Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ହାଓଡି ମୋଦୀ କାର୍ଯ୍ୟକ୍ରମ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ବିଶିଷ୍ଟ ବ୍ୟକ୍ତିଙ୍କ ପ୍ରଶଂସା


ହ୍ୟୁଷ୍ଟନ କାର୍ଯ୍ୟକ୍ରମ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆମେରିକାର ବହୁ ବିଶିଷ୍ଟ ବ୍ୟକ୍ତି ଯଥା ରିପବ୍ଲିକାନ ନେତା ପିଟ ଓଲସନ, କେଭିନ ବ୍ରାଡି, ସିନେଟର ଜନ କର୍ଣ୍ଣିନ, ସିନେଟର କେଭିନ କ୍ରାମର, ସିନେଟର ଟେଡ କ୍ରୁଜ, ମିସିସିପି ଗଭର୍ଣ୍ଣର ଫିଲ ବ୍ରାୟାଂଟ, ହ୍ୟୁଷ୍ଟନ ଗଭର୍ଣ୍ଣର ମ୍ୟାଟ ବେଭିନ, ହ୍ୟୁଷ୍ଟନ ମେୟର ପ୍ରମୁଖ ପ୍ରଶଂସା କରିଛନ୍ତି । ସେହିପରି ଭାରତର ବହୁ ବିଶିଷ୍ଟ ବ୍ୟକ୍ତି ବିକାଶ ଖାନ୍ନା, ପ୍ରସୂନ ଯୋଶୀ, କରନ ଜୋହର, ଅଜୟ ଦେବଗନ, ମିଲିନ୍ଦ ଦେଓରା ଏବଂ ରିଷି କପୁର ପ୍ରମୁଖ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ପ୍ରଶଂସା କରିଛନ୍ତି । ପ୍ରଧାନମନ୍ତ୍ରୀ ଟ୍ୱିଟର ଜରିଆରେ ସେମାନଙ୍କୁ ପ୍ରଶଂସା ପାଇଁ ଧନ୍ୟବାଦ ଜଣାଇଛନ୍ତି ।

ରିପବ୍ଲିକାନ ନେତା ପିଟ ଓଲସନଙ୍କ ପ୍ରଶଂସାର ଉତରରେ ଧନ୍ୟବାଦ ଜଣାଇ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି-“ନିଶ୍ଚିତ ଭାବେ ସହମତ! ଆପଣଙ୍କ ଭଳି ଲୋକମାନେ ଆମ ଦୁଇ ଦେଶର ନିବିଡ଼ି ସମ୍ପର୍କରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ହାଓଡି ମୋଦୀ କାର୍ଯ୍ୟକ୍ରମକୁ ଆସିଥିବାରୁ ଧନ୍ୟବାଦ । ଆପଣଙ୍କ ଭାରତୀୟ ପରିଧାନ ସୁନ୍ଦର ଥିଲା!”

ସେହିପରି ରିପବ୍ଲିକାନ ନେତା କେଭିନ ବ୍ରାଡିଙ୍କ ପ୍ରଶଂସାର ଉତ୍ତରରେ ପ୍ରଧାନମନ୍ତ୍ରୀ ଧନ୍ୟବାଦ ଜଣାଇ ଟ୍ୱିଟ କରିଛନ୍ତି-“ମୁଁ ଅଦମ୍ୟ ଉତ୍ସାହ ଦେଖିପାରୁଛି, କାର୍ଯ୍ୟକ୍ରମକୁ ଆସିଥିବାରୁ ଧନ୍ୟବାଦ । ସିନେଟ ଏବଂ ସଂସଦରେ ଆପଣଙ୍କ କେତେଜଣ ସହଯୋଗୀଙ୍କର ସମାରୋହରେ ସଦୟ ଉପସ୍ଥିତି ବାସ୍ତବରେ ମୋ ପାଇଁ ସମ୍ମାନର ବିଷୟ ।”

ସେହିପରି ସିନେଟର ଜନ କର୍ଣ୍ଣିନଙ୍କୁ ଧନ୍ୟବାଦ ଜଣାଇ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି, “ଆପଣଙ୍କୁ ‘ହାଓଡି ମୋଦୀ’ ସାମୁଦାୟିକ କାର୍ଯ୍ୟକ୍ରମରେ ପାଇବା ଅନୁଭୂତି ସ୍ୱତନ୍ତ୍ର । ଟେକ୍ସାସ ପାଇଁ ଆପଣଙ୍କ ପ୍ରୟାସ ଓ ଆମେରିକା ପ୍ରତି ଆପଣଙ୍କ ସେବା ଉଲ୍ଲେଖନୀୟ । ଆପଣ ଭାରତ ପାଇଁ ମୂଲ୍ୟବାନ ବନ୍ଧୁ!”

