Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ସର୍ବଭାରତୀୟ ରତ୍ନ ଓ ଆଭୂଷଣ ବାଣିଜ୍ୟ ମହାସଂଘର ଅଭ୍ୟର୍ଥନା ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ

ସର୍ବଭାରତୀୟ ରତ୍ନ ଓ ଆଭୂଷଣ ବାଣିଜ୍ୟ ମହାସଂଘର ଅଭ୍ୟର୍ଥନା ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ


ମୁଁ ଜାଣେ ଯେ ମୁଁ କେଉଁଠିକୁ ଆସିଛି, କାରଣ ଆପଣମାନେ ସେହି ଲୋକ ଯିଏ ଅନେକ ସରକାରଙ୍କୁ ନଇଁବା ପାଇଁ ବାଧ୍ୟ କରିଛନ୍ତି । ଆପଣମାନେ ସେହି ଲୋକ ଯେଉଁମାନେ ଭଲ ଭଲ ସରକାରଙ୍କୁ ସେମାନେ ନେଇଥିବା ପଦକ୍ଷେପରୁ ପଛଘୁଞ୍ଚା ଦେବାକୁ ବାଧ୍ୟ କରିଛନ୍ତି । ହେଲେ ନଇଁବା କଥା ସେଠି ଉଠେ ଯେଉଁଠି ଲଢ଼େଇ ହୁଏ । କିନ୍ତୁ ଆମେ ତ କୌଣସି ଲଢ଼େଇ ପାଇଁ ବାହାରି ନାହୁଁ । ଆମେ ତ ବାହାରିଥିଲୁ ଆପଣଙ୍କ ହୃଦୟ ଜିଣିବାକୁ । ଏ କଥାରେ ମୁଁ ଖୁସି ଯେ ଆମେ ଆପଣଙ୍କୁ ଜିତି ପାରିଛୁ ଆଉ ଆପଣ ମଧ୍ୟ ଆମକୁ ଜିତି ଯାଇଛନ୍ତି ।

ଦେଖନ୍ତୁ, ଉତ୍ପାଦ ଶୁଳ୍କ (Excise) ପ୍ରସଙ୍ଗ ଆଗରୁ ବି ଆସିଥିଲା ଆଉ ଆପଣମାନେ ଏହାକୁ ନେଇ ଝଡ଼ତୋଫାନ ସୃଷ୍ଟି କରିଥିଲେ । ସେ ସରକାର ଭୟଭୀତ ହୋଇଯାଇଥିଲେ । ପ୍ରତ୍ୟେକ ସାଂସଦ ଆପଣମାନଙ୍କ Client । ତେଣୁ ସରକାର ଉପରେ ଚାପ ସୃଷ୍ଟି କରିବା ପାଇଁ ଆପଣଙ୍କୁ କୌଣସି ପ୍ରତିନିଧି ପଠାଇବାର ଆବଶ୍ୟକତା ପଡେ ନାହିଁ । ମାତ୍ର ସାଂସଦଙ୍କ ପାଖକୁ ଯିବା ଯଥେଷ୍ଟ କାରଣ ସେମାନଙ୍କ ସହିତ ଆପଣମାନଙ୍କର ନିତିଦିନିଆ ସମ୍ପର୍କ ଥାଏ । କିନ୍ତୁ ତା ଯୋଗୁ କଣ ହେଲା ? ସରକାର ଡରିଗଲେ ଏବଂ ନେଇଥିବା ପଦକ୍ଷେପ ବାତିଲ କଲେ ଏବଂ କଥା ଯେଉଁଠି ଥିଲା ସେଠି ରହିଗଲା । ମୋତେ ଲାଗେ ଯେ ବେଳେ ବେଳେ କୌଣସି କଥା ଦୀର୍ଘକାଳୀନ ଭିତ୍ତିରେ ଭଲ ପ୍ରଭାବ ପକାଇଥାଏ । ଚଳିତ ବଜେଟର ଉତ୍ପାଦ ଶୁଳ୍କ ବା Excise duty ପ୍ରଥମ ଥର ପାଇଁ ଆପଣମାନଙ୍କୁ ବାଧ୍ୟ କରିଛି ଏ କଥା ବୁଝିବା ପାଇଁ ଯେ ସରକାର କଣ ? କାରଣ ଆପଣ ସରକାରକୁ ଚିହ୍ନି ନଥିଲେ, ଆପଣ ଖାଲି ଚିହ୍ନୁଥିଲେ Excise Officerଙ୍କୁ । ଏହିଠାରୁ ଭୁଲ ଆରମ୍ଭ ହୁଏ । ଆପଣ ଭାବୁଥିଲେ ଯେ Excise Officerଙ୍କୁ ଦେଖାକରି ଦେଲେ କାମ ସରିଗଲା । ହେଲେ, ସରକାର ବଦଳି ସାରିଛି, ଆଜ୍ଞା ।

