Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ସୌଭାଗ୍ୟ ଯୋଜନା ଲୋକାର୍ପଣ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ


ପେଟ୍ରୋଲିୟମ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ମହାଶୟ, ଶକ୍ତି ମନ୍ତ୍ରୀ ଶ୍ରୀ ଆର.କେ.ସିଂହ ମହାଶୟ, ଶକ୍ତି ସଚିବ ଶ୍ରୀ ଅଜୟ କେ. ଭଲ୍ଲା ମହାଶୟ, ପେଟ୍ରୋଲିୟମ ସଚିବ ଶ୍ରୀ କପିଲ ଦେବ ତ୍ରିପାଠୀ ମହାଶୟ, ଓଏନଜିସିର ସିଏମଡି ଶ୍ରୀ ଡି.କେ.ସରାଫ ମହାଶୟ ଓ ଏଠି ଉପସ୍ଥିତ ଅନ୍ୟ ମହାନୁଭବ,
ଆଜି ଏକ ସଙ୍ଗେ 3ଟି ପବିତ୍ର ଅବସରର ତ୍ରିବେଣୀ ସଂଯୋଗ ପାଲଟିଛି । ଆଜି ନବରାତ୍ରର ପଞ୍ଚମ ଦିନ ଓ ଏହି ଦିନ ସ୍କନ୍ଦମାତାଙ୍କ ପୂଜା ମଧ୍ୟ କରାଯାଏ । ସ୍କନ୍ଦମାତାଙ୍କୁ ସୌରମଣ୍ଡଳର ଅଧିଷ୍ଠାତ୍ରୀ ଦେବୀ ବୋଲି ବିବେଚନା କରାଯାଏ । ସ୍କନ୍ଦମାତାଙ୍କ ଆଶୀର୍ବାଦରେ ନବରାତ୍ରର ଏହି ଦିନଗୁଡ଼ିକରେ ଦେଶର ମହିଳାଙ୍କ ସୁରକ୍ଷା ଓ ସେମାନଙ୍କର ଜୀବନ ସହ ଜଡ଼ିତ ଏକ ବହୁତ ମହତ୍ୱପୂର୍ଣ୍ଣ ଯୋଜନାର ଆଜି ଶୁଭାରମ୍ଭ ହେବାକୁ ଯାଉଛି ।

ଆଜି ହିଁ ଶ୍ରଦ୍ଧେୟ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ମହାଶୟଙ୍କ ଜନ୍ମଦିନ । ଆଉ ଆଜି ହିଁ ଦେଶକୁ ଦୀନ ଦୟାଲ ଉର୍ଜା ଭବନ ମଧ୍ୟ ମିଳିଛି । ପରିବେଶ ଅନୁକୂଳ ଓ ବିଦ୍ୟୁତର କମ୍ ଖର୍ଚ୍ଚ ବିଶିଷ୍ଟ ଏହି ସବୁଜ କୋଠାର ଲୋକାର୍ପଣ କରି ମୋର ଅତ୍ୟନ୍ତ ସୁଖଦ ଅନୁଭୂତି ହେଉଛି । ମୋତେ କୁହାଯାଇଛି ଯେ ଏବେ ଓଏନଜିସିର ହଜାର ହଜାର କର୍ମଚାରୀ ସ୍ୱତନ୍ତ୍ର ଭାବେ ଭିଡ଼ିଓ ଲିଙ୍କ୍ ମାଧ୍ୟମରେ ଏହି କାର୍ଯ୍ୟକ୍ରମ ସହ ସଂଯୋଜିତ ହୋଇଛନ୍ତି । ମୁଁ ଆପଣ ସମସ୍ତଙ୍କୁ ଏହି ଭବ୍ୟ ଭବନ ପାଇଁ ଅଭିନନ୍ଦନ ଜଣାଉଛି, ଶୁଭକାମନା ଜଣାଉଛି ।

ଆଜି ଏକପ୍ରକାରେ ଦେଖିଲେ ଏଠି ଆଧ୍ୟାତ୍ମ, ଆସ୍ଥା ଓ ଆଧୁନିକ ଜ୍ଞାନକୌଶଳ – ତିନିଟି ହିଁ କ୍ଷେତ୍ର ଶକ୍ତିରେ ଚମକୁଛି, ଆଲୋକିତ କରୁଛି ।

ଭାଇ ଓ ଭଉଣୀମାନେ, ଗତବର୍ଷ ଆଜିର ଦିନରେ ଗରିବଙ୍କ କଲ୍ୟାଣ ବର୍ଷର ଆରମ୍ଭ ହୋଇଥିଲା । ସରକାର ସ୍ଥିର କରିଥିଲେ କି ବର୍ଷକ ପର୍ଯ୍ୟନ୍ତ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ମହାଶୟଙ୍କ ଜନ୍ମ ଶତ ବାର୍ଷିକୀକୁ ଗରିବ କଲ୍ୟାଣ ବର୍ଷ ଭାବେ ପାଳନ କରାଯିବ । ଆଜି ବର୍ଷ ହିସାବରେ ଯଦିଓ ଏହାର ସମାପନ ହେଉଛି କିନ୍ତୁ ଗରିବ କଲ୍ୟାଣ ଏହି ସରକାରର ପରିଚୟ ସହ ଜଡ଼ିତ ହୋଇଛି ।

ଜନଧନ ଯୋଜନାରୁ ଆରମ୍ଭ କରି ସ୍ୱଚ୍ଛ ଭାରତ ଅଭିଯାନ ପର୍ଯ୍ୟନ୍ତ, ଉଜ୍ୱଳାରୁ ଆରମ୍ଭ କରି ମୁଦ୍ରା ଯୋଜନା ପର୍ଯ୍ୟନ୍ତ, ଷ୍ଟାର୍ଟଅପରୁ ଆରମ୍ଭ କରି ଷ୍ଟାଣ୍ଡଅପ୍ ଇଣ୍ଡିଆ ପର୍ଯ୍ୟନ୍ତ, ଉଜାଲାରୁ ଆରମ୍ଭ କରି ଉଡାଣ ପର୍ଯ୍ୟନ୍ତ ଆପଣଙ୍କୁ କେବଳ ଗରିବଙ୍କ କଲ୍ୟାଣ ହିଁ ଦେଖାଯିବ ।

କେହି ଚିନ୍ତା କରିନଥିଲେ କି କେବେ ଏଭଳି ସରକାର ମଧ୍ୟ ଆସିବ ଯିଏ 30କୋଟି ଗରିବଙ୍କ ପାଇଁ ବ୍ୟାଙ୍କ ଖାତା ଖୋଲିବ । କେହି ଭାବିନଥିଲେ କି କେବେ ଏଭଳି ସରକାର ଆସିବ ଯିଏ ମାସକୁ ଏକ ଟଙ୍କା ଓ 90 ପଇସା ପ୍ରତିଦିନ ପ୍ରିମିୟମରେ ବର୍ଷକୁ 15କୋଟି ଗରିବ ଲୋକଙ୍କୁ ବୀମା ଉପଲବ୍ଧ କରାଇବ । କେହି ଭାବିନଥିବେ କି ଏଭଳି ସରକାର ଆସିବ ଯିଏ ବିନା ବ୍ୟାଙ୍କ ଗ୍ୟାରେଣ୍ଟିରେ 9 କୋଟି ଏକାଉଣ୍ଟଧାରୀଙ୍କୁ ସାଢ଼େ 3ଲକ୍ଷ କୋଟି ଟଙ୍କାରୁ ଉର୍ଦ୍ଧ୍ଵ ଋଣ ଦେବ । କେହି ଭାବିନଥିବେ କି ଏଭଳି ସରକାର ଆସିବ ଯିଏ ଏ ସମ୍ପର୍କରେ ଚିନ୍ତା କରିବ କି ମହିଳାଙ୍କୁ କିଭଳି ରୋଷେଇରେ ଧୂଆଁରୁ ମୁକ୍ତି ମିଳିବ । କେହି ଚିନ୍ତା କରିନଥିବେ ଏଭଳି ସରକାର ଆସିବ ଯିଏ ଏ ସମ୍ପର୍କରେ ଭାବିବ କି ହାୱାଇ ଚପଲ ପିନ୍ଧୁଥିବା ଲୋକ ବି ଉଡାଜାହାଜରେ ଉଡ଼ିପାରିବ । କେହି ଭାବିନଥିବେ କି କେବେ ଏଭଳି ସରକାର ଆସିବ ଯିଏ ଷ୍ଟେଣ୍ଟର ମୂଲ୍ୟ ହ୍ରାସ କରିଦେବ, ଆଣ୍ଠୁ ପ୍ରତିରୋପଣର ମୂଲ୍ୟ ବି ଗରିବ ଓ ମଧ୍ୟମ ବର୍ଗଙ୍କୁ ସୁହାଇବା ଭଳି ହୋଇଯିବ ।

