ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମହାରାଷ୍ଟ୍ରରେ ୭୫,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ପ୍ରକଳ୍ପ ଗୁଡିକର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ଏବଂ ସେସବୁକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ଏଥିରେ ୧୫୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଜାତୀୟ ରେଳ ପ୍ରକଳ୍ପ ସମୂହ , ନାଗପୁର ସ୍ଥିତ ଜାତୀୟ ଏକକ ସ୍ୱାସ୍ଥ୍ୟ ସଂସ୍ଥାନ (ଏନ୍ଆଇଓ) ଏବଂ ନାଗ ନଦୀ ପ୍ରଦୂଷଣ ନିବାରଣ ପ୍ରକଳ୍ପ ଅନ୍ତର୍ଭୁକ୍ତ ଅଟେ । ଏହି କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ ଚନ୍ଦ୍ରପୁର ସ୍ଥିତ ‘ସେଂଟ୍ରାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ପେଟ୍ରୋକେମିକାଲ୍ସ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି (ସିଆଇପିଇଟି), କୁ ଦେଶ ପାଇଁ ଉତ୍ସର୍ଗ କରିଥିଲେ ଏବଂ ଚନ୍ଦ୍ରପୁରରେ ଥିବା ‘ହେମୋଗ୍ଲୋବିନୋପାଥି ଗବେଷଣା, ପରିଚାଳନା ଏବଂ ନିୟନ୍ତ୍ରଣ କେନ୍ଦ୍ରର ଉଦ୍ଘାଟନ କରିଥିଲେ ।
ଏହା ପୂର୍ବରୁ ଆଜି ପ୍ରଧାନମନ୍ତ୍ରୀ ନାଗପୁରରୁ ବିଳାସପୁର ପର୍ଯ୍ୟନ୍ତ ବନ୍ଦେ ଭାରତ ଏକ୍ସପ୍ରେସକୁ ପତାକା ପ୍ରଦର୍ଶନ କରି ଏହାର ଶୁଭାରମ୍ଭ କରିଥିଲେ, ‘ନାଗପୁର ମେଟ୍ରୋର ପ୍ରଥମ ପର୍ଯ୍ୟାୟକୁ ଦେଶକୁ ଉତ୍ସର୍ଗ କରିଥିଲେ ଏବଂ ‘ନାଗପୁର ମେଟ୍ରୋର ଦ୍ୱିତୀୟ ପର୍ଯ୍ୟାୟର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ । ପ୍ରଧାନମନ୍ତ୍ରୀ ମଧ୍ୟ ହିନ୍ଦୁ ହ୍ରଦୟ ସମ୍ରାଟ ବାଲାସାହେବ ଠାକରେ, ମହାରାଷ୍ଟ୍ର ସମୃଦ୍ଧି ମହାମାର୍ଗର ପ୍ରଥମ ପର୍ଯ୍ୟାୟକୁ ଉଦ୍ଘାଟନ କରିଛନ୍ତି , ଯାହାର ଦୂରତା ୫୨୦ କିଲୋମିଟର ଏବଂ ଏହା ନାଗପୁର ଏବଂ ଶିରିଡିକୁ ସଂଯୋଗ କରିଥାଏ ।
୧୫୭୫ କୋଟି ଟଙ୍କାରୁ ଅଧିକ ବ୍ୟୟରେ ବିକଶିତ କରା ଯାଉଥିବା ଏମ୍ସ ନାଗପୁରକୁ ପ୍ରଧାନମନ୍ତ୍ରୀ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି, ଏହା ହେଉଛି ଅତ୍ୟାଧୁନିକ ସୁବିଧା ଥିବା ଏକ ଡାକ୍ତରଖାନା, ଯେଉଁଥିରେ ଓପିଡି, ଆଇପିଡି, ଡାଇଗ୍ନୋଷ୍ଟିକ୍ ସେବା, ଅପରେସନ୍ ପ୍ରେକ୍ଷାଳୟ ଏବଂ ୩୮ ଟି ବିଭାଗ ରହିଛି, ଯାହା ଡାକ୍ତରୀ ବିଜ୍ଞାନର ସମସ୍ତ ପ୍ରମୁଖ ବିଶେଷତା ଏବଂ ସୁପର ସ୍ପେସିଆଲିଟି ବିଷୟକୁ ଅନ୍ତର୍ଭୁକ୍ତ କରିଥାଏ । ଏହି ଡାକ୍ତରଖାନା ମହାରାଷ୍ଟ୍ରର ବିଦର୍ଭ ଅଂଚଳକୁ ଆଧୁନିକ ସ୍ୱାସ୍ଥ୍ୟସେବା ଯୋଗାଇଥାଏ ଏବଂ ଗଡଚିରୋଲି, ଗୋନ୍ଦିଆ ଏବଂ ମେଲଘାଟର ଆଖପାଖ ଆଦିବାସୀ ଅଂଚଳ ପାଇଁ ଏହା ଏକ ବରଦାନ ସଦୃଶ ଅଟେ ।
ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ସଙ୍କଟୀ ଚତୁର୍ଥୀର ଶୁଭ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇ ଥିଲେ ଏବଂ ପ୍ରଭୁ ଗଣପତିଙ୍କର ଜୟ ଜୟକାର କରିଥିଲେ । ପ୍ରଧାନମନ୍ତ୍ରୀ ଏହି କଥା ଉପରେ ଆଲୋକପାତ କରିଥିଲେ ଯେ , ଏହି ବିଶେଷ ଦିନ ଯେତେବେଳେ ମହାରାଷ୍ଟ୍ରର ନାଗପୁରରୁ ବିକାଶମୂଳକ ପୁଷ୍ପମାଲ୍ୟ ଅର୍ପଣ କରା ଯାଉଛି, ତାହା ଲୋକ ମାନଙ୍କର ଜୀବନରେ ପରିବର୍ତ୍ତନ ଆଣିବ । ସେ କହିଛନ୍ତି, “ଆଜି ମହାରାଷ୍ଟ୍ରର ବିକାଶ ପାଇଁ ଏଗାରଟି