ସେହିପରି ସିନେଟର କେଭିନ କ୍ରାମରଙ୍କୁ ଧନ୍ୟବାଦ ଜଣାଇ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି, “ହାଓଡି ମୋଦୀ କାର୍ଯ୍ୟକ୍ରମରେ ଉପସ୍ଥିତି ପାଇଁ ଆପଣଙ୍କୁ ଧନ୍ୟବାଦ । ଭାରତ-ଆମେରିକା ମଧ୍ୟରେ ଦୃଢ଼ସମ୍ପର୍କ ପ୍ରତି ଆପଣଙ୍କ ଯୋଗଦାନ ଲାଗି ଗଭୀର କୃତଜ୍ଞତା ।”

ଗଭର୍ଣ୍ଣର ଫିଲ ବ୍ରାୟାଂଟଙ୍କୁ ଧନ୍ୟବାଦ ଜଣାଇ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି, “ଆମେରିକା ଏବଂ ସୁନ୍ଦର ରାଜ୍ୟ ମିସିସିପି ସହ ଆମର ବନ୍ଧୁତାକୁ ନେଇ ଆମେ ଗର୍ବିତ । ହାଓଡି ମୋଦୀରେ ସିନେଟର ହାଇଡ ସ୍ମିଥଙ୍କ ଉପସ୍ଥିତି ଏହି କାର୍ଯ୍ୟକ୍ରମକୁ ଆହୁରି ସ୍ୱତନ୍ତ୍ର କରିଛି ।”

ଗଭର୍ଣ୍ଣର ମ୍ୟାଟ ବେଭିନଙ୍କ ଉଦ୍ଦେଶ୍ୟରେ ଟ୍ୱିଟ କରିଛନ୍ତି, “ପ୍ରିୟ ମ୍ୟାଟ ବେଭିନ! ଆପଣ ହ୍ୟୁଷ୍ଟନକୁ ଆସିବା ଏକ ଉଲ୍ଲେଖନୀୟ ସୌଜନ୍ୟତା । ହାଓଡି ମୋଦୀ କାର୍ଯ୍ୟକ୍ରମ ପରେ ସାମୁଦାୟିକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ମୁଁ ଆପଣଙ୍କ ଅଭିଭାଷଣକୁ ଉପଭୋଗ କଲି ।”

ହ୍ୟୁଷ୍ଟନ ମେୟରଙ୍କୁ ଧନ୍ୟବାଦ ଜଣାଇ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି, ଆତିଥେୟତା ପାଇଁ ହ୍ୟୁଷ୍ଟନର ମେୟର ସିଲବଷ୍ଟର ଟର୍ଣ୍ଣରଙ୍କୁ ଧନ୍ୟବାଦ । ହ୍ୟୁଷ୍ଟନ ଏକ ସୁନ୍ଦର ସହର । ଏଠାକାର ପରିବେଶ ଉତ୍ସାହପୂର୍ଣ୍ଣ ଏବଂ ଚମତ୍କାର ।”

ବିକାଶ ଖାନ୍ନାଙ୍କ ଟ୍ୱିଟ୍ ଜବାବରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି, “ଆମର ମୂଳଭିତ୍ତିକୁ ଆମର ମାର୍ଗ ହେଉଛି ଆମର ସୁନ୍ଦର ଭାଷା । ବଂଚିବା, ଭଲ ପାଇବା ଏବଂ ନିଜକୁ ବ୍ୟକ୍ତ କରିବା ଲାଗି ଆମ ସଂସ୍କୃତିରେ ଶହ ଶହ ମାର୍ଗ ରହିଛି, କିନ୍ତୁ ପ୍ରତ୍ୟେକ ମାର୍ଗ ସ୍ୱତନ୍ତ୍ର! ଏସବୁ ସମ୍ପର୍କର ଖିଅ ମିଶି ଏକ ସୁନ୍ଦର ଚିତ୍ରିତ ପରଦା ତିଆରି କରିଥାଏ, ଏକ ଦୃଢ଼ ଏବଂ ବିବିଧ ଭାରତ ନିର୍ମାଣ କରିଥାଏ ।”