ଗରିବଙ୍କ ସ୍ୱପ୍ନ ହେଉଛି ମୋ’ ସରକାର ସ୍ୱପ୍ନ ଏବଂ ଗରିବଙ୍କ କଷ୍ଟ, ତା’ର ଦୈନନ୍ଦିନ ଜୀବନରେ ଆସୁଥିବା ସମସ୍ୟାକୁ ହ୍ରାସ କରିବା ମୋ’ ସରକାରର ସବୁଠାରୁ ବଡ଼ ଦାୟିତ୍ୱ । ଆଜି ଏହି କ୍ରମରେ ଦେଶର କୋଟି କୋଟି ଗରିବ ପରିବାର ସହ ଜଡ଼ିତ, ଗରିବ ମହିଳାଙ୍କ ସହ ଜଡ଼ିତ, ଏକ ବହୁତ ବଡ଼, ବହୁତ ମହତ୍ୱପୂର୍ଣ୍ଣ ଓ ଅତ୍ୟନ୍ତ ଆବଶ୍ୟକ ଯୋଜନାର ଶୁଭାରମ୍ଭ କରାଯାଉଛି ।

ଭାଇ ଓ ଭଉଣୀମାନେ ଏହି ଯୋଜନାର ନାଁ ପ୍ରଧାନମନ୍ତ୍ରୀ ସହଜ ବିଜୁଳି ପ୍ରତି ଘର ଯୋଜନା ଅର୍ଥାତ ସୌଭାଗ୍ୟ ।

ବନ୍ଧୁଗଣ, ସ୍ୱାଧୀନତାର 70ବର୍ଷ ପରେ ବି ଆମ ଦେଶରେ 4କୋଟିରୁ ଉର୍ଦ୍ଧ୍ଵ ଘର ଏଭଳି ରହିଛି ଯେଉଁଠି ବିଦ୍ୟୁତ ସଂଯୋଗ ନାହିଁ । ଆପଣ ଚିନ୍ତା କରନ୍ତୁ, ଚାରିକୋଟି ଘରେ ରହୁଥିବା ଲୋକଙ୍କ ଜୀବନ କେମିତି ହୋଇଥିବ । ଆପଣ କଳ୍ପନା କରନ୍ତୁ କି ଆପଣଙ୍କ ଜୀବନରୁ ଏବେ ବିଜୁଳି ଚାଲିଗଲେ ଆପଣଙ୍କ ଜୀବନ କେମିତି ହୋଇଯିବ ।

ବନ୍ଧୁଗଣ, 125ବର୍ଷରୁ ଅଧିକ ବର୍ଷ ବିତିଗଲାଣି । ଯେତେବେଳେ ମହାନ ବୈଜ୍ଞାନିକ ଥମାସ୍ ଆଲ୍ଭା ଏଡିସନ୍ ବଲ୍ବ ଆବିଷ୍କାର କରିଥିଲେ । ବିଶ୍ୱକୁ ନିଜର ଆବିଷ୍କାର ଦେଖାଇ ଏଡିସନ୍ କହିଥିଲେ- ଆମେ ବିଜୁଳିକୁ ଏତେ ଶସ୍ତା କରିଦେବା ଯେ କେବଳ ଧନୀ ଲୋକମାନେ ମହମବତୀ ଜାଳିବେ ।
ଆମ ସମସ୍ତଙ୍କ ପାଇଁ ଏହା ଦୁଃଖଦ ଓ ଅବଶୋଷଜନକ କଥା ଯେ ଆଜିପର୍ଯ୍ୟନ୍ତ ଦେଶର ଚାରି କୋଟି ଘରେ ବଲ୍ବ ତ ଦୂରର କଥା ବିଜୁଳି ଟିକେ ପହଚିଂ ପାରିନାହିଁ । ଏସବୁ ଘରେ ଆଜି ବି ମହମବତୀ ଜଳୁଛି । ଡିବିରି ଜଳୁଛି, ଲଣ୍ଠନ ଜଳୁଛି । ଏହି କୋଟି କୋଟି ଗରିବ ପରିବାରରେ ଆଜି ବି ସନ୍ଧ୍ୟା ପରେ ପିଲାଙ୍କ ପଢ଼ିବାରେ ସମସ୍ୟା ହେଉଛି । ପଢ଼ୁଛନ୍ତି ତା’ପୁଣି ଲଣ୍ଠନ ଆଲୁଅରେ । ସୁଖସୁବିଧା କଥା ଛାଡ଼ନ୍ତୁ, ଘରେ ମହିଳାମାନଙ୍କୁ ବି ଅନ୍ଧାରରେ ରୋଷେଇ କରିବାକୁ ପଡ଼ୁଛି ।

ଘରେ ଆଲୁଅ ନାହିଁ, ବିଜୁଳି ସଂଯୋଗ ନାହିଁ, ଏହାର ସିଧା ପ୍ରଭାବ ରାସ୍ତାର ଆଲୁଅ ଉପରେ ପଡ଼ିଥାଏ । ଅନ୍ଧାରରେ ଘରୁ ବାହାରିବା କଷ୍ଟକର ହୋଇଯାଏ । ବିଶେଷକରି ମହିଳାମାନେ ତ ଯେମିତି ଘରେ ବାନ୍ଧି ହୋଇ ରହିଯାଆନ୍ତି ।

ବିଜୁଳି ବିନା ଜୀବନ କେମିତି କଟେ, ଏହା ବୁଝିବା ଆମର-ଆପଣଙ୍କ, ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଜରୁରୀ ଯାହାଙ୍କ ପାଖରେ ବିଜୁଳି ସଂଯୋଗ ଅଛି । ବିନା ବିଜୁଳିରେ ଥିବା ଏସବୁ ଘରେ ଯେତେବେଳେ ବିଜୁଳି ପହଂଚିବ, ସେତେବେଳେ ସେମାନଙ୍କ ଭାଗ୍ୟ ଚମକିବ, ସେତେବେଳେ ସେମାନଙ୍କ ପାଇଁ ସୌଭାଗ୍ୟ ଆସିବ ।

