Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ସାଉଦି ଆରବ ଯୁବରାଜଙ୍କ ଭାରତ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀଙ୍କ ପ୍ରେସ ବିବୃତି

ସାଉଦି ଆରବ ଯୁବରାଜଙ୍କ ଭାରତ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀଙ୍କ ପ୍ରେସ ବିବୃତି

ସାଉଦି ଆରବ ଯୁବରାଜଙ୍କ ଭାରତ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀଙ୍କ ପ୍ରେସ ବିବୃତି

ସାଉଦି ଆରବ ଯୁବରାଜଙ୍କ ଭାରତ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀଙ୍କ ପ୍ରେସ ବିବୃତି


 

 

ମହାମହିମ

ଯୁବରାଜ ମହମ୍ମଦ ବିନ ସଲମାନ ବିନ ଅବଦୁଲ-ଅଜୀଜ ଅଲ ସୌଦ,

ସଦେକୀ,

ମରହବା ବିକୁମ ଫିଲ ହିନ୍ଦ ।

ବନ୍ଧୁଗଣ,

ଭାରତକୁ ତାଙ୍କର ପ୍ରଥମ ରାଜକୀୟ ଗସ୍ତ ଅବସରରେ ରୟାଲ ହାଇନେସ ଏବଂ ତାଙ୍କ ସହ ଆସିଥିବା ପ୍ରତିନିଧିଦଳକୁ ସ୍ୱାଗତ କରି ମୁଁ ଅତି ଆନନ୍ଦିତ ଅନୁଭବ କରୁଛି । ଭାରତ ଏବଂ ସାଉଦି ଆରବର ଆର୍ଥିକ, ସାମାଜିକ ଏବଂ ସାଂସ୍କୃତିକ ସମ୍ପର୍କ ଶହ ଶହ ବର୍ଷ ପୁରୁଣା । ଆହୁରି ଏହା ସବୁବେଳେ ସୌହାର୍ଦ୍ଦ୍ୟପୂର୍ଣ୍ଣ ଏବଂ ବନ୍ଧୁତ୍ୱପୂର୍ଣ୍ଣ ରହିଛି । ଆମର ଲୋକମାନଙ୍କ ମଧ୍ୟରେ ଘନିଷ୍ଠ ସମ୍ପର୍କ ଆମ ଦେଶ ପାଇଁ ଏକ ଜୀବନ୍ତ ସେତୁ ଅର୍ଥାତ ଲିଭିଂ ବ୍ରିଜ ଭାବେ ରହିଛି । ମହାମହିମ ରାଜାଙ୍କର, ଏବଂ ରୟାଲ ହାଇନେସ ଆପଣଙ୍କର, ବ୍ୟକ୍ତିଗତ ଆଗ୍ରହ ଏବଂ ମାର୍ଗଦର୍ଶନ ଦ୍ୱାରା ଆମ ଦ୍ୱିପାକ୍ଷିକ ସମ୍ପର୍କରେ ଆହୁରି ପ୍ରଗାଢ଼ତା, ମଧୁରତା ଏବଂ ଶକ୍ତି ଆସିଛି । ଆଜି ଏକବିଂଶ ଶତାବ୍ଦୀରେ, ସାଉଦି ଆରବ, ଭାରତର ସବୁଠୁ ମୂଲ୍ୟବାନ ରଣନୈତିକ ସହଭାଗୀ ମଧ୍ୟରୁ ଅନ୍ୟତମ । ଏହା ଆମର ଘନିଷ୍ଠ ପଡ଼ୋଶୀ, ଏକ ନିବିଡ ବନ୍ଧୁ ଏବଂ ଭାରତର ଶକ୍ତି ସୁରକ୍ଷାର ଗୁରୁତ୍ୱପୂର୍ଣ୍ଣ ସ୍ରୋତ ମଧ୍ୟ । 2016ରେ ସାଉଦି ଆରବକୁ ମୋର ଗସ୍ତ ଅବସରରେ, ଆମେ ନିଜ ସମ୍ପର୍କକୁ ବିଶେଷ କରି, ଶକ୍ତି ଏବଂ ସୁରକ୍ଷା କ୍ଷେତ୍ରରେ ଅନେକ ନୂଆ ଦିଗ ପ୍ରଦାନ କରିଥିଲୁ । ଆପଣଙ୍କ ସହ ଆର୍ଜେଣ୍ଟିନାରେ 2 ମାସ ପୂର୍ବରୁ ହୋଇଥିବା ସାକ୍ଷାତର ଫଳସ୍ୱରୂପ ସୁରକ୍ଷା, ବ୍ୟବସାୟ ଏବଂ ନିବେଶ କ୍ଷେତ୍ରରେ ଆମର ରଣନୈତିକ ଭାଗୀଦାରୀ ଏକ ନୂଆ ବିସ୍ତାରକୁ ଗ୍ରହଣ କରିଛି । ମୁଁ ଆନନ୍ଦିତ ଯେ ଆପଣଙ୍କ ପରାମର୍ଶର ରୂପରେଖ ଅନୁଯାୟୀ, ଆମେ ଦ୍ୱିବାର୍ଷିକ ଶିଖର ସମ୍ମିଳନୀ ଏବଂ ଷ୍ଟାଟେର୍ଜିକ ପାର୍ଟନରସିପ କାଉନସିଲର ପ୍ରତିଷ୍ଠା ଲାଗି ସହମତ ହୋଇଛୁ । ଏହାଦ୍ୱାରା ଆମର ସମ୍ପର୍କକୁ ଦୃଢ଼ତା, ଗତି ଏବଂ ପ୍ରଗତିର ଲାଭ ମିଳିପାରିବ ।

