୮,୩୦୦ କୋଟିରୁ ଅଧିକ ଟଙ୍କା ବ୍ୟୟରେ ନିର୍ମିତ ପୁଣେ ମେଟ୍ରୋର ଲାଇନ୍-୩ (ପିଙ୍କ୍ ଲାଇନ୍) ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ
ହିଞ୍ଜେୱାଡି ଆଇଟି ହବ୍ ଏବଂ ଶିବାଜୀନଗର ମଧ୍ୟରେ ମେଟ୍ରୋ ସଂଯୋଗ ଯୋଗାଇବ ପିଙ୍କ୍ ଲାଇନ୍
ପୁଣେ ମେଟ୍ରୋ ଲାଇନ୍-୩ର ପରିଚାଳନା ସମ୍ପୂର୍ଣ୍ଣ ଭାବେ ମହିଳା ଟ୍ରେନ୍ ଅପରେଟରଙ୍କ ଦ୍ୱାରା କରାଯିବ; ବିଦ୍ୟୁତ୍ ଆବଶ୍ୟକତାର ପ୍ରାୟ ୩୦ ପ୍ରତିଶତ ସୌର ଶକ୍ତିରୁ ପୂରଣ କରାଯିବ
ପ୍ରାୟ ୧୩,୫୦୦ କୋଟି ଟଙ୍କା ବ୍ୟୟ ଅଟକଳରେ ପୁଣେ ମେଟ୍ରୋ ଦ୍ୱିତୀୟ ପର୍ଯ୍ୟାୟ ଅଧୀନରେ ଲାଇନ୍-୨ଏ, ୨ବି, ୪ ଓ ୪ଏ ନିର୍ମାଣ ପାଇଁ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ
ପୁଣେ ମେଟ୍ରୋର ଦ୍ୱିତୀୟ ପର୍ଯ୍ୟାୟ ଦ୍ୱାରା ପ୍ରମୁଖ ଆବାସିକ, ବାଣିଜ୍ୟିକ ଓ ଆଇଟି କେନ୍ଦ୍ରଗୁଡ଼ିକୁ ମେଟ୍ରୋ ସଂଯୋଗ ସୁବିଧା ମିଳିବ
ନୂତନ ମେଟ୍ରୋ କରିଡରଗୁଡ଼ିକୁ ବର୍ତ୍ତମାନର ପୁଣେ ମେଟ୍ରୋ ନେଟୱର୍କ ଏବଂ ଇଣ୍ଟରସିଟି ବସ୍ ସେବା ସହ ସଂଯୋଗ ଫଳରେ ସହରାଞ୍ଚଳରେ ଯାତାୟାତ ଓ ଯୋଗାଯୋଗ ବ୍ୟବସ୍ଥା ଅଧିକ ସୁଗମ ହେବ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୩ ନଭେମ୍ବର ୨୦୨୬ ଅପରାହ୍ନ ୧୨ଟା ୩୦ ମିନିଟ୍ରେ ଭିଡିଓ କନଫରେନ୍ସିଂ ଜରିଆରେ ପ୍ରାୟ ୨୧,୮୦୦ କୋଟି ଟଙ୍କା ମୂଲ୍ୟର ପୁଣେ ମେଟ୍ରୋ ପ୍ରକଳ୍ପଗୁଡ଼ିକର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ। ଏହି ଅବସରରେ ସେ ଉପସ୍ଥିତ ଜନସମାବେଶକୁ ମଧ୍ୟ ସମ୍ବୋଧିତ କରିବେ।
ପ୍ରଧାନମନ୍ତ୍ରୀ ୮,୩୦୦ କୋଟି ଟଙ୍କାରୁ ଅଧିକ ବ୍ୟୟରେ ନିର୍ମିତ ପୁଣେ ମେଟ୍ରୋ ଲାଇନ୍-୩, ଯାହା ପିଙ୍କ୍ ଲାଇନ୍ ନାମରେ ମଧ୍ୟ ଜଣାଶୁଣା, ତାହାର ଉଦ୍ଘାଟନ କରିବେ। ବୈଷୟିକ ନବସୃଜନ ଓ ଆଧୁନିକ ପରିବହନ ବ୍ୟବସ୍ଥା ମାଧ୍ୟମରେ ପୁଣେର ସହରାଞ୍ଚଳ ଯାତାୟାତ ଭିତ୍ତିଭୂମିକୁ ସୁଦୃଢ଼ କରିବା ଦିଗରେ ଏହି ପ୍ରକଳ୍ପ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।
