Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ସୁଇଜରଲାଣ୍ଡ ଗସ୍ତ କାଳରେ ପ୍ରଧାନମନ୍ତ୍ରୀଙ୍କ ପ୍ରେସ ବିବୃତି

ସୁଇଜରଲାଣ୍ଡ ଗସ୍ତ କାଳରେ ପ୍ରଧାନମନ୍ତ୍ରୀଙ୍କ ପ୍ରେସ ବିବୃତି


ମହାମହୀମ ରାଷ୍ଟ୍ରପତି ଯୋହାନ୍ ସ୍ନିଡର-ଅମ୍ମନ୍ନ,

ବନ୍ଧୁଗଣ,

ମହାନୁଭବ, ଆପଣଙ୍କ ସ୍ନେହଭରା ମନ୍ତବ୍ୟ ଏବଂ ଉଦାରତାପୂର୍ଣ୍ଣ ସ୍ୱାଗତ ପାଇଁ ଆପଣଙ୍କୁ ଧନ୍ୟବାଦ । ଏହି ବାସ୍ତବିକ ଆନ୍ତର୍ଜାତିକ ସହର ଜେନେଭାରେ ଠିଆ ହୋଇ ମୁଁ ଇତିହାସର ଗୁରୁତ୍ୱକୁ ଅନୁଭବ କରୁଛି । ଏହା କେବଳ ଆନ୍ତର୍ଜାତିକ ନୁହେଁ ବରଂ ମାନବିକତାପୂର୍ଣ୍ଣ ଆତ୍ମାର ସହର । ଯାହା ହେଲେ ମଧ୍ୟ ଏହା ରେଡକ୍ରସର ଘର ଏବଂ ମାନବସେବାରେ ସମର୍ପିତ ଅନେକ ଆନ୍ତର୍ଜାତିକ ସଂସ୍ଥାର ମୁଖ୍ୟ କାର୍ଯ୍ୟଳୟର ଅବସ୍ଥିତି ଏହି ନଗରୀରେ ।

ବନ୍ଧୁଗଣ,

ଭାରତ ଏବଂ ସୁଇଜରଲାଣ୍ଡ ସର୍ବଦା ଶାନ୍ତି, ସୌହାର୍ଦ୍ଦ୍ୟ ଏବଂ ମାନବିକ ମୂଲ୍ୟବୋଧର କଥା କହି ଆସିଛନ୍ତି । ଗତ ସାତ ଦଶନ୍ଧି ଧରି ଆମ ବନ୍ଧୁତ୍ୱରେ ନିରବଚ୍ଛିନ୍ନ ଭାବେ ଉଦ୍ଧ୍ୱର୍ଗତି ପରିଲକ୍ଷିତ ହେଉଛି । ଆଜି, ରାଷ୍ଟ୍ରପତି ଏବଂ ମୁଁ ଆମର ବହୁମୁଖୀ ଦ୍ୱିପାକ୍ଷିକ ସହଭାଗିତାର ସମୀକ୍ଷା କରିଛୁ । ଆମେ ସୁଇଜରଲାଣ୍ଡର ସିଇଓମାନଙ୍କ ସହିତ ମଧ୍ୟ ବିସ୍ତୃତ ଆଲୋଚନା କରିଛୁ ।