ନୂତନ ତାରକାଙ୍କର ଏକ ପୁଞ୍ଜ ଉଦୟ ହେଉଛି, ଯାହା ନୂତନ ଶିଖରକୁ ଛୁଇଁବାରେ ଏବଂ ଏକ ନୂତନ ଦିଗ ପ୍ରଦାନ କରିବାରେ ସହାୟକ ହେବ ।” ପ୍ରଧାନମନ୍ତ୍ରୀ ସମସ୍ତ ୧୧ ଟି ପ୍ରକଳ୍ପ ଗୁଡିକୁ ତାଲିକାଭୁକ୍ତ କରି କହିଛନ୍ତି, “ହିନ୍ଦୁ ହୃଦୟ ସମ୍ରାଟ ବାଲ ସାହେବ ଠାକରେ ମହାରାଷ୍ଟ୍ର ସମୃଦ୍ଧି ମହାମାର୍ଗ ବର୍ତ୍ତମାନ ନାଗପୁରରୁ ଶିରିଡି ପର୍ଯ୍ୟନ୍ତ ନିର୍ମାଣ ହୋଇଛି, ଏମ୍ସ ବିଦର୍ଭ ଅଂଚଳର ଲୋକ ମାନଙ୍କୁ ଉପକୃତ କରିବ, ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ୱାନ୍ ହେଲଥ୍ର ସ୍ଥାପନା, ଚନ୍ଦ୍ରପୁରରେ ଆଇସିଏମ୍ଆର ଗବେଷଣା କେନ୍ଦ୍ର ସ୍ଥାପନ କରା ଯାଇଛି, ସିଆଇପିଇଟି ଚନ୍ଦ୍ରପୁରର ପ୍ରତିଷ୍ଠା, ନାଗ ନଦୀର ପ୍ରଦୂଷଣକୁ ହ୍ରାସ କରିବା ପାଇଁ ନାଗପୁରରେ ବିଭିନ୍ନ ପ୍ରକଳ୍ପ, ମେଟ୍ରୋ ପ୍ରଥମ ପର୍ଯ୍ୟାୟର ଉଦ୍ଘାଟନ ଏବଂ ଦ୍ୱିତୀୟ ପର୍ଯ୍ୟାୟ ଭିତ୍ତି ପ୍ରସ୍ତର ସ୍ଥାପନ, ନାଗପୁରରୁ ବିଳାସପୁର ପର୍ଯ୍ୟନ୍ତ ବନ୍ଦେ ଭାରତ ଏକ୍ସପ୍ରେସ, ନାଗପୁର ଏବଂ ‘ ଅଜନି ‘ ରେଳ ଷ୍ଟେସନର ପୁନଃ ନିର୍ମାଣ ପ୍ରକଳ୍ପ, ଅଜନୀରେ ୪୨ ହଜାର ହର୍ସ ପାୱାରର ରେଳ ଇଞ୍ଜିନର ରକ୍ଷଣାବେକ୍ଷଣ ଡିପୋର ଉଦ୍ଘାଟନ ଏବଂ ନାଗପୁର – ଇଟାରସି ଲାଇନ୍ର କୋହଲି – ନରଖେଡ ମାର୍ଗକୁ ପ୍ରଧାନମନ୍ତ୍ରୀ ଉଦ୍ଘାଟନ କରିଛନ୍ତି । ” ଏହି ସମ୍ପୂର୍ଣ୍ଣ ହୋଇଥିବା ତଥା ଆଗାମୀ ପ୍ରକଳ୍ପ ଗୁଡିକ ପାଇଁ ପ୍ରଧାନମନ୍ତ୍ରୀ ମହାରାଷ୍ଟ୍ରର ଲୋକ ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ଏହି କଥା ଉପରେ ଆଲୋକପାତ କରିଛନ୍ତି ଯେ , ଆଜିର ପ୍ରକଳ୍ପ ଗୁଡ଼ିକ ମହାରାଷ୍ଟ୍ରର ଡବଲ ଇଞ୍ଜିନ୍ ସରକାରଙ୍କ ଦ୍ୱାରା କରା ଯାଉଥିବା କାର୍ଯ୍ୟର ଗତିର ପ୍ରମାଣ ଅଟେ । ସେ ଏହା ଦର୍ଶାଇଛନ୍ତି ଯେ , ସମୃଦ୍ଧି ମହାମାର୍ଗ ଯୋଗୁଁ କେବଳ ନାଗପୁର ଏବଂ ମୁମ୍ବାଇ ମଧ୍ୟରେ ଦୂରତା ହ୍ରାସ ହେବ ନାହିଁ ବରଂ ମହାରାଷ୍ଟ୍ରର ୨୪ ଟି ଜିଲ୍ଲା ମାନଙ୍କୁ ଏହା ଆଧୁନିକ ସଂଯୋଗ ସହିତ ଯୋଡିବ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ , ନିଯୁକ୍ତି ସୁଯୋଗ ଗୁଡିକରେ ବୃଦ୍ଧି କରିବା ବ୍ୟତୀତ ଏହି ସଂଯୋଗୀକରଣ ପ୍ରକଳ୍ପ ଏହି ଅଂଚଳରେ ଥିବା କୃଷକ ମାନଙ୍କ ନିମନ୍ତେ, ତୀର୍ଥଯାତ୍ରୀ ମାନଙ୍କ ପାଇଁ ଏବଂ ଶିଳ୍ପ ଗୁଡିକ ଲାଗି ଲାଭଦାୟକ ହେବ ।
ଏହି ପ୍ରକଳ୍ପ ଗୁଡିକର ଅନ୍ତର୍ନିହିତ ଯୋଜନା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ . ଆଜି ଉଦ୍ଘାଟିତ ହୋଇଥିବା ପ୍ରକଳ୍ପ ଗୁଡ଼ିକ ଭିତ୍ତିଭୂମି ବିକାଶର ସାମଗ୍ରିକ ଦୃଷ୍ଟିକୋଣର ଚିତ୍ରକୁ ଉପସ୍ଥାପନ କରୁଛି । “ଏହା ଏମ୍ସ ନାଗପୁର ହେଉ କିମ୍ବା ସମୃଦ୍ଧି ମହାମାର୍ଗ ହେଉ, ବନ୍ଦେ ଭାରତ ଏକ୍ସପ୍ରେସ ହେଉ କିମ୍ବା ନାଗପୁର ମେଟ୍ରୋ ହେଉ, ଏହି ସମସ୍ତ ପ୍ରକଳ୍ପ ସେମାନଙ୍କ ବିଶେଷତାକୁ ନେଇ ଭିନ୍ନ ହୋଇପାରେ, କିନ୍ତୁ ଯେତେବେଳେ ଏକ ଫୁଲତୋଡା ଆକାରରେ ଏସବୁକୁ ଏକାଠି ରଖା ଯାଇଥାଏ, ତେବେ ସମ୍ପୂର୍ଣ୍ଣ ବିକାଶର ସାର ପ୍ରତ୍ୟେକ ନାଗରିକଙ୍କ ନିକଟରେ ପହଂଚିବ” ବୋଲି ସେ କହିଥିଲେ । ଡବଲ ଇଞ୍ଜିନ୍ ସରକାରଙ୍କ ଉଦ୍ୟମ ଗୁଡିକ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଦର୍ଶାଇଛନ୍ତି ଯେ , ଏହା ସାଧାରଣ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟସେବା ହେଉ କି ଧନ ସୃଷ୍ଟି ହେଉ, ତାହା ଚାଷୀ ମାନଙ୍କ ସଶକ୍ତିକରଣ ହେଉ କିମ୍ବା ଜଳ ସଂରକ୍ଷଣ ହେଉ, ଏହା ପ୍ରଥମ ଥର ପାଇଁ ହେଉଛି, ଯେଉଁଠାରେ ସରକାର ଏକ ମାନବୀୟ ରୂପ ଦେଇଛନ୍ତି । ଭିତ୍ତିଭୂମି ସଂରଚନା, ଯେଉଁଠାରେ ଏକ ମାନବୀୟ ସ୍ପର୍ଶ ସମସ୍ତଙ୍କ ଜୀବନକୁ ପ୍ରଭାବିତ କରୁଛି ।
