Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

CSIR ପ୍ଲାଟିନମ ଜୁବୁଲି ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ

CSIR ପ୍ଲାଟିନମ ଜୁବୁଲି ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ


ମୋର ବକ୍ତବ୍ୟ ଆରମ୍ଭରେ ମୁଁ ଭାରତୀୟ ମହାକାଶ ଗବେଷଣା ସଂସ୍ଥାକୁ ତାଙ୍କର ଆହ୍ୱାନାତ୍ମକ ଉପଗ୍ରହ ପ୍ରେରଣ କାର୍ଯ୍ୟର ସଫଳତା ପାଇଁ ଅଭିନନ୍ଦନ ଜଣାଇବାକୁ ଚାହୁଁଛି । ଗୋଟିଏ PSLVର ଉଡାଣରେ ଦୁଇଟି ଭିନ୍ନ ଭିନ୍ନ କକ୍ଷ ପାଇଁ 8 ଟି ଉପଗ୍ରହ ପ୍ରେରଣ କରାଯାଇଛି ।

ବିଜ୍ଞାନ ଓ ଶିଳ୍ପ ଗବେଷଣା ପରିଷଦ (CSIR)ର 75 ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ପ୍ଲାଟିନମ ଜୟନ୍ତୀ ଉତ୍ସବକୁ ଉଦ୍ଘାଟନ କରିବା ମୋର ସୌଭାଗ୍ୟ ।

ଆଉ ମଧ୍ୟ ପରିଷଦର ଅଧ୍ୟକ୍ଷ ଭାବରେ ଏକ ବର୍ଷ ବ୍ୟାପୀ ଚାଲିବାକୁ ଥିବା CSIRର ପ୍ଲାଟିନମ ଜୁବଲୀ ଉତ୍ସବକୁ ମୁଁ ଆପଣମାନଙ୍କୁ ସ୍ୱାଗତ ଜଣାଉଛି ।

କେନ୍ଦ୍ରୀୟ ବିଦ୍ୟାଳୟର 150 ଜଣ ଛାତ୍ର ଯେଉଁମାନେ ଆଜି ଏଠାରେ ଉପସ୍ଥିତ ଅଛନ୍ତି ଏବଂ ଏହି ଉତ୍ସବର ସିଧା ପ୍ରସାରଣ ଦେଖୁଥିବା IIT ଓ CSIRର ଗବେଷଣାରତ ଛାତ୍ରମାନଙ୍କୁ ମୁଁ ବିଶେଷ ଭାବେ ସ୍ୱାଗତ କରୁଛି ।

ଆଧୁନିକ ଭାରତର ବିକାଶରେ CSIRନିଜର ସମର୍ପିତ ସେବାର 75 ବର୍ଷ ପୂରଣ କରିବା ପ୍ରତ୍ୟେକ ଭାରତୀୟ ପାଇଁ ଗର୍ବର ବିଷୟ ।

ଏହା ରାଷ୍ଟ୍ର ପ୍ରତି ସମର୍ପିତ ଏକ ଯାତ୍ରା ।

ଆମ ଗଣତାନ୍ତ୍ରିକର ଢ଼ାଂଚାର ଏକ ଅପରିହାର୍ଯ୍ୟ ଉପାଦାନ ଅଲିଭା କାଳିଠାରୁ ଆରମ୍ଭ କରି ସେମାନେ ଆମ ଦୈନନ୍ଦିନ ଜୀବନ ଉପରେ ଏକ ଅଲିଭା ଛାପ ସୃଷ୍ଟି କରିଛନ୍ତି ।

ଗବେଷଣା କ୍ଷେତ୍ରରେ ଏହାର ସାମଗ୍ରୀକ ଦୃଷ୍ଟିଭଙ୍ଗୀ ଦ୍ୱାରା ଦେଶରେ ବିଭିନ୍ନ କ୍ଷେତ୍ରରେ CSIRଏକ ପ୍ରତିଫଳନ ସୃଷ୍ଟି କରିପାରିଛି ।

କୃଷିକ୍ଷେତ୍ରରୁ ମହାକାଶ, ବାୟୋସେନସରଠାରୁ ବାୟୋଫାର୍ମାସ୍ୟୁଟିକାଲ, ରସାୟନଠାରୁ ପାଗରେ ପରିବର୍ତ୍ତନ, ଔଷଧ ଉଦ୍ଭାବନଠାରୁ ସମୁଦ୍ର ଗର୍ଭରେ ଅନୁସନ୍ଧାନ, ଭୂବିଜ୍ଞାନଠାରୁ ଶକ୍ତିକ୍ଷେତ୍ର, ଖାଦ୍ୟଠାରୁ ସୁଗନ୍ଧ, କାଚଠାରୁ ଜେନୋମିକ୍ସ, ଗୃହନିର୍ମାଣରୁ ସ୍ୱାସ୍ଥ୍ୟସେବା, ଯନ୍ତ୍ରପାତି ନିର୍ମାଣରୁ ସୂଚନା ବିଜ୍ଞାନ, ଚର୍ମଶିଳ୍ପରୁ ଆରମ୍ଭ କରି ହାଲୁକା ଯୁଦ୍ଧ ବିମାନ, Microbes ଠାରୁ ଆରମ୍ଭ କରି ଖଣିଜ ଦ୍ରବ୍ୟ, ଅପ୍ଟିକ୍ସରୁ ଅପ୍ଟିକାଲ ଫାଇବର, ପିଗମେଂଟରୁ ପାୱାର ଡିକ୍ଟୋନିକ୍ସ, ରାସ୍ତା ନିର୍ମାଣରୁ ରୋବୋଟିକ୍ସ, ସେନସରରୁ ସୌରଶକ୍ତି, ଟ୍ରାକ୍ଟରରୁ ପରିବହନ, ୟୁଏଭିଠାରୁ ଆରମ୍ଭ କରି ଜଳଯାନ ଏବଂ ଜଳଠାରୁ ଆରମ୍ଭ କରି ଜଳବାୟୁ ପରିବର୍ତ୍ତନ ସବୁ କ୍ଷେତ୍ରରେ ସିଏସଆଇଆର ଏହାର ଉପସ୍ଥିତି ଜାହିର କରିଛି ।

ଦେଶର ପ୍ରଥମ ଟ୍ରାକ୍ଟର ସ୍ୱରାଜ, ଗୁଣ୍ଡଦୁଗ୍ଧ, ଶିଶୁଖାଦ୍ୟ, ଦେଶର ପ୍ରଥମ ସୁନ୍ଦର କମ୍ପ୍ୟୁଟର ଆଦିର ଉଦ୍ଭାବନରେ ସିଏସଆଇଆରର ଅବଦାନର କିଛି ଉଦାହରଣ ମାତ୍ର ।

ଏହି ହଲରେ ପ୍ରବେଶ ପୂର୍ବରୁ ଏକ ପ୍ରଦର୍ଶନୀରେ ମୁଁ CSIR ଉପଲବ୍ଧିଗୁଡିକୁ ଦେଖିଲି । ମୁଁ ଚାହୁଁଛି ଏହି ପ୍ରଦର୍ଶନୀ ଦେଶର ଅନ୍ୟ ସ୍ଥାନମାନଙ୍କରେ ମଧ୍ୟ ଆୟୋଜିତ ହେଉ, ଯାହା ଫଳରେ ଲୋକେ CSIRର ଉପଲବଧି ଗୁଡିକ ସମ୍ପର୍କରେ ଜାଣି ଏହାର ପ୍ରଶଂସା କରି ପାରିବେ ।

ଆଧୁନିକ ଜ୍ଞାନକୌଶଳ ଏବଂ କ୍ରମବର୍ଦ୍ଧିଷ୍ଣୁ ଆହ୍ୱାନ ପାଇଁ CSIRକୁ ପ୍ରସ୍ତୁତ କରିବା ଦିଗରେ ଆମ ଉଦ୍ୟମ ହେବା ଉଚିତ ।

ମୋ ମତରେ ନିର୍ଦ୍ଧାରିତ ହିତାଧିକାରୀ ଏବଂ ପ୍ରକୃତ ଉଦ୍ୟମୀମାନଙ୍କୁ ଗୋଟିଏ ମଂଚ ଉପରକୁ ଆଣିବା ପାଇଁ CSIR “ଟେକ୍ନୋଲୋଜି ବ୍ୟବସାୟରେ ସୁଷମତା” ସୃଷ୍ଟି କରିବା ଆବଶ୍ୟକ ।

