Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ସିଙ୍ଗାପୁର ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବିବୃତି


ସିଙ୍ଗାପୁର ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ବକ୍ତବ୍ୟ ନିମ୍ନରେ ପ୍ରଦାନ କରାଗଲା ।

ଆସିଆନ-ଭାରତ ଏବଂ ପୂର୍ବ ଏସିଆ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବା ଲାଗି ମୁଁ 14-15 ନଭେମ୍ବରରେ ସିଙ୍ଗାପୁର ଗସ୍ତ କରିବି । ଏହାବ୍ୟତୀତ ମୁଁ କ୍ଷେତ୍ରୀୟ ବିସ୍ତୃତ ଅର୍ଥନୈତିକ ଭାଗୀଦାରୀ ନେତୃମଣ୍ଡଳୀ ବୈଠକରେ ଯୋଗଦେବି ।

ଏହିସବୁ ବୈଠକରେ ମୋର ଅଂଶଗ୍ରହଣ ଆସିଆନ ସଦସ୍ୟ ରାଷ୍ଟ୍ର ଏବଂ ବ୍ୟାପକ ଭାରତ-ପ୍ରଶାନ୍ତ ମହାସାଗର କ୍ଷେତ୍ର ସହ ଆମର ସମ୍ପର୍କକୁ ସୁଦୃଢ଼ କରିବାର ନିରନ୍ତର ପ୍ରତିବଦ୍ଧତାର ପ୍ରମାଣ । ଅନ୍ୟ ଆସିଆନ ଏବଂ ପୂର୍ବ ଏସିଆ ଶିଖର ସମ୍ମିଳନୀର ନେତୃମଣ୍ଡଳୀ ସହ ମୋର ଆଲୋଚନା ଲାଗି ମୁଁ ଆଗ୍ରହର ସହ ଅପେକ୍ଷା କରିଛି ।

14 ନଭେମ୍ବରରେ ସିଙ୍ଗାପୁରର ଫିନଟେକ ଫେଷ୍ଟିଭାଲରେ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିବାର ପ୍ରଥମ ରାଷ୍ଟ୍ରମୁଖ୍ୟ ହେବାର ସୌଭାଗ୍ୟ ମୁଁ ପାଇବି । ବିଶ୍ୱର ସର୍ବବୃହତ ଆର୍ଥିକ ପ୍ରଯୁକ୍ତି କାର୍ଯ୍ୟକ୍ରମ ଭାବେ ଏହି ଫେଷ୍ଟିଭାଲରେ କେବଳ ଏହି ଦୃତ ଅଭିବୃଦ୍ଧିଶୀଳ କ୍ଷେତ୍ରରେ ଭାରତର ସାମର୍ଥ୍ୟ ପ୍ରଦର୍ଶନ କରିବାର ସୁଯୋଗ ମିଳିବ ନାହିଁ, ବରଂ ଉଦ୍ଭାବନ ଏବଂ ଅଭିବୃଦ୍ଧିକୁ ପ୍ରୋତ୍ସାହନ ଦେବା ଦିଗରେ ବିଶ୍ୱସ୍ତରୀୟ ଭାଗୀଦାରୀ ଲାଗି ମାର୍ଗ ପ୍ରଶସ୍ତ ହେବ ।

ମୋର ଗସ୍ତ କାଳରେ, ଭାରତ-ସିଙ୍ଗାପୁର ମିଳିତ ହାକାଥନର ଅଂଶଗ୍ରହଣକାରୀ ଏବଂ ବିଜେତାମାନଙ୍କ ସହ ମତ ବିନିମୟ କରିବାର ସୁଯୋଗ ମୁଁ ପାଇବି । ମୋର ଦୃଢ଼ ବିଶ୍ୱାସ ଯେ ଯଦି ଆମେ ଉଚିତ ପ୍ରୋତ୍ସାହନ ଏବଂ ଅନୁକୂଳ ପରିବେଶ ଯୋଗାଇ ଦେବା ତାହେଲେ ଆମର ଯୁବକମାନେ ଆଜିର ମାନବ ଜାତି ସମ୍ମୁଖୀନ ହେଉଥିବା ସମସ୍ୟାଗୁଡ଼ିକର ସମାଧାନ ଯୋଗାଇ ଦେବା ଦିଗରେ ବିଶ୍ୱସ୍ତରରେ ନେତୃତ୍ୱ ନେଇପାରିବେ ।

ମୋର ଦୃଢ଼ ବିଶ୍ୱାସ ଯେ ସିଙ୍ଗାପୁର ଗସ୍ତ ଦ୍ୱାରା ଆସିଆନ ଏବଂ ପୂର୍ବ ଏସିଆ ଶିଖର ସମ୍ମିଳନୀର ସଦସ୍ୟ ରାଷ୍ଟ୍ରଗୁଡ଼ିକ ସହିତ ଆମର ପରିବର୍ଦ୍ଧିତ ସହଭାଗୀତାକୁ ନୂଆ ଉତ୍ସାହ ପ୍ରଦାନ କରିବ ।

ମୁଁ ସିଙ୍ଗାପୁର ଅଭିମୁଖେ ଗସ୍ତ କରିବା ଅବସରରେ ଚଳିତ ବର୍ଷ ଆସିଆନର ଅଧ୍ୟକ୍ଷତା ଲାଗି ମୁଁ ସିଙ୍ଗାପୁରକୁ ହୃଦୟର ସହ ଅଭିନନ୍ଦନ ଜଣାଉଛି ଏବଂ ଆସିଆନ ଓ ତତସଂକ୍ରାନ୍ତ ଶିଖର ସମ୍ମିଳନୀର ସଫଳ ଆୟୋଜନ ଲାଗି ମୋର ଶୁଭେଚ୍ଛା ଜ୍ଞାପନ କରୁଛି ।

 

**********