରେ ମଧ୍ୟ ଜଣାଯାଏ । କିନ୍ତୁ ଜିଏସଟିରୁ ଯେଉଁ ଲାଭ ମିଳିବ ଏବଂ ସେଥିପାଇଁ ମୁଁ କହିବି ଯେ ଆଇନ ଏହାକୁ ଗୁଡସ୍ ଏଣ୍ଡ ସର୍ଭିସ୍ ଟେକ୍ସ କହୁଥାଉ ପଛେ, କିନ୍ତୁ ବାସ୍ତବରେ ଏହା ଗୁଡ୍ ଏଣ୍ଡ ସିମ୍ପଲ୍ ଟେକ୍ସ (ଭଲ ଓ ସରଳ ଟିକସ)ଅଟେ ଏବଂ ଗୁଡ୍ ଏଥିପାଇଁ ଯେ ଟିକସ ଉପରେ ଟିକସ, ଟିକସ ଉପରେ ଟିକସ ଯାହା ଲାଗୁ ହେଉଥିଲା, ସେଥିରୁ ମୁକ୍ତି ମିଳିଯାଇଛି । ସିମ୍ପଲ ଏଥିପାଇଁ ଯେ ସାରା ଦେଶରେ ଗୋଟିଏ ଫର୍ମ ରହିବ, ଗୋଟିଏ ବ୍ୟବସ୍ଥା ରହିବା ଏବଂ ସେହି ବ୍ୟବସ୍ଥାରେ ଚାଲିବ ଏବଂ ସେଥିପାଇଁ ଆମକୁ ଏହାକୁ ଆଗେଇ ନେବାକୁ ହେବ ।

ମୁଁ ଆଜି ଏହି ଅବସରରେ ଆଦରଣୀୟ ରାଷ୍ଟ୍ରପତି ମହୋଦୟଙ୍କୁ ସମୟ ବାହାର କରି, କାରଣ ଏହି ସମଗ୍ର ଯାତ୍ରାରେ ସେ ମଧ୍ୟ ଜଣେ ସାଥୀ ଥିଲେ, ସହଯାତ୍ରୀ ରହିଥିଲେ, ଏହାର ପ୍ରତ୍ୟେକ ପଦକ୍ଷେପକୁ ସେ ଭଲ ଭାବେ ଦେଖିଛନ୍ତି, ଜାଣିଛନ୍ତି, ପ୍ରୟାସ କରିଛନ୍ତି । ତାଙ୍କର ମାର୍ଗଦର୍ଶନ ଏହି ମହତ୍ୱପୂର୍ଣ୍ଣ ଐତିହାସିକ ମୁହୂର୍ତ୍ତରେ ଆମ ସମସ୍ତଙ୍କ ପାଇଁ ଏକ ବହୁତ ବଡ଼ ପ୍ରେରଣାର କାରଣ ସାଜିବ । ନୂଆ ଉତ୍ସାହ ଏବଂ ଉତ୍ସାହ ମିଳିବ ଏବଂ ତାକୁ ନେଇ ଆମେ ଆଗେଇ ଯିବା ।

ମୁଁ ଆଦରଣୀୟ ରାଷ୍ଟ୍ରପତିଜୀଙ୍କୁ… ମୁଁ ତାଙ୍କ ନିକଟରେ କୃତଜ୍ଞ ଯେ ସେ ଆଜି ଆସିଲେ ଏବଂ ଆମ ସମସ୍ତଙ୍କ ମାର୍ଗଦର୍ଶନ କରିବା ଲାଗି ଏବଂ ତାଙ୍କ ବକ୍ତବ୍ୟ ଆମ ସମସ୍ତଙ୍କୁ ଏକ ନୂଆ ପ୍ରେରଣା ଦେଇ ଚାଲିବ । ଏହି ଏକ ଭାବ ସହିତ ମୁଁ ପୁଣିଥରେ ଏହି ପ୍ରୟାସ ସହିତ ଯୋଡ଼ି ହୋଇ ରହିଥିବା ପ୍ରତ୍ୟେକଙ୍କୁ କୃତଜ୍ଞତା ଜଣାଇ ମୋର ବାଣୀକୁ ବିରାମ ଦେଉଛି ଏବଂ ଶ୍ରଦ୍ଧେୟ ରାଷ୍ଟ୍ରପତିଜୀଙ୍କୁ ଆଗ୍ରହ କରୁଛି ଯେ ସେ ଆମର ମାର୍ଗଦର୍ଶନ କରନ୍ତୁ ।

**********