ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ସ୍ୱାସ୍ଥ୍ୟସେବା ଏବଂ ନିରାମୟ କ୍ଷେତ୍ରରେ ଭାରତ ଓ ଜାପାନ ମଧ୍ୟରେ ସହଯୋଗ ପାଇଁ ସ୍ୱାକ୍ଷରିତ ବୁଝାମଣାପତ୍ରକୁ ମଞ୍ଜୁରି ପ୍ରଦାନ କରାଯାଇଛି । ଏହି ବୁଝାମଣାପତ୍ର 2018 ମସିହା ଅକ୍ଟୋବର 29 ତାରିଖ ଦିନ ଉଭୟ ଦେଶ ମଧ୍ୟରେ ସ୍ୱାକ୍ଷରିତ ହୋଇଥିଲା । ଏହି ବୁଝାମଣାପତ୍ରର ପ୍ରମୁଖ ବୈଶିଷ୍ଟ୍ୟଗୁଡ଼ିକ ହେଲା–ଭେଷଜ, ଶଲ୍ୟ ଓ ଟ୍ରମା କେୟାର କ୍ଷେତ୍ରରେ ଉପଯୁକ୍ତ ମାନବସମ୍ବଳର ବିକାଶ । କ୍ଲିନିକାଲ ପରୀକ୍ଷଣ ପାଇଁ ମିଳିତ ଅତ୍ୟାଧୁନିକ ପରୀକ୍ଷାଗାରମାନ ସ୍ଥାପନ, ଯାହାକି ଉଭୟ ଦେଶରେ ସ୍ଥାପନ କରାଯିବ । ବିଭିନ୍ନ ଅନୁଷ୍ଠାନକୁ ସହାୟତା ପ୍ରଦାନ ଏବଂ ପ୍ରାକ୍ ଅଧ୍ୟାପନା ସହଯୋଗ ଯୋଗାଣ, ଯଦ୍ୱାରା ସେହିସବୁ ଅନୁଷ୍ଠାନର ବୈଷୟିକ ଇଣ୍ଟର୍ଣ୍ଣମାନେ ଉପଯୁକ୍ତ ତାଲିମ ପାଇପାରିବେ । ଏଥିପାଇଁ ଉପଯୁକ୍ତ ସଂସାଧନର ବିକାଶ ହୋଇପାରିବ । ଏଥିପାଇଁ ଯୋଗାଯୋଗ ପ୍ରଯୁକ୍ତି ଏବଂ ଔଷଧ କ୍ଷେତ୍ରରେ କୃତ୍ରିମ ଧୀଶକ୍ତିର ପ୍ରୟୋଗ କରାଯିବ । ଭାରତ-ଜାପାନ ମିଳିତ ଅଭିନବତ୍ୱର ଏକ ହବ୍ ଭାରତରେ ପ୍ରତିଷ୍ଠା କରାଯିବ । ସେହିଭଳି ଭାରତରେ ଅତ୍ୟାଧୁନିକ ଭ୍ରାମ୍ୟମାଣ ବିଏସ୍ଏଲ୍ ଥ୍ରୀ-3 ପରୀକ୍ଷାଗାର ସୁବିଧା ସ୍ଥାପିତ ହେବ । ପଏଣ୍ଟ ଅଫ୍ କେୟାର ଡାଏଗୋନିଷ୍ଟିକ୍ ସ୍ଥାପନ ଦିଗରେ ଜାପାନ ସହଯୋଗ କରିବ ଏବଂ ଏଭଳି ୟୁନିଟମାନ ମେକ୍ ଇନ୍ ଇଣ୍ଡିଆ କାର୍ଯ୍ୟକ୍ରମ ଅଧୀନରେ ଭାରତରେ ସ୍ଥାପନ କରାଯିବ । ଏହାଦ୍ୱାରା ମାନବସମ୍ବଳର ବିକାଶ, ଗବେଷଣା ଓ ସ୍ୱାସ୍ଥ୍ୟଗତ ପ୍ରକଳ୍ପ ବିକାଶ ଦିଗରେ ଉଭୟ ଦେଶ ସହଯୋଗ କରିବେ । ଏଥିରେ ମେ-ବିଓ ଏବଂ ଆୟୁର୍ବେଦ ଭଳି ସ୍ଵ-ପରିଚାଳନାଗତ ସ୍ୱାସ୍ଥ୍ୟସେବାର ବିକାଶ ଘଟାଯିବ । ବୁଝାମଣା ସର୍ତ୍ତ ଅନୁସାରେ ଭାରତ-ଜାପାନ ସରକାରୀ ଓ ଘରୋଇ ସ୍ୱାସ୍ଥ୍ୟସେବା ଫୋରମର ବିକାଶ ଘଟାଯିବ । ସେହିଭଳି ଆୟୁଷ୍ମାନ ଭାରତ ଏବଂ AHWM ଭଳି କାର୍ଯ୍ୟକ୍ରମ ମଧ୍ୟରେ ଭବିଷ୍ୟତରେ ଉଭୟ ରାଷ୍ଟ୍ର ସହଯୋଗ ସ୍ଥାପନ କରିବେ । ଅନ୍ୟାନ୍ୟ କେତେକ କ୍ଷେତ୍ର, ଯାହାକି ଭବିଷ୍ୟତରେ ସହଯୋଗର ଆବଶ୍ୟକତା ଚାହିଁବ, ସେ କ୍ଷେତ୍ରରେ ମଧ୍ୟ ସହଯୋଗ ସ୍ଥାପନ କରାଯିବ । ଏଥିପାଇଁ ଉଭୟଦେଶ ମଧ୍ୟରେ ଏକ ମିଳିତ ଉଚ୍ଚସ୍ତରୀୟ ପରାମର୍ଶଦାତା କମିଟି ବ୍ୟବସ୍ଥା ସ୍ଥାପନ କରାଯିବ ।
****************