ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଆଜି ଜଳ ଜୀବନ ମିଶନ (ଜେଜେଏମ)ର ଅବଧିକୁ ୨୦୨୮ ଡିସେମ୍ବର ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବା ପ୍ରସ୍ତାବକୁ ମଞ୍ଜୁର କରିଛି । କାର୍ଯ୍ୟକାରିତା ଭିତ୍ତିଭୂମି ସୃଷ୍ଟି ଠାରୁ ସେବା ପ୍ରଦାନ ପର୍ଯ୍ୟନ୍ତ ଏହି ଯୋଜନାର ପୁନର୍ଗଠନ କରିବା ଲାଗି ଜଳ ଶକ୍ତି ମନ୍ତ୍ରଣାଳୟର ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ କରିଛି। ପାନୀୟ ଜଳ ପରିଚାଳନା ଏବଂ ପାଇପ ଯୋଗେ ଦୀର୍ଘସ୍ଥାୟୀ ଗ୍ରାମୀଣ ପାନୀୟ ଜଳ ଯୋଗାଣ ପାଇଁ ଏକ ସଂସ୍ଥାଗତ ଇକୋସିଷ୍ଟମକୁ ସମର୍ଥନ କରାଯିବ।
ଢାଞ୍ଚାଗତ ସଂସ୍କାର ଉପରେ ଧ୍ୟାନ ଦେଇ ଜେଜେଏମର ପୁନର୍ଗଠନ ଲାଗି କ୍ୟାବିନେଟ ଏହି ଯୋଜନାରେ ମୋଟ ବ୍ୟୟ ଅଟକଳକୁ ୮.୬୯ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି କରିଛନ୍ତି। ଏଥିରେ ମୋଟ କେନ୍ଦ୍ରୀୟ ଅନୁଦାନ ୩.୫୯ ଲକ୍ଷ କୋଟି ଟଙ୍କା ହେବ। ଏହା ୨୦୧୯-୨୦ରେ ଅନୁମୋଦିତ କେନ୍ଦ୍ରୀୟ ଅନୁଦାନ ୨.୦୮ ଲକ୍ଷ କୋଟି ଟଙ୍କାରୁ ଅଧିକ ଅର୍ଥାତ୍ ୧.୫୧ ଲକ୍ଷ କୋଟି ଟଙ୍କାର ଅତିରିକ୍ତ କେନ୍ଦ୍ରୀୟ ଅଂଶ ରହିବ।
ଏଥିପାଇଁ, ‘ସୁଜଳ ଭାରତ’ ନାମକ ଏକ ପ୍ରକାରର ଜାତୀୟ ଡିଜିଟାଲ୍ ଭିତ୍ତିଭୂମି ପ୍ରତିଷ୍ଠା ହେବ। ଏହା ଅଧୀନରେ ପ୍ରତ୍ୟେକ ଗ୍ରାମକୁ ଏକ ଅନନ୍ୟ ସୁଜଳ ଗ୍ରାମ/ସେବା କ୍ଷେତ୍ର ପରିଚୟପତ୍ର ପ୍ରଦାନ କରାଯିବ। ଏହା ଜଳ ଉତ୍ସରୁ ଟ୍ୟାପ୍ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ପାନୀୟ ଜଳ ଯୋଗାଣ ବ୍ୟବସ୍ଥାକୁ ଡିଜିଟାଲ୍ ଭାବରେ ମ୍ୟାପ୍ କରିବ। ସ୍ୱଚ୍ଛତା ଏବଂ ଉତ୍ତରଦାୟିତ୍ୱ ସୁନିଶ୍ଚିତ କରିବା ପାଇଁ ‘‘ଜଳ ଅର୍ପଣ’’ ମାଧ୍ୟମରେ ଯୋଜନାର ଶୁଭାରମ୍ଭ ଏବଂ ଆନୁଷ୍ଠାନିକ ହସ୍ତାନ୍ତରରେ ଗ୍ରାମ ପଞ୍ଚାୟତ ଓ ଗ୍ରାମ୍ୟ ଜଳ ଓ ପରିମଳ କମିଟି (ଭିଡବ୍ଲୁଏସସି)ର ଅଂଶଗ୍ରହଣ ସୁନିଶ୍ଚିତ କରାଯିବ।