ପ୍ରଧାନମନ୍ତ୍ରୀ ସହଜ ବିଜୁଳି ପ୍ରତ୍ୟେକ ଘର ଯୋଜନା ଅର୍ଥାତ ସୌଭାଗ୍ୟ ଅଧୀନରେ ସରକାର ଦେଶର ସମସ୍ତ ଏଭଳି ଘରେ ତାହା ତେଣିକି ଗାଁ ହେଉ କି ସହର ହେଉ, ଅବା ଦୂରଦୂରାନ୍ତ ଅଂଚଳ ହେଉ । ଉକ୍ତ ଘରକୁ ବିଜୁଳି ସଂଯୋଗ ଯୋଗାଇ ଦେବେ । କୌଣସି ଗରିବଙ୍କୁ ବିଜୁଳି ସଂଯୋଗ ପାଇଁ କୌଣସି ପ୍ରକାରର ଶୁଳ୍କ ଦେବାକୁ ପଡ଼ିବ ନାହିଁ । ସରକାର ଗରିବଙ୍କ ଘରକୁ ଯାଇ ବିଜୁଳି ସଂଯୋଗ ଦେବେ । ଯେଉଁ ବିଜୁଳି ସଂଯୋଗ ପାଇଁ ଗରିବ ଲୋକଙ୍କୁ ଗାଁର ମୁଖିଆ ଘରକୁ, ସରକାରୀ ଅଫିସକୁ ଚକ୍କର କାଟିବାକୁ ପଡ଼ୁଥିଲା, ସେହି ଗରିବଙ୍କ ଘରକୁ ଯାଇ ସରକାର ନିଜେ ବିଜୁଳି ସଂଯୋଗ ଦେବେ । ଗୋଟିଏ ବି ଟଙ୍କା ନନେଇ ବିଜୁଳି ସଂଯୋଗ ଦେବେ ।

ଦେଶର ପ୍ରତ୍ୟେକ ଗରିବ ଘରେ ବିଜୁଳି ସଂଯୋଗ ପହଚାଂଇବା ପାଇଁ 16ହଜାର କୋଟି ଟଙ୍କାରୁ ଉର୍ଦ୍ଧ୍ଵ ଖର୍ଚ୍ଚ ହେବ । ଆମେ ନିଷ୍ପତ୍ତି ନେଇଛୁ କି ଏହାର ବୋଝ କୌଣସି ଗରିବ ଲୋକଙ୍କ ଉପରେ ଲଦି ଦିଆଯିବ ନାହିଁ ।

ଏହି ସରକାର ଗରିବଙ୍କୁ ଉକ୍ତ ସୌଭାଗ୍ୟ ଦେବା ପାଇଁ ସଂକଳ୍ପ ନେଇଛି । ଗରିବଙ୍କୁ ସୌଭାଗ୍ୟର ଏହି ସଂକଳ୍ପ ଆମେ ପ୍ରମାଣିତ କରାଇବୁ ।

ବନ୍ଧୁଗଣ, ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ କହିଥିଲେ କି – “ଆର୍ଥିକ ଯୋଜନା ତଥା ଆର୍ଥିକ ପ୍ରଗତିର ମାପକାଠି ସମାଜରେ ଉପରର ସିଡିରେ ପହଂଚିଥିବା ବ୍ୟକ୍ତି ନୁହେଁ ବରଂ ସବୁଠୁ ତଳସ୍ତରରେ ରହିଥିବା ବ୍ୟକ୍ତିଠାରୁ ହେଉ” । ଅର୍ଥାତ ସରକାରଙ୍କ ଯୋଜନାର ପ୍ରାମାଣିକତା ଏହି ଆଧାରରେ ହେବା ଉଚିତ କି ଏଥିରେ ଗରିବଙ୍କ କେତେ ଫାଇଦା ହେଲା । ଆଜି ମୋତେ ଖୁସି ଲାଗୁଛି ଯେ ପଣ୍ଡିତ ଦୀନଦୟାଲଙ୍କ ଜନ୍ମଦିବସରେ ଦେଶର କୋଟି କୋଟି ଗରିବ ପରିବାରର ସ୍ୱପ୍ନକୁ ପୁରା କରିବା ପାଇଁ ଏତେ ବଡ଼ ଯୋଜନାର ଆରମ୍ଭ ହେଉଛି ।

ଘରେ ବିଜୁଳି ନହେବା ଯୋଗୁ ଗରିବ ଓ ବିଶେଷକରି ମହିଳା-ଶିଶୁଙ୍କୁ ଯେମିତି ସମସ୍ୟା ହୁଏ ତାକୁ ବୁଝି ସରକାର ଏଭଳି 18ହଜାର ଗାଁରେ ବିଜୁଳି ପହଂଚାଇବାକୁ ପ୍ରତିଶ୍ରୁତିବଦ୍ଧ, ଯେଉଁଠିକି ସ୍ୱାଧୀନତାର ଏତେ ବର୍ଷ ପରେ ବିଜୁଳି ପହଂଚିନାହିଁ । ମୁଁ ଲାଲକିଲ୍ଲାରୁ ଏକ ହଜାର ଦିନରେ ଏହି କାମ ପୂରଣ କରିବାର ପ୍ରତିଶ୍ରୁତି ଦେଇଥିଲି ।

ଏହି 18ହଜାର ଗାଁ ମଧ୍ୟରୁ ଏବେ 3ହଜାର ଗାଁରୁ ବି କମ୍ ଏଭଳି ବାକି ରହିଛି ଯେଉଁଠି ବିଜୁଳି ପହଂଚିବା ବାକି ଅଛି । ମୋର ବିଶ୍ୱାସ ଯେ ଏହି ଗାଁଗୁଡ଼ିକରେ ବି ନିର୍ଦ୍ଧାରିତ ସମୟ ଭିତରେ ବିଜୁଳି ପହଂଚିଯିବ ।

ଭାଇ ଓ ଭଉଣୀମାନେ : ନିଉ ଇଣ୍ଡିଆରେ ପ୍ରତ୍ୟେକ ଗାଁକୁ କେବଳ ବିଜୁଳି ପହଂଚିବ ନାହିଁ ବରଂ ନିଉ ଇଣ୍ଡିଆରେ ପ୍ରତ୍ୟେକ ଘରେ ବିଜୁଳି ସଂଯୋଗ ମଧ୍ୟ ହେବ ।

ପ୍ରଧାନମନ୍ତ୍ରୀ ସହଜ ବିଜୁଳି ପ୍ରତ୍ୟେକ ଘରେ ଯୋଜନା ଅର୍ଥାତ ସୌଭାଗ୍ୟର ଆରମ୍ଭ ହେବା ସରକାରଙ୍କ ଇଚ୍ଛାଶକ୍ତି ଓ ଦେଶରେ ଉର୍ଜା କ୍ରାନ୍ତି ପାଇଁ କରାଯାଉଥିବା ଉପାୟର ମଧ୍ୟ ଏକ ପ୍ରତୀକ । ବିଜୁଳି ସଙ୍କଟ ଦୂର ବିନା, ବ୍ୟବସ୍ଥାରେ ସୁଧାର ବିନା, ପୁରୁଣା ବ୍ୟବସ୍ଥାର ଆଧୁନିକୀକରଣ ବିନା ଏଭଳି ଯୋଜନାର ଆରମ୍ଭ କରାଯାଇପାରିବ ନାହିଁ । ଏହି ଯୋଜନା ଗତ 3ବର୍ଷ ମଧ୍ୟରେ କରାଯାଇଥିବା କେନ୍ଦ୍ର ସରକାରଙ୍କ ପ୍ରୟାସର ମଧ୍ୟ ପ୍ରତୀକ ।

