Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

70ତମ ସ୍ୱାଧୀନତା ଦିବସରେ ଲାଲକିଲ୍ଲା ପ୍ରାଚୀରରୁ ପ୍ରଧାନମନ୍ତ୍ରୀଙ୍କ ରାଷ୍ଟ୍ରକୁ ସମ୍ବୋଧନ

70ତମ ସ୍ୱାଧୀନତା ଦିବସରେ ଲାଲକିଲ୍ଲା ପ୍ରାଚୀରରୁ ପ୍ରଧାନମନ୍ତ୍ରୀଙ୍କ ରାଷ୍ଟ୍ରକୁ ସମ୍ବୋଧନ


ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି 70ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲା ପ୍ରାଚୀରରୁ ରାଷ୍ଟ୍ରକୁ ସମ୍ବୋଧିତ କରିଛନ୍ତି।
ମହାତ୍ମା ଗାନ୍ଧି, ସର୍ଦ୍ଦାର ପଟେଲ, ପଣ୍ଡିତ ଜବାହାରଲାଲ ନେହରୁ ଓ ଅସଂଖ୍ୟ ଲୋକଙ୍କ ପ୍ରତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ, ଯେଉଁମାନେ ସ୍ୱରାଜ ପ୍ରାପ୍ତି ପାଇଁ ନିଜ ଜୀବନର ବଳିଦାନ ଦେଇଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ 125 କୋଟି ଭାରତୀୟ ଏବେ ସଂକଳ୍ପ ନେଇଛନ୍ତି କି ସ୍ୱରାଜରୁ ‘ସୁରାଜ୍ୟ’ର ଯାତ୍ରା ପୂରଣ କରିବେ। ସୁରାଜ୍ୟ ପ୍ରାପ୍ତି ପାଇଁ ତ୍ୟାଗ, କଠିନ ପରିଶ୍ରମ, ଅନୁଶାସନ, ସମର୍ପଣ ଓ ସାହାସର ଆବଶ୍ୟକତା ରହିଥାଏ। ପଂଚାୟତରୁ ଆରମ୍ଭ କରି ସଂସଦ ପର୍ଯ୍ୟନ୍ତ ପ୍ରତ୍ୟେକ ସଂସ୍ଥାକୁ ଏହି ଲକ୍ଷ୍ୟ ଦିଗରେ ମିଳିତ ଭାବେ କାମ କରିବାକୁ ପଡ଼ିବ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ସମୟ ଥିଲା ଯେତେବେଳେ ସରକାର ଅଭିଯୋଗରେ ଡୁବି ରହୁଥିଲା। ଏହି ସରକାର ଏହା ପରିବର୍ତ୍ତେ ଆକାଂକ୍ଷାରେ ଘେରି ରହିଛି। ଯେଉଁଠି ଆଶା ଆକାଂକ୍ଷାକୁ ପ୍ରୋତ୍ସାହିତ କରିଥାଏ, ସେଠି ସୁରାଜ୍ୟ ଆଡ଼କୁ ଦ୍ରୁତ ଗତିରେ ଯିବାର ଶକ୍ତି ମିଳିଥାଏ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସରକାର ଦ୍ୱାରା କରାଯାଇଥିବା କାର୍ଯ୍ୟ ଉପରେ ସେ ଧ୍ୟାନକେନ୍ଦ୍ରିତ କରିବାକୁ ଚାହୁଁନାହାନ୍ତି, ବରଂ ସରକାରର କାର୍ଯ୍ୟ ସଂସ୍କତିର ଉଲ୍ଲେଖ କରିବାକୁ ଚାହୁଁଛନ୍ତି।

