ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୭ ସେପ୍ଟେମ୍ବର ୨୦୨୬ ସକାଳ ପ୍ରାୟ ୧୦ଟା ସମୟରେ ନୂଆଦିଲ୍ଲୀର ଯଶୋଭୂମିଠାରେ ‘ସେମିକନ୍ ଇଣ୍ଡିଆ ୨୦୨୬’ ର ଉଦ୍ଘାଟନ କରିବେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ଉପସ୍ଥିତ ଜନସାଧାରଣଙ୍କୁ ମଧ୍ୟ ସମ୍ବୋଧିତ କରିବେ ।
୧୭ ରୁ ୧୯ ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏହି ତିନି ଦିନିଆ ସମ୍ମିଳନୀ ଓ ପ୍ରଦର୍ଶନୀ ‘ସିଲିକନ୍ ଟୁ ସିଷ୍ଟମ୍ସ: ବିଲ୍ଡିଂ ଦ ଇକୋସିଷ୍ଟମ୍’ ବିଷୟବସ୍ତୁ ଉପରେ ଆଧାରିତ ହେବ । ଏହା ସେମିକଣ୍ଡକ୍ଟର ଏବଂ ଇଲେକ୍ଟ୍ରୋନିକ୍ସ ମୂଲ୍ୟ ଶୃଙ୍ଖଳା ସହ ଜଡ଼ିତ ବିଶ୍ୱସ୍ତରୀୟ ଓ ଭାରତୀୟ କମ୍ପାନୀ, ନୀତି ନିର୍ଦ୍ଧାରକ, ନିବେଶକ, ଗବେଷକ, ଷ୍ଟାର୍ଟଅପ୍, ଶିକ୍ଷାନୁଷ୍ଠାନ ଏବଂ ଛାତ୍ରଛାତ୍ରୀମାନଙ୍କୁ ଏକତ୍ରିତ କରିବ । ଏହି ସମ୍ମିଳନୀ ଭାରତରେ ସହଯୋଗ, ନିବେଶ, ନବାଚାର ଏବଂ ପ୍ରତିଭା ବିକାଶକୁ ଆଗକୁ ବଢ଼ାଇବା ଉପରେ ଗୁରୁତ୍ୱାରୋପ କରିବ । ସମାନ୍ତରଳ ଅଧିବେଶନଗୁଡିକ ମଧ୍ୟରେ ଡିସ୍ପ୍ଲେ ଶିଳ୍ପରେ ଅଗ୍ରଗତି, ସହଯୋଗ ଓ ମିଳିତ ଉଦ୍ୟୋଗକୁ ପ୍ରୋତ୍ସାହିତ କରିବା ପାଇଁ ଛଅଟି ଦେଶର ‘ରାଉଣ୍ଡଟେବଲ୍ ବୈଠକ ଏବଂ ମହିଳା ନେତୃତ୍ୱ ଉପରେ ଏକ ଫୋରମ୍ ଆଦି ଅନ୍ତର୍ଭୁକ୍ତ ରହିବ ।
‘ସେମିକନ୍ ଇଣ୍ଡିଆ ୨୦୨୬’ ଏକ ବ୍ୟାପକ ମୂଲ୍ୟ–ଶୃଙ୍ଖଳା ଦୃଷ୍ଟିକୋଣ ଗ୍ରହଣ କରିବ, ଯେଉଁଥିରେ ସେମିକଣ୍ଡକ୍ଟର ସାମଗ୍ରୀ, ଉପକରଣ ଏବଂ ଚିପ୍ ଡିଜାଇନ୍ଠାରୁ ଆରମ୍ଭ କରି ଫ୍ୟାବ୍ରିକେସନ୍, ଉନ୍ନତ ପ୍ୟାକେଜିଂ, ଇଲେକ୍ଟ୍ରୋନିକ୍ସ ଏବଂ ସିଷ୍ଟମ୍ ପର୍ଯ୍ୟନ୍ତ ଯାତ୍ରା ପ୍ରଦର୍ଶିତ ହେବ । ନୂତନ ‘ସ୍ୟାଣ୍ଡ୍ ଟୁ ସିଲିକନ୍ ଟୁ ସିଷ୍ଟମ୍ସ’ ମୂଲ୍ୟ ଶୃଙ୍ଖଳା ଅଭିଜ୍ଞତା କାର୍ଯ୍ୟକ୍ରମ ସେମିକଣ୍ଡକ୍ଟର ଇକୋସିଷ୍ଟମ୍ ମଧ୍ୟରେ ଏହି ଯାତ୍ରାକୁ ଉପସ୍ଥାପନ କରିବ ।
ସେମିକନ୍ ଇଣ୍ଡିଆ ୨୦୨୬ରେ ୬୦୦ରୁ ଅଧିକ କମ୍ପାନୀ ଅଂଶଗ୍ରହଣ କରିବେ ଏବଂ ଏଥିରେ ପ୍ରାୟ ୫୦,୦୦୦ ଦର୍ଶକଙ୍କ ସମାଗମ ହେବାର ଆଶା କରାଯାଉଛି । ଏଥିରେ ୫୨ଟି ଦେଶର ପ୍ରତିନିଧି, ୪୦୦ରୁ ଅଧିକ ବରିଷ୍ଠ ଅଧିକାରୀ ଏବଂ ୧୫୦ରୁ ଅଧିକ ବକ୍ତା ସାମିଲ ହେବେ । ଏହି ପ୍ରଦର୍ଶନୀରେ ଜାପାନ, ଦକ୍ଷିଣ କୋରିଆ, ମାଲେସିଆ, ନେଦରଲ୍ୟାଣ୍ଡ, ସିଙ୍ଗାପୁର ଓ ସ୍ୱିଡେନର ପ୍ରତିନିଧିତ୍ୱ କରୁଥିବା ଛଅଟି କଣ୍ଟ୍ରି ପାଭିଲିଅନ୍ ସହିତ ୧୨ଟି ରାଜ୍ୟସ୍ତରୀୟ ବୁଥ୍, ଏକ ଷ୍ଟାର୍ଟଅପ୍ ପାଭିଲିଅନ୍, ଇନୋଭେସନ୍ ଶୋ–କେସ୍, ଷ୍ଟୁଡେଣ୍ଟ୍ ହ୍ୟାକାଥନ୍ ଏବଂ କର୍ମଜୀବୀ ବିକାଶ ପାଭିଲିଅନ୍ ରହିବ ।
SR