ରାଜ୍ୟ ସରକାରଙ୍କ ଦ୍ୱାରା ପର୍ଯ୍ୟାପ୍ତ ଗ୍ରାମାଞ୍ଚଳ ପରିଚାଳନା ଏବଂ ରକ୍ଷଣାବେକ୍ଷଣ ବ୍ୟବସ୍ଥା ପ୍ରତିଷ୍ଠା ହେବା ପରେ ହିଁ କୌଣସି ଗ୍ରାମ ପଞ୍ଚାୟତ କାର୍ଯ୍ୟ ସମାପ୍ତିର ପ୍ରମାଣିତ କରିବା ସହିତ ନିଜକୁ ‘‘ହର ଘର ଜଲ’’ (ପ୍ରତି ଘରକୁ ଜଳ ଯୋଗାଣ) ଘୋଷଣା କରିବ। ଏହି କାର୍ଯ୍ୟକ୍ରମ ପରିଚାଳନାଗତ ଦକ୍ଷତା ଏବଂ ଉତ୍ସ ସ୍ଥାୟୀତ୍ୱ ପାଇଁ ଜନସାଧାରଣଙ୍କ ସମ୍ପୃକ୍ତି ଏବଂ ମାଲିକାନା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ସ୍ୱୀକାର କରିଥାଏ। ଏଥିପାଇଁ ଏକ ବାର୍ଷିକ କାର୍ଯ୍ୟକ୍ରମ ରୂପେ ‘‘ଜଳ ଉତ୍ସବ’’ ଆୟୋଜନ କରାଯିବ। ଏଥିରେ ଲୋକଙ୍କ ନେତୃତ୍ୱରେ ରକ୍ଷଣାବେକ୍ଷଣ ଏବଂ ସମୀକ୍ଷାକୁ ପ୍ରୋତ୍ସାହନ କରାଯିବ। ଫଳରେ ସୁରକ୍ଷିତ ପାନୀୟ ଜଳ ଯୋଗାଣ ପାଇଁ ସାମୂହିକ ଦାୟିତ୍ୱ ସୁଦୃଢ଼ ହେବା ସହିତ ସ୍ଥାନୀୟ ସାଂସ୍କୃତିକ ଲୋକାଚାରକୁ ଏଥିରେ ସମନ୍ୱିତ କରାଯାଇପାରିବ।
୨୦୧୯ରେ ୩.୨୩ କୋଟି (୧୭%) ଗ୍ରାମୀଣ ପରିବାର ପାଖର. ଟ୍ୟାପ୍ ପାଣି ସଂଯୋଗ ଥିଲା। ବର୍ତ୍ତମାନ ସୁଦ୍ଧା ୧୨.୫୬ କୋଟିରୁ ଅଧିକ ଅତିରିକ୍ତ ଗ୍ରାମୀଣ ପରିବାରକୁ ଜେଜେଏମ ଅଧୀନରେ ଟ୍ୟାପ୍ ପାଣି ସଂଯୋଗ ଯୋଗାଇ ଦିଆଯାଇଛି। ବର୍ତ୍ତମାନ, ଦେଶର ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶ ଦ୍ୱାରା ଚିହ୍ନଟ ହୋଇଥିବା ୧୯.୩୬ କୋଟି ଗ୍ରାମୀଣ ପରିବାର ମଧ୍ୟରୁ ପ୍ରାୟ ୧୫.୮୦ କୋଟି (୮୧.୬୧%) ପରିବାର ନିକଟରେ ଟ୍ୟାପ୍ ପାଣି ସଂଯୋଗ ଥିବା ସୂଚନା ମିଳିଛି ।