ନିକଟ ଅତୀତରେ CSIR ମଧୁମେହ ରୋଗୀଙ୍କ ପାଇଁ ଦେଶର ପ୍ରଥମ ଆୟୁର୍ବେଦିକ ଔଷଧ ପ୍ରସ୍ତୁତ କରିଛନ୍ତି । ଏହି ଔଷଧର ଭବିଷ୍ୟତ ସମ୍ଭାବନା ସମ୍ପର୍କରେ ଆପଣମାନେ ସମସ୍ତେ ଜାଣନ୍ତି । ଲୋକେ ଯେପରି ଏହି ଔଷଧର ଉତ୍ତମ ବ୍ୟବହାର କରନ୍ତି ସେଥିପାଇଁ ସେମାନଙ୍କୁ ଏ ସମ୍ପର୍କରେ ଅବଗତ କରାଇବା ଏବେ ଆମର ଲକ୍ଷ୍ୟ ହେବା ଉଚିତ ।

ଇତିହାସ ଏ କଥାର ସାକ୍ଷୀ ଯେ ଆଧୁନିକ ଯୁଗରେ ବିଜ୍ଞାନ ଏବଂ ଜ୍ଞାନକୌଶଳର ସାହାଯ୍ୟ ବିନା କୌଣସି ଦେଶ ଉନ୍ନତି କରିପାରିନାହିଁ । ଦେଶର ଅଭିବୃଦ୍ଧି ହାର ଏବେ 7 ପ୍ରତିଶତ ରହିଛି ଏବଂ ଏହାକୁ ବୈଜ୍ଞାନିକ ଏବଂ ଗବେଷଣାତ୍ମକ ସଂସ୍ଥାର ସହଯୋଗର ଆବଶ୍ୟକତା ରହିଛି । ତେଣୁ ବର୍ତ୍ତମାନର ଆହ୍ୱାନଗୁଡିକର ମୁକାବିଲା ସହ ଦେଶର ଭବିଷ୍ୟତ ପାଇଁ ଗୋଟିଏ ରୋଡମ୍ୟାପ ପ୍ରସ୍ତୁତ କରିବା ଆପଣଙ୍କ ରଣନୀତିର ଅଂଶ ହେବା ଆବଶ୍ୟକ । ଯେମିତିକି CSIR ଏ ବର୍ଷ ସୋଲାର ଟ୍ରି ବା ସୌର ବୃକ୍ଷ ନିର୍ମାଣ କରିଛି । ଏହି ସୌର ବୃକ୍ଷ ମାତ୍ର ଚାରି ବର୍ଗଫୁଟ ସ୍ଥାନ ଅଧିକାର କରେ । ଏହି ସୌର ବୃକ୍ଷ କିଭଳି ଦେଶର କୋଣ ଅନୁକୋଣକୁ ପହଂଚିବ ଏବଂ ଲୋକେ ଏହାର ଲାଭ ଉଠାଇପାରିବେ ସେଥିପାଇଁ ଆପଣମାନେ ଏବେ ପ୍ରଚେଷ୍ଟା କରିବା ଆବଶ୍ୟକ । ଦେଶରେ ବିଜୁଳି ସମସ୍ୟାର ସମାଧାନ ପାଇଁ ସୌରଶକ୍ତି ଖୁବ ଗୁରୁତ୍ୱପୂର୍ଣ୍ଣ । ଆପଣ ସବୁ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଘଟାଇପାରନ୍ତି । 2022 ସୁଦ୍ଧା ଦେଶରେ ଶହେ ଗିଗାୱାଟ ସୌରଶକ୍ତି ଉତ୍ପାଦନ ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି । ଏହି ଲକ୍ଷ୍ୟ ପୂରଣ ନିମନ୍ତେ ସରକାରଙ୍କୁ ଆପଣଙ୍କ ସହଯୋଗର ଆବଶ୍ୟକତା ରହିଛି । ଯେପରିକି ନ୍ୟୁନତମ ଖର୍ଚ୍ଚରେ ସୋଲାର ସେଲର କାର୍ଯ୍ୟଦକ୍ଷତାକୁ ସର୍ବାଧିକ କରାଯାଇପାରେ । ଯେ କୌଣସି ଜ୍ଞାନକୌଶଳକୁ ସେତେବେଳେ ସଫଳ କରିହେବ ଯେତେବେଳେ ଏହା ସାଧାରଣ ମଣିଷର କାମରେ ଲାଗିପାରିବ ।

ଆଜି ଦୈନନ୍ଦିନ ଜୀବନରେ ଚାଷୀଭାଇ ମାନଙ୍କର ଗରିବ ମା-ଭଉଣୀମାନଙ୍କର, ଯୁବଗୋଷ୍ଠୀର ଅନେକ ପ୍ରକାର ସମସ୍ୟା ରହିଛି । ଆପଣଙ୍କ ଉଦ୍ଭାବନ କିମ୍ବା ଗବେଷଣା କିଭଳି ତାଙ୍କ କାର୍ଯ୍ୟରେ ଲାଗିପାରିବ ଏହା ଅବିରତ ଭାବେ ଚିନ୍ତା କରି ଏହାର ପରିଣାମ ଦର୍ଶାଇବାକୁ ପଡିବ । ତାହା ହିଁ ବୈଜ୍ଞାନିକ ଏବଂ ଗବେଷଣା ପରିଷଦ ଗଠନର ଉଦ୍ଦେଶ୍ୟ । ବୈଜ୍ଞାନିକ ଆବିଷ୍କାର ଏବଂ ଗବେଷଣା ଦିନକର ବ। ବର୍ଷକର କାର୍ଯ୍ୟ ନୁହେଁ । ଏହା ନିରନ୍ତର ଭାବେ ଚାଲୁଥିବା ପ୍ରକ୍ରିୟା । ଏହି ନିରନ୍ତର ପ୍ରକ୍ରିୟା ହିଁ ଦିନେ ଗେମ ଚେଞ୍ଜର ରୂପେ, ଗେମ ଚେଞ୍ଜିଙ୍ଗ୍ ଟେକ୍ନୋଲୋଜି ରୂପରେ ଜନ୍ମ ନିଏ ।

CSIR ବହୁତ ଆଗରୁ ଏହି କାମ କରିଆସିଛି । କିନ୍ତୁ ଏବେ ମୁଁ ଗୋଟିଏ ବଡ ଧରଣର ପରିବର୍ତ୍ତନର ଆବଶ୍ୟକତାକୁ ଅନୁଭବ କରୁଛି । ଆମେ ଗବେଷଣା କରୁ । ହେଲେ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଏହାର ପ୍ରସ୍ତୁତିକୁ ଆମେ ଆମର ପ୍ରମୁଖ ଲକ୍ଷ୍ୟ କରିପାରିବା କି ? ଆପଣଙ୍କଠାରୁ ମୁଁ ବହୁତ କିଛି ଆଶା କରୁଛି । ବେଳ ବେଳେ ଲାଗିପାରେ ଯେ ମୋର ଆଶା ଅତ୍ୟଧିକ, କିନ୍ତୁ ଏହାର କାରଣ ହେଲା ମୋର ଆପଣଙ୍କ ଉପରେ ଥିବା ବିଶ୍ୱାସ । 75 ବର୍ଷରେ ଆପଣମାନେ ଦେଶକୁ ଯାହା ଦେଇଛନ୍ତି ସେଥିପାଇଁ ମୋତେ ଲାଗେ ଯେ ଆପଣ ବହୁତ କିଛି ଦେଇପାରିବେ । ମାଗିବା ଲୋକ ତା ପାଖରେ ହିଁ ତ ମାଗେ ଯିଏ ଦେଇପାରିବ ।

ତେଣୁ ଏହି 75 ତମ ବାର୍ଷିକ ଅବସରରେ “ସମୟବଦ୍ଧ କାର୍ଯ୍ୟ ସଂପାଦନ” ଏହି ଏକ ଧାଡି ବିଶିଷ୍ଟ କାର୍ଯ୍ୟକ୍ରମକୁ ପ୍ରାଥମିକତା ଦେବାକୁ ହେବ । ଅନୁସନ୍ଧାନ ସହ ଆମକୁ ମୂଲ୍ୟ ପରିବର୍ତ୍ତନ (Value Change) କୁ ମଜବୁତ ଭାବେ ଯୋଡିବା ଉପରେ ମଧ୍ୟ ଧ୍ୟାନ ଦେବାକୁ ପଡିବ ।

ଗବେଷଣା ପ୍ରତିଷ୍ଠାନ ସହିତ ସରକାର, ଉଦ୍ୟୋଗ ଜଗତ, ଅଣସରକାରୀ ସଂଗଠନ, ସେବା ଯୋଗଣକାରୀ, ଉପଭୋକ୍ତା ଏମାନଙ୍କ ତାଳମେଳ ପାଇଁ ସମନ୍ଵିତ ପ୍ରୟାସ ବିନା ସୁଫଳ ମିଳେନାହିଁ। ତାହା ଉପରେ ଆମକୁ ଧ୍ୟାନ ଦେବାକୁ ହେବ ।