ବନ୍ଧୁଗଣ,

ଆଜି ଆମେ ଦ୍ୱିପାକ୍ଷିକ ସମ୍ପର୍କର ସମସ୍ତ ବିଷୟ ଉପରେ ବ୍ୟାପକ ଏବଂ ଫଳପ୍ରଦ ଆଲୋଚନା କରିଛୁ । ଆମେ ଆମର ଆର୍ଥିକ ସହଯୋଗକୁ ନୂତନ ଉଚ୍ଚତାକୁ ନେଇଯିବା ଲାଗି ନିଷ୍ପତ୍ତି ନେଇଛୁ । ଆମର ଅର୍ଥବ୍ୟବସ୍ଥାରେ ସାଉଦୀ ଆରବରୁ ସଂସ୍ଥାଗତ ନିବେଶକୁ ସୁବିଧା କରିବା ଲାଗି ଆମେ ଏକ ଢାଂଚା ପ୍ରତିଷ୍ଠା କରିବା ଲାଗି ସହମତ ହୋଇଛୁ । ମୁଁ ଭାରତର ଭିତ୍ତିଭୂମିରେ ସାଉଦି ଆରବର ନିବେଶକୁ ସ୍ୱାଗତ କରୁଛି ।

ମହାମହିମ ରୟାଲ ହାଇନେସ୍,

ଆପଣଙ୍କ ‘ଭିଜନ 2030’ ଏବଂ ଆପଣଙ୍କ ନେତୃତ୍ୱରେ ହେଉଥିବା ଆର୍ଥିକ ସୁଧାର, ଭାରତର ପ୍ରମୁଖ କାର୍ଯ୍ୟକ୍ରମ ଯଥା ‘ମେକ ଇନ ଇଣ୍ଡିଆ’, ‘ଷ୍ଟାର୍ଟ ଅପ ଇଣ୍ଡିଆ’ର ପରିପୂରକ । ଆମର ଇନ୍ଧନ ସମ୍ପର୍କକୁ ରଣନୈତିକ ଭାଗୀଦାରୀରେ ପରିବର୍ତ୍ତନ କରିବାର ସମୟ ଆସିଛି । ବିଶ୍ୱର ସବୁଠୁ ବଡ଼ ବିଶୋଧନାଗାର ଏବଂ ରଣନୈତିକ ପେଟ୍ରୋଲିୟମ ଭଣ୍ଡାରରେ ସାଉଦି ଆରବର ଭାଗୀଦାରୀ, ଆମର ଇନ୍ଧନ ସମ୍ପର୍କକୁ କ୍ରେତା-ବିକ୍ରୋତ ସମ୍ପର୍କଠାରୁ ଅନେକ ଆଗକୁ ନେଇଯାଇଥାଏ । ଆମେ ଅକ୍ଷୟ ଶକ୍ତି କ୍ଷେତ୍ରରେ ଆମର ସହଯୋଗକୁ ସୁଦୃଢ଼ କରିବା ଲାଗି ସହମତ ହୋଇଛୁ । ଆମେ ଅନ୍ତର୍ଜାତୀୟ ସୌର ମେଂଟରେ ସାଉଦି ଆରବକୁ ସ୍ୱାଗତ କରୁଛୁ । ପରମାଣୁ ଶକ୍ତିର ଶାନ୍ତିପୂର୍ଣ୍ଣ ଉପଯୋଗ ବିଶେଷ କରି