ପ୍ରଥମ ଥର ଆପଣ ଜାଣିଲେ ଯେ ସରକାର କଣ ଏବଂ ପ୍ରଥମ ଥର ସରକାର ଜାଣି ପାରିଲେ ଯେ ଏହି ବ୍ୟବସାୟରେ କେତେ ସୂକ୍ଷ୍ମ କଥା ରହିଛି, କେତେ ଅସୁବିଧା ରହିଛି । ଅଧିକାରୀମାନଙ୍କ ସହ କଥାବାର୍ତ୍ତା ବେଳେ ମୁଁ ସେମାନଙ୍କୁ ପଚାରୁଥିଲି ଯେ ଯେଉଁ କଥା ଏହି ଉଦ୍ୟୋଗ ତରଫରୁ ଆସିଛି ତାହା କଣ ଆଗରୁ କେବେ ହେଲେ ମୁଣ୍ଡକୁ ଆସିନଥିଲା ? ସେମାନେ କହିଲେ – ନା ସାର୍, ଆଗରୁ ଏ କଥା ଆଡକୁ ଦୃଷ୍ଟି ପଡିନଥିଲା । ଅର୍ଥାତ୍ ଅଲୋଚନାର ଅଭାବ ତାହା ପୁଣି ଏତେ ବଡ ଉଦ୍ୟୋଗ କ୍ଷେତ୍ରରେ । ଏହା ସ୍ୱୟଂ ସରକାରଙ୍କ ପାଇଁ ଅନ୍ତର୍ଦୃଷ୍ଟିର ଆବଶ୍ୟକତାକୁ ସୂଚାଇବା ପାଇଁ ଯଥେଷ୍ଟ । ତେଣୁ ଏଥରର Excise ର ନିଷ୍ପତ୍ତି, ହୁଏତ ଆପଣଙ୍କୁ କିଛି ଖର୍ଚ୍ଚ କରିବାକୁ ପଡିଥିବ, ବିଜ୍ଞାପନ ଦେବାକୁ ପଡିଥିବ, ଆନ୍ଦୋଳନ କରିବାକୁ ପଡିଥିବ, କୁଶ ପୁତ୍ତଳିକା ଦାହ କରିବା ପାଇଁ ପେଟ୍ରୋଲ ଆଣିବାକୁ ପଡିଥିବ, ଅନେକ କିଛି କରିବାକୁ ପଡିଥିବ । ହେଲେ ଏସବୁ ଖର୍ଚ୍ଚ ଦ୍ୱାରା ଲାଭ ଏହା ହେଲା ଯେ, ସରକାର ଏବଂ ଆପଣମାନଙ୍କ ମଧ୍ୟରେ ଗଭୀର ଆଲୋଚନା ହେଲା, ଏହା ହିଁ ତ ଗଣତନ୍ତ୍ରର ଶକ୍ତି, ଆଜ୍ଞା । ନିଜ କଥା ନିଜ ଢ଼ଙ୍ଗରେ କରିବାର ଅଧିକାର ଆପଣମାନଙ୍କର ମଧ୍ୟ ରହିଛି । ଏବଂ ଆପଣଙ୍କ କଥା ବୁଝିବାର ଭରପୁର ପ୍ରଚେଷ୍ଟା କରିବା ସରକାରଙ୍କର ଦାୟୀତ୍ୱ । ଯଦି ଆମେ ଆଗରୁ ହିଁ ଭୟଭୀତ ହୋଇଯାଇ ଥାଆନ୍ତୁ, ସାଂସଦମାନଙ୍କ କଥା ମାନି ନେଇଥାନ୍ତୁ ତେବେ ପୁଣି ହୁଏତ 25-30-40 ବର୍ଷ ପରେ କୌଣସି ସରକାରକୁ ଆପଣଙ୍କ କଥା ମନେ ପଡିଥାଆନ୍ତା । ସେ ପୁଣି 1%-2% କଥା ଉଠାଇଥାନ୍ତେ । ହେଲେ ସମସ୍ୟାର ସମାଧାନ ହୋଇ ନଥାନ୍ତା ।

ଆପଣମାନେ ଭାବୁଥିବେ ଯେ ମୋଦୀ ମୁଣ୍ଡ ନୁଆଇଁ ନାହିଁ । ମୋଦୀ ନିଜ କଥାରେ ଜିଦ୍ ଧରି ବସିଛି । ହେଲେ ପ୍ରଶ୍ନ ମୋଦୀର ନୁହଁ । ପ୍ରଶ୍ନ ହେଉଛି, ସମସ୍ୟାର ସମାଧାନ କିପରି ହେବ । ସେଥିପାଇଁ ଆମେ କମିଟି ଗଠନ କଲୁ । କମିଟିରେ ଆପଣଙ୍କ ଲୋକ ରହନ୍ତୁ । ଆପଣଙ୍କ ପ୍ରତିଟି କଥାକୁ ଶୁଣିବାର ପ୍ରଚେଷ୍ଟା କରାଗଲା । ଭବିଷ୍ୟତରେ ମଧ୍ୟ ସରକାର ଯେତେବେଳେ କିଛି ନିଷ୍ପତ୍ତି ଗ୍ରହଣ କରିବ ସେତେବେଳେ ଏହି ସବୁ କଥା ଦେଶର ଅର୍ଥବ୍ୟବସ୍ଥାର ସାମଗ୍ରୀକ ବିକାଶ ପାଇଁ ଖୁବ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରିବ ବୋଲି ମୋର ବିଶ୍ୱାସ ।