ବେଳେବେଳେ ଦେଖାଯାଇଛି ଯେ, ଆମ ଆବିଷ୍କାର ତ କରିଦେଉ, କିନ୍ତୁ ସାଧାରଣ ଲୋକଙ୍କୁ ଏହାର ଲାଭ ମିଳେନି । ହୁଏତ ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ଏ ସମ୍ପର୍କରେ ସୂଚନା ପହଂଚେ ନାହିଁ କିମ୍ବା ସାଧାରଣ ଲୋକର ଆବଶ୍ୟକତା ଅନୁସାରେ ଏଥିରେ ପରିବର୍ତ୍ତନ ବା କାର୍ଯ୍ୟ ହୁଏ ନାହିଁ । ସିଦ୍ଧାନ୍ତ ଅନୁସାରେ ତାହା ଖୁବ ଭଲ ଉଦ୍ଭାବନ ହୋଇଥାଏ । ତେଣୁ ସମସ୍ୟା ଏବଂ ଉପଲବ୍ଧ ସମ୍ବଳ ମଧ୍ୟରେ ତାଳମେଳ କରି ଯଦି ଆମେ ଉଦ୍ଭାବନ କରିବା, ସରଳୀକରଣ କରିବା ତେବେ ଏହାର ବ୍ୟାପକତା, ସାଧାରଣ ମଣିଷ ପାଇଁ ଏହାର ଉପଯୋଗୀତା ଖୁବ ସହଜରେ ବିସ୍ତାର କରାଯାଇପାରେ ବୋଲି ମୋର ମତ । ବୈଜ୍ଞାନିକ ଗବେଷଣା ସଂସ୍ଥା Stake Holder ମାନଙ୍କଠାରୁ ଗବେଷଣା ଏବଂ ବିକାଶ ପର୍ଯ୍ୟାୟରେ ଅଭିମତ ଗ୍ରହଣ କରିପାରିବା ପାଇଁ ବ୍ୟବସ୍ଥା କରିବାକୁ ହେବ । ଯଦି ଭାଗିଦାରମାନଙ୍କ ସହ ଆମର ମତ ବିନିମୟ ହେଉନାହିଁ, ତାର ଆବଶ୍ୟକତାକୁ ଆମେ ଯଦି ନ ବୁଝି ପାରୁଛୁ, ତେବେ ଆମ ଉତ୍ପାଦ ହୁଏତ ପ୍ରତିଯୋଗୀତାରେ ବଡ ବଡ ପୁରସ୍କାର ଲାଭ କରିପାରେ, ବଡ ବଡ ପତ୍ର ପତ୍ରିକାରେ ଏ ସମ୍ପର୍କରେ ଆଲୋଚନାମାନ ପ୍ରକାଶ ପାଇପାରେ କିନ୍ତୁ ଭାରତ ଭଳି ଦେଶରେ ଏହାର ସଫଳତା ସାଧାରଣ ଲୋକର ସମସ୍ୟାକୁ ସମାଧାନ କରିବା ଦିଗରେ ଏହାର ଉପଯୋଗୀତା ହିଁ ଏହାର ସଫଳତାର ପ୍ରକୃତ ମାପଦଣ୍ଡ ।

ନିଜର ପ୍ରୟୋଗଶାଳା ମାଧ୍ୟମରେ ଶକ୍ତିରେ ପରିପୂର୍ଣ୍ଣ ଆମ ଯୁଗଗୋଷ୍ଠୀ ପାଇଁ ଅଧିକରୁ ଅଧିକ ଦ୍ୱାର ଖୋଲିବା ପାଇଁ CSIR ଯତ୍ନବାନ ହେବା ଉଚିତ । CSIR ପ୍ରୟୋଗଶାଳାରେ ଅଧିକରୁ ଅଧିକ ଛାତ୍ରଛାତ୍ରୀମାନଙ୍କୁ ଗବେଷଣାର ସୁଯୋଗ ମିଳୁ । ସେଥିପାଇଁ ପ୍ରୟାସ କରାଯିବା ଉଚିତ ।

ଆମେ ଦେଖୁଛି ଆଜିକାଲି ଟିଭିବାଲାମାନେ ପ୍ରତିଭା ଅନ୍ଵେଷଣ ପାଇଁ ବଡ ବଡ କାର୍ଯ୍ୟକ୍ରମାନ କରୁଛନ୍ତି । ନାଚ, ଗୀତ ଇତ୍ୟାଦି ପାଇଁ, ଆମେ ଆଗରୁ ଚିନ୍ତା କରି ନଥିଲୁ । ଛୋଟ ଛୋଟ ପିଲାଙ୍କ ଭିତରେ ମଧ୍ୟ କେତେ ପ୍ରତିଭା ରହିଛି, ତେବେ ପ୍ରତିଭା କେବଳ ଏହି ଗୋଟିଏ କ୍ଷେତ୍ରରେ ନୁହେଁ ପ୍ରତ୍ୟେକ କ୍ଷେତ୍ରରେ ରହିଛି । ସେମାନେ ସୁଯୋଗ ଖୋଜୁଛନ୍ତି । ଆମର ପ୍ରୟୋଗଶାଳା ଏହି ପିଲାମାନଙ୍କ ଆକର୍ଷଣର କେନ୍ଦ୍ର ହୋଇପାରିବ କି ? ହୁଏତ ତ ତାଙ୍କ ମନକୁ ଏକଥା ଆସିପାରେ ଯେ, ଶନିବାର ରବିବାର ମାମୁଁ ଘରକୁ ବୁଲିବାକୁ ନ ଯାଇ ଗବେଷଣାଗାରକୁ ଚାଲିଯିବି । ସାର କିଛି ସମୟ ଦେଲେ, କିଛି ଶିଖାଇ ଦେଲେ ତାହା କରିବି । ଆପଣମାନଙ୍କ ମଧ୍ୟରୁ ଯିଏ ବଡ ବଡ ବୈଜ୍ଞାନିକ ହୋଇଛନ୍ତି ସେମାନେ ନିଜ ପିଲାଦିନ କଥା ମନେ ପକାନ୍ତୁ, ଆପଣମାନଙ୍କ ମଧ୍ୟରେ ସେହି ପାଗଳାମୀ ଥିଲା, ଯାହା ଫଳରେ ଆପଣମାନେ ଏଠିକି ପହଂଚିପାରିଛନ୍ତି । ଏମିତି ପାଗଳାମୀ ଥିବା ବହୁତ ଲୋକ ଅଛନ୍ତି । କେହି ଆପଣଙ୍କୁ ଗବେଷଣାଗାରକୁ ନେଇଯାଇଥିବ। ଏହି ପିଲାମାନଙ୍କୁ ବି କେହି ନେଇଯାଉ । ଦେଶର ଭାଗ୍ୟ ବଦଳି ଯାଉ ।