ଦେଶର ଲୋକମାନେ ସେଦିନ ଭୁଲିପାରିବେ ନାହିଁ, ଯେତେବେଳେ ଟିଭି ଚାନେଲରେ ବଡ଼ ବଡ଼ ବ୍ରେକିଂ ନ୍ୟୁଜ ଚାଲୁଥିଲା କି କୋଇଲା ଘରେ ମାତ୍ର ଗୋଟିଏ ଦିନର କୋଇଲା ବାକି ଅଛି । ଦୁଇଦିନର କୋଇଲା ବାକି ଅଛି । ବିଜୁଳି ସଙ୍କଟର ସେ ଯୁଗ ଥିଲା, ଯେତେବେଳେ ଗ୍ରୀଡ ଫେଲ୍ ହୋଇଯାଉଥିଲା । ପୁରା ରାଜ୍ୟ ଅନ୍ଧକାରରେ ଡୁବି ଯାଉଥିଲା । ଏହା ମୁଁ ଅନେକ ଦଶନ୍ଧି ପୂର୍ବର କଥା କହୁନାହିଁ । ଏସବୁ କିଛି ଏହି ଦଶନ୍ଧିର ଆରମ୍ଭ ହୋଇଥିଲା । ଗତ ସରକାର ସମୟରେ ହିଁ ହୋଇଥିଲା ।

ଏବେ ମନେପକାନ୍ତୁ, କେତେ ଦିନ ହେଲା ଏଭଳି ବ୍ରେକିଂ ନ୍ୟୁଜ ଚାଲିଥିଲା । ବନ୍ଧୁଗଣ, ଦେଶ ବିଜୁଳି ସଙ୍କଟକୁ ପଛରେ ପକାଇ ଏବେ ବିଜୁଳି ବଳକା ହେବାରେ ଲାଗିଛି । ଆଉ ଏସବୁ କିଛି ଏକ ବଡ଼ ରଣନୀତି ଆଧାରରେ, ନୂଆ ଆଭିମୁଖ୍ୟ ସହ, ନୂଆ ନୀତି ସହ ବହୁମୁଖୀ ପଦକ୍ଷେପ ଉଠାଇବା ଦ୍ୱାରା ହୋଇଛି ।

ଦେଶର ବିଜୁଳି ବ୍ୟବସ୍ଥା, ସୁଧାରିବା ପାଇଁ ଚାରଟି ଭିନ୍ନ ଭିନ୍ନ ପର୍ଯ୍ୟାୟରେ ଏକସଙ୍ଗେ କାମ କରାଯାଇଛି । ଉତ୍ପାଦନ, ପରିବହନ, ବିତରଣ ଓ ସଂଯୋଗ । ଯଦି ଉତ୍ପାଦନ ନହେବ ତା’ହେଲେ ପରିବହନ ଓ ବିତରଣ ବ୍ୟବସ୍ଥା ସୁଦୃଢ଼ ହେବ ନାହିଁ । ତେଣିକି ସଂଯୋଗର ଯେତେ କଥା କହିଲେ ବି ଘରେ ଘରେ ବିଜୁଳି ପହଂଚି ପାରିବ ନାହିଁ ।

ତେଣୁ ସରକାର ଗଠନ ହେବା ପରେ, ସର୍ବପ୍ରଥମେ ଉତ୍ପାଦନ ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯାଇଥିଲା । ସୌର ଶକ୍ତି, ପାଣିରୁ ପ୍ରସ୍ତୁତ ହେଉଥିବା ବିଜୁଳି, କୋଇଲାରୁ ଉତ୍ପାଦିତ ହେଉଥିବା ବିଜୁଳି ଓ ପରମାଣୁ ଶକ୍ତିରୁ – ସବୁ କ୍ଷେତ୍ରରେ ଉତ୍ପାଦନ ବୃଦ୍ଧି ପାଇଁ ଚାରିଆଡ଼ୁ କାମ ଆରମ୍ଭ ହୋଇଥିଲା ।

1- ବନ୍ଧୁଗଣ, 2015 ମସିହାରେ ଆମେ କୋଇଲା ଖଣି ପାଇଁ ଏକ ନୂଆ ଅଧିନିୟମ ଲାଗୁ କରିଥିଲୁ ଯାହା ଆଧାରରେ ପ୍ରଥମଥର କୋଇଲା ଖଣିର ରିଭର୍ସ ଇ-ନିଲାମୀ ଆରମ୍ଭ ହୋଇଥଲା । 2009 ରୁ 2014 ମସିହା ପର୍ଯ୍ୟନ୍ତ 5ବର୍ଷ ମଧ୍ୟରେ କୋଇଲାର ଉତ୍ପାଦନ ମାତ୍ର 34 ନିୟୁତ ଟନ୍ ବଢ଼ିଥିଲା । କିନ୍ତୁ ଗତ 3ବର୍ଷ ମଧ୍ୟରେ ଆମେ 93 ନିୟୁତ ଟନ୍ ଉତ୍ପାଦନ ବୃଦ୍ଧି କରି ପ୍ରତିବର୍ଷ 659 ନିୟୁତ ଟନ କରିଦେଇଛୁ । ଆପଣଙ୍କୁ ଜଣାଇ ମୋତେ ଖୁସି ଲାଗୁଛି କି ଏହି ସରକାର 3ବର୍ଷ ମଧ୍ୟରେ ସରକାରୀ ଉଦ୍ୟୋଗ ଦ୍ୱାରା କୋଇଲା ଉତ୍ପାଦନରେ ହୋଇଥିବା ବୃଦ୍ଧି, ଗତ ସରକାରର 5ବର୍ଷ କାର୍ଯ୍ୟକାଳରେ ହୋଇଥିବା ବୃଦ୍ଧି ତୁଳନାରେ ଦେଢ଼ଗୁଣ ଅଧିକ ।

ଯେଉଁମାନଙ୍କୁ ଖଣି ନୁହେଁ, କୋଇଲା ଦରକାର ସେମାନଙ୍କ ପାଇଁ ଚାରିମାସ ପୂର୍ବରୁ ସରକାର ‘ଶକ୍ତି’ ନାମରେ ଏକ ନୂଆ କୋଇଲା ଆବଣ୍ଟନ ନୀତି ମଧ୍ୟ କାର୍ଯ୍ୟକାରୀ କରିଛନ୍ତି । ଏହି ଆଧାରରେ ବିଜୁଳି ଉତ୍ପାଦନ କରୁଥିବା ତାପଜ ପ୍ଲାଣ୍ଟକୁ କୋଇଲା ଆବଣ୍ଟନ ପାରଦର୍ଶିୀ ଶୈଳୀରେ ନିଲାମ ଦ୍ୱାରା କରାଯାଉଛି । ଗତ ବର୍ଷ ଫେବୃୟାରୀରେ ସରକାର କୋଇଲା ଲିଙ୍କେଜର ପୁନଃ ଆବଣ୍ଟନ ପାଇଁ ସମସ୍ତ ପାରଦର୍ଶୀ ନିଲାମ ନୀତି ମଧ୍ୟ ଜାରି କରିସାରିଛନ୍ତି ।

2- ବନ୍ଧୁଗଣ, ଯେଉଁ କୋଇଲାର ନିଲାମରେ କୋଟି କୋଟି ଟଙ୍କାର କୋଇଲା ଦୁର୍ନୀତି ହୋଇଥିଲା । ଉକ୍ତ କୋଇଲାର ନିଲାମର ଏକ ପାରଦର୍ଶୀ ଓ ଆଧୁନିକ ବ୍ୟବସ୍ଥା ଏହି ସରକାର ଦେଶକୁ ଦେଇଛନ୍ତି । ଏହି ସରକାରର ନୀତିଗୁଡ଼ିକର ଉଦ୍ଦେଶ୍ୟ ଠିକ୍ ଅଛି । ଏହି ସରକାର ବିଦ୍ୟୁତ କ୍ଷେତ୍ରରେ ସୁଲଭ, ଶସ୍ତା, ସ୍ଵଚ୍ଛ, ସୁନିୟୋଜିତ, ସୁଚିନ୍ତିତ ଏବଂ ସୁରକ୍ଷିତ ବିଜୁଳି ଉପଲବ୍ଧ କରାଇବାର 6ଟି ମୌଳିକ ସିଦ୍ଧାନ୍ତ ଉପରେ କାମ କରୁଛନ୍ତି ।