ଯାହା ଜିତୁ ଭାଇ କହୁଥିଲେ ଯେ 28 ଫେବୃଆରୀ ଦିନ ବଜେଟ୍ ଉପସ୍ଥାପିତ ହେଲା । ମାର୍ଚ୍ଚ 3 ତାରିଖ ଦି ମୋଜୀଜୀଙ୍କ ସହ ସାକ୍ଷାତ ହେଲା । କହିଲେ ଯେ ଆଗରୁ ତ କେହି ଦେଖା କରୁନଥିଲେ । ଦେଖନ୍ତୁ, ସରକାର ଆପଣଙ୍କର, ଏହାର ଦ୍ୱାର ଆପଣଙ୍କ ପାଇଁ ସବୁଦିନ ପାଇଁ ଖୋଲା । ନିଜ କଥାକୁ ଅଭିମାନ ସହ ଉପସ୍ଥାପିତ କରିବାର ଅଧିକାର ମଧ୍ୟ ଆପଣଙ୍କ ରହିଛି । କାରଣ ଯଦି ସରକାର ଆଲୋଚନା କରୁନାହିଁ, ଯଦି ଆଲୋଚନା ହେଉନାହିଁ ତେବେ ସମସ୍ୟାର ସମାଧାନ ମଧ୍ୟ ହୋଇ ପାରିବନି ଏବଂ ଭଲ ହେଲା ଯେ Excise ମଧ୍ୟ ରହିଲା ଓ ସମସ୍ୟାର ସମାଧାନ ମଧ୍ୟ ହେଲା ।

ଆପଣ ଭାବୁଥିଲେ ଯେ Excise ହଉ ସେ ସବୁ ଠିକ୍, ଆପଣମାନଙ୍କ ପୁରୁଣା ଅନୁଭୂତି ଥିଲା ତେଣୁ ଆପଣମାନଙ୍କୁ ଭୟ ଲାଗିବା ସ୍ୱାଭାବିକ । କିନ୍ତୁ ଏହି ପରିବର୍ତ୍ତିତ ପରିସ୍ଥିତିରେ ଆପଣ ଆନନ୍ଦ ଅନୁଭବ କରିବେ ଯେ ନିୟମ ଭିତରେ ରହି କାମ କଲେ କେତେ ଖୁସି ଲାଗେ । ରାତିରେ କେତେ ଭଲ ନିଦ ହୁଏ । ଯେଉଁ ଭୟର ବାତବରଣ ଥିଲା ତାହାକୁ ଆମେ ସମାପ୍ତ କରିଦେଇଛୁ ।

ଇତି ମଧ୍ୟରେ ମୁଁ ଅଫିସରମାନଙ୍କ ସହ ଗୋଟିଏ ବୈଠକ କରିଥିଲି । ସେତେବେଳେ ମଧ୍ୟ ମୁଁ କହିଥିଲି ଯେ ନାଗରିକମାନଙ୍କୁ ଆମେ ରାଷ୍ଟ୍ର ଗଠନ ବା Nation Building ରେ ସହଭାଗୀ ଭାବରେ ଗ୍ରହଣ କରିବା, କରଦାତାମାନଙ୍କୁ ଆମେ ଚୋର ବୋଲି ଭାବିବା ନାହିଁ । ଏହା ମୋର ସ୍ପଷ୍ଟ ମତ । କିନ୍ତୁ ଏକଥା ଠିକ୍ ଯେ ଆମର ଏଠାରେ କଣ ସବୁ ଚାଲେ ତାହା ଆପଣମାନେ ମଧ୍ୟ ଜାଣିଛନ୍ତି । ବଡ ବଡ ଲୋକଙ୍କୁ ଜେଲ ଯିବାକୁ ପଡିଛି, ମୋର ମନେ ଅଛି । ଏହି ସରକାର ଏ ଯାବତ ସେ କଥା ଆରମ୍ଭ କରିନାହାନ୍ତି । ମୁଁ ତ ପୁରୁଣା କଥା କହୁଛି । ଆମରି ଭିତରେ କିଛି ଲୋକ ଅଛନ୍ତି ଯେଉଁମାନଙ୍କ ଯୋଗୁ ବଦନାମ ହେବାକୁ ପଡେ । କିନ୍ତୁ ଏହା ଆବଶ୍ୟକ । ଯେମିତି କି ପ୍ରବିଣଜୀ ସୁରତର ଉଦାହରଣ ଦେଉଥିଲେ । ଦିନେ ସୁରତର (ସୁରାଟ) ମଧ୍ୟ ସେହି ଛବି ଥିଲା । କିନ୍ତୁ ସେ ସମସ୍ତ ଆଇନକୁ ପାଳନ କରି ନିଜକୁ ଆଧୁନିକ କଲେ । ତେଣୁ ଆଜି ସେମାନେ ବିଶ୍ୱ ଦରବାରରେ ପ୍ରତିଦ୍ୱନ୍ଦ୍ୱିତା କରିପାରୁଛନ୍ତି । ଆପଣ ମଧ୍ୟ କରିପାରିବେ । ମୁଁ ଆପଣଙ୍କ ସାଙ୍ଗରେ ଠିଆ ହୋଇଛି ।