ନିଜର ସମ୍ବଳ ସହାୟତାରେ ଦେଶରେ ନୂଆ ଉଦ୍ୟମୀ ସୃଷ୍ଟି କରିବାରେ CSIR କୁ ଏକ ଶକ୍ତିଶାଳୀ ଭୂମିକା ଗ୍ରହଣ କରିବାକୁ ପଡିବ । ଆମେ ଷ୍ଟାର୍ଟ ଅପ ଇଣ୍ଡିଆ, ଷ୍ଟାଣ୍ଡ ଅପ ଇଣ୍ଡିଆ ଆନ୍ଦୋଳନ ଚଳାଇଛୁ । ଯେଉଁ ଯୁବକ କିଛି କରିବାକୁ ଚାହୁଁଛନ୍ତି ତାଙ୍କୁ ଆପଣଙ୍କ ଆବିଷ୍କାର ସମ୍ପର୍କରେ ଅବଗତ କରାଇଲେ ସେ ଏହାର ଉତ୍ପାଦନ ପାଇଁ ସାହସ କରିପାରିବେ । ଆମ CSIR ଆନ୍ଦୋଳନ, ଭାରତ ସରକାରଙ୍କର ଷ୍ଟାଣ୍ଡ ଅପ ଇଣ୍ଡିଆ ଆନ୍ଦୋଳନ, ଯାହାକୁ ନେଇ ଯୁବ ପିଢ଼ି କିଛି କରିବା ପାଇଁ ଚାହୁଁଛି, ଆମ ପାଖରେ କିଛି ଆବିଷ୍କାର ରହିଛି ଏବଂ ତାଙ୍କ ପାଖରେ ସମସ୍ୟା । ଆପଣଙ୍କ ଆବିଷ୍କାର, ସମସ୍ୟା ଆଉ ଉତ୍ପାଦନ ପାଇଁ ସେମାନଙ୍କ ଉତ୍ସାହ ଏହି ତିନୋଟି ଜିନିଷ ମିଶି ଦୁନିଆକୁ କିଛି ନୂଆ ଜିନିଷ ଦେଇପାରିବ କି ? ଗୋଟିଏ ନୂଆ କ୍ଷେତ୍ର ସୃଷ୍ଟି ହୋଇପାରିବ କି ? ଏହା ସମ୍ଭବ କି ? ଏହି ସମ୍ଭାବନାକୁ ଆମେ କିଭଳି ଉନ୍ନତ କରିବା । ସେହି ଦିଗରେ କାର୍ଯ୍ୟକଲେ, ଆମେ ବହୁତ କିଛି କରିପାରିବା ବୋଲି ମୋର ମତ ।
ବିଭିନ୍ନ ସଂସ୍ଥାମାନଙ୍କ ଦ୍ୱାରା ଦିଆଯାଉଥିବା ଗବେଷଣା ପାଇଁ ପାଣ୍ଠି ଯୋଗାଡ କରିବାର ମଧ୍ୟ ଆବଶ୍ୟକତା ରହିଛି । ଏଭଳି ଗୋଟିଏ ୱେବପୋର୍ଟାଲ ପ୍ରସ୍ତୁତ କରାଯାଇପାରିବ କି ଯେଉଁଠି ରିସର୍ଚ୍ଚ ଫଣ୍ଡିଙ୍ଗ୍ ଏବଂ ଏହାର ଫଳାଫଳର ସମ୍ପୂର୍ଣ୍ଣ ବିବରଣୀ ଉପଲବଧ ହୋଇପାରିବ । ଆପଣଙ୍କ ଗବେଷଣା ଗୋପନ ରହୁ, ଏହାକୁ ପ୍ରକାଶ କରିବା ପାଇଁ ମୁଁ କହୁନି । ତାହା ଆପଣଙ୍କ ସମ୍ପତ୍ତି । କିନ୍ତୁ ଆପଣ ଉତ୍ପାଦ ସମ୍ପର୍କରେ ସୂଚନା ଉପସ୍ଥାପିତ କରିପାରନ୍ତି । ନହେଲେ କଣ ହେଉଛି ନା ଗୋଟିଏ ଗବେଷଣାଗାରରେ କାମ ଚାଲିଛି, ଅନ୍ୟ ଗବେଷଣାଗାରରେ ବି 10 ଜଣ ଲୋକ ସେହି କାର୍ଯ୍ୟରେ ଲାଗିଛନ୍ତି । ଆମର ଶକ୍ତି ନଷ୍ଟ ହେଉଛି, ପାଣ୍ଠି ନଷ୍ଟ ହେଉଛି । କିନ୍ତୁ ଗୋଟିଏ ମଂଚରେ ରହିଲେ ସମସ୍ତେ ଜାଣିପାରିବେ ଯେ ଏହି ନୂଆ ଜିନିଷଟି ଉପରେ ଆମେ କାମ କରିବାକୁ ଚିନ୍ତା କରୁଥିଲୁ କିନ୍ତୁ ଏହା ଉପରେ ଆଗରୁ କାମ ଚାଲିଛି । ମୁଁ ଆଉ କିଛି ନୂଆ ଖୋଜେ । ଆମେ ଗୋଟିଏ ୱେବ ପୋର୍ଟାଲ ସାହାଯ୍ୟରେ ଏହା କରିପାରିବା । ଆହୁରି ଭଲ ହେବ, ଯଦି ଆମେ ଲୋକଙ୍କ ଆଗରେ ପ୍ରଶ୍ନ ଉପସ୍ଥାପିତ କରୁ, ସମସ୍ୟା ଉପସ୍ଥାପିତ କରୁ, ସେମାନଙ୍କ ପାଖରେ ନୂଆ ନୂଆ ଚିନ୍ତାଧାରା ଥାଏ, ମୁଁ ମଧ୍ୟ ଏତିକି ଚିନ୍ତା କରିଛି । ତାକୁ ନେଇ ଆଗେଇ ପାରିବି ।

2022 ରେ ସ୍ୱାଧୀନତାର 75 ବର୍ଷ ପୂର୍ତ୍ତି ଉତ୍ସବ ପାଳିତ ହେବ । ଆପଣଙ୍କର 75 ବର୍ଷ ପୂରଣ ଉପଲକ୍ଷେ ଆପଣଙ୍କ ମନରେ ଯେମିତି ଉତ୍ସାହ ଉଦ୍ଦୀପନା ଭରି ରହିଛି ସେହିଭଳି ଦେଶର ସ୍ୱାଧୀନତାର 75 ବର୍ଷ ପୂରଣ ସମୟରେ ସେହିଭଳି ଉତ୍ସାହ ଉଦ୍ଦୀପନାର ବାତାବରଣ, କିଛି କରିବାର ଇଚ୍ଛା ସୃଷ୍ଟି ହେବା ଆବଶ୍ୟକ । ଆମ ହାତରେ କିଛି ସମୟ ଅଛି । 2022 ସୁଦ୍ଧା ଆମେ ଦେଶର ଚାଷୀମାନଙ୍କ ଆୟକୁ ଦ୍ୱିଗୁଣିତ କରିବାର ଲକ୍ଷ୍ୟ ରଖିଛୁ । ଏହି ଲକ୍ଷ୍ୟକୁ ପୂରଣ କରିବା ପାଇଁ ଆପଣଙ୍କୁ ଫସଲର ନୂଆ କିସମ ପ୍ରସ୍ତୁତ କରିବାକୁ ପଡିବ । ବିଶେଷ କରି ଡାଲି ଜାତୀୟ ଶସ୍ୟର ଏଭଳି କିସମ ବିକଶିତ କରନ୍ତୁ ଯାହା ବର୍ଷାଶ୍ରିତ ଅଂଚଳରେ ଚାଷ କରାଯାଇପାରେ ଏବଂ ଅଧିକ ମାତ୍ରାରେ ଅମଳ ହୋଇପାରେ । ଶରୀରରେ ପ୍ରୋଟିନ ଅଭାବରେ ହେଉଥିବା ସମସ୍ୟାକୁ ଦୂର କରିବାରେ ଏହା ସହାୟକ ହେବ ।

ଯଦି 2022 ମସିହା ସୁଦ୍ଧା ଆମେ ଚାଷୀର ଆୟକୁ ଦ୍ୱିଗୁଣିତ କରିବାର ସ୍ୱପ୍ନ ଦେଖୁଛୁ ଆମ ଦେଶର ଗରିବ ଲୋକର ପ୍ରୋଟିନର ଆବଶ୍ୟକତା ପୂରଣ କରିବାର ସ୍ୱପ୍ନ ଦେଖୁଛୁ, ତେବେ ପ୍ରୋଟିନର ମୁଖ୍ୟ ସ୍ରୋତ ଡାଲି ଜାତୀୟ ଫସଲରେ ଆମେ କିଭଳି ହସ୍ତକ୍ଷେପ କରିପାରିବା, ହେକ୍ଟର ପିଛା ଉତ୍ପାଦନ କେମିତି ବଢ଼ିବ, ଡାଲି ଫସଲରେ ପ୍ରୋଟିନର ମାତ୍ରା କେମିତି ବୃଦ୍ଧି ପାଇବ ଏସବୁ ଆଜିର ବୈଜ୍ଞାନିକ ଯୁଗରେ ଜେନେଟିକ ସାଇନ୍ସ ଯୁଗରେ ଇଂଟରଭେନସନ ଦ୍ୱାରା ଆମ ବୈଜ୍ଞାନିକ କରିପାରିବ । ଏବଂ ଆମ ଚାଷୀ ଭାଇ ମଧ୍ୟ କରିପାରିବ । ମୁଁ ଦେଶର ସୁଦୂର ଅଂଚଳର ଚାଷୀମାନଙ୍କ ସହିତ କଥା ହୋଇ ଆସିଛି । ଆପଣମାନେ ଏଠାରେ ଲକ୍ଷ୍ୟ କରିଥିବେ ଯେ ସେମାନଙ୍କ ମନରେ କିଛି ନା କିଛି ନୂଆ କରିବାର ଇଚ୍ଛା ରହିଛି । ଆମର ବୈଜ୍ଞାନିକ ଏହାକୁ ଗତିଶୀଳ କରିପାରିବେ କି, ଏହାକୁ ନିର୍ଦ୍ଦିଷ୍ଟ ଦିଗରେ ପରିଚାଳିତ କରିପାରିବେ କି ? ଏବଂ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ପରିଣାମ ଦେଇପାରିବେ କି ? ବୈଜ୍ଞାନିକମାନେ ପନିପରିବାରର ନୂତନ କିସମ ବିକଶିତ କରିବା ଉଚିତ । ଆମ ଲକ୍ଷ୍ୟ କେବଳ ଚାହିଦା ଏବଂ ଯୋଗାଣ ମଧ୍ୟରେ ଥିବା ତାରତମ୍ୟକୁ ଦୂର କରିବା ନୁହେଁ ବରଂ ଅନ୍ୟ ଅଂଚଳକୁ ରପ୍ତାନୀ କରିବା ମଧ୍ୟ ହେବା ଦରକାର । ରପ୍ତାନୀ କଥା ମୁଁ ଏଥିପାଇଁ କହୁଛି କାରଣ ବିଗତ ଦିଗରେ ମୁଁ ମଧ୍ୟପ୍ରାଚ୍ୟ ଦେଶଗୁଡିକୁ ଯାଇଥିଲି। ସେମାନେ ଗୋଟିଏ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ସେମାନେ କହୁଛନ୍ତି ଯେ ଆମର ଏଠାରେ ଏକ ଇଂଚ ମଧ୍ୟ ବର୍ଷା ହେଉନି, ଖାଇବା ପାଇଁ ଆମକୁ ପ୍ରତ୍ୟେକ ଜିନିଷ ବାହାରୁ ଆମଦାନୀ କରିବାକୁ ପଡୁଛି । ଫଳ, ଫୁଲ, ପନିପରିବାର ଶସ୍ୟ ସବୁକିଛି । ଆମ ଜନସଂଖ୍ୟା ବଢ଼ିଚାଲିଛି ।