ବନ୍ଧୁଗଣ,

ଆମ ଦୁଇ ଦେଶ ମଧ୍ୟରେ ଆର୍ଥିକ ସମ୍ପର୍କ ଦୃଢ ରହିଛି । ଅନେକ ସ୍ୱିସ୍ କମ୍ପାନୀର ନାଁ ଭାରତରେ ଘରେ ଘରେ ପରିଚିତ । ବାଣିଜ୍ୟ, ନିବେଶ, ବିଜ୍ଞାନ ଏବଂ କାରିଗରୀ ବିଦ୍ୟା ଏବଂ କୌଶଳ ବିକାଶ କ୍ଷେତ୍ରରେ ଆମ ସହଯୋଗ ଆମର ଉଭୟ ସମାଜକୁ ଲାଭାନ୍ୱିତ କରୁଛି । ଭାରତ EFTA ସହିତ ପୁଣି ଥରେ ମୁକ୍ତ ବାଣିଜ୍ୟ ରାଜିନାମା ପ୍ରସଙ୍ଗରେ କଥାବାର୍ତ୍ତା ଆରମ୍ଭ କରିବା ପାଇଁ ପ୍ରସ୍ତୁତ ଥିବା କଥା ଘୋଷଣା କରିଛି । ସ୍ୱିସ୍ ଅର୍ଥବ୍ୟବସ୍ଥାର ଶକ୍ତି ସହ ଆମେ ସମସ୍ତେ ପରିଚିତ । କିନ୍ତୁ ଭାରତ ମଧ୍ୟ ବିଶାଳ ପରିବର୍ତ୍ତନ ଦେଇ ଗତି କରୁଛି । ଆଜି ଆମେ ବିଶ୍ୱର ଦ୍ରୁତତମ ବିକାଶଶୀଳ ଅର୍ଥ ବ୍ୟବସ୍ଥା । କିନ୍ତୁ ସେତିକି ଯଥେଷ୍ଟ ନୁହେଁ । ମୁଁ ଭାରତର ଅର୍ଥ ବ୍ୟବସ୍ଥା ସ୍ମାର୍ଟ ଏବଂ ଦୀର୍ଘସ୍ଥାୟୀ ସହର ଦ୍ୱାରା, ସୁଦୃଢ କୃଷି ଦ୍ୱାରା, କ୍ରିୟାଶୀଳ ବିନିର୍ମାଣ କ୍ଷେତ୍ର ଦ୍ୱାରା, ଅଗ୍ରଗାମୀ ସେବା କ୍ଷେତ୍ର ଦ୍ୱାରା ପରିଚାଳିତ ହେବା ଚାହେଁ । ଏହି ଅଭିବୃଦ୍ଧିର ଇଞ୍ଜିନ୍ କୁ ବିଶ୍ୱସ୍ତରୀୟ ରେଳ ନେଟୱାର୍କ ଦ୍ୱାରା, ସଡକ ପଥ, ବିମାନ ବନ୍ଦର ଏବଂ ଡିଜିଟାଲ୍ ସଂଯୋଗୀକରଣ ଦ୍ୱାରା ସଂଯୋଜିତ କରିବାକୁ ଚାହେଁ ଯେଉଁଠାରେ ପ୍ରତ୍ୟେକଙ୍କ ପାଇଁ ଘରଟିଏ ଥିବ ଏବଂ ପ୍ରତ୍ୟେକ ଘରେ ବିଦ୍ୟୁତ ଶକ୍ତି ଥିବ ଏବଂ ଏହାର ୫୦ କୋଟିରୁ ଉର୍ଦ୍ଧ୍ଵ ଯୁବକ ପୃଥିବୀର ମାନବ ସମ୍ବଳ ଆବଶ୍ୟକତାକୁ ପୂରଣ କରିବା ପାଇଁ କୁଶଳୀ ହୋଇଥିବେ । ସ୍ୱିସ୍ ବୃତ୍ତିଗତ ଏବଂ ଶିକ୍ଷାଗତ ତାଲିମ ପ୍ରଣାଳୀ ପ୍ରସ୍ତୁତ କରିବାକୁ ରାଷ୍ଟ୍ରପତି ଏବଂ ମୁଁ ରାଜି ହୋଇଛୁ । ଗତକାଲି ଆମେ ବିଶ୍ୱ ପରିବେଶ ଦିବସ ପାଳନ କଲୁ । ଏହାର ଉଦ୍ଦେଶ୍ୟ ସହ ତାଳ ଦେଇ ଏକ ଆର୍ଥିକ ସମୃଦ୍ଧ ଭାରତ ବିଶ୍ୱ ପରିବେଶର ବନ୍ଧୁ ହୋଇପାରିବ । ଜୀବାଶ୍ମ ଇନ୍ଧନ ଅପେକ୍ଷା ଅକ୍ଷୟ ଶକ୍ତି ଉପରେ ନିର୍ଭରଶୀଳତା ଆମର ଲକ୍ଷ୍ୟ ହେବ ।

ବନ୍ଧୁଗଣ,

ଆମେ ଆମ ବିକାଶର ଆବଶ୍ୟକତା ଏବଂ ସ୍ୱିସ୍ ସାମର୍ଥ୍ୟ ମଧ୍ୟରେ ଗୋଟିଏ ପରିପୂର୍ଣ୍ଣ ସମ୍ପର୍କ ଲକ୍ଷ୍ୟ କରୁଛୁ । ତେଣୁ ମୁଁ ସ୍ୱିସ୍ କମ୍ପାନୀମାନଙ୍କୁ ଏହାର ସୁଯୋଗ ନେଇ ଭାରତର ଆର୍ଥିକ ଅଭିବୃଦ୍ଧିରେ ମୁଖ୍ୟ ସହଭାଗୀ ହେବାକୁ ନିମନ୍ତ୍ରଣ କରୁଛି । ଶହେ ପଚିଶ କୋଟି ଲୋକଙ୍କ ଆର୍ଥିକ ସମୃଦ୍ଧି ପରିଶେଷରେ ସମଗ୍ର ବିଶ୍ୱକୁ ଲାଭାନ୍ୱିତ କରିବ ।