ପ୍ରଧାନମନ୍ତ୍ରୀ ସୁରାଜ୍ୟର ବିଭିନ୍ନ ପରିଭାଷା-ସମ୍ବେଦନଶୀଳତା, ଦାୟିତ୍ୱ, ଉତ୍ତରଦାୟୀ, ପାରଦର୍ଶିତା, ଦକ୍ଷତା ତଥା ସୁଶାସନକୁ ବିଶ୍ଲେଷଣ କରିଥିଲେ। କେନ୍ଦ୍ର ସରକାରର କାର୍ଯ୍ୟସଂସ୍କୃତିର ଉଦାହରଣ ଦେଇ ସେ ଏସବୁକୁ ରେଖାଙ୍କିତ କରାଇଥିଲେ। ପ୍ରମୁଖ ହସ୍ପିଟାଲରେ ପଞ୍ଜିକରଣ, ଆୟକର ରିଟର୍ଣ୍ଣ ଫେରସ୍ତରେ ତତ୍ପରତା, ପାସପୋର୍ଟ ପ୍ରଦାନକୁ ତ୍ୱରାନ୍ୱିତ କରିବା, ତ୍ୱରିତ୍ କମ୍ପାନୀ ପଞ୍ଜିକରଣ ଓ ସରକାରୀ ଚାକିରୀରେ ଗ୍ରୁପ୍ ସି ଓ ଡି ପଦ ପାଇଁ ସାକ୍ଷାତକାର ସମାପ୍ତ କରାଯିବା କେନ୍ଦ୍ର ସରକାରଙ୍କ କାର୍ଯ୍ୟ ସଂସ୍କୃତିର ଉଦାହରଣ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଶାସନର ମହତ୍ୱପୂର୍ଣ୍ଣ କ୍ଷେତ୍ରରେ ସେବା ପ୍ରଦାନ କରିବାର ଗତି କିଭଳି ବୃଦ୍ଧି ପାଇଛି ତାହା ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ। ଏହି ସନ୍ଦର୍ଭରେ ସେ ଗ୍ରାମାଚଂଳ ସଡ଼କ ନିର୍ମାଣ, ଅକ୍ଷୟ ଶକ୍ତି ଉତ୍ପାଦନ କ୍ଷମତା ହାସଲ, ବିଦ୍ୟୁତ୍ ତାର ବିଛେଇବା ଓ ରୋଷେଇ ଗ୍ୟାସ ସଂଯୋଗ ଆଦିର ଉଦାହରଣ ଦେଇଥିଲେ।

ପ୍ରଧାନମନ୍ତ୍ରୀ ଜନଧନ ଯୋଜନାରେ ସ୍ୱଳ୍ପ ସମୟରେ 21 କୋଟି ବ୍ୟାଙ୍କ ଏକାଉଂଟ ଖୋଲିବା, ଗ୍ରାମାଚଂଳରେ 2 କୋଟି ଶୌଚାଳୟ ନିର୍ମାଣ ଓ ବିଦ୍ୟୁତ୍ ସୁବିଧାରୁ ବଂଚିତ 10ହଜାର ଗାଁକୁ ବିଦ୍ୟୁତିକରଣ କାମ ସଂପୂର୍ଣ୍ଣ କରାଯିବା ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଥିଲେ।

ଏଲଇଡି ବଲ୍ବ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହାର ଦାମ୍ କୁ ବହୁ ପରିମାଣରେ ହ୍ରାସ କରାଯାଇଛି। ଯାହାଫଳରେ ଅଧିକ ସାଧାରଣ ଲୋକଙ୍କ ନିକଟରେ ଏହା ଉପଲବ୍ଧ ହୋଇପାରିବ। ସେ କହିଛନ୍ତି ଯେ ଏଲଇଡି ବଲ୍ବର ଉପଯୋଗରେ ବିପୁଳ ପରିମାଣରେ ବିଦ୍ୟୁତ୍ ସଂଚୟ କରାଇବ।

କ୍ରମାଗତ ଦୁଇ ଥର ମରୁଡ଼ି ସତ୍ତ୍ୱେ ପର୍ଯ୍ୟାପ୍ତ ଫସଲ ଉତ୍ପାଦନ ସୁନିଶ୍ଚିତ କରିଥିବା ଚାଷୀମାନଙ୍କୁ ପ୍ରଧାନମନ୍ତ୍ରୀ ପ୍ରଂଶସା କରିଥିଲେ। ଚଳିତବର୍ଷ ଡାଲି ଫସଲ ବହୁ ପରିମାଣରେ ବୃଦ୍ଧି ପାଇଛି। କୃଷି କ୍ଷେତ୍ର ଦିଗରେ ସରକାରଙ୍କ ସମନ୍ୱିତ ଆଭିମୁଖ୍ୟକୁ ସେ ସ୍ପଷ୍ଟ କରିଥିଲେ। ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ, ଜଳସେଚନ, ସୌର ପମ୍ପ, ମଞ୍ଜି, ସାର ବିତରଣ, ନିମବୋଳା ୟୁରିଆ ଓ ଫସଲ ବୀମା ସାମିଲ ଅଛି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏକ ରାଷ୍ଟ୍ରୀୟ ପରିଚୟ ସୃଷ୍ଟି କରିବା ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି। ସଂସ୍କାର, ପ୍ରଦର୍ଶନ ଓ ପରିବର୍ତ୍ତନ ହେଉଛି ସରକାରର ଲକ୍ଷ୍ୟ। ପ୍ରତୀକାତ୍ମକ କାର୍ଯ୍ୟ ତୁଳନାରେ ସ୍ଥାୟୀ କାର୍ଯ୍ୟ, ବିକ୍ଷିପ୍ତ ବିକାଶ ତୁଳନାରେ ସମନ୍ୱିତ ବିକାଶ ଓ ଯୋଗ୍ୟତା ତୁଳନାରେ ସଶକ୍ତିକରଣ ଉପରେ ଅଧିକ ସରକାର ଧ୍ୟାନକେନ୍ଦ୍ରିତ କରିଛି।

