ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ୭, ଲୋକ କଲ୍ୟାଣ ମାର୍ଗସ୍ଥିତ ତାଙ୍କ ଆବାସରେ ଭାରତ ସରକାରଙ୍କ ସଚିବମାନଙ୍କ ସହିତ ତୃତୀୟ ଉଚ୍ଚସ୍ତରୀୟ ବୈଠକର ଅଧ୍ୟକ୍ଷତା କରିଛନ୍ତି । ସେ ଭିତ୍ତିଭୂମି ଓ ଯୋଗାଯୋଗ, ସୁରକ୍ଷା ଓ ବୈଦେଶିକ ବ୍ୟାପାର ଏବଂ ଶାସନ ସହ ଜଡିତ ମନ୍ତ୍ରଣାଳୟ ଓ ବିଭାଗଗୁଡ଼ିକର ଭବିଷ୍ୟତ କାର୍ଯ୍ୟପନ୍ଥା ଉପରେ ଆଲୋଚନା କରିଛନ୍ତି ।
ସଚିବମାନଙ୍କର ଦୁଇଟି ଗୋଷ୍ଠୀ ସହ ହୋଇଥିବା ଆଲୋଚନା ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ସଚିବମାନେ କେବଳ ସାମ୍ପ୍ରତିକ ପ୍ରସଙ୍ଗ ଏବଂ ପରିସଂଖ୍ୟାନ ବିଷୟରେ ଚିନ୍ତା କରିବା ଉଚିତ୍ ନୁହେଁ, ବରଂ ଦେଶର ଭବିଷ୍ୟତ କିପରି ଗଠନ କରାଯିବ ସେ ବିଷୟରେ ଏକ ଦୀର୍ଘକାଳୀନ ଦୃଷ୍ଟିକୋଣ ସହ ବିଚାର କରିବା ଉଚିତ।
ପୃଥକ ଭାବେ କାମ କରିବା ସମସ୍ୟା ବିଷୟରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ । ସେ ଜୋର ଦେଇ କହିଥିଲେ, ବିଖଣ୍ଡିତ ଭାବେ କାମ କରିବା କେବଳ ଏକ ଢାଞ୍ଚାଗତ ସମସ୍ୟା ନୁହେଁ ବରଂ ମାନସିକ ସମସ୍ୟା। ସେ କହିଥିଲେ, ପୃଥକତା ସମସ୍ୟା ଭୂସମାନ୍ତର ଏବଂ ଭୂଲମ୍ବ ଉଭୟ ହୋଇପାରେ। ତେବେ ଅଧିକାରୀମାନେ ଆପଣାର ଭାବନା ନେଇ ସେମାନଙ୍କର ଦାୟିତ୍ୱ ନିର୍ବାହ କରିବା ଉଚିତ ଏବଂ ସବୁକିଛି ନିଜ କାମ ବୋଲି ଭାବ କାମ କରିବା ଆବଶ୍ୟକ ।
ପ୍ରଧାନମନ୍ତ୍ରୀ ସାମୂହିକ ପ୍ରୟାସ ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି ପରିପ୍ରେକ୍ଷୀରେ ସେ କୋଭିଡ-୧୯ ମହାମାରୀ ଏବଂ ପଶ୍ଚିମ ଏସିଆ ସଙ୍କଟର ଅଭିଜ୍ଞତା ଉଲ୍ଲେଖ କରିଥିଲେ । ସେ କହିଥିଲେ, ଏହି ସମୟରେ ଭିନ୍ନ ଭିନ୍ନ ବିଭାଗର ଅଧିକାରୀମାନେ ପ୍ରଭାବଶାଳୀ ଭାବରେ ଏକାଠି କାମ କରିଥିଲେ । ଏପରି ସମନ୍ୱୟ ବ୍ୟବସ୍ଥା ସରକାରଙ୍କ କାର୍ଯ୍ୟ ସଂସ୍କୃତିର ଏକ ସ୍ୱାଭାବିକ ଅଂଶ ହେବା ଉଚିତ ବୋଲି ଶ୍ରୀ ମୋଦୀ କହିଥିଲେ ।
ପ୍ରଧାନମନ୍ତ୍ରୀ ମାନବୀୟ ହସ୍ତକ୍ଷେପ ଏବଂ ବୁଝାମଣାକୁ ବଜାୟ ରଖି କୃତ୍ରିମ ବୁଦ୍ଧିମତା(ଏଆଇ)ର ପ୍ରଭାବଶାଳୀ ବ୍ୟବହାର ପାଇଁ ଆହ୍ୱାନ କରିଥିଲେ। ସେ ମାନବ ବିଶେଷଜ୍ଞତା ସହିତ ଏଆଇର କ୍ଷମତାକୁ ମିଶ୍ରଣ କରିବାର ଅଭିନବ ଉପାୟ ଅନୁସନ୍ଧାନ କରିବାକୁ ଆହ୍ୱାନ କରିଥିଲେ।
ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରି କହିଥିଲେ ଯେ, ଡାଟା ବା ତଥ୍ୟ ହେଉଛି ଏକ ଜାତୀୟ ସମ୍ପତ୍ତି ଏବଂ ଭବିଷ୍ୟତ ପାଇଁ ଏକ ସମ୍ବଳ। ସରକାର ତଥ୍ୟ ସଂଗ୍ରହ, ସଂରକ୍ଷଣ ଏବଂ ପରିଚାଳନା ପାଇଁ ସମ୍ବଳ ବିନିଯୋଗ କରନ୍ତି, କିନ୍ତୁ ବିଭାଗୀୟ ବାଧା ଓ ଖଣ୍ଡିତ ବ୍ୟବସ୍ଥା ଯୋଗୁଁ ଏହାର ପୂର୍ଣ୍ଣ ସମ୍ଭାବନା ସର୍ବଦା ଉପଲବ୍ଧ ହୁଏ ନାହିଁ। ସେ ବିଭିନ୍ନ ଉଦ୍ଦେଶ୍ୟ ପାଇଁ ତଥ୍ୟ ସଂଗ୍ରହ ଓ ପରିଚାଳନା ପଦ୍ଧତିରେ ପାର୍ଥକ୍ୟ ପ୍ରତି ଇଙ୍ଗିତ କରିଥିଲେ । ତଥ୍ୟର ଅଧିକ ଆନ୍ତଃକାର୍ଯ୍ୟକ୍ଷମତା ଏବଂ ପ୍ରଭାବଶାଳୀ ବ୍ୟବହାରକୁ ସକ୍ଷମ କରୁଥିବା ସମାଧାନ ଖୋଜିବା ପାଇଁ ସେ ଆହ୍ୱାନ କରିଥିଲେ।
ନୀତି ନିର୍ଦ୍ଧାରଣରେ ନୂତନ ଦୃଷ୍ଟିକୋଣ ଆଣିବା ପାଇଁ ସରକାରୀ ବିଭାଗ, ବିଶ୍ୱବିଦ୍ୟାଳୟ ଏବଂ ଯୁବବର୍ଗଙ୍କ ମଧ୍ୟରେ ଅଧିକ ସମ୍ପର୍କ ସ୍ଥାପନ କରିବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ କରିଥିଲେ। ସେ କହିଥିଲେ, ବିଶ୍ୱବିଦ୍ୟାଳୟ ଏବଂ ଯୁବବର୍ଗଙ୍କ ସହିତ ବ୍ୟାପକ ସମ୍ପର୍କ ନୂତନ ଓ ଅଣପାରମ୍ପରିକ ଚିନ୍ତାଧାରା ଆଣିପାରିବ।
ପ୍ରଧାନମନ୍ତ୍ରୀ ପ୍ରତିରକ୍ଷା କ୍ଷେତ୍ର ସମେତ ଗବେଷଣା ଓ ନବସୃଜନ ଉପରେ ଅଧିକ ଧ୍ୟାନ ଦେବାକୁ ମଧ୍ୟ ଆହ୍ୱାନ କରିଥିଲେ। ସେ ଭାରତର ପ୍ରତିରକ୍ଷା ଶିଳ୍ପକୁ ଆହୁରି ମଜବୁତ କରିବା ଏବଂ ବିଶ୍ୱ ସ୍ତରରେ ଏହାକୁ ଅଧିକ ପ୍ରତିଯୋଗିତାମୂଳକ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ପ୍ରତିରକ୍ଷା କ୍ଷେତ୍ରରେ ଅଭିନବ ପ୍ରତିରକ୍ଷା ପାଠ୍ୟକ୍ରମ ବିକାଶ ଏବଂ ମାନବ ସମ୍ବଳ ବିକାଶକୁ ସୁଦୃଢ଼ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।
ପ୍ରଧାନମନ୍ତ୍ରୀ ଭାରତର ସାମୁଦ୍ରିକ କ୍ଷେତ୍ରକୁ ସୁଦୃଢ଼ କରିବା ପାଇଁ ଏକ ବ୍ୟାପକ ଆଭିମୁଖ୍ୟର ଆବଶ୍ୟକତା ବିଷୟରେ ମଧ୍ୟ ଆଲୋଚନା କରିଥିଲେ। ସେ କହିଥିଲେ, ଜାହାଜ ନିର୍ମାଣକୁ ଭିତ୍ତିଭୂମିର ମାନ୍ୟତା ଦିଆଯାଇଛି । ମିଶନ ମୋଡରେ ନିର୍ଦ୍ଧାରିତ ଲକ୍ଷ୍ୟ ହାସଲ ହେଉଛି କି ନାହିଁ ତାହା ମୂଲ୍ୟାଙ୍କନ କରିବାକୁ ସେ ପରାମର୍ଶ ଦେଇଥିଲେ । ଭାରତକୁ ବନ୍ଦର ବିକାଶରୁ ବନ୍ଦର-ଆଧାରିତ ବିକାଶ ଆଡ଼କୁ ନେଇଯିବାର ଆବଶ୍ୟକତାକୁ ସେ ଦୋହରାଇଥିଲେ।