ଭୌତିକ ସଫଳତା ବ୍ୟତୀତ, ପ୍ରତିଷ୍ଠିତ ଜାତୀୟ ଓ ଅନ୍ତର୍ଜାତୀୟ ସଂସ୍ଥା ଏବଂ ବ୍ୟକ୍ତିବିଶେଷଙ୍କ ଦ୍ୱାରା ଜେଜେଏମର ପ୍ରଭାବ ମୂଲ୍ୟାଙ୍କନ କରାଯାଇଛି। ଏସବିଆଇ ରିସର୍ଚ୍ଚ ରିପୋର୍ଟର ଅଧ୍ୟୟନ ମୁତାବକ, ଜେଜେଏମ ୯ କୋଟି ମହିଳାଙ୍କୁ ପାଣି ସଂଗ୍ରହର କଷ୍ଟରୁ ମୁକ୍ତ କରିଛି। ଏହା ସେମାନଙ୍କୁ ଅନ୍ୟ ଆର୍ଥିକ କାର୍ଯ୍ୟକଳାପରେ ଅଧିକ ସମ୍ପୃକ୍ତ ରହିବା ଲାଗି ସକ୍ଷମ କରିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ)ର ତଥ୍ୟ ଅନୁଯାୟୀ, ଜେଜେଏମ ପ୍ରତିଦିନ ପାଣି ସଂଗ୍ରହରେ ନଷ୍ଟ ହେଉଥିବା ୫.୫ କୋଟି ଘଣ୍ଟା ସଞ୍ଚୟ କରିପାରିଛି । ଏହା ୪ ଲକ୍ଷ ଡାଇରିଆ ମୃତ୍ୟୁକୁ ରୋକିପାରିଛି ଏବଂ ୧.୪ କୋଟି ଡିସାବିଲିଟି ଆଡଜଷ୍ଟଡ୍ ଲାଇଫ୍ ଇୟର୍ସ (ଡିଏଏଲୱାଇ) ସଞ୍ଚୟ କରି ମହିଳାମାନଙ୍କ କଷ୍ଟ ଦୂର କରିପାରିଛି । ନୋବେଲ ପୁରସ୍କାର ବିଜେତା ପ୍ରଫେସର ମାଇକେଲ କ୍ରେମରଙ୍କ ଆକଳନ ମୁତାବକ ଏହି ଯୋଜନା ପାଞ୍ଚ ବର୍ଷରୁ କମ୍ ବୟସର ମୃତ୍ୟୁହାରରେ ୩୦% ହ୍ରାସ କରିପାରିଛି। ଏହା ବାର୍ଷିକ ୧,୩୬,୦୦୦ ଜୀବନ ବଞ୍ଚାଇପାରିଛି ବୋଲି ମଧ୍ୟ ସେ ଆକଳନ କରିଛନ୍ତି। ଆଇଆଇଏମ ବାଙ୍ଗାଲୋର ଏବଂ ଅନ୍ତର୍ଜାତୀୟ ଶ୍ରମ ସଂଗଠନ (ଆଇଏଲଓ)ର ଅଧ୍ୟୟନ ଅନୁଯାୟୀ, ଜେଜେଏମ ମାଧ୍ୟମରେ ୫୯.୯ ଲକ୍ଷ ପ୍ରତ୍ୟକ୍ଷ ଏବଂ ୨.୨ କୋଟି ପରୋକ୍ଷ ବ୍ୟକ୍ତି-ବର୍ଷ ସମ୍ଭାବ୍ୟ ନିଯୁକ୍ତି ସୃଷ୍ଟି ହେବ ଏବଂ ଏହା ଗ୍ରାମୀଣ ଜୀବିକାକୁ ସୁଦୃଢ଼ କରିବ। ମହିଳା ଏବଂ କନ୍ୟା ସନ୍ତାନମାନେ ଏହି ହସ୍ତକ୍ଷେପର ପ୍ରମୁଖ ଲାଭାର୍ଥୀ ଭାବରେ ଉଭା ହୋଇଛନ୍ତି। ଏହା ସେମାନଙ୍କର କଠିନ କାର୍ଯ୍ୟ ହ୍ରାସ, ସ୍ୱାସ୍ଥ୍ୟ ଏବଂ ପରିଚ୍ଛନ୍ନତାରେ ଉନ୍ନତି, ସମ୍ମାନ ବୃଦ୍ଧି ଏବଂ ଶିକ୍ଷା ଓ ଜୀବିକା କାର୍ଯ୍ୟକଳାପ ପାଇଁ ଅଧିକ ସୁଯୋଗ ସହିତ ଯଥେଷ୍ଟ ଲାଭ ଆଣିଛି।