3- ଗତ 3ବର୍ଷ ମଧ୍ୟରେ ସରକାରଙ୍କ ପ୍ରୟାସରେ ପ୍ରଥମଥର ସ୍ଥାପିତ କ୍ଷମତାରେ 60 ହଜାର ମେଗାୱାଟ୍ ବୃଦ୍ଧି ହୋଇଛି, ଯାହା ଲକ୍ଷ୍ୟରୁ 12% ଅଧିକ ।

4- ବନ୍ଧୁଗଣ, ଭାରତର ଶକ୍ତି ସୁରକ୍ଷା ସୁନିଶ୍ଚିତ କରିବା ସମୟରେ ଆମେ ମଧ୍ୟ ସଂକଳ୍ପ ନେଇଥିଲୁ କି ଏହି କାମ ସ୍ଵଚ୍ଛ ଶକ୍ତି ବା କ୍ଲିନ୍ ଏନର୍ଜିକୁ ପ୍ରାଥମିକତା ଦେଇ କରାଯିବ । ତେଣୁ ସରକାର 2022 ମସିହା ସୁଦ୍ଧା 175 ଗିଗାୱାଟ୍ କ୍ଲିନ୍ ଏନର୍ଜି ଉତ୍ପାଦନର ଲକ୍ଷ୍ୟ ରଖିଥିଲେ । ଅର୍ଥାତ ଏଭଳି ବିଜୁଳି ଯାହା ସୌର, ପବନ ଓ ଜଳରୁ ଉତ୍ପାଦନ ହେବ ।

5- ଏହି ଲକ୍ଷ୍ୟରେ ଚାଲି ଗତ 3ବର୍ଷ ମଧ୍ୟରେ ଭାରତରେ ଅକ୍ଷୟ ଶକ୍ତି କ୍ଷମତାକୁ ପ୍ରାୟ ଦ୍ୱିଗୁଣ କରିଦିଆଯାଇଛି । ଆଉ ଏଥିରେ 27ହଜାର ମେଗାୱାଟରୁ ଅଧିକ କ୍ଷମତାର ବୃଦ୍ଧି ହୋଇଛି । ଏହି ଅବଧିରେ ସୌର ଶକ୍ତିର କ୍ଷମତା ପ୍ରାୟ 5ଗୁଣ ବୃଦ୍ଧି ପାଇଛି ।

6- ଅକ୍ଷୟ ଶକ୍ତି କ୍ଷେତ୍ରରେ ପ୍ରତିଯୋଗିତା ବୃଦ୍ଧିକୁ ପ୍ରୋତ୍ସାହିତ କରି ସରକାର ଏହା ମଧ୍ୟ ସୁନିଶ୍ଚିତ କରିଛନ୍ତି କି ତାହା ଦେଶର ସାଧାରଣ ନାଗରିକଙ୍କ ପାଇଁ ସୁଲଭ ମଧ୍ୟ ହେଉ । ଅକ୍ଷୟ ଶକ୍ତିର ଖର୍ଚ୍ଚରେ ହ୍ରାସ ଉପରେ କ୍ରମାଗତ ଦୃଷ୍ଟି ଦିଆଯାଉଛି । ଏହି କାରଣରୁ 2016-17 ମସିହାରେ ଆମକୁ ସୌର ଶକ୍ତି ମାତ୍ର 2 ଟଙ୍କା 44 ପଇସା ଓ ପବନ ଶକ୍ତି ମାତ୍ର 3 ଟଙ୍କା 42 ପଇସାର ସର୍ବନିମ୍ନ ଶୁଳ୍କରେ ମିଳିଛି । ଏତେ କମ୍ ଦାମ ମଧ୍ୟ ଆମ ଆଡ଼କୁ ଆନ୍ତର୍ଜାତିକ ଜଗତର ଧ୍ୟାନ ଆକର୍ଷିତ କରିଛି ।

7- ବନ୍ଧୁଗଣ, ସରକାର ବିଦ୍ୟୁତ ପରିବହନ କ୍ଷେତ୍ରରେ ମଧ୍ୟ ପୁଞ୍ଜିନିବେଶକୁ ବୃଦ୍ଧି କରାଇଛନ୍ତି । ଯେଉଁ କାରଣରୁ ଦେଶର ପରିବହନ ନେଟୱାର୍କ ଦ୍ରୁତଗତିରେ ବୃଦ୍ଧି ପାଇଛି । ଗତ 3 ବର୍ଷ ମଧ୍ୟରେ ଦେଢ଼ ଲକ୍ଷ କୋଟିରୁ ଅଧିକ ଟଙ୍କାର କାମ ଏହି ପ୍ରୋଜେକ୍ଟରେ ହୋଇଛି । ଏହା ଗତ ସରକାରର ଶେଷ ତିନିବର୍ଷ ତୁଳନାରେ 83 ପ୍ରତିଶତରୁ ଅଧିକ । ଏହି ସରକାର ଦ୍ୱାରା ଧାର୍ଯ୍ୟ ଲକ୍ଷ୍ୟରୁ 12 ପ୍ରତିଶତ ଅଧିକ ପରିବହନ ଲାଇନ୍ ସ୍ଥାପନ ହୋଇଛି ।

ଏହି କାରଣରୁ ନା’କେବଳ ଆଜି ଦେଶକୁ ସୁରକ୍ଷିତ ଓ ସନ୍ତୁଳିତ ଗ୍ରୀଡ୍ ଉପଲବ୍ଧ ହୋଇଛି ବରଂ ଆମେ ଏବେ ଦ୍ରୁତ ଗତି ସହ ଗୋଟିଏ ରାଷ୍ଟ୍ର, ଗୋଟିଏ ଗ୍ରୀଡ୍ ଓ ଗୋଟିଏ ଦରର ଲକ୍ଷ୍ୟ ଆଡ଼କୁ ଅଗ୍ରସର ହେଉଛୁ ।

8- ଭାଇ ଓଭଉଣୀମାନେ ବର୍ଷବର୍ଷ ଧରି ଦେଶର ଶକ୍ତି କ୍ଷେତ୍ରର ଉପେକ୍ଷା କରାଯିବା ଯୋଗୁ ଏହି କ୍ଷେତ୍ରର ବହୁତ ବଡ଼ ଦୁର୍ବଳତା ପାଲଟିଯାଇଥିଲା ଶକ୍ତି ବିତରଣ । ଏହି କାରଣରୁ ଯେତେ ବିଜୁଳି ଦେଶରେ ଉତ୍ପାଦନ ହେଉଥିଲା, ସେତିକି ବିଜୁଳି ଲୋକଙ୍କୁ ମିଳିପାରୁନଥିଲା । ବିଦ୍ୟୁତ ବିତରଣ କମ୍ପାନୀଗୁଡ଼ିକ ମଧ୍ୟ ଅତିରିକ୍ତ ୟୁନିଟ୍ ଉପରେ ଆର୍ଥିକ କ୍ଷତି ସହୁଥିଲେ । ଏହି ଦୁର୍ବଳତାକୁ ଦୂର କରିବା ପାଇଁ ବିଦ୍ୟୁତ ବଣ୍ଟନ ବ୍ୟବସ୍ଥା ସୁଦୃଢ଼ କରିବା ପାଇଁ 2015 ମସିହାରେ ସରକାର ଉଜ୍ୱଳ ଡିସ୍କମ୍ ଏସ୍ୟୁରାନ୍ସ ଯୋଜନା ଅର୍ଥାତ୍ ‘ଉଦୟ’ର ଆରମ୍ଭ କରିଥିଲେ । ଉଦୟ ଯୋଜନାର ଉଦ୍ଦେଶ୍ୟ ବିଜୁଳି ବଣ୍ଟନରେ ଲାଗିଥିବା କମ୍ପାନୀଗୁଡ଼ିକରେ ଅଧିକ କାର୍ଯ୍ୟକ୍ଷମ ଓ ଆର୍ଥିକ ପରିଚାଳନାର ସ୍ଥାପନ କରିବା । ଯେତେବେଳେ ଏହି କମ୍ପାନୀଗୁଡ଼ିକର ସ୍ଥାୟିତ୍ୱ ହେବ, ସେମାନେ ବ୍ୟବସାୟିକ ଭାବେ ସୁଦୃଢ଼ ହେବେ, ତା’ପରେ ହିଁ ବଣ୍ଟନ ଉପରେ ମଧ୍ୟ ଧ୍ୟାନ ଦେଇପାରିବେ ।