ବିଶ୍ୱରେ ଗହଣା ବଜାର ଏତେ ବଡ, ଏହାର ଅଭିବୃଦ୍ଧି ଏତେ ଅଧିକ ଯେ ତାହା ତୁଳନାରେ ଆମେ ବହୁତ ପଛରେ ରହିଛୁ । ବିଶ୍ୱରେ ଗୋଟିଏ ଜିନିଷର ବହୁତ ଚାହିଦା ରହିଛି ଏବଂ ଏହା ପୂରଣ କରିବାର ଶକ୍ତି ଆମ ପାଖରେ ଅଛି । କିନ୍ତୁ ଆମେ ଏହା ସହ ତାଳ ଦେଇ ଚାଲିପାରୁନାହୁଁ । ସାରା ବିଶ୍ୱରେ ହାତ ତିଆରି ପାରମ୍ପରିକ ଆଭୁଷଣ ବା ଅଳଙ୍କାର ପାଇଁ ବହୁତ ସଉକ ରହିଛି । ମୁଁ ଠିକ୍ କହୁଛି ନା ? ମୁଁ ଗହଣା ବ୍ୟବସାୟ ଆରମ୍ଭ କରିବାକୁ ଚାହୁନି, ବ୍ୟସ୍ତ ହୁଅନ୍ତୁନି ।

ଯେତେବେଳେ ମୁଁ ଗୁଜରାଟରେ ଥିଲି ଗହଣା ବ୍ୟବସାୟୀମାନଙ୍କ ସହିତ ପ୍ରାୟ ସାକ୍ଷାତ କରୁଥିଲି । ମୁଁ ଗହଣା ତିଆରିର କୌଶଳ ବିକାଶ ପାଇଁ ଶିକ୍ଷାନୁଷ୍ଠାନ ଆରମ୍ଭ କଲି କାରଣ ମୁଁ ଜାଣିଛି ଏହାର ଶକ୍ତି କଣ । ଆମର ପାରମ୍ପରିକ ହାତ ତିଆରି ଅଳଙ୍କାର କ୍ଷେତ୍ରରେ ଗୁରୁ ଶିଷ୍ୟ ପରମ୍ପରା ରହିଛି । ଏଭଳି କ୍ଷେତ୍ର ଖୁବ୍ କମ ଯେଉଁଠି ଗୁରୁ-ଶିଷ୍ୟ ପରମ୍ପରା ରହିଛି, ସେଥିରୁ ଗୋଟିଏ ହେଲା Jewellery । ବଣିଆ ପାଖରେ କାମ କରୁଥିବା ଲୋକେ, କୋଇଲା ଚୁଲି ଜଳାଉଥିବା ଲୋକେ ଧିରେ ଧିରେ ବଣିଆ ପାଲଟି ଯାଏ । ସେଠାରେ ଗୁରୁ-ଶିଷ୍ୟ ପରମ୍ପରା ଯୋଗେ କିଛି ହିତ ସାଧନ ମଧ୍ୟ ହୋଇଛି ଆଉ କିଛି ବାଧାବିଘ୍ନ ମଧ୍ୟ ଆସିଛି । ଗୁରୁଙ୍କ ପାଖରେ ଯାହା କିଛି ଜ୍ଞାନ ଥିଲା ତାହା ଶିଷ୍ୟ ପାଇଗଲା, ସେ ଭାବିଲା ଯେ ଗୋଟିଏ ପିଢ଼ି ଚାଲିଗଲା । ନୂଆ ଜିନିଷ ଖୋଜିବା, ନୂଆ ଜିନିଷ କରିବା, ନୂଆର ପ୍ରୟୋଗ କରିବା ଭଳି କଥା ଖୁବ୍ କମ ହେଲା ତେଣୁ ବିଶ୍ୱସ୍ତରରେ ଆମେ ପଛରେ ପଡିଗଲୁ । ଆମ ପାଖରେ ହଜାର ହଜାର ବର୍ଷ ପୁରୁଣା ପରମ୍ପରା ଅଛି । ସୁନା କେମିତି ବାହାର କରାଯାଏ ସେ ବିଷୟରେ ବେଦକାଳୀନ ଗ୍ରନ୍ଥରେ ମଧ୍ୟ ଉଲ୍ଲେଖ ରହିଛି । ଆମର ପୂର୍ବ ପୁରୁଷମାନେ ହିଁ ତ ଏହି କଥା ଲେଖିଛନ୍ତି।

ଆମର ଏତେ ପୁରୁଣା ପରମ୍ପରା ଥାଇ ମଧ୍ୟ ବିଶ୍ୱସ୍ତରରେ ଆମେ ପ୍ରଭାବ ବିସ୍ତାର କରିପାରିନାହୁଁ । ଆମକୁ ଏହି ଆହ୍ୱାନକୁ ସ୍ୱୀକାର କରିବାକୁ ହେବ। ବର୍ତ୍ତମାନ ଯୁଗରେ ନୂଆ ନୂଆ ଡିଜାଇନ, ଉତ୍ତମ ଗୁଣମାନ, ତ୍ରୁଟିଶୂନ୍ୟ ସାମଗ୍ରୀ (Zero defect) ସହ ଦୀର୍ଘସ୍ଥାୟୀ ହେବାର ଆବଶ୍ୟକତା ରହିଛି । ନଚେତ କିଛି ଜିନିଷ ଆସୁଛି, ସୁନ୍ଦର ଦେଖାଯାଉଛି । କିଛି ମାସ ପରେ ଚାଲିଯାଉଛି । ସେଥିରେ ଗୋଟିଏ ନୂଆ ପ୍ରକାରଭେଦ (Tag) ଲାଗୁଛି । ମୁଁ କହିବାକୁ ଚାହୁଁନାହିଁ । ଆମେ ଚାହୁଁ – ଏହା ଭାରତରେ ତିଆରି, ଆଖିବୁଜି କିଣିନିଅ, ନିଶ୍ଚିତ ଭାବେ ବଢ଼ିଆ ଜିନିଷ । ଏଭଳି ଚିନ୍ତାଧାରା ସୃଷ୍ଟି ହେଉ । Make in India ଏତିକି ଯଥେଷ୍ଟ ନୁହେଁ ଯେ ଏଠି ତିଆରି ହେଉଛି ଏବଂ ଏଠି ରୋଜଗାର ମିଳୁଛି, ଏହାର ଗୋଟିଏ ସ୍ଥିତି ଏଭଳି ହେବା ଉଚିତ ଯେ, ସାରା ଦୁନିଆରେ Make in India ଦେଖିବା ମାତ୍ରେ ଏହି ଧାରଣା ସୃଷ୍ଟି ହେବା ଦରକାର ଯେ ଆଖୁବୁଜି ଗୋଟାଏ ଭାରତୀୟ ସାମଗ୍ରୀ ଖର୍ଦ୍ଦି କରାଯାଇ ପାରିବ । ଏହା ଗୋଟିଏ Brand, କିଣିନିଅ ।