ପ୍ରଧାନମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ ଅଟକି ରହିଥିବା ଅଥବା ଦୀର୍ଘଦିନ ଧରି ପଡ଼ି ରହିଥିବା ପରିଯୋଜନାଗୁଡ଼ିକୁ ପୂରଣ କରିବା ପାଇଁ କିଭଳି ଭାବେ ତାଙ୍କର ସରକାର ପ୍ରୟାସ କରୁଛି। ମହତ୍ୱପୂର୍ଣ୍ଣ ପରିଯୋଜନାକୁ ମଞ୍ଜୁରି ଦେବା ପାଇଁ ଆବଶ୍ୟକ ସମୟକୁ ମଧ୍ୟ ସରକାର ହ୍ରାସ କରିଛନ୍ତି।

ପ୍ରଭାବଶାଳୀ ସେବା ପ୍ରଦାନକୁ ରେଖାଙ୍କିତ କରି ଆଖୁର ବକେୟା ରାଶିକୁ ମଞ୍ଜୁରି, ନୂଆ ଏଲ୍ପିଜି ସଂଯୋଗ, ଏୟାର ଇଣ୍ଡିଆ ଓ ବିଏସ୍ଏନ୍ଏଲ ଭଳି ସାର୍ବଜନୀନ ଉଦ୍ୟୋଗକୁ କିଭଳି ଲାଭଜନକ କରାଯାଇଛି ତାହା ପ୍ରଧାନମନ୍ତ୍ରୀ କହିଛନ୍ତି। ପାରିଦର୍ଶିତା ଉପରେ ଗୁରୁତ୍ୱ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସବସିଡି ରାଶି ଏବେ ଅତି ଜରୁରୀ ଥିବା ଲୋକଙ୍କୁ ପ୍ରଦାନ କରାଯାଉଛି। ଆନ୍ତର୍ଜାତିକ ରେଟିଂ ଏଜେନ୍ସୀ ମଧ୍ୟ ସରକାରର ପ୍ରମୁଖ କ୍ଷେତ୍ରରେ ହୋଇଥିବା ବିକାଶକୁ ସ୍ୱୀକାର କରିଛି।

ମହିଳାଙ୍କ କଲ୍ୟାଣ ଦିଗରେ ସରକାର ସମଗ୍ର ଓ ସମନ୍ୱିତ ଆଭିମୁଖ୍ୟ ଆପଣାଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ମହିଳାଙ୍କୁ ସ୍ୱାସ୍ଥ୍ୟଗତ,ଶିକ୍ଷାଗତ ଓ ଆର୍ଥିକ ସୁବିଧା ସୁନିଶ୍ଚିତ କରିବା ପାଇଁ ବେଟି ବଚାଓ ବେଟି ପଢ଼ାଓ, ସୁକନ୍ୟା ସମୃଦ୍ଧି ଯୋଜନା ଓ ଉଜ୍ୱଳା ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଏ ଦିଗରେ ସେ ଅନେକ ସରକାରୀ ପଦକ୍ଷେପକୁ ମଧ୍ୟ ଉଲ୍ଲେଖ କରିଥିଲେ।