ଜେଜେଏମ ୨.୦ ଡିସେମ୍ବର ୨୦୨୮ ସୁଦ୍ଧା ଦେଶର ସମସ୍ତ ୧୯.୩୬ କୋଟି ଗ୍ରାମୀଣ ପରିବାରକୁ ଟ୍ୟାପ୍ ପାଣି ସଂଯୋଗ ଯୋଗାଇ ଦେବା ସହିତ ସମସ୍ତ ଗ୍ରାମ ପଞ୍ଚାୟତକୁ ‘ହର ଘର ଜଲ’ ଗ୍ରାମ ଭାବରେ ପ୍ରମାଣପତ୍ର ପ୍ରଦାନ କରିବାରେ ସହଜ କରିବ। ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶ ସହ ପୃଥକ ବୁଝାମଣାପତ୍ର ମାଧ୍ୟମରେ ସମୟସୀମା ପାଳନ, ଯୋଜନାର ସ୍ଥାୟୀତ୍ୱ ଏବଂ ନାଗରିକ-କୈନ୍ଦ୍ରିକ ଜଳ ସେବା ପ୍ରଦାନକୁ ସୁନିଶ୍ଚିତ ହେବ। ଜେଜେଏମ ୨.୦ ଢାଞ୍ଚଗତ ସଂସ୍କାର ମାଧ୍ୟମରେ ଭିତ୍ତିଭୂମି-କୈନ୍ଦ୍ରିକ ଦୃଷ୍ଟିକୋଣରୁ ନାଗରିକ-କୈନ୍ଦ୍ରିକ ଉପଯୋଗିତା-ଆଧାରିତ ସେବା ପ୍ରଦାନ ପଦ୍ଧତି ଆଡ଼କୁ ପରିବର୍ତ୍ତିତ ହେବ। ଏହା ୨୪ ଘଣ୍ଟିଆ ନିଶ୍ଚିତ ଗ୍ରାମୀଣ ପାନୀୟ ଜଳ ଯୋଗାଣ ସହିତ ବିକଶିତ ଭାରତ ୨୦୪୭ର ଦୃଷ୍ଟିକୋଣକୁ ମଧ୍ୟ ପ୍ରୋତ୍ସାହିତ କରିବ।
ଜଳ ଜୀବନ ମିଶନ ୨.୦ ଅଧୀନରେ, ଭାରତ ସରକାର ସାମଗ୍ରିକ ଆଭିମୁଖ୍ୟ ସହିତ ସମନ୍ୱୟ ରଖି ଗ୍ରାମୀଣ ଜଳ ଯୋଗାଣ ଭିତ୍ତିଭୂମିର ଦୀର୍ଘସ୍ଥାୟୀ ଏବଂ ଦୀର୍ଘକାଳୀନ ପରିଚାଳନା ଓ ରକ୍ଷଣାବେକ୍ଷଣ ପ୍ରତି ଧ୍ୟାନ ଦେବେ। ଯୋଜନା ଉତ୍ସର ନିରନ୍ତର ପରିଚାଳନା ପାଇଁ ବିଭିନ୍ନ ବିଭାଗ ମଧ୍ୟରେ ରଣନୀତିକ ସମନ୍ୱୟ ଲାଗି ମଧ୍ୟ ପରିକଳ୍ପନା କରାଯାଇଛି।
******
PS
The Cabinet decision on Jal Jeevan Mission marks a major step towards ensuring sustainable and reliable tap water supply for rural households across India. It shifts the focus from only infrastructure creation to citizen-centric service delivery supported by strong local…
— Narendra Modi (@narendramodi) March 10, 2026