ଏହି ବିଶ୍ଵସନୀୟତା(credibility) ସୃଷ୍ଟି କରିବା ପାଇଁ ନବସୃଜନ(innovation)ର ବହୁତ ଆବଶ୍ୟକତା ରହିଛି । ଖୁବ ଆବଶ୍ୟକତା ରହିଛି । ନବସୃଜନ ପାଇଁ ଗୋଟିଏ ବାତାବରଣ ସୃଷ୍ଟି କରିବାକୁ ହୁଏ । ସରକାରଙ୍କ ଯେଉଁ ଦକ୍ଷତା ବିକାଶ ମିସନ (Skill Development Mission) ଚାଲିଛି ସେଥିରେ ରତ୍ନପଥର ଓ ଆଭୂଷଣ(ଅଳଙ୍କାର) ଉଦ୍ୟୋଗର ଲୋକେ ସହଭାଗୀ ହୁଅନ୍ତୁ । ତାଙ୍କ ଦୃଷ୍ଟିକୋଣରୁ ଆମେ ପାଠ୍ୟକ୍ରମ (Syllabus) ପ୍ରସ୍ତୁତ କରିବା ଏବଂ ମୁଁ ଭାବୁଛି ଯେ ସରକାରରେ ବସିଥିବା ଲୋକଙ୍କ ଅପେକ୍ଷା ଏହି କ୍ଷେତ୍ରରେ ଆପଣମାନଙ୍କ ଦୃଷ୍ଟିକୋଣ ଅଧିକ ସ୍ପଷ୍ଟ ହୋଇଥିବ, ଆପଣମାନେ ଜାଣିଥିବେ ଯେ ବର୍ତ୍ତମାନର ଆବଶ୍ୟକତା କଣ, କଣ କରାଯିବା ଉଚିତ । ଆପଣ ଯେଉଁ University କଥା କହୁଛନ୍ତି, ଆପଣମାନେ ଜାଣି ରଖନ୍ତୁ ଯେ ବରୋଦାରେ Skill University ସ୍ଥାପନା ସରିଯାଇଛି । ରତ୍ନ ଓ ଆଭୂଷଣ ଉଦ୍ୟୋଗର ଲୋକେ ଏହା ସହିତ ଜଡିତ ହୁଅନ୍ତୁ ଏବଂ ଏଥିପାଇଁ ପାଠ୍ୟକ୍ରମ ପ୍ରସ୍ତୁତ କରାନ୍ତୁ । ଯେମିତି ଆପଣଙ୍କୁ ଦରକାର ସେମିତି । ମାନବ ସମ୍ବଳ ବିକାଶ ପାଇଁ ସମ୍ଫୂର୍ଣ୍ଣ ସୁବିଧା ରହିବ । ମୋ ମତରେ ଦୁଇଟି କଥା ଉପରେ ଗୁରୁତ୍ୱ ଦିଆଯିବା ଉଚିତ – ଗୋଟିଏ ମାନବ ସମ୍ବଳ ବିକାଶ ଏବଂ ଅନ୍ୟଟି ଜ୍ଞାନକୌଶଳର ଆଧୁନିକୀକରଣ । ଦେଖନ୍ତୁ, ସୁରତର ହୀରା ବିଶ୍ୱରେ ପ୍ରସିଦ୍ଧି ଲାଭ କରିପାରିଲା କାରଣ ସେମାନେ ଜ୍ଞାନକୌଶଳ ଆଧୁନିକୀକରଣରେ ଅବହେଳା କରିନାହାନ୍ତି । Diamond Cutting (ହୀରା କାଟିବା)ରେ ହେଉଥିବା ବିଭିନ୍ନ ଅସୁବିଧା ଯୋଗୁ ନୂଆ କାରିଗର ଆସିବା ମାତ୍ରେ ସେମାନେ ଏହାର ପ୍ରୟୋଗ କଲେ । ଏଥିପାଇଁ Laser କୌଶଳ ବାହାରିଲା ତ ସେମାନେ ତୁରନ୍ତ ଏହାକୁ ଗ୍ରହଣ କଲେ । ସେହି କାରିଗରୀ ଆମରି ଦେଶରେ ବିକଶିତ ହୋଇଛି । ଯାହା ସ୍ୱୀକୃତି ଲାଭ କରିଛି । ତେଣୁ କହିବାର ତାତ୍ପର୍ଯ୍ୟ ହେଲା ଆମେ ଚାହିଁଲେ ଏହି ସବୁ କାମ କରିପାରିବା ।