ୱାଟର ଡିସେଲିନେସନ ଏବଂ ସ୍ୱାସ୍ଥ୍ୟ ଲାଗି, ଆମର ସହଯୋଗର ଆଉ ଏକ ଦିଗ ହେବ । ବିଶେଷ କରି ଆମର ରଣନୈତିକ ବାତାବରଣ ସନ୍ଦର୍ଭରେ, ଆମେ ଆପୋସ ପ୍ରତିରକ୍ଷା ସହଯୋଗକୁ ମଜଭୁତ କରିବା ଏବଂ ଏହାର ବିସ୍ତାର କରିବା ଉପରେ ମଧ୍ୟ ସଫଳତା ପୂର୍ବକ ଆଲୋଚନା କଲୁ । ଗତ ବର୍ଷ ଭାରତ ସାଉଦି ଆରବରେ ପ୍ରତିଷ୍ଠିତ ଜନାଦ୍ରିୟାହ ସମାରୋହରେ ‘ସମ୍ମାନିତ ଅତିଥି’ ଥିଲା । ଆଜି ଆମେ ଆମର ସାଂସ୍କୃତିକ ସମ୍ପର୍କକୁ ଆହୁରି ଦୃଢ଼ କରିବା ଲାଗି ଲକ୍ଷ୍ୟ ରଖିଛୁ । ବ୍ୟବସାୟ ଏବଂ ପର୍ଯ୍ୟଟନକୁ ବୃଦ୍ଧି କରିବା ଲାଗି ସାଉଦି ଆରବର ନାଗରିକମାନଙ୍କ ପାଇଁ ଇ-ଭିସାର ସମ୍ପ୍ରସାରଣ କରାଯାଉଛି । ଭାରତୀୟମାନଙ୍କ ପାଇଁ ହଜ କୋଟାରେ ବୃଦ୍ଧି ପାଇଁ ଆମେ ମହାମହିମ ରାଜା ଏବଂ ରୟାଲ ହାଇନେସ ରାଜକୁମାରଙ୍କ ନିକଟରେ କୃତଜ୍ଞ । 2.7 ମିଲିୟନ ଭାରତୀୟ ନାଗରିକ ସାଉଦୀ ଆରବରେ ଶାନ୍ତିପୂର୍ଣ୍ଣ ଏବଂ ଉପଯୋଗୀ ଉପସ୍ଥିତି ଆମ ଭିତରେ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ । ରୟାଲ ହାଇନେସ ସାଉଦି ଆରବର ବିକାଶରେ ସେମାନଙ୍କର ସକାରାତ୍ମକ ଯୋଗଦାନକୁ ପ୍ରଶଂସା କରିଛନ୍ତି । ଆପଣ ସବୁବେଳେ ସେମାନଙ୍କ କଲ୍ୟାଣ ପ୍ରତି ଧ୍ୟାନ ଦେଇଛନ୍ତି । ସେଥିପାଇଁ ସେମାନଙ୍କ କୃତଜ୍ଞତା ଏବଂ ଶୁଭକାମନା ଆପଣଙ୍କ ସହିତ ରହିଛି ।