ଆଜି 3 ବର୍ଷର କ୍ରମାଗତ ପ୍ରୟାସ ଯୋଗୁ ବିଦ୍ୟୁତ ପରିବହନ କମ୍ପାନୀଗୁଡ଼ିକର ସ୍ଥିତିରେ ସୁଧାର ଦେଖିବାକୁ ମିଳିଛି । ଏହାର ଫଳସ୍ୱରୂପ ବଣ୍ଟନ କମ୍ପାନୀଗୁଡ଼ିକ 2017 ଅଗଷ୍ଟ ସୁଦ୍ଧା ପ୍ରାୟ 23,500 କୋଟି ଟଙ୍କା ସଂଚୟ କରିପାରିଛନ୍ତି । ଯାହା ସେମାନଙ୍କୁ ସୁଧ ଭାବେ ଦେବାକୁ ପଡ଼ୁଥିଲା ।

ଉଦୟର ପ୍ରଥମ ବର୍ଷକ ମଧ୍ୟରେ 2016 ତୁଳନାରେ ବଣ୍ଟନକାରୀ କମ୍ପାନୀଗୁଡ଼ିକର ବାର୍ଷିକ କ୍ଷତି 2017 ମସିହାରେ ପ୍ରାୟ 42 ପ୍ରତିଶତ ହ୍ରାସ ପାଇଛି । ଉଦୟ ଯୋଜନା ବିକାଶ ପାଇଁ ପ୍ରତିଯୋଗିତା ଏବଂ ସହଯୋଗମୂଳକ ସଂଘୀୟ ବ୍ୟବସ୍ଥାର ମଧ୍ୟ ସୁନ୍ଦର ଉଦାହରଣ ହୋଇଛି ।

9- ବନ୍ଧୁଗଣ ଏହି ସରକାର ଗାଁ ଓ ସହରରେ ବିଜୁଳିର ବଣ୍ଟନ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ମଧ୍ୟ ଦୁଇଟି ବଡ଼ ଯୋଜନା ଉପରେ କାମ କରୁଛି । ଗାଁରେ ଦୀନଦୟାଲ ଉପାଧ୍ୟାୟ ଗ୍ରାମ ଜ୍ୟୋତି ଯୋଜନା ଚାଲିଛି ଓ ସହରରେ ସମନ୍ଵିତ ଶକ୍ତି ବିକାଶ ସ୍କିମ୍ ଅର୍ଥାତ ଆଇପିଡିଏସ୍ । ଏହି ଦୁଇ ଯୋଜନା ସହ ଜଡ଼ିତ 69 ହଜାର କୋଟି ଟଙ୍କାରୁ ଅଧିକର ପରିଯୋଜନାକୁ ମଧ୍ୟ ମଞ୍ଜୁରି ଦିଆଯାଇ ସାରିଛି । ଏହି ଯୋଜନାଗୁଡ଼ିକ ଉପରେ ଦ୍ରୁତଗତିରେ କାମ ହେଉଛି । କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ମଧ୍ୟ ଗତ 3 ବର୍ଷ ମଧ୍ୟରେ ବିଜୁଳି ବିତରଣ କ୍ଷେତ୍ରର ଯୋଜନା ଆଧାରରେ ପ୍ରାୟ 22 ହଜାର କୋଟି ଟଙ୍କା ପାଣ୍ଠି ଉପଲବ୍ଧ କରାଇଛନ୍ତି । ଏହି ପାଣ୍ଠି ଗତ ସରକାରର ଶେଷ 3 ବର୍ଷରେ ପ୍ରଦାନ କରାଯାଇଥିବା ପାଣ୍ଠି ତୁଳନାରେ ଦୁଇଗୁଣରୁ ଅଧିକ ମଧ୍ୟ ।

10- ଭାଇ ଓ ଭଉଣୀମାନେ ସମଗ୍ର ଦେଶରେ ବିଦ୍ୟୁତ ବଣ୍ଟନ କ୍ଷେତ୍ରରେ କେନ୍ଦ୍ର ସରକାର ଯେଉଁ ନିଷ୍ପତ୍ତି ନେଇଛନ୍ତି, ଯେଉଁ ନୀତି ପ୍ରଣୟନ କରିଛନ୍ତି, ତା’ର ସିଧା ପ୍ରଭାବ ଇଜି ଅଫ ଡୁଇଙ୍ଗ୍ ବିଜିନେସ ଉପରେ ମଧ୍ୟ ପଡ଼ିଛି । ଶକ୍ତି କ୍ଷେତ୍ରରେ ଇଜି ଅଫ ଡୁଇଙ୍ଗ୍ ବିଜିନେସ ମାମଲାରେ ଭାରତ 2015 ମସିହାରେ 99 ତମ ସ୍ଥାନରେ ଥିଲା ଯେତେବେଳେ କି ଏବେ ଏହାର ରେଙ୍କିଙ୍ଗ 26 ହୋଇଯାଇଛି । ରେଙ୍କିଙ୍ଗରେ ଏତେ ବଡ଼ ବୃଦ୍ଧି ଏହି କ୍ଷେତ୍ରକୁ ସୁଧାରରେ ଲାଗିଥିବା ଲୋକଙ୍କ ପାଇଁ ଗୌରବର କଥା ।

11- ଶକ୍ତି କ୍ଷେତ୍ରରେ ଭାରତ କାର୍ଯ୍ୟ ଉପରେ ଆଉ ଏକ ଆନ୍ତର୍ଜାତିକ ଏଜେନ୍ସୀ ଆଡ଼କୁ ରେଖାଙ୍କିତ କରୁଛି । ଆମେରିକାର ମହାକାଶ ଏଜେନ୍ସୀ ନାସା ଗତବର୍ଷ ରାତିରେ ଅନ୍ତରୀକ୍ଷରୁ ଭାରତର ଏକ ଚିତ୍ର ନେଇଥିଲା । ଏହି ଚିତ୍ରରେ ଭାରତ ଆଲୋକିତ କରୁଥିଲା । ଏଭଳି ଏକ ଚିତ୍ର 2012 ମସିହା ମଧ୍ୟରେ ନେଇଥିଲା ଆଉ ସେଥିରେ ଶକ୍ତି କ୍ଷେତ୍ରରେ ଏକ ଭିନ୍ନ କାହାଣୀ ନଜର ଆସୁଥିଲା ।

12- ବନ୍ଧୁଗଣ ଏହି ସରକାର ଶକ୍ତି କ୍ଷେତ୍ରକୁ ସୁଦୃଢ଼ କରିବା ସହ ଏକଥା ଉପରେ ମଧ୍ୟ ଗୁରୁତ୍ୱ ଦେଉଛି କି ଶକ୍ତିର ଚାହିଦା ହ୍ରାସ କରୁଥିବା ଆଧୁନିକ ଜ୍ଞାନକୌଶଳକୁ ଆପଣାଇବା । ଏହି ଆଧୁନିକ ଶୈଳୀ ବିଜୁଳି ସଂଚୟ କରିବାରେ, ଲୋକଙ୍କ ବିଜୁଳି ବିଲ୍ ମଧ୍ୟ ହ୍ରାସ କରୁଛି ।