ଏ କଥା ସତ ଯେ ଭାରତରେ ସୁନା, ସାମାଜିକ ପ୍ରତିଷ୍ଠା ସହ ଜଡିତ । ତେଣୁ ଘରେ ଘରେ ସୁନା ଥାଏ କିନ୍ତୁ ବର୍ଷକୁ ଦୁଇ ଚାରି ଥର ସୁନା ଗହଣା ପିନ୍ଧିବାର ଅବସର ଆସେ । ଅନ୍ୟ ସମୟରେ ଏହା ମୃତ ଅର୍ଥ (Dead Money) ଆକାରରେ ପଡିରହିଥାଏ । ଦେଶର ବିକାଶ ପାଇଁ ଏହାକୁ କି ପ୍ରକାର କାର୍ଯ୍ୟରେ ଲଗାଯାଇପାରିବ ସେଥିପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି । ଆପଣମାନେ ମଧ୍ୟ ଆପଣଙ୍କ ଗ୍ରାହକଙ୍କୁ ବୁଝାଇ ପାରନ୍ତି ଯେ ଭାଇ ତୁମ ସୁନା କୁଆଡେ ଯିବନି ତୁମେ ସେଠି ରଖ । ଦରକାର ହେଲେ ନେଇ ଆସିବ । ଏହା ଦ୍ୱାରା ଦେଶର ଅର୍ଥ ବ୍ୟବସ୍ଥା ସୁଦୃଢ଼ ହେବ । ଦେଶର ଅର୍ଥ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଆମେ ଯୋଗଦାନ କରିବା ଉଚିତ । ଯାହା ସୁବିଧା ଦରକାର, ଯେଉଁଠି ସୁବିଧା ଦରକାର . . ., ସରକାର ଏହା ସ୍ପଷ୍ଟ ଭାବେ ସ୍ୱୀକାର କରୁଛନ୍ତି ଯେ, ଏହା ସର୍ବାଧିକ ରୋଜଗାର ସୃଷ୍ଟି କରିବାର କ୍ଷମତା ଥିବା କ୍ଷେତ୍ର । ଯାହାର ସମ୍ଭାବନା ଏବଂ ସାମର୍ଥ୍ୟ ଏଯାଏ ସଦୁପଯୋଗ ହୋଇପାରିନାହିଁ । ଏଥିରେ ଆମେ ବହୁତ ପଛରେ ରହିଛୁ । କିନ୍ତୁ ଆମ ଘରୋଇ ବଜାର ଏତେ ବଡ ଯେ ନୂଆ କିଛି କରିବାର ଆଗ୍ରହ ହିଁ ରହୁନାହିଁ । ଆମର ସବୁଠାରୁ ବଡ ସମସ୍ୟା ହେଲା ଯେ ଆମର ଘରୋଇ ବଜାର ଖୁବ୍ ବଡ । ଶହେ ପଚିଶ କୋଟି ଲୋକ । ବର୍ଷକୁ ଦୁଇ କୋଟି ବାହାଘର ହେଲେ ବି ଆପଣଙ୍କର ଲାଭ ହିଁ ଲାଭ । ସେଥିପାଇଁ ବିଶ୍ୱବଜାର ଆଡକୁ ଦୃଷ୍ଟି ଦେବାକୁ ଆପଣଙ୍କର ଆଗ୍ରହ ରହୁନାହିଁ । ମୋର ଆପଣମାନଙ୍କୁ ନିବେଦନ ହେଲା ଯେ ଘରୋଇ ବଜାରର ସଂକୁଚିତ ଚିନ୍ତାଧାରାରୁ ବାହାରି ନ ଆସିବା ଯାଏ କୌଣସି ବଡ ଉପଲବ୍ଧି ସମ୍ଭବ ହେବନାହିଁ । ଏ କଥା ସତ ଯେ ଘରୋଇ ବଜାର ଖୁବ୍ ବଡ, ଆପଣ ଏହାର ଚାହିଦା ମଧ୍ୟ ସମ୍ପୂର୍ଣ୍ଣ ଭାବେ ପୂରଣ କରି ପାରୁନଥିବେ । କିନ୍ତୁ ବିଶ୍ୱ ବଜାରକୁ ଦେଖିଲେ ଆପଣ ଅନୁଭବ କରିବେ ଯେ ଘରୋଇ ବଜାରକୁ ଆପଣଙ୍କ ଉପଜାତ ସାମଗ୍ରୀ (by product) ହିସାବରେ ମାଲ ଯୋଗାଇ ପାରିବେ । କୌଣସି ସମସ୍ୟା ହେବନାହିଁ ଏବଂ ଏଥିପାଇଁ ଯାହା ଆବଶ୍ୟକ ତାହା ଚିନ୍ତା କରାଯିବ ।