ଆମ ପାଖରେ ପେଟ୍ରୋଲିଅମ ଅଛି, ଡଲାର ଅଛି । ଆମ ପାଖରେ ବହୁତ ଧନ ସମ୍ପତି ଅଛି । କିନ୍ତୁ ଦ୍ରବ୍ୟ ଆମକୁ ବାହାରୁ ଆଣିବାକୁ ପଡିବ । ଏହି ମଧ୍ୟ ପ୍ରାଚ୍ୟ ଦେଶଗୁଡିକର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଆମେ ସେମାନଙ୍କ ଆବଶ୍ୟକ ଦ୍ରବ୍ୟଗୁଡିକୁ ରପ୍ତାନୀ କରିପାରିବା କି ? ଆମ କୃଷି କ୍ଷେତ୍ରରେ ଲକ୍ଷଭିତ୍ତିକ ଓ ନିର୍ଦ୍ଧାରିତ ଏଭଳି ବସ୍ତୁ ବିକଶିତ କରିବା ଦିଗରେ ଚିନ୍ତା କରିପାରିବା କି ? ଯାହା ଫଳରେ ଆଗାମୀ ପଚାଶ-ଶହେ ବର୍ଷ ପାଇଁ ଗୋଟିଏ ନିର୍ଭର ଯୋଗ୍ୟ ବଜାର ଆମକୁ ମିଳିପାରିବ ? ଉଚ୍ଚ ମାନ(Quality) ମଧ୍ୟ ରହୁ । ପରିମାଣ ମଧ୍ୟ ଥାଉ । ବିଶ୍ୱବଜାରରେ ଏହାର ମୂଲ୍ୟ ପ୍ରତିଯୋଗୀତାମୂଳକ ହେଉ । ଆମର ବୈଜ୍ଞାନିକ ଏହି ଲକ୍ଷ୍ୟ ହାସଲ କରିପାରିବେ ବୋଲି ମୋର ବିଶ୍ୱାସ । ଭାରତରେ ଚାଷୀର ଆର୍ଥିକ ଅବସ୍ଥାକୁ ତ ନିଶ୍ଚୟ ଏହାର ଲାଭ ମିଳିବ । ଆମେ ଆମ ପାଖରେ ଥିବା ମଧ୍ୟପ୍ରାଚ୍ୟ ଦେଶଗୁଡିକର ଆବଶ୍ୟକତାର ଖୁବ ନିକଟରେ ରହିଛୁ । ସବୁଠାରୁ କମ ଖର୍ଚ୍ଚରେ ତାଙ୍କୁ ଯଦି କୌଣସି ଦେଶ ଜିନିଷ ଯୋଗାଇପାରିବ ତେବେ ତାହା ହେଉଛି ଭାରତ । ଏଭଳି ସୁଯୋଗ ଆମେ କାହିଁକି ହାତଛଡା କରିବା ? ତେଣୁ କୃଷି କ୍ଷେତ୍ରରେ ଆମେ ଅନେକ ନୂଆ ବିଷୟ ଉପରେ ଚିନ୍ତା କରିପାରିବା ।

ସ୍ୱାସ୍ଥ୍ୟ କ୍ଷେତ୍ରରେ CSIR ଅନେକ ଭଲ କାମ କରିଛି । କିନ୍ତୁ ଆଜି ମଧ୍ୟ ଆମ ଦେଶରେ ଲୋକଙ୍କୁ ଯକ୍ଷ୍ମା, ମ୍ୟାଲେରିଆ, ଚିକେନଗୁନିଆ, ଡେଙ୍ଗୁ ଭଳି ରୋଗର ସମ୍ମୁଖୀନ ହେବାକୁ ପଡୁଛି । CSIR ଏହିସବୁ ରୋଗ ଦାଉରୁ କିଭଳି ରକ୍ଷା କରିପାରିବ ? ଏଥିପାଇଁ ସମୟବଦ୍ଧ ଲକ୍ଷ୍ୟ ସହ ଗବେଷଣା କରାଯିବାର ଆବଶ୍ୟକତା ରହିଛି । ଯେମିତିକି ଆମେ ରୋଗ ନିଦାନ ଉପକରଣ ପ୍ରସ୍ତୁତ କରିବା ଯାହା ଉଚିତ ମୂଲ୍ୟରେ ଉପଲବଧ ହେବ ଏବଂ ରୋଗର ତୁରନ୍ତ ନିଦାନରେ ସହାୟକ ହେବ । କାରଣ ସ୍ୱାସ୍ଥ୍ୟ କ୍ଷେତ୍ର ଆଜି ଅଧିକାଂଶ ମାତ୍ରାରେ ଟେକ୍ନୋଲୋଜି-ପରିଚାଳିତ ହୋଇଗଲାଣି । ଡାକ୍ତର ଅଧିକ ପରୀକ୍ଷା କରୁନାହାନ୍ତି ମେସିନ ଅଧିକ ପରୀକ୍ଷା କରୁଛି । ଆପଣଙ୍କ ଶରୀରରେ କଣ ଅଭାବ ରହିଛି, କଣ ରୋଗ ରହିଛି ଏସବୁ ମେସିନ ସ୍ଥିର କରୁଛି । ପରେ ଡାକ୍ତର ଗୋଟିଏ ସଫ୍ଟୱେୟାର ଭଳି ସ୍ଥିର କରୁଛନ୍ତି ଯେ ଏହି ରୋଗ ଥିଲେ ଏହି ଔଷଧ ଦେବା, ତା ପରେ ସେହି ଔଷଧ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଯେତେବେଳେ ସାରା ଚିକିତ୍ସା ବିଜ୍ଞାନ ଟେକ୍ନୋଲୋଜି ପରିଚାଳିତ ହୋଇଗଲାଣି ସେତେବେଳେ ମୋ ମତରେ ଆପଣମାନଙ୍କ ପାଇଁ ବହୁତ ବଡ ସୁଯୋଗ ରହିଛି । କେବଳ ଔଷଧ ନୁହେଁ ମୁଁ ଏହି ଯେଉଁ କିଟର କଳ୍ପନା କରିଛି, ତାହା ଯେତେ ଅଧିକ ସଂଖ୍ୟାରେ ଗାଁରେ ଜଣେ ଆଶା କର୍ମୀଙ୍କ ପାଖରେ ଥିଲେ ବି ସେ ସ୍ଥିର କରିପାରିବେ ଯେ ଏହି ସମସ୍ୟା ରହିଛି ଓ ଏବଂ ତାହା ପାଇଁ ଏହି ଉପାୟ କରାଯାଇପାରେ । ଏବଂ ସେ ଟେକ୍ନୋଲୋଜି ମାଧ୍ୟମରେ ଏତେ ସଂଯୁକ୍ତ ହୋଇରହନ୍ତି ଯାହାଦ୍ୱାରା କୌଣସି ମହାମାରୀ ସମ୍ପର୍କରେ ମଧ୍ୟ ତୁରନ୍ତ ଯାଂଚ କରାଯାଇପାରେ ।

ଆମେ ଏହି ସବୁ ସମ୍ଭାବନା ଗୁଡିକୁ ଦେଖିପାରୁଛୁ । ଆଜିର ଯୁଗରେ ଯାହା କିଛି ସମ୍ଭବ । ଆମେ ବୃହତ ଆକାରରେ ସମସ୍ୟାଗୁଡିକର ସମାଧାନ ପାଇଁ ଗବେଷଣାର ନୂତନ କ୍ଷେତ୍ରକୁ ଯାଇପାରିବା କି ? ମୁଁ ଏହା ଆଶା କରୁଛି । ଆମ ଯୁବ ପିଢ଼ି ଆଗରେ ଆମେ ଏହାକୁ ଆହ୍ୱାନ ରୂପେ ରଖି ସେମାନଙ୍କୁ ସୁଯୋଗ ଦେଲେ ସେମାନେ କିଛି କରି ଦେଖାଇବେ ବୋଲି ମୋର ବିଶ୍ୱାସ ।

