Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

୨୭ ଅଗଷ୍ଟରେ ‘ଖେଲୋ ଇଣ୍ଡିଆ ଡାଏଲଗ୍’ରେ ଯୁବବର୍ଗଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୭ ଅଗଷ୍ଟ ପୂର୍ବାହ୍ଣ ୧୧ଟା ସମୟରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ‘ଖେଲୋ ଇଣ୍ଡିଆ ଡାଇଲଗ୍’କୁସମ୍ବୋଧନ କରିବେ। ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ହେଉଛି ଯୁବପିଢ଼ିଙ୍କୁ ଭାରତର କ୍ରୀଡ଼ା ଯାତ୍ରା ସହ ଯୋଡ଼ିବା, ସେମାନଙ୍କ ଆକାଂକ୍ଷା ବାଣ୍ଟିବାର ସୁଯୋଗ ଦେବା ଏବଂ ଯୁବ ନେତୃତ୍ୱାଧୀନ ବିକଶିତ ଭାରତ ଗଠନ ପାଇଁ ସେମାନଙ୍କ ଚିନ୍ତାଧାରା ଓ ପ୍ରସ୍ତାବ ଗ୍ରହଣ କରିବା।

ମେରା ଯୁବ ଭାରତ (ମାଇ ଭାରତ) ଦ୍ୱାରା ଜାତୀୟ କ୍ରୀଡ଼ା ଦିବସ ୨୦୨୬ ପାଳନର ଏକ ଅଂଶ ସ୍ୱରୂପ ଏହି କାର୍ଯ୍ୟକ୍ରମ ଆୟୋଜନ ହେଉଛି। ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ପ୍ରତ୍ୟେକ ଜିଲ୍ଲାର ଦୁଇଟି ଲେଖାଏଁ କଲେଜରେ ଯୁବବର୍ଗଙ୍କ ଅଂଶଗ୍ରହଣ ସହିତ ଏହି କାର୍ଯ୍ୟକ୍ରମ ଆୟୋଜନ ହେବ।  ଯୁବପିଢ଼ିଙ୍କ ଆକାଂକ୍ଷାକୁ ଜାତୀୟ ବିକାଶ ଏଜେଣ୍ଡାର କେନ୍ଦ୍ରରେ ରଖିବା ସହ ଏକ ସୁସ୍ଥ, ଶୃଙ୍ଖଳିତ ଏବଂ କ୍ରୀଡ଼ାପ୍ରିୟ ରାଷ୍ଟ୍ର ଗଠନ କରିବା ଲାଗି ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣର ଅନୁରୂପ ଏହି କାର୍ଯ୍ୟକ୍ରମ ଆୟୋଜିତ ହେଉଛି।

ଦେଶବ୍ୟାପୀ ଅନୁଷ୍ଠିତ ହେବାକୁ ଥିବା ଏହି “ଖେଲୋ ଇଣ୍ଡିଆ ଡାଏଲଗ୍” କ୍ରୀଡ଼ା, ଯୁବ ନେତୃତ୍ୱ, ନାଗରିକ ଦାୟିତ୍ୱ, ସ୍ୱେଚ୍ଛାସେବା, ଫିଟନେସ୍ ଏବଂ ରାଷ୍ଟ୍ର ନିର୍ମାଣକୁ ଏକ ସାଧାରଣ ମଞ୍ଚକୁ ଆଣିବ। ଏହା ଯୁବପିଢ଼ିଙ୍କୁ ଦେଶର କ୍ରୀଡ଼ା ଆକାଂକ୍ଷା ସହ ସିଧାସଳଖ ଭାବେ ଯୋଡ଼ି ହେବାର ଏକ ପ୍ରତ୍ୟକ୍ଷ ମାଧ୍ୟମ ପ୍ରଦାନ କରିବ। ଏଥିସହ ଭାରତର ଯୁବ ଓ କ୍ରୀଡ଼ା ବାତାବରଣ ସମ୍ପର୍କିତ ଚାଲୁଥିବା ଆଲୋଚନାରେ ଯୁବପିଢ଼ିଙ୍କ ଚିନ୍ତାଧାରା ଓ ଦୃଷ୍ଟିକୋଣକୁ ସାମିଲ କରିବାରେ ଏହା ସହାୟକ ହେବ।

