Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

କ୍ୟାପ୍ଟେନ୍‌ ସ୍ମିତ୍‌ ମଚ୍ଛାରଙ୍କ ସହ ମତବିନିମୟ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

କ୍ୟାପ୍ଟେନ୍‌ ସ୍ମିତ୍‌ ମଚ୍ଛାରଙ୍କ ସହ ମତବିନିମୟ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ


ଯାତ୍ରୀମାନଙ୍କ ଜୀବନ ରକ୍ଷା କରିବାରେ ତାଙ୍କର ସାହସ ଓ ଉପସ୍ଥିତ ବୁଦ୍ଧିର ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

 

ଆମେ ଭାରତୀୟମାନେ ଜୀବନ ନେବା ଲୋକ ନୁହଁ, ବରଂ ଜୀବନ ବଞ୍ଚାଉଥିବା ଲୋକ ବୋଲି ଆଜି ସମଗ୍ର ଦେଶ ଗର୍ବର ସହ କହିପାରିବ : ପ୍ରଧାନମନ୍ତ୍ରୀ

 

ଆଜି ଗାନ୍ଧୀ ଜୟନ୍ତୀ; ଅହିଂସାର ପ୍ରକୃତ ଅର୍ଥ କ’ଣ, ତାହା ଆପଣ ନିଜ ଆଚରଣ ମାଧ୍ୟମରେ ପ୍ରମାଣିତ କରିଛନ୍ତି: ପ୍ରଧାନମନ୍ତ୍ରୀ

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କଲ୍ ମାଧ୍ୟମରେ କ୍ୟାପଟେନ୍ ସ୍ମିତ୍ ମଚ୍ଛାରଙ୍କ ସହ କଥା ହୋଇଛନ୍ତି । ଶ୍ରୀ ମୋଦୀ କଥାବାର୍ତ୍ତା ଆରମ୍ଭରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା ସହ ସମଗ୍ର ଦେଶ ତାଙ୍କ ଆରୋଗ୍ୟ କାମନା କରୁଛି ବୋଲି ଆଶ୍ୱାସନା ଦେଇଥିଲେ । ଅନେକ ଜୀବନ ବଞ୍ଚାଇବା ପାଇଁ ମାତ୍ର କିଛି ସେକେଣ୍ଡ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାରେ ପାଇଲଟ୍‌ଙ୍କ ସାହସ, ଧୈର୍ଯ୍ୟ ଏବଂ ତୁରନ୍ତ ନିଷ୍ପତ୍ତି ନେବାର କ୍ଷମତାକୁ ସେ ପ୍ରଶଂସା କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, ଜୀବନ-ମୃତ୍ୟୁର ସଂଘର୍ଷ ଏବଂ ଗୁରୁତର ଆହତ ହେବା ସତ୍ତ୍ୱେ କ୍ୟାପଟେନ୍ ନିଜ ଜୀବନ ଅପେକ୍ଷା ଯାତ୍ରୀମାନଙ୍କ ସୁରକ୍ଷାକୁ ଅଧିକ ଗୁରୁତ୍ୱ ଦେଇଥିଲେ, ଯାହା ୧୪୦ କୋଟି ଦେଶବାସୀଙ୍କ ଗୌରବ ବୃଦ୍ଧି କରିଛି। ଶ୍ରୀ ମୋଦୀ ଗୁରୁତ୍ୱାରୋପ କରି କହିଛନ୍ତି, ‘‘ଆମେ ଭାରତୀୟମାନେ ଜୀବନ ନେବା ଲୋକ ନୁହଁ, ବରଂ ଜୀବନ ବଞ୍ଚାଉଥିବା ଲୋକ ବୋଲି ଆଜି ସମଗ୍ର ଦେଶ ଗର୍ବର ସହ କହିପାରିବ ।’’