ଆଜି ତ ଆପଣ ପ୍ରଶଂସାରେ ଲଦି ଦେଇଛନ୍ତି, ତେଣୁ କାଲିର ଖବର କାଗଜରେ କିଛି ବାହାରିବନି । ଏଣୁ ତେଣୁ କିଛି କଥା କହିଲେ କିଛି ବାହାରନ୍ତା ଆପଣ ଏହାକୁ ଗୋଟିଏ ସୁଯୋଗରେ ପରିଣତ କରିବା ଉଚିତ । ଯେତେ ଅଗ୍ରସର ହୋଇପାରିବା, ହେବା ଉଚିତ । ପ୍ରବୀଣଜୀ ପରେ କହିଲେ ଯେ ଏବେ କଳାଧନରୁ ମୁକ୍ତ ହେବା ଉଚିତ । ସେତେବେଳେ ବହୁତ କମ କରତାଳି ବାଜିଲା । ମୁଁ ସତ କହୁଛି ଏବଂ ମୁଁ ଆପଣମାନଙ୍କ ମାଧ୍ୟମରେ ଦେଶର ଜନସାଧାରଣଙ୍କୁ ମଧ୍ୟ କହିବାକୁ ଚାହୁଁଛି ଯେ ଆମେ କାହିଁକି ଏଇ ବୋଝ ମୁଣ୍ଡାଇ ବସିଛୁ, ଆଜ୍ଞା । ଶାନ୍ତିରେ ଶୋଇବା, ଭଲ ନିଦ ହେବ, ଜୀବନରେ ଏହାଠାରୁ ବଡ ଆନନ୍ଦ ଆଉ କଣ ଅଛି ? ଆୟକର ଅଧିକାରୀମାନଙ୍କୁ କାହିଁକି ଡରିବା ? ସରକାରଙ୍କୁ କାହିଁକି ଭୟ କରିବା ? ଏହି ପରିସ୍ଥିତିକୁ ବଦଳାଇବାର ସବୁଠାରୁ ବଡ ଉପାୟ ହେଲା, ଯାହା କିଛି ଅଛି, ସେପ୍ଟେମ୍ବର 30 ପୂର୍ବରୁ ଘୋଷଣା କରିଦିଅ । କାରଣ ମୁଁ ଚାହୁଁନି ଯେ 30 ସେପ୍ଟେମ୍ବର ପରେ କାହାରି ନିଦ୍ରାରେ ବ୍ୟାଘାତ ଘଟୁ । ଶହେ ପଚିଶ କୋଟି ଦେଶବାସୀ ସୁଖ ଶାନ୍ତିରେ ଶୁଅନ୍ତୁ । ସେହି କଥା ମୁଁ ଚାହୁଁଛି ଆଜ୍ଞା । ଏବଂ ମୁଁ ସେ ପାପକର୍ମ ମଧ୍ୟ କରିବାକୁ ଚାହୁନି ଯାହା 30 ସେପ୍ଟେମ୍ବର ଦିନ ମୋତେ କରିବାକୁ ପଡିପାରେ । ତେଣୁ ମୁଁ ଆପଣଙ୍କୁ ନିମନ୍ତ୍ରଣ କରୁଛି । ଆପଣଙ୍କ ସାଙ୍ଗରେ ଜଡିତ ଥିବା ଲୋକଙ୍କୁ ଆପଣ ସହଜରେ କହି ଦିଅନ୍ତୁ କାରଣ ସେମାନେ ସବୁବେଳେ ଆପଣଙ୍କ ସହ ସମ୍ପର୍କ ରକ୍ଷା କରୁଛନ୍ତି ।

ଏହି Association ବା ସଂଗଠନର ଲୋକେ ମନ ଖୋଲି ମୋତେ ସବୁକଥା କହିଲେ । ଅନ୍ୟଥା ସରକାରୀ ଲୋକ କେହି କହୁନାହାନ୍ତି । ଯେତେବେଳେ Lahiri committee ଗଠିତ ହେଲା ସେତେବେଳେ ଆପଣମାନଙ୍କ ଲୋକ ମିଶି କରି ଆସିଲେ, କହୁଥିଲେ ଆଜ୍ଞା, ଲୋକ ଆମ ପାଖକୁ ଠେଲା ଗାଡିରେ ଟଙ୍କା ଲଦି ଆସୁଥିଲେ । ଆମକୁ କାହିଁକି ଏ ଧନ୍ଦାରେ ପକାଉଛନ୍ତି । ଆରେ ଆପଣ ଅନେକ ସତକଥା କହିଦେଲେ । ତା ମାନେ ଆପଣ ସେ ସମସ୍ତଙ୍କୁ ଜାଣିଛନ୍ତି । ଏବେ ଆପଣ ମୋ ବାର୍ତ୍ତା ତାଙ୍କ ପାଖକୁ ପହଞ୍ଚାଇ ଦିଅନ୍ତୁ ନା । କାରଣ ଏହା ଆପଣଙ୍କ ହିଁ କ୍ଷେତ୍ର ଯେଉଁଠି ସେମାନଙ୍କୁ ସର୍ବାଧିକ ସୁବିଧା ମିଳୁଛି । ତା ପରେ ଅଛନ୍ତି ଜମିବାଲା, ତାଙ୍କ ପରେ ରହିଛି କୋଠାବାଡି ନିର୍ମାଣ(Building Construction)ର ଦୁନିଆ । ଆପଣ ସବୁଠାରୁ ଆଗରେ ଅଛନ୍ତି । ଆପଣ ମୋତେ ସାହାଯ୍ୟ କଲେ ତାହା ଦେଶ ପାଇଁ ମଧ୍ୟ ଗୋଟିଏ ସାହାଯ୍ୟ ହେବ ।