ଭିତ୍ତିଭୂମି ବିକାଶର ସାମଗ୍ରିକ ଦୃଷ୍ଟିକୋଣର ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, “ଆୟୁଷ୍ମାନ ଭାରତ ଯୋଜନା, ଯାହା ପ୍ରତ୍ୟେକ ଗରିବ ଲୋକ ମାନଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ଯୋଗାଇଥାଏ, ତାହା ହେଉଛି ଆମର ସାମାଜିକ ଭିତ୍ତିଭୂମି ସଂରଚନାର ଉଦାହରଣ, କାଶୀ , କେଦାରନାଥ, ଉଜ୍ଜୟନୀ ଠାରୁ ପଣ୍ଡରପୁର ପର୍ଯ୍ୟନ୍ତ ଆମର ବିଶ୍ୱାସ ସ୍ଥାନ ଗୁଡିକର ବିକାଶ ଆମ ସାଂସ୍କୃତିକ ଭିତ୍ତିଭୂମିର ଉଦାହରଣ, ଜନ ଧନ ଯୋଜନା ଯାହା ୪୫ କୋଟିରୁ ଅଧିକ ଗରିବ ଲୋକଙ୍କୁ ବ୍ୟାଙ୍କିଙ୍ଗ ସିଷ୍ଟମ ସହିତ ଯୋଡିଥାଏ ଆମର ଆର୍ôଥକ ଭିତ୍ତିଭୂମିର ଏକ ଉଦାହରଣ ଅଟେ । ” ସେ ଆହୁରି ମଧ୍ୟ କହିଛନ୍ତି ଯେ , ନାଗପୁର ଏମ୍ସ ଭଳି ଆଧୁନିକ ଡାକ୍ତରଖାନା ଏବଂ ମେଡିକାଲ କଲେଜ ଖୋଲିବା ଅଭିଯାନ ଚିକିତ୍ସା ଭିତ୍ତିଭୂମିର ଏକ ଉଦାହରଣ ଅଟେ । ସେ ଆହୁରି ମଧ୍ୟ କହିଛନ୍ତି ଯେ , “ଭିତ୍ତିଭୂମି କେବଳ ଜୀବନହୀନ ରାସ୍ତା ଗୁଡିକୁ ଏବଂ ଫ୍ଲାଏଓଭର ଗୁଡିକୁ ଆଚ୍ଛାଦନ କରି ପାରିବ ନାହିଁ, ଏହାର ସମ୍ପ୍ରସାରଣ ବହୁତ ବଡ ଅଟେ” ।
ପ୍ରଧାନମନ୍ତ୍ରୀ ଗୋସେଖୁର୍ଦ ଡ୍ୟାମର ଉଦାହରଣ ଦେଇଛନ୍ତି, ଯାହାର ଭିତ୍ତିପ୍ରସ୍ତର ତିରିଶରୁ ପଚିଶ ବର୍ଷ ପୂର୍ବେ ନିର୍ମିତ ହୋଇଥିଲା ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୪୦୦ କୋଟି ଟଙ୍କା ଥିଲା କିନ୍ତୁ ତାହା କେବେ ସମ୍ପୂର୍ଣ୍ଣ ହୋଇ ପାରି ନଥିଲା । ଶ୍ରୀ ମୋଦୀ ଦର୍ଶାଇଛନ୍ତି ଯେ , ଡ୍ୟାମର ଆନୁମାନିକ ବ୍ୟୟ ମୂଲ୍ୟ ବର୍ତ୍ତମାନ ୧୮ ହଜାର କୋଟି ଟଙ୍କାକୁ ବୃଦ୍ଧି ପାଇଛି । ସେ କହିଛନ୍ତି, “୨୦୧୭ ରେ ଡବଲ ଇଞ୍ଜିନ୍ ସରକାର ଗଠନ ହେବା ପରେ ଏହି ଡ୍ୟାମର କାମ ତ୍ୱରାନ୍ୱିତ ହୋଇଛି ଏବଂ ପ୍ରତ୍ୟେକ ସମସ୍ୟାର ସମାଧାନ ହୋଇଛି ।” ଚଳିତ ବର୍ଷ ଏହି ବନ୍ଧଟି ସମ୍ପୂଣ୍ଣ ଭାବେ ଭର୍ତ୍ତି ହୋଇ ଯାଇଥିବାରୁ ପ୍ରଧାନମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଥିଲେ ।
ପ୍ରଧାନମନ୍ତ୍ରୀ ଦୋହରାଇଛନ୍ତି ଯେ, “ଆଜାଦିର ଅମୃତ କାଳରେ ଦେଶ ଏକ ବିକଶିତ ଭାରତର ମହାନ ସଂକଳ୍ପ ସହିତ ଆଗକୁ ବଢ଼ୁଛି ଏବଂ ଏହା ଦେଶର ସାମୂହିକ ଶକ୍ତି ଦ୍ୱାରା ହାସଲ ହୋଇ ପାରିବ । ଏକ ବିକଶିତ ଭାରତ ଗଠନ ପାଇଁ ମନ୍ତ୍ର ହେଉଛି ଦେଶର ବିକାଶ ପାଇଁ ରାଜ୍ୟର ବିକାଶ ।” ଅଭିଜ୍ଞତାରୁ ଶିକ୍ଷା କରି ପ୍ରଧାନମନ୍ତ୍ରୀ ସୂଚାଇ ଦେଇଛନ୍ତି ଯେ ଯେତେବେଳେ ବିକାଶ ସୀମିତ ହୁଏ, ସୁଯୋଗ ମଧ୍ୟ ସୀମିତ ହୋଇଯାଏ । ପ୍ରଧାନମନ୍ତ୍ରୀ ତାଙ୍କ କଥାକୁ ଆଗକୁ ବଢ଼ାଇ କହିଥିଲେ ଯେ ଯେତେବେଳେ ଶିକ୍ଷା କେବଳ ଅଳ୍ପ କେତେକଙ୍କ ମଧ୍ୟରେ ସୀମିତ ଥିଲା, ସେତେବେଳେ ଦେଶର ପ୍ରତିଭା ସାମ୍ନାକୁ ଆସିପାରୁ ନଥିଲା, ଯେତେବେଳେ ବ୍ୟାଙ୍କର ପହଂଚ ଅଳ୍ପ ସଂଖ୍ୟକ ଲୋକ ମାନଙ୍କ ନିକଟରେ ଥିଲା, ବାଣିଜ୍ୟ ବ୍ୟବସାୟ ମଧ୍ୟ ସୀମିତ ରହି ଥିଲା ଏବଂ ଯେତେବେଳେ ଉତ୍ତମ ସଂଯୋଗ ସୀମିତ ଥିଲା , କେବଳ କିଛି ସହର ମଧ୍ୟରେ, ଅଭିବୃଦ୍ଧି ମଧ୍ୟ ସମାନ ପରିମାଣରେ ସୀମିତ ଥିଲା । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଫଳସ୍ୱରୂପ ଦେଶର ବୃହତ ଜନସଂଖ୍ୟା ବିକାଶର ସମ୍ପୂର୍ଣ୍ଣ ଲାଭ ଉଠାଇ ପାରୁ ନଥିଲେ କିମ୍ବା ଭାରତର ପ୍ରକୃତ ଶକ୍ତି ସାମ୍ନାକୁ ଆସି ପାରୁ ନଥିଲା । ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରି କହିଛନ୍ତି ଯେ, ଗତ ୮ ବର୍ଷ ମଧ୍ୟରେ ‘ସବ୍କା ସାଥ, ସବ୍କା ବିକାଶ, ସବ୍କା ବିଶ୍ୱାସ ଏବଂ ସବ୍କା ପ୍ରୟାସ’ ନୀତି ଗୁଡିକ ସହିତ ଉଭୟ ଏହି ପ୍ରକାରର ଚିନ୍ତାଧାରା ଏବଂ ଆଭିମୁଖ୍ୟ ମଧ୍ୟ ପରିବର୍ତ୍ତିତ ହୋଇଛି । ଶ୍ରୀ ମୋଦୀ ମନ୍ତବ୍ୟ ଦେଇଛନ୍ତି, “ଯେଉଁମାନେ ପୂର୍ବରୁ ବଂଚିତ ହୋଇଥିଲେ , ସେମାନେ ଏବେ ସରକାରଙ୍କ ପାଇଁ ପ୍ରାଥମିକତା ହୋଇଛନ୍ତି ।” କୃଷକ ଆଧାରିତ ବିକାଶର ଉଦାହରଣ ଦେଇ ଶ୍ରୀ ମୋଦୀ ଦର୍ଶାଇଛନ୍ତି ଯେ , ବିଦର୍ଭର କୃଷକ ମାନଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧିର ବଡ଼ ଲାଭ ମିଳିଛି ଏବଂ ପଶୁ ପାଳକମାନଙ୍କୁ ପ୍ରାଥମିକତା ଦେଇ କିଷାନ କ୍ରେଡିଟ କାର୍ଡର ସୁବିଧାକୁ ସରକାର ଯୋଡିଛନ୍ତି ।
ବଂଚିତ ମାନଙ୍କ ପ୍ରାଥମିକତା ବିଷୟକୁ ଜାରି ରଖି ପ୍ରଧାନମନ୍ତ୍ରୀ ବିକ୍ରେତା ମାନଙ୍କୁ ତଥା ୧୦୦ ରୁ ଅଧିକ ଆଶାୟୀ ଜିଲ୍ଲା ମାନଙ୍କ ପାଇଁ ସହଜ ଋଣ ପ୍ରଦାନ ଭଳି ପଦକ୍ଷେପ ଗୁଡିକୁ ତାଲିକାଭୁକ୍ତ କରିଛନ୍ତି । ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ମରାଠୱାଡା ଏବଂ ବିଦର୍ଭ ଜିଲ୍ଲା ସମେତ ଦେଶର ୧୦୦ ରୁ ଅଧିକ ଜିଲ୍ଲା ବିକାଶର ଅନେକ ମାନକରେ ପଛରେ ପଡି ଯାଇଛନ୍ତି । ସେ କହିଛନ୍ତି ଯେ, “ଗତ ୮ ବର୍ଷ ଧରି ଆମେ ଏହି ବଂଚିତ ଅଂଚଳର ଦ୍ରୁତ ବିକାଶ ପାଇଁ ନୂତନ ଶକ୍ତି କେନ୍ଦ୍ରରେ ପରିଣତ କରିବା ଦିଗରେ କାର୍ଯ୍ୟ କରିଛୁ ।”
ଭାରତରେ ସର୍ଟ – କଟ୍ ରାଜନୀତିର ଆବିର୍ଭାବ ବିଷୟରେ ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ଚେତାବନୀ ଦେଇଛନ୍ତି । ସେ ଚେତାବନୀ ଦେଇଛନ୍ତି ଯେ ମିଥ୍ୟା ପ୍ରତିଶ୍ରୁତି ଦେଇ ସରକାର ଗଠନ ଲକ୍ଷ୍ୟରେ ରାଜନୈତିକ ଦଳମାନେ କରଦାତା ମାନଙ୍କର ରୋଜଗାର କରୁଥିବା କଷ୍ଟ ଅର୍ଜିତ ଅର୍ଥକୁ ଲୁଟ କରୁଛନ୍ତି ଏବଂ ସର୍ଟ କଟ୍ ପନ୍ଥାକୁ ଗ୍ରହଣ କରୁଛନ୍ତି । ପ୍ରଧାନମନ୍ତ୍ରୀ ଦୋହରାଇଛନ୍ତି ଯେ, ଯେଉଁ ସମୟରେ ଦେଶ ଆଗାମୀ ୨୫ ବର୍ଷ ମଧ୍ୟରେ ଏକ ବିକଶିତ ରାଷ୍ଟ୍ର ହେବା ଦିଗରେ କାର୍ଯ୍ୟ କରୁଛି, କିଛି ରାଜନୈତିକ ଦଳ ନିଜର ସ୍ୱାର୍ଥ ପାଇଁ ଭାରତର ଅର୍ଥ ବ୍ୟବସ୍ଥାକୁ ନଷ୍ଟ କରିବାକୁ ଚାହୁଁଛନ୍ତି । ପ୍ରଥମ ଶିଳ୍ପ ବିପ୍ଳବର ଫାଇଦା ଉଠାଇ ନ ପାରିବା ଏବଂ ଦ୍ୱିତୀୟ ତଥା ତୃତୀୟ ଶିଳ୍ପ ବିପ୍ଳବ ସମୟରେ ପଛରେ ପଡ଼ି ଯାଇଥିବା ଏବଂ ସୁଯୋଗ ହରାଇଥିବାରୁ ପ୍ରଧାନମନ୍ତ୍ରୀ ଦୁଃଖ ପ୍ରକାଶ କରିଛନ୍ତି । ସେ ଦୋହରାଇଛନ୍ତି ଯେ , ଯେତେବେଳେ ଚତୁର୍ଥ ଶିଳ୍ପ ବିପ୍ଳବର ସମୟ ଆସିଛି, ଭାରତ ଏହାକୁ ହାତଛଡ଼ା କରି ପାରିବ ନାହିଁ । ଶ୍ରୀ ମୋଦୀ କହିଛନ୍ତି, “କୌଣସି ଦେଶ ସର୍ଟ- କଟ୍ ମାର୍ଗରେ ଚାଲି ପାରିବ ନାହିଁ, ଏକ ଦୀର୍ଘକାଳୀନ ଦୃଷ୍ଟିକୋଣ ସହିତ ସ୍ଥାୟୀ ସମାଧାନ ଦେଶର ଅଗ୍ରଗତି ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ” ।
