ବସ୍ତୁ ଓ ସେବାକର ବିଲ୍ (GST) ଏ ପର୍ଯ୍ୟନ୍ତ ଭାରତରେ ହୋଇଥିବା ପରୋକ୍ଷ କର ସଂସ୍କାର ବ୍ୟବସ୍ଥା ମଧ୍ୟରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ଏହା ଟିକସ ବ୍ୟବସ୍ଥାରେ ଏକ ଗୁରୁତ୍ୱପୂର୍ଣ୍ଣ ଢ଼ାଂଚାଗତ ପରିବର୍ତ୍ତନକୁ କାର୍ଯ୍ୟକାରୀ କରିବା ସକାଶେ ସରକାରଙ୍କ ପ୍ରତିବଦ୍ଧତାର ସୂଚନା ଦିଏ ଯାହାକି ଅର୍ଥନୀତିର ସବୁ ବର୍ଗଙ୍କ ପାଇଁ ସହାୟକ ହୋଇପାରିବ । ମଧ୍ୟବର୍ତ୍ତୀ କାଳରେ ଉପଭୋକ୍ତାମାନେ ଖାଉଟି ସାମଗ୍ରୀର ଦରଦାମ ହ୍ରାସ ସୁବିଧା ପାଇବେ, ବ୍ୟବସାୟିକ କାରବାର ଅଧିକ ସକ୍ରିୟ ଭାବେ କରାଯାଇପାରିବ । ସରକାରଙ୍କ ଟିକସ ବ୍ୟବସ୍ଥାର ସଂପ୍ରସାରଣ ଘଟିବ ଏବଂ ସର୍ବୋପରି ଟିକସ ସଂଗ୍ରହ ଅଧିକ ସହଜସାଧ୍ୟ ହେବ ।