ଆମେ ଏକଥା ମଧ୍ୟ ଜାଣିଛୁ ଯେ ଗରିବର ଅସୁସ୍ଥତା ପାଇଁ ସବୁଠାରୁ ବଡ କାରଣ ହେଲା ଅସ୍ୱଚ୍ଛ ପରିବେଶ । ମୁଁ ଆପଣଙ୍କୁ କହୁନି ଯେ ଆପଣ ଆବର୍ଜନା ସଫଳ କରିବାକୁ ଯାହାନ୍ତୁ । କିନ୍ତୁ ଟେକ୍ନୋଲୋଜି ସାହାଯ୍ୟରେ ଆମେ ଏହା ପ୍ରକ୍ରିୟାକରଣ ସମ୍ପର୍କରେ ନୂତନ ଗବେଷଣା କରି କମ ଖର୍ଚ୍ଚ ଯୁକ୍ତ ଟେକ୍ନୋଲୋଜି ବାହାର କରିପାରିବା । କୌଣସି ବହୁତ ବଡ ରକେଟ ଇଞ୍ଜିନ ନୁହେଁ । କିନ୍ତୁ ନୂଆ ନୂଆ ଷ୍ଟାଟ ଅପ ପାଇଁ ଏହି କ୍ଷେତ୍ରରେ ବ୍ୟବସାୟର ଅନେକ ସମ୍ଭାବନା ରହିଛି । ଆମେ Waste to Wealth Creation ବର୍ଜ୍ୟରୁ ବିଭବ – ଏହି ସବୁ ବିଷୟ ଉପରେ ଅଧିକ ଟେକ୍ନୋଲୋଜି ପ୍ରୟୋଗ ହେଲେ ଆବର୍ଜନାକୁ ମଧ୍ୟ ଲୋକେ ବ୍ୟବସାୟରେ ପରିବର୍ତ୍ତିତ କରିପାରିବେ ଏବଂ ସ୍ୱଚ୍ଛତା ଆପେ ଆପେ ଆସିବ, ଯାହା ଦେଶର ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ବହୁତ ବଡ ସହାୟକ ହେବ । ଏପରିକି ନ୍ୟୁଟ୍ରିସନ ବା ପୁଷ୍ଟିସାଧନ ପ୍ରସଙ୍ଗକୁ ମଧ୍ୟ ଆମେ ଆବର୍ଜନାରୁ ମୁକ୍ତି ଦୃଷ୍ଟିରୁ ଦେଖିପାରିବା । ଆବର୍ଜନାରୁ ମୁକ୍ତି ମିଳିଲେ ଆମେ ପାନୀୟ ଜଳର ବିଶୁଦ୍ଧତା ଉପରେ ଗୁରୁତ୍ୱ ଦେଇପାରିବା । ପାନୀୟ ଜଳ ବିଶୁଦ୍ଧ ହେଲେ ତାହା ଅନେକ ରୋଗରୁ ମଧ୍ୟ ମୁକ୍ତିର ମାର୍ଗ ହୋଇଯିବ । ଏହି ସବୁ ଜିନିଷ କେବଳ ଚିକିତ୍ସା ବିଜ୍ଞାନ ଯାଏ ସୀମିତ ନୁହେଁ । ଏଥିରେ ବୈଜ୍ଞାନିକମାନଙ୍କର ହସ୍ତକ୍ଷେପର ଆବଶ୍ୟକତା ରହିଛି । ଏ କଥା ନୁହେଁ ଯେ ଦୁନିଆରେ ଟେକ୍ନୋଲୋଜି ନାହିଁ । ଭାରତକୁ ସୁଲଭ ପ୍ରଯୁକ୍ତି ପାଇଁ ଆପଣଙ୍କ ପ୍ରୟୋଗାତ୍ମକ ହସ୍ତକ୍ଷେପର ଆବଶ୍ୟକତା ରହିଛି।

ଆମର ଉପଲବଧ ସମ୍ବଳ ଆଧାରରେ ଟେକ୍ନୋଲୋଜି ବିକଶିତ ହେଉ ତାହା ହିଁ ଆମର ଆବଶ୍ୟକତା । ଏବଂ ସେହି ଆବଶ୍ୟକତା ପୂରଣ ପାଇଁ ବେଳେ ବେଳେ ଆମ ମନରେ ବିଚାର ଆସିପାରେ ଯେ ଆଜି ଯାହା ଆମେ ଆବିଷ୍କାର, ଉଦ୍ଭାବନ କରୁଛୁ ତାହାର ଉପଯୋଗ 50 ରୁ 100 ବର୍ଷ ପରେ ହେବ। ଆମ ସମ୍ମୁଖରେ ଥିବା ସମସ୍ୟାଗୁଡିକୁ ଦୃଷ୍ଟିରେ ରଖି ଆମେ ବିଜ୍ଞାନକୁ ସେହି ଦିଗକୁ ନେଇଯିବା, ମୁଁ ଭାବୁଛି ଯେ ଭାରତ ଭଳି ଦେଶରେ ଏହା ପ୍ରଥମ ଆବଶ୍ୟକତା । ଏହି ସବୁ ଆବଶ୍ୟକତାରେ ସଫଳତା ମିଳିଲେ ତାହା ଆପଣଙ୍କୁ ବିଶ୍ୱସ୍ତରର ଆବଶ୍ୟକତା କିମ୍ବା ନୂତନ ଯୁଗର ଆବଶ୍ୟକତା ସହ ଗବେଷଣା କରିବାର ଶକ୍ତି ଦେଇପାରିବ ।

CSIR ଜଳ ଯୋଗାଣ ଉପରେ ମଧ୍ୟ କାର୍ଯ୍ୟ କରିଛି । କିନ୍ତୁ ଆମର ଜଳ ସମ୍ବଳକୁ ମିତବ୍ୟୟୀ ଓ ପ୍ରଭାବୀ ଢଙ୍ଗରେ ପ୍ରୟୋଗ କରିବା ଦିଗରେ ପ୍ରୟାସକୁ ଅଧିକ ଗତିଶୀଳ କରାଯିବାର ଆବଶ୍ୟକତା ରହିଛି । ଆମେ ଜାଣିଛୁ ଯେ ଜଳ ସଂକଟ ସମ୍ପର୍କରେ ଅନେକ ଆଲୋଚନା ହୁଏ । ସମସ୍ତେ ଲେଖୁଛନ୍ତି ଯେ ଜଳକୁ ନେଇ ଯୁଦ୍ଧର ସମ୍ଭାବନା ରହିଛି । ଯାହାର ଲେଖିବା କଥା ସେମାନେ ଲେଖୁଥିବେ । କିନ୍ତୁ ଯିଏ ଗବେଷଣାଗାରରେ ବସିଛି ତାକୁ ତ ସମାଧାନର ବାଟ ଖୋଜିବାକୁ ପଡିବ ଯେ ଏହି ଜଳକୁ ଆମେ କିଭଳି ସଂଚୟ କରିପାରିବା । ଜଳ ସିଂଚନ ପ୍ରତି କିଭଳି ଦୃଷ୍ଟି ଦେବା । ଆଜି ଆମେ ଚେଷ୍ଟା କରୁଛୁ । କୃଷି କ୍ଷେତ୍ରରେ ଆମ ପ୍ରଚେଷ୍ଟା ହେଉଛି Per drop, More crop ହେଲେ ଏବେ ତ ମୁଁ କହିବି ଯେ ଭାରତ ଭଳି ଦେଶରେ ଜମିର ଗୁରୁତ୍ୱ ମଧ୍ୟ ଯଥେଷ୍ଟ ବୃଦ୍ଧି ପାଇଛି। ତେଣୁ ଜଳ ଓ ଜମି ଉଭୟକୁ ଦୃଷ୍ଟିରେ ରଖି “Per drop, More crop” ସହିତ “An inch of land and bunch of crop” ଆନ୍ଦୋଳନ ନ ଚଳାଇବା ଯାଏ ଆମେ ଜଳର ଉପଯୋଗ ଏବଂ ଜମିର ଉପଯୋଗର ଗୁରୁତ୍ୱକୁ ଉପଲବଧି କରିପାରିବା ନାହିଁ ।