ପ୍ରଧାନମନ୍ତ୍ରୀ ଦକ୍ଷିଣ କୋରିଆ ଏବଂ ସିଙ୍ଗାପୁର ପରି ଦେଶ ଗୁଡିକର ଉଦାହରଣ ଦେଇଛନ୍ତି, ଯେଉଁ ଦେଶ ଗୁଡିକୁ ଏକଦା ଗରିବ ବୋଲି ବିବେଚନା କରା ଯାଉଥିଲା, କିନ୍ତୁ ଭିତ୍ତିଭୂମି କ୍ଷେତ୍ରରେ ଅଭିବୃଦ୍ଧି ସେମାନଙ୍କ ଭାଗ୍ୟ ବଦଳାଇବାରେ ସଫଳ ହୋଇଥିଲା ଏବଂ ବର୍ତ୍ତମାନ ଏହି ଦେଶମାନେ ବୃହତ ଅର୍ଥନୀତି କେନ୍ଦ୍ରରେ ପରିଣତ ହୋଇଛନ୍ତି । ସେ ଦୋହରାଇଛନ୍ତି ଯେ, ବର୍ତ୍ତମାନ ସମୟର ଆବଶ୍ୟକତା ହେଉଛି , ସରକାରୀ କଳର ପ୍ରତ୍ୟେକ ଟଙ୍କା ଯୁବ ପିଢ଼ିଙ୍କ ପାଇଁ ଉଜ୍ଜ୍ୱଳ ଭବିଷ୍ୟତ ଗଢ଼ିବା ନିମନ୍ତେ ଯେମିତି ଖର୍ଚ୍ଚ ହେବ ।
ପ୍ରଧାନମନ୍ତ୍ରୀ ଦେଶର ଯୁବକ ଓ କରଦାତା ମାନଙ୍କୁ ସ୍ୱାର୍ଥପର ରାଜନୈତିକ ଦଳ ଗୁଡିକର , ଯେଉଁମାନେ ‘କମ ଆୟ, ଅଧିକ ଖର୍ଚ୍ଚ’ ନୀତିକୁ ଆପଣେଇଛନ୍ତି, ସେମାନଙ୍କ ମୁଖା ଖୋଲି ଦେବାକୁ ଅନୁରୋଧ କରିଛନ୍ତି । ପ୍ରଧାନମନ୍ତ୍ରୀ ବିଶ୍ୱର ଅନେକ ଦେଶ ଉପରେ ଆଲୋକପାତ କରିଥିଲେ ଯେଉଁଠାରେ ଏଭଳି ଖରାପ ନୀତି ନିର୍ଦ୍ଧାରଣ ଯୋଗୁଁ ସମଗ୍ର ଅର୍ଥନୀତି ବ୍ୟବସ୍ଥା ସଂକଟଗ୍ରସ୍ତ ହୋଇ ଯାଇଥିଲା । ଅନ୍ୟ ପକ୍ଷରେ , ଦେଶରେ ନିରନ୍ତର ବିକାଶ ତଥା ନିରନ୍ତର ସମାଧାନର ପ୍ରୟାସ ପ୍ରତି ଲୋକ ମାନଙ୍କର ସମର୍ଥନକୁ ନେଇ ପ୍ରଧାନମନ୍ତ୍ରୀ ଖୁସି ବ୍ୟକ୍ତ କରିଛନ୍ତି । ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, “ଗୁଜରାଟରେ ନିର୍ବାଚନ ଫଳାଫଳ ସ୍ଥାୟୀ ବିକାଶ ଏବଂ ସ୍ଥାୟୀ ସମାଧାନର ଆର୍ôଥକ ନୀତିର ଫଳାଫଳ ଅଟେ” ।
ଏହି ଅବସରରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଶ୍ରୀ ଏକନାଥ ସିନ୍ଦେ, ମହାରାଷ୍ଟ୍ରର ରାଜ୍ୟପାଳ ଶ୍ରୀ ଭଗତ ସିଂ କୋଶାରି, ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଶ୍ରୀ ଦେବେନ୍ଦ୍ର ଫଡନାଭିସ୍ ଏବଂ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ଶ୍ରୀ ନିତିନ ଗଡକରୀ ପ୍ରମୁଖ ଉପସ୍ଥିତ ଥିଲେ ।
ପୃଷ୍ଠଭୂମି
ନାଗପୁର ମେଟ୍ରୋ
ସହରୀ ଗତିଶୀଳତା କ୍ଷେତ୍ରରେ କ୍ରାନ୍ତି ଆଣୁଥିବା ଆଉ ଏକ ପଦକ୍ଷେପ ରୂପରେ ପ୍ରଧାନମନ୍ତ୍ରୀ ‘ନାଗପୁର ମେଟ୍ରୋର ପ୍ରଥମ ପର୍ଯ୍ୟାୟ’କୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ସେ ଖପରି ମେଟ୍ରୋ ଷ୍ଟେସନ୍ରେ ଖପରି ଠାରୁ ଅଟୋମୋଟିଭ୍ ସ୍କୋୟାର (ଅରେଞ୍ଜ୍ ଲାଇନ୍) ଏବଂ ପ୍ରଜାପତି ନଗରରୁ ଲୋକମାନ୍ୟ ନଗର (ଏକ୍କା ଲାଇନ) ପର୍ଯ୍ୟନ୍ତ ଦୁଇଟି ମେଟ୍ରୋ ଟ୍ରେନ୍ଟୁ ପତାକା ପ୍ରଦର୍ଶନ କରି ଚାଲୁ କରିଥିଲେ । ନାଗପୁର ମେଟ୍ରୋର ପ୍ରଥମ ପର୍ଯ୍ୟାୟ ୮୬୫୦ କୋଟି ଟଙ୍କାରୁ ଅଧିକ ମୂଲ୍ୟରେ ବିକଶିତ ହୋଇଛି । ପ୍ରଧାନମନ୍ତ୍ରୀ ନାଗପୁର ମେଟ୍ରୋର ଦ୍ୱିତୀୟ ପର୍ଯ୍ୟାୟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି, ଯାହା ୬୭୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟରେ ବିକଶିତ ହେବ ।
ରେଳ ପ୍ରକଳ୍ପ ସମୂହ
ନାଗପୁର ରେଳ ଷ୍ଟେସନରେ ପ୍ରଧାନମନ୍ତ୍ରୀ ନାଗପୁର ଏବଂ ବିଳାସପୁର ମଧ୍ୟରେ ଚାଲିବାକୁ ଥିବା ବନ୍ଦେ ଭାରତ ଏକ୍ସପ୍ରେସକୁ ପତାକା ପ୍ରଦର୍ଶନ କରି ଚାଲୁ କରିଥିଲେ ।
