ପିଏମଇଣ୍ଡିଆ
2 ହଜାର ଟଙ୍କା କିମ୍ବା ତା’ଠାରୁ କମ ମୂଲ୍ୟର ଡେବିଟ କାର୍ଡ/ଭୀମ ୟୁପିଆଇ ଏବଂ ଆଧାର ସକ୍ଷମ ପଇଠ (ଏଇପିଏସ) କାରବାର ଉପରେ ଲାଗୁ ହେଉଥିବା ବ୍ୟବସାୟିକ ରିହାତି ଦର ବା ମାରଚେଣ୍ଟ ଡିସ୍କାଉଣ୍ଟ ରେଟ (ଏମଡିଆର) ଚାର୍ଜ ଏଣିକି ସରକାର ବହନ କରିବେ । ଆସନ୍ତା ଜାନୁଆରୀ ପହିଲାଠାରୁ ଦୁଇ ବର୍ଷ ପର୍ଯ୍ୟନ୍ତ ସରକାର ଏହି ଚାର୍ଜ ବହନ କରିବା ସହ ବ୍ୟାଙ୍କଗୁଡ଼ିକୁ ଏ ବାବଦ ଅର୍ଥ ପରିଶୋଧ କରିବେ । ଏ ସଂକ୍ରାନ୍ତ ଏକ ପ୍ରସ୍ତାବ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠରେ ଅନୁମୋଦନ ଲାଭ କରିଛି ।
ଆର୍ଥିକ ସେବା ବିଭାଗର ସଚିବ, ଇଲେକଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରଣାଳୟ ସଚିବ ଏବଂ ନେସନାଲ ପେମେଣ୍ଟ କର୍ପୋରେସନ ଅଫ ଇଣ୍ଡିଆ (ଏନପିସିଆଇ)ର ସିଇଓଙ୍କୁ ନେଇ ଏକ କମିଟି ଗଠନ କରାଯିବ । ଏହି କମିଟି ଏପରି କାରବାରର ଶିଳ୍ପ ବ୍ୟୟ ଢାଂଚା ଅନୁଧ୍ୟାନ କରିବ, ଯାହାଦ୍ୱାରା ପ୍ରତିପୂରଣ (Reimbursed) ସ୍ତରର ଅନୁମାନ କରିବା ଲାଗି ଆଧାର ବିକଶିତ କରାଯାଇପାରିବ ।
ଏହି ଅନୁମୋଦନ ଫଳରେ 2000 ଟଙ୍କାରୁ କମ ମୂଲ୍ୟରେ ଏପରି କାରବାର ପାଇଁ ଉପଭୋକ୍ତା ଏବଂ ବ୍ୟବସାୟୀଙ୍କୁ ଏମଡିଆରର ଅତିରିକ୍ତ ବୋଝ ବହନ କରିବାକୁ ପଡ଼ିବ ନାହିଁ । ଫଳରେ ସେମାନେ ଏପରି କାରବାର ପାଇଁ ଅଧିକ ପରିମାଣରେ ଡିଜିଟାଲ ପଇଠ ପଦ୍ଧତିକୁ ଆପଣାଇବାକୁ ପସନ୍ଦ କରିବେ । ଯେହେତୁ ପରିମାଣ ଦୃଷ୍ଟିରୁ ଏହି କାରବାରଗୁଡ଼ିକ ଅଧିକ, ତେଣୁ ଏହା ସ୍ୱଳ୍ପନଗଦ ବ୍ୟବସ୍ଥା ଦିଗରେ ଅଗ୍ରସର ହେବାରେ ସହାୟକ ହେବ ।
2000 ଟଙ୍କାରୁ କମ୍ ମୂଲ୍ୟର କାରବାର ଉପରେ ବ୍ୟାଙ୍କଗୁଡ଼ିକୁ ଦିଆଯିବାକୁ ଥିବା ଏମଡିଆର ପ୍ରତିପୂରଣ ପରିମାଣ 2018-19 ଆର୍ଥିକ ବର୍ଷରେ 1,050 କୋଟି ଏବଂ 2019-20 ଆର୍ଥିକ ବର୍ଷରେ 1,462 କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି ।
ବ୍ୟବସାୟ କେନ୍ଦ୍ର ଅଥବା ଦୋକାନରେ ପଏଂଟ ଅଫ ସେଲ(Point of Sale) ଉପକରଣରେ ଦେୟ ପଇଠ କରାଗଲେ ବ୍ୟବସାୟୀଙ୍କୁ ହିଁ ବ୍ୟାଙ୍କକୁ ଏମଡିଆର ଦେବାକୁ ପଡ଼ିଥାଏ । ଏହାକୁ ଦର୍ଶାଇ ଅଧିକାଂଶ ଲୋକ ଡେବିଟ କାର୍ଡରେ କାରବାର କରିବା ବଦଳରେ ନଗଦ ପଇଠ କରିବାକୁ ପସନ୍ଦ କରିଥା’ନ୍ତି । ସେହିପରି ଭୀମ ୟୁପିଆଇ ପ୍ଲାଟଫର୍ମ ଏବଂ ଏଇପିଏସରେ ପଇଠ କରିବା ଲାଗି ଏମଡିଆର ଚାର୍ଜ ଲାଗୁ କରାଯାଇଥାଏ ।
**********