ପିଏମଇଣ୍ଡିଆ
ଆସନ୍ତାକାଲି 70ତମ ସ୍ୱାଧୀନତା ଦିବସ ସମାରୋହକୁ ପାଳନ କରିବ ଗରିମାମୟ ରାଷ୍ଟ୍ର ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଅବସରରେ ଅଗଷ୍ଟ 15 ତାରିଖ ସକାଳ 7ଟା 30ମିନିଟ୍ ରେ ଲାଲକିଲ୍ଲାର ପ୍ରାଚୀରରୁ ରାଷ୍ଟ୍ରକୁ ସମ୍ବୋଧନ କରିବେ। ସ୍ୱାଧୀନତା ଦିବସରେ ଅନେକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବା ବେଳେ ଲୋକଙ୍କ ମଧ୍ୟରେ ଦେଶଭକ୍ତିର ଭାବନା ଜାଗ୍ରତ କରିବା ପାଇଁ ଦିନ ତମାମ ଅନେକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ 9 ତାରିଖରେ ମଧ୍ୟପ୍ରଦେଶରେ ସ୍ୱାଧୀନତା ସଂଗ୍ରାମୀ ଚନ୍ଦ୍ରଶେଖର ଆଜାଦଙ୍କ ଜନ୍ମସ୍ଥଳୀରୁ ତ୍ରିରଙ୍ଗା ଯାତ୍ରାକୁ ପତାକା ହଲାଇ ଆରମ୍ଭ କରିଥିଲେ। ଏହି ଯାତ୍ରାର ଉଦ୍ଦେଶ୍ୟ ହେଉଛି ସବୁ କ୍ଷେତ୍ରର ଲୋକଙ୍କ ଭିତରେ ଦେଶଭକ୍ତିର ଭାବନାକୁ ଉଜାଗର କରି ତ୍ରିରଙ୍ଗାମୟ କରିବା। ଏହି ତ୍ରିରଙ୍ଗା ଯାତ୍ରା ଅଗଷ୍ଟ 23ତାରିଖ ପର୍ଯ୍ୟନ୍ତ ଚାଲିବ । ଯେଉଁଥିରେ ସ୍ୱାଧୀନତା ସଂଗ୍ରାମୀଙ୍କ ସହ ଜଡ଼ିତ 150ଟି ସ୍ଥାନକୁ 75ଜଣ ମନ୍ତ୍ରୀ ଗସ୍ତ କରିବେ। ସୈନିକଙ୍କୁ ରାକ୍ଷୀ ବାନ୍ଧିବା ପାଇଁ 7ଜଣ ମହିଳା ମନ୍ତ୍ରୀ ମଧ୍ୟ ଦେଶର ସୀମାକୁ ଗସ୍ତ କରିବେ।
ସଂସ୍କତି ମନ୍ତ୍ରଣାଳୟ ଦ୍ୱାରା ନୂଆଦିଲ୍ଲୀର ରାଜପଥ ଲନ୍ ରେ ସପ୍ତାହବ୍ୟାପୀ ଭାରତ ପର୍ବ ଆୟୋଜିତ ହୋଇଛି। ଦେଶଭକ୍ତିର ଭାବନା ଜାଗ୍ରତ, ଦେଶର ସମୃଦ୍ଧ ସାଂସ୍କତିକ ବିବିଧତାକୁ ପ୍ରୋତ୍ସାହନ ଓ ଏଥିରେ ବହୁ ସଂଖ୍ୟାରେ ଲୋକଙ୍କ ଭାଗିଦାରୀକୁ ସୁନିଶ୍ଚିତ କରିବା ହେଉଛି ଏହାର ଉଦ୍ଦେଶ୍ୟ। ସୂଚନା ଓ ପ୍ରସାରଣ ମନ୍ତ୍ରୀ ଭେଙ୍କେୟା ନାଇଡୁ , ସଂସ୍କତି ଓ ପର୍ଯ୍ୟଟନ ମନ୍ତ୍ରୀ ମହେଶ ଶର୍ମାଙ୍କ ଉପସ୍ଥିତିରେ ପ୍ରତିରକ୍ଷା ମନ୍ତ୍ରୀ ମନୋହର ପାରିକର ଅଗଷ୍ଟ 12ତାରିଖ ସନ୍ଧ୍ୟାରେ ରାଜପଥ ଲନ୍ ରେ ଭାରତ ପର୍ବର ଉଦ୍ଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମ ସମସ୍ତ ଲୋକଙ୍କ ପାଇଁ ଓ ପ୍ରବେଶ ମାଗଣା ରହିଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟତଃ ସଶସ୍ତ୍ର ବାହିନୀଗୁଡ଼ିକର ବ୍ୟାଣ୍ଡ ପ୍ରଦର୍ଶନ, 50ଟି ଷ୍ଟଲ୍ ରେ ବହୁ ସ୍ୱାଦିଷ୍ଟ ଖାଦ୍ୟ, ହସ୍ତତନ୍ତ ମେଳା, ବିଭିନ୍ନ ରାଜ୍ୟର ସାଂସ୍କତିକ ପ୍ରଦର୍ଶନ ଓ 17ଟି ବିଷୟର ମଣ୍ଡପ, ଆଂଚଳିକ ସଂଘ/ ସଂଗଠନ/ସାଂସ୍କୃତିକ ଓ ସାମାଜିକ ସଂଗଠନ ଆଦି ରହିଛନ୍ତି। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଦ୍ୱାରା ‘ଆଜାଦି 70 ସାଲ୍ – ୟାଦ କରୋ କୁର୍ବାନି’ ଶୀର୍ଷକ ଫଟୋ ପ୍ରଦର୍ଶନୀ କରାଯାଇଛି।
ସ୍ୱାଧୀନତା ଦିବସ ସମାରୋହକୁ “ଲୋକପର୍ବ” କରାଇବା ପାଇଁ ଦେଶବ୍ୟାପୀ ଅନେକ ଅଭିନବ ପଦକ୍ଷେପ ନିଆଯାଇଛି। ଅଗଷ୍ଟ 12ରୁ ସପ୍ତାହବ୍ୟାପୀ ନୂଆଦିଲ୍ଲୀର ଶିରିଫୋର୍ଟ ପ୍ରେକ୍ଷାଳୟରେ ‘ସ୍ୱାଧୀନତା ଦିବସ ଫିଲ୍ମ ଉତ୍ସବ’ର ଆୟୋଜନ କରାଯାଇଛି। ସ୍ୱାଧୀନତା ଉତ୍ସବର ପ୍ରାସଙ୍ଗିକ-ସଂଗୀତ (Theme Song) ‘ତ୍ରିରଙ୍ଗା ଯାତ୍ରା’ ମଧ୍ୟ ଏହି ଦିନ ଉନ୍ମୋଚିତ ହୋଇଛି। ପ୍ରଥମଥର ପାଇଁ ଦେଶଭକ୍ତି ସଙ୍ଗୀତର ରଚୟିତା ଓ କମ୍ପୋଜରଙ୍କ ଆତ୍ମଜୀବନୀକୁ ପ୍ରସାରଣ କରାଯାଉଛି। ରବିନ୍ଦ୍ରନାଥ ଟାଗୋର, ବଙ୍କିମଚନ୍ଦ୍ର ଚାଟାର୍ଜୀ, ମହମ୍ମଦ ଇକ୍ବାଲ, କବି ପ୍ରଦୀପ, ସକୀଲ ବାଦାୟୁନି, ନୌସାଦ, ପୀତାମ୍ବର ଦାସ ଓ ଅନ୍ୟମାନଙ୍କ ସମେତ ଆଚାର୍ଯ୍ୟ ଆତ୍ରେୟ(1972)ଙ୍କ ଦ୍ୱାରା ତେଲଗୁରେ ଲିଖିତ “ଭାରତମାତାକୁ ଜେ ଜେଜୁଲୁ” ଭଳି ଆଚଂଳିକ ଭାଷାର ଗୀତର ରଚୟିତାଙ୍କ ଆତ୍ମଜୀବୀନକୁ କ୍ରମାନ୍ୱୟରେ ସେମାନଙ୍କ ଲିଖିତ ଗୀତର ପ୍ରସାରଣ ପୂର୍ବରୁ ପ୍ରଦର୍ଶନ କରାଯିବ। ସେହିପରି ପ୍ରଥମଥର ପାଇଁ ସ୍ୱାଧୀନତା ସମାରୋହର ୱେବପେଜ କରାଯାଇଛି। ଯେଉଁଥିରେ ଫଟୋ, ଭିଡିଓ ଓ ଅଡିଓ, ସୋସିଆଲ ମିଡିଆ ଲିଙ୍କ୍, କେତେକ ନିର୍ଦ୍ଦିଷ୍ଟ ମହାପୁରୁଷଙ୍କ ତଥ୍ୟ ଓ ଗ୍ରାଫିକ୍ସ, ପ୍ରେସ୍ ରିଲିଜ୍ ଓ ପ୍ରଧାନମନ୍ତ୍ରୀମାନଙ୍କ ଭାଷଣ ରହିଛି। ସୋସିାଲ ମିଡିଆ ପ୍ଲାଟଫର୍ମ ଯଥା ଟ୍ୱିଟର ଓ ଫେସବୁକ୍ ମାଧ୍ୟମରେ ସରକାରଙ୍କ ଯୋଜନାଗୁଡ଼ିକର ଗତିବିଧିକୁ ଅଧିକ ସକ୍ରିୟ କରାଯାଉଛି।