ସାମାଜିକ ଏକତାର ଏକ ସୁଦୃଢ ସନ୍ଦେଶ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପ୍ରତ୍ୟେକ ଭାରତୀୟ ରାମାନୁଜାଚାର୍ଯ୍ୟ, ମହାତ୍ମା ଗାନ୍ଧି ଓ ବାବା ସାହେବ ଆମ୍ବେଦକରଙ୍କ ଭଳି ମହାନ୍ ସନ୍ଥ, ଦାର୍ଶନିକଙ୍କ ଶାନ୍ତି, ଏକତା ଓ ଭ୍ରାତୃତ୍ଵଭାବର ସନ୍ଦେଶକୁ ପାଳନ କରିବା ଉଚିତ୍।

ସରକାରଙ୍କ ବିଭିନ୍ନ ପଦକ୍ଷେପ ଓ କାର୍ଯ୍ୟକ୍ରମ ଯୁବବର୍ଗଙ୍କ ପାଇଁ ରୋଜଗାର ସୃଷ୍ଟିରେ ଯୋଗଦାନ କରୁଛି। ମଡେଲ୍ ଦୋକାନ ଓ ପ୍ରତିଷ୍ଠାନ ଅଧିନିୟମ ଯୋଗୁ ସପ୍ତାହର ସମସ୍ତ ଦିନ ଦୋକାନ ଖୋଲିବାର ସୁବିଧା ରହିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କେନ୍ଦ୍ର ସରକାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ କୁଣ୍ଠାବୋଧ କରନ୍ତି ନାହିଁ। “ୱାନ୍ ରେଙ୍କ୍ ୱାନ୍ ପେନ୍ସନ୍” (OROP), ନେତାଜୀଙ୍କ ସମ୍ପର୍କିତ ଫାଇଲ୍ କୁ ସାର୍ବଜନୀନ ଓ ବାଂଲାଦେଶ ସହ ଭୂସୀମା ଚୁକ୍ତିକୁ ସେ ଉଲ୍ଲେଖ କରିଥିଲେ।

ଆତଙ୍କବାଦୀମାନଙ୍କୁ ଶହୀଦ ଭାବେ ମହିମାମଣ୍ଡିତ କରିବା ପାଇଁ ପ୍ରୟାସକୁ ପ୍ରଧାନମନ୍ତ୍ରୀ କଡ଼ା ଭାଷାରେ ନିନ୍ଦା କରିଛନ୍ତି। ସେ କହିଛନ୍ତି ଯେ ଭାରତର ମାନବିକ ଆଭିମୁଖ୍ୟକୁ ବିଶ୍ୱ ସମୁଦାୟ ପ୍ରଶଂସା କରିବ ଓ ସମସ୍ତ ପ୍ରକାରର ଆତଙ୍କବାଦୀ ଗତିବିଧିକୁ ଏକ ସ୍ୱରରେ ଭର୍ତ୍ସନା କରିବ।

ରାଷ୍ଟ୍ରକୁ ଆଗେଇ ନେବା ଦିଗରେ ସମୂହ ସଂକଳ୍ପ ନେବା ପାଇଁ ପ୍ରଧାନମନ୍ତ୍ରୀ ଆହ୍ୱାନ କରିଛନ୍ତି।

ପ୍ରଧାନମନ୍ତ୍ରୀ ଏହି ଅବସରରେ କେତେକ ନୂଆ ପଦକ୍ଷେପର ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ସ୍ୱାଧୀନତା ସଂଗ୍ରାମୀଙ୍କ ପେନସନ୍ ପରିମାଣକୁ ମାସିକ 25ହଜାର ଟଙ୍କାରୁ 30ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ଦେଶବ୍ୟାପୀ ଆଦିବାସୀ ସ୍ୱାଧୀନତା ସଂଗ୍ରାମୀଙ୍କୁ ସମର୍ପିତ ସଂଗ୍ରହାଳୟ ଓ ସ୍ମାରକ ନିର୍ମାଣ ଦିଗରେ ସରକାର କାର୍ଯ୍ୟ କରିବ। ସରକାର ଗରିବ ଲୋକଙ୍କ ପାଇଁ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ଖର୍ଚ୍ଚକୁ ବହନ କରିବ ବୋଲି ପ୍ରଧାନମନ୍ତ୍ରୀ ତାଙ୍କ ସ୍ଵତନ୍ତ୍ରତା ଦିବସ ଅଭିଭାଷଣରେ ପ୍ରକାଶ କରିଥିଲେ ।