Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ହିନ୍ଦୁସ୍ତାନ ଟାଇମ୍ସ ଲିଡରଶିପ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀରେ 17ତମ ହିନ୍ଦୁସ୍ତାନ ଟାଇମ୍ସ ଲିଡରଶିପ ସମ୍ମିଳନୀରେ ଉଦଘାଟନୀ ଅଭିଭାଷଣ ଦେଇଛନ୍ତି ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯେକୌଣସି ସମାଜ, ଦେଶର ବିକାଶ ଲାଗି ବାର୍ତ୍ତାଳାପ ଗୁରୁତ୍ୱପୂର୍ଣ୍ଣ । ସେ କହିଥିଲେ ବାର୍ତ୍ତାଳାପ ଉନ୍ନତ ଭବିଷ୍ୟତର ମୂଳଦୁଆ ରଖିଥାଏ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ସରକାର ‘ସବକା ସାଥ ସବକା ବିକାଶ ସବକା ବିଶ୍ୱାସ’ ମନ୍ତ୍ରକୁ ନେଇ ବର୍ତ୍ତମାନର ଆହ୍ୱାନ ଓ ସମସ୍ୟାର ମୁକାବିଲା ଲାଗି କାର୍ଯ୍ୟ କରୁଛି ।

ସରକାରଙ୍କ ଦ୍ୱାରା ନିଆଯାଇଥିବା ବିଭିନ୍ନ ନିର୍ଣ୍ଣୟ ବିଷୟରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଅନୁଚ୍ଛେଦ 370 ଉଚ୍ଛେଦ କରାଯିବା ଦ୍ୱାରା ଜମ୍ମୁ ଓ କଶ୍ମୀର ତଥା ଲଦାଖର ଲୋକମାନଙ୍କୁ ଆଶାର ନୂଆ କିରଣ ମିଳିଛି । ମୁସଲିମ ମହିଳାମାନେ ଏବେ ତିନି ତଲାକ ପରମ୍ପରାରୁ ମୁକ୍ତ, ଅନଧିକୃତ କଲୋନୀ ଉପରେ ନିଷ୍ପତ୍ତି ଫଳରେ 40 ଲକ୍ଷ ଲୋକଙ୍କୁ ଲାଭ ମିଳିଛି । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏକ ଉନ୍ନତ ଭବିଷ୍ୟତ ଲାଗି ଏକ ନୂତନ ଭାରତ ଲାଗି ଏପରି ଅନେକ ନିଷ୍ପତ୍ତି ନିଆଯାଇଛି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସରକାର ସ୍ୱାସ୍ଥ୍ୟ, ସ୍ୱଚ୍ଛତା ଏବଂ ମୌଳିକ ଭିତ୍ତିଭୂମି କ୍ଷେତ୍ରରେ ପଛରେ ପଡ଼ିଯାଇଥିବା ଜିଲ୍ଲାଗୁଡ଼ିକ ଉପରେ ବିଶେଷ ଧ୍ୟାନ କେନ୍ଦ୍ରିତ କରୁଛନ୍ତି । ସେ କହିଥିଲେ ଯେ 112ଟି ଜିଲ୍ଲାକୁ ବିକାଶ ଓ ଶାସନର ପ୍ରତ୍ୟେକ ମାନଦଣ୍ଡ ଆଧାରରେ, ଆକାଂକ୍ଷୀ ଜିଲ୍ଲା ଭାବେ ବିକଶିତ କରାଯାଉଛି । ସେ କହିଥିଲେ ଯେ ସରକାର ଏସବୁ ଜିଲ୍ଲାରେ ଅପପୁଷ୍ଟି, ବ୍ୟାଙ୍କିଙ୍ଗ ସୁବିଧା, ବୀମା, ବିଦ୍ୟୁତ ଓ ଅନ୍ୟାନ୍ୟ ସୁବିଧା ଲାଗି ବିଭିନ୍ନ ମାନକ ଉପରେ ରିୟଲ ଟାଇମ ମନିଟରିଂ କରୁଛନ୍ତି । ସେ କହିଥିଲେ ଯେ ଏହି 112 ଜିଲ୍ଲାର ଉନ୍ନତ ଭବିଷ୍ୟତ ଦେଶର ଉନ୍ନତ ଭବିଷ୍ୟତକୁ ସୁନିଶ୍ଚିତ କରିବ ।