ନଦୀ ଜଳ ପ୍ରଦ୍ୟୁଷଣ ଆମ ଆଗରେ ଗୋଟିଏ ବଡ ସମସ୍ୟା । ଗଙ୍ଗାକୁ ପରିଷ୍କାର କରିବାର କାର୍ଯ୍ୟ ଅନେକ ବର୍ଷ ଧରି ଚାଲିଛି । ଇତି ମଧ୍ୟରେ ଅନେକ ସରକାର ଚାଲିଯାଇଛି । ଆମକୁ ବୈଜ୍ଞାନିକ ଉପାୟ ହିଁ ଖୋଜିବାକୁ ପଡିବ । ଜନ ସାଧାରଣଙ୍କୁ ପ୍ରଶିକ୍ଷିତ କରିବା ଏବଂ ବୈଜ୍ଞାନିକ ଉପାୟ ଖୋଜିବା ହିଁ ସମସ୍ୟାର ସମାଧାନ କରିପାରିବ। ସାଧାରଣ ନାଗରିକର ଆବଶ୍ୟକତା … ଏବେ ଯଦି ଆମେ ଦେଖିବା, ଭାରତର ଜନସଂଖ୍ୟାଠାରୁ ଅଧିକ ସଂଖ୍ୟକ ମୋବାଇଲ ଫୋନ ରହିଛି । ହେଲେ ବ୍ୟାଟେରୀର ଆୟୁଷ ତାଙ୍କ ପାଇଁ ଗୋଟିଏ ଚିନ୍ତାର ବିଷୟ । ବ୍ୟାଟେରୀ ଚାର୍ଜ କରିବା ପାଇଁ ଲୋକଙ୍କୁ ଅନ୍ୟ ଗାଁକୁ ଯିବାକୁ ପଡୁଛି, ସେଠି ଠିଆ ହେବାକୁ ପଡୁଛି, ନେହୁରା ହେବାକୁ ପଡୁଛି, ଭାଇ ଟିକିଏ ବ୍ୟାଟେରୀ ଚାର୍ଜ କରିଦିଅ । ସ୍ମାର୍ଟ ଫୋନର ବ୍ୟାଟେରୀକୁ ନେଇ ଏହି ସମସ୍ୟା ଅନୁଭୂତ ହେଉଛି । ଅଧିକ ବ୍ୟବହାର କଲେ ବ୍ୟାଟେରୀ ବ୍ୟାଙ୍କକୁ ସାଙ୍ଗକୁ ଧରି ବୁଲିବାକୁ ପଡୁଛି । ଦୟାକରି ଆମେ ବୈଜ୍ଞାନିକ ଏହାର ଉପାୟ ବାହାର କରିବେ କି ? କେତେ ବଡ ବଜାର ରହିଛି ଏଥିପାଇଁ, ଆପଣ କଳ୍ପନା କରନ୍ତୁ ତ ! ମୋ ମତରେ ଛୋଟ ସ୍ତରରେ ପ୍ରଯୁକ୍ତି ବିଜ୍ଞାନ ବଡ ରୂପରେ ମଧ୍ୟ କାର୍ଯ୍ୟକାରୀ ହୋଇପାରେ । ମୁଁ ବୈଜ୍ଞାନିକ ନୁହେଁ କିନ୍ତୁ ଏତିକି ବୁଝିପାରୁଛି ଯେ, ଆପଣ ଏହା କରିପାରିବେ । ଆପଣ ଏସବୁକୁ ପ୍ରାଥମିକତା ଦେଲେ ଏହାର ବଜାର ମୂଲ୍ୟ ଢ଼େର ଅଧିକ ରହିଛି । ଏହା ଆବଶ୍ୟକତା ପାଲଟି ଯାଇଛି ।

ଆପଣମାନେ ଦେଖନ୍ତୁ, କ୍ରୀଡା ଜଗତ ଏବେ ଯାହା ରୂପ ଦେଇଛି, ତାହା ଆଉ କେବଳ ଖେଳ ପଡିଆରେ ବିଜୟ ହୋଇ ରହିନି । ଆପଣଙ୍କ ପ୍ରଦର୍ଶନୀରେ ରଖାଯାଇଥିବା କିଛି ଜିନିଷ ମୁଁ ଦେଖୁଥିଲି । ଚମଡା ଜିନିଷ ସେମାନେ କିପରି ତିଆରି କରୁଛନ୍ତି ତାହା ମୋତେ କହିଲେ । ମୁଁ ତାଙ୍କୁ ପ୍ରଶ୍ନ କଲି ଯେ କ୍ରିଡା ପାଇଁ କେଉଁ ପ୍ରକାର ଜୋତା ଆବଶ୍ୟକ, କେଉଁଭଳି ପୋଷାକ ଆବଶ୍ୟକ ସେ ସମ୍ପର୍କରେ କିଛି ଗବେଷଣା ହୋଇଛି କି ? ଏଭଳି କୌଣସି ରିସର୍ଚ୍ଚ ହୋଇଛି ଯାହା ତାଙ୍କ ଶାରୀରିକ ସାମର୍ଥ୍ୟ ବୃଦ୍ଧି କରିପାରିବ, ସ୍ଵାଚ୍ଛନ୍ଦ୍ୟକୁ ବୃଦ୍ଧି କରିପାରିବ। ବିଶ୍ୱରେ ଏ ଦିଗରେ ବହୁତ ବଡ ଗବେଷଣା ଚାଲିଛି। ଏଭଳି ବସ୍ତୁଗୁଡିକ କେବଳ ସେତିକିରେ ନୁହେଁ , ଖେଳାଳୀ ପାଖରେ ଭଲ କ୍ରୀଡା ଉତ୍ପାଦନ, ଭଲ ଖେଳ ପଡିଆ, ଭଲ କୋଚ ଥିଲେ ସେ କ୍ରୀଡା କ୍ଷେତ୍ରରେ ସିଦ୍ଧି ପ୍ରାପ୍ତ କରେନି। ଏହା ପ୍ରମାଣିତ ହୋଇଛି ଯେ କ୍ରୀଡା ଜଗତର ବିକାଶ ପାଇଁ ଆବଶ୍ୟକ ଏକ ବୈଜ୍ଞାନିକ ପରିବେଶ । ତାକୁ ସାଇକୋଲୋଜି ଠାରୁ ଆରମ୍ଭ କରି କମଫୋର୍ଟ ଯାଏ ପ୍ରତ୍ୟେକ ଜିନିଷର ବ୍ୟବସ୍ଥା କରିବାକୁ ପଡେ। ଭାରତର ବୈଜ୍ଞାନିକ ଆମର କ୍ରିଡା ଜଗତର ଲୋକଙ୍କ ପାଇଁ କଣ … ଏହି କ୍ଷେତ୍ରରେ ମୁଁ ବହୁତ ବଡ ବ୍ୟବସାୟୀକ ସମ୍ଭାବନା ଦେଖୁଛି। ଆମେ ସେମାନଙ୍କ ପାଇଁ ଗୋଟିଏ ବୈଜ୍ଞାନିକ ବାତାବରଣ, ଗବେଷଣାରୁ ଉତ୍ପନ୍ନ କିଛି ବସ୍ତୁ …। ମହାକାଶ ବିଜ୍ଞାନ କ୍ଷେତ୍ରରେ ଦେଖନ୍ତୁ, ମହାକାଶଯାତ୍ରୀଙ୍କ ପାଇଁ ଆମେ ଚିନ୍ତିତ ହୋଇଥାଉ। ସେମାନଙ୍କୁ ବିଜ୍ଞାନସମ୍ମତ ପରିବେଶରେ ତାଲିମ ଦିଆଗଲା ପରେ ହିଁ ପଠାଯାଇଥାଏ। କ୍ରିଡାର ଦୁନିଆ ମଧ୍ୟ ଠିକ୍ ସେହିଭଳି।

ଆମେ ସେହି ପରିବେଶର ପରିମାପକ ସ୍ଥିର କରିପାରିବା ? ତାଙ୍କ ପାଇଁ ସେହିଭଳି ବ୍ୟବସ୍ଥା ବିକଶିତ କରିପାରିବା ? ମୋର କହିବାର ତାତ୍ପର୍ଯ୍ୟ ହେଲା ଯେ ଆମେ ବିଜ୍ଞାନର କ୍ଷେତ୍ରକୁ ସାଧାରଣ ମଣିଷ ସହ ଯୋଡିବା କାରଣ ଏକବିଂଶ ଶତାଦ୍ଦୀ ଟେକ୍ନୋଲୋଜି ଦ୍ୱାରା ପରିଚାଳିତ ଶତାଦ୍ଦୀ। ଆମେ ନୂତନ ଗବେଷଣା ଦ୍ୱାରା ଏକବିଂଶ ଶତାଦ୍ଦୀର ଆବଶ୍ୟକତା ଆଉ ଭାରତ ଭଳି ଦେଶର ଆବଶ୍ୟକତାକୁ ଯୋଡି ପାରିବା କି?

ଆମର ପାରମ୍ପରିକ ଜ୍ଞାନ ଓ ବୁଦ୍ଧିକୁ ଆମେ ମର୍ଡନ ସିଷ୍ଟମ ସହିତ ଯୋଡି ପାରିଲେ ଅନେକ ସମସ୍ୟାର ସମାଧାନ ହୋଇପାରିବ। ଯୋଗ ହେଉ ଆୟୁର୍ବେଦ ହେଉ, ଆଜି ସାରା ବିଶ୍ୱରେ ଏହାରି ଚର୍ଚ୍ଚା ଚାଲିଛି । କିନ୍ତୁ ଏହାର ବୈଜ୍ଞାନିକ ରୂପ ପହଂଚିପାରୁନାହିଁ। ସେ ଦିଗରେ ଆମେ କାର୍ଯ୍ୟ କରିପାରିବା କି?