ସରକାରଙ୍କ ପ୍ରୟାସ ଯୋଗୁ ଏଲଇଡି ବଲ୍ବ ଯାହା 2014 ଫେବୃୟାରୀରେ 310 ଟଙ୍କାରେ ମିଳୁଥିଲା । ଏବେ 2017 ସେପ୍ଟେମ୍ବରରେ ମାତ୍ର 40 ଟଙ୍କା ହୋଇଯାଇଛି । ଉଜାଲା ଯୋଜନା ଅଧିନରେ ଏପର୍ଯ୍ୟନ୍ତ ଦେଶରେ 26 କୋଟିରୁ ଅଧିକ ଏଲ୍ଇଡଇ ବଲ୍ବ ବଣ୍ଟନ କରାଯାଇ ସାରିଛି । ଏଥିରେ ଲୋକଙ୍କୁ ବିଜୁଳି ବଲ୍ବରେ ବାର୍ଷିକ 13 ହଜାର 700 କୋଟି ଟଙ୍କାରୁ ଅଧିକ ଅନୁମାନିକ ସଂଚୟ ହୋଇଛି । ଘରୋଇ କ୍ଷେତ୍ରରେ ମଧ୍ୟ 41 କୋଟିରୁ ଅଧିକ ଏଲ୍ଇଡି ବଲ୍ବ ବିତରଣ ହୋଇଛି । ଏହା ବ୍ୟତୀତ ସରକାର ଦ୍ୱାରା ବିଜୁଳି ସଂଚୟ ପାଇଁ ପ୍ରାୟ 13 ଲକ୍ଷ ଫ୍ୟାନ୍ ଓ 33 ଲକ୍ଷରୁ ଅଧିକ ଟ୍ୟୁବ ଲାଇଟ୍ ବି ବିତରଣ କରାଯାଇଛି । ବିଶ୍ୱର ସବୁଠାରୁ ବଡ଼ କାର୍ଯ୍ୟକ୍ରମ ଆଧାରରେ 33 ଲକ୍ଷ 60 ହଜାରରୁ ଅଧିକ ଏଲ୍ଇଡି ଷ୍ଟ୍ରିଟ୍ ଲାଇଟ୍ ମଧ୍ୟ ଲଗାଯାଇଛି ।

13- ବନ୍ଧୁଗଣ, ପାରଦର୍ଶିତା ଓ ଉତ୍ତରଦାୟିତ୍ୱ ଏହି ସରକାରର ସର୍ବୋଚ୍ଚ ପ୍ରାଥମିକତା । ଦେଶର ସାଧାରଣ ନାଗରିକ, ଦେଶର ଗରିବ ଲୋକ, ଦେଶର ପ୍ରତ୍ୟେକ ଉପଭୋକ୍ତା ଆମ ପାଇଁ ସର୍ବୋପରି । ସେମାନଙ୍କଠାରୁ ପ୍ରତ୍ୟେକସ୍ତରରେ ପରାମର୍ଶ ନେବା ଓ ସେମାନଙ୍କୁ କାର୍ଯ୍ୟର ସୂଚନା ଦେବା ଉଭୟ ପାଇଁ ସରକାର ବେଶ୍ ଗମ୍ଭୀର । ମୋବାଇଲ ଆପ୍, ୱେବପୋର୍ଟାଲ, ଡ଼େସବୋର୍ଡ ମାଧ୍ୟମରେ ଯୋଜନାର ପ୍ରଗତିକୁ ଲୋକଙ୍କ ନିକଟରେ ପହଂଚାଯାଉଛି । ଲୋକଙ୍କଠାରୁ ପରାମର୍ଶ ମଧ୍ୟ ନିଆଯାଉଛି ।

ବନ୍ଧୁଗଣ, ଆମର ଅର୍ଥବ୍ୟବସ୍ଥାର ସମ୍ପ୍ରସାରଣକୁ ଦୃଷ୍ଟିରେ ରଖି ଏହା ମଧ୍ୟ ସ୍ୱାଭାବିକ ଯେ ଆଗାମୀ ବର୍ଷମାନଙ୍କରେ ଆମର ଶକ୍ତି ଆବଶ୍ୟକତା ଅଧିକ ବଢ଼ିବ । ଏଭଳି ସ୍ଥିତିରେ ଆମକୁ ଏକ ସନ୍ତୁଳନ କାଏମ କରି ଚାଲିବାକୁ ପଡ଼ିବ । ଦେଶର ଶକ୍ତି ଆବଶ୍ୟକତାକୁ ପୂରଣ କରିବାରେ ହାଇଡ୍ରୋକାର୍ବନର ବଡ଼ ଭୂମିକା ରହିଛି । ଏବେ ଦେଶର ଶକ୍ତି ଆବଶ୍ୟକତା ମୁଖ୍ୟତଃ କୋଇଲାରୁ ପୂରଣ ହେଉଛି । ଆଗାମୀ ଦିନଗୁଡ଼ିକରେ ଏହାକୁ ଆମେ ଗ୍ୟାସ ଓ ଅକ୍ଷୟ ଶକ୍ତିରୁ ମଧ୍ୟ ସନ୍ତୁଳିତ କରିବାକୁ ପଡ଼ିବ । କାର୍ବନ ସହ ଜଡ଼ିତ ଉର୍ତ୍ସଜନକୁ ହ୍ରାସ କରିବା ଆମର ସିଓପି-21 ପ୍ରତିବଦ୍ଧତା ସହ ମଧ୍ୟ ଜଡ଼ିତ ହୋଇଛି ।

ନିଉ ଇଣ୍ଡିଆରେ ଆମକୁ ଏଭଳି ଏକ ଶକ୍ତି ଫ୍ରେମୱାର୍କର ଆବଶ୍ୟକତା ରହିଛି, ଯାହା ସମାନତା, ସାମର୍ଥ୍ୟ ଓ ସ୍ଥାୟିତ୍ୱର ସିଦ୍ଧାନ୍ତରେ ଚାଲିବ । ଆମେ ଘରୋଇ ଯୋଗାଣକୁ କେତେ ବୃଦ୍ଧି କରିପାରୁଛି ଓ ଆମଦାନୀ ଉପରେ ନିର୍ଭରଶୀଳତାକୁ କେତେ ହ୍ରାସ କରିଛୁ ତାହା ଉପରେ ନିର୍ଭର କରିବ ।