ପ୍ରଧାନମନ୍ତ୍ରୀ ଉତ୍ପାଦନ ୟୁନିଟ୍ ଏବଂ ରପ୍ତାନି ଆଧାରିତ ୟୁନିଟ୍ ମଧ୍ୟରେ ଉତ୍ତମ ସଂଯୋଗୀକରଣର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ସେ କହିଥିଲେ, ଏହାଦ୍ଵାରା ଭାରତର ଉତ୍ପାଦନ ଓ ରପ୍ତାନି କ୍ଷମତା ସାମୁଦ୍ରିକ ଭିତ୍ତିଭୂମିରୁ ସମ୍ପୂର୍ଣ୍ଣ ଲାଭ ପାଇପାରିବ।
ପ୍ରଧାନମନ୍ତ୍ରୀ ନିଜ ବକ୍ତବ୍ୟ ଶେଷରେ ଜଟିଳ ଆହ୍ୱାନଗୁଡ଼ିକର ମୁକାବିଲା କରିବା ଏବଂ ଦୀର୍ଘକାଳୀନ ଦୃଷ୍ଟିକୋଣ ସହିତ ଭାରତର ଭବିଷ୍ୟତ ଗଠନ ଲାଗି ଏକ ସମ୍ପୂର୍ଣ୍ଣ ସରକାରୀ ଆଭିମୁଖ୍ୟ, ଅଧିକ ସମନ୍ୱୟ, ଅଭିନବ ଚିନ୍ତାଧାରା ଏବଂ ସାମୂହିକ ଉତ୍ତରଦାୟିତ୍ୱ ବିଷୟରେ ମତ ରଖିଥିଲେ ।
ପ୍ରଧାନମନ୍ତ୍ରୀ ଅଧିକାରୀମାନଙ୍କ ମଧ୍ୟରେ ଅନୌପଚାରିକ ପାରସ୍ପରିକ ମତବିନିମୟ ଏବଂ ଦଳଗତ ମନୋଭାବ ଉପରେ ଗୁରୁତ୍ୱାରୋପ କରିଥିଲେ। ସେ ବରିଷ୍ଠ ଅଧିକାରୀମାନଙ୍କୁ କନିଷ୍ଠ ସହକର୍ମୀଙ୍କ ସହିତ ଅଧିକ ବ୍ୟକ୍ତିଗତ ଏବଂ ଅନୌପଚାରିକ ସମ୍ପର୍କ ବିକଶିତ କରିବା ତଥା କ୍ୟାଡର ଓ ବିଭାଗ ମଧ୍ୟରେ ଦୃଢ଼ ନେଟୱାର୍କ ନିର୍ମାଣ କରିବାକୁ ଉତ୍ସାହିତ କରିଥିଲେ।
ସଚିବମାନେ କ୍ଷେତ୍ରୀୟ ପ୍ରାଥମିକତା, ଉଦୀୟମାନ ଚ୍ୟାଲେଞ୍ଜ ଏବଂ କାର୍ଯ୍ୟକାରିତା ପ୍ରସଙ୍ଗ ଉପରେ ନିଜର ଅନୁଭୂତି ବାଣ୍ଟିଥିଲେ। ବୈଠକରେ କ୍ୟାବିନେଟ ସଚିବ, ପ୍ରମୁଖ ମନ୍ତ୍ରଣାଳୟ ଏବଂ ବିଭାଗର ସଚିବଙ୍କ ସମେତ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
*****
PS
Chaired a high-level meeting with Secretaries to the Government of India and discussed the future action agenda of Ministries and Departments pertaining to Infrastructure and Connectivity, Security and External Affairs and other aspects of Governance.
— Narendra Modi (@narendramodi) August 20, 2026
Emphasised the need for…