ଆଜି ଏହି ଅବସରରେ ବୈଜ୍ଞାନିକମାନଙ୍କୁ ରାଷ୍ଟ୍ରୀୟ ପୁରସ୍କାର ଦେଇ ସମ୍ମାନିତ କରାଯାଉଛି। ଯେଉଁ ବୈଜ୍ଞାନିକମାନଙ୍କୁ ଏହି ପୁରସ୍କାର ମିଳିଛି ସେମାନଙ୍କୁ ମୁଁ ଅନେକ ଅନେକ ଅଭିନନ୍ଦନ ଜଣାଉଛି। ଯେଉଁଥିରେ 2012-15ର ଶାନ୍ତି ସ୍ୱରୂପ ଭଟ୍ଟନାଗର ପୁରସ୍କାର, 2012-14ର CSIR ଡାଇମଣ୍ଡ ଟେକ୍ନୋଲୋଜି ଜୁବୁଲି ପୁରସ୍କାର, ଗ୍ରାମ୍ୟ ବିକାଶର ସାଇନ୍ସ ଏଣ୍ଡ ଟେକ୍ନୋଲୋଜି ଉଦ୍ଭାବନ ପାଇଁ ସିଏସଆଇଆର ପୁରସ୍କାର, 2016ର ସିଏସଆଇଆର ଟେକ୍ନୋଲୋଜି ପୁରସ୍କାର, 2016ର ଜିଏନ ରାମଚନ୍ଦ୍ରନ ଗୋଲ୍ଡ ମେଡାଲ, 2016ର CSIR ର ଯୁବ ବୈଜ୍ଞାନିକ ପୁରସ୍କାର ରହିଛି । ଏହି ସମ୍ମାନ ଏହି ପୁରସ୍କାର କେବଳ ବୈଜ୍ଞାନିକମାନଙ୍କ ପାଇଁ ନୁହେଁ ବରଂ ସେମାନଙ୍କ ପରିବାର, ସେମାନଙ୍କ ମିତ୍ର ବିଶେଷ କରି ସେମାନଙ୍କ ଶିକ୍ଷକମାନଙ୍କ ପାଇଁ ମଧ୍ୟ ରହିଛି। ଯିଏ ପିଲାଦିନୁ ସେମାନଙ୍କୁ ବିଜ୍ଞାନ ଏବଂ ଗବେଷଣା, ଉଦ୍ଭାବନ ପାଇଁ ପ୍ରେରଣା ଯୋଗାଇଥିଲେ।

ଦେଶ ଆଜି ଆପଣ ସମସ୍ତଙ୍କୁ ନେଇ ଗର୍ବିତ। ମୁଁ ଆଶା କରୁଛି ଯେ ନୂତନ ଉତ୍ସାହ, ସାହସ ଏବଂ ଦୃଢ଼ତାର ସହ ଆପଣ ଆଗକୁ ବଢ଼ିବେ। ଏହି ପୁରସ୍କାର ଆପଣଙ୍କ ବ୍ୟତୀତ ଅନ୍ୟମାନଙ୍କୁ ମଧ୍ୟ ଦେଶର ବିକାଶ ପାଇଁ ଆବଶ୍ୟକ ନୂତନ ଗବେଷଣା, ନୂତନ ଆବିଷ୍କାର ପାଇଁ ପ୍ରେରଣା ଦେବ। ସ୍କୁଲ, କଲେଜ ଏବଂ ବିଶ୍ୱବିଦ୍ୟାଳୟମାନଙ୍କରେ ପଢ଼ୁଥିବା ଯୁବକମାନେ ଆପଣମାନଙ୍କୁ ରୋଲ ମଡେଲ ରୂପରେ ଦେଖୁଛନ୍ତି। ଏହି ଅବସରରେ ମୁଁ ଆପଣମାନଙ୍କଠାରେ ଆଶା କରୁଛି ଯେ ଆପଣ ନୂତନ ଯୁବପିଢ଼ିକୁ ପଥପ୍ରଦର୍ଶନ କରିବାର ନିଜର ଦାୟୀତ୍ୱ ଠିକଭାବେ ତୁଲାଇବେ। ସିଏସଆଇଆର ସହ ଜଡିତ ଦେଶର ପ୍ରତିଷ୍ଠିତ ସଂସ୍ଥାରେ କାର୍ଯ୍ୟରତ ବୈଜ୍ଞାନିକମାନେ ସ୍କୁଲ କଲେଜରେ ପଢ଼ୁଥିବା ଛାତ୍ରମାନଙ୍କର ସହ ସମ୍ପର୍କ ବୃଦ୍ଧି କରିବା ଆବଶ୍ୟକ। ପ୍ରତ୍ୟେକ ବୈଜ୍ଞାନିକ ଅନ୍ତତଃ ମାସକୁ ଥରେ କୌଣସି ନା କୌଣସି ସ୍କୁଲ କିମ୍ବା କଲେଜକୁ ଲେକଚର ଦେବା ପାଇଁ ଯାଆନ୍ତୁ- ଏହା ସମ୍ଭବ ହୋଇପାରିବ କି? ସେମାନଙ୍କ ସହିତ ବିଚାର-ଆଲୋଚନା କରନ୍ତୁ, ନୂତନ ପିଢ଼ି ସହ ଭାବ ବିନିମୟ କରନ୍ତୁ। ଏହା କଣ ସମ୍ଭବ ହେବ ଯେ ଆଜି ଯେଉଁ ମହାନୁଭବଙ୍କୁ ପୁରସ୍କାର ମିଳୁଛି ସେମାନେ ଗୋଟିଏ ଗୋଟିଏ ସ୍କୁଲ କମ୍ବା କଲେଜକୁ ମେଂଟର ବା ପୃଷ୍ଠପୋଷକ ଭାବେ ଗ୍ରହଣ କରନ୍ତୁ। ଯଦି ସେମାନେ ଗୋଟିଏ ସ୍କୁଲ କିମ୍ବା କଲେଜର ମାତ୍ର ପାଂଚ ଜଣ ଛାତ୍ରଙ୍କୁ ପୃଷ୍ଠପୋଷକ ରୂପେ ନେଇ ସେମାନଙ୍କ ପଛରେ ଟିକିଏ ସମୟ ଦିଅନ୍ତି ତେବେ ଦେଶରେ ତିନି ଶହ ନୂଆ ବୈଜ୍ଞାନିକ ସୃଷ୍ଟି ହେବାର ସମ୍ଭାବନା ଦେଖାଯାଉଛି। ଆପଣ ଯେମିତି ଦେଶକୁ ଆପଣଙ୍କର ନୂତନ ଆବିଷ୍କାର ଭେଟି ଦେଉଛନ୍ତି ଏବଂ ଅନେକ ପିଢ଼ିର କଲ୍ୟାଣ କରୁଛନ୍ତି ସେହିପରି ଗୋଟିଏ ଦୁଇଟି ବୈଜ୍ଞାନିକଙ୍କୁ ଭେଟି ଦେଲେ ହୁଏତ ଆପଣ ଶତାଦ୍ଦୀର ମହାନ କାର୍ଯ୍ୟ କରିଦେବେ।

ମୁଁ ପୁଣି ଥରେ ଆପଣମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଜଣାଉଛି। 75ତମ ବାର୍ଷିକୀର ଏହି ଗୁରୁତ୍ୱପୂର୍ଣ୍ଣ ଘଟଣା ଆଗାମୀ 2022 ପାଇଁ … ଆପଣ ମଧ୍ୟ ସ୍ଥିର କରନ୍ତୁ 2022 ଯେତେବେଳେ ଦେଶ ସ୍ୱାଧୀନ ହେବାକୁ 75 ବର୍ଷ ପୂରଣ ରେହବ, ସେତେବେଳେ ଆମେ ଦେଶ ପାଇଁ ବୈଜ୍ଞାନିକ ଦୃଷ୍ଟିରୁ ଏହି ସବୁ ଜିନିଷ ଦେବା, ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଦେବା, ଦେଶର ଆବଶ୍ୟକତାକୁ ପୂରଣ କରିବା। ଏହି ସଂକଳ୍ପ ସହିତ ଆମେ ଏହି 75 ବର୍ଷର ଯାତ୍ରା ଏବଂ ଆଗାମୀ 25 ବର୍ଷର ସ୍ୱପ୍ନକୁ ନେଇ ଆଗକୁ ବଢ଼ିବା ଏହି ଆଶା ସହିତ ସମସ୍ତଙ୍କୁ ମୋର ଅନେକ ଅନେକ ଶୁଭେଚ୍ଛା।

ଧନ୍ୟବାଦ।