ବନ୍ଧୁଗଣ,

ଗତ ସପ୍ତାହରେ ପୁଲୱାମାରେ ହୋଇଥିବା ବର୍ବର ଆତଙ୍କବାଦୀ ଆକ୍ରମଣ, ଏହି ମାନବତା ବିରୋଧୀ ବିପଦରୁ ବିଶ୍ୱରେ ଛାଇ ରହିଥିବା ଆତଙ୍କର ଏକ କ୍ରୁର ଛାପ । ଏହି ବିପଦ ସହିତ ପ୍ରଭାବଶାଳୀ ଢଙ୍ଗରେ ମୁକାବିଲା କରିବା ଲାଗି ଆମେ ଏଥିପ୍ରତି ମଧ୍ୟ ସହମତ ହେଲୁ ଯେ ଆତଙ୍କବାଦକୁ କୌଣସି ପ୍ରକାରରେ ସମର୍ଥନ ଦେଉଥିବା ଦେଶ ଉପରେ ସମସ୍ତପ୍ରକାର ସମ୍ଭବ ଚାପ ପ୍ରୟୋଗ କରିବାର ଆବଶ୍ୟକତା ରହିଛି । ଆତଙ୍କବାଦର ମୂଳଦୁଆକୁ ନଷ୍ଟ କରିବା ଏବଂ ଏହାକୁ ସମର୍ଥନ ଶେଷ କରିବା ଏବଂ ଆତଙ୍କବାଦୀ ଓ ସେମାନଙ୍କ ସମର୍ଥକମାନଙ୍କୁ ଦଣ୍ଡ ଦେବା ଅତ୍ୟନ୍ତ ଜରୁରୀ । ଏଥିସହିତ ଅତିବାଦ ବିରୋଧରେ ସହଯୋଗ ଏବଂ ଏଥିପାଇଁ ଦୃଢ଼ କାର୍ଯ୍ୟ ଯୋଜନାର ମଧ୍ୟ ଆବଶ୍ୟକତା ରହିଛି, ଯଦ୍ୱାରା ହିଂସା ଏବଂ ଆତଙ୍କର ଶକ୍ତି ଆମ ଯୁବକମାନଙ୍କୁ ବାଟବଣା କରିବ ନାହିଁ । ମୁଁ ଆନନ୍ଦିତ ଯେ ସାଉଦି ଆରବ ଏବଂ ଭାରତ ଏ ବିଷୟରେ ଆପୋସ ବିଚାର ପୋଷଣ କରୁଛନ୍ତି ।

ବନ୍ଧୁଗଣ,

ପଶ୍ଚିମ ଏସିଆ ଏବଂ ମଧ୍ୟପ୍ରାଚ୍ୟରେ ଶାନ୍ତି ଓ ସ୍ଥିରତା ସୁନିଶ୍ଚିତ କରିବା ଆମ ଉଭୟ ଦେଶର ଆପୋସ ସ୍ୱାର୍ଥ ସହ ଜଡ଼ିତ । ଆଜି ଆମର ଆଲୋଚନାରେ ଏହି କ୍ଷେତ୍ରରେ ଆମ କାର୍ଯ୍ୟରେ ତାଳମେଳ ଆଣିବା ଏବଂ ଆମର ଭାଗୀଦାରୀକୁ ଦ୍ରୁତ ଗତିରେ ଆଗକୁ ବଢ଼ାଇବା ଉପରେ ସହମତି ହୋଇଛି । ଆମେ ଏ କଥା ପ୍ରତି ମଧ୍ୟ ସହମତ ହୋଇଛୁ ଯେ ଆତଙ୍କବାଦର ମୁକାବିଲା, ସାମୁଦ୍ରିକ ସୁରକ୍ଷା ଏବଂ ସାଇବର ସୁରକ୍ଷା ଭଳି କ୍ଷେତ୍ରରେ ଆହୁରି ଦୃଢ଼ ଦ୍ୱିପାକ୍ଷିକ ସହଯୋଗ ଉଭୟ ଦେଶ ପାଇଁ ଲାଭପ୍ରଦ ହେବ ।

ମହାମହିମ ରୟାଲ ହାଇନେସ,

ଆପଣଙ୍କ ଗସ୍ତ ଆମ ସମ୍ପର୍କର ଦ୍ରୁତ ବିକାଶକୁ ଏକ ନୂତନ ଦିଗ ପ୍ରଦାନ କରିଛି । ମୁଁ ପୁଣିଥରେ ଆମର ନିମନ୍ତ୍ରଣକୁ ସ୍ୱୀକାର କରିବା ଲାଗି ରୟାଲ ହାଇନେସଙ୍କୁ ଧନ୍ୟବାଦ ଜ୍ଞାପନ କରୁଛି । ମୁଁ ତାଙ୍କର ଏବଂ ପ୍ରତିନିଧିମଣ୍ଡଳୀର ସମସ୍ତ ସଦସ୍ୟମାନଙ୍କୁ ଭାରତରେ ସୁଖଦ ପ୍ରବାସ ପାଇଁ କାମନା ମଧ୍ୟ କରୁଛି ।

ବହୁତ ବହୁତ ଧନ୍ୟବାଦ!

 

**********