ପ୍ରାୟ ୨୩ କିଲୋମିଟର ଦୀର୍ଘ ଏହି ପିଙ୍କ୍ ଲାଇନ୍ ମାନ୍ରୁ ଡିଷ୍ଟ୍ରିକ୍ଟ କୋର୍ଟ ମେଟ୍ରୋ ଷ୍ଟେସନ୍କୁ ସଂଯୋଗ କରିବ। ଏହି କରିଡର ଦ୍ୱାରା ହିଞ୍ଜେୱାଡି ଆଇଟି ହବ୍ ଓ ଶିବାଜୀନଗର ମଧ୍ୟରେ ମେଟ୍ରୋ ଯୋଗାଯୋଗ ସୁବିଧା ଉପଲବ୍ଧ ହେବ। ଫଳରେ ପୁଣେର ଏକ ପ୍ରମୁଖ ନିଯୁକ୍ତି କେନ୍ଦ୍ରକୁ ଯାତାୟାତ ସୁଗମ ହେବା ସହ ହଜାର ହଜାର ଆଇଟି ବୃତ୍ତିଗତ ଓ ଅନ୍ୟ ଯାତ୍ରୀଙ୍କ ଦୈନନ୍ଦିନ ଯାତାୟାତ ସହଜ ହେବ। ଏହି କରିଡରକୁ ବର୍ତ୍ତମାନର ମେଟ୍ରୋ ନେଟୱର୍କ ସହ ସଂଯୋଗ କରାଯିବା ଫଳରେ ପୁଣେର ବିଭିନ୍ନ ଅଞ୍ଚଳ ମଧ୍ୟରେ ନିରବଚ୍ଛିନ୍ନ ଯୋଗାଯୋଗ ସୁବିଧା ମିଳିବ। ଏହା ବ୍ୟକ୍ତିଗତ ଯାନବାହନ ଉପରେ ନିର୍ଭରଶୀଳତା ହ୍ରାସ କରିବା ସହ ଟ୍ରାଫିକ୍ ଭିଡ଼ ଓ ଯାନବାହନଜନିତ ପ୍ରଦୂଷଣ କମାଇବାରେ ସହାୟକ ହେବ। ଏଥିସହ ପ୍ରମୁଖ ବାଣିଜ୍ୟିକ ଓ ଆବାସିକ ଅଞ୍ଚଳକୁ ଯାତାୟାତ ଅଧିକ ସୁଗମ ହେବ।
ପିଙ୍କ୍ ଲାଇନ୍ର ଏକ ଉଲ୍ଲେଖନୀୟ ବୈଶିଷ୍ଟ୍ୟ ହେଉଛି ମହିଳା ସଶକ୍ତୀକରଣ ଏବଂ ଲିଙ୍ଗଗତ ସମାନତାଭିତ୍ତିକ ସାର୍ବଜନୀନ ପରିବହନ ବ୍ୟବସ୍ଥା ଉପରେ ଏହାର ଗୁରୁତ୍ୱ। ଏହି ମେଟ୍ରୋ ଲାଇନ୍ର ପରିଚାଳନା ସମ୍ପୂର୍ଣ୍ଣ ଭାବେ ମହିଳା ଟ୍ରେନ୍ ଅପରେଟରଙ୍କ ଦ୍ୱାରା କରାଯିବ, ଯାହା ଏକ ଅଭିନବ ଓ ସର୍ବୋତ୍କୃଷ୍ଟ ଧରଣର ପଦକ୍ଷେପ। ଏହି ପ୍ରକଳ୍ପରେ ପରିବେଶ ସ୍ଥିରତା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ଏହାର ମୋଟ ବିଦ୍ୟୁତ୍ ଆବଶ୍ୟକତାର ପ୍ରାୟ ୩୦ ପ୍ରତିଶତ ସୌର ଶକ୍ତି ମାଧ୍ୟମରେ ପୂରଣ କରିବାର ଯୋଜନା ରହିଛି।
ପ୍ରଧାନମନ୍ତ୍ରୀ ପ୍ରାୟ ୧୩,୫୦୦ କୋଟି ଟଙ୍କା ବ୍ୟୟ ଅଟକଳରେ ବିକଶିତ ହେବାକୁ ଥିବା ପୁଣେ ମେଟ୍ରୋର ଦ୍ୱିତୀୟ ପର୍ଯ୍ୟାୟର ମଧ୍ୟ ଶିଳାନ୍ୟାସ କରିବେ। ଏହି ଦ୍ୱିତୀୟ ପର୍ଯ୍ୟାୟରେ ପୁଣେ ମେଟ୍ରୋର ଲାଇନ୍ ୨ଏ, ୨ବି, ୪ ଓ ୪ଏ ଅନ୍ତର୍ଭୁକ୍ତ ରହିଛି। ଏହାଦ୍ୱାରା ସହରର ମେଟ୍ରୋ ନେଟୱର୍କର ବ୍ୟାପକ ସମ୍ପ୍ରସାରଣ ହେବା ସହ ପ୍ରମୁଖ ଆବାସିକ, ବାଣିଜ୍ୟିକ ଓ ଆଇଟି କେନ୍ଦ୍ରଗୁଡ଼ିକ ମଧ୍ୟରେ ଯୋଗାଯୋଗ ବ୍ୟବସ୍ଥା ସୁଦୃଢ଼ ହେବ।