ନାଗପୁର ରେଳ ଷ୍ଟେସନ ଏବଂ ଅଜନି ରେଳ ଷ୍ଟେସନର ପୁନଃ ନିର୍ମାଣ ପାଇଁ ଯଥାକ୍ରମେ ପ୍ରାୟ ୫୯୦ କୋଟି ଏବଂ ୩୬୦ କୋଟି ଟଙ୍କା ବ୍ୟୟ କରା ଯିବା ନିମନ୍ତେ ଯୋଜନା ରହିଥିବା ବେଳେ ପ୍ରଧାନମନ୍ତ୍ରୀ ଏହାର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ । ପ୍ରଧାନମନ୍ତ୍ରୀ ସରକାରୀ ରକ୍ଷଣାବେକ୍ଷଣ ଡିପୋ, ଅଜନୀ (ନାଗପୁର) ଏବଂ ନାଗପୁର- ଇଟାରସି ତୃତୀୟ ଲାଇନ୍ ପ୍ରକଳ୍ପର କୋହଲି- ନରଖେଡ କ୍ଷେତ୍ରକୁ ଦେଶକୁ ଉତ୍ସର୍ଗ କରିଛନ୍ତି । ଏହି ପ୍ରକଳ୍ପ ଗୁଡିକ, ଯଥାକ୍ରମେ ପ୍ରାୟ ୧୧୦ କୋଟି ଟଙ୍କା ଏବଂ ୪୫୦ କୋଟି ଟଙ୍କା ବ୍ୟୟରେ ବିକଶିତ ହୋଇଛି ।
ସମୃଦ୍ଧି ମହାମାର୍ଗ
ପ୍ରଧାନମନ୍ତ୍ରୀ ୫୨୦ କିଲୋମିଟର ଦୀର୍ଘ ଏବଂ ନାଗପୁର ଏବଂ ଶିରିଡିକୁ ସଂଯୋଗ କରୁଥିବା ହିନ୍ଦୁ ହ୍ରଦୟ ସମ୍ରାଟ ବାଲ ସାହେବ ଠାକରେ ମହାରାଷ୍ଟ୍ର ସମୃଦ୍ଧି ମହାମାର୍ଗର ପ୍ରଥମ ପର୍ଯ୍ୟାୟକୁ ଉଦ୍ଘାଟନ କରିଛନ୍ତି ।
ସମଗ୍ର ଦେଶରେ ଉନ୍ନତ ସଂଯୋଗୀକରଣ ଏବଂ ଭିତ୍ତିଭୂମି ସମ୍ବନ୍ଧରେ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣକୁ ସାକାର କରିବା ପାଇଁ ସମୃଦ୍ଧି ମହାମାର୍ଗ କିମ୍ବା ନାଗପୁର- ମୁମ୍ବାଇ ସୁପର କମ୍ୟୁନିକେସନ୍ ଏକ୍ସପ୍ରେସୱେ ପ୍ରକଳ୍ପ ହେଉଛି ଏକ ପ୍ରମୁଖ ପଦକ୍ଷେପ । ପ୍ରାୟ ୫୫,୦୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ୭୦୧ କିଲୋମିଟର ଏକ୍ସପ୍ରେସୱେ ହେଉଛି ମହାରାଷ୍ଟ୍ରର ୧୦ ଟି ଜିଲ୍ଲା ତଥା ଅମରାବତୀ, ଔରଙ୍ଗାବାଦ ଏବଂ ନାଶିକର ପ୍ରମୁଖ ସହରାଂଚଳ ଦେଇ ଯାଇଥିବା ଭାରତର ଦୀର୍ଘତମ ଏକ୍ସପ୍ରେସୱେ ମଧ୍ୟରୁ ଅନ୍ୟତମ । ଏହି ଏକ୍ସପ୍ରେସୱେ ଅନ୍ୟ ୧୪ ଟି ଜିଲ୍ଲାର ସଂଯୋଗୀକରଣରେ ଉନ୍ନତି ଆଣିବାରେ ସାହାଯ୍ୟ କରିବ, ଯାହା ଦ୍ୱାରା ଏହା ବିଦର୍ଭ, ମରାଠୱାଡା ଏବଂ ଉତ୍ତର ମହାରାଷ୍ଟ୍ରର ପ୍ରାୟ ୨୪ ଟି ଜିଲ୍ଲାର ବିକାଶରେ ସହାୟକ ହେବ ।
ପ୍ରଧାନମନ୍ତ୍ରୀ ଗତି ଶକ୍ତି ଅଧୀନରେ ଭିତ୍ତିଭୂମି ସଂଯୋଗୀକରଣ ପ୍ରକଳ୍ପ ଗୁଡିକର ସମନ୍ୱିତ ଯୋଜନା ଏବଂ ସମନ୍ୱିତ କାର୍ଯ୍ୟାନ୍ୱୟନର ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣକୁ ସମର୍ଥନ କରି , ସମୃଦ୍ଧି ମହାମାର୍ଗ ଦିଲ୍ଲୀ – ମୁମ୍ବାଇ ଏକ୍ସପ୍ରେସୱେ, ଜବାହରଲାଲ ନେହରୁ ବନ୍ଦର ଟ୍ରଷ୍ଟ ଏବଂ ଅଜନ୍ତା ଏଲୋରା ଗୁମ୍ଫା, ଶିରିଡି, ବେରୁଲ, ଲୋନାର ଇତ୍ୟାଦି ସହିତ ପର୍ଯ୍ୟଟନ ସ୍ଥଳୀ ଗୁଡିକୁ ସଂଯୋଗ କରିବ । ମହାରାଷ୍ଟ୍ରର ଅର୍ଥନୈତିକ ବିକାଶରେ ଏକ ପ୍ରମୁଖ ଉତ୍ସ ଯୋଗାଇବାରେ ସମୃଦ୍ଧି ମହାମାର୍ଗ ଏକ ଖେଳ ପରିବର୍ତ୍ତନକାରୀ ସାବ୍ୟସ୍ତ ହେବ ।
ଏମ୍ସ ନାଗପୁର
ଏମ୍ସ ନାଗପୁରକୁ ଦେଶକୁ ଉତ୍ସର୍ଗୀକୃତ କରାଯିବା ଦ୍ୱାରା ସାରା ଦେଶରେ ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ମଜବୁତ କରିବାକୁ ପ୍ରଧାନମନ୍ତ୍ରୀଙ୍କ ପ୍ରତିବଦ୍ଧତା ଦୃଢ଼ ହେବ । ଜୁଲାଇ ୨୦୧୭ ରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ମୂଳଦୁଆ ପକାଯାଇଥିବା ଏହି ଡାକ୍ତରଖାନା କେନ୍ଦ୍ରୀୟ କ୍ଷେତ୍ରର ଯୋଜନା ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନା ଅଧୀନରେ ସ୍ଥାପନ କରା ଯାଇଛି ।