ବନ୍ଧୁଗଣ,

ବିଶ୍ୱର ବର୍ତ୍ତମାନର ଆବଶ୍ୟକତା ପରିପ୍ରେକ୍ଷିରେ ଆନ୍ତର୍ଜାତିକ ସଂସ୍ଥାଗୁଡିକରେ ସଂସ୍କାର ଆଣିବା ପାଇଁ ଭାରତ ଏବଂ ସୁଇଜରଲାଣ୍ଡ ପ୍ରତିଶୃତିବଦ୍ଧ । ମିଳିତ ଜାତିସଂଘର ସୁରକ୍ଷା ପରିଷଦରେ ସଭ୍ୟ ପଦ ପାଇଁ ଆମର ଦାବୀ ପ୍ରସଙ୍ଗରେ ଉଭୟେ ପରସ୍ପରଙ୍କୁ ସହଯୋଗ କରିବାକୁ ଆମେ ରାଜି ହୋଇଛୁ । ପରମାଣୁ ଯୋଗାଣକାରୀ ଗୋଷ୍ଠୀ(Nuclear Supplier Group)ରେ ଭାରତର ସଭ୍ୟ ପଦ ପାଇଁ ବୁଝାମଣା ଏବଂ ସହଯୋଗ ସକାଶେ ସୁଇଜରଲାଣ୍ଡର ରାଷ୍ଟ୍ରପତିଙ୍କୁ ମୁଁ ଧନ୍ୟବାଦ ଜ୍ଞାପନ କରୁଛି । କଳାଧନ ଏବଂ ଟିକସ ଫାଙ୍କିବା ବିପଦର ମୁକାବିଲା କରିବାରେ ଆମ ଦୁହିଁଙ୍କର ମିଳିତ ଅଗ୍ରାଧିକାର ରହିଛି । ଟିକସ୍ ଖିଲାପକାରୀମାନଙ୍କୁ ଠିକ୍ ବାଟକୁ ଆଣିବା ପାଇଁ ତ୍ଵରିତ ସୂଚନା ବିନିମୟର ଆବଶ୍ୟକତା ଉପରେ ଆମେ ଆଲୋଚନା କରିଛୁ । ସ୍ୱଚାଳିତ ସୂଚନା ବିନିମୟ ରାଜିନାମା ଉପରେ ଶୀଘ୍ର କଥାବାର୍ତ୍ତା ଆରମ୍ଭ ହେବା ଜରୁରୀ ।

ବନ୍ଧୁଗଣ,

ଆମ ଦୁଇ ଦେଶର ଲୋକମାନଙ୍କ ମଧ୍ୟରେ ବନ୍ଧନ ଦୃଢ ହେବା ଆମ ସମ୍ପର୍କର ଗୁରୁତ୍ୱପୂର୍ଣ୍ଣ ଆଧାର । ସୁଇଜରଲାଣ୍ଡର ମନଲୋଭା ପ୍ରାକୃତିକ ସୌନ୍ଦର୍ଯ୍ୟ ସହ ଆମକୁ ପରିଚିତ କରାଇଥିବାରୁ ଭାରତୀୟ ଫିଲ୍ମ ଉଦ୍ୟୋଗ ଧନ୍ୟବାଦର ପାତ୍ର । କିନ୍ତୁ, ଅଧିକ ସଂଖ୍ୟାରେ ସ୍ୱିସ୍ ଆଗନ୍ତୁକମାନଙ୍କୁ ଭାରତରେ ସ୍ୱାଗତ କରିବା ପାଇଁ ମଧ୍ୟ ଆମେ ଉତ୍ସୁକ । ସେଥିପାଇଁ ଆମେ ଚଳିତ ବର୍ଷ ଆରମ୍ଭରୁ ସ୍ୱିସ୍ ନାଗରିକମାନଙ୍କ ପାଇଁ ଇ-ଟୁରିଷ୍ଟ ଭିସା ପ୍ରଚଳନ କରିଛୁ ।

ବନ୍ଧୁଗଣ,

ଆମ ସମ୍ବନ୍ଧର ଅନେକ ସଫଳତାର କାହାଣୀ ରହିଛି । ସେଥିରୁ ଗୋଟିଏ ଯାହା ଆଲୋଡନ ସୃଷ୍ଟି କରିଛି ତାହା ହେଲା, ଟେନିସ୍ ଦୁନିଆରେ ସୁପ୍ରସିଦ୍ଧ ମାର୍ଟିନା ହିଙ୍ଗିସଙ୍କ ସହ ସାନିଆ ମିର୍ଜା – ମହିଳା ଯୁଗଳ ଏବଂ ଲିଆଣ୍ଡର ପେସଙ୍କ ସହ ମିଶ୍ର ଯୁଗଳ ଯୋଡି । ଆମର ସାଧାରଣ ପ୍ରତିଶୃତି ଏବଂ ମୂଲ୍ୟବୋଧ, ଲୋକ ଲୋକଙ୍କ ମଧ୍ୟରେ ସମ୍ପର୍କ ଏବଂ ଗୋଟିଏ ଦୃଢ ଓ ବିକାଶଶୀଳ ଅର୍ଥ ବ୍ୟବସ୍ଥାରେ ସହଭାଗୀତା ଆମ ସମ୍ପର୍କକୁ ଏକ ନୂତନ ଶିଖରକୁ ନେଇଯିବ ବୋଲି ମୋର ବିଶ୍ୱାସ । ମହାନୁଭାବ, ଜେନେଭାରେ ଆପଣଙ୍କ ଆତିଥ୍ୟ ପାଇଁ ମୁଁ ଆପଣଙ୍କୁ ଧନ୍ୟବାଦ ଜଣାଉଛି ।

ଧନ୍ୟବାଦ, ଅନେକ ଅନେକ ଧନ୍ୟବାଦ ।