ତେବେ ଆପଣ ଲକ୍ଷ୍ୟ କରିଥିବେ, ଆଲୋଚନା ଦ୍ୱାରା କେତେ ପ୍ରଭାବ ପଡେ । ଆମେ ଆରାମରେ ଆମ ଅସୁବିଧା ଗୁଡିକୁ ଉପସ୍ଥାପନ କରିପାରୁ । ପ୍ରବୀଣଜୀ ଆପଣ ଏତେ ଛୋଟ ଜିନିଷ କଥା ମାଗୁଛନ୍ତି, ଜଣେ ମନ୍ତ୍ରୀ କଣ ଦେଇପାରିବ ? ଗୋଟିଏ Department, ଗୋଟିଏ ମନ୍ତ୍ରଣାଳୟ । ଆରେ ଭାଇ, ପୁରା ପ୍ରଧାନମନ୍ତ୍ରୀକୁ ନେଇଯାଅ । ଦେଶର ଉନ୍ନତି ପାଇଁ, Make in India ପାଇଁ ଏବଂ ବିଶ୍ୱସ୍ତରରେ ଆପଣଙ୍କ ଶକ୍ତି ବୃଦ୍ଧି ପାଇଁ ଏହି ସରକାର ସର୍ବଦା ଆପଣଙ୍କ ସାଥୀରେ ଅଛି । ପ୍ରଧାନମନ୍ତ୍ରୀ ସ୍ୱୟଂ ଆପଣଙ୍କ ସାଥୀରେ ଅଛନ୍ତି । ତେଣୁ ଛୋଟ ମନ୍ତ୍ରଣାଳୟ ସହିତ ଦ୍ୱନ୍ଦ୍ୱରେ ପଡନ୍ତୁ ନାହିଁ ଆଜ୍ଞା, ମୁଁ ନିଜେ ଆପଣଙ୍କ ପାଇଁ ବସିଛି । କିନ୍ତୁ ମୁଁ ଆପଣଙ୍କୁ ନିମନ୍ତ୍ରଣ କରୁଛି । ଆଗରୁ ଯାହା କରୁଥିଲେ ସେ ସବୁ ଛାଡନ୍ତୁ, ବହୁତ ହୋଇଗଲା, ଆଉ କଣ ଦରକାର । ଏବେ ନୂଆ ନିୟମ ହୋଇଛି, ନୂଆ ବ୍ୟବସ୍ଥା ହୋଇଛି, ହିତ ପାଇଁ ହୋଇଛି, ଦେଶର ଉନ୍ନତି ପାଇଁ ହୋଇଛି । ଆସନ୍ତୁ ମିଳିମଶି କାମ କରିବା, ଦେଶକୁ ଉନ୍ନତିର ନୂତନ ଶିଖରକୁ ନେଇଯିବା ।

ଆପଣମାନେ ମୋତେ ସ୍ୱାଗତ ଜଣାଇଥିବାରୁ ମୋତେ ସମ୍ମାନିତ କରିଥିବାରୁ ମୁଁ ଆପଣମାନଙ୍କ ନିକଟରେ କୃତଜ୍ଞତା ପ୍ରକାଶ କରୁଛି । ମୁଁ ଭରସା ଦେଉଛି ଯେ କେବେ ବି କାହାକୁ ଅସୁବିଧା ହେବା ପରି କଥା ଆମେ ଚିନ୍ତା କରିପାରିବୁନି ଏବଂ ଆପଣମାନେ ସରକାରୀ ବ୍ୟବସ୍ଥାକୁ ଗ୍ରହଣ କରିଥିବାରୁ ମୁଁ ଖୁସି । ଗ୍ରହଣ କରିବାର ମୂଳ କାରଣ ହେଉଛି ବିଶ୍ୱାସ । ହୁଏତ ଏହି ସରକାର ଉପରେ ମଧ୍ୟ ଆପଣଙ୍କର ଭରସା ନଥାନ୍ତା, ଆଜି ମଧ୍ୟ ଆପଣ କୁଶପୁତ୍ତଳିକା ଦାହ କରୁଥାନ୍ତେ, କାମ ହୋଇନଥାନ୍ତା, କିନ୍ତୁ ଏହା ହେଲା । କାରଣ ସରକାର ଉପରେ ଆପଣଙ୍କର ଭରସା ଅଛି । ଗଣତନ୍ତ୍ରରେ ବିଶ୍ୱାସ ସବୁଠାରୁ ବଡ ପୁଞ୍ଜି । ଜନସାଧାରଣଙ୍କ ପ୍ରଶାସନ ପ୍ରତି ଏବଂ ପ୍ରଶାସନର ଜନସାଧାରଣଙ୍କ ପ୍ରତି ଏହି ବିଶ୍ୱାସ ହିଁ ତ ଆମକୁ ଯୋଡିଥାଏ ଆଉ ଆମେ ଯୋଡି ହେଲେ କିଛି କରିବା ପାଇଁ ଏକଜୁଟ ହେଉ । ମୋର ବିଶ୍ୱାସ ଯେ ଆମେ ଦେଶ ପାଇଁ ଅନେକ କିଛି କରିବାର ସଂକଳ୍ପ ସହ ଏଠାରୁ ବିଦାୟ ନେବା ।

ବହୁତ ବହୁତ ଧନ୍ୟବାଦ ।