୧୫୭୫ କୋଟି ଟଙ୍କାରୁ ଅଧିକ ବ୍ୟୟରେ ବିକଶିତ କରା ଯାଉଥିବା ଏମ୍ସ ନାଗପୁର ହେଉଛି ଅତ୍ୟାଧୁନିକ ସୁବିଧା ଥିବା ଏକ ଡାକ୍ତରଖାନା, ଯେଉଁଥିରେ ଓପିଡି, ଆଇପିଡି, ଡାଇଗ୍ନୋଷ୍ଟିକ୍ ସେବା, ଅପରେସନ୍ ପ୍ରେକ୍ଷାଳୟ ଏବଂ ୩୮ ଟି ବିଭାଗ ରହିଛି, ଯାହା ଡାକ୍ତରୀ ବିଜ୍ଞାନର ସମସ୍ତ ପ୍ରମୁଖ ବିଶେଷତା ଏବଂ ସୁପର ସ୍ପେସିଆଲିଟି ବିଷୟକୁ ଅନ୍ତର୍ଭୁକ୍ତ କରିଥାଏ । ଏହି ଡାକ୍ତରଖାନା ମହାରାଷ୍ଟ୍ରର ବିଦର୍ଭ ଅଂଚଳକୁ ଆଧୁନିକ ସ୍ୱାସ୍ଥ୍ୟସେବା ଯୋଗାଇଥାଏ ଏବଂ ଗଡଚିରୋଲି, ଗୋନ୍ଦିଆ ଏବଂ ମେଲଘାଟର ଆଖପାଖ ଆଦିବାସୀ ଅଂଚଳ ପାଇଁ ଏହା ଏକ ବରଦାନ ସଦୃଶ ଅଟେ ।
ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ୱାନ୍ ହେଲ୍ଥ, ନାଗପୁର
ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ନାଗପୁରର ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ୱାନ୍ ହେଲ୍ଥ ପାଇଁ ମୂଳଦୁଆ ପକାଇବା ହେଉଛି ‘ଏକ ସ୍ୱାସ୍ଥ୍ୟ’ ଆଭିମୁଖ୍ୟ ଅନୁସାରେ ଦେଶରେ ଦକ୍ଷତା ନିର୍ମାଣ ଏବଂ ଭିତ୍ତିଭୂମି ନିର୍ମାଣ ଦିଗରେ ଏକ ପଦକ୍ଷେପ ।
‘ଏକ ସ୍ୱାସ୍ଥ୍ୟ’ ଦୃଷ୍ଟିକୋଣ ଏହା ସ୍ୱୀକାର କରେ ଯେ , ମନୁଷ୍ୟର ସ୍ୱାସ୍ଥ୍ୟ ପଶୁ ମାନଙ୍କର ସ୍ୱାସ୍ଥ୍ୟ ଏବଂ ପରିବେଶ ସହିତ ଯୋଡି ହୋଇ ରହିଥାଏ । ଏହି ଦୃଷ୍ଟିକୋଣ ଏହି କଥାର ପ୍ରଶଂସା କରେ ଯେ, ମଣିଷ ମାନଙ୍କୁ ପ୍ରଭାବିତ କରୁଥିବା ଅଧିକାଂଶ ସଂକ୍ରାମକ ରୋଗ ପ୍ରକୃତିର ଜୁନୋଟିକ୍ (ପଶୁରୁ ମଣିଷକୁ) ଅଟେ । ୧୧୦ କୋଟିରୁ ଅଧିକ ମୂଲ୍ୟରେ ପ୍ରତିଷ୍ଠିତ ହେବାକୁ ଥିବା ଏହି ଅନୁଷ୍ଠାନ – ସମସ୍ତ ହିତାଧିକାରୀ ମାନଙ୍କ ସହିତ ସହଯୋଗ ଏବଂ ସମନ୍ୱୟ ରକ୍ଷା କରିବ ଏବଂ ସମଗ୍ର ଦେଶରେ ‘ଏକ ସ୍ୱାସ୍ଥ୍ୟ’ ଦୃଷ୍ଟିକୋଣରେ ଗବେଷଣା ଏବଂ ଦକ୍ଷତା ବିକାଶରେ ଏକ ଅନୁକ୍ରମଣିକା ଭାବରେ କାର୍ଯ୍ୟ କରିବ ।
ଅନ୍ୟାନ୍ୟ ପ୍ରକଳ୍ପ
ପ୍ରଧାନମନ୍ତ୍ରୀ ନାଗପୁରରେ ନାଗ ନଦୀର ପ୍ରଦୂଷଣ ହ୍ରାସ ପାଇଁ ପ୍ରଦୂଷଣ ଉପଶମ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କଲେ । ଜାତୀୟ ନଦୀ ସଂରକ୍ଷଣ ଯୋଜନା (ଏନ୍ଆର୍ସିପି) ଅଧୀନରେ ଏହି ପ୍ରକଳ୍ପ ୧୯୨୫ କୋଟିରୁ ଅଧିକ ଅର୍ଥ ବ୍ୟୟରେ କାର୍ଯ୍ୟକ୍ଷମ ହେବ ।
ବିଦର୍ଭ ଅଂଚଳରେ ବିଶେଷ କରି ଆଦିବାସୀ ଜନସଂଖ୍ୟାରେ ସିକଲ୍ ସେଲ୍ ରୋଗର ପ୍ରାଦୁର୍ଭାବ ତୁଳନାତ୍ମକ ଭାବରେ ଅଧିକ । ଏହି ରୋଗ ଥାଲାସେମିଆ ଏବଂ ଏଚ୍ବିଇ ପରି ଅନ୍ୟ ହେମୋଗ୍ଲୋବିନୋପାଥି ସହିତ ଦେଶରେ ଗୁରୁତ୍ୱପୂର୍ଣ୍ଣ ରୋଗର କାରଣ ହୋଇଥାଏ । ଏହି ସମସ୍ୟାର ସମାଧାନ ପାଇଁ , ଦେଶରେ ହେମୋଗ୍ଲୋବିନୋପାଥି କ୍ଷେତ୍ରରେ ଅଭିନବ ଅନୁସନ୍ଧାନ, ପ୍ରଯୁକ୍ତି ବିଦ୍ୟା ବିକାଶ ଏବଂ ମାନବ ସମ୍ବଳ ବିକାଶ ପାଇଁ ଉତ୍କର୍ଷତା ନିମନ୍ତେ ପ୍ରଧାନମନ୍ତ୍ରୀ ଫେବୃଆରୀ ୨୦୧୯ ରେ ଚନ୍ଦ୍ରପୁର ଠାରେ ‘ହେମୋଗ୍ଲୋବିନୋପାଥି, ଗବେଷଣା, ପରିଚାଳନା ଏବଂ ନିୟନ୍ତ୍ରଣ କେନ୍ଦ୍ରର ମୂଳଦୁଆ ପକାଇ ଥିଲେ । ।
ପ୍ରଧାନମନ୍ତ୍ରୀ ମଧ୍ୟ ଚନ୍ଦ୍ରପୁରର ସେଂଟ୍ରାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ପେଟ୍ରୋକେମିକାଲ୍ସ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି (ସିଆଇପିଇଟି) କୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ପଲିମର ଏବଂ ସହଯୋଗୀ ଶିଳ୍ପ ଗୁଡିକର ଆବଶ୍ୟକତା ପୂରଣ କରିବା ପାଇଁ କୁଶଳୀ ମାନବ ସମ୍ବଳ ବିକାଶ କରିବାକୁ ଏହି ଅନୁଷ୍ଠାନର ଲକ୍ଷ୍ୟ ରହିଛି ।