ଦ୍ୱିତୀୟ ପର୍ଯ୍ୟାୟ ଅଧୀନରେ ଲାଇନ୍ ୨ଏ ଓ ୨ବିର ମୋଟ ଦୈର୍ଘ୍ୟ ପ୍ରାୟ ୧୨.୭୫ କିଲୋମିଟର ରହିବ। ଲାଇନ୍ ୨ଏ ଭାନାଜ୍କୁ ଚାନ୍ଦନୀ ଚୌକ୍ ସହ ସଂଯୋଗ କରିବାକୁ ଥିବାବେଳେ ଲାଇନ୍ ୨ବି ରାମୱାଡିକୁ ବିଠଲୱାଡି ସହ ସଂଯୋଗ କରିବ। ଏହାଦ୍ୱାରା ବର୍ତ୍ତମାନର ପୂର୍ବ-ପଶ୍ଚିମ ମେଟ୍ରୋ ନେଟୱର୍କର ସମ୍ପ୍ରସାରଣ ହେବ। ପ୍ରାୟ ୨୫.୫୨ କିଲୋମିଟର ଲମ୍ବ ଲାଇନ୍-୪ ଖରାଡିକୁ ଖଡକୱାସଲା ସହ ସଂଯୋଗ କରିବ। ସେହିପରି ୬.୧୨ କିଲୋମିଟର ଲମ୍ବ ଲାଇନ୍-୪ଏ ନାଲ୍ ଷ୍ଟପ୍କୁ ମାଣିକ ବାଗ୍ ସହ ସଂଯୋଗ କରିବ।
ନୂତନ ମେଟ୍ରୋ କରିଡରଗୁଡ଼ିକ ଖରାଡି, ମଗରପଟ୍ଟା, ହଡପସର, ସ୍ୱାରଗେଟ୍, ମାଣିକ ବାଗ୍, ନାନ୍ଦେଡ୍ ସିଟି, ପୁଣେ କ୍ୟାଣ୍ଟନମେଣ୍ଟ ଓ ୱାର୍ଜେ ସମେତ ଅନେକ ପ୍ରମୁଖ ସ୍ଥାନକୁ ସଂଯୋଗ କରିବ। ରାମୱାଡିରୁ ବିଠଲୱାଡି ପର୍ଯ୍ୟନ୍ତ ପୂର୍ବ ଦିଗରେ ମେଟ୍ରୋ ସେବାର ସମ୍ପ୍ରସାରଣ ଦ୍ୱାରା ଖରାଡି ଓ ୱାଘୋଲିର ଦ୍ରୁତ ବିକାଶଶୀଳ ଆବାସିକ, ବାଣିଜ୍ୟିକ ଓ ଆଇଟି କେନ୍ଦ୍ରଗୁଡ଼ିକୁ ଯୋଗାଯୋଗ ସୁବିଧା ଅଧିକ ସୁଦୃଢ଼ ହେବ। ଏହି ମେଟ୍ରୋ କରିଡରଗୁଡ଼ିକୁ ସ୍ୱାରଗେଟ୍, ନାଲ୍ ଷ୍ଟପ୍ ଓ ଖରାଡି ବାଇପାସ୍ଠାରେ ଇଣ୍ଟରଚେଞ୍ଜ୍ ସୁବିଧା ମାଧ୍ୟମରେ ଇଣ୍ଟରସିଟି ବସ୍ ସେବା ଏବଂ ବର୍ତ୍ତମାନର ପୁଣେ ମେଟ୍ରୋ ନେଟୱର୍କ ସହ ସଂଯୋଗ କରାଯିବ। ଫଳରେ ସହରର ବିଭିନ୍ନ ଅଞ୍ଚଳ ମଧ୍ୟରେ ନିରବଚ୍ଛିନ୍ନ ଯୋଗାଯୋଗ ସୁବିଧା ମିଳିବ।
ଏହି ପ୍ରକଳ୍ପଗୁଡ଼ିକ ପୁଣେର ସାର୍ବଜନୀନ ପରିବହନ ଭିତ୍ତିଭୂମିକୁ ସୁଦୃଢ଼ କରିବା ସହ ସହରର ବିଭିନ୍ନ ଅଞ୍ଚଳ ମଧ୍ୟରେ ଯୋଗାଯୋଗ ବ୍ୟବସ୍ଥାରେ ଉନ୍ନତି ଆଣିବ। ଏଥିସହ ଯାତ୍ରୀମାନଙ୍କୁ ଏକ ସୁଦୃଢ଼, ସମନ୍ୱିତ ଓ ଆଧୁନିକ ସହରାଞ୍ଚଳ ପରିବହନ ବ୍ୟବସ୍ଥା ଯୋଗାଇଦେବ।
*****
MT