ଜାତୀୟସ୍ତରୀୟ କାର୍ଯ୍ୟକ୍ରମ ପରେ ଯୁବ ଅଂଶଗ୍ରହଣକାରୀ, ମାଇ ଭାରତ ସ୍ୱେଚ୍ଛାସେବୀ, ସ୍ଥାନୀୟ କ୍ରୀଡ଼ାବିତ୍‌ ଏବଂ ଜନପ୍ରତିନିଧିମାନଙ୍କୁ ନେଇ ସ୍ଥାନୀୟସ୍ତରରେ ଆଲୋଚନା କରାଯିବ। ଏହି ପଦକ୍ଷେପର ଏକ ପ୍ରମୁଖ ଆକର୍ଷଣ ହେବ କ୍ରୀଡ଼ା ପ୍ରତି ଆଗ୍ରହୀ ଯୁବପିଢ଼ିଙ୍କ ସହ ଦେଶର ଅଗ୍ରଣୀ କ୍ରୀଡ଼ାବିତ୍‌ ଏବଂ ପଦକ ବିଜେତାମାନଙ୍କର ସିଧାସଳଖ ଆଲୋଚନା। ଏହି କାର୍ଯ୍ୟକ୍ରମର ଏକ ପ୍ରମୁଖ ଅଂଶ ହେବ ‘ଯୁବ ସମ୍ବାଦ’, ଯେଉଁଥିରେ ଯୁବ ଅଂଶଗ୍ରହଣକାରୀମାନଙ୍କୁ ସେମାନଙ୍କ ଚିନ୍ତାଧାରା, ଦୃଷ୍ଟିକୋଣ ଏବଂ ଆକାଂକ୍ଷା ବ୍ୟକ୍ତ କରିବାକୁ ଆମନ୍ତ୍ରଣ କରାଯିବ। ଏହି ଆଲୋଚନା ପାଞ୍ଚଟି ପ୍ରମୁଖ ବିଷୟବସ୍ତୁକୁ ନେଇ ଆୟୋଜିତ ହେବ:

•  ଉନ୍ନତ ସୁବିଧା, ପ୍ରଶିକ୍ଷଣ, କ୍ରୀଡ଼ା ବିଜ୍ଞାନ ଏବଂ ସମାବେଶୀ ଅଂଶଗ୍ରହଣ ମାଧ୍ୟମରେ ଭାରତର କ୍ରୀଡ଼ା ବାତାବରଣକୁ ସୁଦୃଢ଼ କରିବା।

•  ବୈଜ୍ଞାନିକ ପଦ୍ଧତିରେ ପ୍ରତିଭା ଚିହ୍ନଟ, ସ୍ୱଚ୍ଛ ଚୟନ ପ୍ରକ୍ରିୟା ଏବଂ ଦୀର୍ଘମିଆଦୀ କ୍ରୀଡ଼ାବିତ୍‌ ବିକାଶ ମାଧ୍ୟମରେ ୨୦୩୬ ଅଲିମ୍ପିକ୍ସ ପାଇଁ କ୍ରୀଡ଼ା ପ୍ରତିଭାଙ୍କୁ ପ୍ରସ୍ତୁତ କରିବା।

•  ଶାସନ ବ୍ୟବସ୍ଥାର ବିଭିନ୍ନ ମଞ୍ଚ ଏବଂ ମାଇ ଭାରତ ଭିତ୍ତିକ ସ୍ୱେଚ୍ଛାସେବା ମାଧ୍ୟମରେ ଯୁବ ନେତୃତ୍ୱ ବିକାଶ।

•  ନାଗରିକ ସଚେତନତା, ଭବିଷ୍ୟତ ପାଇଁ ଆବଶ୍ୟକ ଦକ୍ଷତା ଏବଂ ସୁସଂଗଠିତ ସ୍ୱେଚ୍ଛାସେବା ମାଧ୍ୟମରେ ଯୁବପିଢ଼ିଙ୍କୁ ‘ବିକଶିତ ଭାରତ’ ଗଠନ ପାଇଁ ସଶକ୍ତ କରିବା।

•  କ୍ରୀଡ଼ା ଏବଂ ସମାନ ପ୍ରକାରର ନେଟୱର୍କର ଉପଯୋଗ ମାଧ୍ୟମରେ ନିଶାସେବନ ବିରୋଧରେ ଲଢି  ‘ନିଶାମୁକ୍ତ ଯୁବ’ ଆନ୍ଦୋଳନକୁ ପ୍ରୋତ୍ସାହିତ କରିବା। ୨ ଅଗଷ୍ଟ ୨୦୨୬ରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଶୁଭାରମ୍ଭ କରାଯାଇଥିବା ୧୦୦-ସପ୍ତାହର ଦେଶବ୍ୟାପୀ ଅଭିଯାନ ଅଧୀନରେ ପ୍ରତି ସପ୍ତାହରେ ହେଉଥିବା ‘ଜନ ଭାଗୀଦାରୀ’ କାର୍ଯ୍ୟକ୍ରମ ଦ୍ୱାରା ଏହାକୁ ଆହୁରି ସୁଦୃଢ଼ କରାଯିବ।

 

TKM