*****
SSP
A very special day for Maharashtra! A bouquet of development works are being launched from Nagpur, which will transform lives of people. #MahaSamruddhi https://t.co/8QlJXbRGcs
— Narendra Modi (@narendramodi) December 11, 2022
11 सितारों का महानक्षत्र, महाराष्ट्र के विकास को नई दिशा देगा, नई ऊंचाई देगा। pic.twitter.com/65oOESa0gl
— PMO India (@PMOIndia) December 11, 2022
Samruddhi Mahamarg will ensure seamless connectivity across Maharashtra. pic.twitter.com/5KJlTdccFP
— PMO India (@PMOIndia) December 11, 2022
Today, for the first time, there is a government in the country, which has given a human touch to the infrastructure projects. pic.twitter.com/j2B8YLGIel
— PMO India (@PMOIndia) December 11, 2022
Progress of states will power development of the nation in 'Amrit Kaal.' pic.twitter.com/icj85FdwQe
— PMO India (@PMOIndia) December 11, 2022
India cannot miss utilizing the fourth industrial revolution. pic.twitter.com/JNogWtLFpX
— PMO India (@PMOIndia) December 11, 2022
No country can prosper with short-cuts.
— PMO India (@PMOIndia) December 11, 2022
Long term vision is pivotal for stable growth and development. pic.twitter.com/ma3zFl02y2
Politics of short cuts will never help anybody.
— Narendra Modi (@narendramodi) December 11, 2022
What is needed is a long term and holistic model of development which empowers people. pic.twitter.com/fFCh7N0X0e
शॉर्टकट से कोई देश चल नहीं सकता। देश की प्रगति के लिए स्थायी विकास और स्थायी समाधान के साथ काम करने के अलावा एक Long Term Vision बहुत जरूरी है। pic.twitter.com/RbsIHZZPmT
— Narendra Modi (@narendramodi) December 11, 2022
11 key development works launched on 11th December, worth over Rs. 75,000 crore at a time when India is celebrating 75 years of independence.
— Narendra Modi (@narendramodi) December 11, 2022
Congratulations Maharashtra. pic.twitter.com/CBeSrVBLvj
Providing infrastructure with a human touch… pic.twitter.com/ha1PISWfAS
— Narendra Modi (@narendramodi) December 11, 2022
जो पहले वंचित था, वो अब हमारी सरकार की वरीयता में है… pic.twitter.com/BxtR9YkrMx
— Narendra Modi (@narendramodi) December 11, 2022