ପିଏମଇଣ୍ଡିଆ
900 କୋଟି ଡଲାର ମୂଲ୍ୟର ରପ୍ତାନୀ ଋଣ ସହାୟତା ନିମନ୍ତେ ଭାରତ ଓ ଦକ୍ଷିଣ କୋରିଆର ରପ୍ତାନୀ ଆମଦାନୀ ବ୍ୟାଙ୍କ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷର ହେବ । ଏ ସଂକ୍ରାନ୍ତ ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଅନୁମୋଦନ କରାଯାଇଛି । ଏହି ଋଣ ସହାୟତା ଭାରତରେ ଭିତ୍ତିଭୂମିର ବିକାଶ ଏବଂ ତୃତୀୟ ବିଶ୍ୱର ଦେଶମାନଙ୍କୁ ଭାରତରୁ ବସ୍ତୁ ଓ ସେବା ଯୋଗାଣ ଦିଗରେ ବିନିଯୋଗ କରାଯିବ ।
ଅର୍ଥମନ୍ତ୍ରୀ ଶ୍ରୀ ଅରୁଣ ଜେଟଲୀଙ୍କ ଚଳିତ ମାସ 14 ଓ 15 ତାରିଖରେ ସିଓଲ ଗସ୍ତ କାଳରେ ଏହି ଭାରତ-କୋରିଆ ବୁଝାମଣା ସ୍ୱାକ୍ଷରିତ ହେବ । ଶ୍ରୀ ଜେଟଲୀ ଦୁଇ ଦେଶ ମଧ୍ୟରେ ନିୟମିତ ଭାବେ ଅନୁଷ୍ଠିତ ହେଉଥିବା ବାର୍ଷିକ ଦ୍ୱିପାକ୍ଷିକ ଅର୍ଥନୈତିକ ଆଲୋଚନାରେ ଭାଗ ନେବା ପାଇଁ ଦକ୍ଷିଣ କୋରିଆ ଯାଉଛନ୍ତି । କେନ୍ଦ୍ର କ୍ୟାବିନେଟର ଆଜିକାର ନିଷ୍ପତ୍ତି ଫଳରେ ଦେଶର ରପ୍ତାନୀ କ୍ଷେତ୍ର ବିକଶିତ ହେବା ସହ ଭାରତ-କୋରିଆ ମଧ୍ୟରେ ରାଜନୈତିକ ଓ ଆର୍ଥିକ ସମ୍ବନ୍ଧ ଦୃଢ଼ିଭୂତ ହେବାର ଆଶା କରାଯାଉଛି । ରପ୍ତାନୀ କ୍ଷେତ୍ରରେ ଅଗ୍ରାଧିକାର ଉଦ୍ୟୋଗ ଓ ପ୍ରକଳ୍ପଗୁଡିକୁ ରପ୍ତାନୀ ଭିତ୍ତିକ ଋଣ ସହାୟତା ଯୋଗାଇବା ଦିଗରେ ଦକ୍ଷିଣ କୋରିଆର ଏକ୍ସିମ୍ (EXIM) ବ୍ୟାଙ୍କ ସାହାଯ୍ୟ କରିବ । ବିଶେଷକରି ସ୍ମାର୍ଟ ସିଟି, ରେଳବାଇ, ଶକ୍ତି ଉତ୍ପାଦନ ଓ ସରବରାହ କ୍ଷେତ୍ରକୁ ଅଗ୍ରାଧିକାର ଦେଇ ଏହି ରପ୍ତାନୀ ଋଣ ସହାୟତା ବିନିଯୋଗ ହେବ ।
ଦୁଇ ଦେଶର ରପ୍ତାନୀ-ଆମଦାନୀ ବ୍ୟାଙ୍କ (EXIM) ପରସ୍ପର ମଧ୍ୟରେ ବିଚାର ବିମର୍ଶ ଓ ଆଲୋଚନା କରି କେଉଁ ପ୍ରକଳ୍ପକୁ କି ପ୍ରକାର ସହାୟତା ଦିଆଯିବ ସେ ବିଷୟରେ ସ୍ଥିର କରିବେ । ତୃତୀୟ ବିଶ୍ୱର ଦେଶଗୁଡିକରେ କେଉଁ କେଉଁ ପ୍ରକଳ୍ପ ଗଠନ ହୋଇପାରିବ ସେଥିଲାଗି ଦୁଇ ଦେଶ ମିଳିତ ଭାବେ କାର୍ଯ୍ୟ କରିବେ । ସେହିପରି ଭାରତରେ ଅନେକ ବସ୍ତୁ ଓ ସାମଗ୍ରୀ ନିର୍ମାଣ କରାଯାଇ କୋରିଆକୁ ରପ୍ତାନୀ କରାଯିବ ଏବଂ ଏହି ପ୍ରକାର ପ୍ରକଳ୍ପଗୁଡିକୁ ଦକ୍ଷିଣ କୋରିଆର EXIM ବ୍ୟାଙ୍କ୍ ଋଣ ସହାୟତା ଯୋଗାଇ ଦେବ ।
2015ରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦକ୍ଷିଣ କୋରିଆ ଗସ୍ତ କାଳରେ ମିଳିତ ବକ୍ତବ୍ୟରେ ଏହି ରପ୍ତାନୀ ଭିତ୍ତିକ ଋଣ ସହାୟତା ପ୍ରଦାନ ବିଷୟ ଘୋଷଣା କରାଯାଇଥିଲା ।