ଭୂପେନ୍ଦ୍ର ଭାଇ, ଗୀତା ବହେନ୍ ଏବଂ ସୋନାଲ ବହେନ୍ ଙ୍କୁ ନେଇ ପାଇଲଟ୍‌ଙ୍କ ପରିବାର ସଦସ୍ୟଙ୍କ ସହିତ ହୋଇଥିବା କଥାବାର୍ତ୍ତା ବେଶ୍‌ ଆନନ୍ଦଦାୟକ ଥିଲା ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।  ନିଜ ପୁଅକୁ ଗଭୀର ସାଂସ୍କୃତିକ ମୂଲ୍ୟବୋଧର ଶିକ୍ଷା ଦେଇଥିବାରୁ ଗୀତା ବହେନ୍‌ଙ୍କୁ ଶ୍ରୀ ମୋଦୀ ପ୍ରଶଂସା କରିଥିଲେ । ସେ ଭଗବଦ୍ ଗୀତାର ଶିକ୍ଷାକୁ ସମ୍ପୂର୍ଣ୍ଣ ଭାବେ ଆପଣାଇ ନେଇଛନ୍ତି ଏବଂ ନିଜ ଜୀବନରେ ତାହା ପାଳନ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ପ୍ରଧାନମନ୍ତ୍ରୀ କ୍ୟାପ୍ଟେନ୍‌ ସ୍ମିତଙ୍କ କଥା ଧ୍ୟାନର ସହକାରେ ଶୁଣିଥିଲେ । ପ୍ରଧାନମନ୍ତ୍ରୀଙ୍କୁ କ୍ୟାପ୍ଟେନ୍‌ ନିଜ ଜୀବନର ସବୁଠୁ ବଡ଼ ଆଦର୍ଶ ବୋଲି କହିଥିଲେ । ୧୭ ବର୍ଷର ଉଡ଼ାଣ ଅଭିଜ୍ଞତା କିପରି ତାଙ୍କୁ ବିମାନଟି ତଳକୁ ଖସିପଡ଼ୁଥିବା ବିଷୟରେ ଅବଗତ କରାଇଥିଲା ସେ ସମ୍ପର୍କରେ କ୍ୟାପ୍ଟେନ୍‌ ସୂଚନା ଦେଇଥିଲେ । ପ୍ରଧାନମନ୍ତ୍ରୀ କଥାବାର୍ତ୍ତା ସମୟରେ ପାଇଲଟଙ୍କ ଠାରୁ ସେହି ଭୟଙ୍କର ମୁହୂର୍ତ୍ତର ବିବରଣୀ ବିଷୟରେ ଶୁଣିଥିଲେ ଯେତେବେଳେ କବାଟ ଖୋଲିବା ପାଇଁ ସେ ଶେଷ ଥର ଲାଗି ଜୋରଦାର ପ୍ରୟାସ କରିଥିଲେ । ଗମ୍ଭୀର ଭାବେ ଫସି ରହିବା ଓ ଆହତ ହେବା ସତ୍ତ୍ୱେ ଯାତ୍ରୀମାନଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇବା ପାଇଁ ସେ ଦୃଢ଼ ସଂକଳ୍ପବଦ୍ଧ ଥିଲେ । ଜୀବନ ବଞ୍ଚାଇବା ପାଇଁ ସଂଘର୍ଷ କରୁଥିବା ସମୟରେ ହନୁମାନ ଚାଳିଶା ପାଠ କରି କ୍ୟାପଟେନ୍ ଯେଉଁ ଆଧ୍ୟାତ୍ମିକ ଶକ୍ତି ଲାଭ କରିଥିଲେ, ତା’ର ଶ୍ରୀ ମୋଦୀ ଉଚ୍ଚ ପ୍ରଶଂସା କରିଥିଲେ । ଏତେ ବଡ଼ ସଂଘର୍ଷର ସାମ୍ନା କରିବା ପରେ କ୍ୟାପଟେନ୍‌ଙ୍କ ଭାବପ୍ରବଣ ହୋଇପଡ଼ିବା ଏକ ସ୍ୱାଭାବିକ ପ୍ରତିକ୍ରିୟା ବୋଲି ସେ ସ୍ୱୀକାର କରିଥିଲେ । ଶ୍ରୀ ମୋଦୀ କହିଥିଲେ, ‘‘ଆପଣଙ୍କ ସାହସିକ କାର୍ଯ୍ୟ ଯୋଗୁଁ ସମଗ୍ର ବିଶ୍ୱ ଆପଣଙ୍କ ସହ କଥା ହେବାକୁ ଆଗ୍ରହୀ ହୋଇପଡ଼ିଛି ଏବଂ ଆପଣ ନିଜ ପରିବାର ଓ ଦେଶ ପାଇଁ ଗୌରବ ଆଣିଦେଇଛନ୍ତି ।’’