ଗୀତିକାର ପ୍ରସୂନ ଯୋଶୀଙ୍କ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି, “ଲୋକମାନେ ମୋତେ ଆଶୀର୍ବାଦ ଦେଉଛନ୍ତି, ମୋ ଉପରେ ବିଶ୍ୱାସ କରୁଛନ୍ତି ବୋଲି ଜାଣିବା ମୋ ପାଇଁ ସବୁଠୁ ବଡ଼ ପ୍ରେରଣା” ।

ଚଳଚ୍ଚିତ୍ର ନିର୍ମାତା କରନ ଜୋହରଙ୍କୁ ଧନ୍ୟବାଦ ଜଣାଇ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି, “130 କୋଟି ଭାରତବାସୀଙ୍କ ପ୍ରତିନିଧି ଭାବେ ଯେଉଁ ସମ୍ମାନ ଓ ସ୍ନେହ ମୁଁ ପାଇଲି, ତାର ଶ୍ରେୟ ସାରା ଦେଶକୁ ଯାଉଛି । ଧନ୍ୟବାଦ କରନ ଜୋହର ।”

ଅଭିନେତା ଅଜୟ ଦେବଗନଙ୍କୁ ଧନ୍ୟବାଦ ଜଣାଇ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି, “ବାସ୍ତବରେ ଅଜୟ ଦେବଗନ, ବିଶ୍ୱର ଦୁଇଟି ଅଗ୍ରଣୀ ଗଣତନ୍ତ୍ରର ଲୋକମାନଙ୍କ ହୃଦୟ ହ୍ୟୁଷ୍ଟନରେ ମିଶିବା ଭାରତ-ଆମେରିକା ବନ୍ଧୁତାରେ ଏକ ନୂତନ ମାଇଲଖୁଣ୍ଟ ।”

କଂଗ୍ରେସ ନେତା ମିଲିନ୍ଦ ଦେଓରାଙ୍କ ଟ୍ୱିଟ୍ ଉତ୍ତରରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ “ଆମେରିକା ସହ ଦୃଢ଼ ସମ୍ପର୍କ ପାଇଁ ମୋର ବନ୍ଧୁ ସ୍ୱର୍ଗତଃ ମୂରଲୀ ଦେଓରାଙ୍କ ପ୍ରତିବଦ୍ଧତା ବିଷୟରେ ଉଲ୍ଲେଖ କରି ଆପଣ ଠିକ୍ କରିଛନ୍ତି । ଆମ ଦୁଇ ଦେଶ ମଧ୍ୟରେ ଏହି ଦୃଢ଼ ସମ୍ପର୍କକୁ ଦେଖି ସେ ନିଶ୍ଚିତ ଭାବେ ଖୁସି ହୋଇଥାନ୍ତେ । ଡୋନାଲ୍ଡ ଟ୍ରମ୍ପଙ୍କ ଉଦାର ଆତିଥେୟତା ବାସ୍ତବରେ ପ୍ରଶଂସନୀୟ ଥିଲା ।”

ବିଶିଷ୍ଟ ଅଭିନେତା ରିଷି କପୁରଙ୍କୁ ଧନ୍ୟବାଦ ଜଣାଇ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଟ୍ୱିଟ କରିଛନ୍ତି, “ରିଷି ଜୀ, ଆପଣଙ୍କ ଉତ୍ସାହବର୍ଦ୍ଧକ ପ୍ରେରଣା ପାଇଁ ଧନ୍ୟବାଦ । ଆପଣ ନିକଟରେ ଆମେରିକାରୁ ଭାରତ ଫେରିଯାଇଥିବା କାରଣରୁ ଏଠାରେ ଆମ ଦୁହିଁଙ୍କର ସାକ୍ଷାତ ହୋଇପାରିନାହିଁ । ମୁଁ ଆପଣଙ୍କ ଉତ୍ତମ ସ୍ୱାସ୍ଥ୍ୟ ପାଇଁ କାମନା କରୁଛି । ସାମାଜିକ ଗଣମାଧ୍ୟମରେ ଆପଣଙ୍କ ଅଧିକ ସମ୍ପୃକ୍ତି ମୁଁ ଆଶା କରୁଛି ।”