ସେ ଜଳଜୀବନ ମିଶନ ବିଷୟରେ ଉଲ୍ଲେଖ କରିଥିଲେ ଏବଂ କହିଥିଲେ ଯେ ସରକାର 15 କୋଟି ଘରକୁ ପାଇପ ଜଳଯୋଗାଣ ସହ ଯୋଡ଼ିଛନ୍ତି । ପ୍ରଧାନମନ୍ତ୍ରୀ କହିଥିଲେ ଯେ ସରକାର ଭାରତକୁ 5 ଟ୍ରିଲିୟନ ଡଲାର ଅର୍ଥବ୍ୟବସ୍ଥାରେ ପରିଣତ କରିବା ଲାଗି ପ୍ରତିବଦ୍ଧ ଏବଂ ଏହି ଲକ୍ଷ୍ୟ ହାସଲ କରିବା ଲାଗି ସରକାର ଏକ ସମର୍ଥ, ସହାୟକ ଓ ପ୍ରୋତ୍ସାହକ ଭାବେ କାମ କରୁଛି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଅନେକ ଆର୍ଥିକ ସଂସ୍କାର ଯେପରିକି ଐତିହାସିକ ବ୍ୟାଙ୍କ ସମ୍ମିଶ୍ରଣ, ଶ୍ରମ ଆଇନ ସଂହିତା ପ୍ରଚଳନ, ବ୍ୟାଙ୍କଗୁଡ଼ିକକୁ ପୁନଃପୁଞ୍ଜିକରଣ, କର୍ପୋରେଟ ଟିକସ ହ୍ରାସ ଭଳି ପଦକ୍ଷେପ ସରକାର ନେଇଛନ୍ତି । ସେ କହିଥିଲେ ଯେ ବ୍ୟବସାୟିକ ସୁଗମତା ମାନ୍ୟତାରେ ଭାରତ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଛି । ସେ କହିଥିଲେ ଯେ ଗତ 5 ବର୍ଷ ମଧ୍ୟରେ ଭାରତର ମାନ୍ୟତାରେ 79ଟି ସ୍ଥାନ ସୁଧାର ହୋଇଛି । ସେ କହିଥିଲେ ଯେ ଅଟକି ରହିଥିବା ଆବାସିକ ପ୍ରକଳ୍ପକୁ ଅର୍ଥ ଯୋଗାଣ ଲାଗି 25 ହଜାର କୋଟି ଟଙ୍କାର ପାଣ୍ଠି ତିଆରି କରାଯାଇଛି । ସେ କହିଥିଲେ ଯେ ସରକାର 100 ଲକ୍ଷ କୋଟି ଟଙ୍କାର ମୌଳିକ ଭିତ୍ତିଭୂମି ପ୍ରକଳ୍ପ ଆରମ୍ଭ କରୁଛନ୍ତି ।

ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ଭାରତ ଭ୍ରମଣ ଏବଂ ପର୍ଯ୍ୟଟନ ପ୍ରତିଦ୍ୱନ୍ଦ୍ୱିତା ସୂଚକାଙ୍କରେ 34ତମ ସ୍ଥାନରେ ରହିଛି । ସେ କହିଥିଲେ ଯେ ପର୍ଯ୍ୟଟନ ଗତିବିଧି ବଢ଼ିବା ଦ୍ୱାରା ନିଯୁକ୍ତି ସୁଯୋଗ ସୃଷ୍ଟି ହେବ, ବିଶେଷ କରି ଗରିବଙ୍କ ପାଇଁ । ସେ ମାନବ ସମ୍ବଳକୁ ରୂପାନ୍ତରିତ କରିବା ଲାଗି କରାଯାଉଥିବା ବିଭିନ୍ନ ପଦକ୍ଷେପ ବିଷୟରେ ଉଲ୍ଲେଖ କରିଥିଲେ । ସେ କହିଥିଲେ ଯେ ସରକାର ପରିଣାମ ଆଧାରିତ, ପରିଣାମ ଉନ୍ମୁଖୀ ଦୃଷ୍ଟିକୋଣ ସହିତ କାମ କରୁଛନ୍ତି ଏବଂ ସେବାଗୁଡ଼ିକର ସମୟବଦ୍ଧ ବିତରଣ ଉପରେ ଧ୍ୟାନ କେନ୍ଦ୍ରିତ କରୁଛନ୍ତି । ପ୍ରଧାନମନ୍ତ୍ରୀ କହିଥିଲେ ଯେ ସରକାରଙ୍କ ରୋଡମ୍ୟାପ ହେଉଛି “ସଠିକ ଉଦ୍ଦେଶ୍ୟ, ସର୍ବଶ୍ରେଷ୍ଠ ପ୍ରଯୁକ୍ତି ଏବଂ 130 କୋଟି ଭାରତୀୟଙ୍କ ଉନ୍ନତ ଭବିଷ୍ୟତ ଲାଗି ପ୍ରଭାବୀ କାର୍ଯ୍ୟାନ୍ୱୟନ ।”

**********