ପାଇଲଟଙ୍କ ଦୀର୍ଘାୟୁ କାମନା କରି ସାଭରକୁଣ୍ଡଲାରୁ ୱାଧୱାନ ପର୍ଯ୍ୟନ୍ତ ସ୍ୱତନ୍ତ୍ର ପ୍ରାର୍ଥନା ଓ ଆରତୀ କରାଯାଉଛି ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ । ଏଥିସହିତ ତାଙ୍କୁ ନେଇ ଦେଶବ୍ୟାପୀ ଏକ ଭାବଗତ ଏକତା ଦେଖା ଦେଇଛି ବୋଲି କହିଥିଲେ । କ୍ୟାପଟେନଙ୍କ ସୁସ୍ଥ ହେବା ପ୍ରକ୍ରିୟାକୁ ଏକ ଧୈର୍ଯ୍ୟପୂର୍ଣ୍ଣ ଯାତ୍ରା ଭାବରେ ଗ୍ରହଣ କରିବା ସହିତ ତାଙ୍କର ଦୃଢ଼ ମନୋବଳକୁ ଶ୍ରୀ ମୋଦୀ ପ୍ରଶଂସା କରିଥିଲେ । ଭାରତୀୟ ସଂସ୍କୃତି ସହ ଯୋଡ଼ି ହୋଇ ରହିବା ପାଇଁ କ୍ୟାପଟେନ୍ ନିଜର ଦୁଇ ବର୍ଷର ପୁଅ ସହିତ ପ୍ରତିଦିନ ‘ହନୁମାନ ଚାଳିଶା’ ପାଠ କରୁଥିବା କଥା ଶୁଣି ସେ ଖୁସି ବ୍ୟକ୍ତ କରିଥିଲେ। ସ୍ଥାନୀୟ ଲୋକଙ୍କଠାରୁ ମିଳିଥିବା ଅପାର ସ୍ନେହ ସମ୍ପର୍କରେ କ୍ୟାପଟେନ୍‌ଙ୍କ ମତାମତକୁ ସମର୍ଥନ କରି ଶ୍ରୀ ମୋଦୀ ଉତ୍ତମ ଚିକିତ୍ସା ସୁବିଧା ଯୋଗାଇଥିବାରୁ ସାଉଦି ଆରବ ଏବଂ ୟୁଏଇ ସରକାରଙ୍କୁ ହୃଦୟରୁ କୃତଜ୍ଞତା ଜଣାଇଥିଲେ । କ୍ୟାପଟେନ୍‌ଙ୍କ କାର୍ଯ୍ୟ ବିଶ୍ୱସ୍ତରରେ ସମସ୍ତ ଭାରତୀୟ ପାଇଲଟ୍‌ଙ୍କ ସମ୍ମାନ ଓ ମର୍ଯ୍ୟାଦାକୁ ଅକ୍ଷୂର୍ଣ୍ଣ ରଖିଛି । ଆଜି ଗାନ୍ଧୀ ଜୟନ୍ତୀ; ଅହିଂସାର ପ୍ରକୃତ ଅର୍ଥ କ’ଣ, ତାହା ଆପଣ ନିଜ ଜୀବନଶୈଳୀ ମାଧ୍ୟମରେ ପ୍ରମାଣିତ କରିଛନ୍ତି ବୋଲି ଶ୍ରୀ ମୋଦୀ କହିଥିଲେ ।

ପ୍ରଧାନମନ୍ତ୍ରୀ ଗୁଜରାଟୀ ଭାଷାରେ ଆପଣାର ଭାବନା ନେଇ କଥା ହେବା ସହ କ୍ୟାପଟେନଙ୍କ ଛୋଟ ପିଲା ବବି ଏବଂ ଜିୱାଙ୍କ ବିଷୟରେ ପଚାରି ବୁଝିଥିଲେ। ସେ ପାଇଲଟ୍‌ଙ୍କ ପିତାମାତା ଏବଂ ତାଙ୍କ ପତ୍ନୀ ସୋନାଲବେନଙ୍କୁ ମଧ୍ୟ ଗଭୀର ପ୍ରଶଂସା କରିଥିଲେ । କାରଣ ସାମ୍ପ୍ରତିକ ଆଲୋଚନା ସମୟରେ ସେମାନେ କୌଣସି ଅଭିଯୋଗ ନ କରି ଅସାଧାରଣ ସ୍ଥିରତା ଓ ବିଶ୍ୱାସ ବଜାୟ ରଖିଥିଲେ। ପ୍ରଧାନମନ୍ତ୍ରୀ କ୍ୟାପଟେନ୍‌ଙ୍କୁ ଆଶ୍ୱାସନା ଦେଇ କହିଥିଲେ, ସେ କେବଳ ଗୋଟିଏ ଫୋନ୍ କଲ୍ ଦୂରତାରେ ରହିଛନ୍ତି ଏବଂ ସାକ୍ଷାତ ହେଲେ ଘଟଣାର ସମସ୍ତ ବିସ୍ତୃତ ବିବରଣୀ ଶୁଣିବେ । ସେ ତାଙ୍କର ସମ୍ପୂର୍ଣ୍ଣ ଓ ଶୀଘ୍ର ଆରୋଗ୍ୟ କାମନା କରିବା ସହ ସମଗ୍ର ଦେଶ ଦୃଢ଼ ଭାବରେ ତାଙ୍କ ସହିତ ଛିଡ଼ା ହୋଇଛି ବୋଲି ଜୋର୍‌ ଦେଇ କହିଥିଲେ । ‘‘ଖୁବ୍ ଶୀଘ୍ର ଆପଣ ସୁସ୍ଥ ହୋଇଯାଆନ୍ତୁ ଯାହାଫଳରେ ଆମେ ସାକ୍ଷାତ କରିପାରିବା; ଭଗବାନ ଆପଣଙ୍କ ମଙ୍ଗଳ କରନ୍ତୁ ଏବଂ ଜୟ ହିନ୍ଦ,” ବୋଲି ଶ୍ରୀ ମୋଦୀ ଶେଷରେ କହିଥିଲେ।

********

PS/Swadhin