Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ସୁପ୍ରିମକୋର୍ଟଙ୍କ ରାୟ ଫଳରେ ନୂତନ ସୂର୍ଯ୍ୟ ଉଦୟ ହୋଇଛି : ପ୍ରଧାନମନ୍ତ୍ରୀ


 

 

•        ରାୟକୁ ଐତିହାସିକ ଭାବେ ବର୍ଣ୍ଣନା କଲେ ପ୍ରଧାନମନ୍ତ୍ରୀ

•        ନୂଆ ଅଧ୍ୟାୟ ସହ ନୂତନ ଭାରତ ନିର୍ମାଣ ପାଇଁ ଦେଶବାସୀଙ୍କୁ ଆହ୍ୱାନ

 

ଅଯୋଧ୍ୟା ମାମଲାରେ ସୁପ୍ରିମକୋର୍ଟଙ୍କ ରାୟକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଐତିହାସିକ ବୋଲି ବର୍ଣ୍ଣନା କରିବା ସହିତ ଆଜିର ଦିନକୁ ଭାରତ ଏବଂ ଭାରତୀୟ ନ୍ୟାୟପାଳିକା ଇତିହାସରେ ଏକ ସର୍ଣ୍ଣିମ ଦିବସ ଭାବେ ବର୍ଣ୍ଣନା କରିଛନ୍ତି । ପ୍ରଧାନମନ୍ତ୍ରୀ ସମସ୍ତ ନାଗରିକଙ୍କୁ ଏକାଠି ହୋଇ ଏକ ନୂତନ ଭାରତ ନିର୍ମାଣ ଏବଂ ପ୍ରତ୍ୟେକଙ୍କ କଲ୍ୟାଣ ପାଇଁ କାମ କରିବା ଲାଗି ଆହ୍ୱାନ ରକିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ, “ଆଜି ନଭେମ୍ବର 9 ତାରିଖରେ କର୍ତାରପୁର କରିଡର ଆରମ୍ଭ ହୋଇଛି । ଏହି କରିଡର ପାଇଁ ଭାରତ ଏବଂ ପାକିସ୍ତାନ ପକ୍ଷରୁ ମିଳିତ ଭାବେ ପ୍ରୟାସ କରାଯାଇଛି । ଏବେ ଅଯୋଧ୍ୟା ଉପରେ ରାୟ ଆସିବା ପରେ ଆଜିର ଦିନ, ନଭେମ୍ବର 9 ତାରିଖ ଆମ ସମସ୍ତଙ୍କୁ ଏକାଠି ହୋଇ ରହିବା ଏବଂ ମିଳିତ ଭାବେ ପ୍ରଗତି ହାସଲ କରିବାର ଶିକ୍ଷା ଦେଉଛି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସର୍ବୋଚ୍ଚ ନ୍ୟାୟାଳୟ ସମସ୍ତଙ୍କୁ ଧୈର୍ଯ୍ୟର ସହ ଶୁଣିବା ଏବଂ ସର୍ବସମ୍ମତିକ୍ରମେ ରାୟ ଦେବା ଏହାର ଦୃଢ଼ ସଂକଳ୍ପକୁ ଦର୍ଶାଉଛି ।

ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ, “ଆଜିର ରାୟ ଜରିଆରେ ମାନନୀୟ ସର୍ବୋଚ୍ଚ ନ୍ୟାୟାଳୟ ଦର୍ଶାଇଛନ୍ତି ଯେ ଅତି ଜଟିଳ ବିବାଦର ସମାଧାନ ମଧ୍ୟ ସାମ୍ବିଧାନିକ ବ୍ୟବସ୍ଥା ଓ ନ୍ୟାୟିକ ପ୍ରକ୍ରିୟାରେ ରହିଛି ।

ଆମେ ସମସ୍ତେ ଏହି ରାୟରୁ ଶିକ୍ଷା ଲାଭ କରିବା ଉଚିତ ଯେ ବିଳମ୍ବ ହେଲେ ମଧ୍ୟ ଆମ ସମସ୍ତଙ୍କୁ ଧୈର୍ଯ୍ୟ ରଖିବାର ଆବଶ୍ୟକତା ରହିଛି । ଏହା ସମସ୍ତଙ୍କ ହିତରେ ।

ପ୍ରତ୍ୟେକ ପରିସ୍ଥିତିରେ, ଆମର ବିଶ୍ୱାସ ଭାରତୀୟ ସମ୍ବିଧାନ, ଭାରତୀୟ ନ୍ୟାୟପାଳିକା ପ୍ରତି ଦୃଢ଼ ଭାବେ ରହିବା ଉଚିତ । ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସର୍ବୋଚ୍ଚ ନ୍ୟାୟାଳୟ ରାମ ମନ୍ଦିର ନିର୍ମାଣ ଉପରେ ରାୟ ଦେଇଛନ୍ତି ଏବଂ ଏହି ରାୟ  ଆମ ସମସ୍ତ ନାଗରିକଙ୍କ ଉପରେ ଲାଗୁ ହେଉଛି ।  ଆମେ ଅଧିକ ଗମ୍ଭୀରତାର ସହ ରାଷ୍ଟ୍ର ନିର୍ମାଣରେ ଆମର ଦାୟିତ୍ୱ ନିର୍ବାହ କରିବା ଉଚିତ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଶାନ୍ତି, ସୌହାର୍ଦ୍ଦ୍ୟ, ଭାଇଚାରା, ବନ୍ଧୁତା ଓ ଏକତାର ଭାବନା ଆମ ସମସ୍ତଙ୍କ ଭିତରେ ରହିବା ଦେଶର ବିକାଶ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଆମର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ସାଧନ ପାଇଁ ସମସ୍ତ ନାଗରିକଙ୍କୁ ମିଳିତ ଭାବେ ଆଗେଇବା ନିମନ୍ତେ ପ୍ରଧାନମନ୍ତ୍ରୀ ଆହ୍ୱାନ କରିଥିଲେ ।

 

**********