ଦେଶର ସମସ୍ତ ପ୍ରମୁଖ ଐତିହ୍ୟକୁ ତ୍ରିରଙ୍ଗାରେ ରେଖାଙ୍କିତ କରାଯାଇଛି। ସ୍ୱାଧୀନତା ସଂଗ୍ରାମ ‘ଆଲୋଚନା’ ପାଇଁ ଶ୍ରେଷ୍ଠ ବ୍ୟକ୍ତିମାନଙ୍କୁ ପ୍ରତିଷ୍ଠାନମାନେ ନିମନ୍ତ୍ରଣ କରିପାରିବେ। ନିଜ ସହରରେ ଥିବା ସ୍ୱାଧୀନତା ସଂଗ୍ରାମୀଙ୍କ ଜନ୍ମସ୍ଥଳୀ/ପ୍ରତିମୂର୍ତ୍ତି/ସ୍ମାରକକୁ ବୁଲିଯିବା ପାଇଁ ସ୍କୁଲ ପିଲାମାନଙ୍କୁ ପ୍ରୋତ୍ସାହିତ କରାଯାଇପାରିବ। ଏକକାଳୀନ ଦେଶର 40ହଜାର କଲେଜ ଓ 15ଲକ୍ଷ ସ୍କୁଲରେ ଅଗଷ୍ଟ 23ତାରିଖ ମଙ୍ଗଳବାର ଦିନ 11ଟା ସମୟରେ ସମସ୍ତ ଛାତ୍ରଛାତ୍ରୀଙ୍କ ଦ୍ୱାରା ଜାତୀୟ ସଙ୍ଗୀତ ସମୂହ ଗାନ କରାଯିବ। ସମସ୍ତ ସ୍କୁଲ ଓ କଲେଜରେ କ୍ରୀଡ଼ା କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ ହେବ। ଦେଶଭକ୍ତି ସଙ୍ଗୀତ ଗାଇବା, ପ୍ରବନ୍ଧ ଲିଖନ, କୁଇଜ୍, ବିତର୍କ, ଚିତ୍ରାଙ୍କନ ଓ ଚାରୁକଳା ପ୍ରତିଯୋଗିତା ମଧ୍ୟ ଆୟୋଜନ ହେବ। ମହାତ୍ମା ଗାନ୍ଧି, ସୁବାସ ଚନ୍ଦ୍ର ବୋଷ ଓ ଅନ୍ୟ ସ୍ୱାଧୀନତା ସଂଗ୍ରାମୀମାନଙ୍କ ପରିଧାନ ଭଳି ପୋଷାକ ମଧ୍ୟ ପିନ୍ଧି ପାରିବେ।
ସ୍ୱାଧୀନତାର ରଙ୍ଗ – ଅଖିଳ ଭାରତ ଅଭିଯାନ ଅଗଷ୍ଟ 9ରୁ ଅଗଷ୍ଟ 15ପର୍ଯ୍ୟନ୍ତ ଚାଲିବ। ଏହା ଜାତୀୟ ସଂଘର୍ଷର 70ଟି ସହରରେ ଆୟୋଜିତ ହୋଇଛି। ପ୍ରଥମଥର ପାଇଁ ମହିଳା ମନ୍ତ୍ରୀମାନେ ଅଗଷ୍ଟ 18 ତାରିଖରେ ରକ୍ଷା ବନ୍ଧନରେ ସୈନିକମାନଙ୍କୁ ରାକ୍ଷୀ ବାନ୍ଧିବାକୁ ସୀମାନ୍ତକୁ ଯିବେ। ଏଥିପାଇଁ ସେନା ଦ୍ୱାରା ପୂର୍ବାଚଂଳ କମାଣ୍ଡର ତେଙ୍ଗା ଓ ବୈଶାଖି, ଉତ୍ତରାଂଚଳ କମାଣ୍ଡର ବାରମୂଳା ଓ କୁପୱାଡ଼ା ସୀମାକୁ ଚିହ୍ନଟ କରାଯାଇଛି।
ଦେଶ ପାଇଁ ବଳିଦାନ ଦେଇଥିବା ବୀର ସୈନିକଙ୍କୁ ମନେ ପକାଇବାର ମଧ୍ୟ ସମୟ ହେଉଛି ସ୍ୱାଧୀନତା ଦିବସ। ଉତ୍ସବମୁଖର ହୋଇ ଦେଶଭକ୍ତି ଭାବନାରେ ଲୋକମାନେ ଏହି ସମାରୋହରେ ସାମିଲ ହେବେ ଏହା ଲୋକଙ୍କ ପର୍ବ ପାଲଟିବ। ଦେଶର ସମୃଦ୍ଧ ସାଂସ୍କତିକ ବିବିଧତାକୁ ପ୍ରୋତ୍ସାହନ ଓ ବ୍ୟାପକ ସମୂହ ଭାଗିଦାରୀକୁ ସୁନିଶ୍ଚିତ କରିବା ପାଇଁ ଦୀର୍ଘପଥ ଯିବା ନିମନ୍ତେ ଏହି ଦେଶଭକ୍ତି ଭାବନା କାର୍ଯ୍ୟ କରିବ।