2022 ମସିହା ସୁଦ୍ଧା ଆମେ ତୈଳ ଆମଦାନୀରେ କିଭଳି 10 ପ୍ରତିଶତ ହ୍ରାସ କରିପାରିବା ଯାହା କେବଳ ଉଦ୍ୟୋଗକୁ ନୁହେଁ ଦେଶର ଅର୍ଥବ୍ୟବସ୍ଥାକୁ ମଧ୍ୟ ସୁଦୃଢ଼ କରିବ । ଗତ 10 ବର୍ଷ ମଧ୍ୟରେ ଅଶୋଧିତ ସାମଗ୍ରୀର ଆମଦାନୀ ଉପରେ ଆମେ ପ୍ରାୟ ଏକ ଟ୍ରିଲିୟନ ଡଲାର ଖର୍ଚ୍ଚ କରିସାରିଲୁଣି । ଏହା ଆମର ସାଧାରଣ ବଜେଟ୍ ତୁଳନାରେ ପ୍ରାୟ 3 ଗୁଣରୁ ଅଧିକ । ଏଥିରୁ ଆପଣ ଆକଳନ କରିପାରୁଥିବେ ତୈଳ ଆମଦାନୀରେ ହ୍ରାସ କରି ଯେଉଁ ପାଣ୍ଠି ସଂଚୟ ହେବ ତାହା ଯେତେବେଳେ ଦେଶର ଗ୍ରାମୀଣ ଅଂଚଳର ବିକାଶର ଯୋଜନାରେ ଖର୍ଚ୍ଚ କରାଯିବ ତାହା ଦ୍ୱାରା କେତେ ସାମାଜିକ ଓ ଆର୍ଥିକ ବିକାଶ ହୋଇପାରିବ ।
ବନ୍ଧୁଗଣ, ଗତ 3 ବର୍ଷ ମଧ୍ୟରେ ତୈଳ ଓ ଗ୍ୟାସ କ୍ଷେତ୍ରରେ ସୁଧାର କରି ଅନେକ ବଡ଼ ଖାଉଟୀକୈନ୍ଦ୍ରୀକ ପଦକ୍ଷେପ ଆରମ୍ଭ କରାଯାଇଛି । ଯେମିତିକି ପ୍ରଧାନମନ୍ତ୍ରୀ ଉଜ୍ୱଳା ଯୋଜନା, ଏଲପିଜି ସବସିଡିକୁ ଡାଇରେକ୍ଟ ବେନିଫିଟ ଟ୍ରାନ୍ସଫର ସ୍କିମ ସହ ଯୋଡ଼ିବା, ପାଇପ ଯୋଗେ ପ୍ରାକୃତିକ ଗ୍ୟାସ ଯୋଗାଣ ଓ ସିଟି ଗ୍ୟାସ ଡିଷ୍ଟ୍ରିବ୍ୟୁସନ୍ ନେଟୱାର୍କର ସମ୍ପ୍ରସାରଣ କରିବା, ଏଲପିଜି ସଂଖ୍ୟା ବୃଦ୍ଧି କରିବା ସାମିଲ ଅଛି ।

ଏହା ବ୍ୟତୀତ ନୀତି ପ୍ରସ୍ତୁତିସ୍ତରରେ ମଧ୍ୟ ଅନେକ ବଡ଼ ନିଷ୍ପତ୍ତି ନିଆଯାଇଛି – ଯେମିତିକି ତୈଳ ଇନ୍ଧନର ମୂଲ୍ୟକୁ ସରକାରୀ ନିୟନ୍ତ୍ରଣମୁକ୍ତ କରିବା, ଗ୍ୟାସ ଦର ପାଇଁ ନୂଆ ନୀତି ନିର୍ଦ୍ଧାରଣ, ଘରୋଇ ଉତ୍ପାଦନ ବୃଦ୍ଧି ପାଇଁ ନୂଆ ଉପାୟ, ହେଲ୍ପ ଅର୍ଥାତ ହାଇଡ୍ରୋକାର୍ବନ ଏକ୍ସପ୍ଲୋରେସନ୍ ଓ ଲାଇସେନ୍ସିଂ ପଲିସି ପ୍ରସ୍ତୁତ, ଡିଏସ୍ଏଫ୍ ଅର୍ଥାତ ଡିସ୍କଭରଡ୍ ସ୍ମଲ ଫିଲ୍ଡର ନିଲାମୀ ପାଇଁ ନୀତି ନିର୍ମାଣ କରିବା, ଫର୍ଟିଲାଇଜର କ୍ଷେତ୍ରରେ ଗ୍ୟାସ୍ ପୁଲିଂଙ୍ଗ୍ କରାଇବା ।

ଭାଇ ଓ ଭଉଣୀମାନେ ସରକାର ପରିବେଶର ସୁରକ୍ଷାକୁ ନେଇ ସମ୍ପୂର୍ଣ୍ଣ ଭାବେ ସମ୍ବେଦନଶୀଳ ଅଛନ୍ତି । ଏହାକୁ ଦୃଷ୍ଟିରେ ରଖି ବ୍ୟାପକସ୍ତରରେ ପେଟ୍ରୋଲରେ ଇଥାନଲର ମିଶ୍ରଣ, ବାୟୋ ଡିଜେଲ୍ ସହ ଜଡ଼ିତ ଯୋଜନା ଓ ଏଲ୍ଏନଜି ଟର୍ମିନାଲର ବିକାଶର କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି ।

ଭବିଷ୍ୟତରେ ଦେଶର ଶକ୍ତି ଆବଶ୍ୟକତାକୁ ସୁରକ୍ଷିତ କରିବା ପାଇଁ ତୈଳ ଉତ୍ପାଦନ କରୁଥିବା ବଡ଼ ରାଷ୍ଟ୍ର ସହ ସମ୍ବନ୍ଧକୁ ସୁଦୃଢ଼ କରାଯାଉଛି । ଏହି କ୍ରମରେ ଭାରତ-ରୁଷ ଶକ୍ତି ବ୍ରିଜର ଗଠନ କରାଯାଇଛି । ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ପକ୍ଷରୁ ବିଦେଶରେ ଏଭଳି କେତେକ ବୁଝାମଣା କରାଯାଇଛି ଯାହା ଭବିଷ୍ୟତରେ ଆମର ସ୍ୱାର୍ଥ ପ୍ରତି ଦୃଷ୍ଟି ଦେବ ।

ସରକାରଙ୍କ କାର୍ଯ୍ୟଶୈଳୀରେ ପରିବର୍ତ୍ତନ ଯୋଗୁ ସମଗ୍ର ଶକ୍ତି କ୍ଷେତ୍ର ସୁଦୃଢ଼ ହେଉଛି । ଶକ୍ତି କ୍ଷେତ୍ରର ସୁଦୃଢ଼ ହେବା ଦ୍ୱାରା ଦେଶକୁ ମଧ୍ୟ ଏକ ନୂଆ କାର୍ଯ୍ୟ ସଂସ୍କୃତି ମିଳିବ । ଦେଶର ଦୂରଦୂରାନ୍ତ ଅଂଚଳରେ ରହୁଥିବା ଲୋକଙ୍କ ପାଖରେ ଯେତେବେଳେ ଆଲୁଅ ପହଂଚିବ, ଗ୍ୟାସ ପହଞ୍ଚିବ ସେମାନଙ୍କ ବଂଚିବାର ଶୈଳୀ, କାମ କରିବାର ଶୈଳୀ ମଧ୍ୟ ବଦଳିଯିବ । ମୋର ବିଶ୍ୱାସ ଯେ ଉଜ୍ୱଳା ଯୋଜନା ଭଳି ‘ସୌଭାଗ୍ୟ ଯୋଜନା’ ବିଶେଷକରି ନାରୀ ଶକ୍ତିର ଜୀବନରେ ସୁରକ୍ଷା ଓ ସ୍ୱାସ୍ଥ୍ୟର ନୂଆ ଭାଗ୍ୟ ଉଦୟ କରିବ । ଏଥିରେ ଆମର ସମାଜର ଏକ ବଡ଼ ଅସନ୍ତୁଳନ ମଧ୍ୟ ସମାପ୍ତ ହୋଇଯିବ ।

ଗରିବଙ୍କ ଜୀବନ ପରିବର୍ତ୍ତନ ପାଇଁ, ସେମାନଙ୍କ ଜୀବନରେ ଅନ୍ଧକାରକୁ ଦୂର କରିବା ପାଇଁ, ନିଉ ଇଣ୍ଡିଆ ବା ନୂଆ ଭାରତ ପାଇଁ, ନିଆଯାଇଥିବା ଏହି ପଦକ୍ଷେପ ନିମନ୍ତେ ମୁଁ ଦେଶକୁ ପୁଣିଥରେ ବହୁତ ବହୁତ ଶୁଭକାମନା ଜଣାଉଛି ।

ଆପଣଙ୍କ ବହୁତ ବହୁତ ଧନ୍ୟବାଦ

ଜୟହିନ୍ଦ!!!

*****