ପିଏମଇଣ୍ଡିଆ
ହିନ୍ଦୁସ୍ଥାନ ଭେଜିଟେବଲ ଅଏଲ୍ସ କର୍ପୋରେସନ ଲିମିଟେଡ (ଏଚବିଓସି)ର ମାଲିକାନାରେ ଥିବା ସମସ୍ତ ଭୂମି ପରିସମ୍ପତ୍ତିର ଉଚିତ ଉପଯୋଗ/ବ୍ୟବହାର ଲାଗି ଆବସ ଏବଂ ସହରାଂଚଳ ବ୍ୟାପାର ମନ୍ତ୍ରଣାଳୟ ଅଥବା ଏହାଦ୍ୱାରା ଅଧିକୃତ ସଂସ୍ଥାକୁ ହସ୍ତାନ୍ତର କରାଯିବ । ଏ ସଂକ୍ରାନ୍ତ ପ୍ରସ୍ତାବକୁ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ ବୈଠକରେ ଅନୁମୋଦନ ମିଳିଛି ।
ଏଚବିଓସିର ଭୂସମ୍ପତ୍ତିର ହସ୍ତାନ୍ତର ମାଧ୍ୟମରେ, ଏଚବିଓସି ଦ୍ୱାରା ସରକାରଙ୍କ ଠାରୁ ନିଆଯାଇଥିବା ସମସ୍ତ ଋଣ ଏବଂ ତା’ ଉପରେ ସୁଧର ସମ୍ପୂର୍ଣ୍ଣ ଦେୟତାକୁ ସମାପନ କରିଦିଆଯିବ । ସରକାର ବିଭିନ୍ନ ନ୍ୟାୟାଳୟ, ନ୍ୟାୟାଧିକରଣ/ପ୍ରାଧିକରଣରେ ପଡ଼ି ରହିଥିବା ମାମଲାର ଫଳସ୍ୱରୂପ ଭବିଷ୍ୟତରେ ଉତ୍ପନ୍ନ ହେବାକୁ ଥିବା ସମସ୍ତ ଆକସ୍ମିକ ଦେୟତା ପ୍ରତି ମଧ୍ୟ ଧ୍ୟାନ ରଖିଛନ୍ତି ।
ସାତଟି ସହରରେ ଥିବା ଏହି ଭୂମି ଅନେକ ବର୍ଷ ଧରି କୌଣସି ଉପଯୋଗ ବିନା ପଡ଼ିରହିଥିଲା । ଆବାସ ଏବଂ ସହରାଂଚଳ ବ୍ୟାପାର ମନ୍ତ୍ରଣାଳୟକୁ ଏହି ପରିସମ୍ପତ୍ତିର ହସ୍ତାନ୍ତର ଦ୍ୱାରା ଏହି ଭୂମିକୁ ସାର୍ବଜନୀନ ଉଦ୍ଦେଶ୍ୟ ନିମନ୍ତେ ବ୍ୟବହାର କରାଯାଇପାରିବ । ଏହାଦ୍ୱାରା ପରିସମାପନ ଅଧୀନରେ ସାଧାରଣ କ୍ଷେତ୍ରର ଏକ ରୁଗ୍ଣ ଉପକ୍ରମ ଏଚବିଓସିକୁ ଶୀଘ୍ର ବନ୍ଦ କରିବାରେ ସୁବିଧା ହେବ ।